spot_img
Home Blog Page 1189

ଉତ୍ସବମୁଖର ବଲାଙ୍ଗୀର ଜିଲ୍ଲାର ଶୁଲିଆ ପୀଠ

ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ରସିଦ୍ଧ ଶୁଲିଆଯାତ୍ରା । ଏନେଇ ଉତ୍ସବମୁଖର ବଲାଙ୍ଗୀର ଜିଲ୍ଲାର ଶୁଲିଆ ପୀଠ, ଖଇରଗୁଡ଼ା ଓ କୁମୁରିଆ ଶୁଲିଆ ପୀଠ। ଆଦିବାସୀମାନେ ଆଜି ପାରମ୍ପରିକ ବଳି ଦେଇ ବିଧି ପାଳନ କରିବେ । ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ଆଜି ସକାଳୁ ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିବେ । ଶୁଲିଆ ଗୁଡିରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୂଜକ ଓ ଦେହୁରୀମାନେ ଶୋଭାଯାତ୍ରାରେ ବାହାରି ଶୁଲିଆ ପୀଠକୁ ଆଗମନ କରୁଛନ୍ତି । ଏଠାରେ ପୂଜାର୍ଚ୍ଚନା ପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯିବ  । ପରେ ମାନସିକଧାରୀମାନେ ଆଣିଥିବା ମେଣ୍ଢା, କୁକୁଡ଼ା, ବତକକୁ ଶହ ଶହ ସଂଖ୍ୟାରେ ବଳି ଦିଆଯିବ । ସେପଟେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୁଲିଆ ପୀଠରେ ଏକାଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।.

ନେପାଳରେ ବଡ଼ ଧରଣର ଭୂକମ୍ପ, ଥରିଲା ଉତ୍ତର ଭାରତ

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ସକାଳୁ ସକାଳୁ ଥରିଛି ଉତ୍ତରଭାରତ । ନେପାଳରେ ବଡ଼ ଧରଣର ଭୂକମ୍ପ ହୋଇଥିବାବେଳେ ବିହାର, ପଶ୍ଚିମବଙ୍ଗ ସମେତ ଦିଲ୍ଲୀ ଏନସିଆରରେ ଝଟକା ଅନୁଭୂତ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ । ରିକ୍ଟର ସ୍କେଲର ତିବ୍ରତା ୭.୧ ରହିଥିବା ଜଣାପଡ଼ିଛି । ସକାଳ ୬ଟା ୩୫ ସମୟରେ ଭୂକମ୍ପ ଅନୁଭୂତ ହୋଇଛି ।

ଭୁବନେଶ୍ୱର ବିମାନ ବନ୍ଦରରୁ ୯ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମାରିଜୁଆନା ଜବତ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ବିମାନ ବନ୍ଦରରୁ ୯ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମାରିଜୁଆନା ଜବତ । ଦୁଇ ଯୁବତୀ ଏହାକୁ ଚାଲାଣ କରୁଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ମାଡ଼ି ବସିଲା କଷ୍ଟମ ବିଭାଗ। ୧୯ ଟି ପ୍ୟାକେଟରେ ଚାଲାଣ କରୁଥିଲେ ମାରିଜୁଆନା।ବିମାନ ଯୋଗେ କ୍ବାଲାଲାମ୍ପୁରରୁ ଭୁବନେଶ୍ୱର  ଆସୁଥିଲେ ଦୁଇ ଜଣ ମହିଳା। ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କଷ୍ଟମ ବିଭାଗ।

କାନାଡ଼ାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କଲେ ଜଷ୍ଟିନ ଟ୍ରୁଡୁ

ନନ୍ଦିଘୋଷ ବ୍ୟୁରୋ: କାନାଡ଼ାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଜଷ୍ଟିନ ଟ୍ରୁଡୁ। ଏହା ସହିତ ଲିବେରାଲ ପାର୍ଟି ନେତା ପଦରୁ ବି ଇସ୍ତଫା ଦେଇଛନ୍ତି। ୯ ବର୍ଷ କାଳ ପ୍ରଧାନମନ୍ତ୍ରୀ ପଦରେ ରହିବା ପରେ ଆଜି ସେ ଇସ୍ତଫା ଘୋଷଣା କରିଛନ୍ତି। ଜଷ୍ଟିନ କହିଛନ୍ତି, ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେବା ପର୍ଯ୍ୟନ୍ତ ସେ ପଦରେ ରହିବେ। ନୂଆ ନେତା ଖୋଜିବାକୁ ଦଳର ମୁଖ୍ୟଙ୍କୁ ଅନୁରୋଧ କରିଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଶେଷ କରି ଅର୍ଥନୀତିକୁ ନେଇ ନିଜ ଦଳ ଭିତରୁ ହିଁ ଚାପର ସମ୍ମୁଖୀନ ହୋଇଥିଲେ ଜଷ୍ଟିନ। ଦରଦାମ୍ ବୃଦ୍ଧି ଓ କାନାଡ଼ାକୁ ବାହାର ଦେଶର ଲୋକଙ୍କ ଅଧିକ ଆଗମନକୁ ନେଇ ବଦନାମ୍ ହୋଇଥିଲେ ଜଷ୍ଟିନ୍। ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ଦଳ ଭିତରୁ ହିଁ ବିଦ୍ରୋହ ହୋଇଥିଲା। ଏପରିକି କିଛି ବଡ଼ ବଡ଼ ମନ୍ତ୍ରୀ ତାଙ୍କୁ ବିରୋଧ କରି ଇସ୍ତଫା ଦେଇଥିଲେ।

ଏହା ପରେ ପଦ ଛାଡ଼ିବାକୁ ଜଷ୍ଟିନଙ୍କ ଉପରେ ବହୁତ ଚାପ ପଡ଼ିଥିଲା। ଆସନ୍ତା ଅକ୍ଟୋବରରେ କାନାଡ଼ାରେ ନିର୍ବାଚନ ହେବ। ଜଷ୍ଟିନଙ୍କ ପାଇଁ ତାଙ୍କ ସରକାର ଓ ଦଳର ଲୋକପ୍ରିୟତା କମିଥିବା, ଏପରିକି ଆସନ୍ତା ନିର୍ବାଚନରେ ତାଙ୍କ ଦଳ ହାରିବାର ଆଶଙ୍କା ଥିବା କୁହାଯାଉଛି। ଏହି କାରଣରୁ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଜଷ୍ଟିନ। ତେବେ କାନାଡ଼ାବାସୀଙ୍କ ଧ୍ଯାନ ହଟାଇବାକୁ ସେ ଭାରତ ସହିତ କୂଟନୈତିକ ବିବାଦ ସୃଷ୍ଟି କରିଥିଲେ। ଏପରିକି ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଖୋଲାଖୋଲି ସମର୍ଥନ କରିଥିଲେ। ଏହାକୁ ନେଇ କାନାଡ଼ା ଓ ଭାରତ ମଧ୍ୟରେ ବଡ଼ ବିବାଦ ଦେଖା ଦେଇଥିଲା। କିଛି ମାସ ତଳେ ପରସ୍ପରର କୂଟନୈତିକଙ୍କୁ ଦୁଇ ଦେଶ ବହିଷ୍କାର କରିବା ଭଳି ସ୍ଥିତି ଦେଖା ଦେଇଥିଲା। ଶେଷରେ ନିଜ ଦଳର ଚାପ ଯୋଗୁଁ ଇସ୍ତଫା ଦେବାକୁ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୁ।

ଆସନ୍ତାକାଲି ଅନୁଷ୍ଠିତ ହେବ ପ୍ରସିଦ୍ଧ ଶୁଲିଆଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଅନୁଷ୍ଠିତ ହେବ ପ୍ରସିଦ୍ଧ ଶୁଲିଆଯାତ୍ରା । ଏନେଇ ଉଭୟ ଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରତିବର୍ଷ ଭଳି ବଲାଙ୍ଗୀର ଜିଲ୍ଲା ଶୁଲିଆ ପୀଠ ଖଇରଗୁଡ଼ା ଓ କୁମୁରିଆ ଶୁଲିଆ ପୀଠରେ ଆଦିବାସୀମାନେ ପାରମ୍ପରିକ ବଳି ଦେଇ ବିଧି ପାଳନ କରିବେ । ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ଶୁଲିଆ ଯାତ୍ରା ଦିନ ସକାଳୁ ମୁଖ୍ୟ ପୂଜକ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିଥାନ୍ତି । ଶୁଲିଆ ଗୁଡିରୁ ପରାମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୂଜକ ଓ ଦେହୁରୀମାନେ ଶୋଭାଯାତ୍ରାରେ ବାହାରି ଶୁଲିଆ ପୀଠରେ ପହଞ୍ଚିଥାନ୍ତି । ସେଠାରେ ପୂଜାର୍ଚ୍ଚନା ପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯାଇଥାଏ  । ପରେ ମାନସିକଧାରୀମାନେ ଆଣିଥିବା ମେଣ୍ଢା, କୁକୁଡ଼ା, ବତକକୁ ଶହ ଶହ ସଂଖ୍ୟରେ ବଳି ଦିଆଯାଇଥାଏ  । ଚଳିିତ ବର୍ଷ ମଧ୍ୟ ଏଭଳି ବଳି ଦିଆଯାଇ ପରମ୍ପରା ପାଳନ କରାଯିବ ବୋଲି କହିଛନ୍ତି ଆଞ୍ଚଳିକ ଶୁଲିଆ ଯାତ୍ରା କମିଟି ସଭାପତି ମୟ ପ୍ରଧାନୀ । ସେପଟେ ଯାତ୍ରା ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ଦୁଇ ଜଣ ମାଜିଷ୍ଟ୍ରେଟ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକାଧିକ ପୋଲିସ ଫୋର୍ସ ମୁତୟନ ହେବେ ।

ଭାରତ-ଇଂଲଣ୍ଡ ଦିନିକିଆ ପୂର୍ବରୁ ସଜେଇ ହେଲାଣି ବାରବାଟୀ

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ମାସ ପରେ ଅର୍ଥାତ ଫେବୃଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମ ରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର ମ୍ୟାଚ । ଏଥିପାଇଁ ବାରବାଟୀରେ ୧୫ ଦିନ ହେଲା ଚାଲିଛି ଜୋରସୋର ପ୍ରସ୍ତୁତି । ଷ୍ଟାଡିୟମର ୭ଟି ଯାକ ଗ୍ୟାଲେରୀ ସହ କ୍ଲକ ଟାୱାର, ପାଭିଲିୟନ ଓ ସ୍ପେଶାଲ ଏନକ୍ଲୋଜରର ରଙ୍ଗ କାମ ଦ୍ରୁତ ଗତିରେ ଚାଲିଥିବା ବେଳେ ପଡିଆର ଘାସ କଟା ଓ ପିଚ କାମ ତ୍ବରିତ ଗତିରେ ଚାଲିଛି । ମ୍ଯାଚ ର ଗୋଟିଏ ସପ୍ତାହ ପୂର୍ବରୁ ସବୁ କାମ ସାରିବାକୁ ଲକ୍ଷ୍ଯ ରଖାଯାଇଛି । ଦୁଇ ବର୍ଷ ଆଠ ମାସ ପରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ମ୍ଯାଚ । ଶେଷ ଥର ପାଇଁ ୧୨ ଜୁନ ୨୦୨୨ ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ଯରେ ଏକ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଇଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା । ତେବେ ଏଥର ଭାରତ-ଇଂଲଣ୍ଡ ଭଳି ଦୁଇ ଶକ୍ତିଶାଳୀ ଟିମ ମଧ୍ଯରେ ୫୦ ଓଭର ବିଶିଷ୍ଟ ମ୍ୟାଚ ହେବ। ମ୍ୟାଚ ପାଇଁ ଓସିଏ ଟିକେଟ ଦାମ ଘୋଷଣା କରି ସାରିଥିବା ବେଳେ ଏଥର ୪୪ ହଜାର ଦର୍ଶକ ଖେଳକୁ ଉପଭୋଗ କରିବେ ।

ବୃଦ୍ଧା ମା’କୁ ମାରିଦେଲା ପୁଅ

ନନ୍ଦିଘୋଷ ବ୍ୟୁରୋ: ବୃଦ୍ଧା ମା’କୁ ମାଡ଼ମାରିଲା ଭେଣ୍ଡିଆ ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମଳିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ଖଣ୍ଡରାବଳି ଗାଁରେ । ଏହି ଗାଁର ୭୦ ବର୍ଷୀୟା କାନ୍ତା ବିଷୋୟୀଙ୍କ ୫ଟି ଝିଅ ଥିବା ବେଳେ ଗୋଟିଏ ପୁଅ ଅଛି । ୫ଟି ଝିଅ ଶାଶୂଘରେ ରହିଥିବା ବେଳେ ପୁଅ କାଳିଆ ବିଷୋୟୀ ମା’ ନିକଟରେ ରହିଥାଏ । ଗତକାଲି ରାତିରେ ମା’ ପୁଅ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ  ହୋଇ କାଳିଆ ମାକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । କାନ୍ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ରାସ୍ତାକଡ଼ରେ ପଡିରହିଛନ୍ତି । ଏନେଇ କିନ୍ତୁ ମାଡ ମାରିଥିବା ପୁଅର କୌଣସି ପ୍ରତିକ୍ରିୟା ମିଳିପାରିନି ।

ଆତ୍ମହତ୍ୟା ରୋକିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍

ନନ୍ଦିଘୋଷ ବ୍ୟୁରୋ: ରୋଗୀ ଆତ୍ମହତ୍ୟା କରିବାକୁ ଗଲେ ଡାକ୍ତରଙ୍କୁ ସତର୍କ ସୂଚନା ଦେବ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ । ଆମେରିକାର ଭାଣ୍ଡରବିଲ୍ଟ ୟୁନିଭରସିଟି ଅଫ୍ ମେଡିକାଲ ସାଇନ୍ସ୍ର ବୈଜ୍ଞାନିକମାନେ ଗବେଷଣା କରି ଭେଲ ଏଆଇ ବା VSAIL ବାହାର କରିଛନ୍ତି । ରୋଗୀର ବୈଦ୍ଯୁତିକ ତଥ୍ୟ ଆଧାରରେ ଯଦି ରୋଗୀ ମାନସିକ ସ୍ତରରେ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛି ତାହେଲେ ୩୦ ଦିନ ପୂର୍ବରୁ ଚିକିତ୍ସା କରୁଥିବା ଡାକ୍ତରକୁ ଏହାର ସତର୍କ ସୂଚନା ମିଳିଯିବ । ଯାହାଫଳରେ ସମ୍ପୃକ୍ତ ରୋଗୀକୁ ମାନସିକ ଚିକିତ୍ସା ଦ୍ବାରା ତାକୁ ଆତ୍ମହତ୍ୟା କରିବାରୁ ରକ୍ଷା କରିହେବ ।

ଆତ୍ମହତ୍ୟା ରୋକିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ । ଆମେରିକାର ଭାଣ୍ଡରବିଲ୍ଟ୍ ୟୁନିଭରସିଟି ଅଫ୍ ମେଡିକାଲ ସାଇନସ୍ର ବୈଜ୍ଞାନିକ ଗବେଷଣା କରି ଏପରି ଏକ ନୂଆ AI ଆବିଷ୍କାର କରିଛନ୍ତି । ରୋଗୀର ମନରେ ଯଦି ଆତ୍ମହତ୍ୟା କରିବାର ଇଚ୍ଛା ଜନ୍ମେ । ତାହେଲେ ୩୦ ଦିନ ପୂର୍ବରୁ ରୋଗୀକୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସତର୍କ ସୂଚନା ଦେବ AI । ଯାହାକୁ କହୁଛନ୍ତି ଭାଣ୍ଡରବିଲ୍ଟ ସୁଇସାଇଡ ଆଟେମ୍ପ୍ଟ ଆଣ୍ଡ୍ ଆଇଡିଏସନ୍ ଲାଇକ୍ଲିହୁଡ୍ ମଡେଲ  ବା VSAIL । ମାନସିକ ରୋଗ ଚିକିତ୍ସକଙ୍କ ମତରେ ଏପରି ଆବିଷ୍କାର ଆତ୍ମହତ୍ୟା ରୋକିବା କ୍ଷେତ୍ରରେ ବଡ଼ ବିପ୍ଲବ ଆଣିବ ।

ଆଜିକାଲି ଭଲ ସୁସ୍ଥ ଲୋକଙ୍କ ଭିତରେ ଛୋଟ ଛୋଟ କଥାରୁ ଆତ୍ମହତ୍ୟାପ୍ରବଣତା ବଢୁଛି । ପ୍ରେମରେ ଅସଫଳ, ଅତିରିକ୍ତ ମାନସିକ ଚାପ, ପରୀକ୍ଷାରେ ଭଲ ଫଳ ନ ମିଳିବା, ବିଷାଦଗ୍ରସ୍ତ, ବ୍ୟବସାୟରେ କ୍ଷତି, ହଠାତ ଆତ୍ମୀୟଙ୍କ ପ୍ରାଣହାନୀ, ଦୁର୍ଘଟଣାରେ ଦିବ୍ୟାଙ୍ଗ ହୋଇଗଲେ ବ୍ୟକ୍ତି ତାର ମାନସିକ ସନ୍ତୁଳନ ହରାଉଛି । କେବଳ ବିଷାଦଗ୍ରସ୍ତ ହେଲେ ଆତ୍ମହତ୍ୟା କରୁନାହାନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ବ୍ୟକ୍ତିର ଲକ୍ଷଣରେ ବ୍ୟାପକ ପରିବର୍ତ୍ତନ ଦେଖାଦେବ । ଲୋକଟି ସମସ୍ତଙ୍କ ସହିତ ମିଶୁଥିବ, ହଠାତ୍ ଦେଖାହେବା, ମିଶିବା ବନ୍ଦ କରିଦିଏ । ଖାଇବାକୁ ଇଚ୍ଛା ତାର ମରିଯିବ । ହଠାତ ସମସ୍ତଙ୍କୁ ମିଠା ବାଣ୍ଟିବ । ରୋଗୀର ମାନସିକ ସ୍ତରରେ ଏପରି ପରିବର୍ତ୍ତନ ଦେଖାଦେଲେ VSAIL ଡାକ୍ତରଙ୍କୁ ସତର୍କ କରାଇଦେବ ।

ଡାକ୍ତର ରୋଗୀର ଲକ୍ଷଣ ଦେଖି ଚିକିତ୍ସା କରେ । କିନ୍ତୁ ତାର ମାନସିକ ସ୍ତରରେ କଣ ଚାଲିଛି । ତାକୁ ଡାକ୍ତର ଜାଣିପାରିବନି । ନୂଆ ଗବେଷଣା ଅନୁଯାୟୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ ସ୍ବୟଂକ୍ରିୟ ଭାବେ କାମ କରିବ  । ପୂର୍ବରୁ ଗଚ୍ଛିତ ଥିବା ରୋଗୀର ତଥ୍ୟକୁ ବିଶ୍ଲେଷଣ କରି ସେହି ରୋଗୀଟି ଯେତେଦୂରରେ ଥିଲେ ବି ତାର ମସ୍ତିଷ୍କରେ ଘଟୁଥିବା ପରିବର୍ତ୍ତନକୁ ଜ୍ୟୋତିଷ ଭଳି ପୂର୍ବାନୁମାନ କରି କହିଦେବ ଏଆଇ । ଯେତେବେଲେ ଡାକ୍ତର ସମ୍ପୃକ୍ତ ରୋଗୀ ପାଇଁ ଚିକିତ୍ସା ସେବାରେ କିଛି ପରିବର୍ତ୍ତନ କରିବାକୁ ଯାଉଥିବେ ।

ଏହି ସମୟରେ AI ତାର ମାନସିକ ସ୍ତରରେ ଆତ୍ମହତ୍ୟା କରିବାକୁ ଥିବା ଇଚ୍ଛା ଜନ୍ମିବା ନେଇ ସତର୍କ ସୂଚନା ପଠାଇଲେ ରୋଗୀର ଜୀବନ ବଞ୍ଚାଇହେବ । ଏହା ଏବେ ଆମେରିକାରେ ପରୀକ୍ଷା ନିରୀକ୍ଷା ଚାଲିଛି । ଆଗକୁ ଭାରତରେ ଏହି AI ଉପଲବ୍ଧ ହେବ । କେବଳ ଦୁରାରୋଗ୍ୟ ଚିକିତ୍ସାଧୀନ ରୋଗୀଙ୍କ କଥା ନୁହେଁ । ତଥ୍ୟରୁ ଜଣାପଡ଼ିଛି ଆତ୍ମହତ୍ୟା କରିଥିବା ୭୭ ପ୍ରତିଶତ ବ୍ୟକ୍ତି ଆତ୍ମହତ୍ୟା କରିବାର ବର୍ଷକ ପୂର୍ବରୁ ପ୍ରାଥମିକ ଚିକିତ୍ସକଙ୍କଠାରୁ ପରାମର୍ଶ ନେଇଥାନ୍ତି ।

ଏବେ ଇଣ୍ଟରନେଟ୍ ଯୁଗରେ ଆତ୍ମହତ୍ୟା କରିବା ପାଇଁ ବହୁ ଉପାୟ ଉପଲବ୍ଧ ହେଉଛି । ଯେଉଁଥିପାଇଁ ଛୋଟ ପିଲାଠୁ ଆରମ୍ଭ କରି ଉଚ୍ଚ ଶିକ୍ଷିତ ବ୍ୟକ୍ତି ଆତ୍ମହତ୍ୟା କରିବା ଘଟଣା ସାମନାକୁ ଆସୁଛି । ନୂଆ AI ସବୁ ଡାକ୍ତରଖାନାରେ ଯେତେ ଶୀଘ୍ର ଉପଲବ୍ଧ ହେବ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ । ଖାଲି ଚିକିତ୍ସା କ୍ଷେତ୍ରରେ ନୁହେଁ, ଧୀରେ ଧୀରେ ଏହାର ବ୍ୟବହାର ପୋଲିସ ପାଇଁ ବି ହୋଇପାରିବ।

ମଣ୍ଡିରେ ଉଠୁନି ଧାନ, ହନ୍ତସନ୍ତ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ଚାଷୀକୁଳକୁ ସରକାର ଅଣଦେଖା କରୁଛନ୍ତିl ମଣ୍ଡିରେ ଅବ୍ୟବସ୍ଥା ଜାରି ରହିବା ସହ ଚାଷୀଙ୍କ ଉପରେ ଶୋଷଣ ବଢି ବଢି ଚାଲିଛି। ଯାହାକୁ ନେଇ ବିଧାସଭା ଷ୍ଟାଣ୍ଡିଂ କମିଟିରେ ଉଦବେଗ ପ୍ରକାଶ ପାଇଛି। ଖୁବଶୀଘ୍ର ବିଧାନସଭାର ଷ୍ଟାଣ୍ଡିଂ କିମଟି ସଦସ୍ୟ ଧାନମଣ୍ଡି ବୁଲିବା ସହ ଚାଷୀଙ୍କ ଦୁଃଖ ବୁଝିବେ। ମଣ୍ଡିରେ କଟନି ଛଟନି ଲାଗି ରହିଥିବାରୁ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର କାଡ଼ାମ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ଯାହାକୁ ନେଇ ଶାସକ ଓ ବିରୋଧୀ ମୁହାମୁହିଁ ।

ମଣ୍ଡିରେ ଉଠୁନି ଧାନ, ହନ୍ତସନ୍ତ ଚାଷୀ। ବିଧାନସଭାର ଷ୍ଟାଣ୍ଡିଂ କମିଟି ବୈଠକରେ ଝଡ଼। ମଣ୍ଡିରେ ମିଲର ରାଜ, ଚୁପ ସରକାରୀ ଅଧିକାରୀ। ସମସ୍ୟା ପାଇଁ ମଣ୍ଡି ବୁଲିବ ବିଧାନସଭା କମିଟି। ରାଜ୍ୟ ସରକାରଙ୍କ ଘୋଷଣା ଗୋଟେ ପଟେ,ବାସ୍ତବତା କିନ୍ତୁ ଓଲଟା। ମଣ୍ଡିରୁ ଧାନ ଉଠି ପାରୁନି। କଟନି ଛଟନିରୁ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ସରକାରୀ ଅଧିକାରୀନେ ଚୁପ ବସିଛନ୍ତି।ଯାହାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ଉଦବେଗ ପ୍ରକାଶ ପାଇଛି। କମିଟିର ଅଧ୍ୟକ୍ଷ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଧାନ ମଣ୍ଡି ସମସ୍ୟା ନେଇ ଯୋଗାଣ ବିଭାଗ ଅଧିକାରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ମଣ୍ଡିରେ ଧାନ ଉଠୁନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି।ଖୁବଶୀଘ୍ର ବିଧାନଭା କମିଟି ଧାନ ମଣ୍ଡି ବୁଲିବା ସହ ଚାଷୀଙ୍କ ସମସ୍ୟା ପ୍ରଚାରି ବୁଝିବେ। ରାଜ୍ୟ ସରକାର ଭାଷଣବାଜିରୁ ଦୂରେଇ ରହି ଚାଷୀଙ୍କ ସମସ୍ୟା ଦୂର କରିବାକୁ ଦାବି କରିଛି କମିଟି। ବିଜେଡି ମଧ୍ୟ  ବିଧାନସଭା କମିଟି ନିଷ୍ପତିକୁ ସ୍ବାଗତ କରିବା ସହ ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଘେରିଛି।

ରାଜ୍ୟରେ ଅନେକ ଜିଲ୍ଲାରେ ମଣ୍ଡି ଠିକ ଭାବେ ଖୋଲି ନାହିଁ ବୋଲି କମିଟି ବୈଠକରେ ଉଦବେଗ ପ୍ରକାଶ ପାଇଛି। ଦଲାଲଙ୍କ କବଜାରେ ଧାନ ମଣ୍ଡି ଥିବାବେଳେ ସମସ୍ୟା ବଢ଼ି ବଢ଼ି ଚାଲିଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ସେପଟେ ଉତ୍ତର ରଖି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ୬ ମାସର ବିଜେପି ସରକାର ମଣ୍ଡି ସମସ୍ୟା ଦୂର କରିବାକୁ ନେଇଛନ୍ତି ଅନେକ ପଦକ୍ଷେପ। ଜାନୁଆରୀ ମାସ ଦ୍ବିତୀୟ ସପ୍ତାହ ପରେ ରାଜ୍ୟର ବିଭିନ୍ନ ଧାନମଣ୍ଡି ବୁଲିବ ବିଧାନସଭା କମିଟି। ଦେଖିବାର କଥା କମିଟି ପ୍ରସ୍ତାବକୁ କେତେ ଗୁରୁତ୍ବ ଦେଉଛନ୍ତି ସରକାର। ଏଥିରେ ଚାଷୀମାନଙ୍କ ଦୁଃଖ ଦୂର ହେଉଛି ନାଁ ଯଥା ପୂର୍ବଂ ତଥା ପରଂ ନୀତିରେ ଚାଲିବ ମଣ୍ଡି ।

 

ଦିନକରେ ଦେଶରେ ୬ HMPV ପଜିଟିଭ ଚିହ୍ନଟ

ନନ୍ଦିଘୋଷ ବ୍ୟୁରୋ: ଦିନକରେ ଦେଶରେ ୬ HMPV ପଜିଟିଭ ଚିହ୍ନଟ। ବେଙ୍ଗାଳୁରୁରେ ଆଜି ପ୍ରଥମ HMPV ପଜିଟିଭ ଚିହ୍ନଟ ହୋଇଥିଲା। ବେଙ୍ଗାଳୁରୁରେ ପ୍ରଥମେ ଜଣେ ୮ ମାସର ଶିଶୁ ଠାରେ ହ୍ୟୁମାନ ମେଟାନ୍ୟୁମୋଭାଇରସ ବା HMPV ଚିହ୍ନଟ ହୋଇଥିଲା। ବେଙ୍ଗାଳୁରୁର ବାପ୍ଟିଷ୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶିଶୁଠାରେ ଏହି ଭୂତାଣୁକୁ ଚିହ୍ନଟ କରାଯାଇଛି। ସେହିପରି ଆଉ ଜଣେ ୩ ମାସର ଶିଶୁଠାରେ ମଧ୍ୟ ଏହି HMPV ଚିହ୍ନଟ ହୋଇଛି। ତେବେ ୩ ମାସର ସିଶୁ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେହିପରି ତୃତୀୟ ପଜିଟିଭ ଗୁଜରାଟ ଅହମ୍ମଦାବାଦରୁ ଚିହ୍ନଟ ହୋଇଛି। ଅହମ୍ମଦାବାଦରେ ଜଣେ ୨ ମାସ ଶିଶୁଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଚେନ୍ନାଇରେ ଦୁଇ ଜଣ ଏବଂ କୋଲକାତାରେ ମଧ୍ୟ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଏବଂ ସେମାନଙ୍କ ପରିବାରର ନିକଟରେ କୌଣସି ବିଦେଶ ଯାତ୍ରା ରେକର୍ଡ ନାହିଁ। ଏହି ଭାଇରସ ସାଧାରଣତଃ ୧୧ ବର୍ଷ ବୟସରୁ କମ ବୟସର ଶିଶୁଙ୍କ କ୍ଷେତ୍ରରେ ଦେଖାଯାଏ। ଫ୍ଲୁ ନମୁନା ମଧ୍ଯରୁ ୦.୭ ପ୍ରତିଶତ କ୍ଷେତ୍ରରେ ଏହି ଭାଇରସ ମିଳିଥାଏ। କିଛି ଦିନ ଧରି ଏହି ଭୂତାଣୁକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି। ଭୂତାଣୁର ସମ୍ଭାବ୍ୟ ସଂକ୍ରମଣ ନେଇ ବି ପ୍ରସ୍ତୁତ ରହିଛନ୍ତି କେନ୍ଦ୍ର ସରକାର।