spot_img
Home Blog Page 1097

ପଦାକୁ ଆସିଲା ସ୍ପାଇଡ଼ର ସତୀଶର ନିଆରା ସଉକ, କୁକୁରଙ୍କ ଖେଳିବା ପାଇଁ ଆଣୁଥିଲା ଲକ୍ଷେ ଟଙ୍କିଆ ବଲ୍

ଭୁବନେଶ୍ୱର : ଚୋରର ନିଆରା ସଉକ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଧରାପଡିଥିବା ଚୋର ସ୍ପାଇଡ଼ର ସତୀଶ ଓରଫ ସତୀଶ ରେଡ୍ଡୀର ସଉକ ଦେଖି ପୋଲିସ ତାଜୁବ। ଲକ୍ଷ ଲକ୍ଷ ଟଙ୍କା ଦେଇ ଦାମୀ କୁକୁର କିଣୁଥିଲା ସ୍ପାଇଡ଼ର ସତୀଶ । କୁକୁର ଖେଳିବା ପାଇଁ ଇଣ୍ଡୋନେସିଆରୁ ବଲ କିଣିଥିଲା । ଭାଇରାଲ ହେଲା କୁକୁରଙ୍କ ଅଳ୍ପ କିଛି ଫଟୋ ।

ଏହା ଛଡ଼ା ଦୁଇ ଦୁଇଟି ପତ୍ନୀ ଓ ଗାର୍ଲଫ୍ରେଣ୍ଡ, କୁକୁରଙ୍କ ପଛରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା ସତୀଶ । ଦୁଇ ଲକ୍ଷର କୁକୁରଙ୍କ ଖେଳିବା ପାଇଁ ଲକ୍ଷେ ଟଙ୍କିଆ ବଲ୍ କିଣି ଥିଲା । ପ୍ରତି ମାସରେ କୁକୁରଙ୍କ ପାଇଁ ସ୍ପା’, ବାଥରେ ଖର୍ଚ୍ଚ କରୁଥିଲା ଲକ୍ଷ ଲକ୍ଷ ଟଙ୍କା । ଗୋଟିଏ ଥରେ ଚୋରି ପରେ ୱେଟ ଲସ ପାଇଁ ଡ଼ାଏଟ ପ୍ଲାନ ବି କରୁଥିଲା । ଜିମରେ ରହୁଥିଲା ଏବଂ କାନ୍ଥ ଚଢିବାର ଟେକନିକ ଶିଖୁଥିଲା । ଅଭ୍ୟାସ ପାଇଁ ସ୍ୱତନ୍ତ୍ର ଟ୍ରେନର ରଖିଥିଲା । ଦିନକୁ ଖର୍ଚ୍ଚ ଥିଲା ୪ ହଜାରରୁ ଅଧିକ । ଖୁବଶୀଘ୍ର ସତୀଶ ରେଡ୍ଡୀକୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ । ଗତକାଲି ତାକୁ ବିଜୟାନଗରୀରୁ ଧରିଥିଲା ସ୍ପେସାଲ ସ୍କ୍ବାଡ। ସୁରକ୍ଷା କର୍ମୀଙ୍କୁ ମାତ୍ ଦେଇ ଚୋର ଦ୍ୱିତୀୟ ମହଲାକୁ ଯାଇ ନେଇଯାଇଥିଲା ୫୦ ଲକ୍ଷ ଟଙ୍କାର ଅଳଙ୍କାର ଓ ନଗଦ ଦୁଇ ଲକ୍ଷରୁ ଅଧିକ ଟଙ୍କା । ଚୋରକୁ ଧରିବା ପାଇଁ ସ୍ପେଶାଲ ଟିମ୍ ଗଠନ ହୋଇଥିଲା ।

ଯୌତୁକଜନିତ ମୃତ୍ଯୁ ମାମଲାର ବିଚାର ବେଳେ ଅବଲମ୍ବନ କର ସତର୍କତା : ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ : ଯୌତୁକଜନିତ ମୃତ୍ଯୁ ମାମଲା ପ୍ରସଙ୍ଗରେ ଦେଶର ସମସ୍ତ କୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ। ଆଇପିସିର ଧାରା ୩୦୪(ବି) ଅନୁସାରେ ଯୌତୁକଜନିତ ମୃତ୍ଯୁ ମାମଲାର ବିଚାର କରିବା ବେଳେ ଅଧିକ ସତର୍କତା ଅବଲମ୍ବନ କରିବା ମାମଲାର ଅଧିକ ଯାଞ୍ଚ ଲାଗି ପରାମର୍ଶ ଦେଇଛନ୍ତି ଅଦାଲତ। କୋର୍ଟ କହିଛନ୍ତି, ଅନେକ ସମୟରେ ଯୌତୁକଜନିତ ମୃତ୍ଯୁ ମାମଲା କ୍ଷେତ୍ରରେ ମୃତକଙ୍କ ସମ୍ପର୍କୀୟ ଓ ପରିବାରର ବିଭିନ୍ନ ଉଦ୍ଦେଶ୍ୟ ରହିଥାଏ।

ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପରାମର୍ଶ ଦେଇଛନ୍ତି। ବିବାହର ୬ ମାସ ମଧ୍ଯରେ ଜଣେ ମହିଳାଙ୍କ ମୃତ୍ଯୁ ଘଟଣାରେ ସଞ୍ଜୟ ରାମ ତାମତା ନାମକ ବ୍ଯକ୍ତିଙ୍କ ଖଲାସ ବିରୋଧରେ ଉତ୍ତରାଖଣ୍ଡ ସରକାର କରିଥିବା ଆବେଦନକୁ ବି କୋର୍ଟ ଖାରଜ କରିଛନ୍ତି। ବିବାହର ମାତ୍ର ୬ ମାସ ମଧ୍ଯରେ ମହିଳାଜଣକ ବେକରେ ରଶି ଲଗାଇ ଆତ୍ମହତ୍ଯା କରିଥିବା ଦେଖିଥିଲେ ତାଙ୍କ ବାପା ଓ ଭାଇ। ସେତେବେଳେ ସେ ତାଙ୍କ ସ୍ବାମୀ ସହ ରହୁଥିଲେ। ଖଣ୍ଡପୀଠ କହିଛନ୍ତି ଯୌତୁକ ଦାବିଜନିତ ମୃତ୍ଯୁ ଘଟଣା ହତ୍ଯା ସହ ସମାନ। ଯଦିଓ ମୃତ୍ଯୁ ଘଟଣା ଲାଗି ଅନ୍ଯ ଜଣେ ଦାୟୀ ନୁହନ୍ତି ତଥାପି ଧାରା ୩୦୪(ବି) ଅନୁସାରେ ଏହା ହତ୍ଯା ସହ ସମାନ । ପତ୍ନୀଙ୍କ ମୃତ୍ଯୁ ଘଟଣାରେ ସଞ୍ଜୟ ରାମ ତାମତା ଗିରଫ ହୋଇଥିଲେ। ପରେ ତାଙ୍କ ବାପା, ମା, ଜେଜେବାପା, ଭାଇଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ତେବେ ପରେ ସ୍ବାମୀଙ୍କ ଛଡା ଅନ୍ଯ ସମସ୍ତଙ୍କୁ ନିମ୍ନ କୋର୍ଟ ଖଲାସ କରିଥିଲେ। ମାତ୍ର ପରେ ସ୍ବାମୀଙ୍କୁ ହାଇକୋର୍ଟ ଖଲାସ କରିଥିଲେ। ଏହା ବିରୋଧରେ ଉତ୍ତରାଖଣ୍ଡ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ପ୍ରେମ ପାଇଁ ଦିନ ଟିଏ,ଆଜି ଭାଲେଣ୍ଟାଇନ ଡେ’ ପାଳୁଛନ୍ତି ପ୍ରେମୀ ଯୁଗଳ

ନନ୍ଦିଘୋଷ ବ୍ୟୁରୋ : ପ୍ରେମ ଶାଶ୍ୱତ ଚିରନ୍ତନ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃଆରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍‌ ଡେ’ବା ପ୍ରେମ ଦିବସ। ବିଶେଷକରି ଯୁବପିଢ଼ି ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି। ଫେବୃଆରୀ ୭ ଅର୍ଥାତ୍‌ ରୋଜ୍‌ ଡେ’ରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଥିବା ବେଳେ ୧୪ ହେଉଛି ସବୁଠୁ ଖୁସିର ଦିନ। ପ୍ରେମ ସପ୍ତାହର ଶେଷଦିନରେ ନିଜର ମନଖୋଲି କଥା ହୋଇଥାନ୍ତି ପ୍ରେମୀଯୁଗଳ। ଦିନଟିକୁ ସ୍ମରଣୀୟ କରିବା ଲାଗି ପରସ୍ପରକୁ ବିଭିନ୍ନ ସର୍‌ପ୍ରାଇଜ୍‌ ଗିଫ୍ଟ ମଧ୍ୟ ଦେଇଥାନ୍ତି।

ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ ଡେ’ ଅତ୍ୟନ୍ତ ସ୍ୱତନ୍ତ୍ର। ପ୍ରେମ ବିନା ଜୀବନ ଅଧୁରା ଲାଗେ। ଖାସ ସେଇଥିପାଇଁ ଏହି ଦିନଟିକୁ ଚାହିଁ ରହିଥାନ୍ତି ପ୍ରେମ ପକ୍ଷ । ପ୍ରେମ ସ୍ନେହ, ତ୍ୟାଗର ସଞ୍ଚାର। ପ୍ରେମର ସ୍ରୋତରେ ଯିଏ ପଡିଛି ପ୍ରୀତିର ପ୍ରଗାଢତାରେ ସେ ଭିଜି ଯାଇଛି। ପ୍ରେମ ସପ୍ତାହର ଶେଷ ଦିନରେ ନିଜର ସାଥି ସହ ନିଆରା ଅନୁଭୂତି ସାଉଁଟିବାକୁ ପ୍ରତିଟି ପ୍ରେମ ଚଢେଇର ଭାରି ଇଚ୍ଛା। ଆଧୁନିକତାର ସ୍ପର୍ଶରେ ଭାଲେଣ୍ଟାଇନ୍ସ ଡେ’କୁ ଯୁବପିଢି ଦେଇଛନ୍ତି ନୂଆ ପରିଚୟ। ଏଥି ସହିତ, ଭାଲେଣ୍ଟାଇନ ଡେ’କୁ ସ୍ୱତନ୍ତ୍ର କରିବା ପାଇଁ ଲୋକମାନେ କୌଣସି ସୁଯୋଗକୁ ବି ହାତଛଡା କରନ୍ତି ନାହିଁ। ।

ଏବେ ତାତୁଛି, ଆଗକୁ ଜଳିବ ଓଡ଼ିଶା; ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେବେ ଲୋକ

ନନ୍ଦିଘୋଷ ବ୍ୟୁରୋ : ଉପକୂଳରେ ଉପରମୁହାଁ ପାରଦ । ସ୍ବାଭାବିକ ଠାରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ତାପମାତ୍ରା ରେକର୍ଡ । ଆସନ୍ତା ଶନିବାର ଠାରୁ ରାଜ୍ୟରେ ଅହେତୁକ ଭାବରେ ବଢିବ ତାତି । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଥିବା ବେଳେ ଦିନରେ ଡହ ଡହ ଖରାରେ ସିଝୁଛନ୍ତି ଲୋକେ । ବିଶେଷ କରି ସମ୍ବଲପୁର, ବରଗଡ, ଝାରସୁଗୁଡା, ସୋନପୁର, ବଲାଙ୍ଗିର, ନୂଆପଡା, ଗଜପତି ଜିଲ୍ଲାରେ ପାରଦ ଉପରମୁହାଁ ହୋଇଛି । ଉପକୂଳ ଓଡ଼ିଶା ସମେତ ଅନୁଗୁଳ ଏବଂ ଢେଙ୍କାନାଳରେ ଏବେ ତାତି ଅସମ୍ଭାଳ ହୋଇଥିବା ବେଳେ ଆସନ୍ତା ୧୯ ତାରିଖ ମଧ୍ୟରେ ସାଂଘାତିକ ତାତି ଅନୁଭୁତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିବା ସହ ମେଘମୁକ୍ତ ଆକାଶ ପାଇଁ ତାତି ବୃଦ୍ଧି ପାଉଛି । ଏହାସହ ରାଜ୍ୟକୁ ସାମୁଦ୍ରିକ ପବନ ପ୍ରବାହରେ ବ୍ରେକ୍ ଲାଗିଛି । ତେବେ ତାତି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ଆଜି ଚଣ୍ଡିଗଡରେ ବସିବ ମହା ବୈଠକ ; କୃଷକଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର

ନନ୍ଦିଘୋଷ ବ୍ୟୁରୋ : ଆଜି ଚଣ୍ଡୀଗଡ଼଼ରେ ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର । ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନକୁ ବର୍ଷେ ପୂରିଥିବା ବେଳେ ଏ ପର୍ଯ୍ୟନ୍ତ ସରକାର ଏମ୍ଏସ୍ପିକୁ ଆଇନଗତ ମାନ୍ୟତା ଦେଇନାହାନ୍ତି । ଆବାହକ ଜଗଜିତ ସିଂ ଦଲେଓ୍ବାଲଙ୍କ ଆମରଣ ଅନଶନ ୭୯ ଦିନରେ ପହଞ୍ଚିଥିଲେ ବି ଫଳ ଶୂନ । ଫଳରେ ୧୨ ଦଫା ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି ।

୩୨ଟି କୃଷକ ସଂଗଠନର ମଞ୍ଚ ସାଜିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ସମର୍ଥନ କରିଛି କିଷାନ ମଜଦୂର ମୋର୍ଚ୍ଚା ବା କେଏମଏମ । କେଏମଏମ ନେତା ଶର୍ବଣ ସିଂ ପାନ୍ଧେର କହିଛନ୍ତି- ସଂଯୁକ୍ତି ମୋର୍ଚ୍ଚାର ସମସ୍ତ ଦାବିକୁ କେଏମଏମ ସମର୍ଥନ କରୁଛି । ଗତବର୍ଷ ଫେବୃଆରୀ ୧୨ରୁ ଏମଏସପିର ଆଇନଗତ ଗ୍ଯାରେଣ୍ଟି ସମେତ ବିଭିନ୍ନ ଦାବି ନେଇ ଶଂଭୁ ଓ ଖାନାଉରୀ ସୀମାରେ ଆନ୍ଦୋଳନ କରିଆସୁଛନ୍ତି କେଏମଏମ ଓ ଏସକେଏମ ।

ତେବେ ଆଜି ହେବାକୁ ଥିବା ଆଲୋଚନା ଯଦି ବିଫଳ ହୁଏ ତେବେ ଆସନ୍ତା ୨୫ରେ ୧୦୧ଜଣ ଚାଷୀ ହରିୟାଣା ସୀମା ପାର୍ ହେବା ଲାଗି ଉଦ୍ଯମ କରିବେ । ଗତବର୍ଷ ଫେବୃଆରୀ ୮, ୧୨, ୧୫, ୧୮ରେ ଚାରିଥର କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ସହ ଆଲୋଚନା ହୋଇଥିବା ସତ୍ତ୍ବେ ସମାଧାନର ପନ୍ଥା ବାହାରିପାରି ନଥିଲା ।

ତହଉର ରାଣାର ପ୍ରତ୍ୟର୍ପଣ ପ୍ରସଙ୍ଗ : ଭାରତକୁ ପ୍ରତ୍ୟର୍ପଣ ଲାଗି ଅନୁମତି ଦେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ମୁମ୍ବାଇ ଆତଙ୍କବାଦୀ ହମଲାର ଅଭିଯୁକ୍ତ ତହଉର ରାଣାକୁ ପ୍ରତ୍ୟର୍ପଣ ପ୍ରସଙ୍ଗ । ଭାରତ ହାତରେ ପ୍ରତ୍ୟର୍ପଣ ଲାଗି ଗ୍ରୀନ ସିଗନାଲ ଦେଲେ ଆମେରିକା ରାଷ୍ଟ୍ରପତିଡୋନାଲଡ ଟ୍ରମ୍ପ। ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମିଳିତ ବୈଠକ ପରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ। ରାଣାକୁ ଭାରତ ଅଣାଗଲେ ତାକୁ ତିହାର ଜେଲରେ ହିଁ ରଖାଯିବ ଏବଂ ଜେଲରେ ହାଇସିକ୍ୟୁରିଟି ବ୍ୟବସ୍ଥା ସମ୍ପନ୍ନ ଓ୍ବାର୍ଡରେ ରଖିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଆମେରିକାର ଲସ୍ ଆଞ୍ଜେଲସ ଜେଲରେ ବନ୍ଦୀ ଥିବା ରାଣାର ସମସ୍ତ ଆବେଦନ ବିଭିନ୍ନ ନିମ୍ନ କୋର୍ଟରେ ଖାରଜ ହୋଇଥିଲା ।

ଶେଷରେ ଗତ ଜାନୁଆରୀ ୨୧ରେ ଆମେରିକା ସୁପ୍ରିମକୋର୍ଟ ବି ପ୍ରତ୍ୟର୍ପଣ ରଦ୍ଦ ସଂକ୍ରାନ୍ତ ଆବେଦନ ଖାରଜ କରିଦେଇଥିଲେ । ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଭୟଙ୍କର ହମଲାରେ ପ୍ରାଣ ହରାଇଥଲେ ୧୬୬ ନାଗରିକ । ୨୦୦୮ ଆତଙ୍କୀ ହମଲା ପରେ ୨୦୦୯ରେ ତାକୁ ଚିକୋଗାରେ ଗିରଫ କରିଥିଲା ଏଫବିଆଇ। ପାକିସ୍ତାନୀ-ଆମେରିକୀୟ ଆତଙ୍କବାଦୀ ଡେଭିଡ କୋଲମାନ ହେଡଲି ଓରଫ ଦାଉଦ ଗିଲାନି ସହ ତହଉରର ସମ୍ପର୍କ ଥିଲା। ମୁମ୍ବାଇ ହମଲା ମାମଲାରେ ହେଡଲି ବର୍ତ୍ତମାନ ଆମେରିକାରେ ୩୫ ବର୍ଷିଆ ଜେଲଦଣ୍ଡ ଭୋଗୁଛି।

ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ଇମ୍ଫାଲ: ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଗତ ୯ ତାରିଖରେ ଇସ୍ତଫା ଦେଇଥିଲେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂ । ତାଙ୍କ ଇସ୍ତଫା ପରେ ମଣିପୁରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ।

ଦୁଇ ବର୍ଷ ଧରି ଅଶାନ୍ତ ରହିଛି ମଣିପୁର । ମଣିପୁର ହିଂସାରେ ୨ ଶହରୁ ଅଧିକ ଜୀବନ ଯାଇଥିବା ବେଳେ, ବାସଚ୍ଯୁତ ହେଲେଣି ୬୦ ହଜାର ଲୋକ । ତେବେ କିଏ ହେବ ମଣିପୁରର ଆଗାମୀ ମୁଖ୍ୟମନ୍ତ୍ରୀ ? ଏମିତି କିଛି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି । କାରଣ ମଣିପୁରରେ ଦୀର୍ଘ ଦିନ ଧରି ରାଜନୈତିକ ଅସ୍ଥିରତା ଲାଗି ରହିଛି । ଏହାରି ଭିତରେ ନୂଆ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ବି ସମୟ ନେଉଛି । ଦେଖିବାକୁ ଗଲେ ଦଳରେ ସେମିତି କୌଣସି ଟାଣୁଆ ନେତା ନାହାନ୍ତି, ଯାହାଙ୍କ ପାଖରେ ଅଧିକାଂଶ ବିଧାୟକଙ୍କ ସମର୍ଥନ ରହୁଥିବ ।

କ୍ରମାଗତ ଭାବେ ୨ ବର୍ଷ ହେଲା ମଣିପୁରରେ ଜାରି ରହିଛି ହିଂସା । ଜାତିଗତ ହିଂସାରେ ଗଲାଣି ୨ ଶହରୁ ଅଧିକ ଜୀବନ । ଏଥିସହ ୬୦ ହଜାରରୁ ଅଧିକ ଲୋକେ ବିସ୍ଥାପିତ ହୋଇଛନ୍ତି । ଗତ ୨ ବର୍ଷ ହେବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ରାଜ୍ୟରେ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଅନେକ ହିଂସାତ୍ମକ ସଂଘର୍ଷର କାରଣ ହୋଇଛି । ଯେଉଁଥିରେ ଶହ ଶହ ଲୋକଙ୍କ ଜୀବନ ଯାଇଛି । ହଜାର ହଜାର ଲୋକଙ୍କୁ ସେମାନଙ୍କ ଘରୁ ଛାଡିବାକୁ ବାଧ୍ୟ କରାଯାଇଛି ।

ସେପଟେ ହିଂସା ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇପଡିଥିଲେ ବିରେନ । ଏପରିକି ବିଜେପି ବିଧାୟକମାନେ ବି ବିରେନ ସିଂଙ୍କ ପ୍ରତି ଅସନ୍ତୋଷ ଥିଲେ । ଗତବର୍ଷ ଅକ୍ଟୋବରରେ ମଣିପୁରର ୧୯ ଜଣ ଭାଜପା ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଏନ ବୀରେନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବି କରିଥିଲେ ।

ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା

ତିଗିରିଆ: ତିଗିରିଆ ବ୍ଳକରେ ବିଜେଡିର ବରିଷ୍ଠ ନେତା ତଥା ୮ ଥରର ବିଧାୟକ ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଆକ୍ରମଣ ଘଟଣାକୁ ବିଜେଡିର ନିନ୍ଦା । ଜଣେ ଦୁଇ ଜଣ ଅଭିଯୁକ୍ତକୁ ଧରି ପୋଲିସ ନିରବ ରହିଛି । ଏହି ଆକ୍ରମଣରେ ଅନେକ ଲୋକ ସାମିଲ ଅଛନ୍ତି । ବିଜେପି ନେତାଙ୍କ ଇସାରାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଆକ୍ରମଣ କରାଯାଇଛି ବୋଲି ଦଳ ଅଭିଯୋଗ କରିଛି ।

ସେହି ବିଜେପି ନେତା କିଏ ? ଓଡ଼ିଶାର ଗୃହମନ୍ତ୍ରୀ ଓ ତଥା ମୁଖ୍ୟମନ୍ତ୍ରୀ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖନ୍ତୁ । ବିଧାନସଭାର ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଛି । ତେଣୁ ବାଚସ୍ପତି କାର୍ଯ୍ୟନୁଷ୍ଠାନ ନିଅନ୍ତୁ। ଏପରି ଗୁଣ୍ଡାରାଜ, ବିଶୃଙ୍ଖଳା, ହତ୍ୟା, ଅପରାଧ ରାଜ୍ୟରେ ବଢ଼ିଛି ଚାଲିଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି  । ଖୁଣ୍ଟୁଣି ପଞ୍ଚାୟତର ଜଣେ ସରକାରୀ କର୍ମଚାରୀଙ୍କ ଉପରେ ବି ବିଜେପି ନେତା ଆକ୍ରମଣ କରିଛନ୍ତି । ତେଣୁ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ପୋଲିସ ଉପରେ ବିଜେପି ଚାପ ପକାଉଥିବା ଅଭିଯୋଗ କରିଛି ବିଜେଡି । ତେଣୁ ଏ ଶାସନରେ ଥାନା ଅଧିକାରୀ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ବି ଅସନ୍ତୁଷ୍ଟ ଅଛନ୍ତି ବୋଲି କହିଛି ବିଜେଡି ।

ହଟ୍ଟଗୋଳ ମଧ୍ୟରେ ସଂସଦରେ ଉପସ୍ଥାପିତ ହେଲା ୱାକଫ୍ ବିଲ୍ ଉପରେ ଜେପିସି ରିପୋର୍ଟ

ନୂଆଦିଲ୍ଲୀ: ପ୍ରବଳ ହଟ୍ଟଗୋଳ ମଧ୍ୟରେ ସଂସଦରେ ଉପସ୍ଥାପିତ ହେଲା ୱାକଫ୍ ବିଲ୍ ଉପରେ ଜେପିସି ରିପୋର୍ଟ । ଆଜି ସଂସଦର ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ପ୍ରଥମେ ରାଜ୍ୟସଭା ପରେ ଲୋକସଭାରେ ଉପସ୍ଥାପିତ ହୋଇଛି ଜେପିସି ରିପୋର୍ଟ । ହେଲେ ରାଜ୍ୟସଭାରେ ଜେପିସି ରିପୋର୍ଟ ଉପସ୍ଥାପନ ହେବା ମାତ୍ରେ ରିପୋର୍ଟକୁ ବିରୋଧ କରି ବିରୋଧୀ ଗୃହରେ ହଙ୍ଗାମା କରିଥିଲେ ।

ୱାକଫ୍ ବିଲର ଡ୍ରାଫ୍ଟରେ ଗୁରୁତର ସାମ୍ବିଧାନିକ ତ୍ରୁଟି ଓ ଅସଙ୍ଗତି ରହିଥିବା କହି ବିରୋଧୀ ହଙ୍ଗାମା କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଏହି ରିପୋର୍ଟରେ ଅନେକ କାଣ୍ଟ ଛାଣ୍ଟ କରାଯାଇଛି । ଏହି ରିପୋର୍ଟ ସମ୍ପୂର୍ଣ୍ଣ ନୁହେଁ । ସେଥିପାଇଁ ଏହାକୁ ପୁଣି ଥରେ ଜେପିସିକୁ ପଠାଯିବା ଉଚିତ ବୋଲି ସେ ଦାବି କରିଛନ୍ତି । ସେପଟେ ରିପୋର୍ଟରୁ କିଛି ହଟାଯାଇ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ।

ରାଜ୍ୟସଭାରେ ଜେପିସି ରିପୋର୍ଟ ଉପସ୍ଥାପନ ବେଳେ ବିରୋଧ କରି ରାଜ୍ୟସଭାରୁ ବାହାରକୁ ଚାଲିଯାଇଥିଲେ ବିରୋଧୀ । ସେହିପରି ଲୋକସଭାରେ ୱାକଫ୍ ବିଲ୍ ଉପରେ ରିପୋର୍ଟ ଉପସ୍ଥାପନ କରିଥିଲେ ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ । ରିପୋର୍ଟ ଉପସ୍ଥାପନ ବେଳେ ଲୋକସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ପରେ କକ୍ଷତ୍ୟାଗ କରି ବିରୋଧୀ ଦଳ ବାହାରକୁ ଚାଲିଯାଇଥିଲେ ।

ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହ କହିଛନ୍ତି, ଆମ ଦଳର ଏହି ରିପୋର୍ଟ ଉପରେ କୌଣସି ଆପତ୍ତି ନାହିଁ । ବିରୋଧୀ ଦଳ ଜେପିସି ରିପୋର୍ଟ ଉପରେ ନିଜର ଆପତ୍ତି ଦାଖଲ କରିବା ଉଚିତ । ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପିତ ଏହି ରିପୋର୍ଟକୁ ଗତ ଛଅ ମାସ ଧରି ନିରନ୍ତର ବୈଠକ ପରେ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ । ରିପୋର୍ଟରେ ବିରୋଧୀଙ୍କ ପରାମର୍ଶ ସାମିଲ କରିବା ନେଇ ଜିଦ ଧରିଛନ୍ତି ବିରୋଧୀ ।

ପୋଲାଭରମ୍ ପ୍ରକଳ୍ପ: ଆକ୍ସନ ମୋଡରେ ତେଲେଙ୍ଗାନା, ଓଡ଼ିଶା ସରକାର ଚୁପ

ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ଅଞ୍ଚଳର ବୁଡିଯିବ ବୋଲି ବାରମ୍ବାର ଗର୍ଜୁଛନ୍ତି ପ୍ରମୁଖ ରାଜନୈତିକ ଦଳ ଓ ଜନ ସଙ୍ଗଠନ । କିନ୍ତୁ ଓଡିଶା ସରକାର ନିରବ । ଏଭଳି ସମୟରେ ଅଳ୍ପ କିଛି କ୍ଷତିଗ୍ରସ୍ତ ହେବାକୁ ଥିବା ତେଲେଙ୍ଗାନା ସରକାର କିନ୍ତୁ ନିଜ ରାଜ୍ୟର ସ୍ୱାର୍ଥ ପାଇଁ ଆକ୍ସନ ମୋଡ଼କୁ ଆସିଛନ୍ତି । ପ୍ରକଳ୍ପ ଯୋଗୁଁ ତେଲେଙ୍ଗାନାର କ’ଣ କ୍ଷତି ହେବ ସେ ନେଇ ତୁରନ୍ତ ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିବାକୁ ତେଲେଙ୍ଗାନା ସରକାର ଆଇଆଇଟି ହାଇଦ୍ରାବାଦକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବାରମ୍ବାର ଦାବି ସତ୍ତ୍ୱେ ଓଡିଶା ସରକାର ନିରବ ରହିବାକୁ ବିଜେଡି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ଅନ୍ୟ ପ୍ରମୁଖ ବିରୋଧୀ କଂଗ୍ରେସ ଓ ବାମପନ୍ଥୀ ଦଳର ନେତା ବି ସରକାରଙ୍କ ନିରବପଣିଆକୁ ନିନ୍ଦା କରିଛନ୍ତି।

ଆନ୍ଧ୍ରର ପୋଲାଭରମ ପ୍ରକଳ୍ପରେ ତେଲେଙ୍ଗାନା କମ୍, ଓଡ଼ିଶାର ଅଧିକ କ୍ଷତି ହେବ । ବୁଡ଼ିଯିବ ମାଲକାନଗିରି । ହେଲେ ନିଦାବିଷ୍ଣୁ ରାଜ୍ୟ ସରକାର । ଅପରପଟେ କମ କ୍ଷତି ସହୁଥିଲେ ବି ଆକ୍ସନ ମୁଡରେ ତେଲେଙ୍ଗାନା ସରକାର । ଏବେଠୁ ଆରମ୍ଭ କଲେଣି କ୍ଷୟକ୍ଷତିର ସର୍ଭେ । କେନ୍ଦ୍ର ନିକଟରେ ସ୍ବର ଉଠାଇବାକୁ ହେଲେଣି ପ୍ରସ୍ତୁତ । ରାଜ୍ୟର କ’ଣ କ୍ଷତି ହେବ ସେ ସମ୍ପର୍କରେ ତୁରନ୍ତ ସର୍ଭେ କରି ରିପୋର୍ଟ ଦେବାକୁ ଆଇଆଇଟି ହାଇଦ୍ରାବାଦକୁ ନିର୍ଦ୍ଦେଶ ଦେଇଛନ୍ତି ସେଠାକାର ସରକାର । ଆନ୍ଧ୍ରପ୍ରଦେଶ ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ପ୍ରକଳ୍ପର ଉଚ୍ଚତା ବଢାଇଥିବାରୁ କେନ୍ଦ୍ରୀୟ ଜଳ କମିଶନ, ସେଣ୍ଟ୍ରାଲ ସଏଲ ଆଣ୍ଡ ମ୍ୟାଟେରିଆଲସ ରିସର୍ଚ୍ଚ ଷ୍ଟେସନ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାର ବିଭିନ୍ନ ଜଳ ପ୍ରବାହକୁ ନେଇ ରିସର୍ଚ୍ଚ କରୁଛି ତେଲେଙ୍ଗାନା କଂଗ୍ରେସ ସରକାର ।

କିନ୍ତୁ ଏତେ ବଡ଼ ସମ୍ବେଦନଶୀଳ ପ୍ରସଙ୍ଗରେ ଓଡିଶା ସରକାର ଚୁପ । ଯାହାକୁ ନେଇ ବିଜେଡି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏହା ବିଜେପି ସରକାରଙ୍କ ବେପରୱା ମନୋଭାବକୁ ସୁଚାଉଛି ବୋଲି କହିଛି ବିଜେଡି । ପୋଲାଭରମ ଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ ମାଲକାନଗିରି । କ’ଣ କ୍ଷତି ହେବ ଓ କିପରି ଭରଣା ହେବ ସେ ସମ୍ପର୍କରେ ସରକାର ପୂରା ନୀରବ । ଏହି ପ୍ରସଙ୍ଗକୁ ବିଜେଡି ଜନ ଆନ୍ଦୋଳନର ରୂପ ଦେବ । ମୋଟୁଠାରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବ । ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥିବା ଆମ ଜନତା ଅଧିକାରର କହିବା କଥା ଯଦି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର କ୍ଷତିକୁ ନେଇ ବ୍ୟସ୍ତ ତା’ହେଲେ ଓଡ଼ିଶାର ଡବଲ ଇଞ୍ଜିନ ସରକାର କାହିଁକି ଚୁପ ? ବିଜେପିର ୨୦ ସାଂସଦ କାହିଁକି ଚୁପ ବୋଲି ପ୍ରଶ୍ନ କରିଛି ସଙ୍ଗଠନ ।

କଂଗ୍ରେସ ମଧ୍ୟ ପୋଲାଭରମ ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାରଙ୍କ ଆଭିମୁଖ୍ୟକୁ ନେଇ ବର୍ଷିଛି । ତେଲେଙ୍ଗାନାର ରେଭନ୍ତ ରେଡ୍ଡୀ ସରକାର ଯେମିତି ନିଜ ରାଜ୍ୟ ପାଇଁ ଚିନ୍ତିତ ଓଡିଶା ସରକାର ସେମିତି ଚିନ୍ତା କରନ୍ତୁ । ନଚେତ ଆଗାମୀ ଦିନରେ ବିଜେପିକୁ ଏହା ମହଙ୍ଗା ପଡିବ ବୋଲି ଚେତାଇ ଦେଇଛି କଂଗ୍ରେସ । ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗକୁ ସିପିଆଇଏମ ହାଇକୋର୍ଟକୁ ନେଇଛି । ଆଗକୁ ମାଲକାନଗିରି ସମେତ ରାଜଧାନୀରେ ବାମପନ୍ଥୀ ଦଳଗୁଡିକର ବଡ଼ ଆନ୍ଦୋଳନକୁ ସମ୍ମୁଖୀନ ହେବାକୁ ବିଜେପି ସରକାର ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାଇ ଦିଆଯାଇଛି । ସେପଟେ ଓଡ଼ିଆ ଅସ୍ମିତା ପରିଷଦ ମଧ୍ୟ ଓଡିଶା ସରକାରଙ୍କ ନୀରବତାକୁ କଡା ନିନ୍ଦା କରିଛି ।