spot_img
Home Blog Page 1216

ଦକ୍ଷିଣ କୋରିଆରେ ବିମାନ ଦୁର୍ଘଟଣା ୪୭ ମୃତ୍ୟୁ

ସିଓଲ : ଦକ୍ଷିଣ କୋରିଆର ମୁଆନ ସହରରେ ଭୟଙ୍କର ବିମାନ ଦୁର୍ଘଟଣା। ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ବିମାନ । ଦୁର୍ଘଟଣାରେ ୪୭ ଜଣଙ୍କ ମୃତ୍ୟୁ ହୋଇଛି। ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିଲା ବିମାନ । ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ରନଓ୍ୱେରୁ ଖସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ବିମାନଟି ବ୍ୟାଙ୍କକରୁ ଫେରୁଥିଲା । ଲ୍ୟାଣ୍ଡିଂ ବେଳେ ରନଓ୍ୱେରୁ ଏହାର ଖସି ଯାଇ ବିମାନ ବନ୍ଦରର କାନ୍ଥ ସହ ଧକ୍କା ହୋଇଥିଲା । ଏହାପରେ ବିମାନରେ  ଭୟଙ୍କର ବିସ୍ଫୋରଣ ଘଟିଥିଲା । ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ଦୁର୍ଘଟଣା ପରେ ବିମାନରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି । କିନ୍ତୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି ।

ଟାଙ୍ଗୀରେ ଦୁଇଟି ଦୁର୍ଘଟଣା ୧୩ରୁ ଅଧିକ ଆହତ

ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥରେ ଦୁଇଟି ସଡକ ଦୁର୍ଘଟଣା  । ଭାରସ୍ୟାମ ହରାଇ କାରଟି  ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ଗୁରୁତର  । ଏକ ତୀର୍ଥ ଯାତ୍ରୀ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇ ୧୧ରୁଅଧିକ ଯାତ୍ରି ଆହତ ।

କାର ଦୁର୍ଘଟଣାରେ ୨ ଗୁରୁତର ଆହତ। ଅଭାବନୀୟ ଘଟଣାଟି ଦେଖିବାକୁ ମିଳିଛି ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ କୟଥପଲା ଓ କୁଞ୍ଜରୀ  ମଧ୍ୟରେ ଥିବା ଫାଲକନ ପ୍ଲାଣ୍ଟ ନିକଟରେ।ଭାରସାମ୍ୟ ହରାଇ ଡିଭାଇଡ଼ରକୁ ଧକ୍କା ଦେଇଥିଲା କାର। କାର ଭିତରେ ଥିବା ୨ ଜଣ ଗୁରୁତର ଆହତ ହୋଇଥିଲୋ। ସ୍ଥାନୀୟ ଲୋକେ ଲୋକଙ୍କୁ ଉଭୟଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲୋ। ଘଟଣାସ୍ଥଳରେ କୁହୁଡି ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଟାଙ୍ଗୀ ନାଚୁଣୀ କଉଡି ଖଣି ଛକରେ ତୀର୍ଥ ଯାତ୍ରୀ ଗାଡି ଦୁର୍ଘଟଣା। ୧୧ରୁ ଅଧିକ ଗୁରୁତର ଆହତ। ଗୁରୁତର ମାନଙ୍କୁ   ନାଚୁଣୀ ଥାନା ପୋଲିସ ଓ ଚିଲିକା ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ଓ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସମସ୍ତ ଆହତ ବାଣପୁର ବିସର ପାଟଣା ଓ ପଲଟନ ପଡିଆ ଅଂଚଳର ବୋଲି ଜଣା ପଡିଛି। ଅଯୋଧ୍ୟାରୁ ତୀର୍ଥ ସାରି ଘରକୁ ଫେରୁଥିବା ସମୟରେ କଉଡି ଖଣି ଛକ ହମ୍ପରେ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଗୁରୁତର ମାନଙ୍କୁ ଟାଙ୍ଗୀରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

ପାକିସ୍ତାନକୁ ତାଲିବାନର କଡ଼ା ଜବାବ

ପାକିସ୍ତାନକୁ ତାଲିବାନର କଡ଼ା ଜବାବ। ପାକ୍ ଏୟାର ଷ୍ଟ୍ରାଇକର ମୁହଁତୋଡ଼ ଜବାବ ଦେଇଛି ଆଫଗାନିସ୍ଥାନ। ହମଲା କରି ଦୁଇଟି କ୍ୟାମ୍ପ ଉପରେ କବଜା କରିବା ସହ ପାକିସ୍ତାନ ସେନାର ବିପୁଳ କ୍ଷତି ଘଟାଇଥିବା କହିଛି ଆଫଗାନିସ୍ଥାନ। ଆକ୍ରମଣରେ ପାକିସ୍ତାନର ୧୯ ଯବୂାନଙ୍କ ମୃତ୍ଯୁ ହୋଇଥିବା ଦାବି କରିଛି ଆଫଗାନିସ୍ଥାନ। ଖୋସ୍ତ ଏବଂ ପକ୍ତିଆ ଅଂଚଳରେ ସଂଘର୍ଷ ଜାରି ରହିଛି।ସୀମାରେ ଜୋରଦାର ସଂଘର୍ଷ ଚାଲିଛି। କିଛି ଦିନ ତଳେ ପାକ ହମଲାରେ ଆଫଗାନିସ୍ଥାନର ୫୧ ନାଗରିକଙ୍କ ମୃତ୍ଯୁ ଘଟିଥିଲା। ଏୟାରଷ୍ଟ୍ରାଇକୁ ନେଇ ପାକିସ୍ତାନ ଓ ତାଲିବାନ ସେନା ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନର ୩ ଜଣ ନାଗରିକଙ୍କ ମଧ୍ୟ ମୃତ୍ଯୁ ଘଟିଥିବା ଦାବି କରିଛି ତାଲିବାନ। ପାକିସ୍ତାନ ସୀମାକୁ ଲାଗି ରହିଥିବା ଅଂଚଳରେ ଜୋରଦାର ହମଲା କରିଛି ତାଲିବାନୀ ସେନା। ଦୁଇ ଦେଶର ସେନା ମୁହାଁମୁହିଁ ହୋଇ ଗତ ମଙ୍ଗଳବାର ପାକିସ୍ତାନ ଆଫଗାନିସ୍ଥାନ ଉପରେ ହମଲା କରିଥିଲା। ମୃତ ୫୧ ଜଣଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି। ପାକିସ୍ତାନ ଉପରେ ଆଫଗାନ ପଟୁ ଆତଙ୍କୀ ହମଲା ଅଭିଯୋଗ କରି ଆକ୍ରମଣ  କରିଥିଲା ପାକିସ୍ତାନ ସେନା। ଆତଙ୍କୀ ଉପରେ ନିୟନ୍ତ୍ରଣ କରିବାକୁ ପାକିସ୍ତାନ ଆଫଗାନିସ୍ଥାନକୁ ସତର୍କ କରିଥିଲା।

କ୍ଷମା ପ୍ରାର୍ଥନା କଲେ ରୁଷ ରାଷ୍ଟ୍ରପତି

ଅଜରବୈଜାନ ଏୟାରଲାଇନସ ବିମାନ ଦୁର୍ଘଟଣାକୁ ନେଇ କ୍ଷମାପ୍ରାର୍ଥନା କଲେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ। ଅଜରବୈଜାନ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ଲାଗି ଅଜରବୈଜାନ ରାଷ୍ଟ୍ରପତି ଇଲହାମ ଅଲିୟେବଙ୍କୁ ଭୁଲ ମାଗିଛନ୍ତି ପୁଟିନ। ବିମାନ ଆକ୍ରମଣ ପାଇଁ ନିଜକୁ ରୁଷ ଦାୟୀ କରିନଥିଲେ ମଧ୍ୟ ଏହି ଘଟଣା ଲାଗି କ୍ଷମାପ୍ରାର୍ଥନା କରିଛନ୍ତି। ୨୫ ଡିସେମ୍ବରରେ ବାକୁରୁ ରୁଷ ଯାଉଥିବା ଅଜରବୈଜାନ ଏୟାରଲାଇନସର ବିମାନ କାଜାଖସ୍ଥାନର ଅକତାଉ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ  ୩୮ ଜଣ ଯାତ୍ରୀଙ୍କ ମୃତ୍ଯୁ ଘଟିଥିଲା। ବିମାନ ଦୁର୍ଘଟଣା ପରେ ଅଜରବାଇଜାନ ରାଷ୍ଟ୍ରପତି ଇଲହାମ ଅଲିୟେବଙ୍କୁ ଫୋନ କରି ଭୁଲ ମାଗିଥିଲେ ରୁଷ ରାଷ୍ଟ୍ରପତି ପୁଟିନ।  ଏହାସହ ପୀଡ଼ିତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ ରାଷ୍ଟ୍ରପତି ପୁଟିନ। ବିମାନ ଚେଚନିଆ ରାଜଧାନୀ ଗ୍ରୋଜନିରେ ଥିବା ବିମାନ ବନ୍ଦରରେ ଅବତରଣ ଲାଗି ଉଦ୍ୟମ କରିଥିଲା। ସେହି ସମୟରେ ଗ୍ରୋଜନି ସମେତ ମୋଜଦୋକ ଏବଂ ବ୍ଲାଦିକାଜାନ ସହର ଉପରେ ୟୁକ୍ରେନ ହମଲା କରିଥିଲା। ଏହାର ଜବାବରେ ରୁଷର ବାୟୁସେନା ଆକ୍ରମଣକୁ ପ୍ରତିହତ କରିବାକୁ ପାଲଟା ଜବାବ ଦେଇଥିଲେ। ବିମାନରେ ୬୨ ଜଣ ଯାତ୍ରୀଙ୍କ ସହ ଚାଳକ ଦଳର ୫ ସଦସ୍ୟ ଥିଲେ। ଅକତାଉ ନିକଟରେ ବିମାନ ୩ କିଲୋମଟିର ଦୂରରୁ ଅବତରଣ କରିବାକୁ ଉଦ୍ୟମ କରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୟୁକ୍ରେନର ଡ୍ରୋନ ହମଲାକୁ ଜବାବ ଦେବାକୁ ଯାଇ ରୁଷର ଏୟାରଷ୍ଟ୍ରାଇର ଶିକାର ହୋଇଥିଲା ଏହି ବିମାନ  ।

ନୂଆବର୍ଷରୁ ପ୍ରବଳ କୁହୁଡି ସହ ଜାଡ କରିବ କଲବଲ

ଭୁବନେଶ୍ବର: ନୂଆବର୍ଷରୁ ବଢିବ ଜାଡ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ପ୍ରବଳ ଜାଡ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ ।

ସେପଟେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ରହିବ । ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, ବଲାଙ୍ଗୀର, ବରଗଡ, ସୋନପୁର, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର ଓ ନୂଆପଡାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । କାଲି କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରିରେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ ବାକି ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୩୧ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ମୟୂରଭଞ୍ଜ ଆଦି ଜିଲ୍ଲାରେ ତାପମାତ୍ରା କମିବ । ପରେ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ନେଇ ଆକଳନ କରାଯାଇଛି ।

ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ନେଇ ୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ଦୁଇ ଜିଲ୍ଲାରେ ୫୦ ମିଟର ତଳକୁ ଖସି ଆସିବ ଦୃଶ୍ୟମାନ ଦୂରତା । ସେହିଭଳି କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ ଓ ଅନୁଗୁଳରେ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପାହାଡିଆ ଅଞ୍ଚଳ ଭାବରେ ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରାଯାଇଛି । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ୧୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ବରରେ ୧୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ନୂଆବର୍ଷରୁ କାର୍ଯ୍ୟକ୍ଷମ ହେବ ରାଜ୍ୟ ଆଇନ କମିଶନ

ଭୁବନେଶ୍ବର: ରାଜ୍ୟରେ ଥିବା ପୁରୁଣା ଓ ଅନାବଶ୍ୟକ ଆଇନ ହେବ ଉଚ୍ଛେଦ । ଆବଶ୍ୟକତା ଅନୁସାରେ ନୂଆ ଆଇନ ଆସିବ । ସରକାର ଗଠନ କରିଛନ୍ତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣାଙ୍ଗ ଆଇନ କମିଶନ । ୩ ବର୍ଷ ପାଇଁ କମିଶନ କାମ କରିବ । ନୂଆବର୍ଷରୁ ତୋଷାଳି ପ୍ଲାଜାରେ କମିଶନଙ୍କ କାର୍ଯ୍ୟାଳୟ କାମ କରିବ । ରାଜ୍ୟ ଆଇନଗୁଡ଼ିକୁ ତର୍ଜମା କରି ସରକାରଙ୍କୁ ବିଭିନ୍ନ ସୁପାରିସ କରିବ କମିଶନ ।

ନୂଆବର୍ଷରୁ କାର୍ଯ୍ୟକ୍ଷମ ହେବ ରାଜ୍ୟ ଆଇନ କମିଶନ । ପୁରୁଣା ଅନାବଶ୍ୟକ ଆଇନ ରଦ୍ଦ, ନୂଆ ଆଇନର ଆବଶ୍ୟକତା ଓ ଆଇନର କାର୍ଯ୍ୟକାରିତାରେ ଥିବା ପ୍ରତିବନ୍ଧକ ହଟାଇବାକୁ କମିଶନ ସରକାରଙ୍କୁ କରିବ ସୁପାରିଶ । ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନରେ ଆଡଭୋକେଟ ଜେନେରାଲ, ଆଇନ ସଚିବ, ପୂର୍ବତନ ଏଜି ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ମିଶ୍ର, ସୌରଚନ୍ଦ୍ର ମହାପାତ୍ର ସଦସ୍ୟ ରହିବେ । ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ କମିଶନଙ୍କ ସଚିବ ଭାବେ କାମ କରିବେ । କମିଶନ ରାଜ୍ୟରେ ଥିବା ବିଭିନ୍ନ ଆଇନର ତର୍ଜମା କରି ସରକାରଙ୍କୁ ପରାମର୍ଶ ଦେବେ । ଶୀଘ୍ର ଆଉ ଜଣେ ଅଭିଜ୍ଞଙ୍କୁ ନୂଆ ସଦସ୍ୟ ଭାବେ ନିଯୁକ୍ତି ମିଳିବ । ଦୀର୍ଘ ଦିନ ପରେ ଏକ ପୂର୍ଣ୍ଣାଙ୍ଗ କମିଶନ ଗଠନ ହୋଇଥିବାରୁ କାମ କରିବାର ସୁଯୋଗ ମିଳିବ ବୋଲି ଅଧ୍ୟକ୍ଷ କହିଛନ୍ତି ।

ଫୌଜଦାରୀ ଓ ଦେଓ୍ବାନୀ ମାମଲା ନେଇ ଅନେକ ଆଇନ ରହିଛି ଯାହାର ଏବେ ଆବଶ୍ଯକତା ନାହିଁ । ଅନେକ ଆଇନ ସମ୍ପୂର୍ଣ୍ଣ ହଜି ଗଲାଣି । କିଛି ଆଇନ ରହିଛି ଯାହା କାର୍ଯ୍ୟକାରୀ କରିବା କଷ୍ଟ । ଏମିତି ବି ଆଇନ ରହିଛି, ଯାହା ଅଧୀନରେ ବର୍ଷ ବର୍ଷ ଧରି କୌଣସି ମାମଲା ରୁଜୁ ହୋଇନାହିଁ । ସମୟ ସହ ତାଳ ଦେଇ ଏବେ କିଛି ନୂଆ ଆଇନର ଆବଶ୍ୟକତା ବି ରହିଛି । ଏସବୁର ତର୍ଜମା କରିବେ ଆଇନ କମିଶନ । ସରକାରଙ୍କ ନିଷ୍ପତ୍ତିକୁ ଆଇନଜୀବି ସ୍ବାଗତ କରିଥିବା ବେଳେ ଘରଭଡ଼ା ନିୟନ୍ତ୍ରଣ ଆଇନ, ପୁରୁଷ ସୁରକ୍ଷା ଆଇନ ଭଳି ନୂଆ ଆଇନ ସମୟର ଆବଶ୍ୟକତା ବୋଲି କହିଛନ୍ତି । ଏଥିସହ କମିଶନରେ ସାଇବର କ୍ରାଇମ, ଇକୋନୋମିକ ଅଫେନ୍ସ ଭଳି ମାମଲା ରୋକିବାକୁ ବିଭିନ୍ନ କ୍ଷେତ୍ରରୁ ଅଭିଜ୍ଞ ବ୍ୟକ୍ତିଙ୍କୁ ସାମିଲ କରିବାକୁ ଅପିଲ କରିଛନ୍ତି । ଆଇନର ସମୀକ୍ଷା, ଆଇନ ବାବଦରେ ସଚେତନତା, ସଠିକ କାର୍ଯ୍ୟକାରିତା ବାବଦରେ ଆଇନ କମିଶନ ସରକାରଙ୍କୁ ସୁପାରିଶ କରିବେ ।

କେନ୍ଦ୍ର ଅଧୀନସ୍ଥ ସ୍କୁଲରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ ବ୍ୟବସ୍ଥା ପରେ ବଢିଲା ରାଜ୍ୟ ସରକାରଙ୍କ ଅଡୁଆ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ନିୟମ କାର୍ଯ୍ୟକାରୀ କରିବା ନେଇ ଦ୍ବନ୍ଦ୍ବରେ ରାଜ୍ୟ ସରକାର । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସ୍କୁଲରେ ଫେଲ୍ ବ୍ୟବସ୍ଥା ଫେରିବା ନିଷ୍ପତ୍ତି ନିଆଯାଇଛି । ତେବେ ଅନ୍ୟ ସ୍କୁଲ କ’ଣ କରିବେ ? ସେ ନେଇ ଏଯାଏଁ ରାଜ୍ୟ ସରକାର ନିଷ୍ପତ୍ତି ନେଇ ପାରୁନାହାନ୍ତି । କାରଣ କେନ୍ଦ୍ର ସରକାରଙ୍କ ସ୍କୁଲରେ ଯଦି ପିଲାଙ୍କ ପାଇଁ ଫେଲ୍ ବ୍ୟବସ୍ଥା ଲାଗୁ ହେବ ସେମାନଙ୍କ ବର୍ଷେ ନଷ୍ଟ ହେବ । ସେହି ସମାନ ପାଠ ପଢୁଥିବା ରାଜ୍ୟ ସରକାର ଅଧୀନରେ ଥିବା ସ୍କୁଲର ପିଲା କ’ଣ କରିବେ, ସେ ନେଇ ସସପେନ୍ସ ହଟୁନି । ସେପଟେ ସରକାର ପର୍ଯ୍ୟାପ୍ତ ସୁବିଧା ନଦେଇ ଶିକ୍ଷା ଅଧିକାର ଆଇନକୁ ଅବମାନନା କରି ପିଲାଙ୍କୁ ଫେଲ କରିବାକୁ ନିନ୍ଦା କରିଛି ଓଡ଼ିଶା ଅଭିଭାବକ ମହାସଂଘ ।

ରାଜ୍ୟ ସରକାରଙ୍କୁ ଟେନସନରେ ପକାଇଛି କେନ୍ଦ୍ର ସରକାରଙ୍କ ନିୟମ । ହେଲେ ଏପରି ନିୟମ ସିବିଏସଇ, ସରକାରୀ ବୋର୍ଡ ଓ ଆଇସିଏସଇରେ କେମିତି ଲାଗୁ କରାଯିବ, ସେ ନେଇ ଦ୍ବନ୍ଦ୍ବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କେନ୍ଦ୍ର ସରକାରଙ୍କ ସ୍କୁଲରେ ବି ସିବିଏସଇ ପାଠ୍ୟକ୍ରମ ରହିଛି । ଯଦି ସେଠି ପିଲା ଫେଲ୍ ହୋଇ ଗୋଟିଏ ଶ୍ରେଣୀରେ ପୁଣି ପଢିବେ ଅନ୍ୟ ସିବିଏସଇ ସ୍କୁଲଗୁଡ଼ିକରେ ବିବାଦ ବଢିବ । କାରଣ କୌଣସି ପିଲା କି ଅଭିଭାବକ ବର୍ଷେ ନଷ୍ଟ କରିବାକୁ ଚାହିଁବେ ନାହିଁ । ତେବେ ଯଦି କେବଳ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସ୍କୁଲରେ ଫେଲ୍ ବ୍ୟବସ୍ଥା ରହିବ, ଅନ୍ୟ ସ୍କୁଲମାନଙ୍କ ସହ ଅସଙ୍ଗତି ରହିବ । ଏପରି ସ୍ଥିତିରେ କୌଣସି ନିଷ୍ପତ୍ତି ନେବା ସ୍ଥିତିରେ ନାହାନ୍ତି ରାଜ୍ୟ ସରକାର । ଫେଲ୍ ସପକ୍ଷରେ ରାଜ୍ୟ ସରକାର ଅଛନ୍ତି, ହେଲେ ଏହାକୁ ଲାଗୁ କରିବା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଯେଉଁଥି ପାଇଁ ଏଯାଏଁ କେବଳ ତର୍ଜମା ଓ ଆଲୋଚନାରେ ରାଜ୍ୟ ସରକାର ସୀମିତ ରହିଛି ।

ସେପଟେ ଫେଲ୍ ବ୍ୟବସ୍ଥା ଲାଗୁ କରି ପିଲାମାନଙ୍କ ଶିକ୍ଷା ଅଧିକାରକୁ ରାଜ୍ୟ ସରକାର କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରିଛି ଓଡ଼ିଶା ଅଭିଭାବକ ମହାସଂଘ । ଏହାଦ୍ଵାରା  ଡ୍ରପ୍ ଆଉଟ୍ ସଂଖ୍ୟା ବଢିବ l ଶିଶୁ ଶ୍ରମିକ ଓ କନ୍ୟା ଶିକ୍ଷା କ୍ଷେତ୍ରରେ ନିଷ୍ପତ୍ତି ଖରାପ ପ୍ରଭାବ ପକାଇବ । ଫେଲ ହେବାରେ ସମ୍ପୂର୍ଣ୍ଣ ଦୋଷ କେବଳ ପିଲାର ନୁହେଁ । ଶିକ୍ଷା ଗ୍ରହଣ ପାଇଁ ଶିକ୍ଷାଦାନ ବ୍ୟବସ୍ଥା ପ୍ରଥମେ ଦାୟୀ । କାରଣ ସ୍କୁଲରେ ଆବଶ୍ୟକ ଶିକ୍ଷକ, ଶିକ୍ଷାଦାନ ପ୍ରଣାଳୀ, ଶିକ୍ଷା ଗ୍ରହଣ ପାଇଁ ଆବଶ୍ୟକ ଭିତ୍ତିଭୂମି ସରକାର ଯୋଗାଇ ନାହାନ୍ତି ।

ଫେଲ୍ ଉଚ୍ଛେଦ ସହ ମଧ୍ୟାନ୍ନ ଭୋଜନ ବ୍ୟବସ୍ଥା ଯୋଗୁଁ ପିଲାମାନଙ୍କ ସ୍କୁଲ ପ୍ରତି ଆଗ୍ରହ ବଢିଛି । ଏବେ ଦେଖିବାକୁ ମିଳିଲାଣି ଯେ ଦରଦାମ ବୃଦ୍ଧି ଯୋଗୁଁ ଅନେକ ସ୍କୁଲରେ ଠିକ୍ ଭାବେ ମଧ୍ୟାନ୍ନ ଭୋଜନ ମିଳୁନି । ଯଦି ପୁଣି ଫେଲ୍ ବ୍ୟବସ୍ଥା ଫେରିବ, ଶିକ୍ଷା ଗ୍ରହଣରୁ ପିଲାମାନେ ମୁହଁ ଫେରାଇବା ଆଶଂକା ରହିଛି ।

ଆଉ ୬ ମାସ ନୁହେଁ ବର୍ଷକୁ ୯ ମାସ ହେବ ଖରା, ଗରମ

ଭୁବନେଶ୍ବର: ଏଣିକି ୬ ମାସ ନୁହେଁ, ବର୍ଷକୁ ୯ ମାସ ହେବ ଖରା, ଗରମ । ବିଶ୍ବ ତାପାୟନ ଦେଢ଼ ଡିଗ୍ରି ସୀମା ପାର କରିଛି । ୨୦୨୪ ହେଉଛି ସବୁଠୁ ଉତ୍ତପ୍ତ ବର୍ଷ । ଏହି ବର୍ଷରେ ୪୧ ଦିନ ଅଧିକ ହୋଇଛି ଖରାଦିନ । ବିଶ୍ବ ତାପାୟନ ବୃଦ୍ଧି ନେଇ ଏଭଳି ସାଂଘାତିକ ରିପୋର୍ଟ ପ୍ରକାଶ କରିଛି ଇଉରୋପର ପରିବେଶ ସଂସ୍ଥା କୋପରନିକସ୍ । ବୈଜ୍ଞାନିକଙ୍କ ଆଶଙ୍କା ଜୈବ ଇନ୍ଧନ ଗାଡ଼ି, କୋଇଲା ବ୍ୟବହାର ହ୍ରାସ ନକଲେ ଜୀବନ ବଞ୍ଚିବା ପାଇଁ ଅମ୍ଲଜାନ ବି ଅଭାବ ପଡ଼ିବ ।

ଖରାଦିନେ ତାତି, ବର୍ଷାରେ ଗୁଳଗୁଳି, ହଜିଗଲାଣି ଶୀତ । ତାତି ଓ ଗରମରୁ ନାହିଁ ନିସ୍ତାର । ବଢୁଛି ସିନା ନିୟନ୍ତ୍ରଣକୁ ଆସୁନି । ବିଶ୍ବ ତାପାୟନ ଯେପରି ବଢି ଚାଲିଛି । ଏଣିକି ଖରାଗରମ ୬ ମାସ ବଦଳରେ ହୋଇପାରେ ୯ ମାସ । ଏପରି ଆଶଙ୍କା ବ୍ୟକ୍ତ କରିଛନ୍ତି ବୈଜ୍ଞାନିକ ଓ ପରିବେଶବିତ୍ । ସେପଟେ ଇଉରୋପର କୋପରନିକସ୍ ପରିବେଶ ସଂସ୍ଥା ରିପୋର୍ଟରେ କୁହାଯାଇଛି  ୨୦୨୪ ବର୍ଷ ହେଉଛି ସବୁଠୁ ଉତ୍ତପ୍ତ ବର୍ଷ । ୭୬ ବର୍ଷ ପୂର୍ବରୁ ଡେଇଁଗଲା ୨୦୧୫ ପ୍ୟାରିସ୍ ତାପମାତ୍ରା କଣ୍ଟ । ଏବର୍ଷ ୩୬୫ ଦିନ ଭିତରେ ଯେତିକି ଦିନ ଗରମ ଅବଧି ରହିବା କଥା ତାଠୁ ଅଧିକ ୪୧ ଦିନ ଅଧିକ ହୋଇଛି । ତାତିରେ ୪ ହଜାର ଲୋକଙ୍କ ପ୍ରାଣ ଯାଇଛି । ଅନେକ ଲୋକ ହୋଇଛନ୍ତି ବିସ୍ଥାପିତ । ଖାଲି ସେତିକି ନୁହେଁ, ତାତି ବଢିବା ସହିତ ବିଶ୍ବ ତାପାୟନ ମଧ୍ୟ ଦେଢ଼ ଡିଗ୍ରି ସୀମା ପାର କରିଛି । ଯାହାକି ଶିଳ୍ପ ବିପ୍ଲବର ପୂର୍ବ ସ୍ଥିତିକୁ ଦର୍ଶାଇଛି । ବୈଜ୍ଞାନିକ ସତର୍କ କଲେଣି, ଶକ୍ତି ଉତ୍ପାଦନ, ପରିବହନ ପାଇଁ ଜୀବାଶ୍ମ ଇନ୍ଧନ ବିଶେଷ କରି କୋଇଲା, ପେଟ୍ରୋଲିୟମ୍ ଉତ୍ପାଦର ବ୍ୟବହାର ଯଦି ହ୍ରାସ ନ କରାଯାଏ ତା’ହେଲେ, ପୃଥିବୀରେ ଜୀବନ ଧାରଣ କରିବା ଅସମ୍ଭବ ହୋଇପଡ଼ିବ । ରିପୋର୍ଟ ଅନୁଯାୟୀ, ଏପରି ଜାରି ରହିଲେ ୨୦୪୦-୫୦ ବେଳକୁ ବିଶ୍ବ ତାପାୟନ ୨ ଡିଗ୍ରୀ ସେଲ୍ସିୟସରୁ ଅଧିକ ହୋଇଯିବ ।

ତାପମାତ୍ରା ବଢିବା ସହିତ ବାୟୁମଣ୍ଡଳରେ ଅମ୍ଲଜାନ ପରିମାଣ ମଧ୍ୟ ହ୍ରାସ ପାଉଛି । ସହରାଞ୍ଚଳରେ ଅମ୍ଲଜାନ ସଂକଟ ଏବେଠୁ ଅନୁଭୁତ ହେଲାଣି । ତା’ ସହିତ ବାୟୁମଣ୍ଡଳରେ ପି.ଏମ୍ ୨.୫ କଣିକା ମାତ୍ରା ଏତେ ହେଲାଣି ଘର ଭିତରେ ବି ସ୍ବଚ୍ଛ ବାୟୁ ଚଳପ୍ରଚଳ କରୁନି । ବେପରୁଆ ଭାବେ କୋଠାବାଡ଼ି ନିର୍ମାଣ ବାୟୁ ପ୍ରଦୂଷଣକୁ ଆହୁରି ୩ ଗୁଣ ବଢାଇ ଦେଇଛି । କୋଇଲାରୁ ନିର୍ଗତ କାର୍ବନ କଣିକା, ପେଟ୍ରୋଲ-ଡିଜେଲ ଦ୍ବାରା ଚାଳିତ ଗାଡ଼ିରୁ ନିର୍ଗତ କାର୍ବନ ମନୋକସାଇଡ୍ ବାୟୁମଣ୍ଡଳକୁ ବିଷାକ୍ତ କରିଦେଲାଣି । ସବୁଜ ଗୃହ ବାଷ୍ପ ବୃଦ୍ଧି ଯୋଗୁଁ ଓଜନ୍ ସ୍ତରରେ ହ୍ରାସ ଘଟୁଛି । ଫଳରେ ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମି ଏବେ ଲୋକଙ୍କ ଦେହରେ ପଡ଼ି ନାନାଦି ରୋଗ ସୃଷ୍ଟି କଲାଣି ।

ଚଳିତବର୍ଷ ହେଉଛି ଏଲ୍-ନିନୋର ବର୍ଷ । ଏବେ ଲା-ନିନୋ ଆରମ୍ଭ ହୋଇଥିଲେ ବି ଶୀତଋତୁରେ ବି ଗରମ ଅନୁଭୁତ ହେଉଛି । ପ୍ୟାରିସ ଚୁକ୍ତିନାମାରେ ଥିଲା ବିଶ୍ବର ସବୁ ରାଷ୍ଟ୍ର ଏକବିଂଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ବିଶ୍ବ ତାପାୟନକୁ ଦେଢ଼ ଡିଗ୍ରୀ ସେଲସିୟସ ଭିତରେ ସୀମିତ ରଖିବେ । ଯାହାକି ଏହି ବର୍ଷ ସେ ସୀମା ପାର୍ କରିସାରିଛି । ଗରମ ସବୁବେଳେ ଅନୁଭୁତ ହେଉଥିବାରୁ ଘରେ ଆଉ ଏୟାର କଣ୍ଡିସନ୍ କାମ କରୁନି । କାରଣ ଏବର ଏସି ମେସିନ୍ ୫୦ ଡିଗ୍ରୀ ପର୍ଯ୍ୟନ୍ତ ଗରମ ନିୟନ୍ତ୍ରଣ କଲା ଭଳି ସକ୍ଷମ । ଏସି ବ୍ୟବହାର ନକଲେ ଘର ଭିତରେ ରହିବା ଦୁର୍ବିସହ ହେଉଥିବା ସାଧାରଣ ଲୋକେ ପ୍ରକାଶ କରିଛନ୍ତି ।

ଖରାଗରମକୁ ମୁକାବିଲା କରିବା ଅର୍ଥ ଅଧକରୁ ଅଧିକ ସବୁଜ ବନାନୀ ସୃ୍ଷ୍ଟି କରିବା । ଯେପରି ଭାବେ ସହରୀକରଣ କରାଯାଉଛି ତାହା ଯଦି ଆଗାମୀ ଦିନରେ ପରିବେଶ ଅନୁକୂଳ ନ ହୁଏ ତା’ହେଲେ ଆଉ ସେଦିନ ଦୂର ନୁହେଁ, ଲୋକେ ଅମ୍ଲଜାନ ଥଳି ମୁହଁରେ ଲଗାଇ ବାହାରକୁ ବାହାରିବେ ।

ସରକାର ଶୁଣୁନାହାନ୍ତି, ୨୦୨୫ରେ ବି ଦରଦାମ କମିବା ଆଶ କ୍ଷୀଣ

ଭୁବନେଶ୍ବର: ସମସ୍ତଙ୍କ ମନେରେ ଗୋଟିଏ ପ୍ରଶ୍ନ, କେବେ ମହଙ୍ଗା ମାଡ଼ରୁ ମିଳିବ ମୁକ୍ତି ? ଆଗକୁ ନୂଆବର୍ଷ । ହେଲେ ଲୋକଙ୍କ ମନରେ ନାହିଁ ଉତ୍ସାହ । କାରଣ ସରକାରଙ୍କ ଅପାରଗତାରୁ ଦରଦାମ ଲୋକଙ୍କ ପକେଟ କରୁଛି ଖାଲି । ଆଜି ବି ଆଳୁ ପିଆଜ ପରି ସମସ୍ଯାରେ ମୁକ୍ତି ପାଇପାରୁ ନାହାନ୍ତି ଲୋକେ । ପଶ୍ଚିମବଙ୍ଗରୁ ଏଯାଏଁ ସ୍ୱଭାବିକ ଭାବେ ଆଳୁ ଆମଦାନି ହେଉ ନଥିବାବେଳେ ୟୁପି ଆଳୁ ଖାଉଟିଙ୍କ ଚାହିଦା ମେଣ୍ଟାଉଛି । ତଥାପି ୪୦ରୁ ଖସୁନି ଦର ।

ହାତରେ ଆଉ ଦିନି ତିନିଟି । ୨୦୨୪ ଯିବ ଓ ୨୦୨୫ ଆସିବ । ହେଲେ ପ୍ରତିବର୍ଷ ପରି ଚଳିତ ନୂଆବର୍ଷକୁ ସ୍ବାଗତ କରିବାକୁ ଲୋକଙ୍କ ମନରେ ନାହିଁ ଉତ୍ସାହ । କାରଣ ଦର ବୃଦ୍ଧିରେ କଲବଲ ହେଉଛନ୍ତି ଖାଉଟି । ୨୦୨୪ର ଅଧାମାସ କନ୍ଦାଇଲା । ହେଲେ ସମସ୍ୟା ହୋଇପାରିନି ସମସ୍ୟା । ୨୦୨୫ରେ ମଧ୍ଯ ସ୍ଥିତି ସୁଧୁରିବ ନାହିଁ ବୋଲି ପୂର୍ବାନୁମାନ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ସ୍ବଭାବିକ ହୋଇ ନଥିବାବେଳେ ଗ୍ରାହକଙ୍କ ଚାହିଦା ମେଣ୍ଟାଉଛି ୟୁପି ଆଳୁ । ହେଲେ ଖୁଚୁରା ବ୍ଯବସାୟୀ ମନଇଛା ରେଟ୍ କରୁଥିବାରୁ ୪୦ ଟଙ୍କା ତଳକୁ ଖସୁନି ଆଳୁ ଦର । ତେଣୁ ଗ୍ରାହକଙ୍କ ପାଇଁ କିଛି ଭଲ ହେବ ବୋଲି ଆଶା ନାହିଁ ବୋଲି ଆଗୁଆ ପୂର୍ବାନୁମାନ କରିଛି ବ୍ୟବସାୟୀ ମହାସଂଘ । ଏହାସହ କୌଣସି ପ୍ରସଙ୍ଗରେ ସରକାର ସହଯୋଗ କରୁ ନଥିବା ସଂଘ ଅଭିଯୋଗ କରିଛି । ସେପଟେ ୨୪ର ତିକ୍ତ ଅନୁଭୁତିରୁ ମୁକୁଳିବାକୁ କ୍ଷୁଦ୍ର ବ୍ୟବସାୟୀ ବି ଚାହୁଁଥିବା କହିଛନ୍ତି ।

ଦରଦାମ ବୃଦ୍ଧି, ଆଳୁ ସଙ୍କଟ ଯୋଗୁଁ ଲଗାତର ଯୁଝି ହେଉଥିବା ସାଧାରଣ ଲୋକେ ସରକାରଙ୍କ ଉପରୁ ସବୁ ଆଶା ହରାଇ ସାରିଲେଣି । ଓଡ଼ିଶାରେ କ୍ରିୟାଶୀଳ ସରକାର ନୁହେଁ, ଏବେ ପାସିଭ ସରକାର ଚାଲିଛି କହି ବର୍ଷିଛି ସିଟିଜେନସ ଫୋରମ । ନୂଆ ସରକାରରେ ୭ ମାସ ହେଲାଣି । ସରକାରଙ୍କ କାର୍ଯ୍ୟ ଲୋକେ ଦେଖିସାରିଲେଣି । ରାଜ୍ୟରେ କୃଷିକ୍ଷେତ୍ର ଦୁର୍ବଳ ହେଲାଣି । କୃଷକ କ୍ଷତିଗ୍ରସ୍ତ ହେଲେଣି । ଆଉ ଉତ୍ପାଦନ ବୃଦ୍ଧି ନେଇ ବି ସମ୍ଭାବନା ଦେଖାଯାଉନାହିଁ । ବିକାଶମୂଳକ କାର୍ଯ୍ୟ ଯେଉଁଠି ସେଇଠି ରହିବା ବଦଳରେ ତଳକୁ ଖସିଲାଣି । ଯାହା ଫଳରେ ନୂଆବର୍ଷରେ ସବୁ ବର୍ଗର ଲୋକେ ରାସ୍ତାକୁ ଓହ୍ଲାଇବେ ଓ ଏକ ରାଷ୍ଟ୍ର ବିପ୍ଳବ ହୋଇପାରେ ବୋଲି ଆଶଂକା ପ୍ରକଟ କରିଛି ସିଟିଜେନ ଫୋରମ ।

ରାଜ୍ୟରେ ଦରଦାମ ସ୍ଥିତି ଓ ସରକାରଙ୍କ ଆଭିମୁଖ୍ୟ ପ୍ରସଙ୍ଗରେ ନୂଆବର୍ଷରେ ନୂଆ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛି ବ୍ୟବସାୟୀ ମହାସଂଘ । ଆସନ୍ତା ୬ ଓ ୭ ତାରିଖରେ ଦିଲ୍ଲୀରେ ବ୍ୟବସାୟୀ ମହାସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେବ । ଓଡ଼ିଶାର ବ୍ୟବସାୟିକ ସମସ୍ୟା, ଗ୍ରାହକଙ୍କ ସମସ୍ୟା ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ଆଲୋଚନା ହେବ । ଦକ୍ଷିଣ ଓଡ଼ିଶାର ବ୍ୟବସାୟୀଙ୍କୁ ନେଇ ଜାନୁୟାରୀ ୧୯ ତାରିଖରେ ମଧ୍ୟ ଭବାନୀପାଟଣାରେ ହେବ ସମାବେଶ । ଏସବୁ ମାଧ୍ୟମରେ ବିକଳ୍ପ ପନ୍ଥା ବାହାର କରିବାକୁ ଯୋଜନା କରାଯାଉଛି ବୋଲି କୁହାଯାଇଛି ।

ବର୍ଷା ଦେଇଗଲା ଅସରନ୍ତି ଦୁଃଖ: ୪ ଦିନରେ ଆଖି ବୁଜିଲେଣି ୬ ଚାଷୀ

ଭୁବନେଶ୍ବର: ଅଦିନିଆ ବର୍ଷା ଛାରଖାର କରିଦେଲା ସବୁ କିଛି । ବର୍ଷା ପାଣିରେ ଧୋଇଗଲା ଅମଳ ହେବାକୁ ଥିବା ଫସଲ । ଆଉ ଏହି ଦୁଃଖକୁ ସହି ନପାରି ରାଜ୍ୟରେ ୪ ଦିନ ମଧ୍ୟରେ ୬ ଜଣ ଚାଷୀ ଆଖି ବୁଜିଲେଣି । କେନ୍ଦ୍ରାପଡ଼ା ଡେରାବିଶ ବିଶକ ଗାଁର ଦୈତାରୀ ନାୟକ ଫସଲ କ୍ଷୟକ୍ଷତି ଯୋଗୁଁ ଆତ୍ମହତ୍ୟାର ବାଟ ବାଛି ନେଇଛନ୍ତି । ସେପଟେ ପାଣିରେ ଭାସୁଥିବା ଫସଲ ଦେଖି ବିଲରେ ହିଁ ଟଳି ପଡ଼ିଲେ ଖୋର୍ଦ୍ଧା ଜିଲ୍ଲା ଏକଡାଳିଆ ଗାଁର ଚାଷୀ ମେଘନାଦ ଦଳବେହେରା ଏବଂ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ମଣିତାପୁର ଗାଁର ମଣିରାମ ମହାନ୍ତି ।

ପ୍ରତିଦିନ ଚାଷୀ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ଉଜୁଡା କ୍ଷେତକୁ ଦେଖି କେଉଁଠି ଚାଷୀ ହୃଦଘାତରେ ପାଣ ହରାଉଛନ୍ତି ତ ଆଉ କେଉଁଠି ପିଷ ପିଇ ଦେଉଛନ୍ତି । ଆଜି ଏମିତି ତିନିଟି ଘଟଣା ଦେଖିବାକୁ ମିଳିଛି ।

କେନ୍ଦ୍ରାପଡ଼ା ଡେରାବିଶ ଅଞ୍ଚଳରେ ପୁଣି ଘଟିଛି ହୃଦୟକୁ ଥରାଇ ଦେବାଭଳି ଘଟଣା । ବିଶକ ଗାଁର ଦୈତାରୀ ନାୟକ ଫସଲ କ୍ଷୟକ୍ଷତି ଯୋଗୁଁ ଆତ୍ମହତ୍ୟାର ବାଟ ବାଛି ନେଇଥିବା ଅଭିଯୋଗ ହୋଇଛି । ଘର ଭିତରେ କବାଟ କିଳି ବିଷ ପିଇ ଦୈତାରୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ଦୈତାରୀଙ୍କ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଓ ଋଣ ବୋଝରୁ ମୁକ୍ତି ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

ସେପଟେ ପାଣିରେ ବୁଡିଥିବା ଫସଲ ଦେଖି ବିଲରେ ହିଁ ଟଳି ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ଏକଡାଳିଆ ଗାଁର ଚାଷୀ ମେଘନାଦ ଦଳବେହେରା । ମେଘନାଦ ଅମଳ ପାଇଁ ଜମିରେ ଧାନ କାଟି ପକାଇଥିବା ବେଳେ ବର୍ଷାରୁ ବ୍ୟାପକ କ୍ଷତି ଘଟିଥିଲା । ଏହାକୁ ଦେଖି ସମ୍ଭାଳି ପାରି ନଥିଲେ ମେଘନାଦ । ବର୍ଷା ପାଣିରେ କଟାଧାନ ବୁଡ଼ି ରହିଥିବା ଦେଖି ହଠାତ ଅଚେତ ହୋଇ ପଡ଼ି ଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଣପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଯାଜପୁରରେ ମଧ୍ୟ ସମାନ ଘଟଣା ଘଟିଛି । ବିଞ୍ଝାରପୁର ବ୍ଲକ ମଣିତାପୁର ଗାଁର ମଣିରାମ ମହାନ୍ତି ବିଲରେ ଉଜୁଡା ଫସଲ ଦେଇ ଆଖି ବୁଜିଛନ୍ତି । ମଣିରାମ କୃଷି ଋଣ ସହ ବିଭିନ୍ନ ଜାଗାରୁ ଧାର କରଜ କରି ଚାଷ କରିଥିଲେ । ଅଦିନିଆ ବର୍ଷାରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଉଜୁଡା କ୍ଷେତକୁ ଦେଖି ତାଙ୍କ ପ୍ରାଣବାୟୁ ଉଡିଯାଇଥିବା ପରିବାର ଲୋକ କହିଛନ୍ତି ।

ଗତ ଗୁରୁବାର ମଧ୍ୟ ଗଞ୍ଜାମ ଜିଲ୍ଲା ବଡମାଧପୁର ପଞ୍ଚାୟତ ବରଙ୍ଗ ଗାଁରେ ଘଟିଥିଲା ଚାଷୀ ଆତ୍ମହତ୍ୟା । ଏଠି ପ୍ରାଣ ହାରିଥିବା ଜଣେ ଭାଗ ଚାଷୀ ବନମାଳୀ ପେଣ୍ଠେଇ । ସରକାରଙ୍କ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ବିଳମ୍ବ ପଦକ୍ଷେପ ଏଥିପାଇଁ ଦାୟୀ ବୋଲି ଅଭିଯୋଗ ହୋଇଛି । ମଣ୍ଡି ଅବ୍ୟବସ୍ଥା ମୁଣ୍ଡବିନ୍ଧାର କାରଣ ସାଜିଥିବା ବେଳେ ଏବେ ଅଦିନିଆ ବର୍ଷା ଦେଇଯାଇଛି ଅସରନ୍ତି ଦୁଃଖ । ନିର୍ବାଚନ ବେଳେ ବିଜେପି ସରକାରଙ୍କ ମାଳ ମାଳ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି ।