ନନ୍ଦିଘୋଷ ବ୍ୟୁରୋ: ମଧ୍ଯପ୍ରଦେଶରୁ ଆସିଲା ହତ୍ଯାକାଣ୍ଡର ଲୋମହର୍ଷକ କାହାଣୀ। ଜଣେ ମହିଳାଙ୍କୁ ହତ୍ଯା କରି ଅଭିଯୁକ୍ତ ମୃତଦେହକୁ ଫ୍ରିଜରେ ରଖିଥିଲା ୮ ମାସ। ଘଟଣା ଘଟିଛି ଦେୱାସ ଜିଲ୍ଲାରେ। ଅଭିଯୁକ୍ତ ସଞ୍ଜୟ ପଟିଦାର ଏହି ମହିଳାଙ୍କୁ ହତ୍ଯା କରିଥିବା ସୂଚନା ମିଳିଛି। ଫ୍ରିଜରୁ ଶବ ଶବତ ପରେ ଦେଖାଯାଇଥିଲା ମହିଳାଜଣକ ବେକରେ ରଶି ଗୁଡାଯାଇଥିବାବେଳେ ସେ ଶାଢି ପିନ୍ଧିଛନ୍ତି। ଏପରିକି ସେ ଅଳଙ୍କାର ମଧ୍ଯ ପିନ୍ଧିଥିବା ଦେଖାଯାଇଛି। ମୃତକଙ୍କ ନାଁ ପିଙ୍କି ପ୍ରଜାପତି ବୋଲି ଜଣାଯାଇଛି। ଗତବର୍ଷ ଜୁନରେ ଏହି ହତ୍ଯାକାଣ୍ଡ ହୋଇଥିବା ସୂଚନା ମିଳିଛି। ଗତ ୫ ବର୍ଷ ଧରି ଉଜ୍ଜୈନର ସଞ୍ଜୟ ଏହି ମହିଳାଙ୍କ ସହ ଲିଭ ଇନରେ ରହୁଥିଲା। ବାହା ହେବା ଲାଗି ପିଙ୍କି ବାଧ୍ଯ କରିବାରୁ ଉତକ୍ଷିପ୍ତ ହୋଇ ସଞ୍ଜୟ ତାଙ୍କୁ ହତ୍ଯା କରିଥିବା ସୂଚନା ମିଳିଛି। ବନ୍ଧୁଙ୍କ ସହାୟତାରେ ପିଙ୍କିଙ୍କୁ ସେ ହତ୍ଯା କରିଥିଲା। ଘରୁ ପଚା ବାସ୍ନା ବାହାରିବାରୁ ଘର ମାଲିକ ଘରର ଏକ ଅଂଶ ଭାଙ୍ଗିଥିଲେ। ତା ଭିତରୁ ମିଳିଥିବା ଫ୍ରିଜରୁ ମହିଳାଙ୍କ ଶବ ଠାବ କରାଯାଇଥିଲା। ଘରର ମାଲିକ ହେଉଛନ୍ତି ଧୀରେନ୍ଦ୍ର ଶ୍ରୀବାସ୍ତବ ଓ ସେ ଇନ୍ଦୋରରେ ବାସ କରନ୍ତି। ଗତ ଜୁନ ୨୦୨୩ରୁ ସଞ୍ଜୟ ସେହି ଘରକୁ ଭଡା ନେଇଥିଲା। ଗତବର୍ଷ ସଞ୍ଜୟ ଘର ଛାଡିଦେଇଥିଲେ ବି ସେହି ଘରୁ ଜିନିଷ ପତ୍ର ନେଇ ନଥିଲା। ତେବେ ଫ୍ରିଜଟି କାମ କରିବା ବନ୍ଦ କରିଦେବାରୁ ଦୁର୍ଗନ୍ଧ ବାହାରିଥିଲା।
ଛତିଶଗଡ଼ ସୂରଜପୁରରେ ରିପୋର୍ଟରଙ୍କ ପରିବାର ସଦସ୍ଯଙ୍କୁ ହତ୍ୟା
ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ ସୂରଜପୁରରେ ଆଜତକର ଜିଲ୍ଲା ରିପୋର୍ଟରଙ୍କ ପରିବାର ସଦସ୍ଯଙ୍କୁ ହତ୍ୟା । ରିପୋର୍ଟର ସନ୍ତୋଷ କୁମାର ଟପ୍ପୋଙ୍କ ବାପା, ମା ଓ ଭାଇଙ୍କୁ ହତ୍ଯା କରିଛନ୍ତି ଦୁର୍ବୃତ୍ତ । ସମ୍ପତ୍ତିଗତ ବିବାଦ କାରଣରୁ ସେମାନଙ୍କୁ ହତ୍ଯା କରାଯାଇଛି । ଗତ ୧୦ ତାରିଖରେ ହୋଇଥିବା ହତ୍ଯାକୁ ନେଇ ରାଜ୍ଯରେ ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଗତ ଶୁକ୍ରବାର ସନ୍ତୋଷଙ୍କ ବାପା ମାଘେ ଟପ୍ପୋ, ମା ବାସନ୍ତୀ ଟପ୍ପୋ, ଭାଇ ନରେଶ ଟପ୍ପୋ ଜଗନ୍ନାଥପୁରସ୍ଥିତ ନିଜ ଫାର୍ମକୁ ଯାଇଥିଲେ । ତେବେ ଏହି ଜମିକୁ ନେଇ ପୂର୍ବରୁ ପାରିବାରିକ ବିବାଦ ରହିଥିଲା । ସେମାନେ ସେହି ଜମିରେ ଥିବାବେଳେ ୬ରୁ ୭ ଜଣ ବ୍ଯକ୍ତି ସେଠାରେ ପହଞ୍ଚି ଗଣ୍ଡଗୋଳ ସୃଷ୍ଟି କରିଥିଲେ । ପରେ ଫାର୍ସା ଓ ଲାଠିରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବାସନ୍ତୀ ଓ ନରେଶଙ୍କ ମୃତ୍ଯୁ ଘଟିଥିବାବେଳେ ଗୁରୁତର ଆହତ ମାଘେଙ୍କୁ ଅମ୍ବିକାପୁର ମେଡିକାଲ କଲେଜକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅନ୍ଯତମ ଭାଇ ଉମେଶ ଖସିଯାଇଥିଲେ । ଏହି ବିବାଦୀୟ ଜମି ପ୍ରସଙ୍ଗରେ ମାମଲା କୋର୍ଟକୁ ଯାଇଥିଲା ଏବଂ କୋର୍ଟ ସନ୍ତୋଷଙ୍କ ପରିବାର ସପକ୍ଷରେ ରାୟ ଦେଇଥିଲେ । ଖର୍ଗାଓ୍ବା ଓ ପ୍ରତାପପୁର ପୋଲିସ ଘଟଣାର ଅନୁସନ୍ଧାନ କରୁଛି । ଛତିଶଗଡ଼ରେ ଅନ୍ୟ ଜଣେ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ହତ୍ଯା କରିବାର କିଛି ଦିନ ପରେ ଏହି ହତ୍ଯାକାଣ୍ଡ ଘଟିଛି । ବିଜାପୁର ଜିଲ୍ଲାରେ ରାସ୍ତା କାମରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ୍ କରିଥିବାରୁ ମୁକେଶଙ୍କୁ ଗତ ଜାନୁଆରୀ ୧ରେ ଅମାନୁଷିକ ହତ୍ଯା କରାଯାଇଥିଲା । ଏହି ହତ୍ଯାକାଣ୍ଡର ମୁଖ୍ଯ ଅଭିଯୁକ୍ତ ସୁରେଶ ଚନ୍ଦ୍ରାକରକୁ ଗତ ଜାନୁଆରୀ ୫ରେ ଗିରଫ କରାଯାଇଥିଲା ।
ବାପାର ଛୁରା ମାଡ଼ରେ ପୁଅର ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସିଙ୍ଗମିଲା ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହରୁ ହତ୍ୟା । ବାପାର ଛୁରା ମାଡ଼ରେ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ ।ସେପଟେ ହତ୍ୟାକାରୀ ବାପା ବାଲିଗୁଡ଼ା ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ମୃତକ ୨୦ ବର୍ଷର ପୁଅ ଜିତେନ୍ଦ୍ର ମଲ୍ଲିକ ହୋଇଥିବା ବେଳେ ଅଭିଯୁକ୍ତ ବାପା ପ୍ରାଣେଶ୍ବର ମଲ୍ଲିକ । ଆଜି ଭୋର ସମୟରେ କୌଣସି କାରଣରୁ ନେଇ ବାପ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଏତେ ଉଗ୍ର ହୋଇଥିଲା ଯେ, ଉତ୍ୟକ୍ତ ପ୍ରଣେଶ୍ବର ଛୁରୀରେ ପୁଅ ଜିତେନ୍ଦ୍ରର ପେଟକୁ ଆକ୍ରମଣ କରିଥିଲା । ଜୀବନ ବିକଳରେ ଜିତେନ୍ଦ୍ର ସେଠାରୁ ଦୌଡ଼ି ଆସି ସମ୍ପର୍କୀୟଙ୍କ ଘରେ ପହଁଚିବା ପରେ ସେଠାରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ ପହଁଚି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।
ଠକ ଦମ୍ପତିଙ୍କ ତିନିଟି ଦାମୀ କାର ଜବତ କଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ: ଠକ ଦମ୍ପତିଙ୍କ ତିନିଟି କାର ଜବତ କଲା ପୋଲିସ। ହଂସିତା ଓ ଅନିଲ ମହାନ୍ତିଙ୍କ ମର୍ସଡିଜ, ପୋର୍ସେ ଓ ଜଗୁଆର ଜବତ କରିଛି ପୋଲିସ। ଗତକାଲି ପଦାକୁ ଆସିଥିଲା ଠକ ଯୋଡ଼ିର ଅୟସର କାରନାମା। ହଂସିତା ଅଭିଲିପ୍ସା ଉପହାରରେ ପୋର୍ସେ କାର ଦେଇଥିଲେ। ଅନିଲଙ୍କ ଜନ୍ମଦିନରେ ଦେଇଥିଲେ ଏହି ଦାମୀ ପୋର୍ସେ କାର। ସାମ୍ନାକୁ ବି ଆସିଥିଲା ପୋର୍ସେ କାର ଗିଫ୍ଟ ଦେବା ବେଳର ଭିଡିଓ। କାର ଦେଉଥିବା ବେଳେ ସେଲିବ୍ରିଟି ଏଣ୍ଟ୍ରି ସହ ଖର୍ଚ୍ଚ ହୋଇଥିଲା କୋଟି କୋଟି ଟଙ୍କା। ଅନିଲ ମହାନ୍ତିଙ୍କ ଜନ୍ମଦିନକୁ ବହୁ ଆଡ଼ମ୍ବରରେ ପାଳନ କରିଥିଲେ ହଂସିତା। ଯେଉଁଥିରେ ଖଣି ବ୍ୟବସାୟୀ, ସୁନା ଦୋକାନୀ, ବିଲଡର ଓ ପଲିଟିକାଲ ଲୋକଙ୍କୁ ଦେଖିବାକୁ ମିଳିଥିଲା।
ଘରର କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇଗଲେ ହାତୀ ପଲ
ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ପଳାସଡାଙ୍ଗି ଗାଁରେ ହାତୀ ଉପଦ୍ରବ। ଘରର କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇବା ସହ ବାସନକୁସନ ଭାଙ୍ଗିଲେ ହାତୀପଲ। ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର। ବିଳମ୍ବିତ ରାତିରେ ଆଠଟିକିଆ ହାତୀପଲ ଗାଁ ଭିତରେ ପଶି ଆତଙ୍କ ଖେଳାଇଛନ୍ତି। ସେହିପରି ଡଙ୍କାରୀଡିହ ଗାଁରେ ପଶି ଘରର କାନ୍ଥକୁ ଭାଙ୍ଗିବା ସହ ଧାନ ଚାଉଳ ଖାଇଦେଇଛନ୍ତି ହାତୀପଲ l ଖବର ପାଇ ବନବିଭାଗ ପହଞ୍ଚି ହାତୀ ଘଉଡ଼ାଇଥିବା ବେଳେ ହାତୀପଲ ନିକଟସ୍ଥ ମହାପୁରୁ ରଗଡା ଜଙ୍ଗଲରେ ଥିବା ଜଣାପଡ଼ିଛି। ବାରମ୍ବାର ହାତୀପଲଙ୍କ ତାଣ୍ଡବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେଉଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି କ୍ଷତିଗ୍ରସ୍ତ ପରିବାର।
ଜନ୍ମଦିନରେ ଜାଣନ୍ତୁ ରାହୁଲ ଦ୍ରାବିଡ଼ଙ୍କ ରେକର୍ଡ
ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ଆଜି ହେଉଛି ଜନ୍ମଦିନ । ୫୧ ବର୍ଷ ବୟସରେ ପାଦ ଥାପିଛନ୍ତି ’ଦ ଓ୍ବାଲ’ । ନିଜର ଜୀବନଶୈଳୀ ସାଙ୍ଗକୁ ବ୍ୟବହାର ପାଇଁ ସବୁବେଳେ ସମ୍ମାନର ଅଧିକାରୀ ହୋଇଥିବା ଦ୍ରାବିଡ଼ଙ୍କ ଏଭଳି ଅନେକ ରେକର୍ଡ ରହିଛି ଯାହାକି ଆଜି ପର୍ଯ୍ୟନ୍ତ କୌଣସି ଖେଳାଳି ଭାଙ୍ଗି ପାରିନାହାନ୍ତି । ୧୯୯୬ ମସିହାରେ ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ । ଟେଷ୍ଟରେ ତାଙ୍କ ରେକର୍ଡ ଏବଂ ବ୍ୟାଟିଂ ବେଶ ଆକର୍ଷଣୀୟ ରହିଥିଲା । ତେବେ ଆଗାମୀ ଦିନରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଅନୁଷ୍ଠିତ ହେବାକୁ ଥିବାବେଳେ ରାହୁଲଙ୍କ ରେକର୍ଡ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଚାମ୍ପିୟନ୍ସ ଟ୍ରଫିରେ ଦ୍ରାବିଡ଼ କରିଥିବା ଏକ ରେକର୍ଡ ଆଜି ପର୍ଯ୍ୟନ୍ତ ଅତୁଟ ରହିଛି । ଚାମ୍ପିୟନ୍ସ ଟ୍ରଫିରେ ଦ୍ରାବିଡ଼ ୧୯ ମ୍ୟାଚର ୧୫ ପାଳିରୁ ୬ ଥର ୫୦ରୁ ଅଧିକ ସ୍କୋର କରିଛନ୍ତି । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୭୬ । ୪୮.୨୩ ଷ୍ଟ୍ରାଇକ ହାରରେ ୬୨୭ ରନ କରିଛନ୍ତି । ତେବେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ରେକର୍ଡ କରିଛନ୍ତି । ତେବେ ଚଳିତ ବର୍ଷ ବିରାଟ କିମ୍ବା ରୋହିତ ଏହି ରେକର୍ଡ ଭାଙ୍ଗି ପାରନ୍ତି ବୋଲି ଅନୁମାନ କରାଯାଉଛି ।
ମଣ୍ଡିରେ ପହଞ୍ଚିପାରୁନି ଧାନ : ଶୀତ ରାତିରେ ଜଗି ବସୁଛି ଚାଷୀ
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥା। ମଣ୍ଡିରେ ପହଞ୍ଚିପାରୁନି ଧାନ। ଫଳରେ ଅମଳ ଧାନକୁ ସୁରକ୍ଷିତ ରଖିବା ପାଇଁ ଶୀତୁଆ ରାତିରେ ଖୋଲା ଆକାଶ ତଳେ ଧାନ ବସ୍ତାକୁ ଜଗି ରହିଛି ଚାଷୀ। କିଏ ଖଳାରେ ତ ଆଉ କିଏ ଜମିରେ ଧାନ ବସ୍ତାକୁ ଜଗିରହିଛି। ଅନ୍ୟପଟେ ବାରlହା ମାନଙ୍କ ଉପଦ୍ରଵ କହିଲେ ନ ସରେ। ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଥିବାବେଳେ ଯାହା କିଛି ବଳକା ଧାନ ରହିଛି ତାକୁ ସୁରକ୍ଷିତ ରଖିବାକୁ ଚାଲିଛି ଉଦ୍ୟମ। ଶୀତ କାକରରେ ପାଳି ପାଳି କରି ଜଗି ରହୁଛନ୍ତି ଚାଷୀ ।
ଅଯୋଧ୍ୟା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ବର୍ଷେ
ନନ୍ଦିଘୋଷ ବ୍ୟୁରୋ: ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୁରିଛି ବର୍ଷେ । ଆଜି ବେଶ ଉତ୍ସବମୁଖର ରହିଛି ରହିଛି ଅଯୋଧ୍ୟା । ଏହି ଅବସରରେ ତିନିଦିନ ଧରି ଅଯୋଧ୍ୟାରେ ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ରାମଲାଲାଙ୍କ ସ୍ବତନ୍ତ୍ର ପୂଜାବିଧି ପାଇଁ ଭବ୍ୟ ଆୟୋଜନ କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।
ଦାରିଙ୍ଗବାଡ଼ିରେ ତୁଷାରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ଠାରେ ୩ ଦିନ ଧରି ତୁଷାରପତ ଜାରି ରହିଛି।ପର୍ଯ୍ୟଟକମାନେ ଶୀତର ମଜା ନେବା ସହିତ ତୁଷାରପତ ଦେଖିବାକୁ ଭିଡ଼ ଜମାଉଛନ୍ତି। ହାଡ଼ ଭଙ୍ଗା ଶୀତ ହେବା ଦ୍ୱାରା ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଏବଂ ପର୍ଯ୍ୟଟକ ମାନଙ୍କର ଭିଡ଼ ମଧ୍ୟ ଜମିବାରେ ଲାଗିଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ଆଶ୍ରୟ ନେଉଛନ୍ତି ।
ବାଲେଶ୍ଵର ଅରଡବଜାର ଠାରୁ ପରିବା ମାର୍କେଟ ପର୍ଯ୍ୟନ୍ତ କର୍ଫ୍ୟୁ
ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ଅରଡବଜାର ଠାରୁ ପରିବା ମାର୍କେଟ ଅଞ୍ଚଳରେ ଜାରି ହେଲା କର୍ଫ୍ୟୁ । ରେଳ ଲାଇନ୍ ସମ୍ପ୍ରସାରଣ ପାଇଁ ଅରଡବଜାର ବସ୍ତି ଉଚ୍ଛେଦ କରାଯିବ । ଏନେଇ ଏକାଧିକ ବ୍ୟକ୍ତିଙ୍କ ଏକତ୍ରିତ ହେବା, ସଭା, ରାଲି ଉପରେ ପ୍ରଶାସନ ତରଫରୁ କଟକଣା ଲାଗୁ କରାଯାଇଛି । ହରିପୁରରୁ ଦର୍ଜିପୋଖରୀ, କସିମିଳା ଠାରୁ ଫୁଲାଡି, ନୂଆ ବଜାର ରେଳ ଫାଟକରୁ ଗୋପାଳପୁର ଓ ପରିବା ମାର୍କେଟ ପର୍ଯ୍ୟନ୍ତ କର୍ଫ୍ଯୁ ଜାରି କରାଯାଇଛି। ଆଜି ଏବଂ ରବିବାର ସକାଳ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।

