spot_img
Home Blog Page 1158

ବର୍ଦ୍ଦିରେ ଲାଗିଲା କଳଙ୍କ: ଥାନାରେ ଜଣେ ମହିଳା କନଷ୍ଟେବଳଙ୍କୁ ଥାନା ଅଧିକାରୀଙ୍କ ଦୁଷ୍କର୍ମ ଉଦ୍ୟମ

ନିମାପଡ଼ା: ପୁରୀ ଜିଲ୍ଲା ରାମଚଣ୍ଡୀ ବେଳାମାର୍ଗରେ ଅବସ୍ଥିତ ରାମଚଣ୍ଡୀ ଥାନାରେ ଜଣେ ମହିଳା  କନଷ୍ଟେବଳଙ୍କୁ ଥାନା ଅଧିକାରୀ କରିଛନ୍ତି ଦୁଷ୍କର୍ମ ଉଦ୍ୟମ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ମୁତାବକ ରାମଚଣ୍ଡୀ ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପୃଷ୍ଟି ଥାନାର ମହିଳା କନଷ୍ଟେବଳଙ୍କୁ ଗତ ବୁଧବାର ବିଳମ୍ବିତ ରାତ୍ରିରେ ତାଙ୍କ ରୁମର ପଛପଟ କବାଟ ଖୋଲିବାକୁ ବାଧ୍ୟ କରିଥିଲେ। ମାତ୍ର କନଷ୍ଟେବଳ ଜଣକ ଭୟଭୀତ ହୋଇ କବାଟ ଖୋଲି ନଥିଲେ । ପଛ ଦ୍ଵାର ଖୋଲିବାକୁ ବାରମ୍ବାର ବାଧ୍ୟ କରିବାରୁ ସେ ଥାନାରେ ଡ୍ୟୁଟିରେ ଥିବା ସାଥି ବିଦ୍ୟାଧର ଟୁଡୁଙ୍କୁ ଜଣାଇଥିଲେ।

ମହିଳା କନଷ୍ଟେବଳ ଜଣଙ୍କ ରାତି ସାରା କାନ୍ଦି କାନ୍ଦି ଭୟଭୀତ ଅବସ୍ଥାରେ ରହିଥିଲେ। ଗୁରୁବାର ସକାଳୁ ଏ ନେଇ ମହିଳା କନଷ୍ଟେବଳ ପୁରୀ ଏସପି, ନିମାପଡା ଏସଡିପିଓଙ୍କ ସମେତ ପୁରୀ ଜିଲ୍ଲା ହାବିଲଦାର ସିପାହୀ କନେଷ୍ଟବଳ ମହାସଂଘର ସଭାପତି ସନ୍ତୋଷ ମହାନ୍ତିଙ୍କୁ ଲିଖିତ ଭାବେ ଅବଗତ କରିଥିବା ସୂଚନା ମିଳିଛି । ଏନେଇ ଦୀର୍ଘ ସମୟ ଅତିବାହିତ ହେବା ସତ୍ତ୍ୱେ ଉଚ ଅଧିକାରୀ ମାନେ କୌଣସି ଦୃଢ ପଦକ୍ଷେପ ଏ ପର୍ଯ୍ୟନ୍ତ ନନେଇ ମାମଲାକୁ ରଫା ଦଫା କରିଦେବାକୁ ଚାପ ପକାଉଥିବା କୁହାଯାଉଛି। ଗତକାଲି ବିଳମ୍ବିତ ରାତିରେ ନିମାପଡା sdpo ଓ କିଛି ମହିଳା ପୋଲିସ ରାମଚଣ୍ଡୀ ଥାନାକୁ ଆସି ମହିଳା କନଷ୍ଟେବଳଙ୍କୁ ଉଠାଇ ନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଆସନ୍ତା କାଲି ଠାରୁ ଚିଲିକାରେ ହେବ ପକ୍ଷୀ ଗଣନା: ୨୦ରୁ ଆରମ୍ଭ ହେବ ଡଲଫିନ ଗଣନା

ଆସନ୍ତା କାଲି ଠାରୁ ଚିଲିକାରେ ହେବ ପକ୍ଷୀ ଗଣନା । ୨୦ରୁ ଡଲଫିନ ଗଣନା ମଧ୍ୟ ଆରମ୍ଭ କରାଯିବ । ସକାଳ ୬ଟା ରୁ ମଧ୍ୟାହ୍ଣ ୧୨ ପର୍ଯ୍ୟନ୍ତ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀ ଗଣନାରେ ନିୟୋଜିତ ହୋଇଛନ୍ତି । ପ୍ରତି ଟିମରେ ୬ରୁ ୭ ଜଣ ଗଣନାକାରୀ ରହିବେ । ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ସ୍ପୋଟିଂ ସ୍କୋପ, ୱାକିଟକି, ନୋଟବୁକ ଆଦି ବ୍ୟବହାର କରାଯିବ । ଗଣନାରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ହେବେ ବୋଲି
ଚନ୍ଦ୍ରାପୁଟ ସ୍ଥିତ ଆର୍ଦ୍ରଭୂମି ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ର ଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ।

ଗଣନା ସମୟରେ ଚିଲିକାରେ ମସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଆଜି ଗଣନାକାରୀଙ୍କୁ ଚନ୍ଦ୍ରାପୁଟ ସ୍ଥିତ ସିଡିଏ ଗବେଷଣା କେନ୍ଦ୍ରରେ ତାଲିମ ପ୍ରଦାନ କରାଯିବ। ସେହିପରି ଚିଲିକାରେ ବିରଳ ଇରାୱାଡି ପ୍ରଜାତିର ଓ ସାତପଡ଼ା ମୁହାଣରେ ବଟଲ ରୋଜ ପ୍ରଜାତିର ଡଲଫିନ ଗଣନା ୨୦ ତାରିଖରୁ ଆରମ୍ଭ ହେବ । ୧୯ରେ ଡଲଫିନ ଅଭୟାରଣ୍ୟ ସାତପଡ଼ା ଓ ବାଲୁଗାଁ ଠାରେ ପୃଥକ ଭାବେ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯିବ । ଡଲଫିନ ଗଣନା ନିମିତ୍ତ ସମୁଦାୟ ୨ଟି ରେଞ୍ଜ କରାଯାଇଛି । ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ ଗଣନା କାର୍ଯ୍ୟରେ ନିୟୋଜିତ ହେବେ । ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବେ । ଅନୁଷ୍ଠିତ ବୈଠକରେ ଡିଏଫଓ ଅମ୍ଳାନ ନାୟକ, ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜର ରଶ୍ମିତା ଜେନା, ଏସିଏଫ ପ୍ରମୋଦ ସେଠୀ, ବୈଜ୍ଞାନିକ ଆରଏମ ସାମଲ, ସିଡିଏ କର୍ତ୍ତୃପକ୍ଷ ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ମୁକ୍ତିଲାଭ କଲା ବହୁ ପ୍ରତୀକ୍ଷିତ ଫିଲ୍ମ ’ଏମରଜେନ୍ସି’

ବହୁ ପ୍ରତୀକ୍ଷା ପରେ ମୁକ୍ତିଲାଭ କରିଛି ଫିଲ୍ମ ଏମରଜେନ୍ସି। ଫିଲ୍ମି ଫ୍ରାଇଡେରେ ଏହି ଫିଲ୍ମଟି ସାରା ଦେଶରେ ମୁକ୍ତିଲାଭ କରିଛି। ସେପଟେ ଫିଲ୍ମର ରିଲିଜ ବିରୋଧରେ ଆରମ୍ଭ ହୋଇଛି ଆନ୍ଦୋଳନ। ପଞ୍ଜାବ ଅମୃତସରରେ ଏସଜିପିସି ପକ୍ଷରୁ କରାଯାଇଛି ପ୍ରତିବାଦ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଉପରେ ନିର୍ମାଣ ହୋଇଛି ଫିଲ୍ମ। ଏଥିରେ କଙ୍ଗନା ରାଣାୱତ୍ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ୧୯୭୫ରେ ଦେଶରେ ଲାଗୁ ହୋଇଥିବା ଜରୁରୀ ପରିସ୍ଥିତି ଉପରେ ନିର୍ମିତ ହୋଇଛି ଫିଲ୍ମ । କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଏହି ଫିଲ୍ମର ନିର୍ମାଣ କରିଛି। ଦେଶରେ ଏମରଜେନ୍ସି ଲାଗୁକୁ ଚଳିତବର୍ଷ ୫୦ ବର୍ଷ ପୁରୁଛି। କଙ୍ଗନାଙ୍କ ସହିତ ଫିଲ୍ମର ପ୍ରମୁଖ ଭୂମିକାରେ ଅନୁପମ୍ ଖେର ଅଛନ୍ତି। ସେପଟେ ଏହି ଫିଲ୍ମ ଭାରତୀୟ ରାଜନୀତିର ଅନେକ ଅକୁହା କଥାକୁ ସାମ୍ନାକୁ ଆଣିବ ବୋଲି ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଦୁଇ ଦୁଇ ଥର ଫିଲ୍ମର ରିଲିଜ୍ ଡେଟ୍ ସ୍ଥଗିତ ରହିଥିଲା।

ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା: ଆକ୍ରମଣ କରିବା ସହ ୧ କୋଟି ଟଙ୍କା ଦାବି କରିଥିଲା ଦୁର୍ବୃତ୍ତ

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା। ଏବେ ବି କେତେକ ଅସମାହିତ ପ୍ରଶ୍ନର ଉତ୍ତର ମିଳିବା ହୋଇନାହିଁ ସମ୍ଭବ। ତେଣେ ସୈଫଙ୍କ ଘରେ ଥିବା କର୍ମଚାରୀଙ୍କୁ ଜେରା କରିଛି ପୋଲିସ। ଦୁର୍ବୃତ୍ତଜଣକ ସୈଫଙ୍କ ଘରେ ପଶି ସାନପୁଅ ଜାହାଙ୍ଗୀର ଓରଫ ଜୟବାବାର ରୁମରେ ପ୍ରବେଶ କରିଥିଲା। ପରେ ତାକୁ ଠାବ କରିଥିଲେ ମହିଳା ଷ୍ଟାଫ । ସେତେବେଳେ ଦୁର୍ବୃତ୍ତ ଦୁଇ ହାତରେ ମାରଣାସ୍ତ୍ର ଧରିଥିଲା ଏବଂ ଆକ୍ରମଣ କରିବାରୁ ମହିଳାଜଣକ ଆହତ ହୋଇଥିଲେ। ଚିତ୍କାର ଶୁଣି ସୈଫ ଓ କରୀନା ଘର ଭିତରକୁ ଆସିବା ପରେ ଦୁର୍ବୃତ୍ତଜଣକ ଛୁରାମାଡ କରିଥିଲା। ମହିଳା ଷ୍ଟାଫଙ୍କ କହିବା ଅନୁସାରେ ରାତି ୨ଟା ବେଳେ ଜାହାଙ୍ଗୀର ରହୁଥିବା ରୁମର ବାଥରୁମ ଦ୍ବାର ଖୋଲାଥିଲା ଏବଂ ଲାଇଟ ଜଳୁଥିଲା।

ହଠାତ ଜଣେ ବ୍ୟକ୍ତି ବାଥରୁମରୁ ବାହାରି ଜାହାଙ୍ଗୀରର ବେଡ ଆଡକୁ ଯାଇଥିଲା। ପାଟି ନ କରିବା ଲାଗି ବି ସେ ଧମକ ଦେଇଥିଲା। ଏହି ସମୟରେ ଜାହାଙ୍ଗୀରର ନାନୀ ଜୁନୁ ଉଠି ପଡିବା ପରେ ତାଙ୍କୁ ବି ଦୁର୍ବୃତ୍ତ ଧମକ ଦେଇଥିଲା। ପ୍ରତିବାଦ କରିବାରୁ ଷ୍ଟାଫଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିବା ସହ ୧ କୋଟି ଟଙ୍କା ଦାବି କରିଥିଲା। ଏହି ସମୟରେ ସୈଫଙ୍କୁ ବି ସେ ଆକ୍ରମଣ କରିଥିଲା। ପରେ ସେ ଚାଲିଯାଇଥିଲା। ଆକ୍ରମଣରେ ଗୀତା ନାମ୍ନୀ ମହିଳା ଷ୍ଟାଫ ଆହତ ହୋଇଥିଲେ। ସୂଚନା ଅନୁସାରେ ଦୁର୍ବୃତ୍ତର ବୟସ ୩୫ରୁ ୪୦ ବର୍ଷ ହେବ ଓ ସେ କଳାରଙ୍ଗର ଥିଲା। ତାର ଉଚ୍ଚତା ଥିଲା ୫ ଫୁଟ ୫ ଇଞ୍ଚ।

ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଅନୁଭୂତ ହେବ ଘନକୁହୁଡି

ଭୁବନେଶ୍ବର: କାଲି ପର୍ଯ୍ୟନ୍ତ ରାଜ୍ୟରେ ଅନୁଭୂତ ହେବ ଘନକୁହୁଡି । ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ପ୍ରବାହିତ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏନେଇ ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ନୟାଗଡ, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ରହିବ ବୋଲି ଚେତାଇ ଦେଇଛି ପାଣିପାଗ କେନ୍ଦ୍ର ।

ତେଣୁ ଘାଟି ରାସ୍ତା, ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଯାତାୟାତ ବେଳେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କିନ୍ତୁ ଆଜି ଓ କାଲି ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ଏହାସହ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ କିଛି ଥଣ୍ଡା ପବନ ପ୍ରବାହିତ ହୋଇପାରେ । ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ସ୍ଥିତି ଉପୁଜିବା ସହ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିପାରେ ବୋଲି ଅନୁମାନ କରାଯାଉଛି ।

ପୁରୀ ସହରରେ ବେଆଇନ୍ ନିର୍ମାଣକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ: ପୁରୀ ସହରରେ ବେଆଇନ୍ ନିର୍ମାଣକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ବେଆଇନ୍ ଗୃହ ନିର୍ମାଣ ରୋକିବାକୁ ଗଠନ ହେଲା ସ୍ୱତନ୍ତ୍ର ସ୍କ୍ବାଡ । ୨୪ ଜଣ ସେନାନିବୃତ୍ତ କର୍ମଚାରୀଙ୍କୁ ନେଇ ସମୁଦାୟ ୮ଟି ଟିମ୍ ଗଠନ ହୋଇଥିବା ବେଳେ ଆଗକୁ ଶୁଣାଣି କରାଯାଇ ଉଚ୍ଛେଦ ଅଭିଯାନ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ସହରର ୮୦ ପ୍ରତିଶତ ଜମି ମହାପ୍ରଭୁଙ୍କ ଓ ପୌରପାଳିକା ନାମରେ ଥିବାରୁ ବେଆଇନ୍ ନିର୍ମାଣ ପ୍ରସଙ୍ଗରେ ବର୍ଗୀକରଣ କରିବାକୁ ଆଇନଜୀବୀ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେପଟେ ଏଭଳି ନିଷ୍ପତ୍ତିକୁ ପୁରୀ ହୋଟେଲ୍ ଆସୋସିଏସନ ତରଫରୁ ସ୍ୱାଗତ କରାଯାଇଥିବା ବେଳେ ବର୍ତ୍ତମାନ ସରକାରଙ୍କ ଅବହେଳାରୁ ବେଆଇନ୍ ନିର୍ମାଣକାର୍ଯ୍ୟ ବଢିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ପ୍ରଶାସନର ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଥିବାବେଳେ ଯେଉଁମାନେ ଏନଓସି ଆଣିନାହାନ୍ତି ସେମାନଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ହୋଟେଲ ଆସୋସିଏସ ସଭାପତି । ବେଳାଭୂମି ନିକଟରେ ଆଇନ ନମାନି ଚାଲିଛି ବେଆଇନ ନିର୍ମାଣ। ନା ଅଛି PKDA ଅନୁମତି ନା ଅଛି CRZ ଅନୁମତି । ପୂର୍ବ ସରକାର ସମୟରେ CRZ ଉଲ୍ଲଂଘନ କରିଥିବା ୨୪୦ ଛୋଟ ବଡ଼ କୋଟାକୁ ଚି଼ହ୍ନଟ କରାଯାଇଥିଲା l କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ଅଥୋରିଟି ଗଠନ କରାଯାଇ ଏସବୁକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବର୍ତ୍ତମାନ ନୂଆ ସରକାର ଆସିବା ପରେ ପୁନଃ ବେଆଇନ ନିର୍ମାଣ ଆରମ୍ଭ ହୋଇଯାଇଛି । ସେପଟେ ପୁରୀ ସହରର ୮୦ ପ୍ରତିଶତ ଜମିର କାଗଜପତ୍ର ବା NOC ନଥିବାବେଳେ ଅନେକ ଜମି ପୌରସଂସ୍ଥାର ଓ ମହାପ୍ରଭୁଙ୍କ ନାମରେ ରେକର୍ଡ ଅଛି । ତେଣୁ କେଉଁ ମାନଙ୍କର ବେଆଇନ୍ ନିର୍ମାଣ ପ୍ରଶାସନ ରୋକିବ ସେଥିପାଇଁ ବର୍ଗୀକରଣ କରାଯିବା ଆବଶ୍ୟକ ବୋଲି ଆଇନଜୀବୀ ଶରତ ରାୟଗୁରୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ନାଟକ ଦେଖିବାକୁ ଯାଇ ଯୁବକଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନସ୍ଥ ପେଙ୍ଗଢୁସି ଗାଁରେ ଯୁବକଙ୍କ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର । ଗତ ବୁଧବାର ଦିନ ଏହି ଗାଁକୁ ନାଟକ ଦେଖିବାକୁ ଯାଇଥିଲେ ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଭାଟିପାସ ଗାଁର ଲକ୍ଷ୍ମଣ ମାଝୀ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ଠାରୁ ଥୁଆମୂଳ ରାମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତରେ ସାମିଲ ହେଇଛନ୍ତି । ମୃତ ଶରୀରର ବିଭିନ୍ନ ସ୍ଥାନରେ ଦାଗ ସବୁ ରହିଛି । ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅନୁମାନ କରାଯାଉଛି । ଏନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୁଲିସ ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ସମେତ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି।

 

ଇସ୍ରାଏଲ ଆକ୍ରମଣରେ ଗାଜାର ୭୦ ଜଣଙ୍କ ମୃତ୍ୟୁ

ଗାଜା: ଅସ୍ତ୍ରବିରତି ଘୋଷଣା ସତ୍ତ୍ଵେ ଥମୁନି ଇସ୍ରାଏଲର ଆକ୍ରମଣ। ଗାଜା ଉପରେ ଘନ ଘନ ଆକ୍ରମଣ କରିବାରୁ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛିି। ଗାଜା ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି। ଇସ୍ରାଏଲ ଏହି ଜଘନ୍ୟ ଆକ୍ରମଣ ଓ ସାଧାରଣ ଲୋକଙ୍କ ମୃତ୍ୟୁ ପରେ ଶାନ୍ତି ପ୍ରକ୍ରିୟାକୁ ଧକ୍କା ଲାଗିଛି। ଶାନ୍ତି ପ୍ରତିଷ୍ଠା ଉପରେ ପ୍ରଶ୍ନଚିହ୍ନ ଲାଗିଛି। ଅନ୍ତର୍ଜାତୀୟ ସମୁଦାୟ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି ଗାଜା। ଦିନକ ଆଗରୁ ହିଁ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା ହୋଇଥିଲା। ସର୍ତ୍ତ ରହିଥିଲା ମୁଣ୍ଡ ଜାମିନ ରଖିଥିବା ଇସ୍ରାଏଲର ୩୩ ନାଗରିକଙ୍କୁ ଛାଡ଼ି ଦେବ ହମାସ । ପ୍ରତି ବଦଳରେ ହଜାରେ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ ଇସ୍ରାଏଲ। କିନ୍ତୁ ଏହା ପରେ ବି ଇସ୍ରାଏଲ ଆକ୍ରମଣ କରିଛି, ଯେଉଁଥିରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହା ପରେ ହମାସ ହୁଏତ ପ୍ରତି ଆକ୍ରମଣ କରିପାରେ। ଏହାର ଅର୍ଥ ଯୁଦ୍ଧ ଆହୁରି ବଢିବାର ଆଶଙ୍କା ଅଛି। ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରଠାରୁ ଏହି ଯୁଦ୍ଧ ଚାଲିଛି। ଏହି ଦେଢ଼ ବର୍ଷର ଯୁଦ୍ଧରେ ୫୦ ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ଧ୍ଵଂସସ୍ତୁପରେ ପରିଣତ ହୋଇଛି ଗାଜା ଓ ଲେବାନନ। ଇସ୍ରାଏଲ ମଧ୍ୟ ଅନେକ କ୍ଷତି ସହିଛି।

ଆଜି ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠ ଆଶ୍ରମ: ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ

ଭୁବନେଶ୍ବର: ଆଜି ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠ ଆଶ୍ରମ । ଗତକାଲି ଆଶ୍ରମ ଭାଙ୍ଗିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରିଥିଲା ବିଡିଏ। ଆଜି ୧୨ ଟା ସୁଦ୍ଧା ଆଶ୍ରମ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କଳ୍କୀ ଅବତାରଙ୍କ ପୀଠ କହି ବିବାଦକୁ ଆସିଥିଲା ବୈକୁଣ୍ଠ ଆଶ୍ରମ । ବିବାଦ ପରେ ସରକାରୀ ଜମିରେ ଥିବା ଆଶ୍ରମ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲା ସାଧାରଣ ପ୍ରଶାସନ ବିଭାଗ । ନଭେମ୍ବର ୨୦ ରେ ଭାଙ୍ଗିବା ପାଇଁ ହୋଇଥିଲା ନିଷ୍ପତ୍ତି । ତେବେ ଆଶ୍ରମ କର୍ତ୍ତୃପକ୍ଷ କୋର୍ଟରୁ ରହିତାଦେଶ ଆଣିବାରୁ ସ୍ଥଗିତ ରହିଥିଲା ଆଶ୍ରମ ଉଚ୍ଛେଦ କାମ । ଜାଲ କାଗଜପତ୍ର ଦାଖଲ କରି ରହିତାଦେଶ ଆଣିଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଏହା ଜଣାପଡିବା ପରେ ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ । ଏହାପରେ ଆଜି ଆଶ୍ରମ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ଦିଲ୍ଲୀ ଭୋଟ: ଆଜି ନାମାଙ୍କନର ଶେଷ ଦିନ

ନୂଆଦିଲ୍ଲୀ: ଆଜି ହେଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ଅର୍ଥାତ ଯେଉଁମାନେ ଏ ପର୍ଯ୍ୟନ୍ତ ନାମାଙ୍କନ ଭରି ନାହାନ୍ତି, ସେମାନଙ୍କ ପାଇଁ ସମୟ କେବଳ ଆଜି ହିଁ ଅଛି। ଅବଶ୍ୟ ବିଜେପି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର ପ୍ରମୁଖ ପ୍ରାର୍ଥୀମାନେ ନାମାଙ୍କନ ଭରିଲେଣି। ଗତକାଲି ଆପ୍ ର ମନୀଷ ସିସୋଦିଆ, କଂଗ୍ରେସର ସନ୍ଦୀପ ଦୀକ୍ଷିତ ପ୍ରମୁଖ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ହେବ। ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହେଉଛି ୨୦ ତାରିଖ। ତା ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ନିର୍ବାଚନ ଫେବୃଆରୀ ୫ରେ ହେବ । ଫେବୃଆରୀ ୮ ତାରିଖରେ ହେବ ଭୋଟ୍ ଗଣତି। ସେପଟେ ଜୋରସୋରରେ ଚାଲିଛି କ୍ୟାମ୍ପେନ। ବିଜେପି, କଂଗ୍ରେସ ଓ ଆପ୍ ପ୍ରାଣମୂର୍ଚ୍ଛା ପ୍ରଚାର ଚଳାଇଛନ୍ତି।