ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଅଭିଜ୍ଞ ଖେଳାଳି ବିରାଟ କୋହଲି ରଣଜୀ ଟ୍ରଫି ଖେଳିବେ । ବିସିସିଆଇର ନୂଆ ନିୟମ ପରେ ରଣଜୀ ଖେଳିବାକୁ ଯାଉଛନ୍ତି ବିରାଟ । ଦିଲ୍ଲୀ ପକ୍ଷରୁ ରଣଜୀ ଖେଳିବାକୁ ଯାଉଥିବା ବିରାଟ ରେଲଓ୍ବେ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବେ । ତେବେ ଦୀର୍ଘ ୧୩ ବର୍ଷ ପରେ ରଣଜୀ ଟ୍ରଫି ଖେଳିବାକୁ ଯାଉଛନ୍ତି କିଙ୍ଗ କୋହଲି । ତେବେ ବିରାଟଙ୍କ ଏଣ୍ଟ୍ରିକୁ ନେଇ ଦିଲ୍ଲୀ କ୍ରିକେଟ ଆସୋସିଏସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିରାଟଙ୍କୁ ସୁରକ୍ଷାକୁ ଦୃଷ୍ଟି ଦେବା ସହ ୧୦ ହଜାର ଦର୍ଶକଙ୍କୁ ମାଗଣା ଖେଳ ଦେଖିବା ପାଇଁ ମଧ୍ୟ ସୁଯୋଗ ଦିଆଯାଇଛି । ଆସନ୍ତା ୩୦ ତାରିଖରେ ଏହି ମ୍ୟାଚ ଖେଳାଯିବାକୁ ଥିବାବେଳେ ଶେଷଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଏଣୁ ଆଶା କରାଯାଉଛି କି, ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରି ଫର୍ମକୁ ଫେରିବେ ବୋଲି ଆଶା ରଖାଯାଇଛି । ସେପଟେ ଶେଷ ରଣଜୀ ଟ୍ରଫି ୨୦୧୨ ମସିହାରେ ସୌରାଷ୍ଟ୍ର ବିପକ୍ଷରେ ଖେଳିଥିଲେ ବିରାଟ । ଯେଉଁଥିରେ ପ୍ରଥମ ପାଳିରେ ୧୪ ଏବଂ ୪୩ ରନ କରି ପାରିଥିଲେ ।
ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ପୁତୁରାଙ୍କ ଗୁଣ୍ଡାଗିରି ଭିଡିଓ ଭାଇରାଲ
ନନ୍ଦିଘୋଷ ବ୍ୟୁରୋ: ସାମ୍ନାକୁ ଆସିଲା ମନ୍ତ୍ରୀଙ୍କ ପୁତୁରାର ଗୁଣ୍ଡାଗିରି। ସୁକିନ୍ଦା ବିଧାୟକ ତଥା ରାଜ୍ୟ ସମବାୟ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ପୁତୁରା ତଥା ଶାଳକଙ୍କ ପୁଅ ରଶ୍ମିରଞ୍ଜନ ବେହୁରା ବନବିଭାଗ କର୍ମଚାରୀଙ୍କ ସହ ଝଗଡ଼ା କରି ବେଆଇନ ଭାବେ ମୋରମ ବୋଝେଇ ଟ୍ରକ୍ ଛଡ଼େଇ ନେଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବନବିଭାଗ ପକ୍ଷରୁ ଥାନାରେ କୌଣସି ଏତଲା ଦିଆଯାଇ ନଥିବା ଜଣାପଡ଼ିଛି। ଯାଜପୁର ଜିଲ୍ଲା ସୁକିନ୍ଦା ବନଖଣ୍ଡ ଅଧିନସ୍ଥ ବନ୍ଧଗାଁ ମୌଜାର ଜଙ୍ଗଲ ଜମିରୁ ଚୋରା ଚାଲାଣ ବେଳେ ଗତକାଲି ମୋରମ ବେଝେଇ ଟ୍ରକକୁ ଅଟକାଇଥିଲା ବନ ବିଭାଗ। ପଚରାଉଚରା ବେଳେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ପୁତୁରା ରଶ୍ମିରଞ୍ଜନ ବେହୁରା ପହଞ୍ଚି ବନ ବିଭାଗ କର୍ମଚାରୀଙ୍କୁ ନାଲି ଆଖି ଦେଖାଇ ଛଡ଼ାଇ ନେଇଥିଲେ ମୋରମ ବୋଝେଇ ଟ୍ରକ। ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ୍ ହେବାରେ ଲାଗିଛି।…
ଉଚ୍ଚ ବେତନର ଚାକିରି ଛାଡି ଏବେ ସଫଳ ଚାଷୀ
ନନ୍ଦିଘୋଷ ବ୍ୟୁରୋ: ଉଚ୍ଚ ବେତନର ଚାକିରି ଛାଡି ଫାର୍ମ ପ୍ରତିଷ୍ଠା କଲେ ଯୁବକ । ନିଜ ପାଇଁ ଓ ନିଜ ଗାଁ ପାଇଁ କିଛି କରିବାର ଆଶା ନେଇ ଆଗେଇ ଆସିଥିଲେ ଢେଙ୍କାନାଳ କଙ୍କଡାହାଡ ଗୋପପୁର ଗାଁର ଅଜିତ କୁମାର ମହାନ୍ତ। ଉନ୍ନତପ୍ରଣାଳୀ ତଥା ଆଧୁନିକ ଜ୍ଞାନ କୌଶଳରେ ଗାଁ ମାଟିରେ ବିଦେଶୀ କୋଳି ଚାଷ କରିଛନ୍ତି ଅଜିତ l ୧୫ରୁ ଅଧିକ ଲୋକଙ୍କୁ ଦେଇଛନ୍ତି ରୋଜଗାର।
ଢେଙ୍କାନାଳ କଙ୍କଡାହାଡ ଗୋପପୁର ଗାଁର ଅଜିତ କୁମାର ମହାନ୍ତ। ପାଠପଢି ବାଙ୍ଗାଲୋରରେ ଏକ କମ୍ପାନିରେ ମୋଟା ଅଙ୍କରେ ଚାକିରି କରୁଥିଲେ। ହେଲେ ଚାଷ ପ୍ରତି ରହିଥିଲା ଦୁର୍ବଳତା। ଶେଷରେ ଚାକିରିରୁ ମୁହଁଫେରାଇ ନିଜ ଗାଁ ମାଟିରେ ଆପଲ ବେରି ଫାର୍ମ ପ୍ରତିଷ୍ଠା କଲେ । ପ୍ରାୟ ୪୦ ଏକର ଜମିରେ ଲାଗିଲା ଗଛ। ଥାଇ ଗ୍ରୀନ ଆପଲ ବେରୀ, ରେଡ ବଲସୁନ୍ଦରୀ, ରେଡ କାଶ୍ମୀର ସୁନ୍ଦରୀ, ସିଡଲେସ ବେରୀ ପ୍ରଭୁତି ବିଦେଶୀ କୋଳି ଚାଷ ଆରମ୍ଭ କଲେ l ୨୦୨୧ ମସିହାରୁ ଚାଷ ଆରମ୍ଭ କରିଛନ୍ତି ଅଜିତ। ଆପଲ ବେରି ସହ ଡ୍ରାଗନ ଫ୍ରୁଟ, ଓଡିଶା ଥ୍ରୀ, ପିକେଏମ ଭଳି ପ୍ରଜାତିର ସଜନା ଗଛ ଲଗାଇଛନ୍ତି।
ଫାର୍ମରେ ୧୦ରୁ ଅଧିକ ଲୋକଙ୍କୁ ସେ ନିଯୁକ୍ତି ଦେଇଛନ୍ତି। ଆଦିବାସୀ ବହୁଳ ଅଞ୍ଚଳରେ ଏଭଳି ଏକ ଅତ୍ୟାଧୁନିକ ଫାର୍ମ ପ୍ରତିଷ୍ଠା କରିଥିବାରୁ ଅଜିତଙ୍କୁ ଚାରିଆଡୁ ପ୍ରଶଂସା ମିଳିଛି। କୋଳି କେଜି ପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଛି । କୋଳି ଢେଙ୍କାନାଳ,କଟକ, ଭୁବନେଶ୍ୱର ,କେନ୍ଦୁଝର , ଯାଜପୁର , ତାଳଚେର, କାମାକ୍ଷାନଗର, ତେଲକୋଇ ଭଳି ଅଞ୍ଚଳକୁ ସପ୍ଲାଇ ମଧ୍ୟ ହେଉଛି।
ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତ ବାଂଲାଦେଶ ସୀମାରେ ୪ ବଙ୍କର ଠାବ
ନନ୍ଦିଘୋଷ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତ ବାଂଲାଦେଶ ସୀମାରେ ୪ ବଙ୍କର ଠାବ। ୪ଟି ବଙ୍କର ଠାବ କରିବା ସହ ୬୨ ହଜାର ବୋତଲ ବେଆଇନ କଫ ସିରପ ଜବତ କରିଛନ୍ତି ଭାରତୀୟ ସେନାର ଯବାନ। ଜବତ କଫ୍ ସିରପର ମୂଲ୍ୟ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ପଶ୍ଚିମବଙ୍ଗର ନଦିଆ ଜିଲ୍ଲା କୃଷ୍ଣାନଗର ଅଞ୍ଚଳ ମାଜଦିଆର ଗାଁରୁ ଜବତ ହୋଇଛି ଏହି କଫ ସିରପ। ଭାରତ ଓ ବାଂଲାଦେଶ ସୀମାରେ ରହିଛି ଏହି ଗାଁ। ଭାରତୀୟ ସେନା ଓ ଗୁଇନ୍ଦା ବିଭାଗର ସୂଚନା ପରେ ସେନାବାହିନୀ ରେଡ କରିଥିଲେ। ସୁବୀର ରଞ୍ଜନ ଲାହିଡି ମହାବିଦ୍ୟାଳୟ ନିକଟରେ ଖୋଜାଖୋଜି ପରେ ମାଟି ତଳେ ବଙ୍କର ଦେଖିବାକୁ ପାଇଥିଲେ। ବଙ୍କରଟି ଭାରତ ସୀମାରୁ ବାଂଲାଦେଶର ମାଟିତଳକୁ ସଂଯୋଗ ହୋଇଛି। ଏହି ବଙ୍କର ଭାରତ ସୀମାରୁ ବାଂଲାଦେଶ ସୀମା ମଧ୍ୟରେ ରହିଛି। ଏହି ବଙ୍କର ଦେଇ ବର୍ଷ ବର୍ଷ ଧରି ବାଂଲାଦେଶୀ ତସ୍କରମାନେ ସୁନା, ଜାଲ ନୋଟ ସହିତ ବିଭିନ୍ନ ପ୍ରକାର ବେଆଇନ ସାମଗ୍ରୀ ଚାଲାଣ କରୁଥିଲେ। ବାଂଲାଦେଶରୁ ଭାରତ ସୀମା ମଧ୍ୟରେ ୪ ବଙ୍କର ବ୍ୟବହାର କରୁଥିଲେ। ସୀମାରେ ଏଭଳି କେତେ ବଙ୍କର ରହିଛି ତନାଘନା କରୁଛି ଭାରତୀୟ ସେନା।
ଆର୍ଥିକ ସୂଚକାଙ୍କ ୨୦୨୫ ସଂକ୍ରାନ୍ତ ନୀତି ଆୟୋଗ ରିପୋର୍ଟ, ଖୁସି ବ୍ୟକ୍ତ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ନନ୍ଦିଘୋଷ ବ୍ୟୁରୋ: ରାଜସ୍ବ ପରିଚାଳନାରେ ଦେଶରେ ଓଡ଼ିଶା ନଂ-୧ ହେବା ପ୍ରସଙ୍ଗ। ଆର୍ଥିକ ସୂଚକାଙ୍କ ୨୦୨୫ ସଂକ୍ରାନ୍ତ ନୀତି ଆୟୋଗ ରିପୋର୍ଟ ନେଇ ଖୁସି ବ୍ୟକ୍ତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି- ଏକ ଆର୍ଥିକ ଦେବାଳିଆ ରାଜ୍ୟ ଭାବେ ପରିଗଣିତ ହେଉଥିବା ଓଡ଼ିଶା ଏକ ଆର୍ଥିକ ସ୍ବଚ୍ଛଳ ରାଜ୍ୟରେ ପରିଣତ ହୋଇଥିଲା। ଏହାରି ମୂଳରେ ଫାଇଭ-ଟି ଜରିଆରେ ରୂପାନ୍ତରଣର ଥିଲା ପ୍ରମୁଖ ଭୂମିକା। ଅତୀତରେ ଋଣ ବାବଦ ଦେୟ ଓ ଅନ୍ଯାନ୍ଯ ଋଣ ଲାଗି ରାଜ୍ଯ ରାଜସ୍ବର ବହୁଳ ଭାଗ ବ୍ୟୟ ହେଉଥିଲା। ଫଳରେ ଲୋକଙ୍କ କଲ୍ଯାଣ ଓ ବିକାଶମୂଳକ ପ୍ରକଳ୍ପ ସକାଶେ ପର୍ଯ୍ୟାପ୍ତ ପାଣ୍ଠି ଉପଲବ୍ଧ ହେଉ ନଥିଲା। ଓଡ଼ିଶା ରାଜସ୍ବ କ୍ଷେତ୍ରରେ ଶକ୍ତିଶାଳୀ ହେବା ପରେ ବିଏସକେୱାଇ, କାଳିଆ, ମିଶନ ଶକ୍ତି ଆଦି ନିଜସ୍ବ ଯୋଜନା ଆରମ୍ଭ ହୋଇପାରିଥିଲା। ଏହା ସହ ଜଳସେଚନ, କ୍ରୀଡ଼ା, ଦକ୍ଷତା, ସ୍କୁଲ ରୂପାନ୍ତରଣ, ଧାର୍ମିକ ପୀଠର ବିକାଶ, ବିପର୍ଯ୍ୟୟ ପରିଚାଳନା, ଭିତ୍ତିଭୂମି, ଆଦିବାସୀ ସଶକ୍ତିକରଣ, ଖାଦ୍ୟ ନିରାପତ୍ତା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିଲା ଓଡ଼ିଶା। ନିଯୁକ୍ତି ସୃଷ୍ଟି ଲାଗି ଓଡ଼ିଶା ପୁଞ୍ଜି ଆକର୍ଷିତ କରିପାରିଥିଲା। ଏହି ଐତିହାସିକ ଓ ରୂପାନ୍ତରଣଭିତ୍ତିକ ଯାତ୍ରାରେ ସହଭାଗୀ ଥିବାରୁ ରାଜ୍ଯବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ।
ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅକୁ କାହିଁକି ଗିରଫ କଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ପୁଅ ୟୋଷିତାଙ୍କୁ ଗିରଫ କରିଛି ପୋଲିସ । ସମ୍ପତ୍ତି ଦୁର୍ନିତୀ ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ୟୋଷିତା ହେଉଛନ୍ତି ଜଣେ ପୂର୍ବତନ ସେନା ଅଧିକାରୀ । ତେବେ ତାଙ୍କୁ ବେଲିଆଟାରୁ ଗିରଫ କରାଯାଇଛି । ୨୦୧୫ରୁ ତାଙ୍କ ପିତା ରାଷ୍ଟ୍ରପତି ଥିବା ସମୟରେ ସମ୍ପତ୍ତି କ୍ରୟରେ ଦୁର୍ନିତୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ତେବେ ସେ କୋର୍ଟରେ ସୁରକ୍ଷା ନେଇ ଏକ ପିଟିସନ ଦାଖଲ କରିଛନ୍ତି । ପୂର୍ବରୁ ତାଙ୍କ ସୁରକ୍ଷାକୁ ହ୍ରାସ କରାଯାଇଥିବା ଏବେ ପୁଣି ବଢ଼ାଇବାକୁ ଆବେଦନ କରିଛନ୍ତି । ୟୋଷିତା ଜଣେ ଲେଫ୍ଟନାଣ୍ଟ କମାଣ୍ଡ ହେବା ସହ ରଗବି ଦଳର ସଦସ୍ୟ ମଧ୍ୟ ରହିଥିଲେ । ସେ ରାଜପକ୍ଷେଙ୍କ ଦ୍ବିତୀୟ ସନ୍ତାନ । ତାଙ୍କର ଆଉ ଦୁଇ ଭାଇ ମଧ୍ୟ ରହିଛନ୍ତି । ସେ ରଗବି ଦଳର ଅଧିନାୟକ ମଧ୍ୟ ରହିଛନ୍ତି ।
ନାଁ ନନେଇ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଓ ରୁବେନ ବାନାର୍ଜୀଙ୍କୁ ଟାର୍ଗେଟ କଲେ ମନ୍ମଥ
ନନ୍ଦିଘୋଷ ବ୍ୟୁରୋ: ନାଁ ନନେଇ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଓ ରୁବେନ ବାନାର୍ଜୀଙ୍କୁ ଟାର୍ଗେଟ କଲେ ବିଜେଡି ନେତା ମନ୍ମଥ ରାଉତରାୟ । ପ୍ରତିଷ୍ଠିତ ବ୍ୟକ୍ତିମାନେ ବହୁତ କିଛି ମତାମତ ଦିଅନ୍ତି । ନିର୍ବାଚନ ପରେ ନବୀନ ବିରୋଧୀ ଦଳର ନେତା ହେବାପରେ କିଛି ଲୋକ ନିଜର ଓଜନ ବଢାଇବା ପାଇଁ ମତ ଦେଉଛନ୍ତି । ଅନେକ ଲୋକ ଲୋଭରେ ଅନେକ ମତ ଦେଉଛନ୍ତି । ନାଁ ନନେଇ ପୂର୍ବତନ ଆଇପିଏସ ଅଧିକାରୀ ପ୍ରକାଶ ମିଶ୍ରଙ୍କୁ ମନ୍ମଥ ଟାର୍ଗେଟ କରି କହିଛନ୍ତି, ସେ ବହୁ ଦିନ ଧରି ୟୁନିଫର୍ମ ପିନ୍ଧି ରହିଲେ । ନବୀନଙ୍କ ଅଧୀନରେ କାମ କରୁଥିଲେ । ନବୀନ ତାଙ୍କ ବସ୍ ଥିଲେ। ବସ୍ ପ୍ରତି ତାଙ୍କର ସମ୍ମାନ ରହିଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସହ କାମକଲେ ସିନା ତାଙ୍କୁ ସମ୍ମାନ ଦେଲେ ନାହିଁ। ମନ ଇଛା ବହି ଲେଖୁଛନ୍ତି। ଯେଉଁମାନେ ଥରେ ନିର୍ବାଚନ ଜିତି ନାହାନ୍ତି । ନିଜେ କେବେବି କାହାର ସେବା କରି ନାହାନ୍ତି। ପଦବୀକୁ ବ୍ୟବହାର କରି ଟିକେଟ ହାତେଇ ଥିଲେ ଆଉ ନିର୍ବାଚନ ହାରିଥିଲେ ମଧ୍ୟ। ତାଙ୍କ ଉପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ବୋଲି କହିଛନ୍ତି ମନ୍ମଥ । ସେହିପରି ନବୀନଙ୍କ ନାମରେ ଗପିବା ପାଇଁ ଆଉ ଜଣେ ବରିଷ୍ଠ ସାମ୍ବାଦିକ ଆସିଛନ୍ତି । ତାଙ୍କର ଓଡ଼ିଶାରେ କାମ କଣ ? ଓଡ଼ିଶା ମାଟିରେ କାମ କଣ ? କଣ ଓଡ଼ିଶା ପାଇଁ କରିଛନ୍ତି ? କେଉଁ ନିର୍ବାଚନରେ ଠିଆ ହେଇଛନ୍ତି ? କେଉ ନିର୍ବାଚନମଣ୍ଡଳିର ନେତୃତ୍ୱ ନେଇଛନ୍ତି l କେବେ ନେତା ହୋଇଛନ୍ତି ? ଯାହା ଇଛା କହୁଛ ଓ ବହି ଲେଖୁଛ ବୋଲି ରୁବେନଙ୍କୁ ଘେରିଛନ୍ତି ମନ୍ମଥ ।
ତାରକା ଖଚିତ ଦଳର ବଡ଼ ପରାଜୟ, କାମ ଦେଲେନି ମୁମ୍ବାଇର ବଡ଼ ଖେଳାଳି
ନନ୍ଦିଘୋଷ ବ୍ୟୁରୋ : ଦଳରେ ଆନ୍ତର୍ଜାତୀୟ ଖେଳାଳି ଭରପୁର ରହିଛନ୍ତି । କିନ୍ତୁ ପ୍ରଦର୍ଶନ ନୈରାଶ୍ୟ ଜନକ । ରୋହିତ, ଜୟସ୍ବାଲ, ରାହାଣେ, ଶ୍ରେୟସ ଆୟାର ଏବଂ ସାର୍ଦ୍ଧୁଲ ଠାକୁରଙ୍କ ଭଳି ଖେଳାଳି ଥାଇ ମଧ୍ୟ ଜମ୍ମୁ କାଶ୍ମୀରଠାରୁ ୫ ଓ୍ବିକେଟରେ ହାରିଛି ମୁମ୍ବାଇ । ରଣଜୀ ଟ୍ରଫିରେ ଡିଫେନ୍ଡି ଚାମ୍ପିୟନ ମୁମ୍ବାଇ ବଡ଼ ଖେଳାଳିଙ୍କ ସହ ମଇଦାନକୁ ଓହ୍ଲାଇଥିବା ମାତ୍ର କୌଣସି କାମ ଦେଇନାହିଁ । ପ୍ରଥମ ମ୍ୟାଚରୁ ପରାଜୟ ସହ ଖେଳ ଆରମ୍ଭ କରିଛି ଦଳ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ପ୍ରଥମ ପାଳିରେ ମାତ୍ର ୧୨୦ ରନ କରିବାରେ ସକ୍ଷମ ହୋଇଥିଲା । ଶିଭମ ଦୁବେଙ୍କ ଭଳି ଖେଳାଳି ଖାତା ଖୋଲି ପାରିନଥିଲେ । କିନ୍ତୁ ଜମ୍ମୁ କାଶ୍ମୀର ପ୍ରଥମ ପାଳିରେ ୨୦୬ କରିଥିଲା ।
ତେବେ ଦ୍ବିତୀୟ ପାଳିରେ ଆଶା କରାଯାଉଥିଲା କି, ଷ୍ଟାର ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ । କିନ୍ତୁ ସମସ୍ତେ ଫ୍ଲପ ହୋଇଥିଲେ । ଶ୍ରଦ୍ଧାଳୁ ଠାକୁରଙ୍କ ଶକତ ବଳରେ ଦଳ ୨୯୦ ରନ କରିଥିଲା । ତେବେ ଜମ୍ମୁ-କାଶ୍ମୀର ଆଗରେ ୨୦୫ ରନର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ୫ ଓ୍ବିକେଟ ବିନିମୟରେ ଜମ୍ମୁ କାଶ୍ମୀର ବିଜୟ ହାସଲ କରିଛି ।
ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଲେଡିଜ ହଷ୍ଟେଲ ୩ ମହଲାରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଅଭାବନୀୟ ଘଟଣା । ଲେଡିଜ ହଷ୍ଟେଲ ୩ ମହଲାରୁ ଡେଇଁ ଜଣେ ଯୁକ୍ତ ୨ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ତଳେ ପଡ଼ିବା ପରେ ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀମାନେ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି l ନୟାଗଡ଼ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଏ ନେଇ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଛନ୍ତି l ପୋଲିସ ଅଧିକ ତଦନ୍ତ ଜାରି ରଖିଛି l ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡ଼ିନଥିବା ବେଳେ ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି l
କ୍ୟାବ୍ ବୁକ୍ କରିଥିବା ମହିଳାଙ୍କୁ ଖରାପ ମେସେଜ କଲେ ଡ୍ରାଇଭର, ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ପରେ..
ନନ୍ଦିଘୋଷ ବ୍ୟୁରୋ: ସହଜ ଏବଂ ସୁଗମ ପାଇଁ ଯେତିକି ସୁବିଧା କରାଯାଉଛି କିଛି ଅସାଧୁ ବ୍ୟକ୍ତି ଏହାକୁ ଖରାପ କରିବାକୁ ଯାଉଛନ୍ତି । ତେବେ ଏବେ ସୋସିଆଲ ମିଡିଆରେ ଏମିତି ଏକ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା କ୍ୟାବ୍ ବୁକ କରିଥିବାବେଳେ ଡ୍ରାଇଭର ତାଙ୍କୁ ଖରାପ ମେସେଜ କରିଛନ୍ତି । ଯାହାକୁ ନେଇ ମହିଳା ଜଣକ କ୍ଷୋଭ ପ୍ରକାଶ କରିଥିବାବେଳେ ଏହି ଚାର୍ଟକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ୟୁଜର୍ସମାନେ କ୍ୟାବ ଡ୍ରାଇଭରକୁ କଡ଼ା ଭାଷାରେ ଗାଳି କରୁଥିବା ଦେଖିବାକୁ ମିଳିଛି । ମହିଳା ଜଣକ ଲିଙ୍କଡ ଇନରେ ଏହି ପୋଷ୍ଟ କରିଥିବା ଉବେର ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । ସମ୍ପୃକ୍ତ ଡ୍ରାଇଭରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।
ଦିଲ୍ଲୀରୁ ଏଭଳି ଘଟଣା ସାମନାକୁ ଆସିଛି । ତାନିଆ ଶର୍ମା ନାମକ ମହିଳା ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜିତେନ୍ଦ୍ର କୁମାର ନାମକ ଡ୍ରାଇଭର ଜଣକ ତାଙ୍କୁ ଖରାପ ମେସେଜ କରିବା ସହ ଭଲ ପାଉଥିବା ଭଳି ଶବ୍ଦ ମଧ୍ୟ ବ୍ୟବହାର କରିଛନ୍ତି । ଯେଉଁ ମେସେଜ ଦେଖି କ୍ୟାବ୍ ବୁକ କରିଥିବା ତାନିଆ ରାଗିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ମେସେଜଟି ବେଶ ଭାଇରାଲ ହୋଇଥିବାବେଳେ ୟୁଜର୍ସମାନେ କମ୍ପାନୀ ଏବଂ ଡ୍ରାଇଭରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ଯଦିଓ ଉବେର ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି କିନ୍ତୁ ଲୋକେ ଏହାକୁ ବିରୋଧ କରିଛନ୍ତି । ୟୁଜର୍ସମାନେ କମେଣ୍ଟରେ ଲେଖିଛନ୍ତି କେବଳ କ୍ଷମା ମାଗି କଥାକୁ ଚାପୁଛନ୍ତି କିନ୍ତୁ ଡ୍ରାଇଭରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଟାଉନାହିଁ ।

