ପୁରୀ: ପୁରୀ ଉପକୂଳରେ ବିରଳ ପ୍ରଜାତିର କଇଁଛ ମଡକ । ପୁରୀ ବେଳାଭୂମିରେ ଅନେକ ସ୍ଥାନରେ କଇଁଛ ମରି ପଡିଥିବାର ଦେଖିବାକୁ ମିଳିଛି । ପ୍ରାୟ ସବୁ କଇଁଛଙ୍କ ଠାରେ କ୍ଷତ ଚିହ୍ନ ରହିଛି । କଇଁଛ ମାନଙ୍କ ଶବ ବ୍ୟବଚ୍ଛେଦ ନକରି ମୃତ ଶରୀରକୁ ଲୁଚାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ସୂଦୁର ପ୍ରଶାନ୍ତ ମହାସାଗରରୁ ମିଳନ ଓ ଅଣ୍ଡାଦାନ ପାଇଁ ଭାରତ ମହାସାଗରକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ଅଲିଭ ରିଡଲେ କଇଁଛମାନେ ଆସିଥାନ୍ତି । ତେବେ ଏକାସାଥିରେ ଏତେ ଗୁଡାଏ କଇଁଛଙ୍କ ମୃତ୍ୟୁ ହେଲା କିପରି ତାହାର କାରଣ ସ୍ପଷ୍ଟ ହୋଇନାହିଁ । ଅତ୍ୟଧିକ ଯାତ୍ରା, ଟ୍ରଲର ମାଡ଼ କିମ୍ବା ଜଳବାୟୁର ପରିବର୍ତ୍ତନ ଯୋଗୁଁ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏଭଳି ଚରମ ଅବହେଳାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପର୍ଯ୍ୟଟକ ଓ ପରିବେଶବିତ୍ ।ସେପଟେ ଏନେଇ ଡ଼ିଏଫଓ ଫୋନ ଯୋଗେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ରଜତ ପାଟୀଦାର ବେଙ୍ଗାଲୁରୁର ନୂଆ ଅଧିନାୟକ ଘୋଷଣା
ଆଇପିଏଲ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର କ୍ୟାପ୍ଟେନ କିଏ ହେବେ, ସେହି ଚର୍ଚ୍ଚା ଉପରୁ ପରଦା ହଟିଯାଇଛି । ବିରାଟ କୋହଲି ନା ଆଉ କିଏ ଅଧିନାୟକ ପଦ ସମ୍ଭାଳିବେ, ତା’ର ଜବାବ ଏବେ ଫ୍ୟାନ୍ସଙ୍କୁ ମିଳିସାରିଛି । ଆପିଏଲର ଆଗାମୀ ସିଜିନ ପାଇଁ ଆରସିବି ନୂଆ ଅଧିନାୟକଙ୍କ ନାମ ଘୋଷଣା କରିଛି । ଆଇପିଏଲ ୨୦୨୫ରେ ରଜତ ପାଟୀଦାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ନୂଆ ଅଧିନାୟକ ହେବେ । ରଜତ ଆରସିବିର ୮ମ ଅଧିନାୟକ ହେବେ । ଏହା ପୂବର୍ରୁ କେଭିନ ପିଟରସନ, ଅନିଲ କୁମ୍ବଲେ, ବିରାଟ କୋହଲି, ଶେନ ଓ୍ବାଟସନ, ଫାଫ ଡୁ ପ୍ଲେସିଙ୍କ ପରି ବଡ଼ ନାମ ଏହି ଟିମର ଦାୟିତ୍ବ ସମ୍ଭାଳିଥିଲେ ।
ରାହୁଲ ଦ୍ରାବିଡ଼, ଅନିଲ କୁମ୍ବଲେ, ବିରାଟ କୋହଲିଙ୍କ ପରେ ଆରସିବିର ପଦ ସମ୍ଭାଳିବାରେ ରଜତ ଚତୁର୍ଥ ଭାରତୀୟ ହେବେ । ରଜତଙ୍କୁ ଆରସିବିର ଅଧିନାୟକ ଘୋଷଣା କରାଯିବା ପରେ ବିରାଟ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ରଜତ ଟି-୨୦ରେ ନିଜର ଘରୋଇ ଟିମ୍ ମଧ୍ୟପ୍ରଦେଶ ତରଫରୁ ୧୬ଟି ମ୍ୟାଚରେ ଅଧିନାୟକ ଦାୟିତ୍ବ ସମ୍ଭାଳିଥିବା ବେଳେ ସେଥୁରୁ ଦଳ ୧୨ଟିରେ ଜିତିଛି । ଅର୍ଥାତଙ୍କ ତାଙ୍କର ବିଜୟ ପ୍ରତିଶତ ୭୫ ପ୍ରତିଶତ ରହିଛି । ରଜତଙ୍କ ନେତୃତ୍ବରେ ମଧ୍ୟପ୍ରଦେଶ ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୪-୨୫ର ଫାଇନାଲରେ ପହଞ୍ଚିଥିଲା । ମଧ୍ୟପ୍ରଦେଶର ଏହି ସଫଳତାରେ ରଜତଙ୍କ ଅଧିନାୟକତ୍ବ ଓ ବ୍ୟାଟିଂର ବଡ଼ ଭୂମିକା ରହିଥିଲା । ଆଇପିଏଲରେ ଆରସିବି ବର୍ତ୍ତମାନ ସୁଦ୍ଧା ଗୋଟିଏ ଥର ବି ଟ୍ରଫି ଜିତିପାରିନାହିଁ । ଆରସିବି ୧୭ଟି ସିଜିନରୁ ୯ ଥର ପ୍ଲେଅଫରେ ଓ ୩ ଥର ଫାଇନାଲରେ ପହଞ୍ଚିଥିଲା । ମାତ୍ର ଚାମ୍ପିୟନ ହୋଇପାରିନଥିଲା । ୨୦୦୯, ୨୦୧୧ ଓ ୨୦୧୬ରେ ବେଙ୍ଗାଲୁର ଫାଇନାଲ ଖେଳିଥିଲା ।
ବାଲେଶ୍ଵର ରେମୁଣା ତହସିଲଦାର ଗିରଫ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ଟିମ୍
ରେମୁଣା: ଗିରଫ ହେଲେ ବାଲେଶ୍ଵର ଜିଲ୍ଲା ରେମୁଣାର ତହସିଲଦାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ଆଜି ଭୋରରୁ ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଗତ ୧୧ ତାରିଖରେ ବିଦ୍ୟାଧର ପତିଙ୍କ ଘର ସମେତ ଅଫିସରେ, ଭୁବନେଶ୍ଵର, ବାଲେଶ୍ଵରରେ ଭଡ଼ା ଘର ଓ ସମ୍ପର୍କୀୟଙ୍କ ଘରେ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଚଢ଼ାଉରେ ୩ଟି ଦାମୀ ଫ୍ଲାଟ୍ ଠାବ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ଵରରେ ୨ଟି ଫ୍ଲାଟ୍ ରହିଥିବା ବେଳେ ଗୋଟିଏ ଫ୍ଲାଟ୍ ବାଲେଶ୍ଵରରେ ରହିଛି । ଭୁବନେଶ୍ଵରରେ ଥିବା ୨ଟି ଫ୍ଲାଟର ମୂଲ୍ୟ ୨କୋଟି ୫୦ ଲକ୍ଷ ଟଙ୍କା ହେବ । ଏହା ସହିତ ୨ଟି ପ୍ଲଟ୍ ଠାବ ହୋଇଥିବା ବେଳେ ୯୩୭ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି । ଜବତ ସୁନାର ମୂଲ୍ୟ ପ୍ରାୟ ୧କୋଟି ୧୨ଲକ୍ଷ ଟଙ୍କା ହେବ । ଚଢ଼ାଉରେ ୬ଜଣ ଡିଏସପି, ୩ଜଣ ଇନ୍ସପେକ୍ଟର ଓ ୧୦ଜଣ ଏଏସଆଇ ସାମିଲ ଅଛନ୍ତି । ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।







