କୋରାପୁଟ: ଭିଜିଲାନ୍ସ ଜାଲରେ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ବାଟସାନ ପଞ୍ଚାୟତର ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ଏସ. ପାର୍ଥ ସାରଥି ବିଷୋୟୀଙ୍କ ଘରେ ଭିଜିଲାନ୍ସ ରେଡ। ୭ଟି ସ୍ଥାନରେ ରେଡ କରିଛନ୍ତି ଭିଜିଲାନ୍ସର ଟିମ। ଟିମରେ ସାମିଲ ଅଛନ୍ତି ୨ ଜଣ ଅତିରିକ୍ତ ଏସପି, ୪ ଡିଏସପି, ୬ ଇନ୍ସପେକ୍ଟର, ୬ ଏଏସଆଇ। କୋରାପୁଟ ବୋରିଗୁମା ଚମ୍ପିଆସ୍ଥିତ ବାସଭବନ, ଭାଇଙ୍କ ଘର, ସମ୍ପର୍କୀୟଙ୍କ ଘର, ଚମ୍ପିଆସ୍ଥିତ ସାଇକ୍ରିଷ୍ଣା ଏଣ୍ଟରପ୍ରାଇଜେସ, ବୋରିଗୁମାସ୍ଥିତ ତିନି ମହଲା କୋଠା, କୋଟପାଡ ବ୍ଲକ ବାଟସାନସ୍ଥିତ ଅଫିସ ଆଦି ସ୍ଥାନରେ ରେଡ କରିଛି ଟିମି।
ଦୁଇ ଦିନ ସାମାନ୍ୟ ଗରମ ପରେ ପୁଣି ବଢ଼ିବ ଥଣ୍ଡା: ତାପମାତ୍ରା କମିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
ଭୁବନେଶ୍ବର: ଦୁଇ ଦିନ ସାମାନ୍ୟ ଗରମ ପରେ ପୁଣି ବଢିବ ଥଣ୍ଡା । ଅସନ୍ତା ଶନିବାର ଠାରୁ ପୁଣି ତାପମାତ୍ରା କମିବା ନେଇ ର୍ପୂବାନୁମାନ କରିଛି ପାଣିପାଗ କେନ୍ଦ୍ର । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ପାରଦ । ଆସନ୍ତା ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହାପରେ ଥଣ୍ଡା ଅନୁଭବ ହେବ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ। ଗୁରୁଚାପ ବଳୟର ଉପସ୍ଥିତି ତଥା ପଶ୍ଚିମାଝଡ଼ର ଆଗମନ ହେତୁ ଉପକୂଳ ଓଡ଼ିଶା ତଥା ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘନକୁହୁଡ଼ି ଦୃଶ୍ୟମାନ ହେବ । ତେବେ ଗତ ୨୪ ମଧ୍ୟରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରୀ ଥିବା ବେଳେ ବଲାଙ୍ଗୀର ଓ ଅନୁଗୁଳରେ ୩୫.୭, ସମ୍ବଲପୁରରେ ୩୫.୩, ଭବାନୀପାଟଣା, ଭଦ୍ରକ ଓ ସୋନପୁରରେ ୩୫.୨, ମାଲକାନଗିରିରେ ୩୫.୧ ଡିଗ୍ରୀ ରହିଥିଲା। ପାରାଦୀପ ଓ ଦାରିଙ୍ଗବାଡ଼ି ବ୍ୟତୀତ ଅନ୍ୟ ସମସ୍ତ ସହରରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା ।
ଶୀଘ୍ର ପୃଥିବୀକୁ ଫେରିବେ ମହାକାଶଚାରୀ ସୁନିତା ୱିଲିୟମ୍ସ
ଶୀଘ୍ର ପୃଥିବୀକୁ ଫେରିବେ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର। ମାର୍ଚ୍ଚ ମଧ୍ୟଭାଗ କିମ୍ବା ଶେଷ ଆଡକୁ ଉଭୟ ମହାକାଶଚାରୀ ମହାକାଶରୁ ମୁକୁଳିବା ସମ୍ଭାବନା ରହିଥିବା ସୂଚନା ଦେଇଛି ନାସା ଏବଂ ସ୍ପେସଏକ୍ସ ଏଜେନ୍ସିର ସ୍ପେସଏକ୍ସ । ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କୁ ଖୁବଶୀଘ୍ର ଫେରାଇ ଆଣିବା ପାଇଁ କାମ ଆରମ୍ଭ ହୋଇଯାଇଛି। ସ୍ପେସଏକ୍ସ ଆଗାମୀ ମହାକାଶଚାରୀ ଉଡ଼ାଣ ପାଇଁ କ୍ୟାପସୁଲକୁ ପରିବର୍ତ୍ତନ କରିବ। ଯାହା ଦ୍ୱାରା ମାର୍ଚ୍ଚ ଶେଷ କିମ୍ବା ମାର୍ଚ୍ଚ ମଧ୍ୟଭାଗରେ ୱିଲମୋର ଏବଂ ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଫେରାଇ ଅଣାଯିବ।। ୨୦୨୪ରେ ବୋଇଂର ଷ୍ଟାରଲାଇନର୍ ମହାକାଶଯାନ ଯୋଗେ ଆଇଏସଏସ ପାଇଁ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ମହାକାଶକୁ ଯାତ୍ରା କରିଥିଲେ। ଗତ ବର୍ଷ ଜୁନ ମାସରୁ ଉଭୟ ମହାକାଶଚାରୀ ମହାକାଶରେ ଫସି ରହିଛନ୍ତି ।
ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ
ଭୁବନେଶ୍ବର: ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ। ଦିନ ୧୧ ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଏହାପରେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ବିଧାୟକ ବିଜୟ ମହାନ୍ତି ଓ ସଦନ ନାୟକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବକୁ ଗୃହରେ ମୁଖ୍ୟମନ୍ତ୍ରୀ ଆଗତ କରିବେ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ବଜେଟ ଅଧିବେଶନରେ ମୋଟ 28 ଟି କାର୍ଯ୍ୟ ଦିବସ ରହିଛି । ୧୭ ତାରିଖ ଦିନ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟକୁ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ମାଝୀ । ଅଧିବେଶନ ପାଇଁ ବିଜେପି, ବିଜେଡ଼ି ଓ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । ମୁଖ୍ୟ ବିରୋଧୀ ବିଜେଡ଼ି ଆଇନ ଶୃଙ୍ଖଳା ଓ ନାରୀ ନିର୍ଯାତନାକୁ ମୁଖ୍ୟ ପ୍ରସଙ୍ଗ କରିବ। ଏହାସହ ଚାଷୀ, ଧାନ ମଣ୍ଡି ଅବ୍ୟବସ୍ଥା ସହିତ କଟନି ଛଟ ନି ଆଦି ପ୍ରସଙ୍ଗକୁ ଉଠାଇ ଶାସକ ଦଳକୁ ଘେରିବ। ସେହିପରି କଂଗ୍ରେସ ଏସବୁ ପ୍ରସଙ୍ଗ ସହିତ ବାରବାଟି ଅବ୍ୟବସ୍ଥା, ନିର୍ବାଚନୀ ପ୍ରତିଶ୍ରୁତି ଆଦିକୁ ଗୃହରେ ପ୍ରମୁଖ ପ୍ରସଙ୍ଗ କରିବ । ଶାସକ ବିଜେପି ୮ ମାସରେ ସରକାରଙ୍କ ସଫଳତା ସହିତ ବିକଶିତ ଓଡିଶା ଗଠନକୁ ଗୃହରେ ରଖିବ । ଦୁଇ ବିରୋଧୀଙ୍କ ସବୁ ଅଭିଯୋଗର ଆଲୋଚନା ମାଧ୍ୟମରେ ଜବାବ ଦେବାକୁ ଶାସକ ଦଳ ରଣନୀତି ପ୍ରସ୍ତୁତ କରିଛି । ଯାହାକୁ ନେଇ ଏଥର ବଜେଟ ଅଧିବେଶନ ସରଗରମ ହେବା ଆଶା କରାଯାଉଛି ।
ଋଷ-ୟୁକ୍ରେନ ଯୁଦ୍ଧ ଖୁବ୍ ଶୀଘ୍ର ଘଟିପାରେ ଅନ୍ତ: ପୁଟିନ ଓ ଜେଲେନସ୍କିଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ
ଋଷ-ୟୁକ୍ରେନ ଯୁଦ୍ଧରେ ଖୁବ୍ ଶୀଘ୍ର ଘଟିପାରେ ଅନ୍ତ। ବ୍ୟକ୍ତିଗତ ଭାବେ ଉଦ୍ୟମ ଆରମ୍ଭ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସେପଟେ ୱାଶିଂଟନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଭିନ୍ନ ପ୍ରସଙ୍ଗରେ ଟ୍ରମ୍ପଙ୍କ ସହ ମୋଦୀ ଆଲୋଚନା କରିବେ। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି ଟ୍ରମ୍ପ। ଦୁଇ ଦେଶ ମଧ୍ୟରେ ଚାଲିଥିବା ରକ୍ତକ୍ଷୟୀ ଯୁଦ୍ଧର ଅବସାନ ନେଇ ତିନି ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଯୁଦ୍ଧର ଅନ୍ତ ଘଟାଇବାକୁ ଖୁବ୍ ଶୀଘ୍ର ଉଭୟ ପୁଟିନ ଓ ଜେଲେନସ୍କି ପଦକ୍ଷେପ ନେବେ ବୋଲି କହିଛନ୍ତି ଟ୍ରମ୍ପ। ଫୋନ ଜରିଆରେ ହୋଇଥିବା ଆଲୋଚନା ବେଳେ ଟ୍ରମ୍ପଙ୍କୁ ମସ୍କୋ ଆସିବା ଲାଗି ଅନୁରୋଧ କରିଥିଲେ ପୁଟିନ। କଥାବାର୍ତ୍ତା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ସିଆଇଏ ନିର୍ଦ୍ଦେଶକ ଜନ ରାଟକ୍ଲିଫ, ଜାତୀୟ ନିରାପତ୍ତା ପରାମର୍ଶଦାତା ମାଇକେଲ ୱାଜଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ। ପୂର୍ବରୁ ଋଷ ସହ କେତେକ ଅଞ୍ଚଳର ଅଦଳବଦଳ କରିବାକୁ ସହମତି ପ୍ରକାଶ କରିଥିଲେ ଜେଲେନସ୍କି । ଜଣେ ଆମେରିକୀୟ ବନ୍ଦୀଙ୍କୁ ଋଷ ମୁକ୍ତ କରିବା ପରେ ଋଷ ପ୍ରତି ଆମେରିକା ଟ୍ରମ୍ପ ପ୍ରଶାସନର ଆଭିମୁଖ୍ୟ ନରମ ହୋଇଥିଲା । ଆସନ୍ତା କାଲି ମ୍ୟୁନିକ ନିରାପତ୍ତା ସମ୍ମିଳନୀରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ସହ ଜେଲେନସ୍କିଙ୍କ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

