spot_img
Home Blog Page 115

ଆନ୍ଧ୍ରର ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଆନ୍ଧ୍ରର ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଥିବା ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା । ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଶ୍ରଦ୍ଧାଳୁ ଆହତ ହୋଇଚନ୍ତି । କିଛି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।

ମିଳିଥିବା ସୂଚନା ଅନୁସାରେ କାର୍ତ୍ତିକ ଏକାଦଶୀ ପାଇଁ ମନ୍ଦିରରେ ଆଜି ପ୍ରବଳ ଭିଡ଼ ହୋଇଥିଲା । ମନ୍ଦିର ପ୍ରବେଶ ଦ୍ବାର ଦେଇ ଭିତରକୁ ଯିବାକୁ ଏକା ସଙ୍ଗରେ ବହୁ ଲୋକ ଚେଷ୍ଟା କରିଥିଲେ । ଠେଲାପେଲା ହେବା ସହ ଧାଁଦୌଡ଼ ଆରମ୍ଭ ହୋଇଯାଇଥିଲା । ଫଳରେ କିଛି ଲୋକ ତଳେ ପଡ଼ିଯାଇଥିଲେ । ଅନ୍ୟମାନେ ସେମାନଙ୍କ ଉପରେ ଚଢ଼ି ଭିତରକୁ ଯିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଶୋକ

ଉପସ୍ଥିତ ଲୋକଙ୍କ କହିବା ଅନୁସାରେ, ସକାଳୁ ଦର୍ଶନ ପାଇଁ ଭିଡ଼ ଲାଗିଥିଲା । ହେଲେ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇ ନଥିଲା । ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଘଟଣା ସ୍ଥଳକୁ ଯାଇ ସ୍ଥିତି ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆପଡ଼ା ଉପନିର୍ବାଚନ: ଲୋକଙ୍କୁ ଡରାଇବାକୁ ବିଜେପି ନେତାଙ୍କ ପିଏସଓଙ୍କ ଫାଙ୍କା ଗୁଳିଚାଳନା ଅଭିଯୋଗ

ନୂଆପଡ଼ା ଉପନିର୍ବାଚନ: ଲୋକଙ୍କୁ ଡରାଇବାକୁ ବିଜେପି ନେତାଙ୍କ ପିଏସଓଙ୍କ ଫାଙ୍କା ଗୁଳିଚାଳନା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଉପନିର୍ବାଚନ ପୂର୍ବରୁ ନୂଆପଡ଼ାକୁ ଅଶାନ୍ତ କରିବାକୁ କୌଣସି ପ୍ରକାର ସୁଯୋଗ ଛାଡୁନି ବିଜେପି । କର୍ମୀ ତ କର୍ମୀ ନେତାଙ୍କ ଦାଦାଗିରି ଚରମସୀମାରେ ପହଞ୍ଚିଛି । ହାରିବା ନିଶ୍ଚିତ ଜାଣି ସରକାରୀ ଦଳ ଔଷଧ ବିକଳରେ ତାଟିଆ କାମୁଡ଼ି ହେଉଛି । ପ୍ରଶାସନ ଓ ପୋଲିସକୁ ଲଗାଇ ବିରୋଧୀଙ୍କ ସ୍ବରକୁ ଦବାଇ ଦେବାକୁ ଚେଷ୍ଟା କରିଛି । ଏପରି ସ୍ଥିତିରେ ବ୍ଲାକ୍ ଫାୟରିଂ କରି ଶାନ୍ତ ନୂଆପଡ଼ାକୁ ଅଶାନ୍ତ ମଧ୍ୟକୁ ଠେଲି ଦେବାକୁ ଉଦ୍ୟମ କରାଯାଇଛି ।

କୋମନାରେ ଲୋକଙ୍କୁ ଭୟଭୀତ କରିବାକୁ ବିଜେପି ଉଦ୍ୟମ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଜଣେ ବିଜେପି ବିଧାୟକଙ୍କ ପିଏସଓ ବ୍ଲାଙ୍କ ଫାୟାରିଙ୍ଗ କରିଥିବା ସୂଚନା ମିଳିଛି । ଏନେଇ କଂଗ୍ରେସ କର୍ମୀ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ରାତିରେ ଏହି ଫାୟାରିଂ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି ।

କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ, ପୋଲିସ ସହ ଧସ୍ତାଧସ୍ତି

କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ, ପୋଲିସ ସହ ଧସ୍ତାଧସ୍ତି

ନନ୍ଦିଘୋଷ ବ୍ୟୁରୋ: କଲେଜ ଛାତ୍ରାବାସରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର । ହଷ୍ଟେଲ ବାଥରୁମରୁ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣଙ୍କ ଯଖପୁର ଥାନା କେନ୍ଦୁଢିପି ଗାଁର ବିଜୟ କୁମାର ପାଳଙ୍କ ପୁଅ ଆଶିଷ ବୋଲି ଜଣାପଡିଛି । ସେ ପାଣିକୋଇଲି ଥାନା ଅନ୍ତର୍ଗତ ଛୋଟରାୟପୁରରେ ଥିବା ଏକ ଘରୋଇ କଲେଜର ଛାତ୍ରାବାସରେ ରହି ଯୁକ୍ତଦୁଇରେ ପାଠ ପଢ଼ୁଥିଲେ । ତେବେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । କଲେଜ ପରିସରରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖିବାକୁ ମିଳିଛି ।

ଆଜି ସକାଳେ ଘଟଣା ଜଣାପଡ଼ିଥିଲା । ଏହାପରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ଛାତ୍ରଙ୍କ ପରିବାର ଓ ସମ୍ପର୍କୀୟ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ । ଏପରିକି ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା ।

ଘଟଣାକୁ ନେଇ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ପାଣିକୋଇଲି ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହିତ ସାଇଣ୍ଟଫିକ ଟିମ୍ ସହାୟତାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏପଟେ ମୃତକଙ୍କ ପରିବାର ପକ୍ଷରୁ କଲେଜ ସମ୍ମୁଖରେ ହୋହାଲ୍ଲା କରାଯିବା ସହ ଧରଣା ଦିଆଯାଇଛି । କେଉଁ କାରଣରୁ ଛାତ୍ର ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନି ।

ଆଜିଠୁ ସମୁଦ୍ରରେ ମାଛଧରା ନିଷେଧ , ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ୭ ମାସ ସରକାରୀ କଟକଣା

ନନ୍ଦିଘୋଷ ବ୍ୟୁରୋ : ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନାସି ରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ ଆଜି ଠୁ ଲାଗିଲା କଟକଣା । ନଭେମ୍ବର ୧ ରୁ ଆସନ୍ତା ବର୍ଷ ମେ ୩୧ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଅସ୍ତରଙ୍ଗର ଦେବୀ ମୁହାଣର ଉତ୍ତର ପାର୍ଶ୍ଵ ୧୦ କିଲୋମିଟର ଏବଂ ଦକ୍ଷିଣ ପାର୍ଶ୍ୱ ୧୦ କିଲୋମିଟର ପରିମିତ ସ୍ଥାନ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଏହି ସ୍ଥାନ ମାନଙ୍କରେ ଡ଼ଙ୍ଗା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ମାଛଧରା ନିଷେଧ ଅଞ୍ଚଳରେ ଟ୍ରଲର ନିୟମ ଭଙ୍ଗ କଲେ ଟ୍ରଲର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିୟମଭଙ୍ଗକାରୀଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ଅସ୍ତରଙ୍ଗ ସହକାରୀ ମତ୍ସ୍ୟ ଅଧିକାରୀ କହିଛନ୍ତି । କଇଁଛଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଅସ୍ତରଙ୍ଗ ବନବିଭାଗ ତରଫରୁ ହାଚେରୀ କରାଯାଇଛି । ଗଙ୍ଗାଦେବୀ, ଦେବୀନାସି, ଡ଼ାଳୁଅକଣି, ଜାହାନିଆ ,କୂଅରପୁର ଓ ଚନ୍ଦ୍ରଭାଗାରେ ହାଚେରୀ କରାଯାଇଛି ।

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ! କାମରୁ ଫେରିବା ବେଳେ ଟେକିନେଲେ ଦୁର୍ବୃତ୍ତ …

ନନ୍ଦିଘୋଷ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ବୀରମହାରାଜପୁର ଥାନା ହିକୁଡ଼ି ITI ପଛ ପଟେ ଦୁର୍ବୃତ୍ତମାନେ ଏହି ଜଘନ୍ୟକାଣ୍ଡ କରିଥିବା ଜଣାପଡ଼ିଛି। ଯୁବତୀ ଜଣକ ପାଖରେ ଥିବା ଟାଟା ମୋଟର ସର୍ଭିସ ସେଣ୍ଟରରେ କାମ କରୁଥିଲେ। କାମ ସାରି ଘରକୁ ଫେରିବା ବେଳେ ବାଟରେ ୩ ଜଣ ଯୁବକ ଅଟକାଇଥିଲେ । ତା ପରେ ମୁହଁରେ ସ୍ପ୍ରେ ମାରି ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଜଣକ ଅଚେତ ଅବସ୍ଥାରେ ବହୁ ସମୟ ଧରି ପଡ଼ି ରହିଥିଲେ। ଚେତା ଆସିବା ପରେ ସେ ଘରକୁ ଫେରି କହିବା ପରେ ସବୁ କଥା ଜଣାପଡ଼ିଥିଲା। ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତନାଘନା କରି ସନ୍ଦେହରେ କିଛି ଯୁବକଙ୍କୁ ପଚରା ଉଚରା କରୁଛି।

ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର ; ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ ସିରିଜ ଚୋରି …

ନନ୍ଦିଘୋଷ ବ୍ୟୁରୋ : ପୁଣି ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗଗନଧୂଳି ପଞ୍ଚାୟତ ଗଣ୍ଡୁଆ ଗ୍ରାମର ବଳି ବାସୁଳି ମନ୍ଦିର, ରଫେତପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ମନ୍ଦିର ଓ ଜଗନ୍ନାଥ ମନ୍ଦିରରୁ ସିରିଜ ଲୁଟ । ଗତକାଲି ବିଳମ୍ବିତ ରାତିରେ ଏକକାଳୀନ ୩ଟି ମନ୍ଦିରରୁ ଚୋରି କରି ଫେରାର ହୋଇଯାଇଛନ୍ତି ଲୁଟେରା । ଠାକୁରଙ୍କର ସୁନା ଓ ରୁପାର ଚିତା, ସୁନା ଓ ରୁପା ହାର, ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ସମେତ ଦାନ ବାକ୍ସ ନେଇଯାଇଥିବା ସୂଚନା । ଦୁଇ ଦିନ ଭିତରେ ଖଇରା ଅଂଚଳରେ ୧୦ ରୁ ଉର୍ଦ୍ଧ୍ଵ ମନ୍ଦିରରୁ ଚୋରି ହେଲାଣି  l ଅଂଚଳରେ ବାରମ୍ବାର ଚୋରି ଡକାୟତ ବଢ଼ୁଥିବାରୁ ଅଂଚଳ ବାସିଙ୍କ ମଧ୍ୟରେ ଭୟ ଦେଖାଦେଇଛି ।

ଆଜିଠାରୁ ବଦଳିଯିବ ଏସବୁ ନିୟମ : ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ ପ୍ରଭାବ

ନନ୍ଦିଘୋଷ ବ୍ୟୁରୋ : ନଭେମ୍ବର ୨୦୨୫ ଆରମ୍ଭ ହେବା ସହିତ, ଆଜିଠାରୁ ଅନେକ ନୂତନ ନିୟମ କାର୍ଯ୍ୟକାରୀ ହୋଇଛି। ଏହାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଆର୍ଥିକ ସ୍ଥିତିକୁ ସିଧାସଳଖ ପ୍ରଭାବିତ କରିବ। ଆଧାର ଅପଡେଟ ଫି ଏବଂ ବ୍ୟାଙ୍କ ପଞ୍ଜିକରଣରେ ପରିବର୍ତ୍ତନ ଠାରୁ ଆରମ୍ଭ କରି ନୂତନ GST ସ୍ଲାବ ଏବଂ କାର୍ଡ ଫି ପର୍ଯ୍ୟନ୍ତ ୭ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।

ଆଧାର ଅପଡେଟ ଫି ପରିବର୍ତ୍ତନ

ଭାରତୀୟ ଅନନ୍ୟ ପରିଚୟ କର୍ତ୍ତୃପକ୍ଷ (UIDAI) ପିଲାମାନଙ୍କ ଆଧାର କାର୍ଡରେ ବାୟୋମେଟ୍ରିକ ଅପଡେଟ ପାଇଁ ୧୨୫ଟଙ୍କା ଫି ଛାଡ଼ କରିଛି। ଏହି ଫି ଏକ ବର୍ଷ ପାଇଁ ମାଗଣା ହେବ। ବୟସ୍କମାନଙ୍କ ପାଇଁ, ନାମ, ଜନ୍ମ ତାରିଖ, ଠିକଣା କିମ୍ବା ମୋବାଇଲ ନମ୍ବର ଭଳି ବିବରଣୀ ଅପଡେଟ କରିବା ପାଇଁ ୭୫ଟଙ୍କା ଖର୍ଚ୍ଚ ହେବ। ଫିଙ୍ଗରପ୍ରିଣ୍ଟ କିମ୍ବା ଆଇରିସ ସ୍କାନ ଭଳି ବାୟୋମେଟ୍ରିକ ଅପଡେଟ ପାଇଁ ୧୨୫ଟଙ୍କା ଖର୍ଚ୍ଚ ହେବ।

ନୂତନ ବ୍ୟାଙ୍କ ନାମାଙ୍କନ ନିୟମ

ନଭେମ୍ବର ୧ରୁ, ବ୍ୟାଙ୍କଗୁଡ଼ିକ ବ୍ୟବହାରକାରୀଙ୍କୁ ଏକ ଆକାଉଣ୍ଟ, ଲକର କିମ୍ବା ସୁରକ୍ଷିତ ଜମା ପାଇଁ ଚାରି ଜଣଙ୍କୁ ମନୋନୀତ କରିବାକୁ ଅନୁମତି ଦେବେ। ଏହି ନୂତନ ନିୟମର ଲକ୍ଷ୍ୟ ପରିବାରଗୁଡ଼ିକ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ପାଣ୍ଠି ପାଇବାକୁ ସହଜ କରିବା ଏବଂ ମାଲିକାନା ଉପରେ ବିବାଦକୁ ଏଡାଇବା। ନାମାଙ୍କନ ଯୋଗ କରିବା କିମ୍ବା ପରିବର୍ତ୍ତନ କରିବା ଏହି ପ୍ରକ୍ରିୟାକୁ ବ୍ୟବହାରକାରୀଙ୍କ ପାଇଁ ସରଳ କରାଯାଇଛି। ଆପଣ ଏବେ କୌଣସି ସମର୍ଥନକାରୀ ଡକ୍ୟୁମେଣ୍ଟ ଦାଖଲ ନକରି ଅନଲାଇନରେ ଆପଣଙ୍କର ଆଧାର ଠିକଣା, ଜନ୍ମ ତାରିଖ କିମ୍ବା ନାମ ଅପଡେଟ କରିପାରିବେ।

ନୂତନ GST ସ୍ଲାବ କାର୍ଯ୍ୟକାରୀ

ନଭେମ୍ବର ୧ଠାରୁ, ସରକାର କିଛି ସାମଗ୍ରୀ ପାଇଁ ସ୍ବତନ୍ତ୍ର ହାର ସହିତ ଏକ ନୂତନ ଦୁଇ-ସ୍ଲାବ GST ବ୍ୟବସ୍ଥା ଲାଗୁ ହେବ । ପୂର୍ବ ଚାରି-ସ୍ଲାବ ସିଷ୍ଟମ ୫%, ୧୨%, ୧୮%, ଏବଂ ୨୮% କୁ ପରିବର୍ତ୍ତନ କରାଯିବ।। ୧୨% ଏବଂ ୨୮% ସ୍ଲାବ ହଟାଯିବ, ଯେତେବେଳେ ବିଳାସପୂର୍ଣ୍ଣ ଏବଂ ବିପଦପୂର୍ଣ୍ଣ ସାମଗ୍ରୀ ୪୦% ହାରରେ ରହିବ। ଏହି ପଦକ୍ଷେପ ଭାରତର ପରୋକ୍ଷ ଟିକସ ଗଠନକୁ ସରଳ କରିବା ଲକ୍ଷ୍ୟ ରଖିଛି।

NPSରୁUPS ସମୟ ସୀମା ବୃଦ୍ଧି

ଜାତୀୟ ପେନସନ ସିଷ୍ଟମ (NPS)ରୁ ଏକୀକୃତ ପେନସନ ଯୋଜନା (UPS)କୁ ସ୍ଥାନାନ୍ତରିତ ହେବାକୁ ଚାହୁଁଥିବା କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ତ୍ତମାନ ପ୍ରକ୍ରିୟା ସମାପ୍ତ କରିବାକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ପାଇପାରିବେ। ଏହି ସମ୍ପ୍ରସାରଣ କର୍ମଚାରୀମାନଙ୍କୁ ସମୀକ୍ଷା ଏବଂ ପରିବର୍ତ୍ତନ କରିବାକୁ ଅଧିକ ସମୟ ଦେଇଥାଏ।

ସମସ୍ତ ଅବସରପ୍ରାପ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନଭେମ୍ବର ଶେଷ ସୁଦ୍ଧା ସେମାନଙ୍କର ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ। ଏହା ସେମାନଙ୍କ ବ୍ୟାଙ୍କ ଶାଖାରେ କିମ୍ବା ଜୀବନ ପ୍ରମାଣ ପୋର୍ଟାଲ ମାଧ୍ୟମରେ ଅନଲାଇନରେ କରାଯାଇପାରିବ। ସମୟସୀମା ଶେଷ ହେବା ଦ୍ୱାରା ପେନସନ ପେମେଣ୍ଟରେ ବିଳମ୍ବ କିମ୍ବା ବାଧା ସୃଷ୍ଟି ହୋଇପାରେ।

PNB ଲକର ଫି ପରିବର୍ତ୍ତନ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଖୁବ ଶୀଘ୍ର ସାରା ଭାରତରେ ଏହାର ଲକର ଭଡା ଫି କରିବକୁ ଯାଉଛି। ନୂତନ ହାର ଲକରର ଆକାର ଏବଂ ବର୍ଗ ଉପରେ ନିର୍ଭର କରିବ। ରିପୋର୍ଟ ଅନୁଯାୟୀ, ଅପଡେଟ ଫି ନଭେମ୍ବରରେ ଘୋଷଣା ହେବାର ଆଶା କରାଯାଉଛି ଏବଂ ବିଜ୍ଞପ୍ତିର ୩୦ ଦିନ ପରେ କାର୍ଯ୍ୟକାରୀ ହେବ।

SBI କାର୍ଡ ବ୍ୟବହାରୀଙ୍କ ପାଇଁ ନୂତନ ଫି

ଆଜିଠାରୁ SBI କାର୍ଡ ବ୍ୟବହାରକାରୀଙ୍କଠାରୁ MobiKwik ଏବଂ Cred ପରି ତୃତୀୟ-ପକ୍ଷ ଆପ ମାଧ୍ୟମରେ କରାଯାଇଥିବା ଶିକ୍ଷା ସମ୍ବନ୍ଧୀୟ ପେମେଣ୍ଟ ଉପରେ ୧% ଫି ଆଦାୟ କରାଯିବ। ଏହା ସହିତ, SBI କାର୍ଡ ବ୍ୟବହାର କରି ଡିଜିଟାଲ ୱାଲେଟରେ ୧,୦୦୦ରୁ ଅଧିକ କାରବାର ପାଇଁ ମଧ୍ୟ ୧% ଫି ଲାଗୁ ହେବ।

 

 

ଆଜି ମହାପ୍ରଭୁଙ୍କ ଶେଷ ରାଧାଦାମୋଦର ବେଶ ;  ଦିବ୍ୟ ଦର୍ଶନ କରିବା ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼

ନନ୍ଦିଘୋଷ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ଶେଷ ରାଧାଦାମୋଦର ବେଶ ।  ଦିବ୍ୟ ଦର୍ଶନ କରିବା ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ । ପବିତ୍ର କାର୍ତ୍ତିକ ମାସ ଆରମ୍ଭରୁ ପ୍ରଭାପ୍ରଭୁଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇ ଆସୁଥିଲା । ତେବେ ଆଜି ଏହି ବେଶର ଶେଷ ଦିନ ରହିଛି । ସେପଟେ କାଲିଠୁ ଆରମ୍ଭ ହେବ ପଞ୍ଚୁକ । ଚିଳିବର୍ଷ ଚାରିଦିନ ପାଳନ ହେବ ପଞ୍ଚକ । ଏହି ପଞ୍ଚକ ଚାରି ଦିନରେ ଭିନ୍ନ ଭିନ୍ନ ଦିନରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସ୍ବତନ୍ତ୍ରୀ ବେଶ ନୀତି  ।  ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶରେ ଦେଶନ ଦେବେ ମହାପ୍ରଭୁ । ସେହିଭଳି ୩ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୪ ତାରିଖରେ ଲଷ୍ମୀ ନୃସିଂହ ବେଶ ଓ ୫ ତାରିଖରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରରେ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ। ତେବେ ଚଳିତବର୍ଷ ତିଥିରେ କ୍ଷୟ ପଡୁଥିବାରୁ ବାଙ୍କଚୁଡା ବେଶ ଅନୁଷ୍ଠିତ ହେବ ନାହିଁ। ମହାପ୍ରଭୁଙ୍କର ପଞ୍ଚୁକରେ ଏହି ବେଶ ଦର୍ଶନ ନେଇ ହଜାର ହଜାର ଭକ୍ତ ଓ ହବିଷ୍ୟାଳିଙ୍କ ଭିଡ଼ ଜମିବ । ଏହାକୁ ନଜରରେ ରଖି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବ୍ୟାପକ ଫୋର୍ସ ମୃତୟନ କରାଯିବ ।

ନୂଆପଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ କାହାର, ବିଜେଡିର ନା ବିଜେପିର ?

ନୂଆପଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ କାହାର, ବିଜେଡିର ନା ବିଜେପିର ?

ନନ୍ଦିଘୋଷ ବ୍ୟୁରୋ: ନୂଆପଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ କାହାର ? ବିଜେଡିର ନା ବିଜେପିର ? ଏହାକୁ ନେଇ ପୂର୍ବରୁ କୌଣସି ବିବାଦ ନଥିବା ବେଳେ, ଏବେ ହଠାତ ଜିଲ୍ଲାପାଳ କେଁ ପୂରାଇଛନ୍ତି । ବିଜେଡି ନିଜର ପ୍ରଚାର ଭିଡିଓରେ ରାଜେନ୍ଦ୍ର ଢୋଲକିଆଙ୍କ ଭିଡିଓ ବ୍ୟବହାର କରିପାରିବ ନାହିଁ ବୋଲି ଆପତ୍ତି ଉଠାଇଛନ୍ତି ଜିଲ୍ଲାପାଳ । ଏନେଇ ଆଜି ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ସେପଟେ ଆସନ୍ତା ତିନି ତାରିଖରେ ନବୀନଙ୍କ କୋମନା ଜନସଭାକୁ ଭଣ୍ଡୁର କରିବାକୁ ମଧ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଷଡଯନ୍ତ୍ର କରୁଛନ୍ତି ବୋଲି ମଧ୍ୟ ବିଜେଡି ଅଭିଯୋଗ କରିଛି ।

ବିଜୁ ବାବୁଙ୍କଠାରୁ ନବୀନ ବାବୁଙ୍କ ପର୍ଯ୍ୟନ୍ତ ବିଜୁ ପରିବାର ସହ ଥିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ । ହେଲେ ପ୍ରଚାର ବେଳେ ତାଙ୍କ ଫଟୋ ବ୍ୟବହାର କରିପାରିବନି ବିଜେଡି । ଜିଲ୍ଲାପାଳଙ୍କ ଏଭଳି କଟକଟଣାକୁ ନେଇ ଆପତ୍ତି ଉଠାଇଲା ବିଜେଡି । ଅଭିଯୋଗ କରିଛି ବିଜେପି ନିର୍ଦ୍ଦେଶରେ କାମ କରୁଛନ୍ତି ଜିଲ୍ଲା ପ୍ରଶାସନ । ନୂଆପଡା ଉପନିର୍ବାଚନ ପାଇଁ ତିନି ଦଳର ପ୍ରଚାର ଜୋର ଧରିଛି । ଉଭୟ ବିଜେପି ଓ ବିଜେଡି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ସହ ପ୍ରଚାର କରୁଛନ୍ତି । ଏବେ ହଠାତ ବିଜେଡିର ଏକ ପ୍ରଚାର ଭିଡିଓକୁ ନେଇ ଆପତ୍ତି ଉଠାଇଛନ୍ତି ଜିଲ୍ଲାପାଳ । ବିଜେଡିର ପ୍ରଚାର ଭିଡିଓରେ ରାଜେନ୍ଦ୍ର ଢୋଲକିଆଙ୍କ ଦୁଇ ସେକେଣ୍ଡର ଭିଡିଓ ବ୍ୟବହାର ହୋଇଥିଲା । କିନ୍ତୁ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରିପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ନୂଆପଡାରେ ହାରିଯିବା ଭୟରେ ଜିଲ୍ଲା ପ୍ରଶାସନର ଦୁରୁପଯୋଗ କରୁଛି ଓ ଜିଲ୍ଲାପାଳ ବିଜେପି ନେତାଙ୍କ ଇଙ୍ଗିତରେ ବିଜେଡି ଉପରେ କଟକଣା ଲଗାଉଥିବା ବିଜେଡି ଅଭିଯୋଗ କରିଛି । ରାଜେନ୍ଦ୍ର ଢୋଲକିଆ ବିଜେଡି ସହ ଥିଲେ ଆଉ ତାଙ୍କ ଅବର୍ତ୍ତମାନରେ ଏହି ଉପନିର୍ବାଚନ ହେଉଛି । ତେଣୁ ବିଜେଡିର ପୂରା ଅଧିକାର ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରିବାର । ବିଜେପି ମଧ୍ୟ ରାଜେନ୍ଦ୍ରଙ୍କ ଫଟୋ ବ୍ୟବହାର କରୁଛି । ବିଜେଡି ତ ଏହାର ପ୍ରତିବାଦ କରିନି । ବିଜେପି ନେତାମାନେ ନିର୍ବାଚନ ହାରିଯିବା ଭୟରେ ଜିଲ୍ଲା ପ୍ରଶାସନକୁ ବ୍ୟବହାର କରି ବିଜେଡି ଉପରେ କଟକଣା ଲଗାଉଥିବା ବିଜେଡି ଅଭିଯୋଗ କରିଛି ।

ଏହି ପ୍ରସଙ୍ଗରେ ବିଜେଡିର ଏକ ଟିମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛି । ବିଜେଡିର ଯୁକ୍ତି ସ୍ବର୍ଗତ ରାଜେନ୍ଦ୍ର ଢୋଲଖିଆ ପୂର୍ବରୁ ବିଜୁ ବାବୁଙ୍କ ସହ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ସହ କାର୍ଯ୍ୟ କରିଛନ୍ତି । ରାଜୁ ଭାଇ ଢୋଲଖିଆ ହେଉଛନ୍ତି ବିଜେଡିର ସମ୍ପତ୍ତି । ତାଙ୍କ ପୁଅ ଜୟ ଢୋଲଖିଆ ବିଜେପିରୁ ପାର୍ଥୀ ହୋଇଥିବାରୁ ରାଜୁ ଢୋଲକିଆଙ୍କ ଫଟୋ ଲାଗିଲେ କାଳେ ବିଜେପି ହାରିଯିବ, ଏହି ଭୟରେ ଶାସକ ଦଳ କଥାରେ ଜିଲ୍ଲାପାଳ ବିଜେଡି ଉପରେ ଅଙ୍କୁଶ ଲଗାଉଥିବା ବିଜେଡି ଅଭିଯୋଗ କରିଛି । ସେପଟେ ବିଜେପି କରିଛି ବିତଣ୍ଡା ଯୁକ୍ତି ।

ନୂଆପଡାରେ ପୋଲିସ ଓ ପ୍ରଶାସନର ବ୍ୟାପକ ଅପବ୍ୟବହାର ଅଭିଯୋଗ

ନୂଆପଡାରେ ପୋଲିସ ଓ ପ୍ରଶାସନର ବ୍ୟାପକ ଅପବ୍ୟବହାର ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ନୂଆପଡାରେ ପୋଲିସ ଓ ପ୍ରଶାସନର ବ୍ୟାପକ ଅପବ୍ୟବହାର ଅଭିଯୋଗ । କେତେବେଳେ ବିଜେଡି ନେତାଙ୍କ ଘରେ ବିନା ସର୍ଚ୍ଚ ଓ୍ବାରେଣ୍ଟରେ ଅଚାନକ ଚଢାଉ କରାଯାଉଛି ତ କେତେବେଳେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ବେଳେ ପୋଲିସ ପଶି ନାଲିଆଖି ଦେଖାଉଛି । ଦୁଇ ଦିନ ପୂର୍ବରୁ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ସମୟରେ ପୋଲିସ ପଶି ଯାଇଥିଲା । ଆଜି ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ରହୁଥିବା ଭଡା ଘରେ ପଶି ଖାନତଲାସୀ କରିଛି ପୋଲିସ । ତାହା ପୁଣି ବିନା ସର୍ଚ୍ଚ ୱାରେଣ୍ଟରେ । ପ୍ରତିବାଦ କରିବାକୁ କେୟାର ଟେକରଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।

ନୂଆପଡା ଉପନିର୍ବାଚନରେ ବିଜେପିକୁ ଘାରିଛି କି ହାରିଯିବାର ଭୟ ? ଭୟରେ ବିଜେଡି ନେତାଙ୍କ ଘରେ ଅତର୍କିତ ଚଢାଉ ଅଭିଯୋଗ । ବିରୋଧୀଙ୍କୁ ଭୟଭୀତ କରିବାକୁ ସରକାରୀ କଳର କରାଯାଉଛି ଅପବ୍ୟବହାର । ନୂଆପଡା ଉପନିର୍ବାଚନ ଦିନ ଯେତିକି ପାଖଉଛି, ପୋଲିସ ଓ ପ୍ରଶାସନିକ କଳର ଅପବ୍ୟବହାର ସେତିକି ଘନେଇବା ଆରମ୍ଭ ହୋଇଛି । ଆଜି ପୂର୍ବତନ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ ରହୁଥିବା ଭଡା ଘରେ ପୋଲିସ କରିଥିଲା ଚଢାଉ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ପ୍ରୀତିରଂଜନ ଖରିଆର ରୋଡ ଏନଏସିରେ ଏକ ଭଡା ଘରେ ରହୁଥିଲେ । ଆଜି ସେ ପ୍ରଚାରକୁ ଯିବା ପରେ ବିନା ସର୍ଚ୍ଚ ୱାରେଣ୍ଟରେ ତାଙ୍କ ଘରେ ପୋଲିସ କରିଥିଲା ଚଢାଉ । ଘରେ କେବଳ କେୟାରଟେକର ରାକେଶ କୁମାର ପଣ୍ଡା ଥିଲେ । ମାଜିଷ୍ଟ୍ରେଟଙ୍କ ସହ ଖରିଆର ରୋଡ଼ ପୋଲିସର ଏକ ଟିମ ପ୍ରୀତିରଂଜନଙ୍କ ଘର ଖାନତଲାସ କରିବାକୁ ଆସିଥିଲେ । ବିନା ସର୍ଚ୍ଚ ୱାରେଣ୍ଟରେ ଚଢାଉ ପାଇଁ ଆସିଥିବା ପୋଲିସ ଟିମକୁ କେୟାର ଟେକର ବିରୋଧ କରିବାରୁ ତାଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ବିଜେପି ହାରିଯିବା ଭୟରେ ଏଭଳି ଆଚରଣ ବିଧିର ଖୋଲା ଉଲଂଘନ କରୁଥିବା ବିଜେଡି ଅଭିଯୋଗ କରିଛି ।

ସମାନ ଅଭିଯୋଗ ଆଣିଛି କଂଗ୍ରେସ । ନୂଆପଡାରେ ସରକାରୀ କଳକୁ କାମରେ ଲଗାଇଛନ୍ତି ଡବଲ ଇଞ୍ଜିନ ସରକାର । ନୂଆପଡାରେ ବିରୋଧୀଙ୍କ ବିରୋଧରେ ସରକାରୀ କଳକୁ ବିଜେପି ବ୍ୟବହାର କରୁଛି ବୋଲି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି । ବିଜେପି ସରକାରୀ କର୍ମଚାରୀ ଓ ପୋଲିସକୁ ଭୋଟରଙ୍କୁ ପ୍ରଭାବିତ କରିବାକୁ କାମରେ ଲଗାଇଛି । ଏମାନଙ୍କର ନୂଆପଡ଼ାବାସୀଙ୍କ ସହ କୌଣସି ସଂପର୍କ ନାହିଁ । କାରଣ ସରକାରୀ କର୍ମଚାରୀ ଓ ପୋଲିସ ଲୋକମାନଙ୍କ ତଣ୍ଟି ଚିପିଛନ୍ତି । ଗତ ଦେଢ ବର୍ଷ ଭିତରେ ନୂଆପଡାରେ ଗୋଟିଏ ହେଲେ ବିକାଶମୂଳକ କାମ ହୋଇନାହିଁ । ଛାତ୍ର, ଯୁବକ, ଚାଷୀ ଓ ମହିଳାଙ୍କ ବିକାଶ ପାଇଁ ଦୃଷ୍ଟି ଦିଆଯାଇ ନାହିଁ । ଏବେ ବି ସେଠି ଯୁବକ ଦାଦନ ଯାଉଛନ୍ତି । ତେଣୁ ବିଜେପି ଜାଣିଗଲାଣି ନୂଆପଡାରେ ଦଳ ହାରିଯିବ । ତେଣୁ ସରକାରୀ ଅଧିକାରୀଙ୍କୁ ଭୋଟରଙ୍କୁ ପ୍ରଭାବିତ କରିବା କାମରେ ନିୟୋଜିତ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ବିରୋଧୀଙ୍କ ଅଭିଯୋଗ ଉପରେ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନି । ଏପରିକି ପୋଲିସ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦେଇନାହିଁ । କିନ୍ତୁ ଭୋଟ ପୂର୍ବରୁ ପୋଲିସର ଏଭଳି ଦାଦାଗିରିକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।