spot_img
Home Blog Page 1125

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ T-20 ମୁକାବିଲା: ସିରିଜ କବଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ରାଜକୋଟ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-ଟ୍ବେଣ୍ଟି ମୁକାବିଲା । ରାଜକୋଟରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ପ୍ରଥମ ଦୁଇଟି ମ୍ୟାଚ ଜିତି ୫ଟିକିଆ ସିରିଜରେ ୨-୦ରେ ଅଗ୍ରଣୀ ରହିଛି ଟିମ୍ ଇଣ୍ଡିଆ । ତେଣୁ ଆଜିର ମ୍ୟାଚ ଜିତି ସିରିଜ କବଜା କରିବାକୁ ଭରପୂର ଉଦ୍ୟମ କରିବ ମେନ ଇନ୍ ବ୍ଲୁ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଟିମ ଏହି ସିଜନରେ ଭଲ ପ୍ରଦର୍ଶନ କରିଛି । ସେପଟେ ଏହି ମ୍ୟାଚ ଜିତି ସିରିଜରେ ନିଜ ସ୍ଥିତି ବଜାୟ ରଖିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ । ତେଣୁ ରାଜକୋଟରେ ମ୍ୟାଚ ରୋମାଞ୍ଚକ ହେବା ଆଶା କରିଛନ୍ତି କ୍ରିକେଟପ୍ରେମୀ । କୋଲକାତା ଇଡେନ ଗାର୍ଡେନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଭାରତ ୭ ୱିକେଟରେ ଜିତିଥିଲା । ସେହିପରି ଚେନ୍ନାଇରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚକୁ ଦୁଇ ୱିକେଟରେ ଜିତିଥିଲା ଟମ୍ ଇଣ୍ଡିଆ । ତେଣୁ ୫ ଟିକିଆ ସିରିଜର ତୃତୀୟ ମ୍ୟାଚ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ସୂର୍ଯ୍ୟକୁମାର ଆଣ୍ଡ କୋ । ସିରିଜର ଚତୁର୍ଥ ମ୍ଯାଚ ପୁନେରେ ୨୫ ତାରିଖରେ ଖେଳାଯିବାକୁ ଥିବାବେଳେ ଶେଷ ତଥା ପଞ୍ଚମ ମ୍ୟାଚ ଫେବୃଆରୀ ୨ ତାରିଖରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ଏହାପରେ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ ଏକଦୀବସୀୟ ସିରିଜ । ଏହି ସିରିଜର ଦ୍ବିତୀୟ ମ୍ୟାଚ ଫେବୃଆରୀ ୯ ତାରିଖରେ କଟକ ବାରବାଟୀରେ ଅନୁଷ୍ଠିତ ହେବ ।

ଆଜି ବି ରାଜ୍ୟରେ ଘନ କୁହୁଡ଼ିର ପ୍ରଭାବ: ଭୋରରୁ ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ବର: ଆଜି ବି ଘନ କୁହୁଡି ପକାଇଲା ପ୍ରଭାବ । ଭୋରରୁ ଯାତାୟତ ବାଧାପ୍ରାପ୍ତ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡିର ପ୍ରଭାବ ଦେଖିବାକୁ ମିଳିଥିଲା। ଘନ କୁହୁଡି ନେଇ ଆଜି କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିଲା । ଏହି ସବୁ ଜିଲ୍ଲାରେ ଭିଜିବିଲିଟି ୫୦ ମିଟରରୁ କମ୍ ରହିପାରେ ବୋଲି କୁହାଯାଇଥିଲା। କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଥିଲା । ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା । ବର୍ତ୍ତମାନ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ କୁହୁଡି ମାତ୍ରା ବୃଦ୍ଧି ପାଉଛି । ସେପଟେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି ।

ଦୟା ନଦୀ ପ୍ରଦୂଷଣ ଘଟଣା: ବିଏମସି କମିଶନର ଓ ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କ ନାଁରେ ଏତଲା

ଭୁବନେଶ୍ବର: ଦୟା ନଦୀ ପ୍ରଦୂଷଣରେ ମୃତ୍ୟୁ ପାଇଁ ଦାୟୀ ବିଏମସି କମିଶନର ଓ ପୂର୍ବତଟ ରେଳ ମହାପ୍ରବନ୍ଧକ । ଦୁହିଁଙ୍କ ବିରୋଧରେ ଖାରବେଳ ଥାନାରେ ଏତଲା ଦେଲା ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ । ଦୟାର ପ୍ରଦୂଷିତ ବିଷାକ୍ତ ପାଣି ବ୍ୟବହାର କରି କଣାସ ବ୍ଲକର ଚାରି ଜଣଙ୍କ ମୃତ୍ୟୁ ସହିତ ଶତାଧିକ ଲୋକ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଭୁବନେଶ୍ୱରର ସମସ୍ତ ବର୍ଯ୍ୟବସ୍ତୁ ସହିତ ବିଷାକ୍ତ ପାଣି ଗଙ୍ଗୁଆ ମାଧ୍ୟମରେ ସିଧାସଳଖ ଯାଇ ଦୟା ନଦୀରେ ମିଶୁଛି l ସେହି ଜହର ଯୁକ୍ତ ପାଣି ବ୍ୟବହାର କରି କଣାସ ଅଞ୍ଚଳର ଲୋକଙ୍କ ଦୁର୍ଦଶା ବଢ଼ି ଚାଲିଛି ।

ଭୁବନେଶ୍ୱରର ସତ୍ୟନଗର ନିକଟରେ ଥିବା ରେଳ ବିଭାଗର ରେଳ ୱାସିଙ୍ଗ ପଏଣ୍ଟରେ ସଫେଇ ପାଇଁ ଆସୁଥିବା ସବୁ ରେଳଗାଡ଼ିର ବର୍ଯ୍ୟବସ୍ତୁ, ବାଇଓ ଟଏଲେଟର ମଳମୂତ୍ର ଇତ୍ୟାଦି ସେଠାରୁ ସିଧା ଗଙ୍ଗୁଆକୁ ଛାଡି ଦିଆଯାଉଛି । ଏହା ଗଙ୍ଗୁଆ ପ୍ରଦୂଷଣର ଏକ ମୁଖ୍ୟ କାରଣ । ଭୁବନେଶ୍ୱର ମହାନଗର ନିଗମ ସମସ୍ତ ଡ୍ରେନ ଗଙ୍ଗୁଆ ସହିତ ସଂଯୋଗ କରାଯାଇଛି । ତେଣୁ ଦୟା ପ୍ରଦୂଷଣର ପ୍ରମୁଖ ଅଭିଯୁକ୍ତ ହେଉଛନ୍ତି ବିଏମସି କମିଶନର ଓ ପୂର୍ବତଟ ରେଳବାଇ ମୁଖ୍ୟ ପ୍ରବନ୍ଧକ ।

ସଂଗଠନର ଏକ ପ୍ରତିନିଧି ଦଳ ଆଜି ସତ୍ୟନଗରର ରେଳ ୱାସିଙ୍ଗ ପଏଣ୍ଟକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛି । ଏହା ଅନ୍ୟନ୍ତ ସାଂଘାତିକ ବୋଲି କହିଛି ସଙ୍ଗଠନ । ରେଳ ୱାସିଙ୍ଗ ୟାର୍ଡର ସବୁ ବର୍ଯ୍ୟ ପାଣି ଯିବା ପାଇଁ ଦୁଇଟି ଚ୍ୟାନେଲ ରହିଛି । ସେହି ଚ୍ୟାନେଲର ପଚା ପାଣିକୁ ଟ୍ରିଟମେଣ୍ଟ କରିବାକୁ ଏକ ଛୋଟ ପ୍ଲାଣ୍ଟ ବାସ ଯାଇଛି । ହେଲେ ତାହା ଦିନରେ ଲଣ୍ଠନ ଦେଖାଇଲା ଭଳି । ତାହା ବହୁବର୍ଷ ହେଲା କାମ କରୁନି, ନାମକୁ ମାତ୍ର ଅଛି । ଟାଙ୍କିରେ କଳଙ୍କି ଲାଗି ଗଲାଣି । ଯୋଉ ବଡ଼ ବଡ଼ ସୋପ ପିଟ ଅଛି ସେଠାରେ ପୋକ ସାଲୁବାଲୁ ହେଉଛନ୍ତି । ସବୁ ବର୍ଯ୍ୟ ପାଣି ବଡ଼ ବଡ଼ ପାଇପ ମାଧ୍ୟରେ ସିଧା ଡ୍ରେନରେ ଯାଇ ଗଙ୍ଗୁଆ ନାଳରେ ମିଶୁଛି । ଏନେଇ ପାଣି ପ୍ରଦୂଷଣ ଜନିତ ମୃତ୍ୟୁ ତଥା ଜଳ ଉତ୍ସରେ ବିଷାକ୍ତ ପାଣି ମିଶାଉଥିବା ଅଭିଯୋଗରେ ବିଏମସି କମିଶନର ଓ ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କ ବିରୋଧରେ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ସଂଯୋଜକ ବିଜୟ ପ୍ରଧାନଙ୍କ ସମେତ ବହୁ ସାମାଜିକ କର୍ମୀ ଯୋଗ ଦେଇଥିଲେ ।

୨୫ ବର୍ଷରେ ଋଣ ଭାର ଯେତିକି ଥିଲା, ବିଜେପି ସରକାରର ଗୋଟିଏ ବଜେଟରେ ଛୁଇଁଲାଣି ୫୦ ପ୍ରତିଶତ

ଭୁବନେଶ୍ବର: ୨୫ ବର୍ଷ ଭିତରେ ଓଡ଼ିଶା ଯେତିକି ଋଣ କରିଥିଲା । ଏବେର ସରକାର ଗୋଟିଏ ବର୍ଷରେ ତାର ୫୦ ପ୍ରତିଶତକୁ ଛୁଇଁଲେଣି । ସେପଟେ ଖଣି ରାଜସ୍ବ ଭଳି ଅଣ ଟିକସ ରାଜସ୍ବ ପରିମାଣ ଗତବର୍ଷ ଅପେକ୍ଷା କମିଛି । ସରକାରୀ ପଦବୀ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପ୍ରାଶାସନିକ ବ୍ୟୟ ଭାରକୁ ଆହୁରି ବଢାଇବ । ଏହାସହିତ ମାଳ ମାଳ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦରେ ମଧ୍ୟ ରାଜ୍ୟ ଅଂଶ ବାବଦରେ ଅଧିକ ବ୍ୟୟ ବରାଦ କଲେ ସରକାରଙ୍କୁ ଋଣ ଅଧିକ କରିବାକୁ ପଡ଼ିବ । ଆର୍ଥିକ ପରିଚାଳନା ଏପରି ଚାଲିଲେ ଓଡ଼ିଶା ପୁଣି ଥରେ ୨ ହଜାର ମସିହା ପୂର୍ବ ନିଅଣ୍ଟିଆ ସ୍ଥିତିକୁ ଚାଲିଯିବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି ।

ବଢୁଛି ପ୍ରଶାସନିକ ବ୍ୟୟ । କେନ୍ଦ୍ର ଚାପରେ ଚେପା ହେଲେଣି ରାଜ୍ୟ । କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦ ବ୍ୟୟ ତୁଲାଇବାକୁ ଯାଇ ଋଣ ଭାରରେ ବୁଡିଲାଣି ଓଡ଼ିଶା । ଆଗକୁ ସ୍ଥିତି ସଙ୍ଗୀନ ହେବାକୁ ଯାଉଛି । ଏବେର ବିଜେପି ସରକାରର ଆର୍ଥିକ ପରିଚାଳନା ଦେଖି ଏପରି ଆଶଙ୍କା ବ୍ୟକ୍ତ କରୁଛନ୍ତି ବିଶେଷଜ୍ଞ । ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ୬୫ ହଜାର ସରକାରୀ ପଦବୀ ପୂରଣ କରିବାକୁ ଖୋଦ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଦ୍ବାରା ପ୍ରଶାସନିକ ବ୍ୟୟ ଭିତ୍ତିଭୂମି ବ୍ୟୟବରାଦକୁ ଟପିବାର ଆଶଙ୍ଗା ସୃଷ୍ଟି ହୋଇଛି ।

୨୫ ବର୍ଷରେ ଯେତିକି ଋଣ ହୋଇଥିଲା କେବଳ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୪୨ ହଜାର ୪୯୫ କୋଟିର ଋଣ କରିସାରିଲେଣି । ପୂର୍ବରୁ ରାଜ୍ୟର ଋଣ ଭାର ଥିଲା ୯୭ ହଜାର କୋଟି । ଏବେ ଋଣଭାର ହେଲା ୧ ଲକ୍ଷ ୩୯ ହଜାର ୪୯୫ କୋଟି । ସରକାରଙ୍କ ନିଜସ୍ବ ଆୟ ମଧ୍ୟ କମି ଚାଲିଛି । ତୃତୀୟ କ୍ବାର୍ଟର ସୁଦ୍ଧା ଖଣି ରାଜସ୍ବ ମାତ୍ର ୩୧ ହଜାର ୪୦ କୋଟି ୬୦ ଲକ୍ଷ । ଯାହାକି ପୂର୍ବବର୍ଷ ତୃତୀୟ କ୍ବାର୍ଟର ସୁଦ୍ଧା ୧.୭୩ ପ୍ରତିଶତ କମ୍ । ବିଶେଷଜ୍ଞଙ୍କ ଆଶଙ୍କା ଖଣି ରାଜସ୍ବ କମୁ ଥିବାରୁ ଉନ୍ନୟନ ମୂଳକ କାମ ପାଇଁ ପାଣ୍ଠି ଅଭାବ ପଡିବ । ସେପଟେ କେନ୍ଦ୍ର ସରକାର ବି ମାଳ ମାଳ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଲଦି ଚାଲିଛନ୍ତି । ଆୟୁଷ୍ମାନ ଭାରତ ଲାଗୁ ହେଲେ ରାଜ୍ୟକୁ ସେ ବାବଦରେ ୬୦:୪୦ ଅନୁପାତରେ ଅର୍ଥ ଦେବାକୁ ପଡ଼ିବ । ରାଜସ୍ବ ଆଦାୟ କମୁଥିବାରୁ ଆନୁପାତିକ ଅଂଶ ବାବଦକୁ ସରକାରଙ୍କୁ ଅଧିକ ଋଣ କରିବାକୁ ପଡ଼ିବ ।

ମହିଳାଙ୍କୁ ଆତ୍ମନିର୍ଭର କରିବାକୁ ବିଜେପି ସରକାରଙ୍କ ସ୍ଲୋଗାନ କେବଳ ସ୍ଲୋଗାନରେ ପରିଣତ ହୋଇଛି । ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାକୁ ବିଜେଡି ସରକାର ଆରମ୍ଭ କରିଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ସରକାର ବଦଳିବା ପରେ ଏକ ପ୍ରକାର ଠପ ହୋଇଯାଇଛି । କାର୍ଯ୍ୟକାରୀ ହେଉଥିବା ସବୁ ପ୍ରକଳ୍ପ କାମ ଅଧପନ୍ତରିଆ ପଡିଛି । ୪୪ଟି ବିଭାଗର ବ୍ୟୟ ତାଲିକାରୁ ଜଣାପଡ଼ିଛି, ୨୦୨୪-୨୫ ଆର୍ଥିକ ବର୍ଷର ତୃତୀୟ କ୍ବାର୍ଟର ସୁଦ୍ଧା ମିଶନ ଶକ୍ତି ବିଭାଗ ମାତ୍ର ୧୩.୯୬ ପ୍ରତିଶତ ଖର୍ଚ୍ଚ କରି ସବୁଠ ତଳେ ରହିଛି । ଡବଲ ଇଞ୍ଜିନ୍ ସରକାର ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଦେଉଥିବା ଅର୍ଥ କେତେ ମହିଳାଙ୍କୁ ରୋଜଗାରକ୍ଷମ କରିପାରିବା ନେଇ ସନ୍ଦେହ ରହିଛି । ବିଜେଡି ସରକାରର ଆର୍ଥିକ ପରିଚାଳନା ଦେଶରେ ଅନନ୍ୟ ଥିଲା ବୋଲି ଖୋଦ ନୀତି ଆୟୋଗ ସାର୍ଟିଫିକେଟ୍ ଦେଇଛନ୍ତି । ଏ ସରକାର ପୂର୍ବ ସରକାରଙ୍କ ଆର୍ଥିକ ପରିଚାଳନା ମଡେଲ ଭାବେ ଗ୍ରହଣ କରିବାକୁ ଅର୍ଥନୀତି ସମୀକ୍ଷକ ପରାମର୍ଶ ଦେଇଛନ୍ତି ।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ୨ ଲକ୍ଷ ୬୫ ହଜାର କୋଟିର ବଜେଟରେ ଋଣ ପରିମାଣ ଥିଲା ୪୨ ହଜାର ୪୯୫ କୋଟି । ସେଥିରୁ ଖୋଲା ବଜାରରୁ ସଗ୍ରହ କରିଛନ୍ତି ୧୫ ହଜାର ୭୮୦ କୋଟି ଟଙ୍କର ଋଣ । ମିଳୁଥିବା ସୂଚନା ଅନୁଯାୟୀ ଆସନ୍ତା ବଜେଟରେ ମଧ୍ୟ ରାଜ୍ୟ ସରକାର ଖୋଲା ବଜାରରୁ ବଡ ପରିମାଣରେ ଋଣ ଉଠାଇବାକୁ ଯାଉଛନ୍ତି ।

ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି: କେବେ ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ?

ଭୁବନେଶ୍ବର: ବହୁ ବାଦ ବିବାଦ, ଜୋରଦାର୍ ଆନ୍ଦୋଳନ ପରେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ଆରମ୍ଭ ହୋଇଥିଲା । ୨୦୧୯ ଜାନୁୟାରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀରରୁ ବିଚ୍ଛୁପାଲି ପର୍ଯ୍ୟନ୍ତ ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ୬ ବର୍ଷ ପୂରିଛି, ହେଲେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ଅନ୍ୟପଟେ ରେଳପଥ ଶୀଘ୍ର କରିବା ପାଇଁ ବିଜେଡି ସରକାରଙ୍କ ସମୟରେ ମାଗଣାରେ ଜମି ସହ ୧୩ ଶହ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା । ସେଥିରୁ ପାଖାପାଖି ୭ ଶହ କୋଟି ଟଙ୍କା ଖର୍ଚ୍ଚ କରିପାରିଛି ରେଳ ବିଭାଗ । ବାକି ୬ ଶହ କୋଟି ଟଙ୍କା ପଡି ରହିଛି ।

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କେନ୍ଦ୍ର ସରକାରଙ୍କ ମିଛ ଧରା ପଡିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ଜଣାଶୁଣି ବିଳମ୍ବ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା । ବିଜେଡି ସରକାର ମାଗଣାରେ ଜମି ଯୋଗାଇ ଦେବା ସହ ୫ ବର୍ଷରେ ୧୩ ଶହ କୋଟି ଟଙ୍କା ପ୍ରଦାନ କରିଛନ୍ତି I କିନ୍ତୁ ପ୍ରକଳ୍ପ ଶେଷ ଧାର୍ଯ୍ୟ ସୀମା ପ୍ରତିବର୍ଷ ବୃଦ୍ଧି କରାଯାଉଛି । ୨୦୨୧ରୁ ୨୦୨୪ କରାଗଲା ଏବେ ୨୦୨୬କୁ ବୃଦ୍ଧି କରାଯାଇଛି । ବଲାଙ୍ଗୀର ପଟୁ ସୋନପୁର ପର୍ଯ୍ୟନ୍ତ ରେଳ ଚଳାଚଳ କରିଥିବା ବେଳେ ଖୋର୍ଦ୍ଧା ପଟୁ ଦଶପଲ୍ଲା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ କରୁଛି । ୩୦୧ କିମି ଲମ୍ବ ରେଳପଥରୁ ବର୍ତ୍ତମାନ ୧୯୮ କିମି ନିର୍ମାଣ କରାଯାଇଥିବା ବେଳେ ବାକି ରହିଥିବା ୧୨୬୯ ଏକର ଜମିକୁ ଷ୍ଟେଜ-୨ ମଞ୍ଜୁରୀ ମିଳି ନଥିବା ଜଣାପଡିଛି । ବୌଦ୍ଧରୁ ପୁରୁଣାକଟକ ୨୬ କିମି ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ପୁରୁଣାକଟକରୁ ଦଶପଲ୍ଲା ୭୫ କିମି ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି ।

ଗତ ୫ ବର୍ଷରେ ଏହି ରେଳପଥ ପାଇଁ ୪୩୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଖର୍ଚ୍ଚ କରାଯାଇଛି ମାତ୍ର ୨୩୩୮ କୋଟି ଟଙ୍କା । ୨୦୧୮-୧୯ରେ ୬୨୫ କୋଟି ବଜେଟ ଘୋଷାଣ ହୋଇଥିଲା କିନ୍ତୁ ଖର୍ଚ୍ଚ ହୋଇଥିଲା ୧୫୯ କୋଟି, ୨୦୧୯-୨୦ରେ ୩୫୦ କୋଟି ଘୋଷାଣ କିନ୍ତୁ ଖର୍ଚ୍ଚ ୧୫୩ କୋଟି, ୨୦୨୦-୨୧ରେ ୫୧୯ କୋଟି ଘୋଷଣା କିନ୍ତୁ ଖର୍ଚ୍ଚ ୧୭୦ କୋଟି, ୨୦୨୧-୨୨ରେ ୧୦୦୦କୋଟି ଘୋଷଣା କିନ୍ତୁ ଖର୍ଚ୍ଚ ୩୭୧ କୋଟି । ସେହିପରି ୨୦୨୨-୨୩ରେ ୮୯୧କୋଟି ଟଙ୍କା ଘୋଷଣା ହୋଇଥିବା ବେଳେ ୨୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା I ୨୦୨୩-୨୪ରେ ୧୫୯୯ କୋଟି ଟଙ୍କା ଘୋଷଣା ହୋଇଥିଲା । ହେଲେ ଏହାର ଅଧା ବି ରେଳ ବିଭାଗ ଖର୍ଚ୍ଚ କରିପାରୁନାହିଁ ।

ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପୂର୍ବରୁ ଶିଳ୍ପମନ୍ତ୍ରୀଙ୍କ ବୟାନକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ବର: ମେକ୍ ଇନ ଓଡ଼ିଶାର ନାଁ ବଦଳି ଉତ୍କର୍ଷ ଓଡ଼ିଶା ହୋଇଛି । ନବୀନ ପଟ୍ଟନାୟକ ସରକାର ସମୟରେ ସଫଳତା ସହ ୩ଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଜରିଆରେ ହଜାର ହଜାର କୋଟିର ପୁଞ୍ଜି ନିବେଶ ଆସିଥିଲା । ଯାହାକୁ ବର୍ତ୍ତମାନର ସରକାର ସହଜରେ ହଜମ କରି ପାରୁନାହାନ୍ତି । ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପୂର୍ବରୁ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ସମ୍ଭାବନା ସତ୍ତ୍ବେ ଓଡ଼ିଶା ଶିଳ୍ପର ମରୁଭୂମି ବୋଲି କହିଥିଲେ ମନ୍ତ୍ରୀ । ଯାହାକୁ ନାପସନ୍ଦ କରି ଅର୍ଥନୈତିକ ସମୀକ୍ଷକ ନବୀନ ସରକାର ସମୟର ପୁଞ୍ଜିନିବେଶର ତଥ୍ୟ ରଖିଛନ୍ତି । ସେପଟେ ଶିଳ୍ପ ମନ୍ତ୍ରୀଙ୍କ ବୟାନକୁ ନିନ୍ଦା କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।

ମେକ୍ ଇନ୍ ଓଡ଼ିଶା ୨୦୧୬, ୨୦୧୮ ଓ ୨୦୨୨। ଏ ସମସ୍ତ କନକ୍ଲେଭ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ବିଭିନ୍ନ ରାଜ୍ୟ ଗସ୍ତ କରି ବଡ଼ ବଡ଼ ଶିଳ୍ପପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରିଥିଲେ । ସେମାନେ ମେକ୍ ଇନ୍ ଓଡ଼ିଶାରେ ଯୋଗ ଦେଇ ଓଡ଼ିଶାରେ ବୃହତ ପୁଞ୍ଜିନିବେଶ କରିଥିଲେ । ହେଲେ ମେକ୍ ଇନ୍ ଓଡ଼ିଶାର ନାଁକୁ ଉତ୍କର୍ଷ ଓଡ଼ିଶା ଭାବେ ବଦଳାଥିଲେ ବି ନବୀନ ସରକାରଙ୍କ ସମୟରେ ପୁଞ୍ଜିନିବେଶରେ ମିଳିଥିବା ସଫଳତାକୁ ନୂଆ ସରକାର ହଜମ କରିପାରୁନି । ଯେଉଁଥି ପାଇଁ ଶିଳ୍ପ ମନ୍ତ୍ରୀ କହିଲେ, ସମ୍ଭାବନା ସତ୍ତ୍ବେ ଓଡ଼ିଶାରେ ରହିଛି ଶିଳ୍ପର ମରୁଭୂମି । ବିବୃତି ପରେ ଶିଳ୍ପମନ୍ତ୍ରୀଙ୍କୁ ନବୀନ ସରକାର ସମୟରେ ନିବେଶର ଆଇନା ଦେଖାଇଛନ୍ତି ଅର୍ଥନୀତି ବିଶେଷଜ୍ଞ । ୨୦୧୬ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୨ ଲକ୍ଷ କୋଟି ନିବେଶ ସହ ୨୮ ଶିଳ୍ପ ପ୍ରସ୍ତାବ ଆସିଥିଲା । ଏଥିରେ ୧ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ଥିଲା । ୨୦୧୮ ମେକ୍ ଇନ୍ ଓଡ଼ିଶାରୁ ୧୫ କ୍ଷେତ୍ରରୁ ୪ ଲକ୍ଷ ୧୯ ହଜାର କୋଟି ନିବେଶ ସହ ଆସିଥିଲା  ଓ ୫.୯୧ ଲକ୍ଷ ନିଯୁକ୍ତି ସୁଯୋଗ ଥିଲା । କନକ୍ଲେଭରେ ଭାରତ ସମେତ ଜାପାନ, ଚାଇନା, ଇଟାଲି, ଜର୍ମାନୀ, ସାଉଦି ଆରବ ଓ ଦକ୍ଷିଣ କୋରିଆର ଶିଳ୍ପପତି ଯୋଗ ଦେଇଥିଲେ ।

୨୦୨୨ ମେକ୍ ଇନ୍ ଓଡ଼ିଶାରେ ୭୪୧ କମ୍ପାନୀଙ୍କ ପକ୍ଷରୁ ୧୦.୫ ଲକ୍ଷ କୋଟି ନିବେଶ ପ୍ରସ୍ତାବ ରଖାଯାଇଥିଲା । ଯାହା ୧୦ ଲକ୍ଷ ୩୭ ହଜାର ୭୦୧ ଚାକିରି ସମ୍ଭାବନା ସୃଷ୍ଟି କରିପାରିଛି । ଏପରିକି ରାଜ୍ୟକୁ ନିପ୍ପନ ଆଣିବାକୁ ଦକ୍ଷିଣ କୋରିଆ ବି ଯାଇଥିଲେ ନବୀନ ।

ଉତ୍କର୍ଷ ଓଡ଼ିଶାକୁ ନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ବିଜେଡି ଓ କଂଗ୍ରେସ କଡ଼ା ଜବାବ ଦେଇଛନ୍ତି । ଗତ ୭ ମାସରେ ରାଜ୍ୟରେ ବିଗିଡ଼ିଥିବା ଆଇନ ଶୃଙ୍ଖଳା ଯୋଗୁଁ ଶିଳ୍ପ ସଂସ୍ଥା ଗୁଡ଼ିକ ଓଡ଼ିଶାରେ ନିବେଶ ପାଇଁ ଭୟ କରୁଥିବା ଅଭିଯୋଗ କରିଛି ବିଜେଡି । ପ୍ରଶାସନିକ ଓ ବିଜେପି ଚାପରେ ସେମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି । ଆଗାମୀ ୫ ବର୍ଷରେ ପରିବେଶ ନଷ୍ଟ ହୋଇ ଶିଳ୍ପ ଧ୍ବଂସର ଆଶଂକା କରିଛି ବିଜେଡି । ସେହିପରି କଂଗ୍ରେସ ନେତା ରାମଚନ୍ଦ୍ର କାଡ଼ାମ ପ୍ରଶ୍ନ କରିଛନ୍ତି, ବ୍ୟୟ ବହୁଳ ପ୍ରବାସୀ ଭାରତୀୟ ସମ୍ମିଳନୀରୁ କିଛି ନିବେଶ ଆସିଲାନି । ଉତ୍କର୍ଷ ଓଡ଼ିଶାରୁ କ’ଣ ଆସିବ ?

ନବୀନ ସରକାର ସମୟର ମେକ୍ ଇନ୍ ଓଡ଼ିଶାରୁ ରସାୟନ, ପେଟ୍ରୋ କେମିକାଲସ୍,ପ୍ଲାଷ୍ଟିକସ୍, ଆନସିଲିଆରି ସହ ଡାଉନଷ୍ଟ୍ରିମ ମେଟାଲ ଶିଳ୍ପ, ଟେକ୍ସଟାଇଲସ୍, ଆପାରେଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ଇଲେକ୍ଟ୍ରୋନିକସ୍ ମ୍ୟାନୁଫ୍ୟାକଚରିଂ ଓ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ଆସିଥିଲା । ଷ୍ଟାର୍ଟଅପ୍ ଓ ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟରେ ସଫଳତା ହାସଲ କରିଥିଲା ନବୀନ ପଟ୍ଟନାୟକଙ୍କ ମେକ୍ ଇନ୍ ଓଡ଼ିଶା ।

ବିରୋଧୀରେ ଥିବା ବେଳେ ହମ୍ ସାଥ୍ ସାଥ୍ ହେଁ… ସରକାରକୁ ଆସି ଭୁଲିଗଲେ

ଭୁବନେଶ୍ବର: ମହାବିଦ୍ୟାଳୟ ଅଧ୍ୟାପକ, କର୍ମଚାରୀଙ୍କ ସହ ରାଜ୍ୟ ବିଜେପି ସରକାର ଖେଳୁଛି ଗେମ୍ । ବିରୋଧୀ ଦଳରେ ଥିବା ବେଳେ କରୁଥିଲେ ସମର୍ଥନ । ସରକାରୁ ଆସିବା ପରେ ଏବେ କାଶିଆ କିଏ ନେ କାପିଳା କିଏ । କ୍ଷମତା ବାହାରେ ଥିବା ବେଳେ ଆନ୍ଦୋଳନକାରୀଙ୍କ କାନ୍ଧରେ କାନ୍ଧ ମିଶାଇ ତତ୍କାଳୀନ ସରକାର ଉପରେ ବର୍ଷୁଥିଲେ । ଆନ୍ଦୋଳନକାରୀଙ୍କ ଦାବି ଯଥାର୍ଥ, ତୁରନ୍ତ ପୂରଣ କରାଯିବ ଉଚିତ ବୋଲି ଚିତ୍କାର କରୁଥିଲେ । ସରକାରକୁ ଆସିଲେ ୧୦୦ ଦିନରେ ଦାବି ପୂରଣ ହେବାର ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ନେଲେ । ୧୦୦ ଦିନ ଯାଇ ୨୦୦ ଦିନ ବିତିଲାଣି, ହେଲେ ପ୍ରତିଶ୍ରୁତି ପୂରଣ ନକରି ଖେଳୁଛନ୍ତି । ଯାହାକୁ ନେଇ ବିଜେପି କାର୍ଯ୍ୟାଳୟରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ କରିଛନ୍ତି ଆନ୍ଦୋଳନ । ସେପଟେ ସରକାରୀ କର୍ମଚାରୀ ସମନ୍ୱୟ ସମିତି ମଧ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ।

ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ପୂର୍ବରୁ ଆନ୍ଦୋଳନ କଲେ ଉକ୍ତ ସ୍ଥାନକୁ ଯାଇ ନାନା ପ୍ରତିଶ୍ରୁତି ଦେଉଥିଲା ବିଜେପି । ଏବେ ଶାସନ ମଙ୍ଗ ଧରିବା ପରେ ସବୁ ଭୁଲିଯାଇଛି । ବିଜେପି ସରକାରଙ୍କ ଏଭଳି ଛଳନାକୁ ନେଇ ଅଭିନବ ଢଙ୍ଗରେ ପ୍ରତିବାଦକୁ ଓହ୍ଲାଇଛନ୍ତି ଶତାଧିକ ଅଧ୍ୟାପକ, କର୍ମଚାରୀ । ବିଜେପି କାର୍ଯ୍ୟାଳୟକୁ ଆସି ନିଜ ହକ୍ ପାଇଁ ଅଡ଼ି ବସିଛନ୍ତି । ମନେ ପକାଇ ଦେଇଛନ୍ତି ନିର୍ବାଚନ ପୂର୍ବରୁ ଓ ପରେ ବିଜେପି ଦେଇଥିବା ପ୍ରତିଶ୍ରୁତି । ସରକାର ଆସିଲେ ଶହେ ଦିନ ମଧ୍ୟରେ ଦାବି ପୂରଣ ହୋଇଯିବ ବୋଲି ଦେଇଥିବା କଥା ସବୁ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ଏବେ ବିଭିନ୍ନ ଆଳରେ ମହାବିଦ୍ୟାଳୟ ଅଧ୍ୟାପକ, କର୍ମଚାରୀଙ୍କୁ ଭଣ୍ଡାଇ ଚାଲିଛନ୍ତି ନୂଆ ସରକାର । ପୂର୍ବରୁ ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକ କର୍ମଚାରୀ ପୂର୍ଣ୍ଣ ଅନୁଦାନ ଦାବିରେ ଆନ୍ଦୋଳନରେ ବସିଥିଲେ । ସେତେବେଳର ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସାମିଲ ହୋଇ ସମର୍ଥନ ଜଣାଇଥିଲେ । ହେଲେ ଏବେ ସେ ସବୁ ଭୁଲି ଯାଇଛନ୍ତି ସରକାର ।  ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ୨୦୦୮ରୁ ୨୦୧୩ ବର୍ଗର ଅଧ୍ୟାପକ କର୍ମଚାରୀଙ୍କୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରା ନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବାକୁ ସଙ୍ଘ ଚେତାବନୀ ଦେଇଛି ।

ରାଜ୍ୟର ୪ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ମଧ୍ୟ ବିଜେପି ସରକାର ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନପିଏସ ସହିତ ୟୁପିଏସ ନିଷ୍ପତ୍ତିକୁ ସରକାରୀ କର୍ମଚାରୀ ବିରୋଧ କରୁଥିବାବେଳେ ରାଜ୍ୟ ସରକାର କିନ୍ତୁ ଚୁପ୍ । ଅନ୍ୟ କିଛି ରାଜ୍ୟରେ ପୁରୁଣା ପେନସନ ସ୍କିମ ଲାଗୁ ହୋଇଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଆଇନକୁ ଜୋରଜବରଦସ୍ତ ଲଦି ନଦେବାକୁ ଚେତାବନୀ ଦିଆଯାଇଛି । ସରକାରୀ କର୍ମଚାରୀଙ୍କ ହକକୁ ଅଣଦେଖା କରି ରାଜ୍ୟରେ ୟୁପିଏସ ଲାଗୁ କଲେ ସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଛି ମହାସଂଘ । ସେପଟେ ବିଜେପିର କହିବା କଥା ସବୁ ସମାଧାନ ହେବ, ସମସ୍ତେ ଧୈର୍ଯ୍ୟ ଧରନ୍ତୁ ।

ରାଜ୍ୟ ସରକାରଙ୍କୁ ସାତ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ବର୍ଗର ଦାବି ପୂରଣ କରିବା କିମ୍ବା ରାଜ୍ୟର ସ୍ୱାର୍ଥ ସାଧନ ପାଇଁ କିଛି ଠୋସ ନିଷ୍ପତ୍ତି ନିଆଯିବା ଦେଖିବାକୁ ମିଳୁନାହିଁ । ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ସେସବୁ ଭୁଲିଯାଇଥିବାରୁ ଅସନ୍ତୋଷ ତୀବ୍ର ହେଉଛି ।

ବିଜେପି ସରକାରରେ ଚାଲିଛି ବାବୁ ରାଜ: ମନ୍ତ୍ରୀଙ୍କୁ ନାଲିଆଖି ଦେଖାଉଛନ୍ତି ଆଇଏଏସ୍ !

ଭୁବନେଶ୍ବର: ଯୋଗାଣ ମନ୍ତ୍ରୀ ଅସହାୟ । ଧାନ କିଣାରେ ଚାଲିଛି ବେଧଡ଼କ କଟନି ଛଟନି । ଆଇଏଏସ୍ ଅଫିସର କହୁଛନ୍ତି ଚାଷୀ-ମିଲରଙ୍କ ଭିତରେ ମୁଣ୍ଡ ପୂରାନ୍ତୁନି ସରକାର । ଆଉ ଯୋଗାଣ ମନ୍ତ୍ରୀଙ୍କ ଏହି ପଦୁଟିଏ କଥା ଖୋଲି ଦେଇଛି ରାଜ୍ୟ ସରକାରଙ୍କ ଗୁମର । ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବୟାନ ପ୍ରମାଣିତ କରିଛି, ୭ ମାସରେ ଠିକ୍ ସେ ଚାଲିନି ବିଜେପି ସରକାର । ଯାହାକୁ ନେଇ ବିଜେଡି କଡ଼ା ସମାଲୋଚନା କରିବା ସହ କହିଛି ଚାଷୀଙ୍କୁ ଶୋଷଣ କରି ମିଲରଙ୍କ ସହ ଡିଲ କରୁଛନ୍ତି ସରକାର । ଅନ୍ୟପଟେ କଂଗ୍ରେସ କହିଛି ବିଜେପିରେ ଚାଲିଛି ବାବୁ ସରକାର ।

ରାଜ୍ୟରେ ବିଜେପି ଶାସନ ଏମିତି ଚାଲିଛି ଯେ ନିଜ ବିଭାଗର ନିଷ୍ପତ୍ତି ମଧ୍ୟ ନେଇ ପାରୁନାହାନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଧାନ କିଣାରେ ଅବ୍ୟବସ୍ଥା ସାଙ୍ଗକୁ ବ୍ୟାପକ ଭାବେ ଚାଲିଛି କଟନି ଛଟନି । କିନ୍ତୁ ଯୋଗାଣ ମନ୍ତ୍ରୀ କହୁଛନ୍ତି, ଆଇଏଏସ  ଅଫିସର କହିଲେ ଚାଷୀ ଓ ମିଲରଙ୍କ ଭିତରେ ମୁଣ୍ଡ ପୂରାନ୍ତୁନି ସରକାର । ମିଲରଙ୍କ କହିଲେଣି, ଚାଷୀ ଏତେ ଟଙ୍କା ପାଉଛନ୍ତି ଆମେ ପାଇବୁ କ’ଣ ? ଯୋଗାଣ ମନ୍ତ୍ରୀଙ୍କ ଏପରି ବିସ୍ଫୋରକ ବୟାନ, ଖୋଲି ଦେଇଛି ମୋହନ ସରକାରଙ୍କ ଅସଲ ଗୁମର । ଯାହାକୁ ନେଇ ବିଜେପିକୁ କଡ଼ା ସମାଲୋଚନା କରିଛି ବିଜେଡି । ମନ୍ତ୍ରୀଙ୍କର ପାଠ ସାଠ କିଛି ନାହିଁ, ବିଭାଗକୁ ବି ବୁଝନ୍ତିନି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ବାବୁଙ୍କ ହାତରେ ଶାସନ ଦାୟିତ୍ୱ ଦେଇ ଲୁଟିବାରେ ଲାଗିଛି ବିଜେପି । ଧାନ କିଣା ବାବଦରେ ସରକାର ମିଲରଙ୍କଠାରୁ କେତେ ଟଙ୍କା ନେଇଛନ୍ତି ବୋଲି ରୋକଠୋକ ପ୍ରଶ୍ନ କରିଛି ବିଜେଡି । ଡବଲ ଇଞ୍ଜିନ ସରକାରରେ ଡବଲ କଟନି ଛଟନି ହେଉଛି ବୋଲି ବିଜେଡି ଅଭିଯୋଗ କରିଛି ।

ମଣ୍ଡିରୁ ଧାନ ଉଠୁନି । ୧୦ରୁ ୧୫ କେଜି କଟନି ଛଟନି ଚାଲିଛି । ଚାଷୀ ହଇରାଣ ହେଉଥିବା ବେଳେ ଯୋଗାଣ ମନ୍ତ୍ରୀଙ୍କୁ ଅଫିସର ଯଦି ଏଭଳି କୁହନ୍ତି, ତାହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ମନ୍ତ୍ରୀଙ୍କୁ ଅଧିକାରୀ ପରାମର୍ଶ ଦେଇପାରିବେନି, କେବଳ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବେ । ଯଦି ବିଜେପି ସରକାରରେ ଏମିତି ଚାଲିଛି, ତେବେ ଯେଉଁ ଅଫିସର ଏଭଳି କହିଛନ୍ତି ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । କଟନି ଛଟନି ଚାଲୁଛି, କିନ୍ତୁ ରୋକିବାରେ ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କ କହିବା କଥା, ରାଜ୍ୟରେ ଠିକ ସେ ଚାଲୁନି ସରକାର । ବିଜେପି କ୍ଷମତାକୁ ଆସିଲା ଦିନରୁ ବଢ଼ିଛି ଅଫିସର ରାଜ୍ । ସେହିପରି ଯଦି ଅଫିସରମାନେ କଥା ମାନୁନାହାନ୍ତି, ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ । ଧାନ ଉଠୁ ନଥିବାରୁ ବଢ଼ିଲାଣି ଚାଷୀର ଚିନ୍ତା । କିନ୍ତୁ ଯୋଗାଣ ମନ୍ତ୍ରୀଙ୍କ ବେଫିକର ବୟାନ ରାଜ୍ୟ ସରକାରଙ୍କ ବିଫଳତାକୁ ପଦାରେ ପକାଇଛି ।

ବେଆଇନ ଇଟାଭାଟି ଉପରେ ଉଚ୍ଚ ନ୍ୟାୟାଳୟଙ୍କ ଛାଟ, ଦୁଇ ସପ୍ତାହ ମଧ୍ୟରେ ଭାଟି ବନ୍ଦ କରି ଜାଗା ଖାଲି କରିବାକୁ ନିର୍ଦ୍ଦେଶ

ନୀଳଗିରି: ବେଆଇନ ଇଟାଭାଟି ଉପରେ ହାଇକୋର୍ଟ ଲଗାଇଲେ ଲଗାମ । ଇକୋସେନସିଟିଭ ଜୋନ ଭିତରେ ହୋଇ ପାରିବନି ବେଆଇନ ଇଟାଭାଟି । ଗତ ୧୬ ତାରିଖରେ ହାଇକୋର୍ଟ ଏହି ରାୟ ଦେବା ସହ ଦୁଇ ସପ୍ତାହ ମଧ୍ୟରେ ଇଟାଭାଟି ବନ୍ଦ କରିବା ସହ ଉକ୍ତ ସ୍ଥାନକୁ ଖାଲି କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର ଏକ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି । ଯାହାକୁ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି ।

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳ ହେବ ପ୍ରଦୂଷଣ ମୁକ୍ତ । ନୀଳଗିରିରେ ବେଆଇନ ଭାବେ ଅନେକ ଇଟାଭାଟି ଗଢି ଉଠିଛି । ଧୂଆଁ ଯୋଗୁଁ ଲୋକେ ପ୍ରତିଦିନ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଯାହାକୁ ନେଇ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ ବାରମ୍ବାର ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଇକୋସେନସିଟିଭ ଜୋନରେ ଚାଲିଥିବା ବେଆଇନ ଇଟାଭାଟିକୁ ବନ୍ଦ କରିବା ପାଇଁ ପ୍ରଶାସନକୁ ଜଣାଇଥିଲେ । ୨୦୨୩ ମେ’ ୨୦ ତାରିଖରେ ଇକୋସେନସିଟିଭ ଜୋନ ଦର୍ଶାଇ ବାଲେଶ୍ଵର ଜିଲ୍ଲାପାଳ ମାମା ଓ ଗୋସ୍ବାମୀ ଇଟାଭାଟିକୁ ଭାଙ୍ଗିବା ସହ ଗୋଟିଏ ଇଟାଭାଟିରେ ୧୪୪ ଧାରା ଲାଗୁ କରିଥିଲେ । ଏନେଇ ମାମା ଇଟାଭାଟିର ମାଲିକ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । ୨୦୨୪ ମସିହା ଜୁଲାଇ ୧୨ ତାରିଖରେ ହାଇକୋର୍ଟର ଏକ ସ୍ବତନ୍ତ୍ର ଟିମ୍ ଓ ସ୍ଥାନୀୟ ପ୍ରଶାସନର ଏକ ଦଳ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ଆଧାରରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜାନୁଆରୀ ୧୬ ତାରିଖରେ ରାୟ ଶୁଣାଇଛନ୍ତି ।

ଇକୋସେନସିଟିଭ ଜୋନରେ ଥିବା ବେଆଇନ ଇଟାଭାଟିକୁ ଦୁଇ ସପ୍ତାହ ଭିତରେ ବନ୍ଦ କରି ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଯେଉଁମାନେ ଆଇନ ଅମାନ୍ୟ କରିବେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ ବେଆଇନ ଇଟାଭାଟି ବନ୍ଦ କରିବାକୁ ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଅଞ୍ଚଳବାସୀ ସ୍ଵାଗତ କରିଛନ୍ତି ।

୨କୋଟି ଟଙ୍କା ପାଇଁ ୪ ଯୁବକଙ୍କୁ ଅପହରଣ, ନାଗ ସାପ ଦେଖାଇ କରୁଥିଲେ ଭୟଭୀତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ୪ ଯୁବକଙ୍କୁ ଅପହରଣ । ବ୍ରହ୍ମପୁର ଓ ପରେ ଚିକିଟିରେ ରଖି ଦୁଇ କୋଟି ଟଙ୍କା ଦାବି । ଯୁବକମାନଙ୍କୁ ନାଗ ସାପ ଦେଖାଇ କରାଯାଉଥିଲା ଭୟଭୀତ । ଜଣେ ଖସି ଆସିବା ପରେ ଘଟଣାର ପର୍ଦ୍ଦାଫାଶ । ସୂଚନା ପାଇ ଉଦ୍ଧାର କଲା ପୋଲିସ ।

ଭୁବନେଶ୍ବରରୁ ଯୁବକମାନଙ୍କୁ ଅପହରଣ କରିବା ପରେ ପ୍ରଥମେ ବ୍ରହ୍ମପୁର ଓ ପରେ ଚିକିଟି ଗଡର ଏକ କୁଡିଆରେ ବାନ୍ଧି ରଖିଥିଲେ ଦୁର୍ବୁର୍ତ୍ତ । ୨କୋଟି ଟଙ୍କା ଦାବି କରିଥିଲେ । ଯୁବକମାନଙ୍କୁ ଅପହରଣ ରାଯିବା ପରେ ନାଗ ସାପ ଦଂଶନର ଭୟ ଦେଖାଇ ରଖାଯାଇଥିଲା ଅଟକ । ୨ କୋଟି ଟଙ୍କା ଦେଲେ ମୁକ୍ତି ନହେଲେ ନାଗ ଦଂଶନରେ ଜୀବନ ଯିବାର ଦେଖାଇ ଥିଲେ ଭୟ ।

ତେବେ କୌଣସି ପ୍ରକାରେ ଅଣି ଅପହୃତ ଖସିଯାଇ ସ୍ଥାନୀୟ ତହସିଲଦାରଙ୍କୁ କହିବା ପରେ ଉଦ୍ଧାର ହେଲେ ଅନ୍ୟମାନେ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଗଡ଼ରେ । ଅପହୃତ ଯୁବକଙ୍କ ମଧ୍ୟରେ ୨ ଜଣ କଟକର ହୋଇଥିବା ବେଳେ ଜଣେ ଦିଲ୍ଲୀର ଓ ଅନ୍ୟ ଜଣେ ଭୁବନେଶ୍ବରର । ଅପହୃତମାନେ ହେଲେ କଟକର ବ୍ରହ୍ମାନନ୍ଦ ପାତ୍ର ଏବଂ ଅହମ୍ମଦ ଖାନ, ଭୁବନେଶ୍ବରର ଅମରଜିତ୍ ସାମନ୍ତସିଂହାର ଓ ଦିଲ୍ଲାର ରବିନ୍ଦ୍ର କୁମାର । ଅପହରଣ ପରେ ବ୍ରହ୍ମପୁରରେ ୪ ଦିନ ରଖାଯାଇ ଯୁବକମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ଅପହରଣ ଘଟଣାରେ ୫ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଜଣେ ଅଟକ ରହିଛି । ଅପହରଣର ବିଭିନ୍ନ ଦିଗକୁ ନେଇ ଅବକାରୀ, ଜଙ୍ଗଲ ବିଭାଗ ଓ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି । ଘଟଣାରେ ଚିକିଟି SDPO, ଥାନା ଅଧିକାରୀ ଛାନବିନ କରୁଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । କେବଳ ୨ କୋଟି ଟଙ୍କା ଅର୍ଥ ପାଇଁ ଅପହରଣ କରାଯାଇଥିଲା ନା, ଅନ୍ୟ କିଛି କାରଣ ରହିଛି ସେ ନେଇ ତଦନ୍ତ ଜାରି ରହିଛି । ସେପଟେ ଅପହରଣରେ ପ୍ରଥମ ଥର ନାଗସାପର ବ୍ୟବହାର କରାଯାଇଥିବାରୁ ବନ୍ୟଜନ୍ତୁ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି । ଏହାସହ ଅପହରଣ ଓ ହତ୍ୟା ଧମକ ମାମଲା ମଧ୍ୟ ରୁଜୁ ହୋଇଥିବା ବ୍ରହ୍ମପୁର ଏସପି ଶରବଣ ବିବେକ.ଏମ୍ କହିଛନ୍ତି । ଫେରାର ଅଭିଯୁକ୍ତକୁ ଖୋଜିଛି ପୋଲିସ । ସେପଟେ ଏହା ଏକ ଭିନ୍ନ ଧରଣର ଅପହରଣ ଓ ନାଗସାପର ବ୍ୟବହାର ହୋଇଥିବାରୁ ମାମଲାର ମୂଳ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ପୋଲିସ କହିଛି ।