spot_img
Home Blog Page 1127

ଆଜିଠାରୁ ଉତ୍ତରାଖଣ୍ଡରେ ଏକକ ନାଗରିକ ସଂହିତା

ଉତ୍ତରାଖଣ୍ଡ : ଆଜିଠାରୁ ଉତ୍ତରାଖଣ୍ଡରେ ଲାଗୁ ହେବ ଏକକ ନାଗରିକ ସଂହିତା । ଏହି ନିୟମ ଲାଗୁ କରିବାରେ ଦେଶରେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ ହେବ। ଯେଉଁଠାରେ ଆଇନ କାନୁନରେ ବଡ ପରିବର୍ତ୍ତନ ହେବ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ କହିବାନୁସାରେ ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ବର୍ତ୍ତମାନଠାରୁ ରାଜ୍ୟରେ ଲିଙ୍ଗ, ଧର୍ମ ଆଧାରରେ କୌଣସି ଭେଦଭାବ ହେବ ନାହିଁ । ଏହାସହିତ ରାଜ୍ୟରେ ହଲାଲ ଏବଂ ବହୁବିବାହର ପରିସମାପ୍ତି ଘଟିବ ।

ଏକକ ନାଗରିକ ସଂହିତାର  ସମସ୍ତ ନିୟମ ଲାଗୁ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ୨୦୨୨ ବିଧାନସଭା ନିର୍ବାଚନରେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛୁ । ସମସ୍ତ ଔପଚାରିକତା ପୂର୍ଣ୍ଣ କରିବା ପରେ ଏକକ ନାଗରିକ ସଂହିତା ଲାଗୁ କରାଯିବ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଅବସରରେ UCC ପୋର୍ଟାଲର ଶୁଭାରମ୍ଭ କରିବେ । ଆଜିଠାରୁ ଏକକ ନାଗରିକ ସଂହିତାର  ସମସ୍ତ ନିୟମ ଲାଗୁ ହେବ। ଏନେଇ ଗତ ବର୍ଷ ପ୍ରଣୟନ ହୋଇଥିଲା ଆଇନ। ଏହାକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି। ୟୁସିସି ଲାଗୁ ହେବା ସଙ୍ଗେ ସଙ୍ଗେ ଅନେକ ଆଇନରେ ତୁରନ୍ତ ପରିବର୍ତ୍ତନ ଆସିବ। ରାଜ୍ୟ ସରକାର ଏହାକୁ ଲାଗୁ କରିବା ପୂର୍ବରୁ ଏ ନେଇ ରାଜ୍ୟବାସୀଙ୍କୁ ସଚେତନ ମଧ୍ୟ କରିଛନ୍ତି ।

ୟୁସିସି ଲାଗୁ ହେବା ନେଇ ଅନେକ ଦିନ ଧରି ବାଦ ବିବାଦ ଲାଗିଥିଲା । ସାରା ଦେଶରେ ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା । ୟୁସିସିକୁ ନେଇ ପୁରା ଉତ୍ତରାଖଣ୍ଡରେ ଜନତାଙ୍କ ମତ ସଂଗ୍ରହ କରାଯାଇଥିଲା । ଏହାକୁ ନେଇ ଏକ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରାଯାଇଥିଲା । କିଛି ଦିନ ତଳେ ଉତ୍ତରାଖଣ୍ଡ କ୍ୟାବିନେଟ ୟୁସିସିର ନିୟମାବଳୀ ନେଇ ଅନୁମୋଦନ ଦେଇଥିଲେ । ଏହାକୁ ଲାଗୁ କରିବା ନେଇ ଉତ୍ତରାଖଣ୍ଡ ସରକାର ପୁରା ପ୍ରସ୍ତୁତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଧାମୀ । ଏହା ଲାଗୁ ହେବା ଦ୍ଵାରା ସମାଜରେ ସମାନତା ଆସିବ ଏବଂ ସମସ୍ତ ନାଗରିକଙ୍କ ଲାଗି ସମାନ ଅଧିକାର ଏବଂ ସୁବିଧାସୁଯୋଗ ନିଶ୍ଚିତ ହୋଇପାରିବ ବୋଲି କହିଛନ୍ତି ଧାମି ।

ଏହି ନିୟମ ଲାଗୁ ହେବା ପରେ ପଞ୍ଜିକରଣ ତିନୋଟି ସ୍ତର ଦେଇ ଗତି କରିବ । ଏହାସହିତ ଇଣ୍ଟରନେଟ ସୁବିଧା ଉପଲବ୍ଧ ନଥିଲେ ସିଏସସି ମାଧ୍ୟମରେ ପଞ୍ଜୀକରଣ ହେବ । ଏନେଇ ଆଧାରକାର୍ଡ ପଞ୍ଜିକରଣ କରାଯିବ । ଯେକୌଣସି ଅଭିଯୋଗ ଆପଣ ପୋର୍ଟାଲ ମାଧ୍ୟମରେ ଜଣାଇପାରିବେ । ଏଥିରେ ପୁଅ ଓ ଝିଅଙ୍କ ସମାନ ସମ୍ପତ୍ତିଗତ ଅଧିକାର ରହିଛି। ବହୁବିବାହ ଉପରେ ନିଷେଧାଦେଶ ଜାରି କରାଯାଇଛି। ଜଣଙ୍କୁ ହିଁ ବିବାହ ଲାଗି ବ୍ୟବସ୍ଥା ଅଛି । ୨୧ ବର୍ଷୀୟ ପୁଅ ଓ ୧୮ ବର୍ଷୀୟ ଝିଅ ହିଁ ବିବାହ କରିପାରିବେ। ଧାର୍ମିକ ପ୍ରଥା ଅନୁସାରେ ହୋଇପାରିବ ବିବାହ। ବିବାହର ପଞ୍ଜିକରଣ ବାଧ୍ଯତାମୂଳକ ହେବ। ବୈଧ ଓ ଅବୈଧ ସନ୍ତାନ ମଧ୍ଯରେ ପାର୍ଥକ୍ଯ ରହିବ ନାହିଁ। ସମ୍ପତ୍ତି ଉପରେ ବୈଧ ଓ ଅବୈଧ ସନ୍ତାନଙ୍କ ସମାନ ଅଧିକାର ରହିଛି। ପୋଷ୍ଯ, ସରୋଗାସୀ, ଅନ୍ଯ ଉପାୟରେ ଜନ୍ମିତ ସନ୍ତାନଙ୍କ ରହିବ ସମାନ ଅଧିକାର। ବ୍ଯକ୍ତିଙ୍କ ମୃତ୍ଯୁ ପରେ ତାଙ୍କ ସମ୍ପତ୍ତି ଉପରେ ପତି କିମ୍ବା ପତ୍ନୀ ଓ ସନ୍ତାନଙ୍କ ସମାନ ଅଧିକାର ରହିଛି।ମୃତ ବ୍ଯକ୍ତିଙ୍କ ପିତାମାତାଙ୍କ କ୍ଷେତ୍ରରେ ରହିବ ସମାନ ଅଧିକାର। ଏନେଇ ପଞ୍ଚାୟତ ସ୍ତରରେ ଉପ ରେଜିଷ୍ଟର ବା ରେଜିଷ୍ଟର ନିୟୋଜିତ ହେବେ ।

ଅନ୍ତର୍ଜାତୀୟ ସ୍ତରରେ ଉପୁଜିଲା କୋଭିଡ ଉତ୍ପତ୍ତିସ୍ଥଳ ବିବାଦ : ଉହ୍ବାନ ଇନଷ୍ଟିଚ୍ୟୁଟରୁ ଭୂତାଣୁର ଉତ୍ପତ୍ତି ନେଇ ଚର୍ଚ୍ଚା

ନନ୍ଦିଘୋଷ ବ୍ୟୁରୋ: ପୁଣି ଅନ୍ତର୍ଜାତୀୟ ସ୍ତରରେ ଉପୁଜିଲା କୋଭିଡ ଉତ୍ପତ୍ତିସ୍ଥଳ ବିବାଦ। ଚୀନର ଏକ ଲ୍ୟାବରୁ ସମ୍ଭବତଃ ଏହି ମାରାତ୍ମକ ଭୂତାଣୁର ଉତ୍ପତ୍ତି ହୋଇଥାଇପାରେ ବୋଲି କହିଛି ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ । ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲଡ ଟ୍ରମ୍ପ ଦାୟିତ୍ବ ନେବା ପରେ ନୂଆ ସିଆଇଏ ନିର୍ଦ୍ଦେଶକ ହୋଇଛନ୍ତି ଜନ ରାଟକ୍ଲିଫ। ସେ ଦାୟିତ୍ବ ନେବା ପରେ କୋଭିଡର ଉତ୍ପତ୍ତିସ୍ଥଳ ନେଇ ଏହି ତଥ୍ୟ ଦେଇଛି ସିଆଇଏ । ୨୦୨୦ରୁ ୨୦୨୧ ଯାଏ ରାଟକ୍ଲିଫ ଜାତୀୟ ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶକ ଥିଲେ । ଦାୟିତ୍ବ ନେଉ ନେଉ ରାଟକ୍ଲିଫ କହିଥିଲେ- ସେ କୋଭିଡର ଉତ୍ପତ୍ତି ସମ୍ପର୍କରେ ଏକ ନିର୍ଣ୍ଣୟ ନେବେ । ଚୀନର ଉହ୍ବାନ ଇନଷ୍ଟିଚ୍ଯୁଟ ଅଫ ଭିରୋଲୋଜିରୁ କୋଭିଡ -୧୯ ଭୂତାଣୁ ଉତ୍ପନ୍ନ ହୋଇଥିବା ବିବାଦରେ ଏବେ ବି ପୂର୍ଣ୍ଣଚ୍ଛେଦ ପଡିନାହିଁ ।

ଏନେଇ ସିଆଇଏ ମୁଖପାତ୍ର କହିଥିଲେ- କୋଭିଡର ପ୍ରାକୃତିକ ଉତ୍ପନ୍ନ ହୋଇ ନଥିଲା ବରଂ ଗବେଷଣାଭିତ୍ତିକ ଉତ୍ପତ୍ତି ହୋଇଥିବାର ଆଶଙ୍କା ବେଶୀ ରହିଛି । ପୂର୍ବରୁ କୋଭିଡର ଉତ୍ପନ୍ନ ନେଇ ସିଆଇଏ ସେପରି କୌଣସି ମତ ଉପସ୍ଥାପନ କରି ନଥିଲା । ତେବେ ସିଆଇଏର ନୂଆ ନିର୍ଦ୍ଦେଶକ ଆସିବା ପରେ ଏହି ବିବାଦ ମୁଣ୍ଡ ଟେକିଛି । କୋଭିଡରେ ସାରା ବିଶ୍ବରେ ୭୦ ଲକ୍ଷ ୧୦ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନି ହୋଇଥିଲା । କେବଳ ଭାରତରେ ୫ ଲକ୍ଷ ୩୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ସତ୍ତ୍ବେ ଏହି ସଂଖ୍ୟା ବହୁ ଅଧିକ ବୋଲି ଜଣାଯାଇଛି ।

ନାଗସାପ ଦେଖାଇ ଅପହରଣ : ୪ ଯୁବକ ଉଦ୍ଧାର

ଗଞ୍ଜାମ: କୋଟିଏ ଟଙ୍କା ପାଇଁ ଅପହରଣ । ଯୁବକଙ୍କୁ ସାପ ଦେଖାଇ ଭୟଭୀତ କରୁଥିଲେ ଅପହର୍ତ୍ତା । ଏଭଳି ଅଭାବନୀୟ ଘଟଣା ଘଟିଛି କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଗଡ଼ରେ । କେବଳ ଅପହରଣ ନୁହେଁ ନାଗ ସାପ ଦଂଶନର ଡର ଦେଖାଇ ରଖାଯାଇଥିଲା ଅଟକ । ଶେଷରେ ପଣ୍ଡ ହୋଇଛି ଯୋଜନା । ଉଦ୍ଧାର ହୋଇଛନ୍ତି ୪ ଯୁବକ । କୋଟିଏ ଟଙ୍କା ଦାବି କରି ଅପହରଣ କରାଯାଇଥିବା ୪ ଜଣ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କଲା ପୋଲିସ ।

ଅପହୃତ ହୋଇଥିବା ଯୁବକଙ୍କ ମଧ୍ୟରେ ତିନି ଜଣ କଟକର ରହିଥିବା ବେଳେ ଜଣେ ଦିଲ୍ଲୀର । ଏହି ୪ ଜଣଙ୍କୁ ବ୍ରହ୍ମପୁରରୁ ଅପହରଣ କରିନେଇ ବ୍ରହ୍ମପୁରରେ ଗୋଟିଏ ଦିନ ରଖିଥିଲେ । ଏହାପରେ ଦୁବୃର୍ତ୍ତମାନେ ଚିକିଟି ଗଡ଼କୁ ନେଇଯାଇଥିଲେ । ଚିକିଟି ଗଡ଼ରେ ନୂତନ ପାତ୍ରଙ୍କ ଘର ପଛପଟେ ଥିବା କୁଡ଼ିଆରେ ଚାରି ଜଣଙ୍କୁ ବାନ୍ଧି ରଖିଥିଲେ ନୂତନ ଓ ତା’ର ସହଯୋଗୀ । କୁଡ଼ିଆରେ ବନ୍ଧକ ରଖି ନାଗ ସାପ ଦେଖାଇ କୋଟିଏ ଟଙ୍କା ଦାବି କରିଥିଲେ । ଚାରି ଯୁବକଙ୍କୁ ଅକଥନୀୟ ନିର୍ଯାତନା ମଧ୍ୟ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଚାରି ଜଣଙ୍କ ମଧ୍ୟରୁ ଜଣେ ଯୁବକ ଖସିଆସି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଅପହରଣ ବିଷୟ କହିଥିଲେ । ଖବର ପାଇ କେ.ନୂଆଗାଁ ଥାନା ପୋଲିସ ପହଞ୍ଚି ଉକ୍ତ କୁଡ଼ିଆରୁ ସମସ୍ତ ଯୁବକକୁ ଉଦ୍ଧାର କରିଥିଲା । ଏହି ଅପହରଣ ଘଟଣାରେ କିଛି ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

ଚିନ୍ତା ବଢାଇଲାଣି ଗୁଇଲେନ-ବାରେ ସିଣ୍ଡ୍ରୋମ, ୧୦୦ରୁ ଅଧିକ ଆକ୍ରାନ୍ତ

ନନ୍ଦିଘୋଷ ବ୍ୟୁରୋ: ପୁଣେରେ ଚିନ୍ତା ବଢାଇଲାଣି ଗୁଇଲେନ-ବାରେ ସିଣ୍ଡ୍ରୋମ । ପୁଣେରେ ପାଖାପାଖି ୧୦୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ଭେଣ୍ଟିଲେଟରରେ ଥିବା ବେଳେ ବାକି ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ରୋଗରେ ଆକ୍ରାନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁଇଲେନ-ବାରେ ସିଣ୍ଡ୍ରୋମର ୧୦୦ଟି ମାମଲା ସାମ୍ନାକୁ ଆସିବା ପରେ ପୁଣେରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ମାରାତ୍ମକ ରୋଗ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୌଣସି ସୂଚନା ମିଳିନଥିବା ବେଳେ ଏହା ପୁଣେରେ ସଂକ୍ରମିତ ହେଉଥିବା ସୂଚନା ମିଳିଛି । ତେବେ ଆସନ୍ତୁ ଜାଣିବା ବାସ୍ତବରେ ଗୁଇଲେନ-ବାରେ ସିଣ୍ଡ୍ରୋମ କ’ଣ ? ଏହା କେତେ ବିପଦଜନ୍ନକ ଏଂ ଏହାର ଲକ୍ଷଣ ଓ ଚିକିତ୍ସା କ’ଣ ?

ଗୁଇଲେନ-ବାରେ ସିଣ୍ଡ୍ରୋମ କ’ଣ ?

ଗୁଇଲେନ-ବାରେ ସିଣ୍ଡ୍ରୋମ ଏକ ଅଟୋଇମ୍ୟୁନ ନ୍ୟୁରୋଲଜିକାଲ ଡିସଅର୍ଡର ଅଟେ । ଏହି ରୋଗରେ ଆମର ଇମ୍ୟୁନ ସିଷ୍ଟମ ଆମରି ନର୍ଭ ଉପରେ ଆଟାକ କରିଥାଏ । ଯେଉଁ କାରଣରୁ ଆମକୁ ଉଠିବା-ବସିବାରେ ସମସ୍ୟା ଦେଖାଯାଇଥାଏ । ଏମିତିକି ଲୋକଙ୍କୁ ନିଶ୍ବାସ-ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ବାତ ମାରିବା ମଧ୍ୟ ଏହି ରୋଗର ଲକ୍ଷଣ ଅଟେ ।

ପ୍ରକୃତରେ ଆମର ନର୍ଭ ସିଷ୍ଟମ ଦୁଇ ଭାଗରେ ବିଭକ୍ତ । ପ୍ରଥମ ଭାଗକୁ ସେଣ୍ଟ୍ରାଲ ନର୍ଭ ସିଷ୍ଟମ କୁହାଯାଇଥାଏ । ଯେଉଁଥିରେ ମେରୁଦଣ୍ଡ ହାଡ ଏବଂ ବ୍ରେନର ପାର୍ଟ ଥାଏ  ଏବଂ ଦ୍ବିତୀୟ ଭାଗରେ ପେରିଆେରଲ ନର୍ଭ ସିଷ୍ଟମ ଥାଏ ଯେଉଁଥିରେ ସଂମ୍ପର୍ଣ୍ଣ ଶରୀରର ଅନ୍ୟାନ୍ୟ ନର୍ଭ ସିଷ୍ଟମ ଯୋଡି ହୋଇଥାଏ ।  ଗୁଇଲେନ-ବାରେ ସିଣ୍ଡ୍ରୋମରେ ଇମ୍ୟୁନ ସିଷ୍ଟମ ନର୍ଭ ସିଷ୍ଟମର ଦ୍ବିତୀୟ ଭାଗ ଅର୍ଥାତ ପେରିଫରଲ ନର୍ଭ ସିଷ୍ଟମ ଉପରେ ଆକ୍ରମଣ କରିଥାଏ ।

ଆମେରିକା ରାଷ୍ଟ୍ରପତିଙ୍କ ନେଇଥିଲା ଜୀବନ :

ଏହି ରୋଗ ସାରା ବିଶ୍ବରେ ପ୍ରଭାବିତ ଲୋକଙ୍କର ପାଖାପାଖି ୭.୫%ଙ୍କର ଜୀବନ ନେଇଥାଏ । ଗୁଇଲେନ-ବାରେ ସିଣ୍ଡ୍ରୋମ ଏକ ଅଗଣା ରୋଗ ଅଟେ । କାହିଁକି ନା ପ୍ରତ୍ୟେକ ବର୍ଷ ଏହି ରୋଗ ଲକ୍ଷେରୁ ଜଣେ ଦୁଇଜଣଙ୍କୁ ସଂକ୍ରମିତ କରିଥାଏ । ଏହି ରୋଗ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ ଡୀ ରୁଜବେଲ୍ଟଙ୍କ ମୃତ୍ୟୁର କାରଣ ହୋଇଥିଲା ।ଏହି ରୋଗର ନାମ ଫ୍ରାନ୍ସିସୀ ନ୍ୟୁରୋଲଜିଷ୍ଟ ଜର୍ଜସ ଗୁଲେନ ଏବଂ ଜୀନ ଆଲେକଜାଣ୍ଡର ବୈରୀଙ୍କ ନାମାନୁସାରେ ରଖାଯାଇଥିଲା । ଏମାନେ ଫ୍ରାନ୍ସିସୀ ଡାକ୍ତର ଆଣ୍ଡ୍ରେ ଷ୍ଟ୍ରୋହଲଙ୍କ ସହିତ ମିଶି ୧୯୧୬ରେ ଏହି ରୋଗର ଆବିଷ୍କାର କରିଥିଲେ । ରିପୋର୍ଟ ଅନୁଯାୟୀ ୨୦୨୩ରେ ପେରୁରେ ଗୁଇଲେନ-ବାରେ ସିଣ୍ଡ୍ରୋମ ତାଣ୍ଡବ ରଚିଥିଲା ଯେଉଁଥିପାଇଁ ସେଠାକାର ସରକାର ୯୦ଦିନ ପର୍ଯ୍ୟନ୍ତି ହେଲ୍ତ ଇମରଜେନ୍ସି ଘୋଷଣା କରିଥିଲେ । ଗୁଇଲେନ-ବାରେ ସିଣ୍ଡ୍ରୋମର ଲକ୍ଷଣ ହେଉଛି ପ୍ରଥମେ ହାତ ଗୋଡ ଝିମଝିମ ହେବା ଏବଂ ଦୁର୍ବଳ ଲାଗିବା । ଏହାପରେ ବାତ ଭଳି ସମସ୍ୟା ଦେଖାଦେବା ।

ରୋଗର ଲକ୍ଷଣ :

-ହାତ, ଗୋଡ ଓ ଶରୀରରେ ଝିମଝିମ ଲାଗିବା

-ପାଦରେ ଦୁର୍ବଳ ଅନୁଭବ ହେବା

-ଚାଲିବାରେ କଷ୍ଟ ଅନୁଭବ ହେବା, ସିଡି ଚଢିବାକୁ କଷ୍ଟ ଲାଗିବା

-କହିବା, ଚୋବେଇବା ଏବଂ ଢୋକିବାରେ ସମସ୍ୟା ଦେଖାଦେବେ

-ଦୃଷ୍ଟି ଶକ୍ତି କମିବା

-ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବା

-ପରିସ୍ରା, ମଳତ୍ୟାଗ ବେଳେ କଷ୍ଟ ଅନୁଭବ କରିବା

-ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା

ଚିକିତ୍ସା :

ଏହାର ଲକ୍ଷଣ ଦ୍ରୁତ ଗତିରେ ବଢିଥାଏ ଯଦ୍ବାରା ବାତ ମାରିବା ପରେ ପାରାଲିସିସ୍ ଭଳି ସମସ୍ୟା ଦେଖାଯାଇଥାଏ ।  ଏହି ରୋଗ ସଂକ୍ରମଣ ଦ୍ବାରା ବ୍ୟାପିଥାଏ । ତଥାପି ଏହା ପାଚନ ତନ୍ତ୍ରରେ ସଂକ୍ରମଣ ହେବା ପରେ ବ୍ୟାପିଥାଏ  । ଏହାସହିତ ଏହି ରୋଗ ବେଳେବେଳେ ସର୍ଜରୀ ପରେ ମଧ୍ୟ ବ୍ୟାପିଥାଏ । ଏହି ରୋଗର ନିରାକରଣ ସ୍ବଷ୍ଟ ହୋଇନଥିବା ବେଳେ ଏହି ରୋଗ ହେଲେ ପ୍ଲାଜମା ଏକ୍ନଚେଞ୍ଜ, ଇମ୍ୟୁନୋଗ୍ଲୋବିନ ଥେରାପି ଦ୍ବାରା ନିୟନ୍ତ୍ରଣ କରାଯାଇଥାଏ ।

ଆଜିଠୁ ଗହୀରମଥା,ଭିତରକନିକାରେ ଡଲଫିନ ଗଣନା ଆରମ୍ଭ, ୩ଦିନ ଧରି ଚାଲିବ

କେନ୍ଦ୍ରାପଡା : ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକାରେ ଆରମ୍ଭ ହେଲା ଡଲଫିନ ଗଣନା । ଆଜିଠୁ ୩ ଦିନ ଧରି ଚାଲିବ ଏହି ଗଣନା କାର୍ଯ୍ୟ । ଗଣନା କାର୍ଯ୍ୟରେ ୯ଟି ଟିମ୍ ସାମିଲ୍ ଅଛନ୍ତି । ପ୍ରତି ଟିମରେ ୪ରୁ ୫ଜଣ ଗଣନାକାରୀ ସାମିଲ୍ ଅଛନ୍ତି । ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ଏବଂ ଭିତରକନିକା ମଧ୍ୟରେ ଥିବା ନଦୀ ନାଳ ମାନଙ୍କରେ ଡଲଫିନ ଗଣନା କରାଯାଉଛି ।

ଗଣନା କାର୍ଯ୍ୟରେ ବାଇନାକୁଲାର , ଜିପିଏସ , କ୍ୟାମେରା, ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀର ବ୍ୟବହାର କରାଯାଉଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି କ୍ରମେ ୨୦୧୫ ରୁ ଗହୀରମଥା ଓ ଭିତରକନିକା ଅଞ୍ଚଳରେ ଡଲଫିନ ଗଣନା କରାଯାଉଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଅଧିକ ଡଲଫିନ ଗଣନା କରାଯିବା ନେଇ ସୂଚନା ମିଳିଛି ।

ଘନ କୁହୁଡିରୁ ଏବେ ମିଳିବନି ନିସ୍ତାର, ଦୁଇଦିନ ପର୍ଯ୍ୟନ୍ତ ଆକ୍ତାମାକ୍ତା କରିବ କୁହୁଡି

ଭୁବନେଶ୍ବର : ଘନ କୁହୁଡିରୁ ଏବେ ମିଳିବନି ନିସ୍ତାର । କାଲି ପର୍ଯ୍ୟନ୍ତ ଆକ୍ତାମାକ୍ତା କରିବ କୁହୁଡି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୮ ତାରିଖରେ ବି ଘନ କୁହୁଡି ନେଇ କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ରହିବ ଭିଜିବିଲିଟି । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି ।

ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ କୁହୁଡି ମାତ୍ରା ବୃଦ୍ଧି ପାଉଛି । ସେପଟେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି ।

ପୁଣି ସନ୍ଦେହ ବଢ଼ାଇଲା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ଆକ୍ରମଣ ପଛରେ ଏକାଧିକ ବ୍ୟକ୍ତି ..

ମୁମ୍ବାଇ : ପୁଣି ସନ୍ଦେହ ବଢ଼ାଇଲା ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା । ଆକ୍ରମଣ ପଛରେ ଜଣେ ନୁହନ୍ତି,ଏକାଧିକ ବ୍ୟକ୍ତି ଜଡ଼ିତ ବୋଲି ଆଶଙ୍କା ଘନୀଭୂତ ହୋଇଛି । ଏହି ଘଟଣାରେ ୩୦ ବର୍ଷ ବୟସ୍କ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଗିରଫ ହୋଇଥିବା ସତ୍ତ୍ବେ ଆକ୍ରମଣ ଘଟଣା ଅଧିକ ବିବାଦ ଆଡକୁ ଯାଇଛି । ଶରିଫୁଲକୁ ରିମାଣ୍ଡରେ ନେବା ଲାଗି ପୋଲିସ କରିଥିବା ଆବେଦନରେ ଏହି ତଥ୍ୟ ଦର୍ଶାଯାଇଛି। ଜାନୁଆରୀ ୧୬ରେ ହୋଇଥିବା ଆକ୍ରମଣ ଘଟଣା ବେଳେ ପିନ୍ଧିଥିବା ପୋଷାକଗୁଡିକୁ ଫରେନସିକ ପରୀକ୍ଷା ଲାଗି ହସ୍ତାନ୍ତର କରିବା ଲାଗି ସୈଫ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି ପୋଲିସ । ସେପଟେ ତଦନ୍ତ ପ୍ରକ୍ରିୟାରେ ଶରିଫୁଲ୍ ସହଯୋଗ କରୁ ନଥିବା ସୂଚନା ମିଳିଛି । ତେଣେ ଅଭିଯୁକ୍ତକୁ ଏକ ସିମ୍ କାର୍ଡ ଦେଇଥିବା ଖୁକମଣି ଜାହାଙ୍ଗୀର ଶେଖକୁ ପୋଲିସ ଖୋଜୁଛି  ।

ସେପଟେ ଆହତ ହେବା ପରେ ପରେ ସୈଫଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ବୀମା ମଞ୍ଜୁରୀକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ବୀମା ନିୟାମକ ଆଇଆରଡିଏଆଇ ନିକଟରେ ହୋଇଛି ଅଭିଯୋଗ। ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ୩୬ ଲକ୍ଷ ଟଙ୍କାର କ୍ୟାସଲେସ୍ ଆବେଦନ କରାଯାଇଥିଲା । ସେଥିରେ ୨୫ ଲକ୍ଷ ଟଙ୍କା ହୋଇଥିଲା ମଞ୍ଜୁର। ତୁରନ୍ତ ବୀମା ପ୍ରଦାନକୁ ବିରୋଧ କରି ଆସୋସିଏସନ ଅଫ ମେଡିକାଲ କନସଲଟାଣ୍ଟ୍ସ ପକ୍ଷରୁ IRDAI ନିକଟରେ ଅଭିଯୋଗ କରାଯାଇଛି ।

ଏଭଳି ପରିସ୍ଥିତିରେ ମହମ୍ମଦ ଶରିଫୁଲ ସୈଫଙ୍କ ଆକ୍ରମଣକାରୀ ବୋଲି କିପରି ସାମ୍ନାକୁ ଆସିଲା ?

-ମୁମ୍ବାଇ ପୋଲିସ ସୈଫଙ୍କ ଘରୁ ୨୦୦ରୁ ଅଧିକ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଥିଲା। ସେଥିମଧ୍ୟରୁ ଦୁଇ ଡଜନରୁ ଅଧିକ ଫିଙ୍ଗର ପ୍ରିଣ୍ଟ ମେଳ ଖାଉ ନାହିଁ ।

-ଦ୍ୱିତୀୟତଃ  ଅଭିଯୁକ୍ତର ଚେହେରା ସମସ୍ତଙ୍କୁ ଦ୍ବନ୍ଦରେ ପକାଇଛି । କିନ୍ତୁ ମୁମ୍ବାଇ ପୋଲିସ କହିଛି ଯେ ଯେଉଁ ଦିନ ସୈଫଙ୍କୁ ଆକ୍ରମଣ କରାଯାଇଥିଲା ଏହା ପରେ ତାଙ୍କ ପରି ଦେଖାଯାଉଥିବା ଏକ ଡଜନରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଥିଲା । କିନ୍ତୁ ସେଦିନ ରାତିରେ ସୈଫଙ୍କ ଘରେ କିମ୍ବା ଆଖପାଖରେ ସେମାନଙ୍କ ମଧ୍ୟରୁ କାହାର ମୋବାଇଲ ଲୋକେଶନ ମିଳିନଥିବା ବେଳେ କେବଳ ଧରାଯାଇଥିବା ଆକ୍ରମଣକାରୀଙ୍କ ଲୋକେଶନ ମ୍ୟାଚ ହୋଇଥିଲା ।

-ମୁମ୍ବାଇ ପୋଲିସ କହିଛି ଯେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଅନେକ ପ୍ରମାଣ ସଂଗ୍ରହ କରିଛି ଯାହା ଏହି ମାମଲାକୁ ସ୍ପଷ୍ଟ କରୁଛି । ଏବଂ ଗିରଫହୋଇଥିବା  ଅଭିଯୁକ୍ତ ସୈଫଙ୍କ ଆକ୍ରମଣକାରୀ ବୋଲି ପ୍ରମାଣ ହୋଇଛି ।

-ସୈଫଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ରିକଗନାଇଜ ଟେଷ୍ଟ ବ୍ୟତୀତ ବର୍ତ୍ତମାନ ତାଙ୍କ ଫୁଟ ପ୍ରିଣ୍ଟ ମଧ୍ୟ ମେଳ ହେବ। ଘଟଣା ଦିନ ଅଭିଯୁକ୍ତ ସୈଫଙ୍କ ଘରେ ପ୍ରବେଶ କଲାବେଳେ ସେ ଖାଲି ପାଦରେ ପ୍ରବେଶ କରିଥିଲେ, ପାଦ ଛାପ ମଧ୍ୟ ନିଆଯାଇଥିଲା । ଅପରାଧ କରିବା ପରେ ସେ ପିନ୍ଧିଥିବା ଜୋତା ମଧ୍ୟ ଉଦ୍ଧାର କରାଯିବ ।

-ଅଭିଯୁକ୍ତ  ତଦନ୍ତରେ ସହଯୋଗ କରୁନାହିଁ ବୋଲି କୋର୍ଟରେ ମୁମ୍ବାଇ ପୋଲିସ କହିଛି । ତାଙ୍କୁ ବାଂଲାଦେଶରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିବାରେ କିଏ ସାହାଯ୍ୟ କରିଛି ସେନେଇ ମୁହଁ ଖୋଲୁନାହିଁ ।

-ଏଥି ସହିତ ମୁମ୍ବାଇ ପୋଲିସ ଶରିଫୁଲଙ୍କ ବୟାନକୁ ଗ୍ରହଣ କରୁନାହିଁ ଯେ ସେ ଏକାକୀ ଏଭଳି ବଡ ଘଟଣା ଯୋଜନା କରିଥିଲା । ପୋଲିସ ସନ୍ଦେହ କରୁଛି ଯେ ଅନ୍ୟ ସହଯୋଗୀଙ୍କ ସାହାଯ୍ୟରେ ସେ ଏଭଳି କାଣ୍ଡ ଘଟାଇଛନ୍ତି । ଏହି ଅପରାଧରେ ତାଙ୍କର ଅନ୍ୟ ସହଯୋଗୀ କିଏ ବୋଲି ପୋଲିସ ଜାଣିବାକୁ ଚେଷ୍ଟା କରୁଛି ।

-ଏହି ମାମଲାରେ ଅନ୍ତର୍ନିହିତ ବ୍ୟକ୍ତିଙ୍କ ଭୂମିକା ମଧ୍ୟ ପୋଲିସ ଅନୁସନ୍ଧାନ କରୁଛି। ସୈଫଙ୍କ ଘର ଭିତରେ ପାହାଚ କେଉଁଠାରେ ଅଛି, ସିଡ଼ି କେଉଁଠାରେ ଅଛି, ଘରକୁ ସିଡ଼ି କେତେ ଦୂର ଯାଏ ଏବଂ ବାଥରୁମରୁ ପୁଅ ଜେହଙ୍କ ଶୋଇବା ଘରକୁ କେଉଁ ରାସ୍ତା ଯାଏ … ଅଭିଯୁକ୍ତ ଶରିଫୁଲ ଏସବୁ କିପରି ଜାଣିଲେ ? ଏହି ମାମଲାରେ ସୈଫଙ୍କ କୌଣସି କର୍ମଚାରୀଙ୍କୁ ପୋଲିସ କ୍ଲିନ୍ ଚିଟ୍ ଦେଇନାହିଁ  ।

 

DNA ଟେଷ୍ଟ କରିଥିଲି ଭାରତୀୟ ବାହାରିଲି ! ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ବଡ଼ ଖୁଲାସା ..

ନନ୍ଦିଘୋଷ ବ୍ୟୁରୋ: ଗତକାଲି ଭାରତ ୭୬ତମ ଗଣତନ୍ତ୍ର ଦିବସକୁ ବଡ ଧୁମଧାମରେ ପାଳନ କରିଛି । ଗଣତନ୍ତ୍ରର ଏହି ବିଶେଷ ଅବସରରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋ ସାମିଲ ହୋଇଥିଲେ । ତେବେ ଶନିବାର ଆୟୋଜିତ ଏକ ପାର୍ଟୀରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋ କହିଛନ୍ତି ଯେ ତାଙ୍କର ଡିଏନ୍ଏ ଭାରତୀୟ ଅଟେ। ଯେତେବେଳେ ବି ସେ ଭାରତୀୟ ସଙ୍ଗୀତ ଶୁଣନ୍ତି, ସେତେବେଳେ ସେ ଖୁସି ହୋଇ ନାଚିବା ଆରମ୍ଭ କରନ୍ତି  ।

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ଦ୍ବାରା ଶନିବାର ଆୟୋଜିତ ଏକ ଭୋଜିରେ ପ୍ରଭୋ ସୁବିଆଣ୍ଟୋ କହିଛନ୍ତି, “କିଛି ସପ୍ତାହ ପୂର୍ବରୁ ମୁଁ ମୋର ଜେନେଟିକ୍ ସିକ୍ୱେନ୍ସିଂ ଟେଷ୍ଟ ଏବଂ ଡିଏନ୍ଏ ପରୀକ୍ଷା କରିଥିଲି ଏବଂ ସେମାନେ ମୋତେ କହିଥିଲେ ଯେ ମୋର DNA ଭାରତୀୟ ଅଟେ । କାରଣ ସମସ୍ତେ ଜାଣନ୍ତି ଯେ ଯେତେବେଳେ ମୁଁ ଭାରତୀୟ ସଙ୍ଗୀତ ଶୁଣେ, ମୁଁ ନାଚିବା ଆରମ୍ଭ କରେ। ”

‘ଭାରତ ଏବଂ ଇଣ୍ଡୋନେସିଆର ଏକ ପ୍ରାଚୀନ ଇତିହାସ ଅଛି’

ଭୋଜି ସମୟରେ ଇଣ୍ଡୋନେସିଆର ରାଷ୍ଟ୍ରପତି କହିଛନ୍ତି, “ଭାରତ ଏବଂ ଇଣ୍ଡୋନେସିଆର ଏକ ପ୍ରାଚୀନ ଇତିହାସ ଅଛି  । ଆମ ମଧ୍ୟରେ ସଭ୍ୟତା ସମ୍ପର୍କ ଅଛି  । ଆଜି ବି ଆମ ଭାଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସଂସ୍କୃତରୁ ଆସିଛି । ଅନେକ ଇଣ୍ଡୋନେସିଆର ନାମ ପ୍ରକୃତରେ ସଂସ୍କୃତରୁ ଆସିଛି । ପ୍ରାଚୀନ ଭାରତୀୟ ସଭ୍ୟତାର ପ୍ରଭାବ ଆମ ଉପରେ ବେଶ ପ୍ରଭାବ ପକାଇଛି । ମୁଁ ଭାବୁଛି ଏହା ମଧ୍ୟ ଆମର ଜେନେଟିକ୍ସର ଏକ ଅଂଶ । ”

‘ଅଳ୍ପ ସମୟ ପାଇଁ ଆସିଛି କିନ୍ତୁ ବହୁତ କିଛି ଶିଖିଲି’

ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋ ଆହୁରି କହିଛନ୍ତି, “ମୁଁ ଭାରତ ଆସିଥିବାରୁ ଗର୍ବିତ’’। ମୁଁ ତୁମକୁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ମୁଁ ଜଣେ ବୃତ୍ତିଗତ ରାଜନେତା ନୁହେଁ | ମୁଁ ମଧ୍ୟ ଜଣେ ଭଲ କୂଟନୀତିଜ୍ଞ ନୁହେଁ। ମୁଁ ଯାହା କହୁଛି, ହୃଦୟରୁ କହୁଛି  । ମୁଁ ବହୁତ ଦିନ ଧରି ଏଠାକୁ ଆସିନାହିଁ, କିନ୍ତୁ ଅଳ୍ପ ସମୟ ମଧ୍ୟରେ ମୁଁ ବହୁତ କିଛି ଶିଖିଲି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ, କାର୍ଯ୍ୟକ୍ରମ ଏବଂ ଦାରିଦ୍ର୍ୟ ଦୂରିକରଣ ପ୍ରଚେଷ୍ଟା ମୋତେ ଅନୁପ୍ରାଣୀତ କରିଛି । ଏହା ଆମ ପାଇଁ ପ୍ରେରଣାଦାୟକ । ଆମେ ଭଲ ଉଦାହରଣ ଅନୁସରଣ କରିବା ଉଚିତ୍। ”

ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସପକ୍ଷବାଦୀଙ୍କ ହଙ୍ଗାମା

ନନ୍ଦିଘୋଷ ବ୍ୟୁରୋ: ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସପକ୍ଷବାଦୀଙ୍କ ହଙ୍ଗାମା। ପ୍ରତିବାଦରେ ଭାରତୀୟ ସମୁଦାୟ ଏହା ବିରୋଧରେ କରିଛନ୍ତି ପ୍ରତିବାଦ। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତୀୟ ଦୂତାବାସ ବାହାରେ ଭାରତୀୟ ସମୁଦାୟ ଉପସ୍ଥିତ ଥିଲେ। ମାତ୍ର ସେତେବେଳେ କେତେକ ଖଲିସ୍ତାନୀ ସପକ୍ଷବାଦୀ ହଙ୍ଗାମା କରିଥିଲେ। ଏହି ଘଟଣାକୁ ନେଇ ଦୂତାବାସ ଆଗରେ ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା ।

ଭାରତୀୟମାନେ ଅଭିଯୋଗ କରିଛନ୍ତି ଖଲିସ୍ତାନୀ ସମର୍ଥକମାନେ ଭାରତର ଜାତୀୟ ପତାକାକୁ ଅସମ୍ମାନ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟିହୋଇଥିଲା । ପୂର୍ବରୁ ବ୍ରିଟେନର ବିଭିନ୍ନ ସିନେମା ହଲରେ କଙ୍ଗନା ରାଣାୱତ ଅଭିନୀତ ଏମର୍ଜେନ୍ସି ଫିଲ୍ମର ପ୍ରଦର୍ଶନକୁ ବିରୋଧ କରି ଖଲିସ୍ତାନ ସମର୍ଥକମାନେ ପ୍ରତିବାଦ କରିଥିଲେ । ଗତମାସରେ ଖଲିସ୍ତାନୀବାଦୀ ନେତା ଗୁରପତୱନ୍ତ ସିଂ ପନୁ ବ୍ରିଟେନରେ ଭାରତ ବିରୋଧୀ ଅଭିଯାନର ନାରା ଦେଇଥିଲେ ।

ଦିଲ୍ଲୀ ବିଧାନସଭା ନିର୍ବାଚନ : ପ୍ରଚାର ପାଇଁ ହାତରେ ମାତ୍ର ୭ ଦିନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର । ପ୍ରଚାରକୁ ଆଉ ମାତ୍ର ହାତରେ ୭ ଦିନ । ଆସନ୍ତା ୩ ତାରିଖରେ ସରିବ ପ୍ରଚାର । ଏଥିଲାଗି ସମସ୍ତ ଦଳର ପ୍ରାର୍ଥୀ ଜୋରସୋର ପ୍ରଚାରରେ ଲାଗି ପଡିଛନ୍ତି । ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ଗତକାଲି ଜୋରଦାର ପ୍ରଚାର କରିଥିଲେ । ପ୍ରଚାର ଅବସରରେ କେନ୍ଦ୍ରର ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି କେଜରିୱାଲ । ଯଦି ବିଦ୍ୟୁତ ବିଲ ଅଧିକ ଦେବାକୁ ଦିଲ୍ଲୀବାସୀ ଚାହୁଁଛନ୍ତି ତେବେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ବୋଲି କହିଛନ୍ତି କେଜରିୱାଲ ।

ଆପ ନେତା ସଂଜୟ ସିଂହ ମଧ୍ୟ କେନ୍ଦ୍ରର ବିଜେପିକୁ କଡ଼ା ଭାବେ ସମାଲୋଚନା କରିଛନ୍ତି। ଆମ ଆଦମୀ ପାର୍ଟି ଏକ ହୋଇ ଦିଲ୍ଲୀବାସୀଙ୍କ ପାଇଁ କାମ କରିବ ବୋଲି କହିଛନ୍ତି ସଂଜୟ ସିଂହ। ଦିଲ୍ଲୀରେ ବିଜେପି ଆସିଲେ ବିଜୁଳି, ପାଣି, ଶିକ୍ଷା, ଚିକିତ୍ସା ଓ ମହିଳାଙ୍କ ମାଗଣା ବସ ସେବା ଯାତ୍ରା ବନ୍ଦ କରି ଦେବେ ବୋଲି କହିଛନ୍ତି ସଂଜୟ ସିଂହ । ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଗଠନ ଲାଗି ଦିଲ୍ଲୀବାସୀ ପୁରା ପ୍ରସ୍ତୁତ ଅଛନ୍ତି ବୋଲି କହିଛମନ୍ତି ସଂଜୟ ସିଂହ।