spot_img
Home Blog Page 1120

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସର ନିର୍ବାଚନୀ ଇସ୍ତାହାର। ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଇସ୍ତାହାର ଉନ୍ମୋଚିତ ହୋଇଛି । ଏଥିରେ ମହିଳାଙ୍କୁ ମାସିକ ୨୫ ହଜାର ଟଙ୍କା, ୨୫ ଲକ୍ଷ ଟଙ୍କା ଯାଏ ମାଗଣା ସ୍ବାସ୍ଥ୍ୟବୀମା ତଥା ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଘୋଷଣା କରାଯାଇଛି। ଏହା ସହ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର, ମାଗଣା ରାସନ କିଟ୍ ପ୍ରତି ପରିବାରକୁ ମାସିକ ୩୦୦ ୟୁନିଟ ବିଜୁଳି ମାଗଣା ପ୍ରତିଶ୍ରୁତି ଦିଆଯାଇଛି। ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ପୂର୍ବାଞ୍ଚଳବାସୀଙ୍କ ଲାଗି ଏକ ଉତ୍ସର୍ଗୀକୃତ ମନ୍ତ୍ରାଳୟ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ଦିଲ୍ଲୀ ପ୍ରଦେଶ କଂଗ୍ରେସ ମୁଖ୍ୟ ଦେବେନ୍ଦ୍ର ଯାଦବ।

ସେହିପରି ବେକାରୀ ଯୁବକଯୁବତୀଙ୍କୁ ମାସିକ ୮ ହଜାର ୫୦୦ ଟଙ୍କା ବର୍ଷକ ଲାଗି ଦିଆଯିବ। ସାରା ସହରରେ ୧୦୦ଟି ଇନ୍ଦିରା କ୍ୟାଣ୍ଟିନ ଖୋଲିବା ସହ ଏହା ଜରିଆରେ ୫ ଟଙ୍କାରେ ଖାଦ୍ୟ ଯୋଗାଇବା ଲାଗି କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ଆସନ୍ତା ଫେବୃଆରୀ ୫ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ। ଫେବୃଆରୀ ୮ରେ ହେବ ଭୋଟ ଗଣତି।

ଜେପିସିରେ ଗୃହୀତ ହେଲା ୱାକଫ୍ ବିଲ୍ ଚିଠା

ନୂଆଦିଲ୍ଲୀ : ୱାକଫ ବିଲ୍ ଚିଠା ଜେପିସିରେ ଗୃହୀତ ହୋଇଛି । ବହୁମତ ଭିତ୍ତିରେ ଏହା ଗୃହୀତ ହୋଇଛି । ଚିଠା ବିଲକୁ ୧୬ ଜଣ ସଦସ୍ୟ ସମର୍ଥନ କରିଥିବା ବେଳେ ବିରୋଧ କରିଥିଲେ ୧୧ ଜଣ । ସଂଶୋଧିତ ଚିଠା ବିଲ୍ କୁ ଆସନ୍ତାକାଲି ଲୋକସଭାର ବାଚସ୍ପତିଙ୍କ ନିକଟରେ ଦାଖଲ କରାଯିବ ବୋଲି ଜେପିସିର ଅଧ୍ୟକ୍ଷ ଜଗଦମ୍ଵିକା ପାଲ୍ କହିଛନ୍ତି। ବିରୋଧ କରିଥିବା ସଭ୍ୟମାନେ ହେଲେ ଟିଏସିର କଲ୍ୟାଣ ବାନାର୍ଜୀ, ଡିଏମକେର ଏ ରାଜା, ଆପ୍ ର ସଂଜୟ ସିଂହ ଓ ଉଦ୍ଧବ ଶିବସେନାର ଅରବିନ୍ଦ ଆୱନ୍ତ ।

ବିରୋଧୀ ସାଂସଦ କହିଛନ୍ତି, ଆମେ ଯେଉଁ ପ୍ରସ୍ତାବ ଦେଇଥିଲୁ, ତାକୁ ଶାସକ ଗୋଷ୍ଠୀ ଖାରଜ କରିଦେଇଥିଲେ। ଯେଉଁ ସବୁ ସଂଶୋଧନ ପାଇଁ କହିଥିଲୁ, ତାକୁ ମଧ୍ୟ ରଖିଲେ ନାହିଁ। ସରକାରଙ୍କ ଇଚ୍ଛା ଅନୁସାରେ ବିଲ୍ ପ୍ରସ୍ତୁତ ହୋଇଛି। ଜେପିସିର କିଛି ମହତ୍ତ୍ଵ ନାହିଁ। ଅସାମ୍ବିଧାନିକ ସଂଶୋଧନ ସବୁ ବିଲରେ ରଖାଯାଇଛି। ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରି ଏପରି କରାଯାଇଥିବା ବିରୋଧୀ ସାଂସଦ କହିଛନ୍ତି। ନିର୍ବାଚିତ ପ୍ରତିନିଧିମାନେ ଯେତେବେଳେ ନିଜକୁ ରାଜା ବୋଲି ଭାବନ୍ତି, ସେତେବେଳେ ଏପରି କାମ ସବୁ ହୋଇଥାଏ। ଗତ ବର୍ଷ ଅଗଷ୍ଟରେ ୱାକଫ୍ ବିଲ୍ କୁ ଲୋକସଭାରେ ଆଗତ କରିଥିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ଅଗଷ୍ଟ ୮ ତାରିଖରେ ବିଲକୁ ଜେପିସିକୁ ପଠା ଯାଇଥିଲା।

ମହାକୁମ୍ଭରେ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର : ପ୍ରୟାଗରାଜ ମହାକୁମ୍ଭରେ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୌନୀ ଅମାବାସ୍ୟାରେ ଏହି ଅମୃତ ସ୍ନାନ କରିବାକୁ ବିଳମ୍ବିତ ରାତିରୁ  ତ୍ରିବେଣୀ ସଂଗମରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ବୁଡ଼ ପକାଇବାକୁ ବ୍ୟାରିକେଡ ଭାଙ୍ଗି ଲୋକେ ପଶି ଆସିଥିବାବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଶ୍ରଦ୍ଧାଳୁ ମୃତ୍ୟୁ ପାଇଁ ସେ ଶୋକ ପ୍ରକାଶ କରିଛନ୍ତି । ନିଜ ପ୍ରିୟଜନଙ୍କୁ ହଇଥିବା ଲୋକଙ୍କୁ ସମାବେଦନା ଜଣାଇବା ସହ ଆହାତଙ୍କ ଆରୋଗ୍ୟ କାମନା କରିଛନ୍ତି ନବୀନ ।

କଳିଙ୍ଗ ନଗର ବିସ୍ଥାପିତଙ୍କ ଉପରେ ଆକ୍ରମଣ ମାମଲା, ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର : ଏପଟେ ଉତ୍କର୍ଷ ଓଡ଼ିଶା ଚାଲିଛି ସେପଟେ ଏସିଆର ବୃହତ ଷ୍ଟିଲ ହବ୍ କଳିଙ୍ଗ ନଗରରେ ଆଦିବାସୀଙ୍କ ଉପରେ ଅତ୍ୟାଚାର କରାଯାଉଛି । ଆଦିବାସୀଙ୍କ ଆଖିରୁ ଲୁହ ଝରିଲା । ନିଜ ହକ ଦାବିରେ ଧାରଣାରେ ବସିଥିବା ଆଦିବାସୀଙ୍କ ଉପରେ ଅତ୍ୟାଚାର କରାଗଲା । ଭିଟାମାଟି ଦେଇଥିବା ଲୋକଙ୍କୁ ଅସମ୍ମାନ କରାଗଲା । ମହିଳାଙ୍କୁ ଗୋଡେଇ ଗୋଡେଇ ପିଟାଗଲା । ବିଭିନ୍ନ ଦାବି ନେଇ ଧାରଣା ଦେଇଥିବା ଆଦିବାସୀଙ୍କ ସହ ଏଯାଏଁ ଆଲୋଚନା କଲେନି । ରାତି ସାରା ଥଣ୍ଡା କକରରେ ସେମାନେ ବସିଛନ୍ତି । ପାଞ୍ଚ ହଜାର ବିସ୍ଥାପିତଙ୍କୁ କେମିତି ନ୍ୟାୟ ମିଳିବ ବୋଲି ପ୍ରଶ୍ନ କରିଛି ବିଜେଡି ।

ସାମ୍ବାଦିକ ସମ୍ମିଳନୀ କରି କଳିଙ୍ଗ ନଗରରେ ଆଦିବାସୀ ଧାରଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି । ଯେଉଁମାନେ ଆଦିବାସୀଙ୍କୁ ଗୋଡେଇ ଗୋଡେଇ ମାରିଲେ ସେମାନଙ୍କ ବିରୋଧରେ ତଦନ୍ତ ଦାବି କରିଛି ବିଜେଡି । ଅପରାଗ ସରକାର । ଯେଉଁମାନେ ଅଧିକାର ପାଇଁ ଯାଇଥିଲେ ସେମାନେ ବିସ୍ଥାପିତ । ତାଙ୍କ ଜମିରେ କାରଖାନା ଠିଆ ହୋଇଛି । ସରକାର ଜାଣି ବି ପଦକ୍ଷେପ ନେଇ ନାହାନ୍ତି । ବିସ୍ଥାପିତଙ୍କୁ ନିଯୁକ୍ତି, R & R ନୀତିରେ ପରିବର୍ତ୍ତନ, ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ନିଯୁକ୍ତି ପାଇଁ ସେମାନେ ଦାବି କରିଥିଲେ । ନିର୍ବାଚନ ପୂର୍ବରୁ ସେମାନଙ୍କ ଦାବି ଶୁଣିବାକୁ ବିଜେପି କହିଥିଲା । ହେଲେ ଏବେ ପ୍ରଶାସନ ଶୁଣୁନି କି ଆଲୋଚନା ବି କରୁନାହାଁନ୍ତି । ସରକାର ଯତ୍ନବାନ ରହିବା ଦରକାର । ନହେଲେ କେମିତି ନିବେଶକ ସୁରକ୍ଷା ପାଇବେ ? ଏମିତି ପରିବେଶରେ କି ନିବେଶ ଆସିବ ବୋଲି ପଚାରିଛି ବିଜେଡି ।

ନ୍ୟାୟ ଦେବାରେ ସରକାର ବିଫଳ । ତେଣୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଲଢେଇ ଜାରି ରଖିବ ବିଜେଡି । ଏ ସରକାର ସମୟରେ ଏହା ଦ୍ଵିତୀୟ ଆନ୍ଦୋଳନ । ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ଯାଇଛି । ସାଧାରଣ ଲୋକ ରାସ୍ତାରେ ଚାଲିବାକୁ ଭୟ କରୁଛି । ସମସ୍ତେ ଅନୁଭବ କଲେଣି ଯେ ଦାୟିତ୍ୱବାନ ସରକାର ନାହିଁ । ଲୋକ ସୁରକ୍ଷିତ ରୁହନ୍ତୁ । ଶିଳ୍ପ ସପକ୍ଷରେ ବିଜେଡି । ହେଲେ ଶିଳ୍ପ ନାଁରେ ସାଧାରଣ ଲୋକଙ୍କୁ ଅତ୍ୟାଚାରକୁ ବିଜେଡି ଗ୍ରହଣ କରିବ ନାହିଁ ବୋଲି ଚେତାଇ ଦେଇଛି ଦଳ ।

ମାଡି ଆସୁଛି ପ୍ରଳୟ ! ମହା ବିନାଶ ଘଣ୍ଟାରେ ଆଉ ୯୦ ସେକେଣ୍ଡ ବାକି

ନନ୍ଦିଘୋଷ ବ୍ୟୁରୋ : ମାଡି ଆସୁଛି ପ୍ରଳୟ! ପରମାଣୁ ବୈଜ୍ଞାନିକ ତିଆରି କରିଥିଲେ ପ୍ରଳୟର ଘଣ୍ଟା । ୭୮ ବର୍ଷ ପୂର୍ବ ପରମାଣୁ ବୈଜ୍ଞାନିକ ଏକ ନିଆରା ଘଣ୍ଟା ତିଆରି କରିଥିଲେ, ଯାହାକୁ ‘ଡୁମ୍ସଡେ କ୍ଲକ୍’ ବୋଲି ନାମ ଦିଆଯାଇଛି । ଯେଉଁଥିରେ ମହାବିନାଶର ସମୟ ଜାଣିବା ପାଇଁ ତିଆରି କରାଯାଇଥିଲା । ଯେଉଁଥିରେ ସମୟ ମଧ୍ୟରାତ୍ରିର ୯୦ ସେକେଣ୍ଡ ଦୂରରେ ଅଛି । ସୂଚନା ଅନୁସାରେ ଅର୍ଦ୍ଧରାତ୍ରୀର ଏହି ସମୟରେ ପୃଥିବୀ ଧ୍ୱସଂ ହୋଇଯିବ ଏବଂ ମଣିଷର ଅସ୍ତିତ୍ୱ ରହିବ ନାହିଁ ବୋଲି କୁହାଯାଇଛି ।

ଏହି ପ୍ରଳୟ ଘଣ୍ଟା ସାଙ୍କେତିକ ଭାବରେ ଦର୍ଶାଏ ଯେ ଆମେ ବିପର୍ଯ୍ୟୟର କେତେ ନିକଟତର। ଏହାର ସମୟ ପୁଣି ଥରେ ବଡ ଧ୍ୱଂସ ନିକଟରେ ପହଞ୍ଚିଛି। ଘଣ୍ଟାର ସମୟ ମଧ୍ୟରାତ୍ରି ପୂର୍ବରୁ ୯୦ ସେକେଣ୍ଡ ଦୂରରେ ରହିଛି। ବୈଜ୍ଞାନିକମାନେ ଏହି ଘଣ୍ଟାର ସମୟକୁ ନିଜ ହାତରେ ବଦଳାଇଛନ୍ତି। ଏହା ମଧ୍ୟରାତ୍ରିର ନିକଟତମ ସମୟ। କିନ୍ତୁ ବୈଜ୍ଞାନିକମାନେ ଏହାକୁ ଆଗକୁ ବଢ଼ିବା ବନ୍ଦ କରି ଦେଇଛନ୍ତି। ସେମାନେ କହିଛନ୍ତି ନୂତନ ପରମାଣୁ ଅସ୍ତ୍ର ପ୍ରତିଯୋଗିତା, ୟୁକ୍ରେନ ଯୁଦ୍ଧ ଏବଂ ଜଳବାୟୁ ପରିବର୍ତ୍ତନକୁ ନେଇ ଘଣ୍ଟା ଆଗକୁ ବଢ଼ିବାର କାରଣ ରହିଛି।

ଏହି ଘଣ୍ଟାର ସମୟ ପ୍ରତିବର୍ଷ ପରମାଣୁ ବୈଜ୍ଞାନିକମାନଙ୍କ ବୁଲେଟିନ ଦ୍ୱାରା ପରିବର୍ତ୍ତିତ ହୁଏ। ୨୦୦୭ ପରଠାରୁ ବୈଜ୍ଞାନିକମାନେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ସହିତ ଜଳବାୟୁ ପରିବର୍ତ୍ତନ ଏବଂ ଏଆଇ ପରି ନୂତନ ମନୁଷ୍ୟକୃତ ବିପଦକୁ ମଧ୍ୟ ବିଚାର କରିଛନ୍ତି। ୨୦୨୪ ଘୋଷଣାରେ କୁହାଯାଇଛି ଚାଇନ, ରୁଷିଆ ଏବଂ ଆମେରିକା ସେମାନଙ୍କର ପରମାଣୁ ଅସ୍ତ୍ରଶସ୍ତ୍ରକୁ ବିସ୍ତାର କିମ୍ବା ଆଧୁନିକୀକରଣ କରିବା ପାଇଁ ବିପୁଳ ପରିମାଣର ଖର୍ଚ୍ଚ କରୁଛନ୍ତି। ଫଳରେ ପରମାଣୁ ଯୁଦ୍ଧର ଆଶଙ୍କା ବୃଦ୍ଧି ପାଇଛି ।

ୟୁକ୍ରେନ ଯୁଦ୍ଧକୁ ଆଣବିକ ଆକ୍ରମଣର ବିପଦ ମଧ୍ୟ ଦେଖାଯାଇଛି। ଜଳବାୟୁ ପରିବର୍ତ୍ତନର ବିପଦ ଏବଂ ଉଦୀୟମାନ ଜୈବ ପ୍ରଯୁକ୍ତିବିଦ୍ୟା ଏବଂ ଏଆଇର ଅପବ୍ୟବହାର ସହିତ ଜଡିତ ବିପଦକୁ ହ୍ରାସ କରିବା ପାଇଁ କାର୍ଯ୍ୟର ଅଭାବକୁ ମଧ୍ୟ ଦର୍ଶାଯାଇଛି। ପ୍ରଳୟ ଘଣ୍ଟାକୁ ୧୯୪୭ରେ ପରମାଣୁ ବୋମା ନିର୍ମାତା ଜେ ରୋବର୍ଟ ଓପନହାଇମର ଏବଂ ତାଙ୍କ ବନ୍ଧୁ ଆମେରିକା ବୈଜ୍ଞାନିକ ନିର୍ମାଣ କରିଥିଲେ। ଏହାର ଦୁଇ ବର୍ଷ ପୂର୍ବେ ସେମାନେ ଜାପାନର ହିରୋସିମା ଏବଂ ନାଗାସାକିରେ ପରମାଣୁ ଅସ୍ତ୍ରର ବଡ଼ ଧ୍ୱଂସ ଦେଖିଥିଲେ।

ସ୍କୁଲ ଛାତ୍ରଙ୍କୁ ସାପ କାମୁଡ଼ିବା ଘଟଣା : ବଦଳି ପରେ ଚାକିରୀରୁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ନନ୍ଦିଘୋଷ ବ୍ୟୁରୋ : ପିପିଲି ପୋପରଙ୍ଗା ପ୍ରାଥମିକ ବିଦ୍ୟାଳୟ ଛାତ୍ରକୁ ସାପ କାମୁଡ଼ିବା ଘଟଣା । ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁଙ୍କୁ ନିଲମ୍ବନ କଲେ ପିପିଲି ବିଇଓ । କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରାଯାଇଛି । ଗତକାଲି ପ୍ରଧାନ ଶିକ୍ଷୟିତ୍ରୀ ଓ ଶ୍ରେଣୀ ଶିକ୍ଷୟିତ୍ରୀ ଗୀତାଞ୍ଜଳି ରାଉତଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି କରାଯାଇଥିଲା। ବର୍ତ୍ତମାନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଗତ ସୋମବାର ଅପରାହ୍ନ ୪ଟାରେ ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ର ସାଇ କ୍ରୀଷ୍ଣା ପ୍ରଧାନଙ୍କୁ ସାପ କାମୁଡିଥିଲା। ବିଦ୍ୟାଳୟ ଗୃହ ସଫା କରୁଥିବା ସମୟରେ ସାପ କାମୁଡିଥିଲା । ଛାତ୍ର ଜଣକ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଉଚ୍ଚଶିକ୍ଷା ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ, ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ। ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ। ମହଙ୍ଗା ପଡ଼ିଲା ସରକାରୀ ନିର୍ଦ୍ଦେଶକୁ ପାଳନ ନକରିବା। ଉଚ୍ଚଶିକ୍ଷା ବିଭାଗର ବାରମ୍ବାର ତାଗିଦ୍ ପରେ ବି ରାଜ୍ୟର ୬୩ଟି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷ ନିଜ କଲେଜ ଆକାଉଣ୍ଟକୁ କାପା ପୋର୍ଟାଲରେ ଅପଡେଟ କରିନାହାନ୍ତି। ୨୦୨୪-୨୫ ବର୍ଷ ପାଇଁ କଲେଜ ଆକାଉଣ୍ଟ ଅପଡେଟ କରିବାକୁ ନିର୍ଦ୍ଦେଶ ଥିଲେ ବି ଏସବୁ କଲେଜ ଅଧ୍ୟକ୍ଷ ମାନି ନାହାଁନ୍ତି। ଯେଉଥିପାଇଁ ଚଳିତ ମାସ ଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ବିଭାଗ ଦରମା ବନ୍ଦ ରଖିଛି। ଯାଜପୁର ଜିଲ୍ଲାର ସର୍ବାଧିକ ୧୧ଟି କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି।

ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଲୁଟ, ଜଣେ ଅଭିଯୁକ୍ତ ଅଟକ

ଯାଜପୁର : ଫାଙ୍କା ଗୁଳି ଚାଳନା କରି ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୫ଲକ୍ଷ ଟଙ୍କା। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ଘଟିଛି ଏହି ଘଟଣା। ଦୁଇ ଯୁବକ ଗୁଳି ଫୁଟାଇବା ସହ ଭୁଜାଲିରେ ଆକ୍ରମଣ କରି ବ୍ୟବସାୟୀଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେଇଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଯାଜପୁର ବ୍ଲକ ବିଚିତ୍ରପୁର ଅଞ୍ଚଳର ବ୍ୟବସାୟୀ ଜିତେନ୍ଦ୍ର ଦାସ ଓ ସନ୍ତୋଷ ମହାନ୍ତି ବାରବାଟୀ ସ୍ଥିତ ଗଣେଶ ବଜାରରେ ଥିବା ଜନୈକ ବ୍ୟବସାୟୀଙ୍କ ନିକଟରୁ ଟଙ୍କା ଆଣି କାରରେ ଘରକୁ ଫେରୁଥିଲେ। ତେବେ ବାରବାଟୀ ବାଇପାସ ରାସ୍ତା ନିକଟରେ ଦୁଇ ଜଣ ଯୁବକ ଆସି ହଠାତ ଗାଡିକୁ ଅଟକାଇଥିଲେ।  ଅନ୍ୟ ଦୁଇଜଣ ଯୁବକ ଏକ ମଟର ସାଇକେଲରେ ଆସି ଏକ ଭୁଜାଲିରେ କାର କାଚକୁ ଭାଙ୍ଗିବା ସହ ବନ୍ଧୁକରୁ ଗୁଳି ଚଳାଇଥିଲେ  । ଏଥିସହ ତାଙ୍କ ନିକଟରେ ଥିବା ଟଙ୍କା ବ୍ୟାଗକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ। ଗୁଳି ଫୁଟା ଶବ୍ଦ ଶୁଣି ନିକଟରେ ଥିବା ଲୋକେ ଆସି ପହଞ୍ଚି ପୋଲିସକୁ ଖବର ଦେଇଥିଲେ  । ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ଇତିହାସ ରଚିଲା ଇସ୍ରୋ : ସଫଳତାର ସହ ୧୦୦ତମ ଉତକ୍ଷେପଣ

ନୂଆଦିଲ୍ଲୀ : ପୁଣି ଇତିହାସ ରଚିଲା ଇସ୍ରୋ । ଐତିହାସିକ ସାଟେଲାଇଟ ଛାଡ଼ି ନୂଆ ଇତିହାସ ରଚିଛି ମହାକାଶ ଗବେଷଣା ସଂସ୍ଥା ଇସ୍ରୋ  । ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣ ସହ ଶତକ ହାସଲ କରିଛି ଇସ୍ରୋ । ଆଜି ସକାଳ ୬ଟା ୨୩ରେ  F15/NVS-02 ନେଭିଗେସନ ସାଟେଲାଇଟ ଲଞ୍ଚ ହୋଇଛି ।  ଆନ୍ଧ୍ରପ୍ରଦେଶ ଜିଏସଏଲଭି-୧୫ ରକେଟ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯାଇଛି । ଏହି ମିଶନର ଶୁଭାରମ୍ଭ ପରେ, ଭାରତ ମହାକାଶ ନେଭିଗେସନରେ ନୂତନ ଶିଖରରେ ପହଞ୍ଚିଛି।

ଇସ୍ରୋ ଏକ୍ସରେ GSLV-F15 / NVS-02 ର ସଫଳ ଉତ୍‌କ୍ଷେପଣ ବିଷୟରେ ସୂଚନା ଦେଇଛି। ମିଶନ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି।କେନ୍ଦ୍ର ମହାକାଶ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଇସ୍ରୋକୁ ଏହାର ୧୦୦ତମ ମିଶନ ପୂରଣ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣର ଐତିହାସିକ ସଫଳତା ହାସଲ କରିବା ପାଇଁ ଇସ୍ରେକୁ ଅଭିନନ୍ଦନ। ରେକର୍ଡ ସଫଳତାର ଏହି ଐତିହାସିକ ମୁହୂର୍ତ୍ତରେ ମହାକାଶ ବିଭାଗ ସହିତ ଜଡିତ ହେବା ଏକ ସୌଭାଗ୍ୟର କଥା। ଇସ୍ରୋ ଦଳ, ଆପଣମାନେ ସଫଳତାର ସହ GSLV-F15 / NVS-02 ଉତକ୍ଷେପଣ କରିଛନ୍ତି।

ଏହି ଅବସରରେ ଜିତେନ୍ଦ୍ର ସିଂହ ବୈଜ୍ଞାନିକ ବିକ୍ରମ ସାରାଭାଇ ଏବଂ ସତୀଶ ଧାୱନଙ୍କୁ ମଧ୍ୟ ମନେ ପକାଇଥିଲେ। ସେ କହିଥିଲେ ଯେ ଏହି ଲୋକମାନଙ୍କ ଦ୍ୱାରା କରାଯାଇଥିବା ଆରମ୍ଭ ପରେ ଏହା ଏକ ଆଶ୍ଚର୍ଯ୍ୟଜନକ ଯାତ୍ରା ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟ ଏଥିରେ ବଡ଼ ଅବଦାନ ରହିଛି।

GSLV-F15 ଉପଗ୍ରହ NVS-02କୁ ଜିଓସିଙ୍କ୍ରୋନାସ ଟ୍ରାନ୍ସଫର କକ୍ଷପଥରେ ସ୍ଥାପନ କରିବ। ଏହା ଭାରତରେ GPS ଭଳି ନାଭିଗେସନ ସୁବିଧାକୁ ବୃଦ୍ଧି କରିବା ପାଇଁ ଡିଜାଇନ କରାଯାଇଥିବା ସାଟେଲାଇଟ ନାଭିଗେସନ ସିଷ୍ଟମ (SNS)ର ଏକ ଅଂଶ। ଏହା କାଶ୍ମୀରରୁ କନ୍ୟାକୁମାରୀ ଏବଂ ଗୁଜରାଟରୁ ଅରୁଣାଚଳ ପର୍ଯ୍ୟନ୍ତ ଅଞ୍ଚଳକୁ କଭର କରିବ। ଏହା କେବଳ ସଡ଼କ ଯାତ୍ରା ପାଇଁ ନୁହେଁ ବରଂ ବିମାନ ଏବଂ ସମୁଦ୍ର ଯାତ୍ରା ପାଇଁ ମଧ୍ୟ ନୌଚାଳନରେ ସାହାଯ୍ୟ କରିବ।

ଯମୁନା ନଦୀ ପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଗଲେ କେଜରିୱାଲ

ନୂଆଦିଲ୍ଲୀ : ଯମୁନାର ବିଷାକ୍ତ ପାଣି ଉପରେ ମନ୍ତବ୍ୟ ପାଇଁ ଅରବିନ୍ଦ କେଜରିୱାଲଙ୍କୁ ନିର୍ବାଚନ କମିଶନଙ୍କୁ ନୋଟିସ୍ । ଆଜି ରାତି ୮ ସୁଦ୍ଧା ଜବାବ ଦେବାକୁ କେଜରିୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଗତକାଲି କେଜରିୱାଲ ଅଭିଯୋଗ କରିଥିଲେ ଯେ, ହରିିୟାଣା ସରକାର ଯମୁନା ନଦୀରେ ପାଣିରେ ବିଷ ମିଶାଇ ଦେଉଛନ୍ତି। ଜଳ ବୋର୍ଡ ଅଧିକାରୀମାନେ ତାହା ଜାଣି ପାରି ବିଶୋଧନ କରୁଛନ୍ତି। ନ ହେଲେ ବଡ଼ ଅଘଟଣ ଘଟନ୍ତା। ତାଙ୍କର ଏହି ମନ୍ତବ୍ଯ ବହୁତ ଗୁରୁତର।

ଏପରିକି ଏହା ଲୋକଙ୍କ ମଧ୍ୟରେ ବିଦ୍ଵେଷ ସୃଷ୍ଟି କରିପାରେ ବୋଲି ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା। ଏହା ପରେ ନିର୍ବାଚନ କମିଶନ କେଜରିୱାଲଙ୍କୁ ନୋଟିସ୍ କରିଛନ୍ତି ଏବଂ ଅଭିଯୋଗର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ମିଛ ହେଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ ବୋଲି କହିଛନ୍ତି ନିର୍ବାଚନ କମିଶନ। ସେପଟେ ଆପ୍ ପକ୍ଷରୁ କୁହାଯାଉଛି, ଯମୁନା ନଦୀରେ ମାତ୍ରାଧିକ ଆମୋନିଆ ମିଶୁଛି। ହରିୟାଣା ସରକାର ଯଦି ଏହାକୁ ରୋକୁଥାନ୍ତା, ତେବେ ଦିଲ୍ଲୀରେ ଯମୁନା ଏତେ ପ୍ରଦୂଷିତ ହୋଇନଥାନ୍ତା ବୋଲି ଆପ୍ ପକ୍ଷରୁ କୁହାଯାଉଛି। ଏହି ଘଟଣାକୁ ନେଇ ବଡ଼ ରାଜନୀତି ହେଲାଣି ।