spot_img
Home Blog Page 1214

ନୂଆବର୍ଷ ପାଳିବାକୁ ପିକନିକରେ ଆସି ବୁଡ଼ିଗଲେ ଛାତ୍ର

ନନ୍ଦିଘୋଷ ବ୍ୟୁରୋ: ନୂଆବର୍ଷ ପାଳିବାକୁ ପିକନିକରେ ଆସି ବୁଡ଼ିଗଲେ ଛାତ୍ର । ନିଖୋଜ ଛାତ୍ରଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ । ନିଖୋଜ ଯୁବକ ହେଲେ ଯାଜପୁର ଜିଲ୍ଲାର କୁଆଖିଆ ଥାନା ନରସିଂହପୁର ଗ୍ରାମର ଦେବକାନ୍ତ ନାୟକଙ୍କ ପୁଅ ନିଶିକାନ୍ତ ନାୟକ । ସେ ଉପେନ୍ଦ୍ର ସାରଦା ମହାବିଦ୍ୟାଳୟର ଯୁକ୍ତଦୁଇ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ର । ସ୍ଥାନୀୟ ଗ୍ରାମର ଜେନିଥ କୋଚିଂ ସେଣ୍ଟରରେ ପାଠ ପଢୁଥିଲେ । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ କାଣ୍ଡିଆ ଜଳପ୍ରପାତକୁ କୋଚିଂ ସେଣ୍ଟରରୁ ରବିବାର ପିକନିକ ଆସିଥିଲେ । ପିକନିକ କରୁଥିବା ବେଳେ ଅସାବଧାନତା କାରଣରୁ ସେ ପାଣିରେ ବୁଡି ନିଖୋଜ ହୋଇ ଯାଇଛନ୍ତି । ଅଗ୍ନିଶମ ବାହିନୀ ଓ ପୋଲିସ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ନିଶିକାନ୍ତଙ୍କ କୋଣସି ପତ୍ତା ମିଳିନାହିଁ ।

ପୁରୀ ପେଣ୍ଠକଟା ମେରାଇନ ଥାନା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ପୁରୀ ପେଣ୍ଠକଟା ମେରାଇନ ଥାନା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଣେ ବାଇକ ଆରୋହୀ ମୃତ । ମୃତକ ହେଲେ ରାମଚଣ୍ଡି ଥାନା ଅଞ୍ଚଳର ୩୦ ବର୍ଷୀୟ ପ୍ରଶାନ୍ତ ପାଣି । ରାସ୍ତାରେ ଯାଉଥିବାବେଳେ ବାଇକକୁ ଧକ୍କାଦେଲା ଟ୍ରକ । ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ସ୍ଥାନୀୟ ଲୋକେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ଥାନ୍ତର କରିଛି ପୋଲିସ୍ । ଦୁର୍ଘଟଣା କରିଥିବା ଟ୍ରକକୁ ପୋଲିସ ଧରିବାରେ ବିଫଳ ହୋଇଥିବାରୁ ମୃତ ପ୍ରଶାନ୍ତଙ୍କ ପରିବାର ଲୋକ ଟାୟାର ଜାଳି ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡରେ ରାସ୍ତା ଅବରୋଧ କରିଥିଲେ । ଫଳରେ ମେରାଇନ ରୋଡରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ବୁଝାସୁଝା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଅସ୍ତରଙ୍ଗର ଗଙ୍ଗାଦେବୀ ଓ ପୀର ଜାହାନିଆରେ ଜମୁଛି ବଣଭୋଜିର ଆସର

ନନ୍ଦିଘୋଷ ବ୍ୟୁରୋ: ପୁରୁଣା ବର୍ଷକୁ ବିଦାୟ, ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ସବୁଠି ଆନନ୍ଦ ଓ ଉତ୍ସାହ । ଶୀତଋତୁ ପାଇ ପର୍ଯ୍ୟଟକଙ୍କ ମନରେ ଅନେକ ଉନ୍ମାଦନା । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରି ହେନ୍ତାଳ ବଣ ସହ ଅସ୍ତରଙ୍ଗ ଗଙ୍ଗାଦେବୀ ଓ ପୀର ଜାହାନିଆ ନିକଟରେ ବଣଭୋଜିର ଆସର ଜମୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅସ୍ତରଙ୍ଗ ଅଞ୍ଚଳ ଶୋଭା ଉପଭୋଗ କରିବାକୁ ପର୍ଯ୍ୟଟନ ଋତୁରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଆସନ୍ତୁ ଦେଖିବା ସ୍ୱତନ୍ତ୍ର ରିପୋର୍ଟ ପୁରୀ ଅସ୍ତରଙ୍ଗରୁ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ କିପରି ମଜାନେଉଛନ୍ତି ପର୍ଯ୍ୟଟକ।

ସୂର୍ଯ୍ୟ ଉଦୟ ସାଙ୍ଗକୁ ଶାନ୍ତ କାନ୍ତ ସବୁଜ ପରିବେଶରେ ପକ୍ଷୀଙ୍କ କଳରବ ସୃଷ୍ଟି କରୁଛି ସଙ୍ଗୀତର ମୁର୍ଚ୍ଛନା । ବିଦେଶ ପକ୍ଷୀଙ୍କ ଗହନରେ ଏକାଠି ହେବାର ଦୃଶ୍ୟକୁ ଦେଖିଲେ ଆଖି ଲାଖିଯାଉଛି । ଦେବୀ ନଦୀର ତ୍ରିକୋଣଭୂମିରେ କଥା କହୁଛି ପ୍ରକୃତି ରାଣୀ । ପ୍ରାକୃତିକ ସୌନ୍ଦର୍ଯ୍ୟ ରାଜିରେ ହେନ୍ତାଳ ବନ ମଧ୍ୟରେ ନଦୀରେ ବୋଟିଂର ମଜା ଉଠାଉଛନ୍ତି ପର୍ଯ୍ୟଟକ । ସମୁଦ୍ର ମୁହାଁଣର ବାଲୁକା ରାଶିରେ ଲକ୍ଷ ଲକ୍ଷ ନାଲି କଙ୍କଡ଼ାଙ୍କ ନିର୍ଭୟ ବିଚରଣ ସହିତ ବିଦେଶୀ ପକ୍ଷୀଙ୍କ ଗଗନ ଛୁଇଁବାର ମନୋରମ ଦୃଶ୍ୟକୁ ଉପଭୋଗ କରିବାକୁ ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ୨୦୨୪କୁ ବିଦାୟ ଦେବାକୁ ନିଜ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହିତ ପିକିନିକ ପାଇଁ ଆସିଛନ୍ତି ପର୍ଯ୍ୟଟକ । ବଣଭୋଜିରେ ସ୍ୱାଦିଷ୍ଟ ବ୍ୟଞ୍ଜନ ସହିତ ନାଚଗୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ । ପୀର ଜାହାନିଆ ପୀଠରେ ପୀରବାବାଙ୍କ ଦର୍ଶନ, ସମୁଦ୍ରରେ ସ୍ନାନ କରିବାର ମଜା ସହ ବଣ ଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ।

ଅସ୍ତରଙ୍ଗ ଗଙ୍ଗାଦେବୀ ନିକଟରେ ଅତ୍ୟାଧୁନିକ ସୁବିଧା, ସୁନ୍ଦର କଟେଜ ସାଙ୍ଗକୁ ଖାଦ୍ୟ ଓ ଖେଳ କୁଦର ମଜା । ପ୍ରାକୃତିକ ପରିବେଶକୁ ଅଧିକ ମନମୁଗ୍ଧ କରିଛି ପୂର୍ବ ସରକାରଙ୍କ ଦ୍ୱାରା ଗଙ୍ଗାଦେବୀ ବେଳାଭୂମି ନିକଟରେ ନିର୍ମିତ ମ୍ୟାନଗ୍ରୁଭ ରିଟ୍ରିଟ । ୧୦ଟି ଶୀତତାପ ନିୟନ୍ତ୍ରିତ କଟେଜ ସାଙ୍ଗକୁ ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ। ଏଠାକୁ ଆସି ଜୀବନକୁ ଉପଭୋଗ କରିବାର ଅନୁଭୂତି ସାଉଣ୍ଟୁଛନ୍ତି ସମସ୍ତେ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା ସାଙ୍ଗକୁ ମନୋରଞ୍ଜନର ସମସ୍ତ ସୁବିଧା ରହିଛି । ଗଙ୍ଗାଦେବୀ ନଦୀକୂଳରେ ପ୍ରକୃତି ଓଜାଡ଼ି ଦେଇଛି ସୌନ୍ଦର୍ଯ୍ୟର ସମ୍ଭାର । ଅସ୍ତରଙ୍ଗର ଅସ୍ତଗାମୀ ସୂର୍ଯ୍ୟ ସମସ୍ତଙ୍କୁ କରୁଛି ଆନମନା ।

ଇକୋ ଟୁର ଓଡ଼ିଶା ୱେବ ସାଇଟରେ ବୁକିଂ କରି ବନ ବିଭାଗର ଏହି ମ୍ୟାନଗ୍ରୁଭ ରିଟ୍ରିଟରେ ରହି ଦେବୀ ନଦୀ ମୁହାଣ, ହେନ୍ତାଳ ବଣ ମଧ୍ୟରେ ନଦୀରେ ବୋଟିଂର ମଜା ସହ ନାଲି କଙ୍କଡା ଓ ଦେଶ ବିଦେଶର ପକ୍ଷୀମାନଙ୍କୁ ଦେଖିବାର ସୁଯୋଗ ନେଇପାରିବେ ।

ଅଦିନିଆ ବର୍ଷା ପରେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ବଣୁଆ ହାତୀପଲ

ନନ୍ଦିଘୋଷ ବ୍ୟୁରୋ: ବଣୁଆ ହାତୀପଲଙ୍କ ଉପଦ୍ରବରେ ଚାଷୀ ହତାଶ । ଚଳିତ ବର୍ଷ ସ୍ଵଳ୍ପ ବୃଷ୍ଟିପାତ ଓ ଅଦିନିଆ ବର୍ଷାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଯାହା ବି ବଞ୍ଚିଥିଲା ଏବେ ହାତୀ ପାଦରେ ନଷ୍ଟ ହେବାକୁ ବସିଛି । ଧାନ ଅମଳ କରି ବିକ୍ରି କରିବା ପୂର୍ବରୁ ହାତୀ ପଲ ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲକୁ ଦଳିଚକଟି ନଷ୍ଟ କରୁଛନ୍ତି । ସେପଟେ ବନ ବିଭାଗ କିନ୍ତୁ ଚୁପ ରହିଥିବା ଅଭିଯୋଗ ହୋଇଛି । ଏମିତି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା, ବିରମହାରାଜପୁର ଓ ତରଭା ବ୍ଲକର ବିଭିନ୍ନ ଗାଁରେ । ହାତୀଙ୍କ ପାଇଁ ଧାନ ଚାଷରେ କ୍ଷତି ସହିଥିବା ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ଦାବି ହୋଇଛି ।

ଧାନ କ୍ଷେତରେ ହାତୀଙ୍କ ପାଦ ଚିହ୍ନ । ଦଳି ଚକଟି ନଷ୍ଟ କରିଦେଇଛନ୍ତି ଧାନ ଫସଲ । ବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା, ବିରମହାରାଜପୁର ଓ ତରଭା ବ୍ଲକର ବିଭିନ୍ନ ଗାଁରେ ଚାଷୀଙ୍କ ଆଖିରୁ ନିଦ ହଜି ଯାଇଛି । ଧାନ ଅମଳ ସମୟ ଥିବାରୁ ଗାଁ ନିକଟ ଜଙ୍ଗଲରୁ ହାତୀ ପଲ ଆସି ଧାନ ଖାଇ ଫସଲକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି । ଚଳିତ ବର୍ଷ ଧାନ ଚାଷ ଆରମ୍ଭରୁ ଚାଷୀ ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରି ଯେଉଁ ଧାନ ଫସଲ ଫଳାଇଛି, ଏବେ ତାହା ହାତୀ ପାଦରେ ଯିବାକୁ ବସିଛି । ଫଳରେ ପରିବାର ପ୍ରତିପୋଷଣ ଚିନ୍ତାରେ ରହିଛନ୍ତି ଚାଷୀ । ଚଳିତ ବର୍ଷ ଧାନ ଚାଷ ଭଲ ହୋଇଛି । ବଣୁଆ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଏହି ଧାନ ଫସଲ ନଷ୍ଟ ହେବାକୁ ବସିଛି । ଅଭିଯୋଗ କଲେ ମଧ୍ୟ ହାତୀ ଘଉଡ଼ାଇବାକୁ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଚାଷୀ ଅଭିଯୋଗ କରିଛନ୍ତି ।

ପ୍ରତିବର୍ଷ ଏହି ଅଞ୍ଚଳରେ ଧାନ ଅମଳ ସମୟରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷତି ସହୁଛି ଚାଷୀ । ଗାଁ ନିକଟ ଜଙ୍ଗଲରେ ରହୁଥିବା ହାତୀପଲ ଖାଦ୍ୟ ଅନ୍ଵେଷଣରେ ଚାଲିଆସୁଛନ୍ତି । ଶହ ଶହ ଏକର ଜମିରେ ଧାନ ଖାଇ ପାଦରେ ଦଳି ନଷ୍ଟ କରୁଛନ୍ତି । ବିଗତ ବର୍ଷରେ ହାତୀ ଯୋଗୁଁ ଚାଷର କ୍ଷତିପୂରଣ ଠିକଭାବେ ପାଇନଥିବା ବେଳେ ଏବେ ପୁଣି ହାତୀ ଉପଦ୍ରବର ଶୀକାର ହୋଇଛନ୍ତି ଚାଷୀ । ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇ ଦେବା ସହିତ ହାତୀ ଘଉଡ଼ାବାକୁ ବ୍ୟବସ୍ଥା କରିବାକୁ ଚାଷୀ ଦାବି କରିଛନ୍ତି । ଅପରପକ୍ଷରେ ବନ ବିଭାଗ ହାତୀ ପଲ ଉପରେ ନଜର ରଖିଛି । ଚାଷୀଙ୍କୁ ଉଚିତ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ।

୨୧ ଟିକିଆ ହାତୀ ପଲଙ୍କ ଯୋଗୁଁ ଉଲୁଣ୍ଡା, ବିରମହାରାଜପୁର ଓ ତରଭା ବ୍ଲକର ବିଭିନ୍ନ ଗାଁରେ ଭୟର ବାତାବରଣ । ହାତୀପଲଙ୍କୁ ଘଉଡ଼ାଇବା ସହିତ ନଷ୍ଟ ହୋଇଥିବା ଫସଲର ଉଚିତ କ୍ଷତିପୂରଣ ପାଇଁ ଦାବି ହୋଇଛି ।

ଆସନ୍ତା ୩୧ରେ ୪ ଜିଲ୍ଲା ଗସ୍ତ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିବେ ନବୀନ। ଆସନ୍ତା ୩୧ରେ ୪ ଜିଲ୍ଲା ଗସ୍ତ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଫସଲହାନି ନେଇ ୪ ଜିଲ୍ଲା ବୁଲିବେ ନବୀନ। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ବୁଲି ଚାଷୀଙ୍କ ସହ କଥା ହେବେ ନବୀନ। ଏହି ଗସ୍ତବେଳେ ସେ ଫସଲହାନି ସ୍ଥିତି ଅନୁଧ୍ୟାନ କରିବେ। ପୁରୀ ଜିଲ୍ଲାର ସତ୍ୟବାଦୀରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେ ଭେଟିବେ। ଜଗତସିଂହପୁର ଜିଲ୍ଲା ବାହାରଣା ପଞ୍ଚାୟତର ରତିସିଂହା ଯାଇ ସେଠାରେ ଚାଷୀଙ୍କ ସହ ଆଲୋଚନା କରିବେ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଦୋସିଆ ଚାଷୀଙ୍କୁ ବି ଭେଟିବେ ନବୀନ। କଟକ ସାଲେପୁରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେ ଭେଟିବା ସହ ଫସଲ କ୍ଷୟକ୍ଷତି ନେଇ ଅଧିକାରୀଙ୍କ ସହ ସମୀକ୍ଷା କରିବେ। ଆସନ୍ତାକାଲି ବୁଲିବେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ଆସିକା ଓ ହିଞ୍ଜିଳି ଅଞ୍ଚଳ ।

ଜିନ୍ନତକୁ ଟ୍ରାଙ୍ଗୁଲାଇଜ୍ କରିବାରେ ସଫଳ ବନ ବିଭାଗ

ନନ୍ଦିଘୋଷ ବ୍ୟୁରୋ: କାବୁ ହେଲା ବାଘୁଣୀ ଜିନ୍ନତ । ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବାରେ ବନ ବିଭାଗ ସଫଳ ହୋଇଛି। ଏବେ ପଶ୍ଚିମବଂଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ ରହିଛି ଜିନ୍ନତ । ଦୀର୍ଘ ଦିନର ଉଦ୍ୟମ ପରେ ବାଘୁଣୀ ଜିନ୍ନତକୁ ଟାଙ୍କୁଲାଇଜ କରିବାରେ ବନବିଭାଗ ସଫଳ ହୋଇଛି ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ଡିସେମ୍ବର ୮ ତାରିଖରୁ ଶିମିଳିପାଳରୁ ବାହାରି ଝାଡଖଣ୍ଡମୁହାଁ ହୋଇଥିଲା ଜିନ୍ନତ। ମହାରାଷ୍ଟ୍ରରୁ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା। ଜିନ୍ନତକୁ କାବୁ କରିବାକୁ ଲାଗିଥିଲେ ୩ ରାଜ୍ୟର ୧୨୦ ଜଣିଆ ଟିମ୍ । ଜିନତକୁ କାବୁ କରି ପିଞ୍ଜରାରେ  ରଖାଯାଇଥିବା ବେଳେ ଖୁବଶୀଘ୍ର ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଅଣାଯିବ ବୋଲି ସୂଚନା ଦେଇଛନ୍ତି ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ।

 

କଳିଙ୍ଗ ଷ୍ଟାଡିୟମର ବିଶ୍ଵସ୍ତରୀୟ ଦୌଡ଼ ଟ୍ରାକରେ ସରକାରୀ ଗାଡ଼ି : ସବୁଠି ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ଚର୍ଚ୍ଚାରେ କଳିଙ୍ଗ ଷ୍ଟାଡିଅମ। ଅନ୍ତର୍ଜାତୀୟ ସ୍ତରର କ୍ରୀଡାବିତ୍ ସୃଷ୍ଚି ଉଦ୍ଦେଶ୍ଯରେ ନବୀନ ପଚ୍ଚନାୟକଙ୍କ ନେତୃତ୍ଵାଧୀନ ତତ୍କାଳୀନ ରାଜ୍ଯ ସରକାର ବିଶ୍ବସ୍ତରୀୟ ଟ୍ରାକ୍ ନିର୍ମାଣ କରିଥିଲେ। ହେଲେ ଏବେ ସେଥିରେ ବୁଲୁଛି ସରକାରୀ ଗାଡ଼ି। ଏହାକୁ ନେଇ ଦେଖା ଦେଇଛି ଅସନ୍ତୋଷ। ପୂର୍ବରୁ  ଏଭଳି ଏକ ଘଟଣା ଘଟିଥିଲା ଦିଲ୍ଲୀର ତ୍ଯାଗରାଜ ସ୍ପୋର୍ଟସ କମ୍ପ୍ଲେକ୍ସରେ। ଏହି ସ୍ପୋର୍ଟସ କଂପ୍ଲେକ୍ସର  ଟ୍ରାକରେ ବୁଲୁଥିବା ଆଇଏଏସ ଅଫିସରଙ୍କୁ ସରକାର ବାଧ୍ଯତାମୂଳକ ଅବସର ଦେଇଥିବା ବେଳେ ଓଡିଶା ଘଟଣାରେ ଡବଲ ଇଂଜିନ ସରକାରଙ୍କ ଆଭିମୁଖ୍ଯ କଣ ରହିବ, ତାକୁ ଅପେକ୍ଷା।

କଳିଂଗ ଷ୍ଟାଡିଅମର ଦୌଡ ଟ୍ରାକ୍ ରେ ସରକାରୀ ଗାଡି ପ୍ରବେଶକୁ ନେଇ ପ୍ରତିକ୍ରିୟା। ପ୍ରତିକ୍ରିୟା ପ୍ରକାଶ କଲେ ପୂର୍ବତନ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ସଂଗଠକ ଓ କ୍ରୀଡାବିତ। ଜାତୀୟସ୍ତରର କ୍ରୀଡା ସାମ୍ବାଦିକ ମାନେ ମଧ୍ଯ ସ୍ବର ଉଠାଇଛନ୍ତି । ଭୁବନେଶ୍ବର କଳିଂଗ ଷ୍ଚାଡିୟମରେ ନବୀନ ପଟ୍ଟନାୟକ ବିଶ୍ବସ୍ତରୀୟ ଟ୍ରାକ ନିର୍ମାଣ  କରିଥିବା ବେଳେ ଏହା ବର୍ତ୍ତମାନ ନେତାମାନଂକର ଗାଡ଼ି ଟ୍ରାକ ହୋଇଯାଇଛି ବୋଲି କହିଛନ୍ତି ଜାତୀୟସ୍ତରର କ୍ରୀଡା ସମ୍ପାଦକ ପ୍ରଶାନ୍ତ କୁମାର। ସେ ଆହୁରି କହିଛନ୍ତି ବର୍ତ୍ତମାନ କ୍ରୀଡାବିତ ମାନଂକ ପ୍ରତି ଓଡିଶାରେ କୌଣସି ସମ୍ମାନ ନାହିଁ।

ସେହିଭଳି ଚେତନ ଶର୍ମା କହିଛନ୍ତି କ୍ରୀଡାବିତମାନେ ଟ୍ରାକ କୁ ସ୍ବତନ୍ତ୍ର ଜୋତା ପିନ୍ଧି ଯାଉଥିବା ବେଳେ ବର୍ତ୍ତମାନ ଭିଆଇପି ମାନଂକର କାର୍  ଟ୍ରାକ ହୋଇଯାଇଛି। ସେହିଭଳି ବୈଭବ ବୋଲା ମଧ୍ଯ ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଆପଣ ନିଜର ଗାଡିକୁ ଦୌଡ ଟ୍ରାକକୁ କିଭଳି ନେଇ ଯାଇ ପାରିବେ ? ଏ ପ୍ରସଂଗରେ ପୂର୍ବତନ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଥମେ ସ୍ବର ଉତ୍ତୋଳନ କରିଥିଲେ। ସେ କହିଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କଳିଂଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର ଆଥଲେଟଙ୍କ ପାଇଁ ଟ୍ରାକ୍ ତିଆରି କରିଥିଲେ। ହେଲେ ବର୍ତ୍ତମାନ ଏହା ଓଡିଶାର ଶାସକ ଦଳର ନେତା ମାନଂକର ଗାଡ଼ିର ଟ୍ରାକ୍ ବନିଯାଇଛି । ଏ ପ୍ରସଂଗରେ ତୁରନ୍ତ ଦୋଷୀକଂ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶାରେ ମଧ୍ଯ ଦାବି ହୋଇଛି।

ଏହିଭଳି ସମାନ ଘଟଣା ଘଟିଥିଲା ୨୦୨୨ ମସିହାରେ ନୂଆଦିଲ୍ଲୀର ତ୍ଯାଗରାଜ ସ୍ପୋର୍ଟସ କମ୍ପ୍ଲେକ୍ସରେ ।  ଏଠାରେ ଆଇଏଏସ ଦମ୍ପତ୍ତି ରିଂକୁ ଦୁଗ୍ଗା ଓ ସଂଜୀବ ଖୀରୱାର ନିଜ କୁକୁରକୁ ସାଂଗରେ ଧରି ପ୍ରତିଦିନ ପ୍ରାତଃ ଓ ସାନ୍ଧ୍ଯ ଭ୍ରମଣ କରୁଥିଲେ। ସେତେବେଳେ କିନ୍ତୁ ଷ୍ଟାଡିଅମ ଭିତରକୁ କୌଣସି କ୍ରୀଡାବିତଙ୍କୁ  ମଧ୍ଯ ଛଡା ଯାଉନଥିଲା। ଏନେଇ କ୍ରୀଡାବିତମାନଙ୍କ ମଧ୍ଯରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । କର୍ତ୍ତୃପକ୍ଷକଂ ନିକଟରେ ଅଭିଯୋଗ ହୋଇଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାକୁ ଗୁରୁତର ସହ ନେଇ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଥିଲେ। ରିପୋର୍ଟ ଆସିବା ପରେ ୨୦୨୩ ମସିହା ସେପ୍ଟେମ୍ବର ମାସରେ ଆଇଏସ ରିକୁଂ ଦୁଗ୍ଗାକୁଂ ଚାକିରିକୁ ବାଧ୍ଯ୍ଯତାମୂଳକ ଅବସର ଦିଆଯାଇଥିଲା । ହେଲେ ଏବେ ଓଡିଶାରେ ମଧ୍ୟ ସମାନ ଘଟଣା ଘଟିଥିବା ବେଳେ ସମସ୍ତେ ଚୁପ । ନିଜେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ ଘଟଣାକୁ ସ୍ବୀକାର କରିଛନ୍ତି। ତେବେ ମୁଖ୍ୟ ପ୍ରସଂଗରୁ ହଟି ସେ ଘଟଣାକୁ ହାଲୁକା ଭାବେ ଗ୍ରହଣ କରିଛନ୍ତି।

କ୍ରୀଡ଼ାବିତ ତଥା କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ତତ୍କାଳୀନ ରାଜ୍ଯ ସରକାର ଅଧିକ ଗୁରୁତ୍ବ ଦେଇଥିଲେ। ହେଲେ ଏବେ ସେହି ଭିତ୍ତିଭୂମି ସବୁ ସତେ ଯେମିତି ଦିଗହରା ହୋଇପଡିଛି । ସମାନ ଅପରାଧ ପାଇଁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦିଲ୍ଲୀରେ ଦୋଷୀ ଆଇଏଏସ ଅଧିକାରୀଙ୍କୁ ବାଧ୍ଯତାମୂଳକ ଅବସର ଦେଇଥିବା ବେଳେ ଓଡ଼ିଶାରେ ଡବଲ ଇଂଜିନ ସରକାର ଦୋଷୀମାନଂକ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବ କି ?

 

ଥିରୁବନନ୍ତପୁରମ ହୋଟେଲରୁ ଟିଭି ତାରକାଙ୍କ ମୃତଦେହ ଠାବ

ନନ୍ଦିଘୋଷ ବ୍ୟୁରୋ: କେରଳ ଥିରୁବନନ୍ତପୁରମର ଏକ ହୋଟେଲରେ ମାଲାୟାଲାମ ଟିଭି ତାରକା ଦିଲୀପ ଶଙ୍କରଙ୍କ ମୃତଦେହ ଠାବ। ଏକ ସିରିୟଲର ଶୁଟିଂ ଲାଗି ଥିରୁବନନ୍ତପୁରମକୁ ଆସିଥିଲେ ଦିଲୀପ। ତେବେ ଆଜି ତାଙ୍କ ମୃତଦେହ ଏକ ହୋଟେଲ ରୁମରୁ ମିଳିଛି। ୨ ଦିନ ପୂର୍ବରୁ ସେ ଥରେ ଏହି ସହରକୁ ଆସିଥିଲେ। ସିରିୟଲ ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି- ଶୁଟିଂ କିଛି ଦିନ ବନ୍ଦ କରାଯାଇଥିଲା। ପରେ ସେ ଶୁଟିଂରେ ସାମିଲ ହେବାକୁ ଆସିଥିଲେ। ତାଙ୍କର ଶରୀର ସମସ୍ୟା ରହିଥିଲା ବୋଲି କିଛି ସହକର୍ମୀ କହିଛନ୍ତି। ଦିଲୀପଙ୍କ ଘର ଏର୍ଣ୍ଣାକୁଲମରେ। ସେ ଆତ୍ମହତ୍ଯା କରିଛନ୍ତି ନା କେହି ହତ୍ଯା କରିଛି ନା ଶରୀର ସମସ୍ଯା କାରଣରୁ ତାଙ୍କର ମୃତ୍ଯୁ ଘଟିଛି- ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଅଭିଯୁକ୍ତ ବିପିନ ଦେହୁରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ ଏଡିଜି

ନନ୍ଦିଘୋଷ ବ୍ୟୁରୋ: ହତ୍ୟା ଅଭିଯୁକ୍ତ ବିପିନ ଦେହୁରୀ ଆତ୍ମହତ୍ୟା ଉଦ୍ୟମ ଘଟଣା । ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ ଏଡିଜି ଅମିତାଭ ଠାକୁର । ସପ୍ତାହକ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଡିଆଇଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜଧାନୀ ଉପକଣ୍ଠ ଜାମୁଝରି ମୁକ୍ତାକାଶ ଜେଲ ପରିସରରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା ବିପିନ ଦେହୁରୀ । ବିପିନ ଗତ ଜୁଲାଇ ମାସରେ କେନ୍ଦୁଝର ଜେଲରୁ ଜାମୁଝରି ଜେଲକୁ ଆସିଥିଲା । କେବଳ ଏତିକି ନୁହେଁ ୪ ଦିନ ତଳେ ଅନ୍ତେବାସୀ ମକମନ ମୁଣ୍ଡା ମଧ୍ୟ ଜାମୁଝରି ଜେଲରୁ ଲୁଚି ପଳାଇଛି । ଏଯାଏଁ ତାର ପତ୍ତା ମିଳିପାରିନାହିଁ ।

ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଗଂଜାମ ଗସ୍ତରେ ଯାଉଛନ୍ତି ନବୀନ ପଟ୍ଟନାୟକ। ଗସ୍ତ ପୂର୍ବରୁ ପ୍ରସ୍ତୁତିର ତଦାରଖ କରିଛନ୍ତି ଦଳର ବରିଷ୍ଠ ନେତା। ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର, ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୋଲସରା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ, ଆସିକାର ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଛତ୍ରପୁର ପୂର୍ବତନ ବିଧାୟକ ସୁବାଷ ବେହେରା, ଖଲ୍ଲିକୋଟର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଅନ୍ୟ କର୍ମୀ ଓ ଛାମୁଆ ନେତାମାନେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଇଛନ୍ତି।  ସେମାନେ ଆସିକା ବ୍ଳକର କଇଁଫୁଲିଆ  ଛକ ନିକଟରେ ଧାନ ଚାଷ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ସ୍ଥାନରେ କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଆସନ୍ତକାଲି ଗଂଜାମ ଜିଲ୍ଲାର ଶେରଗଡ, ହିଂଜିଳି, ଆସିକା ଓ କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଅଞ୍ଚଳ ଗସ୍ତ କରି ବର୍ଷାଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।