spot_img
Home Blog Page 1235

ଆତ୍ମହତ୍ୟା ଉଦ୍ୟମ ପଡିଲା ମହଙ୍ଗା ଏବେ ଦେବେ ୧୦ଲକ୍ଷ

ଆତ୍ମହତ୍ୟାରୁ କରୁଣ ଘଟଣା…ଆତ୍ମହତ୍ୟା କରୁଥିଲେ ଚାଷୀ, ଜୀବନ ବଞ୍ଚାଇଦେଲେ ପୋଲିସ…ଏବେ ଚାଷୀ ଗଣିବେ ମୋଟା ଅଙ୍କର ଟଙ୍କା…ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପୁରା ୧୦ ଲକ୍ଷ ଟଙ୍କା ଗଣିବେ ଚାଷୀ ଜଣକ…ଜୀବନ ବଞ୍ଚାଇବାରେ ଲାଗିଥିବା ପୋଲିସକୁ  ଖର୍ଚ୍ଚ ଦେବାକୁ ପଡ଼ିବ…ଏଥି ପାଇଁ ତାଙ୍କୁ ନୋଟିସ ମଧ୍ୟ ମିଳିଛି…ଏମିତି ଘଟଣା ଘଟିଛି ରାଜସ୍ଥାନର ଝୁଞ୍ଝୁନୁ ଅଞ୍ଚଳରେ…

ରାଜସ୍ଥାନର ଝୁଞ୍ଝୁନୁ ଅଞ୍ଚଳର ଜଣେ ଚାଷୀ ବିଦ୍ୟାଧର ଯାଦବ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଥିଲା । ହେଲେ, ପ୍ରଶାସନ ତାକୁ ବଞ୍ଚାଇ ଦେଇଛି ଏବଂ ଶାନ୍ତି ଭଙ୍ଗର ଅଭିଯୋଗରେ ଗିରଫ ମଧ୍ୟ କରିଛି । ଏବେ ଚାଷୀ ଜଣଙ୍କୁ ପ୍ରଶାସନ ନୋଟିସ ମଧ୍ୟ ପଠାଇଛି, ଯେଉଁଥିରେ ଉଲ୍ଲେଖ କରା ଯାଇଛି ଯେ ତାକୁ ବଞ୍ଚାଇବାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଚାଷୀଙ୍କୁ ଏହି ଟଙ୍କା ଦେବାକୁ ପଡିବ ବୋଲି ନୋଟିସରେ କୁହାଯାଇଛି  ।

କାହିଁକି ଆତ୍ମହତ୍ୟା କରିବା ପାଇଁ ଚାହୁଁଥିଲେ ?

ଝୁଞ୍ଝୁନୁରେ ଅଞ୍ଚଳରେ ଏକ ସିମେଣ୍ଟ ଫ୍ୟାକ୍ଟ୍ରି ଅଛି । ସିମେଣ୍ଟ ଫ୍ୟାକ୍ଟ୍ରିର ନିର୍ମାଣ ସମୟରେ ବିଦ୍ୟାଧର ଯାଦବଙ୍କ ଜମି ମଧ୍ୟ ଯାଇଥିଲା। ବିଦ୍ୟାଧରଙ୍କ ଅଭିଯୋଗ ଥିଲା ଯେ ତାଙ୍କୁ ଜମି ଏବଂ ଘରର ଉଚିତ ମୂଲ୍ୟ  ଦିଆଯାଇନି। ସେ ଏହାକୁ ନେଇ ଅନେକ ବାର କମ୍ପାନୀ ସହିତ ଜିଲ୍ଲାର ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ, କିନ୍ତୁ କିଛି ସୁଫଳ ମିଳିନଥିଲା।

ଜମିର ଉଚିତ ମୂଲ୍ୟ ନମିଳିବାରୁ ବିଦ୍ୟାଧର ଚିନ୍ତିତ ଥିଲେ। ତାଙ୍କ କହିବା ଅନୁସାରେ, ସେ ଅଫିସକୁ ଦୌଡ଼ି ଦୌଡ଼ି ଥକି ଯାଇଥିଲେ, କିନ୍ତୁ କେହି ମଧ୍ୟ ତାଙ୍କ ସମସ୍ୟାକୁ ବୁଝି ନଥିଲେ। ଯାହାଫଳରେ ସେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ|

୧୧ ଡିସେମ୍ବରରେ ସେ ଫ୍ୟାକ୍ଟ୍ରି ବାହାରକୁ ଯାଇଥିଲେ ଏବଂ କହିଥିଲେ ଯେ ଯଦି ମୋ ଜମିର ଉଚିତ୍ ମୂଲ୍ୟ ନମିଳେ ପରିବାର ସହିତ ଏଠାରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ତା’ପରେ ଘଟଣା ସ୍ଥଳରେ ଥିବା ପୋଲିସ ତାକୁ ଗିରଫ କରିଥିଲା। ହେଲେ, ସେ ଏସ୍‌ଡିଏମ କୋର୍ଟରୁ ବେଲ୍ ମିଳିଥିଲା। ଏହି ଘଟଣାର ଗୋଟିଏ ଦିନ ପରେ ଜମିର ମୂଲ୍ୟ ବାବଦରେ ତାଙ୍କୁ  ତିନି କୋଟି ଟଙ୍କା ମିଳିଥିଲା।

କାହିଁକି ଦେବେ ୧୦ ଲକ୍ଷ ଟଙ୍କା ?

ତେବେ ଏହି ଘଟଣାରେ ୯୯ ଜଣ ପୋଲିସକର୍ମୀଙ୍କୁ ନିୟୋଜିତ କରାଯାଇଥିଲା | ଏଥିରେ ଜଣେ ଏସ୍‌ପି, ଦୁଇ ଡିଏସ୍‌ପି ସହ ଅନ୍ୟାନ୍ୟ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। କେତେକ ସରକାରୀ ଗାଡିକୁ ମଧ୍ୟ ବ୍ୟବହାର କରାଯାଇଥିଲା। ଏଥିରେ ପ୍ରାୟ 9 ଲକ୍ଷ 99 ହଜାର 577 ଟଙ୍କା ଖର୍ଚ୍ଚ ହୋଇଥିଲା। ଏବେ ନୋଟିସ ପଠାଇ ଚାଷୀଙ୍କୁ ଏହି ଟଙ୍କା ଦେବାକୁ କୁହାଯାଇଛି।

 

 

ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ-ସେବାୟତ ଧସ୍ତାଧସ୍ତି

ପୁରୀ : ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଅଭାବନୀୟ ଦୃଶ୍ୟ । ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍‌ରେ ଭକ୍ତ-ସେବାୟତ ଧସ୍ତାଧସ୍ତି । ପୋଲିସ ସମ୍ମୁଖରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ରବିବାର ମଧ୍ୟାହ୍ନ ସମୟରେ ଶ୍ରୀମନ୍ଦିର ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିଥିଲା । ଏହି ସମୟରେ ସିଂହଦ୍ୱାର ସମ୍ମୁଖରେ ଘଟିଲା ଅଭାବନୀୟ ଘଟଣା । କୌଣସି କାରଣକୁ ନେଇ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ । ଦର୍ଶନ ପାଇଁ ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ଼ରେ ପ୍ରବେଶ ଉଦ୍ୟମ ବେଳେ ଭକ୍ତଙ୍କ ସହ ସେବାୟତଙ୍କ ଠେଲାପେଲା ହୋଇଥିଲା । ପୋଲିସ ଘଟଣାସ୍ଥଳରେ ଥାଇ ମଧ୍ୟ ବିବାଦକୁ ଅଟକାଇ ପାରିନଥିଲେ ।

ଆସିଲା ଚାମ୍ପିଅନ୍ସ ଟ୍ରଫି ସମ୍ଭାବ୍ୟ ଭେନ୍ୟୁ: ଫେବୃଆରୀ ୨୩ରେ ଭାରତ-ପାକିସ୍ତାନ ମହାସମର

ମୁମ୍ବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ସମ୍ଭାବ୍ୟ ଭେନୁ ପ୍ରକାଶ ପାଇଛି । ଆଉ ଏହା କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି । ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବାକୁ ନେଇ ଟଣା ଓଟରା ଭିତରେ ଏହି ଭେନ୍ୟୁ ଆସିଛି । ଆଉ ଭାରତ-ପାକିସ୍ତାନ କେଉଁଦିନ ମୁହାଁମୁହିଁ ହେବେ ଏକ ପ୍ରକାର ସ୍ପଷ୍ଟ ହୋଇଛି । ଆଇସିସି ଚାମ୍ପିଅନ୍ସ ଟ୍ରଫିର ସମ୍ଭାବ୍ୟ ଭେନ୍ୟୁ ହିସାବରେ ଭାରତ ଓ ପାକିସ୍ତାନ ମଧ୍ୟରେ ୨୯୨୫ ଫେବୃଆରୀ ୨୩ ତାରିଖରେ ଖେଳାଯିବ ମ୍ୟାଚ୍ । ଯାହାକୁ ସାରା ବିଶ୍ବର କ୍ରିକେଟ୍ ଫ୍ୟାନ୍ ଅନାଇ ବସିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତାବର୍ଷ ପାକିସ୍ତାନରେ ଆଇସିସି ଚାମ୍ପିୟାନ ଟ୍ରଫି ଆୟୋଜନ ହେଉଛି । କିନ୍ତୁ ଭାରତ ପାକିସ୍ତାନ ଖେଳିବା ପାଇଁ ଯିବ ନାହିଁ । ତେଣୁ ଭାରତ ତାର ସବୁ ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳିବ । ଯଦି ଭାରତ ସେମି ଫାଇନାଲକୁ କ୍ବାଲିଫାଏ କରେ ତେବେ ଏହି ମ୍ୟାଚ ଆୟୋଜନରୁ ବଞ୍ଚିତ ହେବ । ସେତିକି ନୁହେଁ, ଭାରତ ଯଦି ଫାଇନାଲକୁ ଯାଏ ତେବେ ପାକିସ୍ତାନ ହାତରୁ ଏହି ମ୍ୟାଚ୍ ମଧ୍ୟ ନିରପେକ୍ଷ ସ୍ଥାନକୁ ଚାଲିଯିବ । ଶେଷ ଥର ଭାରତ ଏମ.ଏସ. ଧ୍ବନୀଙ୍କ ନେତୃତ୍ବରେ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ।

ରେବ ସ୍ପୋର୍ଟର ରିପୋର୍ଟ ଅନୁଯାୟୀ, ଭାରତ ୩ଟଇ ଗ୍ରୁଫ୍ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚରେ ବାଂଲାଦେଶ ଦ୍ବିତୀୟରେ ପାକିସ୍ତାନ ଓ ତୃତୀୟ ମ୍ୟାଚରେ ନ୍ୟୁଜଲ୍ୟାଣ୍ଡକୁ ଭେଟଇବ ଦଳ । ୨୩ ମାର୍ଚ୍ଚରେ ଭାରତ ଶେଷ ଗ୍ରୁଫ ମ୍ୟାଚ ଖେଳିବ । ସେହିପରି ସେମିଫାଇନାଲ ଦୁଇଟଇ ୪ ଓ ୫ ମାର୍ଚ୍ଚରେ ଖେଳାଯିବାକୁ ଥିବା ବେଳେ ଫାଇନାଲ ୯ ମାର୍ଚ୍ଚରେ ହେବ । ଫାଇନାଲ ମ୍ୟାଚ ପାଇଁ ଗୋଟିଏ ଦିନ ରିଜର୍ଭ ରହିଛି ।

ପାକିସ୍ତାନ ଡିଫେଣ୍ଡିଂ ଚମ୍ପିଅନ ଭାବେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବ । ୨୦୧୭ରେ ବିରାଟ କୋହଲିଙ୍କ ନେତୃତ୍ବଧୀନ ଭାରତୀୟ ଟିମକୁ ପାକିସ୍ତାନ ଏକତରଫା ହରାଇ ଚାମ୍ପିୟନ ହୋଇଥିଲା । ଏହାପରେ ଆଇସିସି ଏହାର ପରବର୍ତ୍ତି ସଂସ୍କରଣକୁ ରଦ୍ଦ କରି ଦେଇଥିଲା । ଯାହା ପୁଣି ଆରମ୍ଭ ହେବାକୁ ଯାଉଛି ।

୨୦୨୫ ଚାମ୍ପିଅନ୍ସ ଟ୍ରଫି ସମ୍ଭାବ୍ୟ ଭେନ୍ୟୁ

୧୯ ଫେବୃଆରୀ – ପାକିସ୍ତାନ ବନାମ ନ୍ୟୁଜଲ୍ୟାଣ୍ଡ

୨୦ ଫେବୃଆରୀ – ଭାରତ ବନାମ ବାଂଲାଦେଶ

୨୧ ଫେବୃଆରୀ – ଆଫଗାନିସ୍ତାନ ବନାମ ସାଉଥ ଆଫ୍ରିକା

୨୨ ଫେବୃଆରୀ – ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ

୨୩ ଫେବୃଆରୀ – ଭାରତ ବନାମ ପାକିସ୍ତାନ

୨ ମାର୍ଚ୍ଚ           – ଭାରତ ବନାମ ନ୍ୟୁଜଲାଣ୍ଡ

୪ ମାର୍ଚ୍ଚ           – ପ୍ରଥମ ସେମିଫାଇନାଲ

୫ ମାର୍ଚ୍ଚ           – ଦ୍ବିତୀୟ ସେମିଫାଇନାଲ

୯ ମାର୍ଚ୍ଚ           – ଫାଇନାଲ

UPSC CSE-2023 ପରୀକ୍ଷା ଫଳ ପ୍ରସଙ୍ଗ, ଶୁଭ୍ରା ରଞ୍ଜନ ଆଇଏଏସ ଷ୍ଟଡି ଉପରେ ୨ ଲକ୍ଷ ଟଙ୍କାର ଜରିମାନା

ନନ୍ଦିଘୋଷ ବ୍ୟୁରୋ: ୟୁପିଏସସି ସିଏସଇ-୨୦୨୩ ପରୀକ୍ଷା ଫଳ ନେଇ ବିଭ୍ରାନ୍ତିକର ତଥ୍ଯ ପ୍ରସାରଣ ପ୍ରସଙ୍ଗ । ଶୁଭ୍ରା ରଞ୍ଜନ ଆଇଏଏସ ଷ୍ଟଡି ଉପରେ ୨ ଲକ୍ଷ ଟଙ୍କାର ଜରିମାନା । କେନ୍ଦ୍ରୀୟ ଉପଭୋକ୍ତ ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ କଲେ ଜରିମାନା । ନିଜର ବିଜ୍ଞାପନରେ ଶୁଭ୍ରା ରଞ୍ଜନ ଆଇଏଏସ ଷ୍ଟଡି ବିଭ୍ରାନ୍ତିକର ତଥ୍ୟ ଦେଇଥିଲା ।

ଅଭିଯୋଗ ଅନୁସାରେ ଶୁଭ୍ରା ରଞ୍ଜନ ଆଇଏଏସ ଷ୍ଟଡି ନିଜ ବିଜ୍ଞାପନରେ  ୟୁପିଏସସି ସିଏସଇ-୨୦୨୩ରେ ଟପ୍ ୧୦୦ରେ ୧୩ ଜଣ, ଟପ ୨୦୦ରେ ୨୮ଜଣ ଓ ଟପ୍ ୩୦୦ରେ ୩୯ ଛାତ୍ରଛାତ୍ରୀ ସ୍ଥାନ ପାଇଥିବା ଦର୍ଶାଇଥିଲା । ଏପରିକି ଶୁଭ୍ରା ରଞ୍ଜନ ଜଣେ ଆଇଏଏସ ଅଫିସର ଥିଲେ ବୋଲି ଏଥିରେ ଦର୍ଶାଇ ଥିଲା । ତାଙ୍କ ନାମକୁ ବ୍ଯବହାର କରି ଶୁଭ୍ରା ରଞ୍ଜନ ଆଇଏଏସ ଓ ଶୁଭ୍ରା ରଞ୍ଜନ ଆଇଏଏସର ଛାତ୍ରଛାତ୍ରୀ ବୋଲି ସଂସ୍ଥା ଦର୍ଶାଇଥିଲା । ତୁରନ୍ତ ଏହି ବିଭ୍ରାନ୍ତିକର ବିଜ୍ଞାପନର ପ୍ରଚାର ବନ୍ଦ କରିବା ଲାଗି ସିସିପିଏ ନିର୍ଦ୍ଦେଶ ଦେଇଥିଲେ ।

ଖାଉଟି ସୁରକ୍ଷା ଆଇନ ୨୦୧୯ରେ ଥିବା ବ୍ଯବସ୍ଥାର ଏହା ଉଲ୍ଲଂଘନ କରୁଛି ବୋଲି ଦର୍ଶାଇଥିଲେ ସିସିପିଏ। ଶୁଭ୍ରା ରଞ୍ଜନ ଆଇଏଏସ ଷ୍ଟଡି ବିରୋଧରେ ଏହି ନିର୍ଦ୍ଦେଶନାମା ଜାରି କରିଛି ମୁଖ୍ୟ କମିଶନର ନିଧି ଖାରେ, କମିଶନର ଅନୁପମ ମିଶ୍ର ନେତୃତ୍ବାଧୀନ ସିସିପିଏ । ଉପଭୋକ୍ତା ତଥା ଆଶାୟୀଙ୍କୁ ଅଧିକ ଆକର୍ଷିତ କରିବା ଲାଗି କୋଚିଂ ପ୍ରତିଷ୍ଠାନ ଓ ଅନଲାଇନ ଏଡିଟେକ ପ୍ରତିଷ୍ଠାନଗୁଡିକୁ ସଫଳ ପରୀକ୍ଷାର୍ଥୀଙ୍କ ଫଟୋ ଓ ନାମକୁ ବ୍ଯବହାର କରିଥାନ୍ତି । ତେବେ ଏହି ପରୀକ୍ଷାର୍ଥୀମାନଙ୍କ କୋର୍ସ, ଫି, କୋର୍ସର ସମୟସୀମା ଆଦି ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥାଏ । ଏହି ପ୍ରତିଷ୍ଠାନ ୫୦ରୁ ଅଧିକ କୋର୍ସରେ କୋଚିଂ ଦେଇଥାଏ । ତେବେ ତଦନ୍ତରୁ ଜଣାଯାଇଛି ସଫଳ ବୋଲି ଦର୍ଶାଯାଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ଯରୁ ଅଧିକାଂଶ ରାଜନୀତି ବିଜ୍ଞାନ ଓ ଇଣ୍ଟନ୍ଯାସନାଲ ରିଲେସନ୍ସର ଛାତ୍ରଛାତ୍ରୀ । ସେମାନେ କ୍ରାସ କୋର୍ସ ନେଇଥିଲେ ଓ ଟେଷ୍ଟ ସିରିଜରେ ସଫଳ ହୋଇଥିଲେ । ଉପଭୋକ୍ତା ସୁରକ୍ଷା ପରିଷଦ ଆଇନ ୨୦୧୯ର ଧାରା ୨(୨୮) ଅନୁସାରେ ସିସିପିଏ ଏହି ପଦକ୍ଷେପ ନେଇଛନ୍ତି ।

ଗତ ନଭେମ୍ବର ୨୨ରେ ୟୁପିଏସସି ସିଏସଇ ୨୦୨୨ ଫଳ ନେଇ ବିଭ୍ରାନ୍ତିକର ତଥ୍ଯ ପ୍ରସାରିତ କରିଥିବାରୁ ବାଜିରାଓ ଆଣ୍ଡ ରେଡ୍ଡୀ ଇନଷ୍ଟିଚ୍ଯୁଟ ଉପରେ ୭ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଥିଲେ ସିସିପିଏ ।

ପୂର୍ବତନ ବିଜେଡି ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା ଦୁଇ ଥରର ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ । ବିଜେଡି ଟିକେଟରୁ ଦୁଇ ଥର ହୋଇଥିଲେ ବିଧାୟକ । ଭୁବନେଶ୍ବର (ମଧ୍ୟ)ରୁ ୨୦୦୯ ଓ ୨୦୧୪ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।  ୬୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।

ସୂଚନାଯୋଗ୍ୟ, ବିଜୟ ଗେଷ୍ଟ ହାଉସରେ ଥିଲେ । ହଠାତ କିଛି ରେସପନ୍ସ ନକରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେ ସବୁ ବେଳେ ଗରିବ ଲୋକଙ୍କ ସହ ଥିଲେ । ଗରିବଙ୍କ ଲାଗି ସହାୟତାର ହାତ ବଢ଼ାଉଥିଲେ । ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନେଉଥିଲେ ପ୍ରମୁଖ ଭୂମିକା । ୧୯୮୨ରେ ଥିଲେ ଭୁବନେଶ୍ବର ଛାତ୍ର ଜନତା ଦଳର ସମ୍ପାଦକ । ୧୯୮୮ରୁ ୧୯୯୨ ପର୍ଯ୍ୟନ୍ତ ଥିଲେ ଭୁବନେଶ୍ବର ବିଜେଡି ସଭାପତି । ସେହିପରି ୧୯୯୨ରୁ ୧୯୯୮ ପର୍ଯ୍ୟନ୍ତ ଥିଲେ ବିଜେଡି ରାଜ୍ଯ ସମ୍ପାଦକ । ୧୯୯୮ରୁ ୨୦୦୦ ଥିଲେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ । ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଥିଲେ ଓଡିଶା ଯୁବ ପରିଷଦର ସଭାପତି । ଏହାସହ ବିଧାୟକ ଥିବା ବେଳେ ବିଭିନ୍ନ କମିଟିର ସଦସ୍ଯ ଥିଲେ ।

ଜର୍ମାନୀ ଖ୍ରୀଷ୍ଟମାସ ମାର୍କେଟରେ ଆକ୍ରମଣ ଘଟଣାରେ ଆହତଙ୍କ ମଧ୍ୟରେ ୬ ଭାରତୀୟ

ନୂଆଦିଲ୍ଲୀ: ଜର୍ମାନୀର ମାଗଡେବର୍ଗ ଖ୍ରୀଷ୍ଟମାସ ମାର୍କେଟରେ ହୋଇଥିବା ଆକ୍ରମଣ ଘଟଣାରେ ଆହତ ବ୍ଯକ୍ତିଙ୍କ ମଧ୍ଯରେ ଅଛନ୍ତି ୬ ଭାରତୀୟ । ସେମାନଙ୍କ ମଧ୍ଯରୁ ୩ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି । ଆହତ ଭାରତୀୟଙ୍କ ସହ ଦୂତାବାସ ଯୋଗାଯୋଗରେ ରହିଛି । ଭାରତୀୟଙ୍କ ଉପରେ ଏମିତି ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।

ବର୍ଲିନ ସ୍ଥିତ ୟୁରୋପୀୟ ସାଉଦିଆରବ ମାନବାଧିକାର ସଂଗଠନ କହିଛି, ଜଣେ ମାନସିକ ବିକାରଗସ୍ତ ବ୍ଯକ୍ତି ଏହି କାଣ୍ଡ ଘଟାଇଛି । ସେପଟେ ଏହି ଘଟଣାକୁ ନେଇ ଏଲନ ମସ୍କ ଜର୍ମାନୀକୁ ନିନ୍ଦା କରିଛନ୍ତି । କାର ଦୁର୍ଘଟଣା ଘଟାଇଥିବା ତାଲେବକୁ କାହିଁକି ଜର୍ମାନୀ ସାଉଦିଆରବ ହାତରେ ପ୍ରତ୍ୟାର୍ପଣ କରୁ ନାହିଁ ବୋଲି ମସ୍କ ପ୍ରଶ୍ନ କରିଛନ୍ତି ।

ତେଣେ ଏହି ଘଟଣାରେ ମୃତ୍ଯୁ ସଂଖ୍ଯା ୫ ହୋଇଥିବା ବେଳେ ଆହତଙ୍କ ସଂଖ୍ଯା ୨୦୦ରୁ ଅଧିକ ହୋଇଥିବା ସୂଚନା ମିଳିଛି । ଗତକାଲି ଖ୍ରୀଷ୍ଟମାସ ଲାଗି ବଜାରରେ ଗହଳି ଲାଗି ରହିଥିବାବେଳେ ଦ୍ରୁତଗାମୀ କାର୍ ମାଡିଯିବାରୁ ଏହି ଲୋମହର୍ଷକ ଘଟଣା ଘଟିଥିଲା । ଜର୍ମାନୀ ପୋଲିସ ତାଲେବ ନାମକ ଜଣେ ସାଉଦି ଡାକ୍ତରଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ଡାକ୍ତର ଜର୍ମାନୀର ଜଣେ ସ୍ଥାୟୀ ନାଗରିକ ଭାବେ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ବାସ କରୁଥିଲେ ବୋଲି ସୂଚନା ମିଳିଛି । ତାଲେବ ୨୦୦୬ରୁ ଜର୍ମାନୀରେ ବାସ କରିଆସୁଛନ୍ତି ।

ସୂଚନା ମୁତାବକ ଆତଙ୍କବାଦୀ ଲିଙ୍କରେ ତାଲେବ ଥିଲା ସାଉଦି ଆରବର ୱାଣ୍ଟେଡ ଅପରାଧୀ । ସେ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହେବା ସହ ମଧ୍ଯପ୍ରାଚ୍ଯରୁ ୟୁରୋପୀୟ ରାଷ୍ଟ୍ରକୁ ଯୁବତୀ ଚାଲାଣ ରାକେଟରେ ସାମିଲ ଥିଲା । ତେବେ ତାଲେବକୁ ସାଉଦି ଆରବ ହାତରେ ପ୍ରତ୍ଯର୍ପଣ କରିବା ଲାଗି ଜର୍ମାନୀ ଅଗ୍ରାହ୍ଯ କରିଥିଲା ।

ବର୍ଷେ ପରେ ସ୍ବଦେଶ ଫେରିବେ ପାରାଦୀପରୁ ଗିରଫ ଭିଏତନାମର ୧୧ ନାଗରିକ

ପାରାଦୀପ: ଦୀର୍ଘ ଏକ ବର୍ଷ ପରେ ଭିଏତନାମ ଫେରିବେ ପାରାଦୀପରୁ ଗିରଫ ଜାହଜର କ୍ରିୟୁ ସଦସ୍ୟ । ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣାରେ ଅଟକ ହୋଇଥିବା ଜାହଜର ୧୧ ଜଣ ସଦସ୍ୟ ନିଜ ଦେଶ ଭିଏତନାମକୁ ଫେରିବେ । କଷ୍ଟମ୍ସ ବିଭାଗର ତଦନ୍ତ ଆଧାରରେ ଜାହାଜର ସମସ୍ତ ୨୧ ଜଣ କ୍ରିୟୁ ସଦସ୍ୟ କୋକେନ ଘଟଣାରେ ସାମିଲ ନ ଥିବା ଜଣା ପଡ଼ିଥିଲା । ଏନେଇ ନିଜ ଦେଶକୁ ଫେରିବାର ପାଇଁ ସେମାନେ କୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ଜାହାଜରେ ଥିବା ସମସ୍ତ ୨୧ ଜଣ ସଦସ୍ୟଙ୍କୁ ନିଜ ଦେଶ ଭିଏତନାମ ଯିବାପାଇଁ ମାନ୍ୟବର ଅଦାଲତ ଅନୁମତି ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୦ ଜଣ କ୍ରିୟୁ ସଦସ୍ୟଙ୍କ ଭିସା ଅବଧି ସରିଯାଇଥିବାରୁ ସେମାନେ ଜାହାଜରେ ରହିବେ । ବାକି ୧୧ ଜଣ କ୍ରିୟୁ ସଦସ୍ୟ ନିଜ ଦେଶକୁ ଯିବେ ଏବଂ ୧୧ ଜଣ ନୂତନ କ୍ରିୟୁ ସଦସ୍ୟ ଜାହାଜରେ ଚଢିବେ । ଯଦି ଆଜି ପାଗ ଠିକ୍ ରୁହେ, ତେବେ ଦୀର୍ଘ ବର୍ଷେ ପରେ ଜାହାଜର ୧୧ ଜଣ ସଦସ୍ୟ ନିଜ ଦେଶକୁ ଫେରିଯିବେ । ମାତ୍ର ଜାହାଜ ପାରାଦ୍ଵୀପ ବନ୍ଦରର ଆଙ୍କରେଜରେ ହିଁ ରହିବ ବୋଲି ସୂଚନା ମିଳିଛି ।

ମହାକାଶରେ ପୁଣି ଏକ ଇତିହାସ ଲେଖିବ ଇସ୍ରୋ, ପ୍ରଥମ ଥର ଲାଗି କରାଯିବ ଜୈବିକ ଗବେଷଣା

ନୂଆଦିଲ୍ଲୀ: ପୁଣି ମହାକାଶରେ ନିଜର ଶକ୍ତି ଓ ସାମର୍ଥ ଦେଖାଇବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସିଂସ୍ଥା ଇସ୍ରୋ । ନିଜର ସ୍ବଦେଶୀ ରକେଟ ଜରିଆରେ ପ୍ରଥମ ଥର ଲାଗି ମହାକାଶରେ ଇସ୍ରୋ କରିବାକୁ ଯାଉଛି ଜୈବିକ ଗବେଷଣା । ପୋଲାର ସାଟେଲାଇଟ ଲଞ୍ଚ ଭେହିକଲ (ପିଏସଏଲଭି) ଦ୍ବାରା ଏହାକୁ ଲଞ୍ଚ କରାଯାଇ ଜୈବିକ କୋଷର ତିନି ପ୍ରକାର ଗବେଷଣା କରାଯିବ ।

ଇସ୍ରୋ ସ୍ପିନାକ, କାଓପି ଓ ଗଟ୍ ବ୍ଯାକ୍ଟେରିଆର ଜୈବିକ ସାମଗ୍ରୀକୁ ମହାକାଶକୁ ପଠାଇବାକୁ ଯୋଜନା କରୁଛି । ପିଏସଏଲଭି ଅର୍ବିଟାଲ ଏକ୍ସପେରିମେଣ୍ଟାଲ ମଡ୍ଯୁଲ-୪ ବା ପୋଏମ-୪ ଜରିଆରେ ଏସବୁକୁ ପଠାଯିବ । ଏକ କ୍ଷୁଦ୍ର ସିଲଯୁକ୍ତ ପେଟିରେ ସମସ୍ତ ପ୍ରକାର ଲାଇଫ ସପୋର୍ଟ ସିଷ୍ଟମ ରଖାଯାଇ ସେଗୁଡିକୁ ପଠାଯିବ । ମହାକାଶରେ ଜୀବନ ଧାରଣ ସମ୍ପର୍କରେ ଗବେଷଣା କରାଯିବା ଏହାର ଲକ୍ଷ୍ଯ ରହିଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ଯକ୍ଷ ଡକ୍ଟର ଏସ. ସୋମନାଥ ।

ଏହି ମିଶନ ପରେ ସି-୬୦ ନାମକ ଆଉ ଏକ ମିଶନ ଇସ୍ରୋ କରିବ । ମହାକାଶରେ କିପରି ଜୀବନ ବଞ୍ଚି ପାରିବ ସେ ସମ୍ପର୍କରେ ଜୈବିକ ଗବେଷଣା ଲାଗି ଇସ୍ରୋ ଏହି ଯୋଜନା କରୁଛି । ପରବର୍ତ୍ତୀ ଗଗନଯାନ ମିଶନରେ ଜଣେ ଭାରତୀୟଙ୍କୁ ମହାକାଶକୁ ପଠାଇବା ଲାଗି ଇସ୍ରୋ ଯେଉଁ ଯୋଜନା କରୁଛି ସେଦିଗରେ ଏହି ଅଭିଯାନ ସହାୟକ ହେବ । ଏହାସହ ୨୦୩୫ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପ୍ରତିଷ୍ଠା ନେଇ ବି ଇସ୍ରୋର ଗବେଷଣା ଜାରି ରହିଛି । ଜିରୋ ଗ୍ରାଭିଟିରେ ସ୍ପିନାକ ପରି ତୃଣର କୋଷଗୁଡିକ କିପରି କାର୍ଯ୍ୟ କରୁଛନ୍ତି ତାହା ଏହି ଗବେଷଣାରୁ ଜଣାପଡିବ ବୋଲି ଆମିତି ବିଶ୍ବବିଦ୍ୟାଳୟର ଗବେଷକ ତଥା କୁଳପତି ଡକ୍ଟର ଏ.ଡବ୍ଲୁ ସନ୍ତୋଷ କୁମାର କହିଛନ୍ତି ।

ଇସ୍ରୋ ଜରିଆରେ କକ୍ଷ ପଥରେ ବାୟୋଲୋଜିକାଲ ପେଲୋଡ ପଠାଯିବ, ଯଦ୍ଦ୍ବାରା ସ୍ପେସ ମିଶନରେ ଖାଦ୍ଯ ଓ ପୁଷ୍ଟି ସମ୍ପର୍କରେ ବି ଗବେଷଣା କରାଯାଇ ପାରିବ । ଡକ୍ଟର ସନ୍ତୋଷ କୁମାର ପୂର୍ବରୁ ଆମେରିକାରେ କାର୍ଯ୍ୟରତ ଥିଲେ । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ମଣିଷର ବିଭିନ୍ନ ଜୀବକୋଷ ପଠାଇବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେହିପରି ଏହି ଅଭିଯାନରେ ଗଟ୍ ବ୍ଯାକ୍ଟେରିଅମ ବ୍ଯାକ୍ଟେରୋଇଡ୍ସ ଥେଟାଟୋମାଇକ୍ରୋନକୁ ମହାକାଶକୁ ପଠାଯିବ । ଏହା ଜରିଆରେ ମହାକାଶରେ ମଣିଷର ବିଭିନ୍ନ ଶରୀରଗତ କାର୍ଯ୍ୟକଳାପ ସମ୍ପର୍କରେ ତଥ୍ଯ ମିଳିପାରିବ ।

ବାଂଲାଦେଶକୁ ହରାଇ ଅଣ୍ଡର-୧୯ ମହିଳା ଏସିଆ କପ୍ ଜିତିଲା ଭାରତ

ନୂଆଦିଲ୍ଲୀ: ବାଂଲାଦେଶକୁ ହରାଇ ୧୯ ବର୍ଷରୁ କମ ମହିଳା ଏସିଆ କପ୍ ଟ୍ରଫି ଜିତିଲା ଭାରତ । କ୍ବାଲାଲମପୁରର ବାୟୁମାସ ଓଭାଲରେ ଖେଳା ଯାଇଥିବା ଏହି ହାଇ ପ୍ରୋଫାଇଲ ମ୍ୟାଚରେ ଭାରତ, ବାଂଲାଦେଶକୁ ୪୧ ରନରେ ହରାଇ ଚାମ୍ପିୟନ ହୋଇଛି । ଭାରତ ପକ୍ଷରୁ ବାଂଲାଦେଶକୁ ୧୧୮ ରନର ଟାର୍ଗେଟ ଦିଆଯାଇଥିଲା । ବାଂଲାଦେଶ ଟିମ୍ ମାତ୍ର ୭୬ ରନରେ ଅଲଆଉଟ ହୋଇଯାଇଥିଲା । ପ୍ରଥମ ଥର ପାଇଁ ମହିଳା ଏସିଆ କପ୍ ଆୟୋଜନ ହୋଇଥିବା ବେଳେ ଚାମ୍ପିୟନ ହୋଇ ଭାରତ ଐତିହାସିକ ଉପଲବ୍ଧି ହାସଲ କରିଛି ।

ଟସ୍ ଜିତିବା ପରେ ବାଂଲାଦେଶ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍ ୭ ଓ୍ବିକେଟ ହରାଇ ୧୧୭ ରନ୍ କରିଥିଲା । ଓପ୍ନର ଗୋଙ୍ଗାଡି ତ୍ରିଶା ୪୭ ବଲ ଖେଳି ସର୍ବାଧିକ ୫୨ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଥିଲା ବିନୋଦ ୧୭ ରନ୍ କରିଥିବା ବେଳେ ଅଧିନାୟକ ନିକି ପ୍ରସାଦ ୧୨, ଆୟୁଷୀ ଶୁକ୍ଲା ୧୦ ରନ କରିବାକୁ ସକ୍ଷମ ହୋଇଥିଲେ । ବାଂଲାଦେଶ ପକ୍ଷରୁ ଫରଜାନ ଇସ୍ମିନ ୪ ଓ୍ବିକେଟ ମିଳିଥିବା ବେଳେ ନିଶିତା ଅକ୍ତରଙ୍କୁ ଦୁଇ ଓ ହବିବ ଇସ୍ଲାମଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା ।

୧୧୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ଟିମର କୌଣସି ଖେଳାଳି ବେଶି ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । ୧୮.୩ ଓଭରରେ ୭୬ ରନ୍ କରି ଟିମ୍ ଅଲଆଉଟ ହୋଇଯାଇଥିଲା । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଜୁଏରିୟା ଫିରଦୋସ ୩୦ ବଲରୁ ୨୨ ରନ୍ କରିଥିଲେ । ଅପ୍ନର ଫହୋମିଦା ଚୋୟା ୧୮ ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ କୌଣସି ବାଂଲାଦେଶୀ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ ।

ଭାରତ ତରଫରୁ ଆୟୁଷୀ ତିନି ଓ୍ବିକେଟ ନେଇଥିବା ବେଳେ ସୋନମ ଯାଦବ ଏବଂ ପରୁଣିକା ସିସାଦିଆ ଦୁଇଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ । ଜୋଶିଥାଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା ।

ଗୋଲାମୁଣ୍ଡାରୁ ହାତୀ ଛୁଆର ମୃତଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ଏକ ମାଇ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି । ମୃତ ହାତୀ ଛୁଆର ବୟସ ଦୁଇ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ବାଙ୍ଗିରିପୋଷି ରେଞ୍ଜ ଅଧୀନସ୍ଥ ଗୋଲାମୁଣ୍ଡା ନିକଟରେ ଛୁଆ ହାତୀର ମୃତଦେହ ଠାବ କରାଯାଇଛି ।

ତେବେ କେମିତି ହାତୀ ଛୁଆର ମୃତ୍ୟୁ ଘଟିଲା ଜଣାପଡିନାହିଁ । ମୃତଦେହ ଜବତ କରିବା ପରେ ବନ ବିଭାଗ ପକ୍ଷରୁ ବ୍ୟବଚ୍ଛେଦ ବ୍ୟବସ୍ଥା କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ।

ସୂଚନାଯୋଗ୍ୟ, କିଛିଦିନ ହେଲା ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରେ ଏକ ହାତୀ ପଲ ବୁଲାବୁଲି କରୁଥିଲେ । ଏହି ମୃତ ଛୁଆଟି ଉକ୍ତ ହାତୀ ପଲର ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।