ଭୁବନେଶ୍ବର: ଅଭିନେତା ପପୁ ପମପମଙ୍କ ଅଭିନବ ପ୍ରୟାସ । ସୁଟିଂ ସେଟରେ ଘୋଷଣା କଲେ ଫିଲ୍ମର ଶୀର୍ଷକ । ପିକେ ଫିଲ୍ମ ବ୍ୟାନରରେ ସୁଟିଂ ଚାଲିଥିବା ପପୁଙ୍କ ଆଗାମୀ ଫିଲ୍ମର ନାଁ ରଖାଯାଇଛି ଡଷ୍ଟବିନ୍ । କାହାଣୀ, ଚିତ୍ରନାଟ୍ୟ, ସଙ୍ଗୀତ ସହିତ ନିର୍ଦ୍ଦେଶନା ଦେଉଛନ୍ତି ନିଜେ ପପୁ ପମପମ । କେ.କେ ସାହୁ ପ୍ରଯୋଜକ ଭାର ସମ୍ଭାଳି ଥିବାବେଳେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ପ୍ରଦୀପ୍ତ ସ୍ୱାଇଁ । ଦୀପକ ଜେନା ସଂଳାପ ରଚନା କରିଥିବାବେଳେ କ୍ୟାମେରା ପରିଚାଳନା କରିଛନ୍ତି ଶୁଭମ । ଗୀତିକାର ନିର୍ମଳ ନାୟକ, ଦୀପକ ଜେନା ଓ ରଞ୍ଜନ ନାୟକଙ୍କ ଗୀତରେ କଣ୍ଠଦାନ କରିଛନ୍ତି କୁଲଦୀପ, ଅନ୍ତରା, ଅନୁରାଗ ଦାସ, ଅନନ୍ୟା ଶ୍ରୀତମ ନନ୍ଦ ଓ ଦେବେଶ ପତି । ଅଳ୍ପ ଦିନର ବ୍ୟବଧାନ ପରେ ପୁଣିଥରେ ନାୟକ ଭୂମିକାରେ ବଡ଼ ପରଦାକୁ ଫେରୁଛନ୍ତି ପପୁ । ସିନେମାରେ ଏକ ସଫେଇ କର୍ମଚାରୀ ଭୂମିକାରେ ସେ ନଜର ଆସିବେ । ଯେଉଁଥିରେ ଡେବ୍ୟୁ କରିଛନ୍ତି ନାୟିକା ପ୍ରାଚୀ । ସୁକୁମାର ଟୁଡୁଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଅନ୍ୟାନ୍ୟ ଚରିତ୍ରରେ ଦୀପାନ୍ୱିତ ଦାସ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ଅରବିନ୍ଦ ଷଡ଼ଙ୍ଗୀ, ଟୁକୁନା ଷ୍ଟାଇଲିସ ଓ ମନୋଜ ସ୍ୱାଇଁ ନଜର ଆସିବେ। ଡଷ୍ଟବିନରେ ରହିଛି ସସ୍ପେନ୍ସ ଥ୍ରୀଲର । ଏଥିରେ ଲଭ, ରୋମାନ୍ସ, ଆକ୍ସନ, ଇମୋସନ ସବୁକିଛି ଦେଖିବାକୁ ପାଇବେ ଦର୍ଶକ । ସାଧାରଣ ପ୍ରେମ କାହାଣୀରେ ଡଷ୍ଟବିନ କେମିତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ, ତାର ନିଆରା ନଜିର ରହିଛି ଏହି ଚଳଚ୍ଚିତ୍ରରେ । ଏପ୍ରିଲ ୧୧ରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପିକେ ଫିଲ୍ମ ପକ୍ଷରୁ ସୂଚନା ଦିଆଯାଇଛି ।
ଅଶ୍ଲୀଳତା ବିନା ବି ବଞ୍ଚିପାରିବ କଳା: ଖଣ୍ଡଗିରି ଯାତ୍ରାରେ ଦର୍ଶକ ଦେଲେ ବଡ଼ ପ୍ରମାଣ
ଭୁବନେଶ୍ବର: ଦର୍ଶକଙ୍କ ମନ ଜିଣିଲା ସଂଳାପ । ରାତି ତମାମ ବାନ୍ଧି ରଖିଲା କଳାକାରଙ୍କ ନିଚ୍ଛକ ଅଭିନୟ । ଅଶ୍ଳୀଳତା ଶୂନ୍ୟ ସତ୍ତ୍ବେ ଯାତ୍ରା ଦେଖିବାକୁ ଖଚାଖଚ ଭିଡ଼ । ଲୋକଙ୍କୁ ହସ କାନ୍ଦରେ ମତୁଆଲା କଲା ନାଟ୍ୟକାରଙ୍କ କାହାଣୀ । ଖଣ୍ଡଗିରି ଯାତ୍ରା ମହାସମରର ଦ୍ବିତୀୟ ଦିନରେ ଦର୍ଶକଙ୍କ ଆଗ୍ରହକୁ ଦେଖି ୪ଟି ପାର୍ଟି ସେମାନଙ୍କ ନାଟକ ରିପିଟ୍ କରିଥିବାବେଳେ ମୈଦାନକୁ ଓହ୍ଲାଇଛନ୍ତି ଆଉ ଦୁଇଟି ଯାତ୍ରାର ଦଳ । ଦ୍ବିତୀୟ ଦିନରେ ଯାତ୍ରା ମହାସମରରେ ସାମିଲ ହୋଇଛନ୍ତି ଦୂର୍ଗା ମନ୍ଦିର ଓ ଯାତ୍ରା ଯାଜ୍ଞସେନୀ । ଜାଗମରା ମାଆ ମଙ୍ଗଳା ସଂସ୍କୃତିକ ପରିଷଦ ପଡ଼ିଆରେ ପ୍ରଥମ ରାତିରେ ଦୁର୍ଗା ମନ୍ଦିର ନାଟକ ପରିବେଷଣ କରିବ ଡିଏସପି ଦୁର୍ଗା । ଡଲି ଭୂୟାଁଙ୍କ ଟାର୍ଗେଟରେ ନଣ୍ଡା ରଞ୍ଜିତ । କ୍ରାଇମ ଓ କ୍ରିମିନାଲ ହୋସ ଉଡାଇବ ଦୁର୍ଗା । ସେହିଭଳି ବରମୁଣ୍ଡାର ବାବା ନୀଳକଣ୍ଠଶ୍ୱର ଯାତ୍ରା କମିଟି ପଡ଼ିଆରେ ଯାତ୍ରା ଯାଜ୍ଞସେନୀ ଖେଳିବ ପାଞ୍ଚ ପତିର ସ୍ୱାମୀ। ଖଳନାୟକ ଅଭିନ୍ନ, ମିନୁ, ବର୍ଷା ଓ ଏକାଧିକ ଟେଲି ଅଭିନେତା ସାଜିବେ ଆକର୍ଷଣ ।
ସେପଟେ ପ୍ରଥମ ପର୍ଯ୍ୟାୟରେ ଯାତ୍ରା ମହାସମରକୁ ଫାଇଟ କରୁଥିବା ୪ ପାର୍ଟି ପୃଥ୍ୱୀରାଜ, ସୂର୍ଯ୍ୟ ମନ୍ଦିର, ଶିବାନୀ ଓ ଯାତ୍ରାଶ୍ରୀ ବିଶ୍ୱ ଦରବାର ସେମାନଙ୍କ ନାଟକ ରିପିଟ କରୁଛନ୍ତି । ରାଜଧାନୀ ରଜନୀ ଗନ୍ଧାରେ ରାଣୀ ପଣ୍ଡାଙ୍କ ବେଶ୍ୟା କୋଠିର ବାଇ ନାଟକକୁ ପସନ୍ଦ କରିଛନ୍ତି ଦର୍ଶକ । ସେହିଭଳି ଅପେରା ସୂର୍ଯ୍ୟ ମନ୍ଦିରର ଗ୍ୟାଙ୍ଗଷ୍ଟର ପ୍ରେମ କାହାଣୀକୁ ନେଇ ନାଟକ ହାଇଦର ପ୍ରଥମ ଦିନରୁ ହାଉସଫୁଲ ରହିଛି । ଅନ୍ୟପଟେ ଶିବାନୀ ଆଜି ବି ହାଃ କୃଷ୍ଣ ବୋଲି ଯାଉ ଜୀବ ଓ ଯାତ୍ରାଶ୍ରୀ ବିଶ୍ବଦରବାର କହିବାକୁ ଲାଜ ଶୁଣିବାକୁ ପାପ ନାଟକ ଦ୍ବିତୀୟ ରଜନୀରେ ମଞ୍ଚସ୍ଥ କରୁଛି ଅଶ୍ଳୀଳତା ନଥିଲେ ସୁଦ୍ଧା ଯାତ୍ରାର ସଂଳାପ, କଳାକାରଙ୍କ ଜୀବନ୍ତ ଅଭିନୟ ଓ ନାଟ୍ୟକାରଙ୍କ କାହାଣୀ ଯେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ପାରେ, ଏହା ପ୍ରଥମ ଦିନ ଖଣ୍ଡଗିରି ଯାତ୍ରା ମହାସମରରେ ପ୍ରମାଣିତ ହୋଇଛି ।
ଜୀବନ ପାଲଟିଛି ଯନ୍ତ୍ରଣା: ଦୃଷ୍ଟିହୀନ ସାଙ୍ଗକୁ କର୍କଟ ରୋଗରେ ଆକ୍ରାନ୍ତ, ଅସହ୍ୟ ଯନ୍ତ୍ରଣାରେ ଛଟପଟ ୨ ନିଷ୍ପାପ ଶିଶୁ
ଯାଜପୁର: ଜୀବନ ପାଲଟିଛି ଯନ୍ତ୍ରଣା । ଖେଳକୁଦ ବୟସରେ ଯନ୍ତ୍ରଣାରେ ଛଟପଟ ଜୀବନ । ଅଭାବ ଅନଟନ ଭିତରେ ରୋଗର ଦାଉ । ବଡ ପୁଅର ଗୋଟିଏ ଆଖିକୁ ଦେଖାଉନଥିବା ବେଳେ ସାନ ପୁଅ ଜନ୍ମରୁ ଦୃଷ୍ଟିବାଧିତ ସାଙ୍ଗକୁ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବଡ଼ ତ୍ରିଲୋଚନପୁର ଗାଁରେ । ଏହି ଗାଁରେ ରୁହନ୍ତି ଅନୀଲ ମାଝୀଙ୍କ ପରିବାର । ହେଲେ ଏହି ପରିବାର ଉପରେ ଦୁଃଖର କଳାବାଦଲ ମାଡି ବସିଛି । ଅନୀଲଙ୍କ ବଡ଼ ପୁଅ ସୁନୀଲର ଗୋଟିଏ ଆଖିକୁ ଦେଖାଯାଉ ନଥିବା ବେଳେ ସାନ ପୁଅ ଗଣେଷ ଜନ୍ମରୁ ଦୃଷ୍ଟିହୀନ ସହ ଏବେ ରକ୍ତ କର୍କଟ ରୋଗରେ ପୀଡ଼ିତ ।
ଗଣେଶ ୯ ବର୍ଷର ହୋଇଥିବା ବେଳେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି । ଚିକିତ୍ସା ପାଇଁ ମେଡିକାଲ ଦୌଡ଼ି ଦୌଡ଼ି ସର୍ବସ୍ବାନ୍ତ ହେଲେଣି ପରିବାର। ବର୍ତ୍ତମାନ ତାଙ୍କର କେମୋ ଚିକିତ୍ସା ଚାଲିଥିବା ବେଳେ ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିଛି। ସେପଟେ ସୁନୀଲର ଗୋଟିଏ ଆଖିକୁ ଦେଖାଯାଉ ନଥିବାରୁ ସେ ସ୍କୁଲ୍ ଯିବା ଓ ପାଠ ପଢି଼ବାରେ ସମସ୍ୟା ଭୋଗୁଛନ୍ତି । ଏଭଳି ସ୍ଥିତରେ ୨ ପୁଅଙ୍କ ଚିକିତ୍ସା ନିମନ୍ତେ ସରକାରୀ କିମ୍ବା ବେସରକାରୀ ସ୍ତରରେ ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ।
ଅନୀଲ ଦିନ ମଜୁରିଆ ହୋଇଥିବାରୁ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର । ଦିନରେ କାମ କରିବାକୁ ଗଲେ ସନ୍ଧ୍ୟାରେ ଘରେ ଚୁଲି ଜଳେ । ଓଳିଏ ଖାଇଲେ ଓଳିଏ ଉପାସ। ଯେଉଁଠି ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟକର ସେଠି ପୁଅର ଚିକିତ୍ସା ବା କେମିତି ହେବ। ଏଭଳି ପରିସ୍ଥିତିରେ ୨ ପୁଅଙ୍କ ଚିକିତ୍ସା ପାଇଁ ଅର୍ଥ ଆଣିବେ କେଉଁଠୁ। ତେଣୁ ତୁରନ୍ତ ସରକାର ଏମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କୋରେଇ ବିଡିଓ। ଗୋଟିଏ ପଟେ ଦାରିଦ୍ର୍ୟର ତାଡନା ଓ ଅନ୍ୟପଟେ ପୁଅର ଯନ୍ତ୍ରଣା, ଏହା ଭିତରେ ସନ୍ତୁଳି ହୋଇଯାଉଛି ଜୀବନ। ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ ଟିକେ ମିଳିପାରିଲେ ନିଷ୍ପାପ ଶିଶୁଙ୍କ ମୁହଁରେ ହସ ଫୁଟି ପାରନ୍ତା।
ଗର୍ଭବତୀ ମହିଳାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଲେ ଜଣେ ଯୁବକ
ନନ୍ଦିଘୋଷ ବ୍ୟୁରୋ: ଗର୍ଭବତୀ ମହିଳାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଲେ ଜଣେ ଯୁବକ। ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ପରେ ଯୌନ ଶୋଷଣକୁ କରିବାକୁ ଚେଷ୍ଟା କରୁଥିଲା ଯୁବକ। ମହିଳା ବିରୋଧ କରିବାକୁ ଚଳନ୍ତା ଟ୍ରେନରୁ ମହିଳାଙ୍କୁ ଧକ୍କା ଦେଲା ଯୁବକ । ଫଳରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ବର୍ତ୍ତମାନ ଏକ ସରକାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ଏଭଳି ଅଭାବନୀୟ ଘଟଣା ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ।
ସୂଚନା ଅନୁଯାୟୀ, ତାମିଲନାଡୁର ଭେଲୋର ଜିଲ୍ଲାରେ ଫେବୃଆରୀ ୬ ରାତିରେ ଜଣେ ଗର୍ଭବତୀ ମହିଳା ତିରୁପତି ଇଣ୍ଟରସିଟି ଏକ୍ସପ୍ରେସ ଯୋଗେ ଆନ୍ଧ୍ରପ୍ରଦେଶ ଚିତ୍ତୋରକୁ ଯାଉଥିଲେ। ଟ୍ରେନ ଷ୍ଟେସନ ଛାଡିବା ପରେ ୨୭ ବର୍ଷୀୟ ହେମରାଜ ଟ୍ରେନରେ ଚଢିଥିଲେ। ମହିଳା ଏକା ବସିଥିବା ଦେଖି ତାଙ୍କୁ ଦୁର୍ବ୍ୟବହାର କରିବା ସହ ପରେ ଯୌନ ଶୋଷଣ କରିବାକୁ ଚେଷ୍ଟା କରିଥିଲା ଯୁବକ। ଯେତେବେଳେ ମହିଳା ତାଙ୍କୁ ବିରୋଧ କରିଥିଲେ ସେତେବେଳେ ଯୁବକ ଜଣଙ୍କ ଚଳନ୍ତା ଟ୍ରେନରୁ ମହିଳାଙ୍କୁ ଧକ୍କା ଦେଇଥିଲା । ଚଳନ୍ତା ଟ୍ରେନରୁ ପଡ଼ି ଗର୍ଭବତୀ ମହିଳାଙ୍କ ଗୋଡ଼ ଏବଂ ହାତରେ ଫ୍ରାକ୍ଚର ଆସିଥିଲା ଏବଂ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଏନେଇ ଜୋଲାରପେଟାଇ ରେଳବାଇ ପୋଲିସ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ମ୍ୟାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର: ମ୍ୟାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଗଣଶିକ୍ଷା ମନ୍ତ୍ରୀ ଛତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି। ଏହାସହ ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପି ମୁକ୍ତ କରିବା ପାଇଁ ବିଭାଗ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । କପି କିମ୍ବା ପ୍ରଶ୍ନପତ୍ର ଭାଇରାଲ କଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ। ଏଥର କପି ଓ ପ୍ରଶ୍ନପତ୍ର ଭାଇରାଲ ହେବନି ବୋଲି ମନ୍ତ୍ରୀ ଦୃଢ଼ ଆଶାବାଦୀ ଅଛନ୍ତି । ସେଥିପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

