spot_img
Home Blog Page 118

BARCରେ ପ୍ରବେଶ ପାଇଁ ଯୋଜନା ପଣ୍ଡ ! ନକଲି ବୈଜ୍ଞାନିକ ହୋଇ ବିଦେଶକୁ ପଠାଇଥାନ୍ତେ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଦିଲ୍ଲୀ ପୋଲିସ ଏକ ଅନ୍ତରାଷ୍ଟ୍ରୀୟ ଜାସୁସୀ ନେଟଓ୍ବର୍କର ପର୍ଦ୍ଦାଫାସ କରିଛି । ପୋଲିସ ଆଦିଲ ହୁସୈନ ଓ ଅଖତର ହୁସୈନଙ୍କୁ ଗିରଫ କରିଛି । ସେମାନେ BARCର ନକଲି ବୈଜ୍ଞାନିକ ହୋଇ ବୁଲୁଥୁଲେ । ସେମାନେ ଫର୍ଜି ପରିଚୟ ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରି ବିଦେଶ ଏଜେନ୍ସିଙ୍କୁ ପଠାଇବାକୁ ଷଡ଼ଯନ୍ତ୍ର ରଚିଥିଲେ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏହି ଜାସୁସୀ ନେଟଓ୍ବର୍କର ଖୁଲାସା କରିଛି । ଅଭିଯୁକ୍ତ ଆଦିଲ ଓ ତା’ ଭାଇ ଅଖତର ନିଜକୁ ମୁମ୍ବାଇ ସ୍ଥିତ ଭାଭା ପରମାଣୁ ଅନୁସନ୍ଧାନ କେନ୍ଦ୍ରର (BARC)ର ବୈଜ୍ଞାନିକ କହୁଥିଲେ । ଇରାନର ପରମାଣୁ ଏଜେନ୍ସି ଓ ଆଇଏସଆଇ ପର୍ଯ୍ୟନ୍ତ ସେମାନଙ୍କର ନେଟଓ୍ବର୍କ ରହିଥିଲା ।

ସେମାନଙ୍କ ପାଖରୁ ନକଲି ପାସପୋର୍ଟ, ନକଲି ପରିଚୟପତ୍ର ଓ ବହୁ ସମ୍ବେଦନଶୀଳ ଡକ୍ୟୁମେଣ୍ଟ ଜବତ କରାଯାଇଛି । ସେମାନେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରର ୩ ଫର୍ଜି ଆଇଡି କାର୍ଡ ତିଆରି କରିଥିଲେ । ସେହି ଆଇଡି ମାଧ୍ୟମରେ ସେମାନେ ସେଣ୍ଟରକୁ ପ୍ରବେଶ କରିବାକୁ ଯୋଜନା କରୁଥିଲେ । ମାତ୍ର ତା’ ପୂର୍ବରୁ ସେମାନଙ୍କୁ ପୋଲିସ ଗିରଫ କରିଛି । ସୂତ୍ର ମୁତାବକ, ଅଭିଯୁକ୍ତମାନେ ଭାବା ସେଣ୍ଟରର ଲୋକ ଓ ଅନ୍ୟ ଅଧିକାରୀଙ୍କ ଡକ୍ୟୁମେଣ୍ଟର ନକଲ କପି ପ୍ରସ୍ତୁତ କରୁଥିଲେ । ନିଜକୁ ସେମାନେ ବୈଜ୍ଞାନିକ ଭାବେ ପ୍ରମାଣିତ କରିବାକୁ ଲାଗି ପଡ଼ିଥିଲେ । ଏହି ମାମଲା ଦେଶର ସୁରକ୍ଷା ସହ ଜଡ଼ିତ ଗମ୍ଭୀର ଜାସୁସୀ ନେଟଓ୍ବର୍କ ହୋଇପାରେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ପୋଲିସ ଏସଆଇ ନିଯୁକ୍ତି ମହାକେଳେଙ୍କାରୀ ଘଟଣା: ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ

ପୋଲିସ ଏସଆଇ ନିଯୁକ୍ତି ମହାକେଳେଙ୍କାରୀ ଘଟଣା। ଜାଲିଆତି ମାମଲାରେ ଗିରଫ ହୋଇଥିବା ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ। ୫୦ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ। ତେବେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସମେତ ୯ ଦଲାଲଙ୍କୁ ମିଳିନି ଜାମିନ। ଜାମିନ ମିଳିବା ପରେ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିବେ ପରୀକ୍ଷାର୍ଥୀ। ନିଯୁକ୍ତି କେଳେଙ୍କାରୀ ଘଟଣାରେ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ୩ ଦଲାଲଙ୍କୁ ଗିରଫ କରିଥିଲା ପୋଲିସ। ଭୁବନେଶ୍ଵରରୁ ୩ଟି ବସ ଯୋଗେ ବିଜୟୱାଡା ଯିବାବେଳେ ଶ୍ରୀକାକୁଲମରୁ ଧରିଥିଲା ବ୍ରହ୍ମପୁର ପୋଲିସ। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ।

ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ପୂର୍ବରୁ କରିଥିବାବେଳେ ଏବେ ଏହି ମାମଲାର ତଦନ୍ତ ସିବିଆଇ କରିବ। ମାମଲାରେ ଏଯାଏଁ ଗିରଫ ହୋଇଛନ୍ତି ୧୨୩ ଜଣ। ୧୧୪ ଆଶାୟୀ ଓ ୯ ଦଲାଲ ଗିରଫ ହୋଇଛନ୍ତି। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ହାଇକୋର୍ଟରେ ଖାରଜ ହୋଇଛି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ପତ୍ନୀ ଦିପ୍ତିମୟୀ ସାହୁଙ୍କ ଆଗୁଆ ଜାମିନ ଆବେଦନ। ଏଭଳି ସଙ୍ଗୀନ ମାମଲାରେ ଆଗୁଆ ଜାମିନ ଦେବାକୁ ମନା କରିଥିଲେ ହାଇକୋର୍ଟ। ପୋଲିସ ଏସଆଇ ଚାକିରି ଲାଗି କୋଟି କୋଟି ଟଙ୍କାର ଅର୍ଥ କାରବାର ହୋଇଥିବା ସନ୍ଦେହ କରାଯାଉଛି। ପ୍ରତି ଆଶାୟୀ ପରୀକ୍ଷାଙ୍କ ପିଛା ୨୫ ଲକ୍ଷ ନେବାକୁ ହୋଇଥିଲା ଡିଲ। ପ୍ରତି ଆଶାୟୀ ୧୦ ଲକ୍ଷ ଲେଖାଏଁ ଅଗ୍ରୀମ ଦେଇଥିଲେ। ସେମାନଙ୍କୁ ପରୀକ୍ଷା ପୂର୍ବରୁ ଉତ୍ତର ପୁସ୍ତିକା ସହ ଅଭ୍ଯାସ କରିବାକୁ ଆନ୍ଧ୍ରପ୍ରଦେଶ ନିଆଯାଉଥିଲା।

ବାତ୍ୟା ମୋନ୍ଥା ପ୍ରଭାବରେ ପ୍ରବଳ ବର୍ଷା: ବିଲରେ ଲହଡି ଭାଙ୍ଗୁଛି ବର୍ଷା ପାଣି, ଚିନ୍ତାରେ ଚାଷୀ

ବାତ୍ୟା ମୋନ୍ଥା ପ୍ରଭାବରେ ପ୍ରବଳ ବର୍ଷା । ଏହି ବର୍ଷା ଏବେ କାମାକ୍ଷାନଗର ଅଞ୍ଚଳର ଚାଷୀଙ୍କ ପାଇଁ କାଳ ସାଜିଛି । ବର୍ଷସାରା ବାରହା, ହାତୀ ତଥା ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବରେ ଚାଷୀମାନେ କ୍ଷତି ସହୁଥିଲେ । ଏବେ ପ୍ରବଳ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । କାମାକ୍ଷାନଗର ବ୍ଲକ କଂଗେଇଲ ଗାଁରେ ଏକର ଏକର ଧାନ ଫସଲ ବର୍ଷା ଯୋଗୁଁ ଶୋଇ ପଡ଼ିଥିବା ବେଳେ ବିଲରେ ଲହରୀ ଭାଙ୍ଗୁଛି ବର୍ଷା ପାଣି l

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ୨ ବର୍ଷ ୭ମାସର କୁନି ଝିଅ

ପ୍ରତିଭା ପ୍ରସ୍ଫୁଟିତ ହେବାପାଇଁ କୌଣସି ବାଧା କେବେ ଅଟକାଇ ପାରେ ନାହିଁ କିମ୍ବା ବୟସ ଏଥିରେ ବାଧକ ସାଜିପାରେ ନାହିଁ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୨ ବର୍ଷ ୭ମାସର କୁନି ଝିଅ । ପୁରୀ ଚକରତୀର୍ଥ ରୋଡ ନୂଆସାହିର ଶିବପ୍ରସାଦ ଦାସ ଓ ମନସ୍ମିତା ମହାନ୍ତିଙ୍କ ଝିଅ ସମନ୍ୱିତା ଦାସ । ଏବେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସମନ୍ୱିତା ୮୫ଟି ଇଂରାଜୀ ବିପରୀତ ଶବ୍ଦ, ଭାରତର ରାଜ୍ୟର ରାଜଧାନୀ ନାମ, ଭାରତର ୯ଟି ପଡୋଶୀ ଦେଶର ନାମ, ୭ଟି ମହାଦେଶ, ୫ଟି ମହାସାଗର, ୮ଟି ଗ୍ରହ, ଭାରତର ଜାତୀୟ ସଙ୍ଗୀତ, ୨୦ଟି ଜାତୀୟ ସଂକେତ, ଭାରତର ବିଭିନ୍ନ ରାଜ୍ୟର ନୃତ୍ୟର ନାମ ପରି ବହୁତ କିଛି ମନେ ରଖି ଅନର୍ଗଳ କହି ପାରୁଛନ୍ତି । ଝିଅର ଏମିତି ପ୍ରତିଭା ଦେଖି ବାପା ଶିବପ୍ରସାଦ ଦାସ ଗତ ସେପ୍ଟେମ୍ବର ମାସ ୩ ତାରିଖରେ ଅନଲାଇନ ଜରିଆରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ନିଜ ଝିଅର ଦକ୍ଷତାକୁ ନେଇ ୨୦ଟି ଭିଡିଓ ଅପଲୋଡ଼ କରି ଆବେଦନ କରିଥିଲେ ।

ଏହି ସମୟରେ ବଛାଯାଇଥିବା ୧୨୦ଟି ସାଧାରଣ ଜ୍ଞାନ, ମଣିଷ ଶରୀରର ୩୨ଟି ଅଙ୍ଗ , ଆଠଟି ଗ୍ରହ, ରାଜ୍ୟ ରାଜଧାନୀ ନାମ, ଜିଲ୍ଲାର ନାମ ସହ, ୨ମିନିଟ ରୁ କମ ସମୟରେ ୮୫ ଟି ଇଂରାଜୀର ବିପରୀତ ଶବ୍ଦ, ଇଂରାଜୀକୁ ନାମ ସହିତ ଋତୁ, ବର୍ଷ, ମାସ, ସପ୍ତାହ, ମହାଦେଶ, ମହାସାଗର ଆଦି ପ୍ରଶ୍ନର ସଠିକ ଉତ୍ତର ରଖିଥିବାରୁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ମନୋନୀତ କରାଯାଇଥିଲା । ପରେ ତାଙ୍କ ଘର ଠିକଣାରେ ଇଣ୍ଡିଆ ବୁକ ଅଫ ରେକର୍ଡର ମାନପତ୍ର, ପରିଚୟ ପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା ।

EPF ବକେୟା ପାଇଁ ସାହାରା ଇଣ୍ଡିଆକୁ ସମ୍ପତି ଜବତ ନୋଟିସ ଦେଲା EPFO

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ସାହାରା ଇଣ୍ଡିଆ ଗ୍ରୁପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି । କମ୍ପାନୀ ଦ୍ବାରା ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଜମା କରାଯାଇଥିବା ୧୧୮୦ କୋଟି ଟଙ୍କା ଭବିଷ୍ୟ ନିଧି (ପିଏଫ) ଓ ପେନସନ ବକେୟା ବିରୋଧରେ ଇପିଏଫଓ ସାହାରାର ସମ୍ପତି ଜବତ କରିବାକୁ ନୋଟିସ ଜାରି କରିଛି । ସାହାରାରେ ଦୀର୍ଘ ସମୟ ଧରି ଆର୍ଥିକ ଅନିୟମିତତା ମଧ୍ୟରେ ଏହି ଖବର ସାମ୍ନାକୁ ଆସିଛି । ଏଜେଣ୍ଟମାନଙ୍କୁ କର୍ମଚାରୀ ଭାବେ ଗ୍ରହଣ କରି  ସେମାନଙ୍କର ପିଏଫ ଯୋଗଦାନ ବାଧ୍ୟତାମୂଳକ କରାଯାଇଛି । ଯଦି ବାକି ଅର୍ଥ ଠିକ୍ ସମୟରେ ଜମା କରାନଯାଏ, ତେବେ ଇପିଏଫଓ ଆଇନ ଅନୁଯାୟୀ ଜବତ ଓ ସୁଧ ସହିତ ଦଣ୍ଡ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ ।

ଇପିଏଫଓର ଲକ୍ଷ୍ନୌ କ୍ଷେତ୍ରୀୟ କାର୍ଯ୍ୟାଳୟ ସାହାରା ଇଣ୍ଡିଆକୁ ନୋଟସ ଜାରି କରି ନିର୍ଦ୍ଦେଶ ଦେଇଛି ଯେ, ୧୫ ଦିନ  ଭିତରେ ୧୧୮୦ କୋଟି ଟଙ୍କା ଜମା କରନ୍ତୁ । ଏଜେଣ୍ଟମାନେ ବାସ୍ତବରେ କମ୍ପାନୀର କର୍ମଚାରୀ ଥିଲେ, ଯେଉଁମାନଙ୍କ ପାଇଁ ପିଏଫ ଯୋଗଦାନ ବାଧ୍ୟତାମୂଳକ ଥିଲା ବୋଲି ଇପିଏଫଓ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ଯଦି ବିଳମ୍ବ ହୁଏ, ତେବେ ଧାରା ୮ବି ରୁ ୮ଜି ଅଧୀନରେ ବିନା ଅତିରିକ୍ତ ନୋଟିସରେ ବକେୟା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ । ସେଥିରେ ସୁଧ ଓ ଜରିମାନାକୁ ସାମିଲ କରାଯିବ । ମୋଟ ବକେୟା ସୁଧ ସହିତ ୩୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ପାରେ ବୋଲି ଅନୁମାନ କରାଯାଉଛି । ୨୦୧୩ ମସିହାରୁ ଜାରି ରହିଥିବା ଯାଞ୍ଚ ପରେ ସାହାରା ଇଣ୍ଡିଆ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ସଂଖ୍ୟା ୧୪କୁ ବୃଦ୍ଧି

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ୪ ଭଡ଼ାଟିଆ ସାର୍ପସୁଟର୍‌ଙ୍କୁ ନିଜ ଘରେ ଆଶ୍ରୟ ଦେବା ଅଭିଯୋଗରେ ଅଳକାପୁରୀ ଅଞ୍ଚଳର ଶୂନ୍ୟଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସେହିଭଳି ଘଟଣାରେ ଆଉ ଜଣଙ୍କୁ ଅଟକ ରଖ୍ ପୋଲିସ ଜେରା କରୁଥିବା ଜଣାପଡ଼ିଛି। ବ୍ରହ୍ମପୁର ଅଳକାପୁରୀ ସ୍ଥିତ ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ଆଶ୍ରୟ ଦିଆଯାଇଥିଲା। ଗିରଫ କର୍ପୋରେଟର ମଳୟ ବିଶୋୟୀଙ୍କ ଅନୁରୋଧ ରକ୍ଷା କରି ଶୂନ୍ୟ ଦାସ ୪ଜଣ ଅପରିଚିତ ବ୍ୟକ୍ତିଙ୍କୁ ଅଜାଣତରେ ନିଜ ଘରେ ଆଶ୍ରୟ ଦେଇଥିବା ନେଇ ଏସପି ସାମ୍ବାଦିକ ସମ୍ମିଳନୀରେ କ‌ହିଥିଲେ ।

ସେପଟେ ଗିରଫ ପୂର୍ବତନ ମେୟର ପିଣ୍ଡୁ ଦାଶଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କୁ ବ୍ରହ୍ମପୁରରୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରାଯିବ। ତେବେ ଫୁଲବାଣୀ ସ୍ଥାନାନ୍ତର ବେଳେ ଖୋଦ୍ ସୁରକ୍ଷା କର୍ମୀଙ୍କଠାରୁ ପିଣ୍ଡୁଙ୍କ ଜୀବନ ପ୍ରତି ବିପଦ ଥୂବା ଆଶଙ୍କା କରିଛନ୍ତି ପିଣ୍ଡୁଙ୍କ ପତ୍ନୀ ଆଶାଲତା ଦାଶ । ଯାହାର ଶୁଣାଣି କରି କୋର୍ଟ ପିଣ୍ଡୁଙ୍କୁ କଡା ସୁରକ୍ଷାବଳୟ ମଧ୍ୟରେ ସ୍ଥାନାନ୍ତର ସୁରକ୍ଷିତ ଫୁଲବାଣୀ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଡି-କମ୍ପାନୀ ପିଆଦା ଦାନିଶ୍ ଚିକନା ଗୋଆରୁ ଗିରଫ, ମୁମ୍ବାଇରେ ଚଳାଉଥିଲା ଡ୍ରଗ୍ ଫ୍ୟାକ୍ଟ୍ରି

ଏନସିବି ଦାଉଦ ଇବ୍ରାହିମର ନିକଟବର୍ତ୍ତୀ ଦାନିଶ୍ ଚିକନାକୁ ଗୋଆରୁ ଗିରଫ୍ କରିଛି। ସେ ଦାଉଦର ଡ୍ରଗ୍ସ ସିଣ୍ଡିକେଟ୍ ସମ୍ଭାଳୁଥିଲା ଏବଂ ଡୋଙ୍ଗରୀରେ ତାର ଫ୍ୟାକ୍ଟ୍ରି ଚଳାଉଥିଲା। ପୂର୍ବରୁ ମଧ୍ୟ ଗିରଫ୍ ହୋଇସାରିଥିବା ଦାନିଶ୍ ମର୍ଚ୍ଚଣ୍ଟ୍, ଯିଏ ଦାନିଶ୍ ଚିକନା ନାମରେ ଜଣାଶୁଣା, ମୁମ୍ବାଇରେ ଡ୍ରଗ୍ସର ବଡ଼ ନେଟୱର୍କ୍ ଚଳାଉଥିଲା।

ପୁଲିସ୍ ଦାନିଶ୍ ଚିକନାକୁ ପଚରାଉଚରା କରୁଛି । ଏହା ପୂର୍ବରୁ ମଧ୍ୟ ତାକୁ ଗତ ବର୍ଷ ଗିରଫ୍ କରାଯାଇଥିଲା। ସେହିପରି ୨୦୧୯ରେ ଏନସିବି ଡୋଙ୍ଗରୀ ଅଞ୍ଚଳରେ ଦାଉଦର ଡ୍ରଗ୍ସ ଫ୍ୟାକ୍ଟ୍ରିର ପର୍ଦ୍ଦାଫାସ କରି କୋଟି କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିଲା। ସେତେବେଳେ ପରିବା ଦୋକାନ ଆଢୁଆଳରେ ଡ୍ରଗ୍ କରାବାର ହେଉଥିଲା ।

ସେତେବେଳେ, ମର୍ଚ୍ଚଣ୍ଟକୁ ପୁଲିସ୍ ରାଜସ୍ଥାନରୁ ଗିରଫ୍ କରିଥିଲା। ଯଦିଓ ସେ କିଛି ସମୟ ପରେ ଜେଲ୍ରୁ ବାହାରକୁ ଆସିଯାଇଥିଲା। ଚିକନା ହିଁ ଦାଉଦର ପୁରା ଡ୍ରଗ୍ କାରବାର ପରିଚାଳନା କରୁଥିଲା। ପୁରା ମୁମ୍ବାଇ ସହିତ ଦେଶବ୍ୟାପୀ ତାର ନେଟୱର୍କ୍ କାମ କରୁଥିଲା। ଅନେକ ଥର ଗିରଫ୍ ହେବା ପରେ ମଧ୍ୟ ସେ ଡ୍ରଗ୍ କାରବାର ଚଳାଉଥିଲା। ଯଦିଓ ପୁଲିସ୍ ପୂର୍ବରୁ ହିଁ ତାର ଫ୍ୟାକ୍ଟ୍ରିକୁ ଧ୍ୱଂସ କରିଦେଇଥିଲା।

ଦାଉଦର ଖାସ୍ ୟୁସୁଫର ଖାସ୍ ହେଉଛି ଚିକନା

ଦାନିଶ୍, ଦାଉଦର ଖାସ ୟୁସୁଫ ଚିକନାର ବଡ଼ ପୁଅ। ଦାଉଦ ସହିତ ମଧ୍ୟ ତାର ଭଲ ସମ୍ପର୍କ ଅଛି। ପୁଲିସ୍ ଦୀର୍ଘ ସମୟ ଧରି ତାର ଖୋଜରେ ଲାଗିଥିଲା। ଯଦିଓ ସେ ପ୍ରତ୍ୟେକ ଥର ପୁଲିସ୍କୁ ଠକିବାରେ ସଫଳ ହେଉଥିଲା। ଗୋଆରୁ ଗିରଫ୍ ହେବା ପରେ ପୁଲିସ୍ ତାକୁ ମୁମ୍ବାଇକୁ ଆଣିବ। ଯେଉଁଠାରେ ତାଠାରୁ ପୁରା ଡ୍ରଗ୍ କାରବାର ସମ୍ପର୍କରେ ପଚରାଉଚରା କରାଯିବ। ଏହା ବିଶ୍ୱାସ କରାଯାଉଛି ଯେ ଏହି ପଚରାଉଚରାରେ ଅନେକ ବଡ଼ ଖୁଲାସା ହୋଇପାରେ।

ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୫ରୁ ଅଧିକ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ, ମେଡିକାଲରେ ଭର୍ତ୍ତି

କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୫ରୁ ଅଧିକ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ । ଆକ୍ରାନ୍ତଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ରାତିରେ ଇଷ୍ଟ ହଷ୍ଟେଲର ଛାତ୍ର ମାନେ ଖାଦ୍ୟ ଖାଇବା ପରେ ହଠାତ ଅସୁସ୍ଥ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତ ଛାତ୍ରଙ୍କ ବର୍ତ୍ତମାନ ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଅଛି । ଦୂଷିତ ପାଣିରୁ ଏଭଳି ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି।

ନୂଆପଡା ଉପ ନିର୍ବାଚନରେ ବିଜେପିକୁ ଝଟକା: ବିଜେଡିରେ ମିଶିଲେ ବିଜେପିର ପୂର୍ବତନ ବିଧାୟକ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା

ନୂଆପଡା ଉପ ନିର୍ବାଚନରେ ବିଜେପିକୁ ଝଟକା । ବିଜେଡିରେ ମିଶିଲେ ବିଜେପିର ପୂର୍ବତନ ବିଧାୟକ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା। ନୂଆପଡାର ଦୁଇ ବିଜେପି ସଂଗଠକ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି । ଦୁଇଜଣ ହେଲେ ସରପଞ୍ଚ ସଙ୍ଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ଉପସଭାପତି ଟେକରାମ ସାହୁ, ପୂର୍ବତନ ନୂଆପଡା ନଗର ସଭାପତି ଉମେଶ ସହିଷ । ତିନି ଯୁବନେତା ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ବିଜେଡିରେ ସାମିଲ ହୋଇଛନ୍ତି ।

ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ତାଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଦିବ୍ୟଶଙ୍କର ମିଶ୍ର ସ୍ୱାଗତ କରିଥିଲେ । ହରିଶଚନ୍ଦ୍ର ପଣ୍ଡା ନୂଆପଡାରେ ଜଣେ ଦୃଢ଼ ସଂଗଠକ । ନିର୍ବାଚନ ପରିଚାଳନାରେ ତାଙ୍କ ସକ୍ରିୟ ଅନୁଭୂତି ରହିଛି । ନୂଆପଡାରେ ବିଜେଡି ସ୍ଥିତି ମଜବୁତ ରହିଛି । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ନୂଆପଡା ଜିଲ୍ଲା ଗଠନ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମୟରେ ନୂଆପଡାରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି, ଯାହାକୁ ଆଜି ବି ନୂଆପଡାବାସୀ ମନେ ରଖିଛନ୍ତି । ଗତ ୧୬ ମାସରେ ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି । ନୂଆପଡା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ହେବ । ବିଜେପି ଜୟ ଢୋଲକିଆଙ୍କୁ ନିଜ ଦଳକୁ ନେଇ ପ୍ରାର୍ଥୀ କରି ବିଜେପି କର୍ମକର୍ତ୍ତାଙ୍କୁ ଅଣଦେଖା କରିଛନ୍ତି । ବସନ୍ତ ପଣ୍ଡାଙ୍କୁ ରାଜ୍ୟସଭା ସାଂସଦ ଓ ତାଙ୍କ ପୁତ୍ର ଅଭିନନ୍ଦନଙ୍କୁ ନିଗମ ଅଧ୍ୟକ୍ଷ ପଦର ପ୍ରତିଶ୍ରୁତି ଦେଇଛି ବିଜେପି । ନୀତି ଆଦର୍ଶ କଥା କହୁଥିବା ବିଜେପି କେବଳ ଡିଲ୍ କରୁଛି ବୋଲି କହିଛନ୍ତି ହରିଶଚନ୍ଦ୍ର ପଣ୍ଡା । ଏହାଦ୍ୱାରା ଅସଲ କର୍ମକର୍ତ୍ତାମାନେ ପ୍ରତାରିତ ହେଉଛନ୍ତି । ଆଗାମୀ ସପ୍ତାହରେ ବିଜେପିର ଶତାଧିକ କର୍ମୀ ବିଜେଡିରେ ଯୋଗଦେବେ । ନୂଆପଡାବାସୀ ଏହି ନିର୍ବାଚନରେ ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବେ ବୋଲି କହିଛନ୍ତି ହରିଶଚନ୍ଦ୍ର ।

ସାଇବର ଠକେଇ ମାମଲା: ଭୁବନେଶ୍ୱରରେ ପଶ୍ଚିମବଙ୍ଗ ପୋଲିସ

ସାଇବର ଠକେଇ ମାମଲା। ଭୁବନେଶ୍ୱରରେ ପଶ୍ଚିମବଙ୍ଗ ପୋଲିସ । ସେୟାର ମାର୍କେଟ ଠକେଇ ଘଟଣାର ତଦନ୍ତ ପାଇଁ ଆସିଛି ପଶ୍ଚିମବଙ୍ଗ ଟିମ । ଭୁବନେଶ୍ୱର ସାଇବର ଥାନା ସହାୟତରେ ତଦନ୍ତ ଜାରି । ଅଭିଯୁକ୍ତ ଦୀପକ ବଳିଆରସିଂକୁ ଧରିବା ପାଇଁ ଆସିଛି ଟିମ । ପାଖାପାଖି ୨୮ ଲକ୍ଷ ଟଙ୍କା ଠକେଇ ନେଇ ହୋଇଥିଲା ଅଭିଯୋଗ।