spot_img
Home Blog Page 1147

ଦୟା ସୁରକ୍ଷା ଅଭିଯାନ ତରଫରୁ ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ମାମଲା

ନନ୍ଦିଘୋଷ ବ୍ୟୁରୋ: ଦୟା ସୁରକ୍ଷା ଅଭିଯାନ ତରଫରୁ ପୁରୀ ଜିଲ୍ଲା ପାଳଙ୍କ ବିରୋଧରେ କଣାସ ଥାନାରେ ମାମଲା। ଦୟା ସୁରକ୍ଷା ଅଭିଯାନ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟି ମାମଲା ଦାୟର କରିଛନ୍ତି। ଜିଲ୍ଲାପାଳଙ୍କ ଅବହେଳା ପାଇଁ ଦୟାନଦୀ କୂଳରେ ଥିବା କଣାସ ବ୍ଲକରେ ୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଦୟା ନଦୀରେ ଗଙ୍ଗୁଆ ଜଳ ମିଶି ଜଳ ବିଷ ପାଲଟିଥିବା ବେଳେ ତଳିଆ ଅଞ୍ଚଳର ଲୋକେ ମାନେ ଏହାକୁ ବ୍ୟବହାର କରୁଛନ୍ତି ଓ ବିଭିନ୍ନ ଚାଷ କାର୍ଯ୍ୟରେ ଲଗାଉଛନ୍ତି । ଫଳରେ ଲୋକମାନେ ମୃତ୍ୟୁ ମୁଖରେ ପଡୁଥିବା ନେଇ ଜିଲ୍ଲାପାଳଙ୍କୁ ଅନେକ ଥର ଅବଗତ କରାଯାଇଥିବା ସତ୍ତ୍ବେ ମଧ୍ୟ ସେ ଏହାର କୌଣସି ପ୍ରତିକାର କରିନଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କ ଅବହେଳା ପାଇଁ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି ଦର୍ଶାଇ କଣାସ ଥାନାରେ ଲିଖିତ ଏଫଆଇଆର ଦାଖଲ କରାଯାଇଥିବା ଦୟା ସୁରକ୍ଷା ଅଭିଯାନ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି ।

 

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ। ନୂଆପଡ଼ା ଓ ଛତିଶଗଡ଼ର ଗରିଆବନ୍ଧ ସୀମାରେ ଏନକାଉଣ୍ଟର। ମୃତକଙ୍କ ମଧ୍ୟରେ ୨ ମହିଳା ମାଓ କ୍ୟାଡର ଥିବା ସୂଚନା ରହିଛି। ଓଡିଶା, ଛତିଶଗଡ ପୋଲିସ ଏବଂ ସିଆରପିଏଫ ଯବାନଙ୍କ ମିଳିତ ଅପରେସନରେ ମିଳିଛି ବଡ଼ ସଫଳତା। ଘଟଣାସ୍ଥଳରୁ ଗୋଟିଏ SLR ବନ୍ଧୁକ ଜବତ ହୋଇଛି। ଗରିଆବନ୍ଧରେ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ। ଗତ ୧୯ ତାରିଖ ରାତିରୁ ଓଡିଶାର ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫  କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା।  ଉଭୟ ରାଜ୍ୟର ସୁରକ୍ଷା ବାହିନୀଙ୍କ ସହ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମିଶି କମ୍ବିଂ ଅପରେସନ୍ ଜାରି ରଖିଛନ୍ତି।

ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ବରଗଡ଼ ଧନୁଯାତ୍ରାରେ ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା । ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସଚେତନ ନାଗରିକ ମଂଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିଛି। ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତକ ତଥା ସାମାଜିକ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଛି। ବରଗଡ଼ ଗାନ୍ଧୀଛକ, ଭଟଲୀ ଛକ , ଡାଙ୍ଗ ଛକ ଆଦି ବିଭିନ୍ନ ଛକରେ ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରିବା ସହ ନାରାବାଜି କରିଛନ୍ତି । ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଏହି ବନ୍ଦରେ ସାମିଲ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତକୁ ପୋଲିସ ତୁରନ୍ତ ଗିରଫ କରୁ ବୋଲି ଦାବୀ କରିଛନ୍ତି। ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗତକାଲି ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବରଗଡ଼ ପୋଲିସ । ଏବେବି ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି।

ଇଂଲଣ୍ଡ ବିପକ୍ଷ ଟି-୨୦ରେ ରେକର୍ଡରେ କରିବେ ଭାରତୀୟ ଖେଳାଳି

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିବା ପାଇଁ ଭାରତୀୟ ଦଳ ପ୍ରସ୍ତୁତ । ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ କୋଲକାତାରେ ଆସନ୍ତାକାଲି ଖୋଳାଯିବ । ତେବେ ଏହି ସିରିଜରେ ବହୁ ରେକର୍ଡର ଅଧିକାରୀ ହୋଇପାରିବେ ଭାରତୀୟ ଖେଳାଳି । ଏଭଳି କିଛି ସୁଯୋଗ ରହିଛି । ତେବେ ଆସନ୍ତୁ ନଜର ପକାଇବା କେଉଁ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି ଭାରତୀୟ ଖେଳାଳି ।

ସୂର୍ଯ୍ୟକୁମାର ଯାଦବ : ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକଙ୍କ ଲାଗି ଏକ ବଡ଼ ସୁଯୋଗ ରହିଛି । ସେ ଆନ୍ତର୍ଜାତୀୟ ଟି-୨୦ରେ ୧୫୦ ଛକା ମାରିବାର ଚତୁର୍ଥ ଖେଳାଳି ହେବାକୁ ଯାଉଛନ୍ତି । ସେ ଆଉ ମାତ୍ର ୫ ଛକା ପଛରେ ରହିଛି । ସେପଟେ କିନ୍ତୁ ବଟଲର ୧୪୬ଟି ଛକା ମାରି ଏବେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଏଣୁ ଏହି ସିରିଜରେ ଉଭୟଙ୍କ ମଧ୍ୟରେ ଛକା ମାରିବାର ପ୍ରତିଯୋଗିତା ଦେଖିବାକୁ ମିଳିପାରେ ।

ହାର୍ଦ୍ଦିକ ପାଣ୍ଡ୍ୟା : ଯଦି ଛକା ମାରିବା କଥା କହିବା ତାହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ୮୮ଟି ଛକା ମାରିଛନ୍ତି । ୧୦୦ ଛକା ଠାରୁ ସେ ମାତ୍ର ୧୨ ଛକା ଦୂରେ ରହିଛନ୍ତି । ଏଣୁ ଆଶା ରଖାଯାଇଛି କି ଏହି ସିରିଜରେ ସେ ଶହେ ଛକା ମାରିବେ ।

ଅର୍ଶଦୀପ ସିଂ: ୬୦ ଟି-୨୦ ଖେଳିଥିବା ଅର୍ଶଦୀପ ଏଯାବତ ୯୫ ଓ୍ବିକେଟ ଅକ୍ତିଆର କରିଛନ୍ତି । ଏଣୁ ଏହି ସିରିଜରେ ସେ ୧୦୦ ଓ୍ବିକେଟର ଅଧକାରୀ ହୋଇପାରନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛନ୍ତି କି, ଅର୍ଶଦୀପ ଭାରତ ପକ୍ଷରୁ ସର୍ବାଧିକ ଓ୍ବିକେଟ ନେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିବାର ରେକର୍ଡ ଅର୍ଜନ କରିପାରନ୍ତି । କାରଣ ଚହଲ ଏଯାବତ ସର୍ବାଧିକ ୯୬ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ସଞ୍ଜୁ ସାମସନ : ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଥିବା ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ୫୦ ଛକା ମାରିବାଠାରୁ ୪ଟି ପଛରେ ରହିଛନ୍ତି । ଏହାସହ ୧୦୦ ରନ ପୂରଣ କରିବା ମାମଲାରେ ୧୯୦ ରନ ପଛରେ ରହିଛନ୍ତି । ଟିମରେ ନିୟମିତ ସ୍ଥାନ ବନାଇବା ପାଇଁ ବଡ଼ ସୁଯୋଗ ଦେବ ।

 

 

ନିଶା ଖାଇ ଗାଡି ଚଳାଇଲେ ନିସ୍ତାର ନାହିଁ

ନନ୍ଦିଘୋଷ ବ୍ୟୁରୋ: ନିଶା ଖାଇ ଗାଡି ଚଳାଇଲେ ନିସ୍ତାର ନାହିଁ। ଡ୍ରଙ୍କ ଆଣ୍ଡ ଡ୍ରାଇଭ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କଲା କମିଶନରେଟ ପୋଲିସ। ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂଙ୍କ ନିର୍ଦ୍ଦେଶ ଓ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ୧୦ଟି ସ୍ଥାନରେ କଡାକଡି ଚେକିଂ କରିଛି କମିଶନରେଟ ପୋଲିସ। ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରଙ୍କ ଗାଡି ସିଜ କରିବା ସହ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ପ୍ରୟାସ ଆରମ୍ଭ କରିଛି କମିଶନରେଟ ପୋଲିସ। ଏପରିକି ବାରମ୍ବାର ନିୟମ ଭାଙ୍ଗି ମଦ୍ୟପାନ କରି ଟ୍ରାଫିକ ଆଇନ ଅବମାନନା କରୁଥିବା ରୋଡ଼ ରୋମିଓଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ପ୍ରୟାସ ଆରମ୍ଭ ମଧ୍ୟ ହୋଇଛି। ଏ ନେଇ ଆରଟିଓ ଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ରାଜଧାନୀ ରାତିରେ ସ୍ପୀଡ଼ ଡ୍ରାଇଭ କରି ଲୋକଙ୍କ ଛାତିରେ ଛନକା ପୁରାଇଦେଉଥିବା ସହ ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟାଉଛନ୍ତି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଗୁରୁତ୍ୱାରୋପ କରିବା ସହ ପ୍ରତ୍ୟେକ ଦିନ ରାଜଧାନୀର ବିଭିନ୍ନ ଛକରେ ଚେକିଂ, ବ୍ଲକିଂ ବ୍ୟାପକ କରାଯିବ। ଅପରାଧ ଦମନ, ନିଶାଖୋରଙ୍କୁ ଛାଟ, ବେଆଇନ ଖଟି ରୋକିବା ସହ ସହରରେ ଆଇନଶୃଙ୍ଖଳା ରକ୍ଷା କମିଶନରେଟ ପୋଲିସର ପ୍ରାଥମିକତା ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।

୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାସିଂଟନ: ଆମେରିକାରେ ପୁଣି ଆରମ୍ଭ ହେଲା ଟ୍ରମ୍ପ ଯୁଗ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲଡ ଟ୍ରମ୍ପ । ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶର ସର୍ବଶକ୍ତିମାନ ବ୍ୟକ୍ତି । ସେହିପରି ଉପରାଷ୍ଟ୍ରପତି ଭାବେ ଜେ.ଡି ଭାନ୍ସ ଶପଥ ନେଇଛନ୍ତି । ଶପଥ ସମାରୋହରେ ସାମିଲ ହୋଇଥିଲେ ଟ୍ରମ୍ପଙ୍କ ସମର୍ଥକ ଓ ଶୁଭେଚ୍ଛୁ ।

ଶପଥ ନେବା ପରେ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଥିଲେ,  ଆମେରିକା ପାଇଁ ଆସୁଛି ସୁବର୍ଣ୍ଣ ଦିନ। ଦେଶକୁ ଆଗେଇ ନେବା ସହ ସାରା ବିଶ୍ବରେ ପୁଣି ଥରେ ଆମେରିକାକୁ ଆଗରେ ରଖାଯିବ । ଉଦବୋଧନ ଆରମ୍ଭରୁ ବାଇଡେନଙ୍କୁ କଡ଼ା ସମାଲୋଚନା କରିଥିଲେ ଟ୍ରମ୍ପ । ବାଇଡେନଙ୍କ ଶାସନ କାଳରେ ଆଇନର ଅପବ୍ୟବହାର ହୋଇଛି ବୋଲି କହିଛନ୍ତି ଟ୍ରମ୍ପ ।

ସେ କହିଛନ୍ତି, ଅନୁପ୍ରବେଶକାରୀଙ୍କୁ ରୋକାଯିବ। ଡ୍ରଗ୍ସ କାରବାରକୁ ରୋକାଯିବ ସହ ଦରଦାମ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ । ଶପଥ ନେବା ପରେ ମେକ୍ସିକୋ ସୀମାରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ଟ୍ରମ୍ପ । ଏହାସହ ମେକ୍ସିକୋ ସୀମାକୁ ଅଧିକ ସୈନ୍ୟ ପଠାଯିବା ସାଙ୍ଗକୁ ମେକ୍ସିକୋ ସୀମାରେ ପ୍ରାଚୀର ତିଆରି କରାଯିବ । ଅନୁପ୍ରବେଶ ଉପରେ କଡ଼ା ନଜର ରହିବ । ଏହାସହ ଅନୁପ୍ରବେଶକାରୀଙ୍କୁ ସେମାନଙ୍କ ପ୍ରକୃତ ଠିକଣାରେ ଛଡ଼ାଯିବ ବୋଲି କହିଛନ୍ତି । ଆମେରିକାରେ କାହାର ସ୍ବରକୁ ଚାପିବାକୁ ଦିଆଯିବ ନାହିଁ । ସମସ୍ତଙ୍କୁ ନ୍ୟାୟ ମିଳିବ । ଆମେରିକାକୁ ପୁଣି ଧନୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବୁ ବୋଲି ଟ୍ରମ୍ପ କହିଛନ୍ତି ।

ଉତ୍ସବରେ ବିଶ୍ବର ୨୩ଟି ରାଷ୍ଟ୍ରର ପ୍ରାୟ ୭ ହଜାର ୫୦୦ ଅତିଥି ସାମିଲ ହୋଇଥିଲେ । ଭାରତ ତରଫରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ମୁକେଶ ଅମ୍ଵାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ଵାନୀ ମଧ୍ୟ ଯୋଗ ଦେଇଥିଲେ ।

ମୋହନଙ୍କ ଅଧାଗଢ଼ା ମନ୍ତ୍ରିମଣ୍ଡଳକୁ ନେଇ ବଢୁଛି ଚାପ, ମୁହଁ ଖୋଲିଲେଣି ବିଧାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧାଗଢ଼ା ମନ୍ତ୍ରିମଣ୍ଡଳକୁ ନେଇ ବିଜେପି ବିଧାୟକ ମୁହଁ ଖୋଲିବା ଆରମ୍ଭ କଲେଣି । ମନ୍ତ୍ରିମଣ୍ଡଳରେ ୬ଟି ଆସନ ଖାଲି ଥିବାରୁ ଏସବୁ ମୁଖ୍ୟମନ୍ତ୍ରୀ ପୂରଣ କରିବେ କି ନାହିଁ ତାକୁ ନେଇ ବିଧାୟକଙ୍କ ଭିତରେ ଆରମ୍ଭ ହୋଇଛି ଗୁଞ୍ଜରଣ । କିଛି ଦିନର ନିରବତା ପରେ ବିଧାୟକମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ କି ନାହିଁ, ସେ ନେଇ ମୁହଁ ଖୋଲିଛନ୍ତି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ କି ନାହିଁ ସେ ଆଶାରେ ବହୁ ଆଶାୟୀ ବିଧାୟକମାନେ ରଖିଛନ୍ତି ଭିନ୍ନଭିନ୍ନ ବୟାନ । ଯାହାକୁ ନେଇ ଉଷ୍ମ ହୋଇଛି ବିଜେପି ରାଜନୀତି ।

କାହିଁକି ହୋଇପାରୁନି ମନ୍ତ୍ରିମଣ୍ଡଳ ପୂରଣ ? ମଜବୁରୀ ନାଁ ନୂଆ ରଣନୀତି ? ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧାଗଢ଼ା ମନ୍ତ୍ରୀମଣ୍ଡଳକୁ ନେଇ ମୁହଁ ଖୋଲିଲେଣି ଦଳୀୟ ବିଧାୟକ । ୬ ମନ୍ତ୍ରୀ ପଦ ଖାଲି ପଡ଼ିଥିବା ବେଳେ ବିଧାୟକମାନେ ପଦପୂରଣ ନେଇ ମୁହଁ ଖୋଲିଛନ୍ତି । ଆହୁରି ୬ ମନ୍ତ୍ରୀ ପଦ ପୂରଣ କରିବା ଆବଶ୍ୟକ ଅଛି ବୋଲି କହିଲେଣି ।

ବରିଷ୍ଠ ବିଧାୟକମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ଆବଶ୍ୟକ ବୋଲି କହିଛନ୍ତି ବିଜେପିର ବରିଷ୍ଠ ବିଧାୟକ ପ୍ରକାଶ ସୋରେନ । ସେହିପରି ବିଧାୟକ ଫକୀର ମୋହନ ନାୟକ କହିଛନ୍ତି, ବିଧାୟକମାନଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ସେମାନେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ । ଦଳ ଯଦି ମତେ ଦାୟିତ୍ବ ଦେବ ତେବେ ମୁଁ ପ୍ରସ୍ତୁତ ଅଛି । ତେବେ ମନ୍ତ୍ରିମଣ୍ଡଳର ପୂରଣ ହେବ କି ନାହିଁ ତାହା ଦିଲ୍ଲୀ ଓ ରାଜ୍ୟ ନେତୃତ୍ବ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ମନ୍ତ୍ରୀପଦ ଆଶାରେ ଥିବା ବିଧାୟକମାନେ ଜଣକ ପରେ ଜଣେ ଧୀରେ ଧୀରେ ମୁହଁ ଖୋଲିବା ବିଜେପି ନେତୃତ୍ବ ଉପରେ ଚାପ ପକାଇଛି ।

ବ୍ୟବସ୍ଥା ଅନୁସାରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଇ ୨୧ ଜଣ ମନ୍ତ୍ରୀ ରହିପାରିବେ । ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି । ଦଳର ବହୁ ବରିଷ୍ଠ ବିଧାୟକ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଆଶାୟୀ ଥିବା ଖୋଲାଖୋଲି ଭାବରେ ମୁହଁ ଖୋଲିଛନ୍ତି । ବିଧାୟକ ସରୋଜ ପାଢୀ ଓ ଲକ୍ଷ୍ମଣ ବାଗ କିନ୍ତୁ ମନ୍ତ୍ରୀମଣ୍ଡଳ ଖାଲି ପଡ଼ିବା ନେଇ ମାପିଚୁପି ବୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କାହାକୁ ମନ୍ତ୍ରିମଣ୍ଡଳରେ  ସାମିଲ କରିବେ କି ନାହିଁ, ତାହା ତାଙ୍କର ଇଚ୍ଛାଧୀନ ବ୍ଯାପାର ବୋଲି ବିଧାୟକ ସରୋଜ ପାଢୀ କହିଛନ୍ତି । ଅନ୍ୟପଟେ ୭ ମାସ ପରେ ବିଜେପି ମନ୍ତ୍ରୀପଦ ପୂରଣ ନକରିବା ଓ ଦାୟିତ୍ବ ବଣ୍ଟନ ନକରିବା ନେଇ ବିଜେପିକୁ କଟାକ୍ଷ କରିଛି ବିଜେଡି । ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ କହିଛନ୍ତି, ରାଜ୍ୟରେ ଏବେ ଅଧାଗଢ ସରକାର ଚାଲିଛି ।

ମୋହନଙ୍କ ମନ୍ତ୍ରୀମଣ୍ଡଳରେ ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ । ଦଳର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ଭାସ୍କର ମଡ଼େଇ, ପ୍ରକାଶ ସୋରେନ, ସନାତନ ବିଜୁଳି, ପଦ୍ମଲୋଚନ ପଣ୍ଡାଙ୍କ ପରି ନେତା ମନ୍ତ୍ରୀମଣ୍ଡଳ ବାହାରେ ଅଛନ୍ତି । ଚର୍ଚ୍ଚା ହେଉଛି ନୂଆବର୍ଷରେ ମୋହନ ପୂର୍ଣ୍ଣାଙ୍ଗ ମନ୍ତ୍ରୀମଣ୍ଡଳ ଗଢିବେ । ଆଉ ଏବେ ବିଜେପି ବିଧାୟକମାନେ  ଅଧାଗଢା ମନ୍ତ୍ରୀ ପରିଷଦକୁ ନେଇ ମୁହଁ ଖୋଲିବା ପରେ ମୋହନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ କି ନାହିଁ ତାକୁ ରାଜ୍ୟବାସୀଙ୍କ ଅପେକ୍ଷା ।

ଚୂଲିକୁ ଗଲା ୩୦୦ ୟୁନିଟ୍ ମାଗଣା ବିଜୁଳି: ଉପଭୋକ୍ତାଙ୍କ ଉପରେ ସ୍ମାର୍ଟ ମିଟର ବୋଝ ଲଦି ଦେଲେ ସରକାର

ଭୁବନେଶ୍ବର: ବିଜୁଳି ଉପଭୋକ୍ତଙ୍କ ଉପରେ ଡବଲ ବୋଝ ଲଦିଦେଲେ ଡବଲ ଇଞ୍ଜିନ ସରକାର । ପୁରୁଣା ମିଟର ହଟାଇ ଲଗାଯାଉଛି ସ୍ମାର୍ଟ ମିଟର । ତେବେ ସ୍ମାର୍ଟ ମିଟରକୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ, ଏହା ଲଗାଇବା ବାଧ୍ୟତାମୂଳକ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାହକ । ସିଧାସଳଖ ପ୍ରଶ୍ନ ପଚାରିଛନ୍ତି ଯେ, ପୁରୁଣା ମିଟରରେ କ’ଣ ରହିଛି ଅସୁବିଧା ? ସେହିପରି ସ୍ମାର୍ଟ ମିଟର ଲଗାଇବା ପାଇଁ କାହିଁକି ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ବିରୋଧୀ ପ୍ରଶ୍ନ କଲେଣି । ସେପଟେ ସ୍ମାର୍ଟ ମିଟରରେ ବିଜୁଳି ବିଲ୍ ଅଧିକ ଆସୁଥିବା ଅଭିଯୋଗ ମଧ୍ୟ ଆସିଲାଣି ।

ପୁରୁଣା ମିଟର ହଟାଇ ଲଗା ଗଲାଣି ସ୍ମାର୍ଟ ମିଟର । ଦେବାକୁ ପଡୁଛି ପାଖାପାଖି ଅଧିକ ୨୦୦୦ ଟଙ୍କା । କିନ୍ତୁ କାହିଁକି ହଟାଗଲା ପୁରୁଣା ମିଟର ? ସ୍ପଷ୍ଟ କରୁନାହାନ୍ତି ବିଦ୍ୟୁତ ବିତରଣ କମ୍ପାନୀ । ପୁରୁଣା ମିଟର ହଟାଇ ସ୍ମାର୍ଟ ମିଟର ଲଗାଯିବା ପରେ ବିଲ୍ ଦେଢ଼ ଗୁଣା ବଢୁଥିବା ଅଭିଯୋଗ ହେଲାଣି । କିନ୍ତୁ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହୁଛନ୍ତି ଏହା ବାଧ୍ୟତାମୂଳକ । ଯାହାକୁ ନେଇ ଏବେ ଅଡୁଆରେ ପଡ଼ିଛନ୍ତି ଉପଭୋକ୍ତା । କାରଣ ଡବଲ ଇଞ୍ଜିନ ସରକାରଙ୍କ ଏହା ଏକ ସ୍ମାର୍ଟ ଧୋକ୍କା ବୋଲି କହିଲେଣି ଗ୍ରାହକ । ପ୍ରତି ମାସରେ ମିଟର ଚାର୍ଜ ବାବଦରେ ୬୦ ଟଙ୍କା ନେଉଛନ୍ତି ବିତରଣ କମ୍ପାନୀ । ହେଲେ ବିଲ୍ କାହିଁକି ଅଧିକ ଆସୁଛି, ତା’ର କିନ୍ତୁ ଉତ୍ତର ଦେଉନାହାନ୍ତି । ଖାଲି ସେତିକି ନୁହେଁ, ନୂଆ ମିଟର ଲାଗିବା ପରେ ପୁରଣା ମିଟର କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାହକ ।

ଗତ ୭ ମାସରେ ପଦାରେ ପଡ଼ିଲାଣି ବିଜେପି ସରକାରର ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି । ୩୦୦ ୟୁନିଟ ମାଗଣା ବିଜୁଳି କଥା ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲା ବିଜେପି । ହେଲେ ତାହା ଏଯାଏଁ ହେଲା ନାହିଁ । ଓଲଟି ଅର୍ଥ ଖର୍ଚ୍ଚ କରି ସୋଲାର ପ୍ୟାନେଲ ବସାଇବାର ବୋଝ ଉପଭୋକ୍ତାଙ୍କ ଉପରେ ଲଦି ଦିଆଗଲା । ଆଉ ଏବେ ସ୍ମାର୍ଟ ମିଟର, ଗ୍ରାହକଙ୍କ ବୋଝକୁ ଆହୁରି ବଢାଇ ଦେଇଛି । ବିଦ୍ୟୁତ ବିତରଣ କମ୍ପାନୀଙ୍କ ସହ ସରକାରଙ୍କ ମଧୁଚନ୍ଦ୍ରିକା ଚାଲିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସରକାର କାହିଁକି ସ୍ମାର୍ଟ ମିଟର ଲାଗୁ କରୁଛନ୍ତି, ସେ ନେଇ ବିଜେପି ନେତା ବି ଆଚମ୍ବିତ ହେଲେଣି ।

ସ୍ମାର୍ଟ ମିଟର ନାଁରେ ଶୋଷଣ ଚାଲିଥିବାରୁ ଆର୍ଥିକ ସ୍ତରରେ ହସ୍ତସନ୍ତ ହେଉଛନ୍ତି ବିଜୁଳି ଉପଭୋକ୍ତା । ଯେପରି ଘରକୁ ଘର ବୁଲି ବିଦ୍ୟୁତ ବିତରଣ କମ୍ପାନୀ କର୍ମଚାରୀ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରୁଛନ୍ତି । ତାହା ଲୋକଙ୍କ ମନରେ ଭୟ ଖୋଳାଇ ଦେଇଛି ।

ପ୍ରେମିକଙ୍କୁ ବିଷ ଦେଇ ମାରିଥିବା ପ୍ରେମିକାକୁ ଫାଶୀ ଦଣ୍ଡାଦେଶ

ତିରୁବନନ୍ତପୁରମ୍: କେରଳରେ ପ୍ରେମିକକୁ ହତ୍ୟା ମାମଲାରେ ପ୍ରେମିକାକୁ ଫାଶୀ ଦଣ୍ଡାଦେଶ । ତିରୁବନନ୍ତପୁରମ୍ କୋର୍ଟ ଏହି ରାୟ ଦେଇଛନ୍ତି । ଅଭିଯୋଗ ଅନୁସାରେ ପ୍ରେମିକା ଗ୍ରୀଷ୍ମା ବିଷ ଦେଇ ପ୍ରେମିକ ସରୋନ୍ ରାଜଙ୍କୁ ହତ୍ୟା କରିଥିଲା । ୧୪ ଅକ୍ଟୋବର ୨୦୨୨ରେ ଘଟିଥିଲା ଏହି ଜଘନ୍ୟ ହତ୍ଯାକାଣ୍ଡ। ଆୟୁର୍ବେଦିକ ଟନିକରେ ପ୍ରାଣଘାତକ କୀଟନାଶକ ପାରାକ୍ଵେଟ ମିଶାଇ ପ୍ରେମିକକୁ ପିଆଇଥିଲା ପ୍ରେମିକା ।

ବାହାଘର ଠିକ ହେବା ପରେ ବୟଫ୍ରେଣ୍ଡଠାରୁ ପିଛା ଛଡ଼ାଇବାକୁ ଏପରି ଜଘନ୍ୟକାଣ୍ଡ କରିଥିଲା ଗାର୍ଲଫ୍ରେଣ୍ଡ । ଏହାର ୧୧ ଦିନ ପରେ ପ୍ରେମିକର ମୃତ୍ୟୁ ଘଟିଥିଲା । ଅଭିଯୁକ୍ତ ବିରୋଧରେ ଲାଗିଥିଲା ଧାରା ୨୬୪, ୩୨୮, ୩୦୨, ୨୦୧ ।

ମାମଲାରେ ପ୍ରେମିକାର ଦାଦା ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ହୋଇଛି । କୋର୍ଟ କହିଛନ୍ତି, ଏହି ମାମଲା ଏତେ ଭୟଙ୍କର ଯେ, ଅଭିଯୁକ୍ତ ଗାର୍ଲଫ୍ରେଣ୍ଡର ବୟସକୁ ବିଚାରକୁ ନିଆଯାଇ ନାହିଁ କିମ୍ଵା ତା’ର ପାଠପଢ଼ାକୁ ବି ଗୁରୁତ୍ଵ ଦିଆଯାଇନାହିଁ । ଯୁବତୀ ଜଣକ ତା’ର ବାପାମାଆଙ୍କ ଏକମାତ୍ର ଝିଅ ।

ସାଇଣ୍ଟିଫିକ୍‌, ଡିଜିଟାଲ ଓ ପାରିପାର୍ଶ୍ଵିକ ପରିସ୍ଥିତିରୁ ପ୍ରମାଣ ସଂଗ୍ରହ କରିଥିଲା ପୋଲିସ, ଯାହାକୁ ଗ୍ରହଣ କରିଥିଲେ କୋର୍ଟ । ବୟଫ୍ରେଣ୍ଡ ରାଜ୍ ସେତେବେଳେ ବିଏସସି ରେଡିଓଲଜି ପଢୁଥିଲେ । ଆଗରୁ ବି ଜୁସରେ ପାରାସିଟାମଲ ମିଶାଇ ରାଜଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା ଗ୍ରୀଷ୍ମା । କିନ୍ତୁ ପିତା ଲାଗିବାରୁ ପିଇ ନଥିଲେ ରାଜ୍ । ତେଣୁ ସେ ବର୍ତ୍ତି ଯାଇଥିଲେ । ପରେ ଅବଶ୍ୟ ପ୍ରେମିକା ହାତରେ ତାଙ୍କ ଜୀବନ ଯାଇଥିଲେ ।

୮ ଦଫା ଦାବି ନେଇ ଯୁବ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ବର:  ୮ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଘେରାଉ କରିଛି ଯୁବ କଂଗ୍ରେସ l ଯୁବ ଅସନ୍ତୋଷ ସମାବେଶ ପାଳନ କରିବା ସହ ବିଜେପି ସରକାର ବିରୋଧରେ ଦଳର ଯୁବ ନେତା ଦେଇଛନ୍ତି ରଣ ହୁଙ୍କାର ।

ଜାତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଉଦୟ ଭାନୁ ଚିପଙ୍କ ନେତୃତ୍ୱରେ ଶତାଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟରେ ଶାସନକୁ ଆସିବା ପରେ ବିଜେପି ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଛି ବୋଲି  ଅଭିଯୋଗ କରିଛି ଯୁବ କଂଗ୍ରେସ । ବିଜେପି ସରକାର ଆସିଲା ପରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ଓଡ଼ିଶାର ଧୀରେ ଧୀରେ ବିହାର ଓ ଉତ୍ତରପ୍ରଦେଶ ରାଜ୍ୟରେ ପରିଣତ ହେଉଥିବାରୁ ଏହାକୁ ବିରୋଧ କରିଛି ଯୁବ କଂଗ୍ରେସ ।

କଂଗ୍ରେସ ଭବନରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଏଁ ଶୋଭାଯାତ୍ରାରେ ଆସିଥିଲା ଯୁବ କଂଗ୍ରେସର ରାଲି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି । ପ୍ରାୟ ୨୦ ମିନିଟ ଧରି ପୋଲିସ ଓ ଯୁବ କଂଗ୍ରେସ ମଧ୍ୟରେ ଲୋୟର ପିଏମଜିରେ ଟଣାଓଟରା ଲାଗିଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯୁବ କଂଗ୍ରେସ ମାଡ଼ି ଯାଉଥିବାରୁ ପୋଲିସ ବଳ ପୂର୍ବକ ଯୁବ କଂଗ୍ରେସ ନେତାଙ୍କୁ ଗରିଫ କରିଛି ।