spot_img
Home Blog Page 1179

ସାରଥିଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା

ଭୁବନେଶ୍ବର:  ସନ୍ତୋଷ ରାଉଳ ଓରଫ ସାରଥିଙ୍କ ନାଁରେ ଏତଲା । ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଲେ ସମାଜସେବୀ ଅଭିଷେକ ଦାସ । ସାରଥିଙ୍କ ଫଟୋରେ ତୁଳସୀ ଚଢା ଯାଇଥିବାରୁ ଏତଲା ଦିଆଯାଇଛି ।

ଆଜି ସକାଳେ ଭୁବନେଶ୍ଵର କାର୍ଗିଲ ବସ୍ତି ସମେତ ବିଭିନ୍ନ ସ୍ଥାନରେ ସାରଥିଙ୍କ ଫଟୋରେ ତୁଳସୀ ଚଢାଯାଇ ପୂଜା କରାଯାଇଛି । ଏପରିକି ପୂଜା ସମୟରେ ସାରଥିଙ୍କ ବଡ଼ ଫଟୋ ରଖା ଯାଇ ଥିବାବେଳେ ଶ୍ରୀଜଗନ୍ନାଥଙ୍କ ସାନ ଫଟୋ ରଖାଯାଇଥିଲା । ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ । କୋର୍ଟଙ୍କ ନିଷ୍ପତ୍ତିକୁ ଅବମାନନା କରାଯାଇଥିବା ଅଭିଯୋଗ କରିଛନ୍ତି ଅଭିଷେକ ।

ଅନୁଗାମୀମାନକୁ ଉସୁକାଇ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି l କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ରଖି ନିଜକୁ ଭଗବାନ ଭଳି ସଜାଇ ସନାତନ ଧର୍ମ ଉପରେ କୁଠାରଘାତ କରାଯାଇଛି l ସେଥିପାଇଁ ସାରଥିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସମାଜସେବୀ ଅଭିଷେକ l

ଶ୍ରୀମନ୍ଦିରରେ ଦୋଳ ଉତ୍ସବ: ଏକାକାର ହେଲେ ଭକ୍ତ ଓ ଭଗବାନ, ଖେଳିଲେ ଫଗୁ

ପୁରୀ: ଫଗୁ ଆଉ ଅବିର ରଙ୍ଗରେ ରଙ୍ଗାୟିତ ହେଲା ଶ୍ରୀମନ୍ଦିର ଦୋଳ ଉତ୍ସବ । ଏକାକାର ହେଲେ ଭକ୍ତ ଓ ଭଗବାନ । ଶ୍ରୀଜିଉଙ୍କ ସହ ହୋଲି ଖେଳିଲେ ଶ୍ରଦ୍ଧାଳୁ । ଆଜି ଏନେଇ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିବା ବେଳେ ରତ୍ନବେଦୀରେ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିରରୁ ମଣି ବିମାନରେ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିଜେ କରି ଦୋଳ ବେଦୀରେ ଖେଳିଲେ ଦୋଳି । ଏହି ଅନନ୍ୟ ଯାତ୍ରାରେ ସାମିଲ ହେଲେ ଲକ୍ଷାଧିକ ଶ୍ରଦ୍ଧାଳୁ ।

ଦୋଳ ବେଦୀରେ ବିରାଜିଛନ୍ତି ରସରାଜ ଶ୍ରୀକୃଷ୍ଣ । ଆନନ୍ଦ ଉଲ୍ଲାସରେ ରଙ୍ଗ ଖେଳରେ ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନ । ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହୋଇଛି ଦୋଳ ଉତ୍ସବ । ସକାଳ ଧୂପ ଶେଷ ହେବା ପରେ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବସି ଦୋଳ ବେଦୀକୁ ବିଜେ କରିଥିଲେ । ସେଠାରେ ପରମ୍ପରା ଅନୁଯାୟୀ ବନ୍ଦାପନା ପରେ ଅବିର ଖେଳ ଅନୁଷ୍ଠିତ ହୋଇଥିଲା । ଶତାଧିକ ଭକ୍ତ ଏହି ପଟୁଆରରେ ଯାଇ ଫଗୁ ଖେଳରେ ସାମିଲ ହୋଇଥିଲେ । ଆଜି ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।

ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କର ସୁନାବେଶ । ସକାଳ ଧୂପ ସମୟରେ ମହାପ୍ରଭୁଙ୍କ ଏହି ବେଶ କରାଯାଇଥିଲା । ଶ୍ରୀଜିଉଙ୍କୁ ପାଟବସ୍ତ୍ର ସହ ବିଭିନ୍ନ ପ୍ରକାରର ଅଳଙ୍କାରରେ ବିଭୂଷିତ କରାଯାଇଥିଲା । ଫଗୁ ଦଶମୀରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ପୂର୍ଣ୍ଣମୀରେ ଶେଷ ହୋଇଥିବାରୁ ଶ୍ରୀମନ୍ଦିରରେ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥିଲା । ଭକ୍ତମାନେ ମହାପ୍ରଭୁଙ୍କ ସହିତ ରଙ୍ଗ ଖେଳି ବେଶ ଆନନ୍ଦିତ ହେବା ସହିତ ସାନିଧ୍ୟ ଲାଭ କରି ଧନ୍ୟ ମନେ କରିଛନ୍ତି । ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଦୋଳ ବେଦୀରେ ଭକ୍ତି, ପ୍ରେମ ଓ ରଙ୍ଗରେ ଏକାକାର ହୋଇଛନ୍ତି ସଭିଏଁ ।

ମାଟ୍ରିକ ଡ୍ରପ ଆଉଟ୍ ବଢ଼ାଇଛି ଚିନ୍ତା: ଅନ୍ଧାରରେ ପିଲାଙ୍କ ଭବିଷ୍ୟତ, କାରଣ ଖୋଜିବାକୁ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ

ବାଲେଶ୍ବର: ମାଟ୍ରିକ ପରୀକ୍ଷାରେ ବଢୁଛି ଡ୍ରପ ଆଉଟ୍ ସଂଖ୍ଯା । ଅନ୍ଧାର ଭିତରକୁ ଚାଲିଯାଉଛି ଅନେକ ପିଲାଙ୍କ ଭବିଷ୍ଯତ । ଉଠିବାରେ ଲାଗିଛି ପ୍ରଶ୍ନ, ଏଥିପାଇଁ ଦାୟୀ କିଏ ? ଶିକ୍ଷକ ଅଭାବ ଓ ପାରିବାରିକ ସମସ୍ଯାକୁ ଶିକ୍ଷାବିତ୍ ଦାୟୀ କରିବା ସହ ଚିନ୍ତାବ୍ଯକ୍ତ କରିଛନ୍ତି । ଚଳିତବର୍ଷ ବାଲେଶ୍ବର ଜିଲ୍ଲାରେ ୭ ଶହରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ଫିଲପ କରିଥିଲେ ମଧ୍ୟ ପରୀକ୍ଷା ଦେଇ ନଥିବା ନଜରକୁ ଆସିଛି । ତଦନ୍ତ କରି ରିପୋର୍ଟ ଦେବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଇଓ ।

ଫେବୃଆରୀ ୨୧ରୁ ଆରମ୍ଭ ହୋଇ ୬ ତାରିଖରେ ସରିଛି ଚଳିତବର୍ଷର ମାଟ୍ରିକ ପରୀକ୍ଷା । ବାଲେଶ୍ବର ଜିଲ୍ଲାରୁ ରେଗୁଲାର ପରୀକ୍ଷାର୍ଥୀ ଭାବେ ୨୯ ହଜାର ୯୬୮ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିଲେ । ହେଲେ ମାତୃଭାଷା ପରୀକ୍ଷାରେ ୭୩୫ ଜଣ ପରୀକ୍ଷା ଦେଇନଥିଲେ । କେବଳ ଏହି ଗୋଟିଏ ବିଷୟ ନୁହେଁ ଇଂରାଜୀରେ ୭୬୧, ଗଣିତରେ ୭୭୮, ବିଜ୍ଞାନରେ ୭୭୯, ସାମାଜିକ ବିଜ୍ଞାନରେ ୭୯୧ ଏବଂ ହିନ୍ଦୀ ଓ ସଂସ୍କୃତରେ ୭୮୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି । ସେହିପରି ମଧ୍ୟମା ପରୀକ୍ଷାରେ ୬୪୭ ଜଣ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୭ ଜଣ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୪୨୯ ଜଣ ପଞ୍ଜିକୃତଙ୍କ ମଧ୍ୟରୁ ୪୯ ଜଣ ଅନୁପସ୍ଥିତ ଅଛନ୍ତି । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏହାର କାରଣ ଖୋଜା ଯାଉଥିବା ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି । ଏନେଇ ପ୍ରଧାନଶିକ୍ଷକମାନଙ୍କୁ ପ୍ରତି ପିଲାଙ୍କ ଅନୁପସ୍ଥିତିର କାରଣ ଖୋଜି ରିପୋର୍ଟ ଦେବାକୁ କୁହାଯାଇଥିବା କହିଛନ୍ତି ଡିଇଓ ।

ବିଦ୍ୟାଳୟର ଭିତ୍ତିଭୂମି ସଠିକ ଥିବା ବେଳେ ପାଠ ପଢ଼ା ମଧ୍ୟ ହେଉଛି । ହେଲେ ଛାତ୍ରଛାତ୍ରୀମାନେ ପରୀକ୍ଷା ନଦେବା ଏବେ ଶିକ୍ଷା ବିଭାଗର ଦୁର୍ବଳତାକୁ ପଦାରେ ପକାଇଛି । ଶିକ୍ଷକ ଅଭାବ ପାଇଁ ପ୍ରଥମରୁ ପିଲାଙ୍କ ପରୀକ୍ଷା ଭୟ ଦୂର ହେଉନି । ଆଉ ଏଥିପାଇଁ ଉଭୟ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଅଭିଭାବକ ଧ୍ୟାନ ଦେବାର ଆବଶ୍ୟକ ଥିବା କହିଛନ୍ତି ଶିକ୍ଷାବିତ୍ । ଡ୍ରପ ଆଉଟ ନେଇ ଯିଏ ବି ଦାୟୀ ହୁଅନ୍ତୁନା କାହିଁକି ଏହାଦ୍ବାର ପିଲାଙ୍କ ଭବିଷ୍ଯତ ଅନ୍ଧାରକୁ ଚାଲିଯାଉଥିବା କହିଛନ୍ତି ବୁଦ୍ଧିଜୀବୀ ।

ଭେଳିକି ସାଜିଲା ଯାଜପୁରର ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା: ସାମିଲ ହେଲେ ନାହିଁ ୧୦ରୁ ଅଧିକ ବଡ଼ ଶିଳ୍ପ ସଂସ୍ଥା

ଯାଜପୁର: ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା । ନିଯୁକ୍ତି ମେଳାରେ ଛୋଟ ଛୋଟ ସଂସ୍ଥାକୁ ଡାକି ଆଶାୟୀଙ୍କୁ ନିରାଶ କରିଦିଆଯାଉଛି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁରରେ ଆୟୋଜିତ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରେ । କଳିଙ୍ଗନଗରରେ ଥିବା ୧୦ରୁ ଅଧିକ ବଡ଼ ଶିଳ୍ପ ସଂସ୍ଥାନିଯୁକ୍ତି ମେଳାରେ ସାମିଲ ହୋଇନାହାନ୍ତି । ଯାହାକୁ ନେଇ ଆଶାୟୀ ନିରାଶ ହୋଇଛନ୍ତି ।

ଶିଳ୍ପ ପ୍ରତିଷ୍ଠା ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସ୍ଥାନୀୟ ଅଞ୍ଚଳରେ ବେକାରୀ ସମସ୍ୟା ଦୂର ହେବ । ଏଭଳି କିଛି ଭେଳିକି ଦେଖାଇ ଯାଜପୁର ଜିଲ୍ଲାରେ ୧୦ରୁ ଊର୍ଦ୍ଧ୍ଵ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହୋଇଛି । ହେଲେ, ନିଯୁକ୍ତି ବେଳକୁ ସେହି କମ୍ପାନୀଙ୍କ ଦେଖାନାହିଁ । ଏନ୍.ସି. କଲେଜ୍ କ୍ୟାମ୍ପସରେ ଆୟୋଜିତ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାରେ କେବଳ ସିକ୍ଯୁରିଟି ସଂସ୍ଥା ଓ ଅନ୍ଯାନ୍ଯ ଛୋଟ ଛୋଟ ଅନାମଧେୟ କମ୍ପାନୀ ଯୋଗଦେଇଛନ୍ତି । ଏହି କମ୍ପାନୀ କେତେ ସ୍ଥାନୀୟ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେବେ ତାକୁ ନେଇ ସନ୍ଦେହ ଦେଖାଦେଇଛି । ଏଥିସହ ବଡ କମ୍ପାନୀରେ ଚାକିରି ପାଇବା ଆଶାରେ ଆସିଥିବା ଆଶାୟୀ ନିରାଶ ହୋଇ ଫେରିଛନ୍ତି ।

ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ଏଭଳି ନିଯୁକ୍ତି ମେଳା ଆୟୋଜନ କରୁଛି । କିନ୍ତୁ କଳିଙ୍ଗନଗରରେ ଥିବା ଶିଳ୍ପ ସଂସ୍ଥାମାନେ ଜିଲ୍ଲା ପ୍ରଶାସନକୁ ଅବଜ୍ଞା କରି ଏହି ନିଯୁକ୍ତି ମେଳାକୁ ଆସୁନାହାନ୍ତି । କେବଳ ନିଯୁକ୍ତି ମେଳା ନାଁରେ ସ୍ଥାନୀୟ ଯୁବତୀ, ଯୁବକଙ୍କୁ ଭଣ୍ଡାଇବା ପାଇଁ ବିଭିନ୍ନ ଛୋଟ ଛୋଟ କମ୍ପାନୀଙ୍କୁ ଡାକି ଆଶାୟୀଙ୍କ ଡାଟା ସଂଗ୍ରହ କରାଯାଉଛି । କିଛି ଆଶାୟୀଙ୍କୁ କେବଳ ତାଲିମ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦିଆଯାଉଛି । ଏଭଳି ନାଟକ ପ୍ରତିବର୍ଷ ଆୟୋଜନ କରି ବେକାରୀମାନଙ୍କୁ ଉପହାସ କରାଯାଉଥିବା ଅଭିଯୋଗ ହୋଇଛି । ଅନ୍ଯପଟେ ବିଭିନ୍ନ କମ୍ପାନୀଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା କିନ୍ତୁ ସେମାନେ ଆସିଲେ ନାହିଁ ବୋଲି କହିଛନ୍ତି ଜିଲ୍ଲା ନିୟୋଜନ ଅଧିକାରୀ ।

ସାରଥି ଜେଲରୁ ବାହାରିବା ପରେ ଭକ୍ତ ଆରମ୍ଭ କଲେ ପୂଜାର୍ଚ୍ଚନା, ଜଗନ୍ନାଥଙ୍କୁ କଲେ ଗୌଣ

ଭୁବନେଶ୍ବର/ଜୟପୁର: ପୁଣି ଆରମ୍ଭ ହେଲା ସାରଥି ଓରଫ ସନ୍ତୋଷ ରାଉଳଙ୍କ ପୂଜା । ସାରଥି ଜେଲରୁ ବାହାରିବା ପରେ ତାଙ୍କ ଅନୁଗାମୀ ପୁଣି ଆରମ୍ଭ କରିଦେଇଛନ୍ତି ପୂଜାର୍ଚ୍ଚନା । ଭୁବନେଶ୍ବର ଓ ଜୟପୁରରେ ସାରଥି ଭକ୍ତଙ୍କ କରିଛନ୍ତି ପୂଜାର୍ଚ୍ଚନା । ସାରଥିଙ୍କ ଫଟୋ ସତସଙ୍ଗ କରୁଛନ୍ତି ଭକ୍ତ । ସତସଙ୍ଗରେ ଶ୍ରୀଜଗନ୍ନାଥଙ୍କୁ ଗୌଣ କରିଛନ୍ତି ସାରଥି ଅନୁଗାମୀ । ଏପରିକି ମହାପ୍ରଭୁଙ୍କ ସହ ସାରଥିଙ୍କୁ ତୁଳନା କରିବାକୁ ବି ପଛାଉ ନାହାନ୍ତି ।

ପୁଣି ମାତିଲେ ସାରଥୀ । କଟକଣା ହଟିବା ପରେ ଆରମ୍ଭ ହେଲା ସାରଥି ସତସଙ୍ଗ । ମହାପ୍ରଭୁଙ୍କ ସହ ସାରଥି ଓରଫ ସନ୍ତୋଷ ରାଉଳଙ୍କୁ ତୁଳନା କଲେ ଅନୁଗାମୀ । ଜୀବନ ପଥ, ଏ ଦେହ ରଥ । ରଥ ବସିଛ ରେବତୀ କାନ୍ତ । ଗୀତରେ ଜମିଲା ସାରଥିଙ୍କ ପୂଜାର୍ଚ୍ଚନା । ସେଇ ରାଜକୀୟ ଠାଣି, ଫଟୋରେ ବେକ ପର୍ଯ୍ୟନ୍ତ କୁଢ଼, କୁଢ଼ ଫୁଲ । ତୁଳସୀ, ଗୋଲାପରେ ସଜା ହୋଇଛନ୍ତି ବାବା ସାରଥିଙ୍କ ଫଟୋ । ନାଚ, ଗୀତ, ଭଜନ କୀର୍ତ୍ତନରେ ମସଗୁଲ ପିଲାଠୁ ବୁଢା । ମହ ମହ ଧୂପ, ଦୀପ, ନୈବେଦ୍ୟ ସାଙ୍ଗକୁ ଭୋଗ । ବାରିମୂଳ ଆଶ୍ରମ ନୁହେଁ, ଭୁବନେଶ୍ବର କାରଗିଲ ବସ୍ତିରେ ଦେଖିବାକୁ ମିଳିଛି ଏପରି ଦୃଶ୍ଯ । ଏବେ ନୁହେଁ ଜୀବନ ଥିବା ଯାଏଁ ଏମାନଙ୍କ ପାଇଁ ବାବା ସାରଥୀ ସବୁକିଛି ବୋଲି କହିଛନ୍ତି ଅନୁଗାମୀ ।

ଦୋଳ ପୂର୍ଣ୍ଣିମାରେ କେବଳ ରାଜଧାନୀ ନୁହେଁ, ସାରା ଓଡିଶାରେ ଚାଲିଛି ସାରଥିଙ୍କ ପୂଜାର୍ଚ୍ଚନା । ଭଜନ ଓ କୀର୍ତ୍ତନ ସରିବା ପରେ ଫଗୁ ଓ ଲହୁଡି ଖେଳ ଖେଳିଛନ୍ତି ଅନୁଗାମୀ । କୋରାପୁଟ ଜିଲ୍ଲା ଫାମ୍ପୁଣିରେ ମଧ୍ୟ ସାରଥି ବାବାଙ୍କ ପୂଜାର୍ଚ୍ଚନା କରାଯାଇଛି । ଫାମ୍ପୁଣିରେ କରାଯାଇଛି ସ୍ଵତନ୍ତ୍ର ମନ୍ଦିର । ନବନିର୍ମିତ ସ୍ଥାୟୀ ମନ୍ଦିରର ପ୍ରତିଷ୍ଠା କରାଯିବା ସହିତ ହୋମ ଯଜ୍ଞ କରାଯାଇଛି । ସାରଥିଙ୍କୁ ଶ୍ରୀଜଗନ୍ନାଥଙ୍କ ସହ ତୁଳନା କରିଛନ୍ତି । ତୁଳସୀ ଓ ଫୁଲ ଦେଇ କରିଛନ୍ତି ପୂଜାର୍ଚ୍ଚନ । ବାବାଙ୍କ ବଡ଼ ଫଟୋ ରଖାଯାଇଥିବା ବେଳେ ପାଖରେ ପ୍ରଭୁ ଜଗନ୍ନାଥଙ୍କ ଏକ ଛୋଟିଆ ଫଟୋ ଥିବାରୁ ଅନେକ ଲୋକେ ଏହାକୁ ନାପସନ୍ଦ କରିଛନ୍ତି ।

ହାଇକୋର୍ଟ ସାରଥି ଓରଫ ସନ୍ତୋଷ ରାଉଳଙ୍କୁ ଆଶ୍ରମରେ ପ୍ରବଚନ ଦେବାରେ ରୋକ ଲଗାଇଛନ୍ତି । ସାରଥି କେନ୍ଦ୍ରପଡା ଯାଇ ପାରିବେ, ହେଲେ ବାରିମୂଳ ଆଶ୍ରମ ନୁହେଁ । ତେବେ ସାରଥୀଙ୍କୁ ନେଇ ଏବେ ସତସଙ୍ଗ କରିବା ଚର୍ଚ୍ଚା ଜୋର ଧରିଛି ।

 

ନଦୀ ଭିତରେ ଫଟୋ ଉଠାଇବା ହେଲା କାଳ, ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ରାୟଗଡ଼ା: ନଦୀରେ ପଶି ଫଟୋ ଉଠାଇବା ହେଲା କାଳ । ନାଗାବଳୀ ନଦୀରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କୁ ମୃତ୍ୟୁ । ମାଆ, ମଝି ଘରିଆଣୀଙ୍କ ଦର୍ଶନ ପାଇଁ ଆନ୍ଧ୍ରପ୍ରଦେଶରୁ ଆସିଥିବା ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବିଜୟୱ।ଡା ପାଡ଼ମେଟା ଗାଁର ୧୮ ବର୍ଷୀୟ ସାଇ କ୍ରୀଷ୍ଣା ।

ଗତକାଲି ବିଜୟୱ।ଡା ଅଞ୍ଚଳରୁ ପରିବାର ସହିତ ଅଧିଷ୍ଟାତ୍ରୀ ଦେବୀ ମାଆ ମଝି ଘରିଆଣୀଙ୍କ ଦର୍ଶନ ପାଇଁ ଆସିଥିଲେ ସାଇ । ପରିବାରରେ ଥିବା ୧୬ଜଣ ଆଜି ସକାଳ ୧୧ଟାରେ ମାରିଗୁଡ଼ା ଦେଇ ପ୍ରଭାହିତ ହେଉଥିବା ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ସାଇ କ୍ରୀଷ୍ଣ ନଦୀ ଭିତରକୁ ଯାଇ ଫଟୋ ଉଠାଉଥିଲେ । ଏହି ସମୟରେ ନଦୀ ସ୍ରୋତରେ ସାଇ ଭାସି ଯାଇଥିଲେ । ପରିବାର ଲୋକେ ସାଇକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ସାଇ କ୍ରୀଷ୍ଣାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ।

ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଝୋଲାପୋଲ ନିକଟସ୍ଥ ନାଗାବଳୀ ନଦୀ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ନିଶେଧାଞ୍ଚଳ ଘୋଷଣା କରାଯାଇଛି । ହେଲେ ପ୍ରତିବର୍ଷ ପର୍ଯ୍ୟଟକ ନଦୀରେ ଗାଧୋଇବା ବେଳେ ବୁଡ଼ି ମୃତ୍ୟୁମୁଖରେ ପଡୁଛନ୍ତି ।

ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ: ପ୍ରସନ୍ନ

ଭୁବନେଶ୍ବର: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଡାକିଥିବା ବୈଠକକୁ ଯିବାକୁ ବିଜେଡି ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯିବାକୁ ପ୍ରତିଶ୍ରୁତି ଦେବା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଥିବା ଚର୍ଚ୍ଚାରେ ପୂର୍ଣ୍ଣେଚ୍ଛଦ ପକାଇଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ସେ ସ୍ପଷ୍ଟ କରିଛନ୍ତିଳ ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ l ଦଳ ଆଜି ବି ସବୁ ରାଜନୈତିକ ଦଳଙ୍କଠାରୁ ସମ ଦୂରତା ବଜାୟ ରଖିଛି ।

ସେ କହିଛନ୍ତି, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯେଉଁ ବୈଠକ ଡାକିଛନ୍ତି ତାହା କୌଣସି ଫ୍ରଣ୍ଟ ତରଫରୁ ଡକାଯାଇ ନାହିଁ । ଜଣେ ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକିଛନ୍ତି । ସେଠିକି ଯିବାରେ ଅସୁବିଧା କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

କାହା ସହ ବିଜେଡି ? ଏନଡିଏ ନାଁ ଇଣ୍ଡିମେଣ୍ଟ ? ଡିଲିମିଟେସନର ସ୍ଵତନ୍ତ୍ର ବୈଠକକୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ନବୀନଙ୍କୁ ନିମନ୍ତ୍ରଣ କରିବା ପରେ ବିଜେଡିର ରାଜନୈତିକ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା । ଏହି ଚର୍ଚ୍ଚା ଭିତରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡିର ନୀତିରେ କୌଣସି ପରିବର୍ତନ ହୋଇନାହିଁ l ଆଜି ବି ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ବଜାୟ ରଖିଛି ଆମ ଦଳ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯେଉଁ ବୈଠକ ଡାକିଛନ୍ତି, ତାହା କୌଣସି ଫ୍ରଣ୍ଟ ତରଫରୁ ଡକାଯାଇ ନାହିଁ। ଜଣେ ମୁଖ୍ୟମନ୍ତ୍ରୀ ବୈଠକ ଡାକିଛନ୍ତି, ସେଠିକି ଯିବାରେ ଅସୁବିଧା କେଉଁଠି l ଜାତୀୟ ରାଜନୀତିରେ ନବୀନ ପଟ୍ଟନାୟକଙ୍କ ଏକ ଅଲଗା ପ୍ରଭାବ ରହିଛି । ତେଣୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ସମସ୍ତେ ତାଙ୍କୁ ଖୋଜନ୍ତି । ବିଜେଡି ଆରମ୍ଭରୁ ସମଦୂରତା ନୀତି ଆପଣାଇଛି ଓ ଆଜି ବି ତାହା ବଜାୟ ରଖିଛି ବୋଲି ସ୍ପଷ୍ଟ କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ଲୋକସଭା ଆସନ ସୀମା ପୁନଃ ନିର୍ଦ୍ଧାରଣକୁ ନେଇ ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ବସିବ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ।  ଏହି ବୈଠକରେ ଯୋଗ ଦେବାକୁ ବିଜେଡିକୁ ନିମନ୍ତ୍ରଣ କରିଛନ୍ତି ଷ୍ଟାଲିନ । ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ ଖୋଦ୍ ଡିଏମକେ ସାଂସଦ ଦୟାନିଧି ମାରନ୍ । ଯିଏ କି ଷ୍ଟାଲିନଙ୍କ ବହୁତ ଘନିଷ୍ଠ ଭାବେ ଜଣାଶୁଣା । ଏଥିରୁ ଜଣାପଡୁଛି ଏହି ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କୁ କେତେ ଗୁରୁତ୍ଵ ଦିଆଯାଉଛି । ଲୋକସଭା ଆସନ ସୀମା ପୁଃନ ନିର୍ଦ୍ଧାରଣରେ କ୍ଷତିଗ୍ରସ୍ତ ହୋଇପାରନ୍ତି ୭ରୁ ୮ଟି ରାଜ୍ୟ । ସେହିସବୁ ରାଜ୍ୟର ନେତାମାନେ ଚେନ୍ନାଇ ବୈଠକରେ ଯୋଗ ଦେବାର ଅଛି । ଡିଲିମିଟେସନରେ ଦକ୍ଷିଣ ଭାରତର ସବୁ ରାଜ୍ୟ ସହ ଓଡ଼ିଶା ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ । ନବୀନ ପଟ୍ଟନାୟକ ସବୁବେଳେ ରାଜ୍ୟର ସ୍ଵାର୍ଥ ପାଇଁ କାମ କରୁଥିବାରୁ ଏହି ପ୍ରସଙ୍ଗରେ ମଧ୍ୟ ଷ୍ଟାଲିନଙ୍କୁ ସମର୍ଥନ କରିଛନ୍ତି । ଗଠନ ହେବା ଦିନରୁ ରାଜ୍ୟର ସ୍ଵାର୍ଥକୁ ଦେଖି ବିଜେଡି ନିଷ୍ପତ୍ତି ନିଏ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ କେ. ରବି ।

ଶାସନରେ ଥିବା ବେଳେ ହେଉ କି ବିରୋଧୀ ଭୂମିକାରେ, ବିଜେଡି ସବୁବେଳେ ଏନଡିଏ ଓ ଇଣ୍ଡିମେଣ୍ଟଠାରୁ ସମଦୂରତା ବଜାୟ ରଖିଛି । ଏଥିରେ କୌଣସି ପରିବର୍ତ୍ତନ କରିନାହିଁ । ଜାତୀୟ ରାଜନୀତିରେ ନବୀନ ପଟ୍ଟନାୟକଙ୍କ ସ୍ଵତନ୍ତ୍ର ପ୍ରଭାବ ରହିଥିବାରୁ ଦେଶରେ କୌଣସି ବଡ଼ ପ୍ରସଙ୍ଗ ଆସିଲେ, ଅନ୍ୟ ଦଳ ନବୀନ ପଟ୍ଟନାୟକଙ୍କ ପରାମର୍ଶ ଓ ସହଯୋଗ ଲୋଡ଼ନ୍ତି । ଲୋକସଭା ସୀମା ପୁନଃ ନିର୍ଦ୍ଧାରଣରେ ବି ଠିକ୍ ସେମିତି ହୋଇଥିବା କୁହାଯାଉଛି ।

ବଲିଉଡରୁ ଆସିଲା ଦୁଃଖଦ ଖବର: ଫିଲ୍ମ ନିର୍ମାତା ଆୟନ ମୁଖର୍ଜୀଙ୍କ ପିତା ଦେବ ମୁଖର୍ଜୀଙ୍କ ବିୟୋଗ

ବଲିଉଡ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଦୁଃଖଦ ଖବର । ଫିଲ୍ମ ନିର୍ମାତା ଆୟନ ମୁଖର୍ଜୀଙ୍କ ପିତା ତଥା ବରିଷ୍ଠ ଅଭିନେତା ଦେବ ମୁଖର୍ଜୀଙ୍କ ପରଲୋକ ଘଟିଛି । ହୋଲି ଦିନରେ ୮୩ ବର୍ଷ ବୟସରେ ଦେବ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଗୋଟିଏ ପଟେ ସାରା ଦେଶରେ ହୋଲି ପାଇଁ ଉତ୍ସବ ପାଳନ ହେଉଥିବା ବେଳେ ଅନ୍ୟପଟେ ବଲିଉଡରୁ ଆସିଛି ଏକ ଦୁଃଖ ଖବର । ଦେବଙ୍କ ବିୟୋଗ ଖବର ଶୁଣିବା ପରେ ସାରା ବଲିଉଡରେ ଶୋକର ଲହରୀ ଖେଳି ଯାଇଛି ।

ରିପୋର୍ଟ ମୁତାବକ, ଦେବ ଦୀର୍ଘ ସମୟ ଧରି ବୀମାରଗ୍ରସ୍ତ ଥିଲେ । ସେଥିପାଇଁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସକାଳୁ ହୋଲିରେ ସେ ଅନ୍ତିମ ନିଃଶ୍ବାସ ତ୍ୟାଗ କରିଥିଲେ । ଦେବଙ୍କ ବିୟୋଗ ତାଙ୍କର ପରିବାରକୁ ଶୋକର ସାଗରରେ ଭସାଇ ଦେଇଥିବା ବେଳେ ଅନ୍ୟପଟେ ବଲିଉଡ ସ୍ତବ୍ଧ ହୋଇପଡ଼ିଛି । ମୁମ୍ବାଇର ଜୁହୁ ସ୍ଥିତ ପବନ ହଂସ ଶ୍ମଶାନ ଘାଟରେ ଆଜି ଦେବଙ୍କର ଅନ୍ତିମ ସଂସ୍କାର କରାଯିବ । ଏହି ଅବସରରେ ବଲିଉଡର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହେବେ । ବଲିଉଡ ସହ ମୁଖର୍ଜୀ ପରିବାରର ଏକ ଗଭୀର ସମ୍ପର୍କ ରହିଥିଲା  । ଅଭିନେତା ଜୟ ମୁଖର୍ଜୀ ଓ ଫିଲ୍ମ ନିର୍ମାତା ଶୋମୁ ମୁଖର୍ଜୀଙ୍କ ସାନ ଭାଇ ଥିଲେ ଦେବ । ଦେବ ସମ୍ପର୍କରେ ବଲିଉଡ ଅଭିନେତ୍ରୀ କାଜୋଲ ଓ ତନିଷା ମୁଖର୍ଜୀଙ୍କ ଚାଚା ଥିଲେ ।

’ଦଙ୍ଗଲ’ ଫିଲ୍ମରେ କାମ କରିବାକୁ କାହିଁକି ଅରାଜି ଥିଲେ ଅମିର: ଫିଲ୍ମ ଆୟ କରିଥିଲା ୨ ହଜାର କୋଟିରୁ ଅଧିକ

ବଲିଉଡ ଅଭିନେତା ଅମିର ଖାନଙ୍କ ଫିଲ୍ ’ଦଙ୍ଗଲ’ ବକ୍ସ ଅଫିସରେ ବମ୍ପର ଆୟ କରିଥିଲା । ଏହି ଫିଲ୍ମ ଚୀନରେ ରିଲିଜ ହେବା ସହ ଇତିହାସ ରଚିଥିଲା । ଦଙ୍ଗଲ ଦେଶର ସବୁଠାରୁ ଅଧିକ ଆୟକାରୀ ଫିଲ୍ମ ଭାବେ ରେକର୍ଡ କରିଥିଲା । ତେବେ ଏହା ମଧ୍ୟରେ ଉକ୍ତ ଫିଲ୍ମକୁ ନେଇ ସାମ୍ନାକୁ ଆସିଛି କିଛି ବଡ଼ ରହସ୍ୟ । ଏହି ଫିଲ୍ମରେ କାମ କରିବାକୁ ଅମିର ଆଗ୍ରହୀ ନଥିଲେ । ଫିଲ୍ମରେ କାମ କରିବାକୁ ସେ ଏକବର୍ଷ ସମୟ ଲଗାଇ ଦେଇଥିଲେ । ସାଧାରଣ ଭାବେ ଅମିର ଦେଶର ଏପରି କିଛି କଳାକାରଙ୍କ ମଧ୍ୟରେ ଗଣାଯାଆନ୍ତି, ଯେଉଁମାନେ କି ଭାବିଚିନ୍ତି ପ୍ରାଜେକ୍ଟ ହାତକୁ ନେଇଥାନ୍ତି । ଅମିର ସର୍ବଦା ଦର୍ଶକଙ୍କୁ କିଛି ନୂଆ ଭେଟି ଦେଇଥାନ୍ତି । ତେବେ ଦେଶର ସର୍ବାଧିକ ଆୟକାରୀ ଫିଲ୍ମରେ ଅମିର କ’ଣ ପାଇଁ କାମ କରିବାକୁ ଇଛୁକ ନଥିଲେ, ତାହା ଏବେ ଫ୍ୟାନ୍ସଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

ଅମିରଙ୍କ ଜନ୍ମଦିନ ଅବସରରେ ଦଙ୍ଗଲ ଫିଲ୍ମର ନିର୍ଦ୍ଦେଶକ ନିତେଶ ତିଓ୍ବାରୀ ଏକ ସାକ୍ଷାତକାରରେ ଏ ପ୍ରସଙ୍ଗରେ ଏକ ବଡ଼ ଖୁଲାସା କରିଛନ୍ତି । ପ୍ରଥମ ଥର ହିଁ ଅମିରଙ୍କୁ ’ଦଙ୍ଗଲ’ ସ୍କ୍ରିପ୍ଟ ପସନ୍ଦ ଆସିଯାଇଥିଲା, ମାତ୍ର ତାହା ତାଙ୍କର କ୍ୟାରିୟର ଉପରେ ପ୍ରଭାବ ପକାଇପାରେ ବୋଲି ଅମିର ଦ୍ବନ୍ଦ୍ବରେ ରହିଥିଲେ । ମହାବୀର ଫୋଗାଟଙ୍କ ଚରିତ୍ର ପାଇଁ ଅମିର ପ୍ରଥମ ପସନ୍ଦ ଥିଲେ । ମାତ୍ର ପରେ ଅମିର ଉକ୍ତ ଚରିତ୍ରରେ କାମ କରିବା ପାଇଁ ରାଜି ହୋଇଯାଇଥିଲେ, ଯାହାକି ଖୁସିର କଥା ବୋଲି ନିତେଶ କହିଛନ୍ତି ।

ଅଜଣା ରୋଗକୁ ନେଇ ବଢ଼ୁଛି ଆତଙ୍କ: ଅଜଣା ରୋଗରେ ୨୫ଟି ଛେଳିଙ୍କ ପ୍ରାଣହାନୀ, କାରଣ ଅସ୍ପଷ୍ଟ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ଆରଦା ଗ୍ରାମରେ ଅଜଣା ରୋଗ । ଅଜଣା ରୋଗରେ ୨୫ ଛେଳିଙ୍କ ମୃତ୍ୟୁ ଘଟିଛି । ଛେଳି ଗୁଡିକ ବିଲରେ ଚରିବା ବେଳେ ଗୋଟିଏ ପରେ ଗୋଟିଏ ଛେଳିଙ୍କ ମୃତ୍ୟୁ ହୋଇଥିଲା । ମୃତର କାରଣ ଅସ୍ପଷ୍ଟ ରହିଛି । ଛେଳି ଚରିବା ବେଳେ ହିଁ ଗୋଟିଏ ପରେ ଗୋଟିଏ ଛେଳି ଗଳି ପଡ଼ି ମୃତ୍ୟୁ ହେଉଥିବା ଲୋକ କହିଛନ୍ତି । ତାପମାତ୍ରା ବୃଦ୍ଧି ଯୋଗୁଁ ଛେଳି ମୃତ ହେଉଚି ବୋଲି ସନ୍ଦେହ କରାଯାଉଛି ।