ନନ୍ଦିଘୋଷ ବ୍ୟୁରୋ: ପୁଣି ଓଡ଼ିଶା ହତାଶ । ଡବଲ ଇଞ୍ଜିନ ସରକାର ସତ୍ତ୍ବେ ଓଡ଼ିଆ ଅସ୍ମିତା ଅଣଦେଖା । ଦିଲ୍ଲୀରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଗଡିବ ନାହିଁ ଓଡିଶାର ପ୍ରଜ୍ଞାପନ ମେଢ । ଓଡିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ ଖାରଜ କରିଦେଇଛି କେନ୍ଦ୍ର । ଏଥର ଓଡିଶା ପକ୍ଷରୁ ମାଣିଆବନ୍ଧ ଶାଢୀ ହସ୍ତଶିଳ୍ପ ଓ ମନ୍ଦିରମାଳିନୀ ଭୁବନେଶ୍ବର ମଡେଲ ପ୍ରଦାନ କରାଯାଇଥିଲା । ହେଲେ ତାକୁ ଖାରଜ କରିଦେଇଛନ୍ତି କେନ୍ଦ୍ର ସରକାର । ଚଳିତବର୍ଷ ୧୫ଟି ରାଜ୍ୟର ପ୍ରଜ୍ଞାପନ ମେଢ ଜାନୁଆରୀ ୨୬ ପରେଡରେ ସାମିଲ ହେବ । ୧୫ଟି ରାଜ୍ୟ ମଧ୍ୟରେ ଓଡିଶା ନାହିଁ । ଏହାସହ ୧୧ଟି ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରାଳୟର ମଡେଲ ମଧ୍ୟ ପରେଡରେ ସାମିଲ ହେବ ।
ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଭୁବନେଶ୍ବର: ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ । ଉପଯୁକ୍ତ ତଦନ୍ତ ସହ ନିର୍ଦ୍ଦିଷ୍ଟ ସମୟରେ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚାଷୀଙ୍କୁ ପାଣିପାଗ ନେଇ ମଧ୍ୟ ସମୟ ପୂର୍ବରୁ ସଚେତନ କରିବାକୁ ନବୀନ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ଲେଖି ନବୀନ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ଦୁଃଖ ଜଣାଇଛନ୍ତି । ଗତ ଡିସେମ୍ବର ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ନବୀନ ଗଂଜାମ, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଅଦିନିଆ ବର୍ଷାରେ ପ୍ରଭାବିତ ହୋଇଥିବା ଚାଷୀଙ୍କୁ ଭେଟିଥିଲେ । ଅମଳ ପୂର୍ବରୁ ବର୍ଷା ସବୁ ଫସଲ ଉଜାଡି ଦେଇଥିବାରୁ ଚାଷୀ ପରିବାର ମନସ୍ତାପ ମଧ୍ୟରେ ଅଛନ୍ତି । ଗସ୍ତ ସମୟରେ ନବୀନଙ୍କୁ ଚାଷୀମାନେ ତାଙ୍କ କଷ୍ଟ ଓ ଦୁର୍ଦ୍ଦଶା ସମ୍ପର୍କରେ ଜଣାଇଥିଲେ । ଏପରିକି ସରକାର ଚାଷୀଙ୍କୁ ବର୍ଷା ପୂର୍ବରୁ କୌଣସି ମାର୍ଗଦର୍ଶିକା ଜାରି କରିନଥିଲେ । ଫସଲ ନଷ୍ଟ ପାଇଁ ଚାଷୀମାନେ ଯେପରି ଆତ୍ମହତ୍ୟା କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ନବୀନ କହିଛନ୍ତି । ସେ ନିଜ ମଧ୍ୟ ଜଗତସିଂହପୁର ବାଲିକୁଦା ବ୍ଲକର ଆତ୍ମହତ୍ୟା କରିଥିବା ଚାଷୀ କୃତ୍ତିବାସ ସ୍ବାଇଁଙ୍କ ପରିବାରକୁ ଭେଟିଥିଲେ ନବୀନ । ବର୍ଷାରେ ହୋଇଥିବା କ୍ଷତି ଚାଷୀଙ୍କ ଆତ୍ମବିଶ୍ବାସକୁ ଦୋହଲାଇଦେଇଛି । ତେଣୁ ସେମାନଙ୍କ ଆତ୍ମବିଶ୍ବାସକୁ ଫେରାଇ ଆଣିବାକୁ ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ନବୀନ ଦାବି କରିଛନ୍ତି । ଭୌଗୋଳିକ ଅବସ୍ଥିତି ଯୋଗୁଁ ଓଡିଶା ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି । ଯେଉଁଥିପାଇଁ ବିଜେଡି ବାରମ୍ବାର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଆସୁଥିଲା । ଏହି ମାନ୍ୟତା ମିଳିଥିଲେ ଓଡିଶାର ଚାଷୀଙ୍କୁ ଅତିରିକ୍ତ ସହାୟତା ମିଳିପାରିଥାନ୍ତା ବୋଲି ନବୀନ କହିଛନ୍ତି ।
ଢେଙ୍କାନାଳ ଖଣି ଖାଦାନ ଉପରେ ପ୍ରଶାସନର ଚଢ଼ାଉ
ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ଖଣି ଖାଦାନ ଉପରେ ପ୍ରଶାସନର ସବୁଠାରୁ ବଡ ରେଡ। ଗନ୍ଦିଆ ତହସିଲ ନିହଲ ପ୍ରସାଦ ବେଆଇନ ପାହାଡ ଓ ପଥର ଖଣି ଗୁଡ଼ିକରେ ପ୍ରଶାସନର ଜୋରଦାର ଚଢ଼ାଉ । ତିନି ଦିନ ହେଲା ଚାଲିଛି ରେଡ । ଏଯାବତ ବେଆଇନ କାରବାର ଅଭିଯୋଗରେ ୬ ଜିଲ୍ଲାର ୨୧ ଖଣି ମାଫିଆଙ୍କୁ ପ୍ରଶାସନ ବାନ୍ଧିଲାଣି । ୧୭ ଟ୍ରକ୍ ସମେତ ଗୋଟିଏ କାର ଓ ବାଇକ୍ ଜବତ ହୋଇଛି । ସଂରକ୍ଷିତ ଜଙ୍ଗଲରେ ଥିବା ଖଣି ଖାଦାନରୁ ମାଫିଆ ଖଣି ଲୁଟ କରୁଥିବା ଅଭିଯୋଗ ହୋଇଥିଲା । ୧୬୩ ଧାରା ଜାରି ସତ୍ତ୍ବେ ନିଶ୍ଚିନ୍ତା ପାହାଡକୁ କାଟି କଳା ପଥର ଲୁଟ କରୁଥିଲେ ଢେଙ୍କାନାଳ ସମେତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର,କଟକ,ଖୋର୍ଦ୍ଧା,ଓ ଭଦ୍ରକ ଖଣି ମାଫିଆ । ଏହାପରେ ଏନଜିଟି ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନର ତିନିଟି ବିଭାଗ ରେଡ ଆରମ୍ଭ କରିଥିଲେ । ଏଥିରେ ପୋଲିସ ସହ ରାଜସ୍ବ ଓ ବନ ବିଭାଗ ସାମିଲ ଅଛନ୍ତି । ଏକସାଙ୍ଗରେ ୯୦ ଜଣ କର୍ମଚାରୀ ରେଡ କରୁଛନ୍ତି । ଜିଲ୍ଲାପାଳ କହିଛନ୍ତି, ଏହି ଚଢାଉ ଜିଲ୍ଲାର ପ୍ରତ୍ଯେକ ଅଞ୍ଚଳରେ ହେବ । ଆଠଟି ତହସିଲରେ ଥିବା ବେଆଇନ ଖଣି କ୍ରସର ଗୁଡ଼ିକରେ ରେଡ ହେବ। ଖଣି ମାଫିଆଙ୍କୁ ସାବାଡ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

