spot_img
Home Blog Page 1193

ନିକିତାଙ୍କ ଜାମିନ୍ ପରେ ଏମିତି କହିଲେ ଅତୁଲଙ୍କ ବାପା

ନନ୍ଦିଘୋଷ ବ୍ୟୁରୋ: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ପତ୍ନୀ ନିକିତା ଏବଂ ତାଙ୍କ ମାଙ୍କୁ ଜାମିନ ମିଳିବା ପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଅତୁଲଙ୍କ ପିତା । ସେ କହିଛନ୍ତି କି, ଛୁଆଙ୍କୁ ଅସ୍ତ୍ରଭାବେ ବ୍ୟବହାର କରି ବେଲ ନେଇଛନ୍ତି ନିକିତା । କୋର୍ଟକୁ ଭୁଲ ତଥ୍ୟ ଦେଇ ଜାମିନ ନେଇଛନ୍ତି । ଜାମିନ ନାମଞ୍ଜୁର ହେବା ପାଇଁ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।  ଏହାସହ ନିକିତାଙ୍କ ଜାମିନ ଆବେଦନକୁ ଖାରଜ କରିବାକୁ କୋର୍ଟରେ ଆବେଦନ କରିଛନ୍ତି ପଓ୍ବନ ମୋଦି ।

ଅତୁଲଙ୍କ ପିତା କହିଛନ୍ତି କି, ନିକିତା ତାଙ୍କ ପିଲାଙ୍କୁ ବୋଡିଂ ସ୍କୁଲକୁ ପଠାଇଛନ୍ତି । ସେଠାରେ ସେ ଦୁଇବର୍ଷ ରହିବେ । ମାତ୍ର ମିଛରେ ପିଲାଙ୍କ ଲାଳନ ପାଳନ ବାହାନା କରି ବେଶ ପାଇଁ ଆବେଦନ କରିଛନ୍ତି । ଏପରିକି ପିଲାଙ୍କ ବାହାନାରେ ଅତୁଲଙ୍କଠାରୁ ମଧ୍ୟ ବ୍ଲାକମେଲ କରି ଟଙ୍କା ନେଉଥିଲେ । ଏହାସହ ଅତୁଲଙ୍କ ପିତା କହିଛନ୍ତି କି, ପିଲାଙ୍କ ସୁରକ୍ଷା ଏବଂ ଜାମିନ ଖାରଜ କରିବା ପାଇଁ ଦରକାର ପଡ଼ିଲେ ସୁପ୍ରିମକୋର୍ଟକୁ ମଧ୍ୟ ଯିବେ । ଏହାସହ ପୁଅର ଭିଡିଓ ବାର୍ତ୍ତାର ବିଭିନ୍ନ ଉଦାହରଣ ଦେଇ ନିକିତାଙ୍କୁ ଦାୟୀ ମଧ୍ୟ କରିଛନ୍ତି ।

ଦଳରୁ ବାହାରିବେ କି ରୋହିତ-କୋହଲି ? କାହିଁକି ଏମିତି ଇଶାରା ଦେଲେ ଗମ୍ଭୀର

ନନ୍ଦିଘୋଷ ବ୍ୟୁରୋ: ସିଡନୀ ଟେଷ୍ଟରେ ପରାଜୟ ପରେ ଭାରତୀୟ ଦଳ ବର୍ଡର ଗାଭାସ୍କର ଟ୍ରଫିର ସିରିଜ ହାରିଛି । ଲଜ୍ଜାଜନକ ପରାଜୟ ଯେତିତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ରୋହିତ-କୋହଲିଙ୍କ ପ୍ରଦର୍ଶନ ଏହାଠାରୁ ଅଧିକ ଗଣମାଧ୍ୟମରେ ହେଡଲାଇନ ପାଲଟିଛି । ୩-୧ରେ ଅଷ୍ଟ୍ରେଲିଆ ସିରିଜ ଜିତିଥିବାବେଳେ ଓ୍ବାଲ୍ଟ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ନିଜର ସ୍ଥାନକୁ ପକ୍କା କରିଛି । ବିରାଟ ଏବଂ ରୋହିତ ସମ୍ପୂର୍ଣ୍ଣ ସିରିଜରେ ଫ୍ଲପ ହୋଇଥିଲେ । ତେବେ ଏହି ଦୁଇ ବରିଷ୍ଠ ଖେଳାଳିଙ୍କ ଅବସର ନେବା ସମୟ ଆସି ଯାଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ରୋହିତ ଏହାର ଜବାବ ଦେଇଛନ୍ତି । ସେ କହିଛନ୍ତି କି, ଏବେ ଫର୍ମ ନାହିଁ ମାତ୍ର ଖେଳ କେତେବେଳେ କଣ ହେବ ତାହା ଜଣାନଥାଏ । ସେପଟେ କିନ୍ତୁ ଗମ୍ଭୀରଙ୍କ ଇଶାରା କିଛି ନିଆରା ସୂଚନା ଦେଇଛି ।

ଗମ୍ଭୀରଙ୍କୁ ପଚରା ଯାଇଥିଲା କି, ରୋହିତ ଏବଂ କୋହଲିଙ୍କ ଭବିଷ୍ୟତ କଣ ? ଏହାର ଉତ୍ତରରେ ଗମ୍ଭୀର କହିଥିଲେ କି, କାହାର ଭବିଷ୍ୟତ କହି ହେବ ନାହିଁ । କିନ୍ତୁ ଏବେ ଯୁବ ଖେଳାଳିମାନେ ଦଳରେ ସ୍ଥାନ ପାଇବା ପାଇଁ ଚାହିଁ ରହିଛନ୍ତି । ଅନେକ ଖେଳାଳି ଦଳରେ ସ୍ଥାନ ପାଇବା ପାଇଁ ଉତ୍ସାହର ସହ ଚାହିଁ ରହିଛନ୍ତି । ଟିମ ଇଣ୍ଡିଆର ଭଲ ପ୍ରଦର୍ଶନ ପାଇଁ ଚିନ୍ତା କରାଯାଉଛି ।  ଆଶା କରାଯାଉଛି କି, ଟିମ ଇଣ୍ଡିଆର ହିତ ପାଇଁ ସମସ୍ତେ ନିଜର ସହଯୋଗ କରିବା ଉଚିତ । ଅର୍ଥାତ ସିନିୟର ଖେଳାଳି ଅବସର ଘୋଷଣା କରନ୍ତୁ ବୋଲି ଏଭଳି କିଛି ଇଶାରା ଦେଇଛନ୍ତି ବୋଲି ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

 

 

ଗୁଡ଼ିର ମାଞ୍ଜା ସୂତା ଲାଗି ଯୁବକ ଗୁରୁତର

ଭଦ୍ରକ: ଗୁଡ଼ି ମାଞ୍ଜା ସୂତା ଲାଗି ଯୁବକ ଗୁରୁତର । ଯୁବକଙ୍କ ଆଖି ପତା ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ନିଜ କାର୍ଯ୍ୟ ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଭଦ୍ରକ ଷ୍ଟେସନ ସମ୍ମୁଖରେ ଘଟିଛି ଅଘଟଣ । ଯୁବକଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲୋ। ଆହତ ଯୁବକ ଜଣଙ୍କ ହେଉଛନ୍ତି ବାଲେଶ୍ବର ଗେଲଟୁଆ ପଞ୍ଚାୟତ ବଗମରା ଗ୍ରାମର ମୁକ୍ତିକାନ୍ତ ପାଢ଼ୀ । ମୁଣ୍ଡରେ ହେଲମେଟ ଥିବା ସତ୍ତ୍ବେ ହେଲମେଟର କାଚ ଖୋଲାଥିବାରୁ ମାଞ୍ଜା ସୂତା ଭିତରେ ପଶି ଗଭୀର ଆଘାତ ଲାଗିଛି।

ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ମାଞ୍ଜା ସୂତାରେ ଗୁଡ଼ି ଉଡାଇ ମଜା ଉଠାଉଥିବା ବ୍ୟକ୍ତିଙ୍କ ବିରୋଦ୍ଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ପୁଣି ଜଣେ ଚାଷୀ କଲେ ଆତ୍ମହତ୍ୟା

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ପ୍ରଥମ ଚାଷୀ ଆତ୍ମହତ୍ୟା ଅଭିଯୋଗ । ସମ୍ବଲପୁର ଜିଲ୍ଲାର ବୈରାଗୀ ପାଲିରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । ବର୍ଷରେ ଫସଲ ହାନି ଯୋଗୁ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ଋଣ ଭାର ସହିନପାରି ରତ୍ନାକର ଭୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଶୁକ୍ରବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କୋଳିଡିହ ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ । ଅଦିନିଆ ବର୍ଷାରେ ଫସଲ ଉଜୁଡ଼ିଯିବା ପରେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା। ମୃତ ଚାଷୀ କୈଳାସ ଚନ୍ଦ୍ର ଧଳ ଧାର କରଜ କରି ପ୍ରାୟ ୮ ଏକର ଜମିରେ ଚାଷ କରିଥିଲେ । ନିଜର ୫ ଏକର ଜମି ସହିତ ଭାଗରେ ୩ ଏକର ଜମିରେ ଚାଷ କରିଥିଲେ । ଅଦିନିଆ ବର୍ଷା ଯୋଗୁଁ ଜମିରେ ପାଣି ଜମି ରହିବାରୁ ଧାନ ଗଜା ହୋଇଗଲା । ଉଜୁଡା କ୍ଷେତକୁ ଦେଖି ଚିନ୍ତାରେ ପଡ଼ିଥିଲେ ଚାଷୀ । ଧାର କରଜ କରି ଚାଷ କରିଥିବା ବେଳେ ଏହାକୁ କିପରି ସୁଝିବେ ତାକୁ ନେଇ ଚିନ୍ତାରେ ପଡ଼ିଥିଲେ । ତେଣୁ ଶୁକ୍ରବାର ରାତିରେ ବିଷ ପିଇ ଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।

ଅବିବାହିତ ଦମ୍ପତିଙ୍କୁ ଓୟୋ ହୋଟେଲ ମନା !

ନନ୍ଦିଘୋଷ ବ୍ୟୁରୋ: ଅବିବାହିତ ଦମ୍ପତିଙ୍କୁ ଏଣିକି ମନା ହେବ ଓୟୋ ହୋଟେଲ। କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଛି ନୂଆ ଚେକ ଇନ ପଲିସି। ଏହ ଯୋଜନା ମିରଟରୁ ଆରମ୍ଭ ହୋଇଛି। ନୂଆ ନିୟମ ଅନୁସାରେ ଯେଉଁ ଦମ୍ପତିମାନେ ଚେକ୍ ଇନ କରିବେ ସେମାନେ ନିଜର ସମ୍ପର୍କର ବୈଧ ପ୍ରମାଣପତ୍ର ଦାଖଲ କରିବେ। ଏପରିକି ଓୟୋରେ ବୁକିଂ ବେଳେ ବି ଏହି ପ୍ରମାଣପତ୍ର ଦାଖଲ କରିବାକୁ ପଡିବ। ବିଭିନ୍ନ ସିଭିଲ ସୋସାଇଟି ଗ୍ରୁପ ପକ୍ଷରୁ ମିଳିଥିବା ପ୍ରସ୍ତାବ ଅନୁସାରେ ଓୟୋ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ପ୍ରଥମରେ ଏହି ଯୋଜନା ମିରଟରୁ ଆରମ୍ଭ କରାଯାଇଛି। ପରେ ଅନାନ୍ୟ ସହରରେ ବି ଏହି ନିୟମ କାର୍ଯ୍ୟକାରୀ ହେବ। ଆତିଥ୍ୟ କ୍ଷେତ୍ରରେ ନିରାପଦ ବ୍ୟବସ୍ଥା ଓ ଦାୟିତ୍ୱବୋଧ ସ୍ବରୂପ ଏହି ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଓୟୋ ନର୍ଥ ଇଣ୍ଡିଆର ମୁଖ୍ୟ ପୱସ ଶର୍ମା।

HMPV ସଂକ୍ରମଣ ପ୍ରସଙ୍ଗ; ସଂକ୍ରମଣ ବୃଦ୍ଧି ଅଭିଯୋଗକୁ ଚୀନର ଖଣ୍ଡନ

ନନ୍ଦିଘୋଷ ବ୍ୟୁରୋ: ହ୍ୟୁମାନ ମେଟାନ୍ୟମୋଭାଇରସ ବା HMPV ସଂକ୍ରମଣ ବୃଦ୍ଧି ଅଭିଯୋଗକୁ ଖଣ୍ଡନ କରିଛି ଚୀନ । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହା ଏକ ଋତୁକାଳୀନ ଅବସ୍ଥା ଏବଂ ଶୀତ ଋତୁରେ ଏହା ଘଟିଥାଏ। ଦେଶରେ ଥିବା ପର୍ଯ୍ୟଟକ ଓ ନାଗରିକମାନେ ସୁରକ୍ଷିତ ଅଛନ୍ତି । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଶୀତ ଋତୁରେ ସାଧାରଣତଃ ଶ୍ୱାସପ୍ରଶ୍ୱାସଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଚୀନ ନାଗରିକ ତଥା ବାହାର ଦେଶରୁ ଆସିଥିବା ଲୋକଙ୍କ ସ୍ୟାସ୍ଥ୍ୟ ସୁରକ୍ଷିତ ରହିଛି । ପ୍ରାୟ ଦୁଇ ଦଶନ୍ଧି ତଳେ ଏହି ଭାଇରସର ସନ୍ଧାନ ମିଳିଥିଲେ ବି ୨୪ ବର୍ଷ ପରେ ବି ଏହାର ଟିକା ବାହାର କରାଯାଇ ପାରିନାହିଁ । ୨୦୦୧ରେ ପ୍ରଥମ ଥର ଲାଗି ଡଚ ଗବେଷକମାନେ ଏହି ଭାଇରସକୁ ପିଲାମାନଙ୍କଠାରେ ଚିହ୍ନଟ କରିଥିଲେ । ସେରୋଲୋଜିକାଲ ତଥ୍ୟ ଅନୁସାରେ ଏହି ଭାଇରସ ପ୍ରାୟ ୬୦ ବର୍ଷ ଧରି ରହିଆସିଛି ଏବଂ ସାରା ପୃଥିବୀରେ ଏହା ସାଧାରଣ ଶ୍ବାସପ୍ରଶାସ ସହ ଜଡିତ ଭୂତାଣୁ ଭାବେ ରହିଛି । ଏହି ଭୂତାଣୁର ବିନାଶ ଲାଗି କୌଣସି ଔଷଧ ବାହାରିନାହିଁ ବୋଲି କହିଛନ୍ତି ଆମେରିକାର କ୍ଲିଭଲ୍ୟାଣ୍ଡ କ୍ଳିନିକ ।

ସେହିପରି ଏହି ଭୂତାଣୁ ଲାଗି କୌଣସି ଟିକା ସମ୍ପର୍କରେ ବି ସୂଚନା ଦେଇନାହିଁ ଚୀନର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର । ଯଦି କୌଣସି ବ୍ୟକ୍ତି ବା ଶିଶୁ ଅସୁସ୍ଥ ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ଲାଗି ପରାମର୍ଶ ଦିଆଯାଇଛି । ଫରିଦାବାଦର ଅମ୍ରିତା ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ଅର୍ଜୁନ ଖାନ୍ନା କହିଛନ୍ତି-HMPV ଏକ ସାଧାରଣ ଭୂତାଣୁ । ସେପଟେ କୋଭିଡ ପରି ଅବସ୍ଥା ସୃଷ୍ଟି ହେବାର ନାହିଁ ଏବଂ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି କେନ୍ଦ୍ର ସରକାର ଭାରତୀୟଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଭୂତାଣୁ ସାଧାରଣତଃ ଥଣ୍ଡା ରୋଗର କାରଣ । ବୟସ୍କ ଓ ଶିଶୁଙ୍କ କ୍ଷେତ୍ରରେ ଏହା ଅଧିକ ପରିଲକ୍ଷିତ ହେବ । ମୁକାବିଲା ଲାଗି ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପ୍ରସ୍ତୁତ ବୋଲି କହିଛନ୍ତି ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକ ଅତୁଲ ଗୋଏଲ ।

ସେପଟେ ଚୀନରେ ଦେଖାଦେଇଥିବା ଅବସ୍ଥା ମାମୁଲି ବୋଲି କହିଛନ୍ତି ସରକାର । ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାମିଲ ହୋଇଥିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଆଇଡିଏସପି, ଆଇସିଏମଆର, ଦିଲ୍ଲୀ ଏମସ, ଇଏମଆର ବିଭାଗର ପ୍ରତିନିଧି । ସାମ୍ପ୍ରତିକ ସ୍ଥିତି ପ୍ରତି ସରକାର ତୀକ୍ଷ୍ଣ ଦୃଷ୍ଟି ଦେଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଦେଶରେ ବର୍ତ୍ତମାନ ସେପରି କିଛି ସଂକ୍ରମଣ ବୃଦ୍ଧି ପାଇନାହିଁ ବୋଲି ବୈଠକରେ ପ୍ରତିନିଧିମାନେ ସୂଚନା ଦେଇଥିଲେ । ସମ୍ଭାବ୍ୟ ସମସ୍ୟାର ମୁକାବିଲା ଲାଗି ସରକାର ପ୍ରସ୍ତୁତ ବୋଲି କୁହାଯାଇଛି ।

ଦରବୃଦ୍ଧି ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବିଜେଡି

ଭୁବନେଶ୍ୱର: ଦରବୃଦ୍ଧି ପ୍ରସଙ୍ଗରେ ବିଜେପିକୁ ବିଜେଡିର ସମାଲୋଚନା। ଦରବୃଦ୍ଧି ଯୋଗୁ ହାଣ୍ଡିଶାଳରେ ପଡ଼ିଲାଣି ଚଡ଼କ। ଖାଇବା ସାମଗ୍ରୀଠୁ ଆରମ୍ଭ କରି ପନିପରିବା ଦର ଆକାଶଛୁଆଁ ହୋଇଛି। କମିବାର ନାଁ ନେଉନି ପେଟ୍ରୋଲ ଡିଜେଲ ଦର। ଅର୍ଥନୀତି ପରିଚାଳନାରେ ସରକାର ଫେଲ। ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିଲାଣି। ୬.୭୮ ପ୍ରତିଶତ ସହ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଦରବୃଦ୍ଧି ଯୋଗୁ ମହିଳା ସର୍ବାଧିକ କ୍ଷତି ସହୁଛନ୍ତି। ଆନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଡିଜେଲ ଦର କମିଛି। ହେଲେ ଏଠି ସରକାର ଦର କମାଉ ନାହାନ୍ତି ବୋଲି କହିଛି ବିଜେଡି। ସୁଭଦ୍ରା ନାଁରେ ଡବଲ ପାଇପ ଲଗାଇ ଶୋଷଣ କରାଯାଉଛି।

ପ୍ରେସମିଟ୍ କରି ବିଜେପି ସରକାର ଉପରେ ବର୍ଷିଛି ବିଜେଡି। ଦରବୃଦ୍ଧି ବିରୋଧରେ ଆସନ୍ତାକାଲି ଆନ୍ଦୋଳନ କରିବ ବିଜେଡି। ଆଗାମୀ ଦିନରେ ଜିଲ୍ଲା ଓ ପଞ୍ଚାୟତ ସ୍ତରରେ ଆନ୍ଦୋଳନ କରାଯିବ। ବିଜେପି ଯେଉଁ ନିର୍ବାଚନୀ ପ୍ରତିଶୃତି ଦେଇଥିଲା ସେଥିରେ ସେମାନେ ଫେଲ ମାରିଛନ୍ତି ବୋଲି କହିଛି ବିଜେଡି। ଓଡ଼ିଶାର ସ୍ୱାର୍ଥ ରକ୍ଷା ଓ ସମ୍ମାନ ରକ୍ଷା ପାଇଁ ନବୀନ ପଟ୍ଟନାୟକ କାମ କରିଛନ୍ତି। ନବୀନ ପଟ୍ଟନାୟକଙ୍କୁ ଯେଉଁ ଦାୟିତ୍ୱ ରାଜ୍ୟବାସୀ ଦେଇଛନ୍ତି, ସେଥିପାଇଁ କାମ ଚାଲିଛି। ହେଲେ ବିଜେପି ସରକାର ଲୋକଙ୍କ ଭୂଆଁ ବୁଲାଇବା ସହ ପକେଟ ଖାଲି କରୁଛି ବୋଲି କହିଛି ବିଜେଡି।

ଓଡ଼ିଶାର ଅଧିକ କ୍ଷତି ଘଟାଇବା ଲାଗି କେନ୍ଦ୍ରର ଯୋଜନା: ବିଜେଡି

ଭୁବନେଶ୍ୱର: ରେଳବାଇ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ସମାଲୋଚନା । ଓଡ଼ିଶାର ଅଧିକ କ୍ଷତି ଘଟାଇବା ଲାଗି କେନ୍ଦ୍ରର ଯୋଜନା। ନୂଆବର୍ଷରୁ ରାଜ୍ୟର କ୍ଷତି ପାଇଁ ଚାଲିଛି ଚକ୍ରାନ୍ତ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁରୁ ରାୟଗଡା ପାଇଁ ନୂଆ ରେଳ ଡିଭିଜନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ହେଲେ ଏହି ପ୍ରକଳ୍ପ ପୂର୍ବରୁ ବିଜେଡି ଦାବି କରିଆସୁଥିଲା। ରାୟଗଡା ଡିଭିଜନର ବିସ୍କୁଟ ଦେଇ ଓଡ଼ିଶାର କ୍ଷତି କରିବାକୁ କେନ୍ଦ୍ର ସରକାର ଚାହୁଁଥିବାବେଳେ ରାଜ୍ୟ ସରକାର ଚୁପ୍ ବୋଲି କହିଛି ବିଜେଡି।

ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି- ଦେଶରେ ପ୍ରଥମ ଥର ଲାଗି ରେଳବାଇ ବିଜ୍ଞପ୍ତି ପ୍ରକାଶ କରି ନଥିବାବେଳେ ଏହାର ଉଦଘାଟନ ହେବାକୁ ଯାଉଛି। ଏହି ଡିଭିଜନର ମାଲିକାନା, କେଉଁ ଅଞ୍ଚଳ ରହିବ କିଛି ସ୍ପଷ୍ଟ ହୋଇନି। ଡିପିଆର ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। କୋଟିଆ, ପୋଲାଭରମ ପରି ଏହା ରାଜ୍ୟ ଲାଗି କ୍ଷତି ଘଟାଇବ। ଡବଲ ଇଂଜିନ ସରକାର ଚୁପ ହୋଇ ବସିଛନ୍ତି। ପୂର୍ବତଟ ରେଳବାଇ ଭାଙ୍ଗିବାକୁ ଏହି ସବୁ ଯୋଜନା ହୋଇଛି। ନିୟମ ଅନୁସାରେ ତିନୋଟି ଡିଭିଜନ ହେବ ଏବଂ ୱାଲଟିଅର ଡିଭିଜନ ଭାଙ୍ଗିବ। ଫଳରେ ସିଂହ ଭାଗ ଯିବ ଆନ୍ଧ୍ର ନିକଟକୁ। ଅଳ୍ପ କିଛି ଭାଗ ଆସିବ ରାୟଗଡା। ୧୯୯୮ରୁ ଆରମ୍ଭ ହୋଇଥିବା ପୂର୍ବତଟ ରେଳବାଇ ୩ ଲକ୍ଷ କୋଟି ଟଙ୍କାର ରାଜସ୍ବ ଦେଇସାରିଲାଣି। ଏହାର ୬୦ ପ୍ରତିଶତ ଆସିଥାଏ ୱାଲଟିୟର ଡିଭିଜନରୁ। ମାତ୍ର ଓଡିଶାରୁ ଛଡାଇ ଆନ୍ଧ୍ରକୁ ଖୁସି କରିବା ଲାଗି ଯୋଜନା ଚାଲିଛି ବୋଲି କହିଛି ବିଜେଡି। ପୂର୍ବତଟ ରେଳ ପାଖରେ କିଛି ରହିବ ନାହିଁ। ରାୟଗଡା ଜିଲ୍ଲାରେ ଥିବା ରେଳ ଷ୍ଟେସନ ରାୟଗଡା ଅଧୀନରେ ରହିବ ନା ନାହିଁ, ତାହା ସ୍ପଷ୍ଟ ହୋଇନି। ଓଡ଼ିଶାକୁ କ୍ଷତି ଭରଣା ପାଇଁ ପଶ୍ଚିମ ବଙ୍ଗରେ ଥିବା ଓଡ଼ିଶାର ଡିଭିଜନ ଦିଆଯାଉ। ଆଞ୍ଚଳିକ ବୈଷମ୍ୟ କରିବାର ଅଧିକାର କେନ୍ଦ୍ର ସରକାରର ନାହିଁ। ରାଉରକେଲାରେ ନୂଆ ଡିଭିଜନ ହେଉ ବୋଲି ଦାବି କରିଛି ବିଜେଡି। ଆଗାମୀ ବିଧାନସଭା ଅଧିବେଶନରେ ଏହାକୁ ସ୍ୱତନ୍ତ୍ର ମୋସନ ଜରିଆରେ ସରକାରଙ୍କୁ ଘେରିବ ବିଜେଡି।

କୋଷ୍ଟଗାର୍ଡ ହେଲିକପ୍ଟର କ୍ରାସ, ୩ ମୃତ

ନନ୍ଦିଘୋଷ ବ୍ୟୁରୋ: ଗଜୁରାଟ ପୋରବନ୍ଦର ଏୟାରପୋର୍ଟରେ ବଡ ଦୁର୍ଘଟଣା । ଏୟାରପୋର୍ଟରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ତଟରକ୍ଷୀ ବାହିନୀର ଚପ୍ପର ଏଏଲଏଚ ଧୃବ କ୍ରାସ ପରେ ଜଳିଯାଇଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

ପୋରବନ୍ଦର ବିମାନ ବନ୍ଦରର ଏୟାର ଏନକ୍ଲେଭ ନିକଟରେ ଦୁର୍ଘଟଣା ଘଟିଛି। ଗତ ଦୁଇ ମାସ ମଧ୍ୟରେ ଦ୍ବିତୀୟ ଥର କୋଷ୍ଟଗାର୍ଡ ଚପ୍ପର କ୍ରାସ ଘଟଣା ଘଟିଛି। ଏଏଲଏଚ-ଧୃବକୁ ସାମରିକ ବାହିନୀ ଦ୍ବାରା ପରିଚାଳିତ କରାଯାଇଥାଏ। ଦୁର୍ଘଟଣା ପରେ ଏହା ଏକ ଖୋଲା ପଡିଆରେ ଜଳିଯାଇଥିବା ଦେଖାଯାଇଥିଲା। ଘଟଣାର ତଦନ୍ତ ଜାରି ରହିଛି। ଏହି ହେଲିକପ୍ଟର ରୁଟିନ ଉଡାଣ ବେଳେ ଅଘଟଣ ଘଟିଥିଲା।

ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ, ଜି.ଉଦୟଗିରିରେ ସର୍ବନିମ୍ନ ୫ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଆଜି ୯ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି । ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ ହୋଇଛି ।

ଜି.ଉଦୟଗିରିରେ ସର୍ବନିମ୍ନ ୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ସିମିଳିଗୁଡା ୫.୯, ଫୁଲବାଣୀ  ୮, ଦାରିଙ୍ଗବାଡି-୮.୫, କୋରାପୁଟ ୯.୪, ରାଉରକେଲା ୯.୫, ଝାରସୁଗୁଡା ୯.୮, ଭବାନୀପାଟଣା ୯.୮, ନବରଙ୍ଗପୁର ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା କାଲିଠାରୁ ରାଜ୍ୟରେ ତାପମାତ୍ରା ବଢିବ । ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ପଶ୍ଚିମାଝଡର ପ୍ରଭାବରେ ରାଜ୍ୟରେ ଶୀତର ତାପମାତ୍ରା କମିବ। ରାଜ୍ୟକୁ ବହିବ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ।