ଭୁବନେଶ୍ବର: ପୁଣି ଦେଶରେ ନମ୍ବର ଓ୍ବାନ ହେଲା ନବୀନ ରୋଲ ମଡେଲ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆର୍ଥିକ ସୂଚକାଙ୍କରେ ଓଡ଼ିଶା ହୋଇଛି ଏକ ନମ୍ବର। ଆର୍ଥିକ ସୂଚକାଙ୍କ ୨୦୨୫ ସଂକ୍ରାନ୍ତ ନୀତି ଆୟୋଗ ରିପୋର୍ଟରେ ଓଡ଼ିଶାକୁ ଏକ ନମ୍ବରରେ ରଖାଯାଇଛି। ଆର୍ଥିକ କ୍ଷେତ୍ରରେ ସର୍ବାଧିକ ୬୭.୮ ପଏଣ୍ଟ ସହିତ ଓଡ଼ିଶାର ସ୍ଥାନ ସର୍ବାଗ୍ରେ ରହିଛି। ଋଣ ସୂଚକାଙ୍କରେ ୯୯ ପ୍ରତିଶତ ଓ ଋଣଗତ ସହନଶୀଳତା ୬୪ ପ୍ରତିଶତ ରହିଛି। ଏହାସହ ବ୍ୟୟ ଗୁଣବତ୍ତା ଓ ରାଜସ୍ବ ସମ୍ବଳ ସଂଗ୍ରହ କ୍ଷେତ୍ରରେ ବି ଓଡ଼ିଶା ଉଲ୍ଲେଖନୀୟ ଭାବେ ସଫଳତା ହାସଲ କରିଛି। ଏହି ସମୟ କାଳ ମଧ୍ୟରେ କମ୍ ରାଜସ୍ବ ନିଅଣ୍ଟ, ଋଣ ପରିଚାଳନା, ହାରାହାରି ପୁଞ୍ଜିଗତ ଆକଳନ ଓ ଜିଏସଡିପି ଅନୁପାତ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉତ୍ତମ ପାରଦର୍ଶିତା ହାସଲ କରିଛି। ନବୀନ ସରକାରର ପଞ୍ଚମ ପାଳି ତଥା 5T କାର୍ଯ୍ୟକାରିତା ପରେ ଏଭଳି ସଫଳତା ମିଳିଛି। ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ପାଇଁ ଓଡ଼ିଶା ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିବା ସହ ସାରା ଦେଶରେ ନମ୍ବର ଓ୍ବାନ ହୋଇଛି। କେବଳ ଏହି କ୍ଷେତ୍ର ନୁହେଁ, ଅନେକ କ୍ଷେତ୍ରରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁ ଓଡ଼ିଶା କେନ୍ଦ୍ର ସରକାରଙ୍କ ଠାରୁ ପ୍ରଶଂସା ସାଉଣ୍ଟୁଛି। ସଫଳତା ପାଇଁ ଅନେକ ଥର ପୁରସ୍କୃତ ହୋଇଛି ଓଡ଼ିଶା।
ଟ୍ରମ୍ପଙ୍କ କଡ଼ା ନିର୍ଦ୍ଦେଶ ପରେ ପ୍ରବାସୀ ନାଗରିକ ଛାନିଆ
ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡା ନିର୍ଦ୍ଦେଶ ପରେ ହନ୍ତସନ୍ତ ଆମେରିକାରେ ଅବୈଧ ଭାବେ ରହୁଥିବା ପ୍ରବାସୀ। ହାତରେ ହାତକଡ଼଼ି ପକାଇ ବିମାନରେ ନିଜ ନିଜ ଦେଶକୁ ଫେରୁଛନ୍ତି ପ୍ରବାସୀ ନାଗରିକ। ଶପଥ ନେବାପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ କଠୋର ନିର୍ଦ୍ଦେଶ ପରେ ପ୍ରବାସୀ ନାଗରିକଙ୍କ ମଧ୍ୟରେ ଛାନିଆ ପଶିଛି। ଦେଶରେ ଅବୈଧ ଭାବେ ରହୁଥିବା ନାଗରିକଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ପରେ ଅନେକ ଦେଶରେ ହଲଚଲ ସୃଷ୍ଟି ହୋଇଛି। ଏହା ମଧ୍ୟରେ ଆମେରିକାର ଏକ ଏୟାରପୋର୍ଟରେ ପ୍ରବେଶ ଅନୁମତି ନମିଳିବାରୁ ଦୁଇ ଭାରତୀୟ ନାଗରିକଙ୍କୁ ଏୟାରପୋର୍ଟରୁ ଭାରତକୁ ଫେରାଇ ଦେଇଛନ୍ତି ସେଠାକାର ପ୍ରଶାସନ। ଆମେରିକାରେ ରହୁଥିବା ଜଣେ ଦମ୍ପତିଙ୍କ ବାପାମାଆଙ୍କୁ ଆମରିକୀୟ ପ୍ରଶାସନ ଏୟାରପୋର୍ଟରୁ ଭାରତକୁ ଫେରାଇ ଦେଇଛନ୍ତି। ଭାରତକୁ ଫେରିବାକୁ ଟିକେଟ ନଥିବାରୁ ସେମାନଙ୍କୁ ବିମାନ ବନ୍ଦରକୁ ହିଁ ଫେରାଇ ଦିଆଯାଇଛି। ଭାରତୀୟ ଦମ୍ପତ୍ତିଙ୍କ ପିତାମାତାଙ୍କ ପାଖରେ ବି-୧ ବି-୨ ଭିସା ଥିଲା। ତେବେ ବର୍ତ୍ତମାନର ସରକାରଙ୍କ ନିୟମ ଅନୁସାରେ ସେମାନଙ୍କ ପାଖରେ ରିଟର୍ଣ୍ଣ ଟିକେଟ ଥିବା ଆବଶ୍ୟକ । ଫେରିବାକୁ ଟିକେଟ ନଥିବାରୁ ଉଭୟଙ୍କୁ ବିମାନବନ୍ଦରକୁ ଫେରାଇ ଦିଆଯାଇଛି।
ଆଉ ୪ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡିବେ ହମାସ ଆତଙ୍କୀ: ମୁକ୍ତ ହେବାକୁ ଥିବା ୪ ପଣବନ୍ଦୀଙ୍କ ନାଁ ଘୋଷଣା କରିଛି ହମାସ
ଜେରୁଜେଲମ୍: ଇସ୍ରାଏଲ-ହମାସ ଯୁଦ୍ଧ ବିରତି ପ୍ରସଙ୍ଗ। ଆଜି ଆଉ ୪ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡିବେ ହମାସ ଆତଙ୍କୀ। ମୁକ୍ତ ହେବାକୁ ଥିବା ୪ ପଣବନ୍ଦୀଙ୍କ ନାଁ ଘୋଷଣା କରିଛି ହମାସ। ସେମାନେ ହେଲେ କରିନା ଆରିଏଭ, ଡାନିଏଲା ଗିଲବୋଆ, ନାମା ଲେଭି ଏବଂ ଲିରି ଆଲବାଗ। ଏହି ୪ ମହିଳାଙ୍କୁ ଆଜି ଛାଡିବ ବୋଲି ଘୋଷଣା କରିଛି ଗାଜାରେ ସକ୍ରିୟ ଆତଙ୍କୀ ସଂଗଠନ ହମାସ। ପ୍ରତି ବଦଳରେ ଜଣେ ପଣବନ୍ଦୀଙ୍କ ବଦଳରେ ୫୦ ପାଲେଷ୍ଟିନୀୟ ବନ୍ଦୀଙ୍କୁ ଛାଡିବାକୁ ଦାବି କରିଛି ହମାସ। ସେହି ଅନୁସାରେ ମୋଟ ୨ଶହ ପଣବନ୍ଦୀଙ୍କୁ ଛାଡିବାକୁ ଦାବି କରିଛି ପାଲେଷ୍ଟାଇନ। ହମାସ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତିର ଆଜି ସପ୍ତମ ଦିନ। ପୂର୍ବରୁ ପ୍ରଥମ ଦିନରେ ୩ ମହିଳା ପଣବନ୍ଦୀଙ୍କୁ ମୁକ୍ତ କରିଥିଲେ ହମାସ ଆତଙ୍କୀ। ଏହା ବଦଳରେ ୯୦ ଜଣ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିଥିଲା ଇସ୍ରାଏଲ। ଇସ୍ରାଏଲ ହମାସ ମଧ୍ୟରେ ୬ ସପ୍ତାହର ଏହି ପ୍ରଥମ ପର୍ଯ୍ୟାୟ ଯୁଦ୍ଧ ବିରତି। ଏହି କ୍ରମରେ ମୋଟ ୩୩ ଇସ୍ରାଏଲ ନାଗରିକଙ୍କୁ ଛାଡିବ ହମାସ। ପ୍ରତି ବଦଳରେ ହଜାରରେ ଅଧିକ ପାଲେଷ୍ଟିନୀୟ ନାଗରିକଙ୍କୁ ଛାଡିବାକୁ ସର୍ତ୍ତ ରଖିଛି ପାଲେଷ୍ଟାଇନ। ଏବେ ହମାସ ନିକଟରେ ମୋଟ ୯୪ ଜଣ ଇସ୍ରାଏଲ ନାଗରିକ ପଣବନ୍ଦୀ ଭାବେ ରହିଥିବା ସୂଚନା ମିଳିଛି।
ଆହୁରି ଦୁଇ ଦିନ ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି: ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ଭୁବନେଶ୍ବର: ଆହୁରି ଦୁଇ ଦିନ ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି । ଅଧିକାଂଶ ଜିଲ୍ଲାରେ ଜିରୋ ଭିଜିବିଲିଟି ନେଇ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ଦେଖାଯିବନି ରାସ୍ତା। ରାତି ୨ଟାରୁ ସକାଳ ୯ ଟା ପର୍ଯ୍ୟନ୍ତ ରହିବ ଘନ କୁହୁଡ଼ିର ପ୍ରଭାବ। ଘାଟି ରାସ୍ତା ସହ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି ଏବଂ କୋରାପୁଟ କୁ ସତର୍କତା ଜାରି କରାଯାଇଛି।
ସେହିଭଳି ୨୬ ତାରିଖରେ ଘନ କୁହୁଡି ନେଇ ସୁନ୍ଦରଗଡ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, ପୁରୀ, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୭ ତାରିଖରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ଦୃଶ୍ୟମାନ କ୍ଷମତା ରହିବ। କିଛି ଜିଲ୍ଲାରେ ଜିରା ଭିଜିବିଲିଟି ମଧ୍ୟ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଜାରି ରହିଛି। ଫଳରେ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ଘନ କୁହୁଡି ଅନୁଭୂତ ହେଉଛି ବୋଲି ପାଣିପାଗ କେନ୍ଦ୍ର କହିଛି।
ଡାଲମିଆ ସିମେଣ୍ଟ କାରଖାନାରେ ତଦନ୍ତକାରୀ ଟିମ୍, ଖୋଜୁଛନ୍ତି ଦୁର୍ଘଟଣାର କାରଣ
ରାଜଗାଙ୍ଗପୁର: ଡାଲମିଆ ସିମେଣ୍ଟ କାରଖାନାରେ ଘଟି ଯାଇଥିବା ଦୁର୍ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଚେତା ପଶିଛି । ଆଗକୁ ଯେପରି ଏମିତି ଘଟଣାର ପୁନରାବୃତ୍ତି ନ ଘଟେ ସେ ନେଇ ସଜାଗ ରହିବାକୁ କଡା ତାଗିଦ କରିଛି ଜିଲ୍ଲା ପ୍ରଶାସନ। ଆଜି ଜିଲ୍ଲପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଖଣି ଏବଂ କାରଖାନା କର୍ତୁପକ୍ଷଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ନିଜ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଖଣି ମାଲିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଦୁର୍ଘଟଣାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ୬ ଜଣିଆ ତଦନ୍ତକାରୀ ଟିମ ଘଟଣାର ତଦନ୍ତ କରୁଛନ୍ତି । କାରଖାନା ଓ ବଏଲର ବିଭାଗର ଦୁଇ ଜଣ ଡେପୁଟି ଡାଇରେକ୍ଟର, ତିନି ଜଣ ଆସିଷ୍ଟାଣ୍ଟ ଡାଇରେକ୍ଟର ଓ ସେଫ୍ଟି ବିଭାଗର ଜଣେ ଡେପୁଟି ଡାଇରେକ୍ଟର ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ, ଜିଲ୍ଲାର ସମସ୍ତ ଖଣି ଓ କାରଖାନାର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି । ଯେମିତି ଏଭଳି ଦୁର୍ଘଟଣାର ପୁନରାବୃତି ନହୁଏ ସେଥିପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲପାଳ ଏବଂ ଏସପି ।
ଦାୟିତ୍ୱରେ ଅବହେଳା କରିଥିବା କମ୍ପାନୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲପାଳ ଏବଂ ଏସପି କହିଛନ୍ତି । ବୈଠକରେ କେବଳ ଚର୍ଚ୍ଚା ଓ ଆଲୋଚନା ହୋଇ ନାହିଁ ବରଂ ଜିଲ୍ଲପାଳ ଏବଂ ଏସପି ଏପରି ଘଟଣାକୁ ଗୁରୁତର ସହ ନେଇଥିବା କହିଛନ୍ତି । ଏପରି ଘଟଣା ଆଗକୁ ଘଟିଲେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟ ଚେତାବନୀ ଦେଇଛନ୍ତି ।
ବୈଠକରେ ଭାଗ ନେଇଥିବା କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ସ୍ୱାଗତ କରିବା ସହ ନିୟମିତ ବ୍ୟବଧାନରେ ଏପରି ବୈଠକ ଆୟୋଜନ ହେବା କଥା ବୋଲି କହିଛନ୍ତି ।
ପିଇବା ପାଣି ପାଇଁ ୬ ଶହ ଲୋକେ ହେଉଛନ୍ତି ଡହଳବିକଳ, ଅଭିଯୋଗ ପରେ ବି ଫଳ ଶୂନ
ବୌଦ୍ଧ: ଟାଙ୍କି ଅଛି । ପାଇପ୍ ପଡ଼ିଛି । ଷ୍ଟାଣ୍ଡ ବି ବସିଛି । ହେଲେ ପାଣି ଆସୁନି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୁରୁଣାପାଣିରେ । ୬ ଶହରୁ ଅଧିକ ଲୋକ ପିଇବା ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି । ହେଲେ ନା ବିଭାଗୀୟ ଅଧିକାରୀଙ୍କୁ ଦିଶୁଛି ନା ଜିଲ୍ଲା ପ୍ରଶାସନକୁ । ଏପରିକି ଜିଲ୍ଲାପାଳଙ୍କୁ ବାରମ୍ବାର ଦାବି ଜଣାଇଲେ ବି କିଛି ଲାଭ ହେଉ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ଏବେ ଗାଁ ଲୋକଙ୍କ ଭରସା ପାଲଟିଛି ଦୁଇଟି ନଳକୂପ । ହେଲେ ଏଥିରୁ ପିଇବା ଯୋଗ୍ୟ ପାଣି ବାହାରୁନି । ତଥାପି ବିକଳ୍ପ କିଛି ନଥିବାରୁ ଲୋକେ ଉକ୍ତ ନଳକୂପର ପାଣି ପିଇ ରୋଗରେ ପଡୁଥିବା ଅଭିଯୋଗ କରିଛନ୍ତି ।
ପୂର୍ବରୁ ଗ୍ରାମ ବିକାଶ ଯୋଜନା ମାଧ୍ୟମରେ ଗାଁକୁ ଜଳ ଯୋଗାଣ ହେଉଥିଲା । ତାହା ମଧ୍ୟ ଖରାପ ହୋଇ ବନ୍ଦ ହୋଇଗଲା l ପରେ ବସୁଧାକୁ ନେଇ ପାଣି ପାଇବା ପାଇଁ ବେଶ ଖୁସିଥିଲେ ଗାଁ ଲୋକେ । ହେଲେ ତାହା କାନ୍ଥ ଲେଖା ସୀମିତ ରହିଛି । ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ କିଛି ଲାଭ ହେଉ ନଥିବା ଅଭିଯୋଗ ହେଉଛି । ତେବେ କିଛି ଗାଁକୁ ଜଳ ଯୋଗାଣ ହୋଇଛି, ଅନ୍ୟ ଗାଁକୁ ମଧ୍ୟ ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ।

