ନନ୍ଦିଘୋଷ ବ୍ୟୁରୋ: EKYC କରାଇବାକୁ ବାହାର ରାଜ୍ୟକୁ ଯିବେ ସରକାରୀ ଅଧିକାରୀ । ନିକଟରେ ଗୋଆରେ କିଛି ଲୋକଙ୍କ ପାଖରେ ପହଞ୍ଚି ସରକାରୀ ଅଧିକାରୀ EKYC କରାଇଛନ୍ତି । ଅନ୍ୟ ରାଜ୍ୟରେ ଯଦି ଲୋକ ରହିଯାଇଛନ୍ତି ତେବେ ସେମାନଙ୍କ ନିକଟକୁ ଟିମ ଯିବ। ଏହାସହ ବୟସାଧିକ କାରଣରୁ ଯେଉଁମାନେ EKYC କରିନାହାନ୍ତି ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ EKYC କରାଉଛନ୍ତି । ବର୍ତ୍ତମାନ ସୁଦ୍ଧା ୮୫ ପ୍ରତିଶତ EKYC ସରିଛି । ପ୍ରାୟ ୫୦ ଲକ୍ଷ ହିତାଧିକାରୀ EKYC କରିନାହାନ୍ତି । ଜାନୁଆରୀ ୧୫ ତାରିଖ ସୁଦ୍ଧା EKYC ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ନୂଆବର୍ଷରେ ନୂଆ ନିୟମ, ବଦଳିଲା କମର୍ସିଆଲ ଗ୍ୟସ୍ ଦର
ନୂଆଦିଲ୍ଲୀ : ନୂଆବର୍ଷରେ ନୂଆ ନିୟମ । ବର୍ଷ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର । ବର୍ଷ ବଦଳିବା ସହ ବଦଳିଛି ନିୟମ । ଜାନୁଆରୀ ୧ରୁ ଅନେକ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ। ତେବେ ତେଲ ମାର୍କେଟରେ କମ୍ପାନୀଗୁଡିକ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଗ୍ୟାସର ଦର ହ୍ରାସ ହୋଇଛି । ଆଜି ଠାରୁ ଅର୍ଥାତ୍ ଜାନୁଆରୀ ୧ରୁ ଏଲପିଜି ସିଲିଣ୍ଡର ଦର ୧୪.୫୦ ଟଙ୍କା ଶସ୍ତା ହୋଇଛି । ଅନ୍ୟପଟେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଗତ ବର୍ଷ ମାର୍ଚ୍ଚ୧ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିଲା ।
ଜାନୁୟାରୀ ୧, ୨୦୨୫ ରୁ ଦିଲ୍ଲୀରେ ୧୮୦୪ ଟଙ୍କା, ମୁମ୍ବାଇରେ ୧୭୫୬ଟଙ୍କା, ଚେନ୍ନାଇରେ ୧୯୬୬ ଟଙ୍କା ଏବଂ କୋଲକାତାରେ ୧୯୧୧ ଟଙ୍କା ମୂଲ୍ୟରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଉପଲବ୍ଧ ହେବ। ଏହାପୂର୍ବରୁ ଦିଲ୍ଲୀରେ ଏହାର ହାର ସିଲିଣ୍ଡର ପିଛା ୧୮୧୮.୫୦ ଟଙ୍କା ଥିଲା । ଗତ ଅଗଷ୍ଟ ୨୦୨୩ ରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୦୦ଟଙ୍କା ହ୍ରାସ ହୋଇଥିଲା । ସେବେଠାରୁ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ନୂଆ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ
ଭୁବନେଶ୍ୱର : ବିଦାୟ ନେଲା ୨୦୨୪ । ପାଦ ଥାପିଲା ୨୦୨୫ । ନୂଆବର୍ଷକୁ ସ୍ବାଗତ କରିଛନ୍ତି ବିଶ୍ବବାସୀ । ମଧ୍ୟରାତ୍ରୀରେ ଆକାଶରେ ଝଲସି ଉଠିଥିଲା ଖୁସିର ରଙ୍ଗ ବେରଙ୍ଗ ଦୃଶ୍ୟ । ସିନ୍ଦୁରା ଫାଟି ପୃଥିବୀକୁ ସଜେଇ ଦେଇଛି ନୂଆ ସକାଳର ସୁନେଲି ସୂର୍ଯ୍ୟ । ବେଳାଭୂମି ସହ ବିଭିନ୍ନ ସ୍ଥାନରେ ବର୍ଷର ପ୍ରଥମ ସୂର୍ଯ୍ୟୋଦୟକୁ ଦର୍ଶନ କରିଛନ୍ତି ଲୋକେ । ସବୁଠି ପ୍ରକମ୍ପିତ ହେଉଛି ହାପି ନ୍ୟୁ ଇୟର । ପରସ୍ପରକୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ଲୋକ । ନୂଆବର୍ଷକୁ ବେଶ ଆଡମ୍ବରରେ ପାଳନ କରାଯାଉଛି । ପାର୍କ, କ୍ଲବ, ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ସହ ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ସବୁଠି ଜମିଥିଲା ଜିରୋ ନାଇଟ୍ ସେଲିବ୍ରେସନ ।
ନୂଆ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ। ନୂଆ ବର୍ଷରେ ସମସ୍ତଙ୍କ ସୁଖ ଓ ସମୃଦ୍ଦି କାମନା କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ତେବେ ନୂଆ ବର୍ଷ ପାଳନ କରିବେନି ନବୀନ। ବର୍ଷା ଜନିତ କ୍ଷୟକ୍ଷତି ନେଇ ଚାଷୀଙ୍କ ଦୁଃଖରେ ସମଦୁଃଖୀ ହୋଇ ପାଳିବେନି ନୂଆବର୍ଷ ।

ମହାକାଶରେ ୧୬ତମ ନୂଆବର୍ଷ ପାଳିବେ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ
ନନ୍ଦିଘୋଷ ବ୍ୟୁରୋ : ମହାକାଶରେ ନୂଆବର୍ଷ ପାଳିବେ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ । ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ‘ଏକ୍ସପେଡିଶନ ୭୨’ ମିଶନର କ୍ରିଉ ସଦସ୍ୟମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍ଏସ୍)ରେ ୧୬ଥର ପାଇଁ ନୂଆବର୍ଷ ପାଳନ କରିବେ। ଜାନୁଆରୀ ୧ରେ ସେମାନେ ୧୬ଥର ପାଇଁ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତକୁ ଦେଖି ନୂଆବର୍ଷକୁ ଅନୁଭବ କରିବେ। ସୁନୀତାଙ୍କ ନେତୃତ୍ୱରେ ‘ଏକ୍ସପେଡିଶନ ୭୨’ର କ୍ରିଉ ସଦସ୍ୟମାନେ ଏବେ ଆଇଏସ୍ଏସ୍ରେ ୪୦୦ କିଲୋମିଟର ଉଚ୍ଚତାରେ ରହିଛନ୍ତି।
ଆଇଏସ୍ଏସ୍ ହାରାହାରି ୯୦ ମିନିଟ ଅବଧିରେ ପୃଥିବୀ ପରିକ୍ରମା କରୁଛି । ତେଣୁ ସୁନୀତା ଏବଂ ସାଥୀ ମହାକାଶଚାରୀମାନେ ନୂଆବର୍ଷରେ ୧୬ଥର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିବାକୁ ସକ୍ଷମ ହେବେ। ‘ଏକ୍ସପେଡିଶନ ୭୨’ର କ୍ରିଉ ସଦସ୍ୟଙ୍କ ନୂଆ ବର୍ଷ ପାଳନ ନିମନ୍ତେ ନାସା ପକ୍ଷରୁ ପୃଥିବୀରୁ ଆଇଏସ୍ଏସ୍କୁ ସ୍ବତନ୍ତ୍ର ଖାଦ୍ୟ ପଠାଯାଇଛି। ସୁନୀତା ଓ ସାଥୀ ମହାକାଶଚାରୀ ଭିଡିଓ କଲ୍ ମାଧ୍ୟମରେ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ଯୋଡ଼ିହୋଇ ନୂଆବର୍ଷ ସେଲିବ୍ରେଶନରେ ସାମିଲ ହେବେ।

