spot_img
Home Blog Page 1167

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଲକାଜୀ ଆସନରୁ ପ୍ରାର୍ଥିପତ୍ର ଭରିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। ସେପଟେ ନିର୍ବାଚନ ପରିପ୍ରେକ୍ଷୀରେ ବଢୁଛି ଆରୋପ, ପ୍ରତ୍ୟାରୋପର ରାଜନୀତି । ବିଭିନ୍ନ ପ୍ରମୁଖ ଦଳ ପରସ୍ପର ଉପରେ କରୁଛନ୍ତି ଆକ୍ରମଣ। ଗତକାଲି ଇଣ୍ଡି ମେଣ୍ଟ ରାଲିରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଶାଣିତ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପ୍ରଦୂଷଣ ଓ ମୁଦ୍ରାସ୍ଫୀତି ଲାଗି କେଜରିୱାଲ ଦାୟୀ ବୋଲି କହିଥିଲେ ରାହୁଲ। ସେ କହିଥିଲେ- ଦିଲ୍ଲୀକୁ ଏକ ସ୍ବଚ୍ଛ ସହରରେ ପରିଣତ କରିବା, ଦୁର୍ନୀତିମୁକ୍ତ ଶାସନ ଓ ଜାତୀୟ ରାଜଧାନୀକୁ ପ୍ୟାରିସରେ ପରିଣତ କରାଯିବ ବୋଲି କେଜରିୱାଲ କହିଥିଲେ। ହେଲେ ସବୁକିଛି ପ୍ରତିଶ୍ରୁତିରେ ରହିଯାଇଥିଲା। ସେପଟେ ରାହୁଲଙ୍କୁ କଡା ଜବାବ ଦେଇଥିଲେ କେଜରିୱାଲ।

କେଜରିୱାଲ କହିଥିଲେ- ରାହୁଲ କଂଗ୍ରେସକୁ ବଞ୍ଚାଇବା ଲାଗି ଲଢେଇ କରୁଛନ୍ତି। କିନ୍ତୁ ସେ ଦେଶକୁ ରକ୍ଷା କରିବା ଲାଗି ଲଢେଇ କରୁଛନ୍ତି। ତେଣେ ପ୍ରଦୂଷଣ, ମୌଳିକ ସୁବିଧା ଓ ଆଇନ ଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ ଦିଲ୍ଲୀ କଂଗ୍ରେସ ପକ୍ଷରୁ ପ୍ରକାଶିତ କରାଯାଇଛି ୧୨ ଦଫା ସମ୍ବଳିତ ଶ୍ବେତପତ୍ର। ତେଣେ ନିଜ ନିର୍ବାଚନ ଇସ୍ତାହାରରେ ଆପ୍ ୭ରୁ ୮ଟି ଲୋକପ୍ରିୟ ପ୍ରତିଶ୍ରୁତି ଘୋଷଣା କରିପାରେ ବୋଲି ସୂଚନା ମିଳିଛି। ମାଗଣା ବିଦ୍ୟୁତ, ପାଣି, ଶିକ୍ଷା, ତୀର୍ଥ ଯାତ୍ରା, ମହିଳାଙ୍କ ଲାଗି ବସଯାତ୍ରା ସୁବିଧା ଦଳ ଘୋଷଣା କରିବ ବୋଲି ସୂଚନା ମିଳିଛି। ହାଟ୍ରିକ ଲକ୍ଷ୍ୟ ରଖିଥିବା ଆପ୍ ମହିଳା ସମ୍ମାନ ଯୋଜନା, ସଞ୍ଜୀବନୀ ଯୋଜନା, ଗ୍ରନ୍ଥୀ ସମ୍ମାନ ଯୋଜନା ଆଦି ଘୋଷଣା କରିସାରିଛି। ତେଣେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ବାରା ଏକ ମାମଲା ରୁଜୁ ହୋଇଛି। ଗତ ଜାନୁଆରୀ ୭ରେ ନିର୍ବାଚନ ଘୋଷଣା ପରେ ଦିଲ୍ଲୀ ସରକାରଙ୍କ ପୂର୍ତ୍ତ ବିଭାଗର ଏକ ଗାଡିରେ ନିର୍ବାଚନ ପ୍ରଚାର ସାମଗ୍ରୀକୁ ଆପର ନିର୍ବାଚନ କାର୍ଯ୍ୟାଳୟରେ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। …

ଜମି ପୋଜେସନ ଦେଉଥିଲେ ହଂସିତା! ସାମ୍ନାକୁ ଆସିଲା ହଂସିତା ଓ ଅନୀଲଙ୍କ ଅଫିସରେ କାର୍ଯ୍ୟ କରୁଥିବା ପୂର୍ବତନ କର୍ମଚାରୀଙ୍କ ବୟାନ

ଭୁବନେଶ୍ବର: ସାମ୍ନାକୁ ଆସିଲା ହଂସିତା ଓ ଅନୀଲଙ୍କ ଅଫିସରେ କାର୍ଯ୍ୟ କରୁଥିବା ପୂର୍ବତନ କର୍ମଚାରୀଙ୍କ ବୟାନ। ଅନୀଲ ମହାନ୍ତି ଓ ହଂସିତା କିଭଳି ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀର ସିଏସଆର ପାଣ୍ଠି ହାତଉଥିଲେ, ତାର exclusive ତଥ୍ୟ ନନ୍ଦିଘୋଷ ଟିଭି ହାତରେ ଲାଗିଛି। କିଭଳି କୋଟି କୋଟି ଟଙ୍କାର ସିଏସଆର ଫଣ୍ଡ ହାତେଇ ସେମାନେ ଆଡ଼ମ୍ଵରପୂର୍ଣ୍ଣ ଜୀବନ ବିତାଉଥିଲେ। ଏପରିକି ବଡବଡିଆଙ୍କ ଫଟୋ ସହ ନିଜ ଫଟୋ ଏଡିଟ କରିବାକ ସେହି କର୍ମଚାରୀଙ୍କୁ କହୁଥିଲେ ହଂସିତା ଓ ଅନୀଲ। ସେହି ପୂର୍ବତନ କର୍ମଚାରୀ ଜଣକ ପୋଲିସକୁ ଏହି ବୟାନ ଦେଇଛନ୍ତି। ନନ୍ଦିଘୋଷ ଟିଭି ହାତରେ ଲାଗିଛି ସେହି ବୟାନର exclusive କପି।

ସେପଟେ ଖୋଲିବାରେ ଲାଗିଛି ହଂସିତାଙ୍କ କଲାସାମ୍ରାଜ୍ୟର ଗୁମର। ରାଜଧାନୀରେ କାୟା ମେଲାଇଥିଲା ହଂସିତାଙ୍କ ଦବଦବା। ଏପରିକି ଜମି ପଜେସନ ଦେଉଥିଲେ ହଂସିତା । ବିଲ୍ଡରଙ୍କ ସହ ମିଶି ରାଜଧାନୀରେ ମୂଲ୍ୟବାନ ଜମି ହାତଉଥିଲେ । ବିଲ୍ଡରଙ୍କ ସହ ଏ ନେଇ ୩୦ ଲକ୍ଷ ଟଙ୍କାର ଡିଲ ମଧ୍ୟ ହୋଇଥିଲା । ୨୦୧୬ ମସିହା ଏପ୍ରିଲ ମାସରେ ବଡଗଡ଼ ଥାନା ବ୍ରହ୍ମେଶ୍ୱର ପାଟଣା ଭୋଇ ସାହିରେ ବିଲ୍ଡର ନେଇଥିଲେ ଏହି ପଜେସନ । ୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଜେସିବି ସହ ସେଠାରେ ପହଞ୍ଚିଥିଲେ ହଂସିତା । କିନ୍ତୁ ଉଚ୍ଛେଦ ହୋଇଥିବା ପରିବାରର ଦାବି ମୁତାବକ ବା ଉଚ୍ଛେଦ ପରିବାରକୁ ପରେ ଥଇଥାନ କରାନଯିବାରୁ ଲୋୟର ପିଏମଜିରେ ଧାରଣା ଦେଇଥିଲେ କ୍ଷତିଗସ୍ତ ପରିବାର । ଏଭଳି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହଂସିତାଙ୍କ ଅସଲ ରୂପ ପଦାରେ ପଡିଛି ।

ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ସହ ରହି ପାରିବେନି ପତ୍ନୀ: ଅଷ୍ଟ୍ରେଲିଆ ବିପକ୍ଷରେ ଶୋଚନୀୟ ପରାଜୟ ପରେ BCCIର କଠୋର ନିଷ୍ପତ୍ତି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ହାରିବା ଟିମ୍ ଇଣ୍ଡିଆର ଖେଳାଳିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହା ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନେବାକୁ ଯାଉଛି ଏକାଧିକ ବଡ଼ ନିଷ୍ପତ୍ତି । ନୂଆ ନିୟମ ଅନୁସାରେ, ପୂରା ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନେ ପତ୍ନୀଙ୍କ ସହ ରହି ପାରିବେ ନାହିଁ । ସେହିପରି ଖେଳାଳିମାନେ ପରିବାର ସହ କେବଳ ୨ ସପ୍ତାହ ରହିପାରିବେ । ଯଦି କୌଣସି ଟୁର୍ଣ୍ଣାମେଣ୍ଟ ୪୫ ବା ତା’ଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଚାଲେ, ତେବେ ଖେଳାଳିଙ୍କୁ କେବଳ ୧୪ ଦିନ ପାଇଁ ପରିବାର ସହ ରହିବାକୁ ଅନୁମତି ଦିଆଯିବ । ଯଦି ଟୁର୍ଣ୍ଣାମେଣ୍ଟ ଏହାଠାରୁ କମ୍ ଦିନ ପାଇଁ ଚାଲେ, ତେବେ ପରିବାର ସହ ରହିବାର ସମୟ ୭ ଦିନକୁ କମିପାରେ । ସମସ୍ତ ଖେଳାଳିଙ୍କୁ ଟିମର ବସରେ ଯାତ୍ରା କରିବାକୁ ପଡ଼ିବ ।

ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ବ୍ୟକ୍ତିଗତ ମ୍ୟାନେଜରଙ୍କୁ ମଧ୍ୟ VIP ବକ୍ସ ବା ଟିମ ବସରେ ବସିବାର ଅନୁମତି ମିଳିବନି । ତାଙ୍କୁ ଅନ୍ୟ କୌଣସି ହୋଟେଲରେ ରହିବାକୁ ପଡ଼ିବ । ଖେଳାଳିଙ୍କ ସାମଗ୍ରୀ ୧୫୦ କେଜିରୁ ଅଧିକ ହେଲେ ଅତିରିକ୍ତ ସାମଗ୍ରୀର ଶୁଳ୍କ ବିସିସିଆଇ ବହନ କରିବ ନାହିଁ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖରାପ ପ୍ରଦର୍ଶନ ପରେ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷରେ ଟି-୨୦ ଓ ତା’ପରେ ଦିନିକିଆ ସିରିଜ୍ ଖେଳିବ । ତା’ପରେ ଫେବୃଆରୀରେ ଟିମ୍ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫିରେ ଅଂଶଗ୍ରହଣ କରିବ । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ  ଭାରତୀୟ ଦଳକୁ ୧-୩ରେ ଲଜ୍ଜାଜନକ ଭାବେ ପରାଜୟ ବରଣ କରିବାକୁ ପଡ଼ିଥିଲା ।

ମକର ସଂକ୍ରାନ୍ତିରେ ଉପାସରେ ଲିଙ୍ଗରାଜ: ବିବାଦ ପାଇଁ ବନ୍ଦ ରହିଛି ନୀତି

ଭୁବେନଶ୍ବର: ମକର ସଂକ୍ରାନ୍ତିରେ ଉପାସରେ ଲିଙ୍ଗରାଜ। ମକର ମଣ୍ଡପରେ ବସିଛନ୍ତି ପ୍ରଭୁ ଲିଙ୍ଗରାଜ, କିନ୍ତୁ ହେଉନାହିଁ କୌଣସି ନୀତି କାନ୍ତି । ଗତକାଲି ସନ୍ଧ୍ୟା ୮ରୁ ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ନୀତି ବନ୍ଦ ରହିଛି। ବଡ଼ୁ ସେବାୟତ ବାରମ୍ବାର ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ମକର ମଣ୍ଡପରେ କାଲି ସନ୍ଧ୍ୟାରୁ ଠାକୁର ବସି ରହିଛନ୍ତି । ସେବା ବିବାଦରୁ ଗତକାଲି ସନ୍ଧ୍ୟାରୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି କାନ୍ତି । ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିଥିଲେ ମଧ୍ୟ ସକାଳୁ ମଙ୍ଗଳ ଆଳତି ହେଇନାହିଁ। ଏହାର ସମାଧାନ ପାଇଁ ମନ୍ଦିର ପ୍ରଶାସନ ଅଫିସରେ ବୈଠକ ଜାରି ରହିଛି ।

ଅଚଳ ହେଲା ଡବଲ ଇଞ୍ଜିନ୍‌ର ‘ଡବଲ୍ ଡେକର’ ବସ୍: ଗ୍ୟାରେଜରେ ହାୱା ଖାଉଛି ଗେରୁଆ ଡବଲ ଡେକର ବସ୍

ଭୁବନେଶ୍ବର: ଅଚଳ ହୋଇ ଯାଇଛି ଡବଲ ଇଞ୍ଜିନ୍‌ର ‘ଡବଲ୍ ଡେକର’ ବସ୍ । ଗଲା ୫ ଦିନ ହେଲା ରାଜ୍ୟ ସରକାରଙ୍କ ଗେରୁଆ ଡବଲ ଡେକର ବସ୍ ଗ୍ୟାରେଜରେ ହାୱା ଖାଉଛି । ସର୍ଟ ସର୍କିଟ୍ କାରଣରୁ ବସର କିଛି ଗୁରୁତ୍ଵପୂର୍ଣ୍ଣ ଯନ୍ତ୍ରାଂଶ ପୋଡ଼ିଯାଇଥିବା ଜଣାପଡ଼ିଛି । ଫଳରେ ବସଟି ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି । ବସ୍ ଅଚଳ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ କାହାରି କୌଣସି କ୍ଷତି ହୋଇନାହିଁ । ଫଳରେ ରାଜ୍ୟ ସରକାରଙ୍କ ଡବଲ ଡେକର ବସ୍ ଚଳାଚଳ ବହୁ ଆଡମ୍ବର, ଲଘୁକ୍ରିୟାରେ ପରିଣତ ହୋଇଛି । ଖବର ଅନୁଯାୟୀ, ଅଚଳ ବସକୁ ମରାମତି ପାଇଁ ପାହାଳ ସ୍ଥିତ ଅଶୋକ ଲେଲାଣ୍ଡ ୱାର୍କସପକୁ ନିଆଯାଇଛି । ସର୍ଟ ସର୍କିଟ୍ କାରଣରୁ ବିଭିନ୍ନ ସମୟରେ ଯାନବାହନ ରାସ୍ତା ଉପରେ ଜଳି ଯାଉଥିବାର ଅନେକ ଦୃଷ୍ଟାନ୍ତ ଥିବାରୁ ଏହି ବସ୍ ଯାତ୍ରୀମାନେ ନିଶ୍ଚିତ ବିପଦରୁ ବର୍ଷି ଯାଇଛନ୍ତି। ବସ୍ ମରାମତି ପାଇଁ କେତେ ଦିନ ସମୟ ଲାଗିବ ଓ ଏହା କେତେ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ତାହା ଜଣାପଡ଼ିନଥିବା ବେଳେ ମରାମତି ପରେ ଏହା ତୁରନ୍ତ ରାସ୍ତାରେ ଗଡ଼ିପାରିବ କି ନାହିଁ ତାକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି ।

୧୬୦୦ ଟଙ୍କା ଶସ୍ତା ହୋଇଗଲା ରିଚାର୍ଜ ପ୍ଲାନ: ଏହି ପ୍ଲାନର ଭାଲିଡିଟି ରହିଛି ୪୨୫ ଦିନ

ମକର ସଂକ୍ରାନ୍ତି ଅବସରରେ ବିଏସଏନଏଲ ତା’ର ପ୍ରିୟ ଗ୍ରାହକଙ୍କ ପାଇଁ ଏକ ନୂଆ ରିଚାର୍ଜ ପ୍ଲାନ ଲଞ୍ଚ କରିଛି । ଜିଓ ଏବଂ ଏୟାରଟେଲର ୩୯୯୯ ଟଙ୍କିଆ ପ୍ଲାନ ଠାରୁ ଏହି ପ୍ଲାନ ୧୬୦୦ ଟଙ୍କା ଶସ୍ତା ରହିଛି । ଏହି ପ୍ଲାନର ବୈଧତା ୪୨୫ ଦିନ ରହିଥିବା ବେଳେ ଅନ୍ୟ କମ୍ପାନୀର ପ୍ଲାନ କେବଳ ୩୬୫ ଦିନ ପର୍ଯ୍ୟନ୍ତ ରହିଛି । ଏହାର ଅର୍ଥ ହେଉଛି ବିଏସଏନଏଲର ଏହି ପ୍ଲାନ ୧ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ । ଏହି ପ୍ଲାନ ମାଧ୍ୟମରେ ଗ୍ରାହକମାନେ ଅନେକ ଫାଇଦା ଉଠାଇ ପାରିବେ ।

ଆପଣମାନେ ଯଦି ଗୋଟିଏ ଥର ରିଚାର୍ଜ କରି ବର୍ଷ ଯାକର ଟେନସନ ଦୂର କରିବାକୁ ଚାହାନ୍ତି ତେବେ, ଏହି ପ୍ଲାନ ଆପଣଙ୍କ ପାଇଁ ସର୍ବୋତ୍ତମ ହେବ । ମକର ସଂକ୍ରାନ୍ତି ଅବସରରେ ସରକାରୀ ଟେଲିକମ କମ୍ପାନୀ ୨୩୯୯ ଟଙ୍କିଆ ନୂଆ ରିଚାର୍ଜ ପ୍ଲାନ ଆଣିଛି । ଜିଓ ଏବଂ ଏୟାରଟେଲର ୧ ବର୍ଷିଆ ପ୍ଲାନ ଠାରୁ ଏହା ୧୬୦୦ ଟଙ୍କା ଶସ୍ତା ରହିଛି । ଏଥିସହିତ ଅଧିକ ଦିନ ଭାଲିଡିଟି ମଧ୍ୟ ରହିଛି । ତେଣୁ ଅନ୍ୟ କମ୍ପାନୀଙ୍କ ପ୍ଲାନଠାରୁ ବିଏସଏନଏଲର ଏହି ପ୍ଲାନ ବହୁଗୁଣରେ ଅଧିକ ଫାଇଦା ଦେବ । ଏଥିରେ ଆପଣଙ୍କୁ ଦୈନିକ ୨ ଜିବି ଡାଟା ମିଳିବ । ମୋଟ ୮୫୦ ଜିବି ଡାଟା ପାଇବେ ଗ୍ରାହକ । ଏଥସହିତ ଗ୍ରାହକଙ୍କୁ ଅସୀମିତ ଭଏସ କଲ ଓ ୧୦୦ ଏସଏମଏସ/ ଦିନର ଫାଇଦା ମଧ୍ୟ ମିଳିବ ।

ମଣ୍ଡିରୁ ଧାନ ନଉଠିବାରୁ ବଢିଲା ଅସନ୍ତୋଷ: ଟାଙ୍ଗୀ କପିଳାସ ମୁଖ୍ୟ ରାସ୍ତା ଅବରୋଧ

ଟାଙ୍ଗୀ-ଚୌଦ୍ବାର:  ରାସ୍ତା ଅବରୋଧ କଲେ ଚାଷୀ। ଗରୁଡ଼ଗାଁ ପଞ୍ଚାୟତ ବିଶିନାହାକାଣି ଛକରେ ଚାଷୀ ରାସ୍ତା ଅବରୋଧ କରିଛନ୍ତି। ଟାଙ୍ଗୀ କପିଳାସ ମୁଖ୍ୟ ରାସ୍ତାକୁ ଅବରୋଧ ହୋଇଛି। ହଳଦୀ ବସନ୍ତ ସମବାୟ ସମିତି ତରଫରୁ ଧାନ ମଣ୍ଡିରୁ ଠିକ୍ ଧାନ ନଉଠିବାରୁ ପଡ଼ି ରହିଛି କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ । ଶତାଧିକ ଅସନ୍ତୋଷ ଚାଷୀ ଏନେଇ ରାସ୍ତା ଅବରୋଧ କରିଛନ୍ତି। କପିଳାସ ମୁଖ୍ୟରାସ୍ତାରେ ଟାୟାର ଜାଳି ଧାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି।

 

 

ବ୍ୟାପୁଛି ଝାଡ଼ାବାନ୍ତି: ୧୦ ଦିନ ମଧ୍ୟରେ କଣାସରେ ଦୁଇଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆକ୍ରାନ୍ତ

କଣାସ: ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି । ୧୦ଦିନ ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ୨ଜଣ ମୃତକ ହେଲେ ଗଡ଼ିସାଗଦା ପଞ୍ଚାୟତ ନୂଆ ଗାଁର ସାରଥୀ ପ୍ରଧାନ ଓ ସଚଳା ସାହୁ । ୮ଦିନ ତଳେ ସାରଥୀଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ବେଳେ ଗତକାଲି ସଚଳାଙ୍କ ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କଣାସ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ଝାଡ଼ାବାନ୍ତି ରୋଗୀ ପହଞ୍ଚୁଛନ୍ତି । ଲୋକମାନଙ୍କ ମନରେ ଛନକା ପଶିଥିବା ବେଳେ ନୂଆଗାଁ ଓ ଜାଗୁଳାଇପଡ଼ାରେ ଡାକ୍ତରୀ ଟିମ୍ ଲୋକମାନଙ୍କୁ ସଚେତନ କରୁଛନ୍ତି । ଓଆରଏସ ଓ ହାଲୋଜିନ୍ ଟାବଲେଟ୍ ଘରେଘରେ ବଣ୍ଟାଯାଉଛି । ପାନୀୟ ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି ଡାକ୍ତରୀ ଟିମ୍।

ଏସୀୟ କାନୋସ୍ପ୍ରିଣ୍ଟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ଓଡ଼ିଶାର ଧନମଞ୍ଜରୀ ଦେବୀ: ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ହଂକଂରେ ଏସୀୟ କାନୋସ୍ପ୍ରିଣ୍ଟ ପ୍ରତିଯୋଗିତାରେ ଓଡ଼ିଶାର ଖଇରାପମ୍ ଧନମଞ୍ଜରୀ ଦେବୀ ପାଇଲେ ସ୍ଵର୍ଣ୍ଣ ପଦକ। ମହିଳା କେ-୧୧୦୦୦ ମିଟର ଇଭେଣ୍ଟରେ ସେ ଏହି ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାଗ ନେଇ ଓଡିଶା ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ରାଜ୍ୟ ଓ ଦେଶ ପାଇଁ ସ୍ଵର୍ଣ ଜିତି ଗୌରବ ଆଣିଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ ଲୋକେ। ଜଗତପୁର ଜଳକ୍ରୀଡ଼ା କେନ୍ଦ୍ରର ପ୍ରଶିକ୍ଷାର୍ଥୀ ହେଉଛନ୍ତି ଧନମଞ୍ଜରୀ ଦେବୀ। ଏହି ସଫଳତା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନମଞ୍ଜରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟର କ୍ରୀଡ଼ା ପ୍ରତିଭାଙ୍କୁ ନବୀନ ସର୍ବଦା ପ୍ରୋତ୍ସାହିତ କରି ଆସିଛନ୍ତି । ନବୀନଙ୍କ ପ୍ରୟାସ ପାଇଁ ରାଜ୍ୟର ଅନେକ କ୍ରୀଡ଼ା ପ୍ରତିଭା ଜାତୀୟ, ଅର୍ନ୍ତଜାତୀୟ ସ୍ତରରେ ରାଜ୍ୟ ପାଇଁ ଅନେକ ସୁନାମ ଆଣିଛନ୍ତି । ସେହିପରି ଓଡ଼ିଶା କାୟାକିଂ ଓ କାନୋଇଂ ସଂଘ  ମଧ୍ୟ ଧନମଞ୍ଜରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଗହୀରମଥା ସମୁଦ୍ର ଗୁଳିକାଣ୍ଡ ଘଟଣାରେ ୮ ମତ୍ସ୍ୟଜୀବୀ ଗିରଫ

ରାଜନଗର: କେନ୍ଦ୍ରାପଡ଼ା ରାଜନଗର ଗହୀରମଥା ସମୁଦ୍ର ଗୁଳିକାଣ୍ଡ ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି । ୮ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ତାଳଚୁଆ ସାମୁଦ୍ରିକ ଥାନା ପୋଲିସ୍ । ଗତ ରବିବାର ଦିନ ମାଛ ମାଫିଆମାନେ ବନବିଭାଗ ପାଟ୍ରୋଲିଂ ଟିମ୍ କୁ ଆକ୍ରମଣ କରି ୮ ଜଣ ମତ୍ସ୍ୟଜୀବୀଙ୍କୁ ଖସାଇ ନେଇଥିଲେ। ଏହି ଘଟଣାରେ ଗତକାଲି ଗିରଫ ହୋଇଥିଲେ ଟ୍ରଲର ମାଲିକ। ଗତ ରବିବାର ଏହି ଘଟଣା ଘଟିଥିଲା। ବେଆଇନ ଭାବେ ମାଛ ମାରୁଥିବା ୮ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ମାଫିଆମାନେ ଫାୟାରିଂ କରି ସେମାନଙ୍କୁ ବନ ବିଭାଗ ହାତରୁ ଛଡ଼ାଇ ନେଇଥିଲେ। ସଂପୃକ୍ତ ଟ୍ରଲରଗୁଡ଼ିକ ବାଲେଶ୍ଵର ବଳରାମଗଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛି ।