ଆସିକା: ମକର ସଂକ୍ରାନ୍ତିରେ ବଡ ଅଘଟଣ। ଡାଲା ଅଟୋ ଓଲଟି ୧୨ ଜଣ ଆହତ ହୋଇ ଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ପୁଡୁଗେଶ୍ୱର ମନ୍ଦିର ନିକଟରେ ଓଲଟିଲା ଡାଲା ଅଟୋ। ମହିଳା ମାନେ ବୁଡ ପକାଇବାକୁ ଯିବା ସମୟରେ ଘଟିଛି ଅଘଟଣ। ସମସ୍ତ ଆହତଙ୍କୁ ଆସିକା ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି।। ସେଥିମଧ୍ୟରୁ ଜଣେ ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ସମସ୍ତ ମହିଳା ପାଟପୁର ଡେଙ୍ଗାଡି ଗାଁର ହୋଇଥିବା ବେଳେ ସେମାନେ ମକର ବୁଡ଼ ପକାଇବାକୁ ଆସିକା ଦୋ ମୁହାଣୀକୁ ଆସିଥିବା ସୂଚନା।
ଆଜିଠାରୁ ୯ ଦିନ ଧରି ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
ଭିତରକନିକା: ଆଜିଠାରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ୧୪ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଭିତରକନିକା ବନ୍ଦ ରହିବ । ପର୍ଯ୍ୟଟକ ମାନେ ଭିତରକନିକା ନଆସିବାକୁ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରଥମେ ବୋଟ ଚଳାଚଳ ବନ୍ଦ ରହିବ । ପରେ ନଦୀର ଜଳ ସ୍ଥିର ହେବା ପରେ କୁମ୍ଭୀର ଗଣନା ହେବ। ଭିତରକନିକାରେ ଥିବା ନଦୀ ନାଳରେ ବଉଳା କୁମ୍ଭୀର ଗଣନା କରାଯିବ ।
କୁମ୍ଭୀର ବିଶାରଦ ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ କୁମ୍ଭୀର ଗଣନା କରିବେ। ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ସକାଳ ଏବଂ ସନ୍ଧ୍ୟା ସମୟରେ ହୁଲି ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବ। ଗତବର୍ଷ ଭିତରକନିକାରେ ୧ ହଜାର ୮ଶହ ୧୧ଟି କୁମ୍ଭୀର ଗଣନା କରାଯାଇଥିଲା। ଚଳିତ ବର୍ଷ ମଧ୍ୟ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବା ନେଇ ବନବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।
ଆସନ୍ତା ୧୭ ରୁ ରାଜ୍ୟରେ ପୁଣି ବଢିବ ଶୀତ
ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିବ ଶୀତର ପ୍ରକୋପ । ଉପାନ୍ତରୁ ଉପକୂଳ ସବୁଠି କମିବ ତାପମାତ୍ରା । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡର ପ୍ରଭାବ କମିବା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ । ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭୁତ ହେବ । ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରରେ ଶୀତ ଲହରୀ ଅନୁଭୁତ ହେବାର ସମ୍ଭାବନା ରହିଛି ।
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାତ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ । କିଛି ଜିଲ୍ଲାରେ ହାଲୁକା ଶୀତ ସହ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାରିପାଗ କେନ୍ଦ୍ର । ୧୫ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ ୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟକୁ ସତର୍କ କରାଯାଇଛି । ଏସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ମଧ୍ୟ ସତର୍କତା ଜାରି କରାଯାଇଛି । ଏହାସହ ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, କଟକ ଏବଂ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ ।
ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୂଙ୍କ ମକରନୀତି
ପୁରୀ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୂଙ୍କ ମକରନୀତି । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୂଖ ଯାତ୍ରା ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହେବ । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିବ । ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମହାପ୍ରଭୁ ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଆରମ୍ଭ ହେବ ଉତ୍ତରାୟଣ ଗତି । ଏହି ଉତ୍ତରାୟଣ ସମୟ ଅତିବ ଶୁଭଙ୍କର । ଏହି ଅବସରରେ ମାଳଚୂଳ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ସଜିତ ହେବେ ଶ୍ରୀଜିଉ । ସେପଟେ ଗତକାଲି କୁମ୍ଭାରପଡ଼ା ସ୍ଥିତ ଆଲାମଚଣ୍ଡୀ ମନ୍ଦିର ପକ୍ଷରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ମକର ଚାଉଳ ଭୋଗ ପାଇଁ ଏକ ପଟୁଆରରେ ଯାଇ ପାଞ୍ଚୋଟି ମକରତାଡ ଯୋଗାଇ ଦିଆଯାଇଛି । ମକର ସଂକ୍ରାନ୍ତି ଅବସରରେ ଆସନ୍ତାକାଲି ମହାପ୍ରଭୂଙ୍କ ମକରବେଶ ବା ମକର ଚୌରାଶୀ ବେଶ ଅନୁଷ୍ଠିତ ହେବ । ସେପଟେ ମକରଚାଉଳ ଭୋଗ ମଧ୍ୟ ମହାପ୍ରଭୁଙ୍କ ନିକଟରେ ସମର୍ପଣ ହେବ ।
ପ୍ରୟାଗରାଜର ମହାକୁମ୍ଭମେଳାରେ ଆଜି ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ଼
ପ୍ରୟାଗରାଜ: ଆଜି ପବିତ୍ର ମକର ସଂକ୍ରାନ୍ତି। ପ୍ରୟାଗରାଜ କୁମ୍ଭମେଳାରେ ଅନୁଷ୍ଠିତ ହୋଇଛି ମହାସ୍ନାନ। ଗତକାଲି ଆରମ୍ଭ ହୋଇଥିବା ଉତ୍ତର ପ୍ରଦେଶ ପ୍ରୟାଗରାଜର ଏହି ମହାକୁମ୍ଭମେଳାରେ ଆଜି ମଧ୍ୟ ଅଧିକ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ଗତକାଲି ପ୍ରଥମ ଦିନରେ ପ୍ରାୟ ଦେଢ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଜି ମଧ୍ୟ ଗତକାଲି ତୁଳନାରେ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସମ୍ଭାବନା ରହିଛି। ଆସନ୍ତା ଫେବୃଆରୀ ୨୬ ଯାଏ ଚାଲିବ କୁମ୍ଭ ମେଳା। ଏହି ସମୟ ମଧ୍ୟରେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ କୁମ୍ଭମେଳାକୁ ଆସିବା ଆଶା କରାଯାଉଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହୋଇଛନ୍ତି ୩୦ ହଜାରରୁ ଅଧିକ ପୋଲିସ। ସମଗ୍ର କୁମ୍ଭମେଳା ଅଞ୍ଚଳରେ ଲଗାଯାଇଛି ୨ ହଜାର ୭୦୦ ଆର୍ଟିଫିସିଆଲ ଇଣ୍ଟେଲିଜେନସ କ୍ୟାମେରା ।
ଏହା ସହ ଅଣ୍ଡରୱାଟର ଡ୍ରୋନ ବ୍ୟବସ୍ଥା ବି ପ୍ରଥମ ଥର ଲାଗି କରାଯାଇଛି। ଗଙ୍ଗା, ଯମୁନା, ସରସ୍ବତୀଙ୍କ ସଂଗମ ସ୍ଥଳୀରେ ଆୟୋଜିତ ଉତ୍ସବରେ ସାମିଲ ହୋଇଛନ୍ତି ସାଧୁ, ସନ୍ଥ ଓ ଦେଶ ବିଦେଶର ଶ୍ରଦ୍ଧାଳୁ। ଭକ୍ତଙ୍କୁ ସୁରକ୍ଷା ଦେବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହା ସହ ଏନଡିଆରଏଫ ଓ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ବି ମୁତୟନ ହୋଇଛନ୍ତି। ୧୨୫ରୁ ଅଧିକ ଆମ୍ବୁଲାନ୍ସ ଓ ୭ଟି ରିଭର ଆମ୍ବୁଲାନସ ନିୟୋଜିତ ରହିଛି। କୁମ୍ଭମେଳା ଅବସରରେ ୧୩ ହଜାର ଟ୍ରେନର ବ୍ୟବସ୍ଥା କରାଯାଇଛି। ୧୪୪ ବର୍ଷ ପରେ ଏହି ମହା ସଂଯୋଗ ଘଟିଛି। ଗୋଟିଏ ସ୍ଥାନରେ ଗୋଟିଏ ଘରେ ୪ଟି ଗ୍ରହ ଅର୍ଥାତ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି ଅବସ୍ଥାନ କରିବେ। ଏହି ସମୟରେ ସ୍ନାନ କଲେ ବୈକୁଣ୍ଠ ପ୍ରାପ୍ତି ବିଶ୍ବାସ ରହିଛି।
ଜାନୁଆରୀ ୧୫ ତାରିଖରେ ହେବାକୁ ଥିବା ନେଟ୍ ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ: ଆସନ୍ତାକାଲି ହେବାକୁ ଥିବା ନେଟ୍ ପରୀକ୍ଷା ସ୍ଥଗିତ । ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ପରୀକ୍ଷା ସ୍ଥଗିତ ରଖାଯିବା ସମ୍ପର୍କରେ ଏନଟିଏ ୱେବସାଇଟ୍ ugcnet.nta.ac.inରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ ୧୫ତାରିଖରେ ନେଟ୍ ପରୀକ୍ଷା ହେବାର ଥିଲା। ଯାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଖୁବ ଶୀଘ୍ର ଏହାର ନୂଆ ତାରିଖ ଘୋଷଣା କରାଯିବ। ଅନ୍ୟପଟେ ଜାନୁଆରୀ ୧୬ ତାରିଖରେ ହେବାକୁ ଥିବା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ। ପରୀକ୍ଷା ସମ୍ବନ୍ଧୀୟ ଯେ କୌଣସି ଜରୁରୀ ସୂଚନା ସମ୍ପର୍କରେ ଅବଗତ ହେବା ପାଇଁ ଅଫିସିଆଲ୍ ୱେବସାଇଟ୍ ଉପରେ ନଜର ରଖିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।
କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷଙ୍କ ନାଁରେ ଆସିଥିବା ଅନାସ୍ଥା : କୋରମ ଅଭାବରୁ ରଦ୍ଦ
ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଆସିଥିବା ଅନାସ୍ଥା ଆଜି କୋରମ ଅଭାବରୁ ରଦ୍ଦ ହୋଇଛି । ପଦ ବଜାୟ ରଖିଲେ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ।ଗତ କିଛିମାସ ତଳେ ବିଜେଡି ସମର୍ଥିତ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ଙ୍କ ନାମ ରେ ବ୍ଲକ ର କିଛି ସରପଞ୍ଚ ଓ ସମିତିସଭ୍ୟ କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଯାହାକୁ ନେଇ ଆଜି ଉପଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ କାମାକ୍ଷାନଗର ବ୍ଲକ କାର୍ଯ୍ୟାଳୟ ରେ ଅନାସ୍ଥା ସମ୍ପର୍କିତ ଭୋଟ ଆଗତ ପାଇଁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଆଜି ଅନାସ୍ଥା ବେଳେ ମାତ୍ର ଆଠ ଜଣ ଙ୍କୁ ଛାଡି ଆଉ କୌଣସି ସରପଞ୍ଚ, ସମିତିସଭ୍ୟ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ନଥିଲେ ।
କାମାକ୍ଷାନଗର ବ୍ଲକ ରେ ମୋଟ ୪୫ ଜଣ ସଦସ୍ୟ ଅନାସ୍ଥା ରେ ଭାଗ ନେବାକୁ ଥିବାବେଳେ ଅନାସ୍ଥା ପାଇଁ ମାତ୍ର ୮ ଜଣ ସଦସ୍ୟ ଉପସ୍ଥିତ ଥିଲେ । ଯାହାକୁ ନେଇ ନିର୍ଦ୍ଧାରିତ ସମୟ ପରେ ନିର୍ବାଚନ ଦାୟିତ୍ୱ ରେ ଥିବା କାମାକ୍ଷାନଗର ତହସିଲଦାର କୋରମ ଅଭାବରୁ ଅନାସ୍ଥା ରଦ୍ଦ ହେବା ସହ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ପଦ ବଜାୟ ରଖିବା ନେଇ ସୂଚନା ଦେଇଛନ୍ତି । ଫଳରେ ଦୀର୍ଘ ବର୍ଷ ଧରି କ୍ରମାଗତ ଭାବ ରେ କାମାକ୍ଷାନଗର ବ୍ଲକ ରେ ବିଜେଡି ପୁଣି ଥରେ ପଦ ବଜାୟ ରଖିଛି । ତେବେ ଅନାସ୍ଥା ରଦ୍ଦ ହେବା ପରେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ବ୍ଲକ ର ସମସ୍ତ ସରପଞ୍ଚ, ସମିତିସଭ୍ୟ ଙ୍କୁ କୃତଜ୍ଞତା ଜଣାଇଥିବା ବେଳେ କାମାକ୍ଷାନଗର ଅଞ୍ଚଳର ଉନ୍ନତି ପାଇଁ ସମସ୍ତେ ଏକ ହୋଇ କାମ କରିବାକୁ କହିଛନ୍ତି ।

