spot_img
Home Blog Page 1105

ବର୍ଣ୍ଣବୋଧକୁ ବି ଛାଡିଲେନି: ନୂଆ ସଂସ୍କରଣରେ ପ୍ରକୃତ ବର୍ଣ୍ଣବୋଧର ବାଖ୍ୟାକୁ ନେଇ ବିବାଦ

ଭୁବନେଶ୍ବର: ଭକ୍ତ କବି ମଧୁସୂଦନ ରାଓଙ୍କ ୧୭୨ତମ ଜୟନ୍ତୀ ଅବସରରେ ତାଙ୍କ ଦ୍ବାରା ଲିଖିତ ବର୍ଣ୍ଣବୋଧର ନୂତନ ସଂସ୍କରଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି । ଓଡ଼ିଶା ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ନୂତନ ସଂସ୍କରଣ ଯୁବପିଢୀଙ୍କୁ ଓଡ଼ିଆ ଭାଷା ବିଷୟରେ ଅଧିକ ଜ୍ଞାନ ଆହରଣର ସୁଯୋଗ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୧୮୫୩ରେ ଜନ୍ମିତ ମଧୁସୂଦନ ରାଓ ୧୮୯୫ରେ ବର୍ଣ୍ଣବୋଧର ରଚନା କରିଥିଲେ । ଯେଉଁଥିରେ ଓଡ଼ିଆର ଅକ୍ଷର, ବର୍ଣ୍ଣ, ଆକାର, ଶବ୍ଦ ବାବଦରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ପରେ ଏଥିରେ ଛବି ଯୋଡ଼ାଯାଇ ପ୍ରଚ୍ଛଦରେ ବିଲେଇର ଫଟୋ ଥାଇ ଛବିଳ ମଧୁ ବର୍ଣ୍ଣବୋଧ ଭାବେ ବ୍ୟାପକ ଭାବେ ଆଦୃତ ହେଲା । ହେଲେ ଆଜିର ସଂସ୍କରଣ ଉନ୍ମୋଚନ ଉତ୍ସବରେ ଅତିଥିମାନଙ୍କ ବକ୍ତବ୍ୟକୁ ନେଇ ଭାଷାବିତ୍ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବଦଳିଲା ବର୍ଣ୍ଣବୋଧ । ନୂଆ ରୂପରେ ନୂଆ ରଙ୍ଗରେ ବର୍ଣ୍ଣବୋଧ ଉନ୍ମୋଚିତ । ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ବର୍ଣ୍ଣବୋଧର ନୂତନ ସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଛି । ବିଲେଇ ବଦଳରେ ପ୍ରଚ୍ଛଦ ପୃଷ୍ଠାରେ ହରିଣ ଚିତ୍ର ସ୍ଥାନ ପାଇଛି । କଳାଧଳା ବଦଳରେ ରଙ୍ଗୀନ ହୋଇଛି ବର୍ଣ୍ଣବୋଧ । କାନ୍ଥବାଡ଼, କୋଠାବାଡ଼ିର ରଙ୍ଗ ଭଳି ବର୍ଣ୍ଣବୋଧ ବି ଗେରୁଆ ରଙ୍ଗରେ ପ୍ରକାଶିତ ହୋଇଛି । ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ନୂଆ ବର୍ଣ୍ଣବୋଧକୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ଉନ୍ମୋଚନ କରିଛନ୍ତି । ଶ୍ରୀପଞ୍ଜମୀ ହେଉଛି ମଧୁସୂଦନ ରାଓଙ୍କ ଜନ୍ମଦିନ । ଏହି ଅବସରରେ ପ୍ରକାଶିତ ନୂଆ ସଂସ୍କରଣ ଦ୍ବାରା ପିଲାମାନଙ୍କୁ ଓଡ଼ିଆ ଭାଷା ବିଷୟରେ ଜ୍ଞାନ ଆହରଣ କରିବାରେ ସୁଯୋଗ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଲେଇ ବଦଳରେ ହରିଣ ଫଟୋ ଥିଲେ ବି ଏହାର ମୌଳିକତା ବଜାୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ହେଲେ ବର୍ଣ୍ଣବୋଧର ନୂତନ ସଂସ୍କରଣ ଓ ଏହାର ଲେଖା, ଛବିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାଷାବିତ । ୧୮୯୫ରେ ପ୍ରକାଶିତ ପ୍ରଥମ ସଂସ୍କରଣ ବହିର ନାଁ ଥିଲା ବର୍ଣ୍ଣବୋଧ । ପରେ ଏହାକୁ ଆଉ ଏକ ପ୍ରକାଶନ ସଂସ୍ଥା ଏଥିରେ କିଛି ଛବି ଯୋଡ଼ି ଛବିଳ ମଧୁ ବର୍ଣ୍ଣବୋଧ ନାଁରେ ବଜାରକୁ ଛାଡ଼ିଲେ । ହେଲେ ବିଲେଇ ଫଟୋ ଥିବା ଛବିଳ ମଧୁ ବର୍ଣ୍ଣବୋଧ ବ୍ୟାପକ ଭାବେ ଆଦୃତ ହୋଇଥିଲେ ବି ବହିର ଟାଇଟଲ ସହ ମଧୁବାବୁଙ୍କ କିଛି ସମ୍ପର୍କ ନଥିଲା । ହେଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ସମସ୍ତେ ଛବିଳ ମଧୁ ବର୍ଣ୍ଣବୋଧ ମଧୁବାବୁଙ୍କ ଲିଖିତ ବୋଲି ବାରମ୍ବାର କହିବା ଦ୍ବନ୍ଦ ସୃଷ୍ଟି କରିଛି । ନୂତନ ସଂସ୍କରଣ ଓଡ଼ିଆ ଅସ୍ମିତାର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ପୁରୁଣା ବହିରେ ବିଲେଇର ଛବିକୁ ନେଇ ଅତିଥିମାନଙ୍କ ଉପାଖ୍ୟାନକୁ ନାପସନ୍ଦ କରିଛନ୍ତି ଭାଷାବିତ । ଏହାସହ ବହିର ରଙ୍ଗ ଶାସକ ଦଳର ରଙ୍ଗ ଗେରୁଆ ଭଳି ହୋଇଥିବାରୁ ଏହାକୁ ନେଇ ବି ପ୍ରଶ୍ନ ଉଠିଛି ।

୧୯୦୧ରେ ଏହାର ଅଷ୍ଟମ ସଂସ୍କରଣର ପ୍ରଚ୍ଛଦପଟକୁ ଆଧାର କରି ୨୦୨୫ରେ ମଧୁସୂଦନ ରାଓଙ୍କ ଜନ୍ମ ତିଥିରେ ନୂତନ ସଂସ୍କରଣ ଉନ୍ମୋଚିତ ହୋଇଛି । ଏହା ଆଗାମୀ ପିଢୀ ପାଇଁ ଖୁବ୍ ଉପାଦେୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହେଲେ ଅତିଥିମାନେ ବର୍ଣ୍ଣବୋଧ ଓ ଛବିଳ ମଧୁ ବର୍ଣ୍ଣବୋଧ ଭିତରେ ଥିବା ତଫାତକୁ ଜାଣି ପାରୁ ନଥିବାରୁ ଭାଷାବିତମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ଫେବୃଆରୀ ୮ ତାରିଖରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ବର: ଫେବୃଆରୀରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଫେବୃଆରୀ ୮ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।

ଆହୁରି ଅଢେଇ ଲକ୍ଷ ଏନପିସିଆଇ ଏବଂ ଇ-କେଓ୍ବାଇସି କରିବାକୁ ବାକି ଅଛନ୍ତି । ୮ ତାରିଖ ପୂର୍ବରୁ ବ୍ୟାଙ୍କକୁ ଯାଇ ବାୟୋମେଟ୍ରିକ ସହ NPCI କରିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ୩ ଓ ୪ ତାରିଖରେ ବ୍ୟାଙ୍କକୁ ଯାଇ ଏନପିସିଆଇ ଚେକ କରିପାରିବେ । ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଚଳିତବର୍ଷ ମାର୍ଚ୍ଚ ୩୦ ସୁଦ୍ଧା ସୁଭଦ୍ରା ଆବେଦନ କଲେ ବି ଆବେଦନକାରୀ ମହିଳାଙ୍କୁ ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ । ସବୁଠୁ ଅଧିକ NPCI ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ବାକି ଅଛି । ତେଣୁ ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଥିବା ଆବେଦନକାରୀମାନେ ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଇ ଏନପିସିଆଇ କରାଇ ନିଅନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ମଲ୍‌ଟି ଡ୍ରଗ୍ସ ରେସିଷ୍ଟାଣ୍ଟ୍‌ ପ୍ରଭାବ: ସହଜରେ ଯକ୍ଷ୍ମାରୁ ଭଲ ହୋଇ ପାରୁ ନାହାନ୍ତି ପିଲା

ଭୁବନେଶ୍ବର: ମଲଟି ଡ୍ରଗସ୍ ରେସିଷ୍ଟାନସ ଯୋଗୁଁ ଯାହାକୁ ଯକ୍ଷ୍ମା ହେଉଛି, ସହଜରେ ସେ ଭଲ ହେଉ ନାହାନ୍ତି । ବିଶେଷ କରି ପିଲାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ । ନବଜାତଠାରୁ ଆରମ୍ଭ କରି ତରୁଣ ତରୁଣୀଙ୍କ କ୍ଷେତ୍ରରେ ଏହା ହେଉଛି । ଏହାର ମୁଖ୍ୟ କାରଣ ହେଉଛି ଡ୍ରଗସ୍ ରେସିଷ୍ଟାନସ । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନୁଧ୍ୟାନରୁ ଜଣାପଡ଼ିଛି, ନିଜେ ନିଜେ ମନ ଇଚ୍ଛା ଔଷଧ କିଣି ଖାଉଥିବାରୁ ଏହି ସମସ୍ୟା ହେଉଛି । ଏପରି ନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ଛୋଟ ପିଲାଙ୍କୁ ହେଉଛି ଯକ୍ଷ୍ମା । ଯଦି ଗର୍ଭବତୀଙ୍କୁ ଯକ୍ଷ୍ମା ହୁଏ, ତାଙ୍କ ସନ୍ତାନକୁ ମଧ୍ୟ ଯକ୍ଷ୍ମା ହେବାର ଆଶଙ୍କା ଅଛି । ଏପରିକି ବାହାର ସଂକ୍ରମଣ ଯୋଗୁଁ ଯକ୍ଷ୍ମାରେ ୫ ବର୍ଷରୁ କମ ବୟସର ପିଲାଙ୍କ ଜୀବନ ଯାଉଛି । ୧୮ରୁ ୧୯ ବର୍ଷ କିଶୋର କିଶୋରୀ ବି ଯକ୍ଷ୍ମାରେ ଆକ୍ରାନ୍ତ ହେଉଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକାର ୧୯ ବର୍ଷରୁ କମ୍‌ ବୟସର ୨୩ ହଜାର ୩୬୯ ପିଲାଙ୍କ ଉପରେ ୪୨ ପ୍ରକାର ବିଶ୍ଲେଷଣ କରି ଏହି ଉଦବେଗଜନକ ତଥ୍ୟ ପାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ବୈଜ୍ଞାନିକ । ଏଥିପାଇଁ ମଲ୍‌ଟି ଡ୍ରଗସ୍ ରେସିଷ୍ଟାଣ୍ଟ୍‌ ଓ ରିଫାମ୍‌ସିନ୍‌ ରେସିଷ୍ଟାଣ୍ଟ୍‌ ଦାୟୀ । ରିଫାମ୍‌ସିନ୍‌ ଔଷଧ ଯକ୍ଷ୍ମାକୁ ଭଲ କରିବା ପାଇଁ ବ୍ୟବହାର କରାଯାଏ । ଯଦି ପିଲାଟିର ଓଜନ କମୁଛି, କାଶ, କଫ, ଥଣ୍ଡା ସହ ଜ୍ବର ଅଧିକ ଦିନ ଲାଗି ରହୁଛି ତା’ହେଲେ ସେହି ପିଲାକୁ ତୁରନ୍ତ ଛାତି ରୋଗ ବିଶେଷଜ୍ଞଙ୍କୁ ଦେଖାଇବା ଦରକାର । ନହେଲେ ଭିତରେ ଭିତରେ ସେ ଯକ୍ଷ୍ମାରେ ଆକ୍ରାନ୍ତ ହେବାର ଆଶଙ୍କା ଅଛି ।

ସାଧାରଣତଃ ପିଲାଙ୍କୁ ଥଣ୍ଡା କାଶ ହେଲେ ମାଆବାପା ନିଜେ ନିଜେ ଔଷଧ ଦୋକାନରୁ ମେଡିସିନ୍‌ କିଣି ଦେଇଥାନ୍ତି । ହେଲେ ଏଭଳି କରିବା ଭୁଲ । ଥଣ୍ଡା ଓ କାଶ କିମ୍ବା ଜ୍ଵର ଯଦି ୩ ସପ୍ତାହରୁ ଅଧିକ ଦିନ ଲାଗି ରହୁଛି, ତା’ହେଲେ ଛାତି ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ । ବିଶେଷଜ୍ଞ କହୁଛନ୍ତି, ମନଇଚ୍ଛା ନିଜେ ଔଷଧ କିଣି ଆଣି କିମ୍ଵା କ୍ଵାକରୁ ଔଷଧ ନେଇ ପିଲାକୁ ଦେବା ଅନୁଚିତ । ଭାରତରେ ବିନା ପ୍ରେସକ୍ରିପସନରେ ଅଧିକ ଔଷଧ କାରବାର ହେଉଥିବାରୁ ପିଲା ଓ ତରୁଣଙ୍କ ଶରୀରରେ ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଅଧିକ ଦେଖାଯାଉଛି । ଗବେଷଣାରୁ ଜଣାପଡ଼ିଛି ମଲଟି ଡ୍ରଗ୍‌ସ ରେସିଷ୍ଟାଣ୍ଟ୍‌ ଯୋଗୁ ଭାରତରେ ୯୦ ପ୍ରତିଶତ ପିଲାଙ୍କ ଦେହରେ ଯକ୍ଷ୍ମା ରୋଗର ଲକ୍ଷଣ ଦେଖାଦେଉଛି ।

ନୂଆ ଏଜୁକେସନ ପଲିସି କେବଳ ବାହାନା: ଅଙ୍ଗନବାଡି ଦିଦିଙ୍କ ହକ ଛଡାଇ ନେବାକୁ ଷଡ଼ଯନ୍ତ୍ର

ଭୁବନେଶ୍ବର: ଅଙ୍ଗନବାଡି ଦିଦିଙ୍କ ହକ୍ ଛଡ଼ାଇ ନେବାକୁ ଚାଲିଛି ଷଡଯନ୍ତ୍ର । ହେଲେ ଦିଦିଙ୍କ ହକ୍ ପାଇଁ ରାସ୍ତାକୁ ଓହ୍ଲାଇବ ବିଜୁ ଶ୍ରମିକ ସାମୁଖ୍ୟ । ରାଜ୍ୟରେ ଥିବା ଦେଢ ଲକ୍ଷରୁ ଅଧିକ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ସହ ଦରମା ବୃଦ୍ଧି ଓ ସାମାଜିକ ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଘେରିବ ଦଳ । ଅଙ୍ଗନବାଡି କର୍ମୀମାନେ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ବେଳେ ଏବେ କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି ଆଣି ସେମାନଙ୍କୁ ଛଟେଇ କଲା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି । ଯାହାକୁ ନେଇ ଦିଦିମାନେ ଏବେ ଚିନ୍ତାରେ ଥିବା ଦଳ କହିଛି । ଏନେଇ ଆଜି ବିଜୁ ଶ୍ରମିକ ସାମୁଖ୍ୟର ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବା ସହ ଆନ୍ଦୋଳନ ପାଇଁ ସଜବାଜ ହେଉଛି ବିଜେଡି ।

ନୂଆ ଏଜୁକେସନ ପଲିସି କେବଳ ବାହାନା । ଅଙ୍ଗନବାଡି ଦିଦିଙ୍କ ହକ ଛଡାଇ ନେବାକୁ ଷଡ଼ଯନ୍ତ୍ର । କେନ୍ଦ୍ର ସରକାରଙ୍କ ବିରୋଧରେ ବଡ ଆନ୍ଦୋଳନ ପାଇଁ ସଜବାଜ । ରାସ୍ତାକୁ ଓହ୍ଲାଇବ ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ । ଦାବି ପୂରଣ ପାଇଁ ସହଯୋଗ କରିବ ବିଜୁ ଶ୍ରମିକ ସାମୁଖ୍ୟ । ନୂଆ ଏଜୁକେସନ ପଲିସିରେ ତୁରନ୍ତ ଅଙ୍ଗନବାଡି ଦିଦିଙ୍କ ଦାୟିତ୍ବ ସ୍ପଷ୍ଟ କରିବାକୁ ଦାବି କରାଯାଇଛି । ସପ୍ଲିମେଣ୍ଟାରୀ ନ୍ୟୁଟ୍ରେସନ୍ କାର୍ଯ୍ୟକମ୍ରରେ ମୂଲ୍ୟବୃଦ୍ଧିକୁ ଦେଖି ଅଣ୍ଡା ଦର ନିର୍ଦ୍ଧାରଣ କରିବାକୁ ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ଜିଦ୍ ଧରିଛି । ଦାବି ପୂରଣ ନହେଲେ କାର୍ଯ୍ୟ ଛାଡି ପୁଣି ଲୋୟର ପିଏମଜିରେ ଗର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଆଜି ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଏକ ଜରୁରୀ ବୈଠକରେ ଆଲୋଚନା ହୋଇଛି । ବର୍ତ୍ତମାନ ରାଜ୍ୟରେ ଲାଗୁ କରାଯାଇଥିବା ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ ଅଙ୍ଗନବାଡି ଦିନି କ’ଣ କାର୍ଯ୍ୟ କରିବେ ସେ ନେଇ ଦ୍ବନ୍ଦ୍ବରେ ରହିଛନ୍ତି । ଏହାସହ ଶିଶୁବାଟିକାରେ ଅଙ୍ଗନବାଡି କର୍ମୀଙ୍କୁ କୌଣସି ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା ନରଖି ସିନିୟରିଟି ବେସିସରେ ଶିକ୍ଷକର ମାନ୍ୟତା ପ୍ରଦାନ କରିବାକୁ ସଂଘ ଦାବି କରିଛି ।

ସେପଟେ ରାଜ୍ୟରେ ଦେଢ ଲକ୍ଷରୁ ଅଧିକ ଅଙ୍ଗନବାଡି କର୍ମୀ କାର୍ଯ୍ୟ କରୁଥିବା ବେଳେ ଅଙ୍ଗନବାଡି ଦିଦିଙ୍କୁ ୧୦ ହଜାର ଓ ସହାୟିକାଙ୍କୁ ୫ ହଜାର ଟଙ୍କା ଦରମା ପ୍ରଦାନ କରାଯାଉଛି । ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି କର୍ଯ୍ୟ କରିଆସୁଥିଲେ ମଧ୍ୟ ଅଙ୍ଗନବାଡି କର୍ମୀଙ୍କୁ କେନ୍ଦ୍ର ସରକାର ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରିନାହାଁନ୍ତି । ଦିନକୁ ଦିନ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବାକୁ ଅଙ୍ଗନବାଡି କର୍ମୀଙ୍କୁ ନିୟୋଜିତ କରୁଥିବା ବେଳେ ସେହି ଅନୁସାରେ ପାରିଶ୍ରମିକ ଦେଉ ନାହାଁନ୍ତି । ତେଣୁ ସେମାନଙ୍କୁ ତୁରନ୍ତ ସରକାରୀ ମାନ୍ୟତା ପ୍ରଦାନ ସହ ଜାତୀୟ ଶିକ୍ଷା ନୀତିରେ ସେମାନଙ୍କର କାର୍ଯ୍ୟ ଏବଂ ଦାୟିତ୍ବ ସ୍ପଷ୍ଟ କରିବା ପାଇଁ ବିଜୁ ଶ୍ରମିକ ସାମୁଖ୍ୟ ଦାବି କରିଛି । ଏନେଇ ଆଜି ସାମୁଖ୍ୟ ପକ୍ଷରୁ ଅଙ୍ଗନବାଡି କର୍ମୀମାନଙ୍କୁ ନେଇ ବୈଠକ କରାଯିବା ସହ ଆଗାମୀ ଆନ୍ଦୋଳନ ପାଇଁ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

ପୂର୍ବରୁ ଅଙ୍ଗନବାଡି ଦିଦିମାନେ ୫ ବର୍ଷ ବୟସର ଶିଶୁମାନଙ୍କୁ ପାଠ ପଢାଇବା ସହ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ ରହିଥିଲେ । କିନ୍ତୁ ଜାତୀୟ ଶିକ୍ଷାନୀତି ପରେ ଏବେ ସମସ୍ତେ ଦ୍ବନ୍ଦରେ ଅଛନ୍ତି ।

କାଲି ସରିବ ଦିଲ୍ଲୀ ପ୍ରଚାର: ହାଟ୍ରିକ ଲକ୍ଷ୍ଯରେ ଆପ, ଶାସନକୁ ଫେରିବାକୁ କଂଗ୍ରେସ-ବିଜେପିର ପ୍ରାଣମୂର୍ଚ୍ଛା ଉଦ୍ଯମ

ନୂଆଦିଲ୍ଲୀ: ଆସନ୍ତାକାଲି ସରିବ ଦିଲ୍ଲୀ ବିଧାନସଭା ପାଇଁ ପ୍ରଚାର । ୫ ତାରିଖରେ ଭୋଟ । ୮ ତାରିଖରେ ଗଣତି । ସବୁ ରାଜନୈତିକ ଦଳର ଆଖିରୁ ହଜିଯାଇଛି ନିଦ । ଭୋଟ ହାତେଇବା ଲାଗି ବିଜେପିର ଉଦ୍ଯମକୁ ଖୁଲାସା କରିଛନ୍ତି କେଜ୍ରିଓ୍ବାଲ । ବ୍ଲାକମେଲର ଶିକାର ନହେବାକୁ ସେ ଦେଇଛନ୍ତି ଆହ୍ବାନ । ତେଣେ ପ୍ରଚାରରେ ସାମିଲ ହୋଇଛନ୍ତି ବହୁ କେନ୍ଦ୍ରମନ୍ତ୍ରୀ । ଅମୃତସରରେ ଆମ୍ବେଦକର ପ୍ରତିମୂର୍ତ୍ତି ଭଙ୍ଗା ରାଜନୀତିର ପ୍ରଭାବ ପଡିଛି ଦିଲ୍ଲୀରେ ।

ବର୍ତ୍ତମାନ ଦିଲ୍ଲୀ ଦଖଲ ପାଇଁ ବଡ଼ ଷଡଯନ୍ତ୍ର ଚର୍ଚ୍ଚା । ଭୋଟ ହାତେଇବା ଲାଗି ଖୋଲାଖୋଲି ଭୋଟରଙ୍କୁ କରାଯାଉଛି ବ୍ଲାକମେଲ । ଏପରିକି ଘର ଘର ବୁଲି ଇଙ୍କ ଲଗାଇବା ପାଇଁ ଚାଲିଛି ଯୋଜନା । ଏଭଳି ବ୍ଯକ୍ତି ବିଶେଷଙ୍କ ଜାଲରେ ନପଡିବାକୁ ଆହ୍ବାନ ଦେଇଛନ୍ତି ଆପ୍ ନେତା ଅରବିନ୍ଦ କେଜ୍ରିଓ୍ବାଲ । ସେ କହିଛନ୍ତି- ଯଦି ବିଜେପି ସରକାରକୁ ଆସିବ ତେବେ କିଛି ମାସରେ ଦିଲ୍ଲୀରୁ ବସ୍ତି ମୂଳପୋଛ ହୋଇଯିବ । ବିଜେପିରେ ମିଶିବା ଲାଗି ନେତାଙ୍କୁ ବାଧ୍ଯ କରାଯାଉଛି । ବିଭିନ୍ନ ଧମକ ଚମକ ଦିଆଯାଉଛି । ରାଜଧାନୀରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିଯାଇଛି ।

ତେବେ କେଜ୍ରିଓ୍ବାଲଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ଦିଲ୍ଲୀରେ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ବ ଆରୋପ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତ । ଦିଲ୍ଲୀବାସୀ ସଠିକ୍ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ।

ଆସନ୍ତାକାଲି ସରିବ ବିଧାନସଭା ନିର୍ବାଚନ ପ୍ରଚାର । ଭୋଟରଙ୍କୁ ମନାଇବାକୁ ମଇଦାନରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ତିନି ପ୍ରମୁଖ ରାଜେନୖତିକ ଦଳ ଆପ, ବିଜେପି ଓ କଂଗ୍ରେସ । ଆପ ହାଟ୍ରିକ ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷେ କୌଣସି ପ୍ରକାରେ କ୍ଷମତାକୁ ଆସିବା ଲାଗି ବିଜେପି ଓ କଂଗ୍ରେସ ଚଳାଇଛନ୍ତି କସରତ । ପ୍ରଚାରରେ ସାମିଲ ହୋଇଛନ୍ତି ବିଜେପିର ବହୁ କେନ୍ଦ୍ରମନ୍ତ୍ରୀ । ଘରକୁ ଘର ଯାଇ ଭୋଟରଙ୍କୁ କରୁଛନ୍ତି ଆକର୍ଷିତ । ତେଣେ ପଞ୍ଜାବ ଅମୃତସରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣାରେ ବଢିଛି ରାଜନୀତି । ଏହି ଘଟଣାରେ ଆପକୁ ଦାୟୀ କରି କେଜ୍ରିଓ୍ବାଲଙ୍କ ବାସଭବନ ଆଗରେ ବିକ୍ଷୋଭ କରିଛି କଂଗ୍ରେସ । ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ କ୍ଷେତ୍ର ପ୍ରସ୍ତୁତ ଥିବା କହିଛନ୍ତି ନିର୍ବାଚନ ଅଧିକାରୀ ।

୫ମ ଟି-ଟ୍ବଣ୍ଟି: ଇଂଲଣ୍ଡକୁ ୨୪୮ ରନର ଟାର୍ଗେଟ୍ ଦେଲା ଭାରତ

ମୁମ୍ବାଇ: ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ୫ମ ଟି-ଟ୍ବଣ୍ଟି ମ୍ୟାଚରେ ଇଂଲଣ୍ଡ ଆଗରେ ଭାରତ ୨୪୮ ରନର ଟାର୍ଗେଟ ରଖିଛି । ପ୍ରଥମେ ବ୍ୟାଟି କରି ଭାରତ ୯ ଓ୍ବିକେଟ ହରାଇ ୨୪୭ ରନ୍ କରିଛନ୍ତି । ଆଜିର ମ୍ୟାଚରେ ଭାରତୀୟ ଓପନର ଅଭିଶେକ ଶର୍ମାଙ୍କ ଧୂଆଁଧାର ବାଟିଂ ଦେଖିବାକୁ ମିଳିଛି । ଅଭିଶେକ ୫୪ ବଲର ସମ୍ମୁଖୀନ ହୋଇ ୧୩ ଛକା ଓ ୭ ଚୌକା ସହାୟତାରେ ୧୩୫ ରନ୍ କରିଛନ୍ତି । ଏହାସହ ସେ ଭାରତୀୟ ବ୍ୟାଟର ଭାବେ ଟି-ଟ୍ବଣ୍ଟିରେ ସର୍ବାଧିକ ରନ୍ କରିବାର ରେକର୍ଡ କରିଛନ୍ତି । ଅଭିଶେକ ରୋହିତଙ୍କ ୧୨୮ ରନର ରେକର୍ଡକୁ ଭାଙ୍ଗିଛନ୍ତି ।

ଟିସ୍ ହାରିବା ପରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ଆରମ୍ଭ ଭଲ ହୋଇଥିଲା । ସଞ୍ଜୁ ଏବଂ ଅଭିଶେକ ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ । ସଞ୍ଜୁ ୧୬ ରନ୍ କରି ଆଉଟ ହୋଇଥିଲେ । ପରେ ଟି. ବର୍ମା ୨୪, ସୂର୍ଯ୍ୟକୁମାର ଯାଦବ ୨ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଅଭିଶେକଙ୍କ ସହ ଶିଭମ୍ ଦୁବେ ଭାରତର ସ୍କୋରକୁ ଆଗକୁ ବଢ଼ାଇଥିଲେ । ସୁବେ ୧୩ ବଲରେ ୨ ଛକା ଓ ୪ ଚୌକା ସହାୟତାରେ ଧୂଆଁଧାର ୩୦ ରନର ପାରି ଖେଳିଥିଲେ । ପରେ ହାର୍ଦ୍ଧିକ ଏବଂ ରିଙ୍କୁ ସିଂ ୯ ରନ୍ ଲେଖାଏଁ କରି ପ୍ୟାଭିଲିୟନ ଫେରି ଯାଇଥିବା ବେଳେ ଅକ୍ସର ପଟେଲ ୧୫ ରନ କରି ନଟ ଆଉଟ ଥିଲେ । ରବି ବିଷ୍ଣୋଇ ଖାତା ଖୋଲି ପାରି ନଥିଲେ ।

ଇଂଲଣ୍ଡ ପକ୍ଷରୁ କାରସେ ୩ଟି ଓ୍ବିକେଟ ନେଇଥିବା ବେଳେ ମାର୍କ ଉଡ ୨ଟି ଓ୍ବିକେଟ୍ ନେଇଥିଲେ । ସେହିପରି ଜୋଫ୍ରା, ଓଭରଟନ ଏବଂ ରସିଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ବନ୍ଦ ହେଲା ସୋଭେରିନ୍ ଗୋଲ୍ଡ ବଣ୍ଡ ଯୋଜନା: ଆହୁରି ବଢ଼ିବ ସୁନା ଦର, ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ସ୍ବପ୍ନ ପାଲଟିବ ସୁନା

ଭୁବନେଶ୍ବର: କେନ୍ଦ୍ର ସରକାର ବନ୍ଦ କଲେ ସୋଭେରିନ୍‌ ଗୋଲ୍ଡ ବଣ୍ଡ୍‌ ଯୋଜନା । ସୁନା ବଣ୍ଡ୍ ଜମାକାରୀଙ୍କୁ ମିଆଦ ପୂରଣ ପରେ ସରକାରଙ୍କୁ ଋଣ କରିବାକୁ ପଡ଼ୁଛି । ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ଏକ ପ୍ରକାର ସ୍ପଷ୍ଟ କରି ଦେଇଛନ୍ତି । ଯାହାକୁ ନେଇ ବଜାରରେ ବାସ୍ତବ ସୁନା ଚାହିଦା ଆହୁରି ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହସହ ସୁନା ଦର ଆହୁରି ବଢ଼ିବ ।

ଘୋଡ଼ା ୬ ଟଙ୍କା, ଦାନା ୯ ଟଙ୍କା । ସୋଭେରିନ୍‌ ଗୋଲ୍ଡ ବଣ୍ଡ କିଣିଥିବା ପୁଞ୍ଜି ବିନିଯୋଗକାରୀଙ୍କୁ ଅଧିକ ଅର୍ଥ ଗଣିବାକୁ ପଡ଼ିଲା । ଏଣିକି ଆଉ ଜାରି ହେବନି ସୋଭେରିନ୍‌ ଗୋଲ୍ଡ ବଣ୍ଡ । ବଣ୍ଡ୍‌ ଜାରିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଗତକାଲି ବଜେଟ୍‌ ଆଗତ କଲା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଫଳରେ ବାସ୍ତବ ସୁନା ଦର ଆହୁରି ବଢିବ । ସୁନା ବଣ୍ଡ୍‌ ମିଆଦ ପୂରିବା ପରେ ସରକାରଙ୍କୁ ଅଧିକ ଅର୍ଥ ପୁଞ୍ଜି ବିନିଯୋଗକାରୀଙ୍କୁ ଦେବାକୁ ପଡ଼ୁଛି । ସେଥିପାଇଁ କେନ୍ଦ୍ର ସରକାରଙ୍କୁ ଋଣ କରିବାକୁ ପଡ଼ୁଛି । ଏବେ ବଜାରରେ ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୮୭ ହଜାର ଟଙ୍କା । ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୭୭ ହଜାର ୪୫୦ ଟଙ୍କା । ସୋଭେରିନ୍‌ ଗୋଲ୍ଡ ବଣ୍ଡ୍‌ ବନ୍ଦ ହେଲେ ପୁଞ୍ଜି ନିବେଶକାରୀ ବାସ୍ତବ ସୁନା କିଣିବାକୁ ଆହୁରି ଚାହିଦା ବଢିବ । ଫଳରେ ଆହୁରି ଅଧିକ ଆମଦାନୀ ହେବ ଓ ଦର ଆହୁରି ବଢିବ ।

ସୁନା ଆମଦାନୀକୁ ନିରୁତ୍ସାହ କରିବାକୁ ୨୦୧୫ରେ କେନ୍ଦ୍ର ସରକାର ସୋଭେରିନ୍‌ ଗୋଲ୍ଡ ବଣ୍ଡ ଜାରି କରିଥିଲେ । ମୂଳ ବଣ୍ଡ ଉପରେ ସ୍ଥାୟୀ ଭାବେ ଅଢେଇ ପ୍ରତିଶତ ସୁଧ ମିଳିବା ସହ ବଜାରରେ ବାସ୍ତବ ସୁନା ଦରବୃଦ୍ଧି ଉପରେ ସରକାରଙ୍କୁ ପରିଶୋଧ ସମୟରେ ଅର୍ଥ ଦେବାକୁ ପଡ଼ୁଥିଲା । ଏପରିକି ବିଶେଷଜ୍ଞଙ୍କ ମତ ଏହି ଯୋଜନାଟି କେନ୍ଦ୍ର ସରକାର ଯେଉଁ ଉଦ୍ଦେଶ୍ୟରେ କରିଥିଲେ । ସେଥିରେ କୌଣସି ଲାଭ ମିଳିଲାନି । ଯାହା ପାଖରେ ବଳକା ଅର୍ଥ ଅଛି ସେହିମାନେ ହିଁ ବଣ୍ଡ କିଣୁଥିଲେ । ଯଦିଓ ଏହା ବାସ୍ତବ ସୁନା କିଣିବାଠୁ ସୁରକ୍ଷିତ ଥିଲା । କିନ୍ତୁ ଏହି ଯୋଜନା ଏକ ପ୍ରକାର କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି ଥିଲା । ଏବେ ବନ୍ଦ ହେଲା ପରେ ସେପରି କୌଣସି ବଜାରରେ ଚାହିଦା ବୃଦ୍ଧି ହେଲା ଭଳି ଲାଗୁନି । ଯାହା ପାଖରେ ଅର୍ଥ ଅଛି ସେମାନେ ସେୟାର ମାର୍କେଟ୍‌, ମ୍ୟୁଚୁଆଲ ଫଣ୍ଡ କିମ୍ବା ଅନ୍ୟ ସରକାରୀ ଲାଭଦାୟକ ଯୋଜନାରେ ପୁଞ୍ଜି ଲଗାଇବେ ।

କେନ୍ଦ୍ର ବଜେଟ୍‌ ଆସିବା ପୂର୍ବରୁ ସୁନା ବଣ୍ଡ ବନ୍ଦ ହେବା ନେଇ ପୂର୍ବାନୁମାନ କରାଯାଉଥିଲା । ଏବେ ସୁନା ବଣ୍ଡ ବନ୍ଦ କଲା ପରେ ବଜାରରେ ସୁନା ଚାହିଦା ବଢିଲେ ଗରିବ ଓ ମଧ୍ୟବିତ୍ତ ଆଉ ସୁନା କିଣିବାକୁ ସମର୍ଥ ହେବେ କି ନାହିଁ ସେ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି ।

ଅଭିଶେକ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ, ୩୭ ବଲରେ ସେଞ୍ଚୁରୀ

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୫ମ ଟି-୨୦ ମ୍ୟାଚରେ ଭାରତୀୟ ଓପନର ଅଭିଶେକ ଶର୍ମାଙ୍କ ଜଲଓ୍ବା ଦେଖିବାକୁ ମିଳିଛି । ବର୍ତ୍ତମାନ ଖେଳ ଚାଲିଥିବା ବେଳେ ଇଂଲଣ୍ଡ ବୋଲରଙ୍କୁ ନିର୍ଦ୍ଦୟ ଭାବେ ଛକା, ଚୌକା ମାରି ଚାଲିଛନ୍ତି ଅଭିଶେକ । ୩୭ ବଲରେ ସେ ତାଙ୍କ ସେଞ୍ଚୁରୀ କରିଛନ୍ତି । ଏଥିରେ ୬ଟି ଚୌକା ଏବଂ ୧୦ଟି ଛକା ରହିଛି । ବର୍ତ୍ତମାନ ୧୦୬ ରନରେ ଅଭିଶେକ ବ୍ୟାଟିଂ କରୁଛନ୍ତି । ଏହାସହ ୧୩.୩ ଓଭରରେ ଭାରତ ୪ ଓ୍ବିକେଟ ହରାଇ ୧୮୩ ରନ୍ କରି ଖେଳୁଛି ।

ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସୁମନ ୭ ବଲରୁ ୧୬ ରନ୍ କରିଥିବା ବେଳେ ଟି. ବର୍ମା ୨୪, ସୂର୍ଯ୍ୟକୁମାର ଯାଦବ ୨ ଏବଂ ଶିବମ ଦୁବେ ଧୂଆଁଧାର ୩୦ ରନ୍ କରି ଆଉଟ ହୋଇଛନ୍ତି । ବର୍ତ୍ତମାନ ଫିଲ୍ଡରେ ଅଭିଶେକଙ୍କ ସମହ ହାର୍ଦ୍ଧିକ ପାଣ୍ଡ୍ୟା ବାଟିଂ କରୁଛନ୍ତି ।

ବଜେଟରେ ଓଡ଼ିଶାକୁ ଅବହେଳା: ତେଜିଲା ରାଜନୀତି, ବିଜେଡି କହିଲା ବିହାର ବଜେଟ୍

ଭୁବନେଶ୍ବର: ଗତକାଲି ଆସିଥିବା ବଜେଟ କେବଳ ବିହାରକୁ ଖୁସି କରିବାକୁ । ଆଗକୁ ବିହାର ନିର୍ବାଚନ ଥିବାରୁ ତାକୁ ଖୁସି କରିବାକୁ ଚେଷ୍ଟା କରାଯାଇଛି । ଅନ୍ୟପକ୍ଷେ ବଜେଟରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି । ନୂଆ ଟ୍ୟାକ୍ସ ରିଜିମରେ ଯେଉଁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ ନୀତି ଲାଗୁ ହେବ, ତାକୁ ନେଇ ସମସ୍ତ ବିରୋଧୀ ଦଳ ସନ୍ଦେହ ପ୍ରକାଶ କରିଛନ୍ତି । କେତେ ଲୋକ ବାର୍ଷିକ ୧୨ ଲକ୍ଷରୁ ଅଧିକ ଆୟ କରନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ବାରମ୍ବାର ଓଡ଼ିଶା ପ୍ରତି ଅବହେଳା ହେଉଥିବାରୁ କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ମନୋଭାବ ବଜେଟରେ ପ୍ରତିଫଳିତ ହୋଇଛି ।

ସୂଚନାଯୋଗ୍ୟ, ଗତକାଲି ସଂସଦରେ ଆଗତ ହୋଇଥିବା କେନ୍ଦ୍ର ବଜେଟର ଆକାର ୫୦ ଲକ୍ଷ କୋଟି ଟଙ୍କା ଟପିଛି । ୧୨ ଲକ୍ଷ ଯାଏଁ ଟିକସ ଛାଡ଼ ମଧ୍ୟବିତ୍ତକୁ କିପରି ସୁହାଇବ ତାକୁ ନେଇ ପ୍ରଶ୍ନ ଉଠିଛି । ସାରା ଭାରତରେ କେତେ ଲୋକ ବାର୍ଷିକ ୧୨ ଲକ୍ଷ ଆୟ କରନ୍ତି ବୋଲି ପ୍ରଶ୍ନ ଉଠିଲାଣି । ଦେଶର ମାତ୍ର ୧.୨ ପ୍ରତିଶତ ଲୋକ ଏଥିରୁ ଲାଭ ପାଇବେ । ୬୦ରୁ ୮୦ ପ୍ରତିଶତ ଲୋକଙ୍କ ବାର୍ଷିକ ଆୟ ୩ ଲକ୍ଷରୁ କମ । ବଜେଟରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାକୁ ପୂର୍ବଦୋୟର ବିକାଶ ଇଂଜିନ କରିବା ସ୍ବପ୍ନ ପୂରଣ ହୋଇପାରିବନି । ରାଜନୈତିକ ଉଦ୍ଦେଶ୍ୟରେ ବିହାରକୁ ଅର୍ଥ ଅଜାଡ଼ି ଦେଇ ଓଡ଼ିଶାକୁ ଅବହେଳା କରାଯାଇଥିବା ବିଜେଡି ଅଭିଯୋଗ କରିଛି । ଉତ୍କର୍ଷ ଓଡ଼ିଶାରୁ ଯେଉଁ ୮୨ ପ୍ରତିଶତ ଏମଓୟୁ ସ୍ଵାକ୍ଷର ହୋଇଛି, ତାହା ଓଡ଼ିଶାର ମାଟି ତଳୁ ସମ୍ପଦ ନେବା ପାଇଁ ଷଡ଼ଯନ୍ତ୍ର ବୋଲି କହିଛି କଂଗ୍ରେସ । ଓଡ଼ିଶାରୁ ରାଜସ୍ବ ନେଇ ପ୍ରତିବଦଳରେ ଓଡ଼ିଶା ପାଇଁ ବଜେଟରେ କିଛି ସ୍ବତନ୍ତ୍ର ନାହିଁ । ଓଡ଼ିଶା ପ୍ରତି ଅନ୍ୟାୟକୁ ବିରୋଧୀ ବରଦାସ୍ତ କରିପାରିନାହାନ୍ତି । ଡବଲ ଇଂଜିନ ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

ବଜେଟରେ ଓଡ଼ିଶା ପାଇଁ କିଛି ନଥିବା ବିଜେଡି ନେତା ଅନୁଭବ କରିଛନ୍ତି । ଗତବର୍ଷ ବଜେଟ ଥିଲା ଆନ୍ଧ୍ର ପାଇଁ, ଏଥର ବିହାର ବଜେଟ ବୋଲି କଟାକ୍ଷ କରିଛି ବିଜେଡି । କାରଣ ଆଗକୁ ବିହାର ନିର୍ବାଚନ । ଦରଦାମ ନିୟନ୍ତ୍ରଣ ନେଇ ବଜେଟରେ କିଛି ଦେଖିବାକୁ ମିଳିନାହିଁ । ସେହିପରି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା କି ସ୍ବତନ୍ତ୍ର ଫୋକସକୁ ବି ଅଣଦେଖା କରାଯାଇଛି । ଯେଉଁ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ରିହାତି ମିଳିବ, ତାହା ଦୁଇଟି ରେଜିମରେ ଅଛି । ଗୋଟେ ପୁରୁଣା ଓ ଆଉ ଗୋଟେ ନୂଆ ସ୍ଲାବ । ପୁରୁଣାରେ କୌଣସି ପ୍ରକାରର ରିହାତି ନାହିଁ । ନୂଆରେ ୧୨ ଲକ୍ଷ ଯାଏଁ କିଛି ଦେବାକୁ ପଡ଼ିବ ନାହିଁ । ହେଲେ ଏହି ଦୁଇଟିରେ ଫରକ ରହିଛି । ପୁରୁଣା ସ୍ଲାବରେ ଘର ଋଣ ବାବଦ ଯାହା ଟିକସରୁ କଟା ଯାଉଥିଲା, ଯାହା ନୂଆ ସ୍ଲାବରେ ନାହିଁ । ଟିକସ ସଂଚୟ ନୂଆ ସ୍ଲାବରେ ନାହିଁ । ଯେଉଁଥି ପାଇଁ ନୂଆ ସ୍ଲାବରେ ଘର କିଣିଲେ, ଋଣ ପରିମାଣରେ ସୁଦ୍ଧ ବଢିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶ୍ରମିକ ନିରାପତ୍ତା, ନିଯୁକ୍ତି, ସ୍ବାସ୍ଥ୍ୟ, ଶିକ୍ଷା ପରି କ୍ଷେତ୍ରରେ ଗତଥର ଅପେକ୍ଷା ବ୍ୟୟ ବରାଦ କମିଛି । ଯାହା ମଧ୍ୟବିତ୍ତ ପରିବାରକୁ କୌଣସି ଲାଭ ଦେବନି ।

କେନ୍ଦ୍ରର ପ୍ରତି ବଜେଟରେ ଅବହେଳାର ଶୀକାର ହେଉଛି ଓଡ଼ିଶା। ପ୍ରାକୃତିକ ବିପର୍ଯ୍ୟୟର ରାଜ୍ୟ ଓଡ଼ିଶାକୁ କେବେ ବି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉନାହିଁ । ନିଯୁକ୍ତି ସୁଯୋଗ ଓ ଦରଦାମ ନିୟନ୍ତ୍ରଣର ଦିଗ ଦିଶୁ ନଥିବାରୁ ଅସନ୍ତୋଷ ବଢିବା ସମ୍ଭାବନା ରହିଛି ।

ଇନକମ୍ ଟ୍ୟାକ୍ସ ହିସାବ: ୧୫-୨୦-୨୫ ଲକ୍ଷ ବାର୍ଷିକ ରୋଜଗାର କରୁଥିଲେ କେତେ ଟଙ୍କା ଟ୍ୟାକ୍ସ ଦେବେ ?

ଭୁବନେଶ୍ବର: ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିଥିଲେ । ଏଥିରେ ମଧ୍ୟବିତ୍ତ ପରିବାରଙ୍କୁ ଟ୍ୟାକ୍ସ ପ୍ରଦାନରେ ରିହାତି ମିଳିଛି । ବାର୍ଷିକ ୧୨ ଲକ୍ଷ ଟଙ୍କା ରାଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଛାଡ଼ କରାଯାଇଛି । ବାର୍ଷିକ ରୋଜଗାର ଏହାଠାରୁ ଅଧିକ ଥିଲେ ଇନକମ ଟ୍ୟାକ୍ସ ସ୍ଲେବ ଅନୁସାରେ ଆପଣଙ୍କୁ ଆୟକର ଦେବାକୁ ପଡ଼ିବ ।

ଯଦି ଆପଣଙ୍କ ରୋଜଗାର ବାର୍ଷିକ ୪ ଲକ୍ଷ ଟଙ୍କା ତେବେ ଆପଣଙ୍କୁ କୌଣସି ଆୟକର ଦେବାକୁ ପଡ଼ିବନି । ୪ରୁ ୮ ଲକ୍ଷ ରୋଜଗାର ଉପରେ ୫ ପ୍ରତିଶତ, ୮ରୁ ୧୨ ଲକ୍ଷ ରୋଜଗାର ଉପରେ ୧୦ ପ୍ରତିଶତ, ୧୨ରୁ ୧୬ ଲକ୍ଷ ରୋଜଗାର ଉପରେ ୧୫ ପ୍ରତିଶତ, ୧୬ରୁ ୨୦ ଲକ୍ଷ ରୋଜଗାର ଉପରେ ୨୦ ପ୍ରତିଶତ, ୨୦ରୁ ୨୪ ଲକ୍ଷ ରୋଜଗାର ଉପରେ ୨୫ ପ୍ରତିଶତ ଓ ୨୪ ଲକ୍ଷରୁ ଅଧିକ ରୋଜଗାର ଉପରେ ୩୦ ପ୍ରତିଶତ ଆୟକର ଦେବାକୁ ପଡ଼ିବ ।

ତେବେ ଆସନ୍ତୁ ଜାଣିବା ୧୫-୨୦-୨୫ ଲକ୍ଷ ବାର୍ଷିକ ଆୟ ଉପରେ କେତେ ଟଙ୍କା ଇନକମ ଟ୍ୟାକ୍ସ ଲାଗିବ ।

୧୫ ଲକ୍ଷ ବାର୍ଷିକ ରୋଜଗାର ଉପରେ କେତେ ଟ୍ୟାକ୍ସ ଲାଗିବ ?

ନ୍ୟୁ ଟ୍ୟାକ୍ସ ରିଜିମରେ ୧୨ ଲକ୍ଷରୁ ଅଧିକ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ହୋଇଛି । ତେଣୁ ଆସନ୍ତୁ ବାର୍ଷିକର ରୋଜଗାର ୧୫ ଲକ୍ଷ ବିର୍ଷିକ ରୋଜଗାର ଉପରେ କେତେ ଟଙ୍କା ଇନକମ୍ ଟ୍ୟାକ୍ସ ଦେବାକୁ ପଡ଼ିବ ।

ଷ୍ଟାଣ୍ଡାର୍ଡ ଡିଡକ୍ସନ ପରେ

୧୫,୦୦୦୦୦-୭୫୦୦୦= ୧୪ ଲକ୍ଷ ୨୫ ହଜାର ଟଙ୍କା

୦-୪  ୦%   = ୦

୪-୮   ୫%   = ୨୦,୦୦୦

୮-୧୨ ୧୦% = ୪୦,୦୦୦

୧୨-୧୬       ୧୫% =୩୩,୪୫୦

ସମ୍ପୂର୍ଣ୍ଣ ଟ୍ୟାକ୍ସ = ୯୩ ହଜାର ୭୫୦ ଟଙ୍କା

ଟ୍ୟାକ୍ସ ଉପରେ ୪ ପ୍ରତିଶତ ସେସ୍ = ୩,୭୫୦ ଟଙ୍କା

ନେଟ୍ ଟ୍ୟାକ୍ସେବୁଲ ଇନକମ = ୯୭ ହଜାର ୫୦୦ ଟଙ୍କା

ଏହି ହିସାବ ଆଧାରରେ ବାର୍ଷିକ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ନ୍ୟୁ ଟ୍ୟାକ୍ସ ରିଜିମ ୨୦୨୫ ଅନୂସାରେ ୯୭ ହଜାର ୫ ଶହ ଟଙ୍କା ଆୟକର ଦେବାକୁ ପଡ଼ିବ ।

୨୦ ଲକ୍ଷ ବାର୍ଷିକ ରୋଜଗାର ଉପରେ କେତେ ଟ୍ୟାକ୍ସ ଲାଗିବ ?

ଆପଣ ବାର୍ଷିକ ୨୦ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ଆପଣଙ୍କୁ ମଧ୍ୟ ଟ୍ୟାକ୍ସ ସ୍ଲେବ ଅନୁସାରେ ଆୟକର ଭରିବାକୁ ପଡ଼ିବ । ଆସନ୍ତୁ ହିସାବ କରିବା କେତେ ଟଙ୍କା ଦେବାକୁ ପଡ଼ିବ ।

ଷ୍ଟାଣ୍ଡାର୍ଡ ଡିଡକ୍ସନ ପରେ

୨୫ ଲକ୍ଷ – ୭୫ ହଜାର = ୧୯ ଲକ୍ଷ ୨୫ ହଜାର ଟଙ୍କା

୦-୪  =      ୦

୪-୮   =      ୨୦,୦୦୦

୮-୧୨=      ୪୦,୦୦୦

୧୨-୧୬       =      ୬୦,୦୦୦

୧୬-୨୦       =      ୬୫,୦୦୦

ସମ୍ପୂର୍ଣ୍ଣ ଟ୍ୟାକ୍ସ = ୧ ଲକ୍ଷ ୮୫ ହଜାର ଟଙ୍କା

ଟ୍ୟାକ୍ସ ଉପରେ ୪ ପ୍ରତିଶତ ସେସ୍ = ୭,୪୦୦ ଟଙ୍କା

ନେଟ୍ ଟ୍ୟାକ୍ସେବୁଲ ଇନକମ = ୧ ଲକ୍ଷ ୯୨ ହଜାର ୪ ଶହ ଟଙ୍କା

୨୫ ଲକ୍ଷରୁ ଅଧିକ ବାର୍ଷିକ ରୋଜଗାର ଉପରେ କେତେ ଟ୍ୟାକ୍ସ ଲାଗିବ ?

ଷ୍ଟାଣ୍ଡାର୍ଡ ଡିଡକ୍ସନ ପରେ

୨୫ ଲକ୍ଷ – ୭୫ ହଜାର = ୨୪ ଲକ୍ଷ ୨୫ ହଜାର ଟଙ୍କା

୦-୪  =      ୦

୪-୮   =      ୨୦,୦୦୦

୮-୧୨=      ୪୦,୦୦୦

୧୨-୧୬       =      ୬୦,୦୦୦

୧୬-୨୦       =      ୮୦,୦୦୦

୨୦-୨୪       =      ୧ ଲକ୍ଷ

୨୪ ଲକ୍ଷରୁ ଅଧିକ   = ୭ ହାଜର ୫୦୦

ସମ୍ପୂର୍ଣ୍ଣ ଟ୍ୟାକ୍ସ = ୩ ଲକ୍ଷ ୭ ହଜାର ୫ ଶହ ଟଙ୍କା

ଟ୍ୟାକ୍ସ ଉପରେ ୪ ପ୍ରତିଶତ ସେସ୍ = ୧୨ ହଜାର ୩ ଶହ ଟଙ୍କା

ନେଟ୍ ଟ୍ୟାକ୍ସେବୁଲ ଇନକମ = ୩ ଲକ୍ଷ ୧୯ ହଜାର ୮ ଶହ ଟଙ୍କା

ଏହି ହିସାବ ଅନୁସାରେ ଆପଣ ଯଦି ୨୫ ଲକ୍ଷରୁ ଅଧିକ ଟଙ୍କା ବାର୍ଷିକ ରୋଜଗାର କରୁଛନ୍ତି ଦେବେ ଆପଣଙ୍କୁ ୩ ଲକ୍ଷ ୧୯ ହଜାର ୮ ଶହ ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼ିବ ।