spot_img
Home Blog Page 1144

ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ୧୫୭ ପୁରୁଷ

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ଆସିଲା ସାଙ୍ଘାତିକ ତଥ୍ୟ। ମହିଳାଙ୍କ ପାଇଁ ହୋଇଥିବା ଏହି ସ୍କିମରେ ଆବେଦନ କରିଛନ୍ତି ପୁରୁଷ। ସର୍ଟିଂ ବେଳେ ଜଣାପଡିଲା ଏହି ତଥ୍ୟ। ଏହି ଯୋଜନା ଲାଗି ୧୫୭ ଜଣ ପୁରୁଷ ଆବେଦନକାରୀ ଆବେଦନ କରିଛନ୍ତି। ସେମାନଙ୍କୁ ବାଦ ଦିଆଯାଇଛି। ଆଧାର କାର୍ଡର ବ୍ୟାଙ୍କ ଲିଂକେଜ ଡାଟା ଆସିବା ପରେ ଏହା ଜଣାପଡିଥିଲା। ପୁଅ ନାଁ ଝିଅ ନାଁ ଏକାଭଳି ଥାଏ। ବନାନ ବି ଏକା ହୋଇଥାଏ। ତେଣୁ କଣ ପାଇଁ ସେମାନେ ଆବେଦନ କରିଛନ୍ତି ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ସେପଟେ ଯେଉଁମାନେ ରାଜ୍ୟ ବାହାରେ ଅଛନ୍ତି ସେମାନେ ଆବେଦନ କରନ୍ତୁ ବୋଲି କୁହାଯାଇଛି। ବର୍ତ୍ତମାନ ସୁଭଦ୍ରା ପାଇଁ ୧ କୋଟି ସାତ ଲକ୍ଷ ଆବେଦନ ଥିଲା। ଏମପିସିଆଇ ପେଣ୍ଡିଙ୍ଗ ୨ ଲକ୍ଷରୁ ଅଧିକ ଥିଲା। ଯେଉଁମାନେ ବାହାରକୁ କାମ ପାଇଁ ପଳାଇଛନ୍ତି ସେମାନଙ୍କ ଫଟୋ ଉଠିବା ଦରକାର। ସେଥିପାଇଁ ସେମାନଙ୍କୁ ସୁଭଦ୍ରା ଦିଆଯାଇପାରୁନି। ଗଂଜାମ, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟରେ ଅଧିକ ଅଛନ୍ତି ପେଣ୍ଡିଙ୍ଗ। ପ୍ରବାସୀ ବିଭିନ୍ନ କାମ ପାଇଁ ବାହାରକୁ ଯାଇଛନ୍ତି। ସେମାନେ କମିତି ପାଇବେ ଚେଷ୍ଟା ଚାଲିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା, ବନ୍ଦ ଡାକରା ଦେଇଛି କୋଶଳ ସମାଜ

ସୁନ୍ଦରଗଡ଼:  ୯୦ ଜଣ ଆଦିବାସୀ ଝିଅଙ୍କୁ ଚାକିରି ନାଁରେ ତାମିଲନାଡୁକୁ ନେଇ ଶୋଷଣ କରିବା ଘଟଣା। ପ୍ରତିବାଦରେ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ। କୋଶଳ ସମାଜ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାରେ ବନ୍ଦର ଆଂଶିକ ପ୍ରଭାବ ପଡିଛି। ଆଦିବାସୀ ଝିଅଙ୍କୁ ଚାକିରି ନାଁରେ ତାମିଲନାଡୁକୁ ନେଇ ଶୋଷଣ କରିବା ଘଟଣାରେ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଏହି ବନ୍ଦ ଡାକରା ଦିଆଯାଇଛି।

ସ୍କୁଲ, କଲେଜ, ସରକାରୀ ଅଫିସ ସହ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯିବ। ବନ୍ଦ ଡାକରା ନେଇ କୋଶଳ ସମାଜ ମହାସଚିବ ଦିଲ୍ଲୀପ ପଣ୍ଡା ସୂଚନା ଦେଇଛନ୍ତି।

ଛତିଶଗଡ ଗରିଆବନ୍ଧର କୁଲାରି ଡଙ୍ଗରୀରେ ସର୍ଚ୍ଚ ଅପରେସନ ଜାରି, ୨୪ରେ ପହଞ୍ଚିଲା ମାଓବାଦୀଙ୍କ ମୃତ୍ୟୁସଂଖ୍ୟା

ନୂଆପଡା: ନୂଆପଡା ସୀମାନ୍ତ ଛତିଶଗଡ ଗରିଆବନ୍ଧର କୁଲାରି ଡଙ୍ଗରୀରେ ଜାରି ରହିଛି ସର୍ଚ୍ଚ ଅପରେସନ। ମାଓଗଡ଼ ଧ୍ବଂସ ହୋଇଛି। କମ୍ବିଂ ଅପରେସନରେ ମାଓବାଦୀଙ୍କ ମୃତ୍ୟୁସଂଖ୍ୟା ୨୪ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଞ୍ଚଳରୁ ବିପୁଳ ବିସ୍ଫୋରକ ସାମଗ୍ରୀ, ୪ଟି ରାଇଫଲ, ୮ଟି ଦେଶୀ ବନ୍ଧୁକ, ୪ଟି ମାଗାଜିନ, ୧୦ଟି ଜୀବନ୍ତ ଗୁଳି, ୪ଟି ଟିଫିନ ବୋମା ଜବତ ହୋଇଛି। ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ଦେଇଛନ୍ତି ନୂଆପଡା ଏସପି। ଗତକାଲି ହୋଇଥିବା ଅପରେସନରେ ନିହତ ହୋଇଥିଲେ ମାଓନେତା ଚଲପତି। ଆଜି ଡିଜିପି ୱାଇ. ବି. ଖୁରାନିଆ ନୂଆପଡା ଗସ୍ତ କରିବେ।

ବଲିଉଡ ତାରକା ସୈଫ ଅଲ୍ଲୀଙ୍କ ଚାଲିଛି ଖରାପ ସମୟ, ଚାଲିଯିବ ପଟୌଦି ପରିବାରର ପ୍ରାୟ ୧୫ ହଜାର କୋଟି ଟଙ୍କା ସମ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ତାରକା ସୈଫ ଅଲ୍ଲୀ ଖାନଙ୍କ ଚିଲିଛି ଖରାପ ସମୟ। ଆଉ ଏକ ଝଟକା ଲାଗିଛି ସୈଫ ଅଲ୍ଲୀ ଖାନଙ୍କୁ । ପଟୌଦି ପରିବାରର ପ୍ରାୟ ୧୫ ହଜାର କୋଟି ଟଙ୍କା ସମ୍ପତ୍ତି ଉପରେ ଜାରି ରହିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ଫଳରେ ଏହି ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରନ୍ତି ରାଜ୍ୟ ସରକାର। ଏନିମି ପ୍ରପର୍ଟି ଆକ୍ଟ ୧୯୬୮ ଅନୁସାରେ ମଧ୍ୟପ୍ରଦେଶ ସରକାର ଏହି ସମ୍ପତ୍ତିକୁ ହସ୍ତଗତ କରିପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ୨୦୧୫ରେ ଭୋପାଳରେ ଥିବା ଏହି ସମ୍ପତ୍ତି ଉପରେ ଜାରି ହୋଇଥିଲା ରହିତାଦେଶ। ଏହି ସମ୍ପତ୍ତି ମଧ୍ୟରେ ରହିଛି ସୈଫଙ୍କ ବାଲ୍ୟ ଜୀବନ କଟିଥିବା ଫ୍ଲାଗ ଷ୍ଟାଫ ହାଉସ, ନୁର-ଉସ-ସବାହ ପ୍ୟାଲେସ, ଦର-ଉସ-ସଲାମ, ହବିବି ବଙ୍ଗଳା, ଅହମ୍ମଦାବାଦ ପ୍ୟାଲେସ, କୋହେଫିଜା ପ୍ରପର୍ଟି ଓ ଅନ୍ୟ କେତେକ କୋଠା। ଜଷ୍ଟିସ ବିବେକ ଅଗ୍ରୱାଲ ମାମଲାର ବିଚାର କରିବା ସହ ୩୦ ଦିନ ମଧ୍ୟରେ ଉତ୍ତର ରଖିବା ଲାଗି ବିଭିନ୍ନ ପକ୍ଷକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନିମି ପ୍ରପର୍ଟି ଆକ୍ଟ ଅନୁସାରେ ୧୯୬୫ ଯୁଦ୍ଧ ପରେ ଯେଉଁ ବ୍ୟକ୍ତିବିଶେଷ ପାକିସ୍ତାନକୁ ଚାଲିଯାଇଥିଲେ ସେମାନଙ୍କ ସମ୍ପତ୍ତିକୁ କେନ୍ଦ୍ର ସରକାର ଅଧିକାରକୁ ନେବେ। ଭୋପାଳର ଶେଷ ନବାବ ହମିଦୁଲ୍ଲା ଖାଁଙ୍କର ୩ ଝିଅ ଥିଲେ। ୧୯୫୦ରେ ତାଙ୍କ ଜ୍ୟେଷ୍ଠା କନ୍ଯା ଆବିଦା ସୁଲତାନ ପାକିସ୍ତାନକୁ ଚାଲିଯାଇଥିଲେ। ଦ୍ବିତୀୟ ଝିଅ ସାଜିଦା ସୁଲତାନ ଭାରତରେ ରହିଥିଲେ ଏବଂ ନବାବ ଇଫତିକାର ଅଲ୍ଲୀ ଖାଁ ପଟୌଦିଙ୍କୁ ବିବାହ କରିବା ସହ ସମ୍ପତ୍ତିର ଆଇନଗତ ହକଦାର ପାଲଟିଥିଲେ। ସାଜିଦାଙ୍କ ନାତି ସୈଫ ଅଲ୍ଲୀ ଖାନ ଏସବୁ ସମ୍ପତ୍ତିର କିଛି ଅଂଶ ପାଇଥିଲେ। ତେବେ ଆବିଦାଙ୍କ ପାକିସ୍ତାନ ପଳାୟନ ଘଟଣା ଏହି ସମ୍ପତ୍ତି ଉପରେ ଥିବା ସରକାରଙ୍କ ଅଧିକାରକୁ ବଳଶାଳୀ କରିଥିଲା। ୨୦୧୯ରେ ସାଜିଦାଙ୍କୁ ଉତ୍ତରାଧିକାରୀ ଭାବେ କୋର୍ଟ ରାୟ ଦେଇଥିଲେ। ତେବେ ଭୋପାଳ ଜିଲ୍ଲାପାଳ ୭୨ ବର୍ଷର ରେକର୍ଡ ଯାଞ୍ଚ କରିଥିଲେ। ଏହି ମାମଲାରେ ନିମ୍ନ କୋର୍ଟ ଯେଉଁ ରହିତାଦେଶ ଦେଇଥିଲେ ତାହାକୁ ହଟାଇଦେଇଛନ୍ତି ହାଇକୋର୍ଟ। ଫଳରେ ଏହି ସମ୍ପତ୍ତିର ମାଲିକାନାକୁ ନେଇ ପ୍ରଶ୍ନ ଉଠିଛି।

ପୁଣି ଦେଶକୁ ଫେରିଲା କ୍ରିକେଟ ଫିଭର, ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-ଟ୍ବେଣ୍ଟି

ନୂଆଦିଲ୍ଲୀ: ପୁଣି ଦେଶକୁ ଫେରିଲା କ୍ରିକେଟ ଫିଭର । ଆଜିଠୁ ଆରମ୍ଭ ହେଉଛି ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା । ଯେଉଁଥିରେ ପ୍ରଥମେ ଖେଳାଯିବ ଫଟାଫଟ କ୍ରିକେଟ ଓ ପରେ ପରେ ଦିନିକିଆ କ୍ରିକେଟ । ଏହାକୁ ନେଇ ସାରା ଦେଶରେ ଉତ୍ସାହ ଆରମ୍ଭ ହୋଇଯାଇଥିବା ବେଳେ ଆଜି କୋଲକାତାରେ ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି । ମୋଟ ୫ଟି ଟି-ଟ୍ବେଣ୍ଟି ଓ ୩ଟି ଏକ ଦିବସୀୟ ମ୍ୟାଚ୍ ଖେଳାଯିବ । ତେବେ ଦୁଇ ଦଳ କୋଲକାତାରେ ପହଞ୍ଚି ଜୋରଦାର ପ୍ରାକ୍ଟିସ କରିଛନ୍ତି । ତେବେ ବର୍ଡର ଗାଭାସ୍କର ଟ୍ରଫିରେ ପରାଜୟକୁ ଭୁଲି ନୂଆ ପାଳି ଆରମ୍ଭ କରିବା ମୁଡରେ ଅଛି ମେନ ଇନ ବ୍ଲ୍ଯୁ । ମ୍ୟାଚ୍‌ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଭାରତ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ଆସନ୍ତା ବର୍ଷ ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳକୁ ଏବେ ଠାରୁ ହିଁ ରଣନୀତି କରିବାକୁ ପଡିବ । ଟିମ ସନ୍ତୁଳନ ରକ୍ଷା କରିବାକୁ ପଡିବ ।

ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଟି-୨୦ରୁ ଅବସର ନେଇ ସାରିଛନ୍ତି। ଦଳ ଏବେ ନୂଆ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଖେଳୁଛି। କିନ୍ତୁ ଘରୋଇ ମାଟିରେ ଇଂଲଣ୍ଡକୁ ସାମ୍ନା କରିବା ଭାରତ ପାଇଁ ସେତେଟା ସହଜ ହେବନି। ସେହିପରି କାକର ମଧ୍ୟ ପୂରା ସିରିଜରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଇଂଲଣ୍ଡ ମଧ୍ଯ ଜୋରଦାର ପ୍ରସ୍ତୁତି ଚଳାଇଛି । ଜୋସ ବଟଲରଙ୍କ ଅଧିନାୟକତ୍ବରେ ପଡିଆକୁ ଓହ୍ଲାଇବା ବ୍ରିଟିଶ ବାହିନୀ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଶୀଘ୍ର ଦେଶକୁ ଫେରାଅ, ଭାରତକୁ ଚିଠି ଲେଖିଲା ବାଂଲାଦେଶ

ନନ୍ଦିଘୋଷ ବ୍ୟୁରୋ: ବାଙ୍ଗଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫେରାଇବାକୁ ଭାରତକୁ ଚିଠି ଲେଖିଲା ବାଂଲାଦେଶ। ହେଲେ ଭାରତ ପକ୍ଷରୁ ମିଳିନି କୌଣସି ଉତ୍ତର । ଯଦି ଭାରତ ହସିନାଙ୍କୁ ପ୍ରତ୍ୟାର୍ପଣ ନ କରାଏ ତେବେ ଅନ୍ତର୍ଜାତୀୟ ଏଜେନ୍ସିର ସାହାଯ୍ୟ ନେବାକୁ ଚେତାବନୀ ଦେଲା ବାଙ୍ଗଲାଦେଶ । ଏନେଇ ସୂଚନା ଦେଇଛନ୍ତି ବାଂଲାଦେଶର ଆଇନ ପରାମର୍ଶଦାତା ଆସିଫ ନାଜରୁଲ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ପ୍ରତ୍ୟାର୍ପଣ ଚୁକ୍ତି ଅଛି । ଯଦି ବାଂଲାଦେଶ ଶେଖ ହସିନାଙ୍କୁ ଫେରାଇ ନଆସନ୍ତି, ତେବେ ଏହା ପ୍ରତ୍ୟାର୍ପଣ ଚୁକ୍ତିନାମାର ସ୍ପଷ୍ଟ ଉଲ୍ଲଂଘନ ହେବ । ଯଦି ଭାରତ ଏହା କରେ ତେବେ ବୈଦେଶୀକ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ସମୁଦାୟ ପାଖରେ ଏହି ପ୍ରସଙ୍ଗ ଉଠାଯିବ ବୋଲି ଧମକ ଦେଇଛି ବାଂଲାଦେଶ।

ଆସିଫ ନଜରୁଲ କହିଛନ୍ତି ଯେ, ଶେଖ ହସିନାଙ୍କୁ ଆଣିବା ପାଇଁ ବୈଦେଶୀକ ବ୍ୟାପାର ମନ୍ତ୍ରଣାଳୟ ଉଦ୍ୟମ କରୁଛି। ରେଡ ଆଲର୍ଟ ଜାରି କରାଯାଇଛି। ଆମେ ସମସ୍ତ ସମ୍ଭାବ୍ୟ ପ୍ରୟାସ କରୁଛୁ | ଶେଖ ହସିନାଙ୍କୁ ଫେରାଇ ଆଣିବା ପାଇଁ ସରକାର ସମସ୍ତ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ଆସିଫ ନାଜରୁଲ।

ତୁର୍କୀର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୭୬ ଲୋକ ଜୀବନ୍ତଦଗ୍ଧ

ନନ୍ଦିଘୋଷ ବ୍ୟୁରୋ: ତୁର୍କୀର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ। ଗ୍ରାଣ୍ଡ କାର୍ଟାଲ ହୋଟେଲରେ ନିଆଁ ଲାଗି ୭୬ ଲୋକ ଜୀବନ୍ତଦଗ୍ଧ । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଅଧିକ ହେବା ଆଶଙ୍କା କରାଯାଉଛି। ୫୧ ଜଣ ଆହତ ହୋଇଛନ୍ତି। ତୁର୍କୀର ବୋଲୁ ପାର୍ବତ୍ୟାଞ୍ଚଳରେ ଥିବା ହୋଟେଲରେ ଏହି ଅଘଟଣ ଘଟିଛି। ଜୀବନ ବିକଳରେ କିଛି ଲୋକ ହୋଟେଲରୁ ଡେଇଁ ପଡିବାରୁ ଆହତ ହୋଇଛନ୍ତି।

ଉତ୍ତର-ପଶ୍ଚିମାଞ୍ଚଳ ତୁର୍କୀର କାର୍ତାଲକାୟା ସ୍କି ରିସର୍ଟରେ ଏହି ଅଘଟଣ ଘଟିଛି। ହୋଟେଲରେ ୨୩୪ ଜଣ ଅତିଥି ରହୁଥିବା ସୂଚନା ମିଳିଛି। ୧୨ ମହଲା ବିଶିଷ୍ଟ ହୋଟେଲରେ ରାତିରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ହୋଟେଲରୁ ଡେଇଁ ପଡିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା ବୋଲି କହିଛନ୍ତି ବୋଲୁ ଗଭର୍ଣ୍ଣର ଅବଦୁଲଜିଜ ଆୟଦିନ। ଅଗ୍ନିକାଣ୍ଡ ଯୋଗୁ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ପ୍ରବଳ ଧୂଆଁ ଯୋଗୁ କିଛି ଲୋକ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଛି।

ବ୍ରେନ୍ ଷ୍ଟ୍ରୋକରେ ପୀଡିତ ଗୀତିକାର ବୃନ୍ଦାବନ ଜେନା: ସଂସ୍କୃତି ବିଭାଗ କିମ୍ବା ଚଳଚ୍ଚିତ୍ର ଜଗତରୁ ମିଳୁନି ସହାୟତା, କ୍ଷୋଭ ପ୍ରକାଶ କଲେ ପରିବାର

କଟକ: ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର, ଏମିତି ରାତି ସେ ଯେ ଅଭୁଲା ସ୍ମୃତି ଭଳି ଶୃତି ମଧୁର ତଥା ଲୋକପ୍ରିୟ ଗୀତ ରଚନା କରିଥିବା ବୃନ୍ଦାବନ ଜେନା ଏବେ କଟକ ବଡ ମେଡିକାଲର ଆଇସିୟୁରେ। ୮୧ ବର୍ଷ ବୟସରେ ସେ ବ୍ରେନ୍ ଷ୍ଟ୍ରୋକରେ ପୀଡିତ ହୋଇ ଦଶ ଦିନ ହେବ ଚିକିତ୍ସିତ ହେଉଛନ୍ତି। ବଡ କଥା ହେଉଛି ୩୦ ଚଳଚ୍ଚିତ୍ର ଗୀତ ରଚନା ଓ ୮ଟି ଚଳଚ୍ଚିତ୍ରର ସଂଳାପ ଲେଖିଥିବା ବୃନ୍ଦାବନଙ୍କ ଚିକିତ୍ସା କଥା ବୁଝିବାକୁ ତଥା ତାଙ୍କ ପରିବାରକୁ ଟିକେ ସାନ୍ତ୍ବନା ଦେବାକୁ ସରକାରୀ ଅଧିକାରୀ କି ଚଳଚ୍ଚିତ୍ର ଜଗତର କେହି ଆସି ନଥିବା ଅଭିଯୋଗ ହୋଇଛି। ଯାହା ପରିବାର ଲୋକଙ୍କୁ ଟିକେ କଷ୍ଟ ଦେଉଛି।

ଘରେ ମାଳ ମାଳ ପୁରସ୍କାର, ସମ୍ବର୍ଦ୍ଧିତ ମାନପତ୍ର ଓ ଥାକରେ ବହୁ ସଂଖ୍ୟକ ପୁସ୍ତକ। ତଥାପି ଖାଲି ପଡିଛି ଚେୟାର ଟେବୁଲ ଓ ଖାଁଖାଁ ପୂରା ଘର। ହଁ ଆମେ କହୁଛୁ, ବହୁ ଲୋକପ୍ରିୟ ଚଳଚିତ୍ର ସଂଗୀତର ଗୀତ ରଚନା କରିଥିବା ବୃନ୍ଦାବନ ଜେନାଙ୍କ କଥା। ୮୧ ବର୍ଷିୟ ବୃନ୍ଦାବନ ଏବେ କଟକ ବଡ ମେଡିକାଲ ମେଡିସିନ ବିଭାଗ ଆଇସିୟୁ ରେ ବ୍ରେନ୍ ଷ୍ଟ୍ରୋକ ରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କ ପତ୍ନୀ ଓ ପୁତୁରା ସାଙ୍ଗରେ ଥିଲେ ସୁଦ୍ଧା ଏହି ସୁନ୍ଦର ସ୍ରଷ୍ଟାଙ୍କ କଥା ବୁଝିବା ପାଇଁ ସଂସ୍କୃତି ବିଭାଗ କିମ୍ବା ଚଳଚ୍ଚିତ୍ର ଜଗତର କେହି ବି ମେଡିକାଲ କି ଘରେ ପାଦ ଦେଉନାହାନ୍ତି। ଏହାହିଁ ପରିବାରର ଦୁଃଖ। ୩୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ରଚନା କରିଥିବା ବୃନ୍ଦାବନଙ୍କ କୃତୀ ଭିତରେ ରହିଛି ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ଏମିତି ରାତି ଯେ ଅଭୂଲା ସ୍ମୃତି ଭଳି ଚୀର ସବୁଜ ଗୀତ।

କେବଳ ଗୀତ ରଚନା ନୁହେଁ ବରଂ ୮ ଟି ଚଳଚ୍ଚିତ୍ରରେ ସେ ଚିତ୍ରନାଟ୍ୟ ଓ ସଂଳାପ ଲେଖକ ଭାବେ କାମ କରିଛନ୍ତି। ତାଙ୍କ ଚଳଚ୍ଚିତ୍ର ଗୁଡିକ ମଧ୍ୟରୁ ଶାସ୍ତ୍ରୀ ଓ ବାଟ ଅବାଟ ଜାତୀୟ ସ୍ତରରେ ସମ୍ମାନଜନକ ପୁରସ୍କାର ପାଇଥିଲା। ୧୯୭୫ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡିଆ ସ୍ନାତକୋତ୍ତର ବିଭାଗରୁ ପ୍ରଥମ ସ୍ବର୍ଣ୍ଣପଦକ ବିଜେତା ଛାତ୍ର ଭାବେ ଉତ୍ତୀର୍ଣ୍ଣ ହେବା ପରେ ବୃନ୍ଦାବନ ଟେଲିକମ୍ ବିଭାଗରେ ଚାକିରି କରିବା ସହ ଚଳଚ୍ଚିତ୍ର ଗୀତ ରଚନା, ପୁସ୍ତକ ରଚନାରେ ଲାଗି ପଡିଥିଲେ। ସେ ୧୫ଟି ପୁସ୍ତକ ରଚନା ମଧ୍ୟ କରିଛନ୍ତି। ତେବେ ତାଙ୍କର ଏଭଳି ସମୟରେ ତାଙ୍କର ଯତ୍ନ ବା ତାଙ୍କ ପରିବାରକୁ ଉଚିତ ସହଯୋଗ ମିଳୁନଥିବା ଅଭିଯୋଗ ହୋଇଛି । ବୃନ୍ଦାବନଙ୍କ ପତ୍ନୀଙ୍କ କହିବା କଥା ଯେଉଁ ଲୋକଟା ଜୀବନ ସାରା ଗୀତ ଲେଖା, ବହି ଲେଖାରେ କଟାଇଲା, ତା କଥା ତା ପରିବାର ପାଖରେ ସାନ୍ତ୍ଵନା ଦେବାକୁ କେହି କଣ ଉଚିତ ମଣୁ ନାହାନ୍ତି।

ମିଳୁନି ସରକାରୀ ପ୍ରୋତ୍ସାହନ: ଜଳସେଚନ ବ୍ୟବସ୍ଥା କରିବାକୁ ଦାବି, କେବେ ଦୂର ହେବ ଚାଷୀଙ୍କ ଦୁଃଖ

ମୁନିଗୁଡ଼ା: ନିୟମଗିରି ପର୍ବତମାଳାର ପାଦଦେଶରେ ଅଳସ ଭାଙ୍ଗୁଛି ଅଳସୀ । ରାଶି ଓ ସୂଯ୍ୟମୁଖୀର ହଦଳୀ ରଙ୍ଗରେ ସଜେଇ ହୋଇଛି ଧରଣୀ ରାଣୀ । ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଚାଷୀର କଷ୍ଟ ଉପାର୍ଜିତ ଫସଲ ଏବେ ପ୍ରକୃତିରାଣୀର ଶୋଭାମଣ୍ଡନ କରୁଛି । ଏହି ଦୃଶ୍ୟ ହେଉଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ସିଙ୍ଗାରୀ ମେରିଙ୍ଗ ଆଦି ଗାଁ ନିକଟ ଚାଷ ଜମିର । ତୈଳ ବୀଜ ଚାଷ କରି ସୁନେଲି ଫସଲ ଉତ୍ପାଦନ ଆଶାରେ ଚାଷୀ । ଏଇ ଅଞ୍ଚଳର ଜଳବାୟୁ ମାଟିର ଆର୍ଦତା ତୈଳ ବିଜ ଚାଷ ପାଇଁ ବେଶ୍ ଅନୁକୂଳ ହୋଇଥାଏ । ତୈଳ ବିଜ ଚାଷ ପାଇଁ ସରକାରୀ ସ୍ତରରେ କୌଣସି ପ୍ରୋତ୍ସାହନ ମିଳୁନଥିବାରୁ କେବଳ ଛୋଟ ଛୋଟ ଚାଷୀ ପରିବାରର ଗୁଜରାଣ ମେଣ୍ଟାଇବାକୁ ଏହି ଚାଷ କରୁଛନ୍ତି । ପ୍ରତିବର୍ଷ ଅକ୍ଟୋବର ମାସ ଠାରୁ ଡିସେମ୍ବର ମାସ ଯାଏ ଅଗାଧ ପରିଶ୍ରମ କରି ତୈଳ ବୀଜ ଫସଲ ରାଶି, ଅଳସୀ ଓ ସୂର୍ଯ୍ୟମୁଖୀ ଚାଷ କରିଥାନ୍ତି । ଏବେ ଅମଳ ଋତୁରେ ଚାଷୀ କ୍ଷେତରୁ ଖଳାକୁ ଆଣୁଛି ଫସଲ ।

ମୁନିଗୁଡ଼ା ବ୍ଲକରେ ପ୍ରାୟ ୯୦୦ ହେକ୍ଟର ଅଣ ଜଳ ସେଚିତ ଚାଷ ଜମି ରହିଛି । ସେଥିରୁ ମାତ୍ର ୫୦ ହେକ୍ଟର ଜମିରେ ତୈଳବିଜ ଫସଲ ଚାଷ କରାଯାଉଛି । ମୁନିଗୁଡ଼ା ବ୍ଲକରେ ନିଜ ପରିବାରର ଗୁଜରାଣ ମେଣ୍ଟାଇବା ପାଇଁ ନାମମାତ୍ର ଚାଷୀ ଏହି ତୈଳବିଜ ଚାଷ କରୁଛନ୍ତି । ବର୍ତ୍ତମାନ ଦୈନିକ ବଜାରରେ ଖାଇବା ତେଲ ଦର ଆକାଶ ଛୁଆଁ ହୋଇଛି । ସରକାର ତୈଳବିଜ ଚାଷକୁ ପ୍ରୋତ୍ସାହନ ଓ ବିକ୍ରିବଟା ପାଇଁ ମାର୍କେଟ ବ୍ୟବସ୍ଥା ଉପଲବ୍ଧ କରାଇଲେ ଅଧିକରୁ ଅଧିକ ଚାଷୀ ଏହି ତୈଳ ବିଜ ଚାଷ କରିବାକୁ ଆଗଭର ହେବେ । ଏହ ସହିତ ନିୟମଗିରି ପର୍ବତ ଝରଣାରୁ ବୋହି ଯାଉଥିବା ବଂଶଧାରା, ସକଟା ଓ କରଞ୍ଜ ନାଳରେ ଆଡିବନ୍ଧ ନିର୍ମାଣ କରି ଚାଷ କ୍ଷେତକୁ ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ । ଜଳସେଚନ ସୁବିଧା ହେଲେ ଚାଷୀମାନେ ତୈଳବିଜ ସହିତ ଧାନ, ଗହମ, ପନିପରିବା ସହ ଡାଲି ଜାତୀୟ ଫସଲ ଉତ୍ପାଦନ କରିବାକୁ ଆଶା ରଖିଛନ୍ତି ଚାଷୀ । ବଜାରରେ ତୈଳ ଦର ଆକାଶ ଛୁଆଁ ହୋଇଛି । ଏପରି ସ୍ଥଳେ ରାଜ୍ୟରେ ଅଧିକରୁ ଅଧିକର ତୈଳ ବିଜ ଚାଷ ପାଇଁ ଚାଷୀକୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।

ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ପରେ ଘରେ ପହଞ୍ଚିଲେ ଅଭିନେତା ସୈଫ ଅଲ୍ଲୀ ଖାଁ

ମୁମ୍ବାଇ: ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ପରେ ଘରେ ପହଞ୍ଚିଲେ ଅଭିନେତା ସୈଫ ଅଲ୍ଲୀ ଖାଁ। ୬ ଦିନ ପରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ସୈଫ। ଗତ ୧୬ ତାରିଖରେ ବାନ୍ଦ୍ରା ଘରେ ହୋଇଥିବା ଛୁରାମାଡ଼ ଘଟଣାରେ ସେ ହୋଇଥିଲେ ଆହତ। ହସ୍ପିଟାଲକୁ ଆଜି ମା ଶର୍ମିଳା ଟାଗୋର ଆଜି ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ସେପଟେ ଛୁରାମାଡ଼ ଘଟଣାରେ ଏବେ ସେଠାରେ ପୋଲିସ ତଦନ୍ତ କରୁଥିବାରୁ ସୈଫ ଓ ତାଙ୍କ ପରିବାର ସେହି ବାନ୍ଦ୍ରାରେ ୫ଶହ ମିଟର ଦୂରରେ ଥିବା ପୁରୁଣା ଫର୍ଚ୍ୟୁନ  ହାଇଟସ ଘରକୁ ଚାଲିଯିବେ ବୋଲି ସୂଚନା ମିଳିଛି।

ଫର୍ଚ୍ୟୁନ ହାଇଟସ ଏରିଆ କଡ଼ା ସୁରକ୍ଷା ବଳୟରେ ଥିବାରୁ ସୈଫ ସେଠାକୁ ସିଫ୍ଟ କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ସଦଗୁରୁ ସରନ ଘର ଚାରିପଟେ ସିସିଟିଭି ଖଞ୍ଜା ଯାଇଛି । ସେପଟେ ପୋଲିସ ରାତିଅଧିଆ ଶେଷ କରିଛି କ୍ରାଇମ ସିନ ରିକ୍ରିଏସନ । ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶେହେଜାଦକୁ ନେଇ ମୁମ୍ବାଇ ପୋଲିସ କରିଛି ସିନ ରିକ୍ରିଏସନ। ମହମ୍ମଦ ଶରିଫୁଲ ଇସଲାମ ଓରଫ ବିଜୟ ଦାସକୁ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରକୁ ନେଇ ସିନ ରିକ୍ରିଏଟ କରିଛି ପୋଲିସ। ମାମଲାରେ ୫ଦିନିଆ ରିମାଣ୍ଡରେ ନେଇ ଛାନବିନ କରୁଛି ମୁମ୍ବାଇ ପୋଲିସ।