spot_img
Home Blog Page 1252

ସାମ୍ନାକୁ ଆସିଲା ସମ୍ଭଲ ମନ୍ଦିରର ଆଉ କିଛି ରହସ୍ୟ

 

ସାରା ଦେଶ ରେ ଚର୍ଚ୍ଚା  ବଢାଇଛି ସମ୍ଭଲ ରେ ଉଦ୍ଧାର ହୋଇଥିବା ୪୦୦ ବର୍ଷର ପୁରୁଣା ଶିବ ମନ୍ଦିର । ବିଦ୍ୟୁତ  ଚୋରି ଯାଞ୍ଚ ପାଇଁ ଯାଇ ଉତ୍ତର ପ୍ରଦେଶ ପ୍ରଶାସନ ଉଦ୍ଧାର କରିଥିବା  ମନ୍ଦିର ବିଷୟରେ ଦିନକୁ ଦିନ ସାମ୍ନାକୁ ଆାସୁଛି କିଛି ନୂଆା ନୂଆା ତଥ୍ୟ । ଦୀର୍ଘ ବର୍ଷ ଧରି ମୁସଲିମ ସମ୍ପ୍ରଦାୟ ଲୋକଙ୍କ କବଜା ରେ ଥିବା ଏହି ମନ୍ଦିରରେ ପଡ଼ିଛି   ଅନେକ ନିରିହ ଲୋକଙ୍କ ରକ୍ତ ଛିଟା । ମନ୍ଦିରର ଉଦ୍ଧାର ପରେ ଏବେ ଆାକ୍ସନ ମୋଡ଼ରେ ପ୍ରଶାସନ ।  ମନ୍ଦିର ପାଖରେ ଥିବା ବେଆାଇନ କାମକୁ ରୋକିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଛି ।  ଏବଂ ମନ୍ଦିର ପାଖରେ  ଥିବା ବେଆାଇନ ଘର କୁ ମଧ୍ୟ ଭଙ୍ଗା  ଚାଲିଛି । ଏହି  ଜବରଦଖଲକୁ ହଟାଇବା ପାଇଁ ଏକ ଶ୍ରମିକ ଦଳ ଘରେ  ପ୍ରବେଶ କରିଛନ୍ତି ।  ଏବଂ ଘର ତିଆରି ହୋଇଥିବା ଜମିର ମାଲିକ  ମାଟିନ୍ କହିଛନ୍ତି  ଯେ ମନ୍ଦିର ପାଖରେ  ବେଆଇନ ନିର୍ମାଣ କାର୍ଯ୍ୟ କରାଯାଇଛି ତେଣୁ ସେ ଏହାକୁ ଭାଙ୍ଗିଦେଉଛନ୍ତି ।  ଏହି ବେଆଇନ୍ କାମକୁ ରୋକିବାକୁ ପ୍ରଶାସନର ସବୁ ପ୍ରକାର ଯୋଜନାରେ ମୁଁ ସାହାୟତା କରିବି  ବୋଲି ଜମି ମାଲିକ କହିଛନ୍ତି। ପୋଲିସ ସହ ସେହି ଅଞ୍ଚଳର ଏସପି ମଧ୍ୟ  ବେଆଇନ ନିର୍ମାଣକୁ ଚିହ୍ନଟ କରିଛନ୍ତି ।

ତେବେ  ଆସନ୍ତୁ ଜାଣିବା କଣ ରହଛି ଏହି ମନ୍ଦିରର ଇତିହାସ:

ଜିଲ୍ଲା ମାଜିଷ୍ଟ୍ରେଟ ରାଜେନ୍ଦ୍ର ପେନ୍ସିଆଙ୍କ ଅନୁଯାୟୀ ଏହି ମନ୍ଦିରଟି ହେଉଛି କାର୍ତ୍ତିକ, ମହାଦେବଙ୍କ  ମନ୍ଦିର ।  ଏବଂ ଏହା ହେଉଛି ଏକ  ବହୁ ପୁରୁଣା ମନ୍ଦିର ।  ୪୬ ବର୍ଷ ଧରି ଏହି ମନ୍ଦିରଟିକୁ ମୁସଲିମ ସମ୍ପ୍ରଦାୟ ନିଜ କବଜାକୁ ନେଇଥିଲା । ଏବେ ମନ୍ଦିରଟିର ସନ୍ଧାନ ପାଇବା ପରେ ପ୍ରଶାସନ ପକ୍ଷରୁ  ଏହାକୁ ନିଜ ଅକ୍ତିଆାର କୁ  ନିଆାଯାଇଛି ।  ଆଇନ ଶୃଙ୍ଖଳା ସ୍ଥିତି କୁ ଦୃଷ୍ଟିରେ ରଖି ମନ୍ଦିର ପାଖରେ  ପୋଲିସ ଫୋର୍ସ ମୁତୟନ କରାଯାଇଛି  ।ଏବଂ ସମସ୍ତ ବେଆାଇନ କାମକୁ ଏବେ ହଟାଯାଉଛି । ୧୯୭୮ ମସିହାରେ ହୋଇଥିବା ଏକ ଦଙ୍ଗା ପରେ ଏହି ମନ୍ଦିର ବନ୍ଦ ହୋଇ ପଡ଼ିଥିଲା । ସେଠାରେ କୌଣସି ହିନ୍ଦୁ ଲୋକ ବସବାସ କରୁନଥିବାରୁ ପୂଜାପାଠ ମଧ୍ୟ ବନ୍ଦ ରହିଥିଲା ।  ବତ୍ତର୍ମାନ ୪ ଦଶନ୍ଧି ପରେ ଏହି ମନ୍ଦିରର ତାଲା ଖୋଲାଯାଇଛି ।   ଏବେ ସମସ୍ତ ରୀତିନୀତି  ଅନୁଯାୟୀ ସେଠାରେ ପୂଜା  କରାଯାଉଛି ।  ମନ୍ଦିର ନିକଟ ରେ ଥିବା କୂଅ ଉପରୁ ଜବର ଦଖଲ ହଟାଇବା ପାଇଁ  କାର୍ଯ୍ୟାନୁଷ୍ଠାନ ଚାଲିଛି  ।

ତେବ ପ୍ରକୃତ ରେ ୧୯୭୮ ରେ  କଣ ହୋଇଥିଲା ?

ଅନେକ ଦଶନ୍ଧି ପରେ ଯେତେବେଳେ ମନ୍ଦିର ଖୋଲିଲା, ସେହି ଅଞ୍ଚଳ ଛାଡି ପଳାଇଥିବା ଅନେକ ହିନ୍ଦୁ ଦର୍ଶନ ପାଇଁ ଏଠାକୁ ଆସୁଛନ୍ତି।   ସମ୍ୱଲରୁ ପଳାୟନ କରିଥିବା ଲୋକମାନେ ଗଣମାଧ୍ୟମ ସାମ୍ନାର ସେହି ସମୟରେ   ହିନ୍ଦୁମାନଙ୍କୁ ଜୀବନ୍ତ ଜଳାଯାଇଥିବା ବିଷୟରେ କହିଥିଲେ। ସେମାନେ ଦାବି କରିଛନ୍ତି ଯେ ସମ୍ୱଲରୁ ହିନ୍ଦୁମାନଙ୍କର ବିଦାୟ 1978 ମସିହାର ଦଙ୍ଗା ପରେ ହିଁ ଆରମ୍ଭ ହୋଇଥିଲା, ତେଣୁ ଭୟ ଏବଂ ଆତଙ୍କ କାରଣରୁ ସେମାନଙ୍କୁ ସେମାନଙ୍କର ପ୍ରାଚୀନ ମନ୍ଦିରକୁ ତାଲା ପକାଇ ଚାଲିଯିବାକୁ ପଡିଲା।   ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସେମାନେ କହିଛନ୍ତି ଯେ 1978  ଦଙ୍ଗା ସମ୍ୱଲର ବାୟୁରେ ଘୃଣାର ବିଷ ମିଶାଇ ଦେଇଛି। ଏପରି ପରିସ୍ଥିତିରେ, ଭୟ ହେତୁ ହିନ୍ଦୁମାନଙ୍କ ସ୍ଥାନାନ୍ତରଣ ଏହି ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଯେଉଁଠାରେ ମନ୍ଦିର ମିଳିଲା, ଥରେ 45 ରୁ ଅଧିକ ହିନ୍ଦୁ ପରିବାର ସେଠାରେ ରହୁଥିଲେ, କିନ୍ତୁ ଧୀରେ ଧୀରେ ସମସ୍ତେ ନିଜ ଘର ବିକ୍ରି କରି ଅନ୍ୟ ସ୍ଥାନକୁ ଚାଲିଗଲେ।  1978 ଦଙ୍ଗା ପରେ ସମ୍ବଲ ହିନ୍ଦୁମାନଙ୍କ ପାଇଁ ଆଉ ସୁରକ୍ଷିତ ହୋଇ ରହିନଥିଲା  ।

ତେବେ ସମ୍ଭଲ ରେ ମନ୍ଦିର ଉଦ୍ଧାର କରାଯିବା ପରେ ସେଠାରେ  ଆାଉ ଏପରି କେତେ ମନ୍ଦିର ଜବରଦଖଲ ହୋଇ ବନ୍ଦ ହୋଇପଡ଼ିଛି ସେଗୁଡ଼ିକୁ ପୁନରାଉଦ୍ଧାର କରିବା ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯାଇଛି ।

 

 

 

 

 

 

 

 

 

 

ଅଖିଳେଶ- କେଜ୍ରିଓ୍ବାଲଙ୍କ ପ୍ରସ୍ତୁତ କରିଛନ୍ତି କି ନୂଆ ରାଜନୈତିକ ସମୀକରଣ ? ଦିଲ୍ଲୀ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା

ନନ୍ଦିଘୋଷ ବ୍ୟୁରୋ: ଘୋଷଣା ହୋଇନି ଦିଲ୍ଲୀ ନିର୍ବାଚନ ତାରିଖ କିନ୍ତୁ ଆଗୁଆ ନିଜର ରଣନୀତି ପ୍ରସ୍ତୁତ କରିଛି ଆପ । ତାରିଖ ଘୋଷଣା ହେବା ପ୍ରାର୍ଥୀ ତାଲିକା ଘୋଷଣା କରି ସରପ୍ରାଇଜ କାର୍ଡ ଖେଳିବାକୁ ଯୋଜନା କରିଛି ଆପ୍ । ତେବେ ଦିଲ୍ଲୀରେ ଇଣ୍ଡିମେଣ୍ଟ ବଦଳରେ ଏକାକି ନିର୍ବାଚନ ଲଢ଼ିବା ପାଇଁ ଦଳ ଫୁଲ ଦମରେ ରହିଛି । କଂଗ୍ରେସ ସହ ମିଶିବା ପରିବର୍ତ୍ତେ ଏକାକି ପ୍ରାର୍ଥୀ ଘୋଷଣା କରିଛି ଆମ ଆଦମୀ ପାର୍ଟି । ସେପଟେ ଏବେ ଆପକୁ ସମର୍ଥନ ପାଇଁ ବାହାରିଛନ୍ତି ସମାଜବାଦୀ ନେତା ଅଖିଳେଶ ଯାଦବ । ଯାହାକୁ ନେଇ ରାଜନୈତିକ ମହଲରେ ଏକ ନୂଆ ଚର୍ଚ୍ଚା ଦେଖିବାକୁ ମିଳିଛି । ଦିଲ୍ଲୀର ୭୦ ଆସନରେ ଆପ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ସୋମବାର ଥାୟାରାଜ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଯେଉଁଥିରେ ଅଖିଳେଶ ଯାଦବ ଯୋଗ ଦେଇଥିଲେ । ଯେଉଁଥିରୁ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି ଏକ ନୂଆ ଯୋଜନାରେ ପ୍ରସ୍ତୁତ ରହିଛନ୍ତି ଅଖିଳେଶ- କେଜ୍ରିଓ୍ବାଲ ।

ଆପ କଂଗ୍ରେସ ସହ ମେଣ୍ଟକୁ ସିଧାସଳଖ ମନା କରିଥିବାବେଳେ ଏବେ ଇଣ୍ଡିମେଣ୍ଟର ପ୍ରମୁଖ ନେତା ଅଖିଳେଶ ଯାଦବ କଂଗ୍ରେସ ବଦଳରେ ଆପର ସମର୍ଥନ ପାଇଁ ଆଗେଇ ଆସିଛନ୍ତି । ୨୦୨୪ ନିର୍ବାଚନରେ ଫଳାଫଳ ଆସିବା ପରେ ଇଣ୍ଡି ମେଣ୍ଟଠାରୁ ସମଦୂରତା ରକ୍ଷା କରୁଛନ୍ତି କେଜ୍ରିଓ୍ବାଲ । ଅନ୍ୟପଟେ ଅଖିଳେଶ ଯାଦବ ମଧ୍ୟ ଏବେ ଧିରେ ଧିରେ ଦୂରେଇ ଯାଉଥିବା ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି କି, ଇଣ୍ଡି ମେଣ୍ଟର ନେତୃତ୍ବ ମମତା ବାନାର୍ଜୀ ଦେବାକୁ ପ୍ରୟାସ ହେଉଛି । ଆଉ କଂଗ୍ରେସ ପାଇଁ ଇଣ୍ଡି ମେଣ୍ଟର ଆସନ ମଧ୍ୟ କମୁଥିବା କିଛି ନେତା ନିଜର ପ୍ରତିକ୍ରିୟାରେ କହି ସାରିଛନ୍ତି । କାରଣ ରାହୁଲଙ୍କ ନେତୃତ୍ବକୁ ନେଇ ଛୋଟ ଏବଂ ବଡ଼ ଦଳମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଦୁଇଟି ନିର୍ବାଚନ ସମୟରେ କଂଗ୍ରେସ ଦିଲ୍ଲୀରେ ଖାତା ଖୋଲିନାହିଁ । ଆଉ ଏବେ ଏଭଳି ସ୍ଥିତିରେ ରାଜଧାନୀରେ କଂଗ୍ରେସର ସ୍ଥିତି କଣ ହେବ ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।

ଲୋକସଭାରେ ଆଗତ ହେଲା ବିବାଦୀୟ ୱାନ ନେସନ ୱାନ ଇଲେକସନ ବିଲ୍

ନନ୍ଦିଘୋଷ ବ୍ୟୁରୋ: ଲୋକସଭାରେ ଆଗତ ହେଲା ବିବାଦୀୟ ୱାନ ନେସନ ୱାନ ଇଲେକସନ ବିଲ୍। ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ। ଏହି ବିଲକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ବିଲକୁ ଆଗତ କରିବା ଲାଗି ଏକ ଏକ ଡିଭିଜନ ଅଫ ଭୋଟ ଦାବି କରାଯାଇଥିଲା ଯାହାକୁ ମଞ୍ଜୁର କରିଥିଲେ ବାଚସ୍ପତି। ବିଲ୍ ଆଗତ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ସାଂସଦ ସପକ୍ଷରେ ଭୋଟ ଦେବା ପରେ ବିଲକୁ ମନ୍ତ୍ରୀ ଆଗତ କରିଥିଲେ। ବିଲ୍ ଆଗତ ହେବା ପରେ ଏହାକୁ ନେଇ ଗୃହରେ ତମ୍ବିତୋଫାନ ସୃଷ୍ଟି ହୋଇଥିଲା। ଦେଶର ସଂଘୀୟ ବ୍ୟବସ୍ଥାକୁ ଭାଙ୍ଗି ଏକଛତ୍ରବାଦ ଚଳାଇବା ଲାଗି ଉଦ୍ୟମ ହେଉଛି ବୋଲି ଅଭିଯୋଗ କରିଥିଲେ ବିରୋଧୀ। ବିଲ୍ ବିପକ୍ଷରେକଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ, ଆଇୟୁଏମଏଲ, ଡିଏମକେ, ଶିବସେନା(ୟୁବିଟି), ଏନସିପି(ଏସପି), ଏଆଇଏମଆଇଏମ ସମେତ ୧୫ ଦଳ ରହିଥିଲେ। ବିଲ୍ ସପକ୍ଷରେ ରହିଥିଲେ ବିଜେପି, ଟିଡିପି, ଜେଡିୟୁ, ଶିବସେନା, ଏଲଜେପି ସମେତ ୩୨ ଦଳ।

ୱାନ ନେସନ ୱାନ ଇଲେକସନର ଉଦ୍ଦେଶ୍ୟ ହେଲା ଗୋଟିଏ ସମୟରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ କରିବା। ୨୦୨୪ରେ ଲୋକସଭା ନିର୍ବାଚନରେ ସାରା ଦେଶରେ ନିର୍ବାଚନ ସହ ୪ଟି ରାଜ୍ୟ ଅର୍ଥାତ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ସିକ୍କିମ ଓ ଅରୁଣାଚଳ ପ୍ରଦେଶର ନିର୍ବାଚନ ହୋଇଥିଲା। ୨୦୨୪ ଅକ୍ଟୋବର-ନଭେମ୍ବରରେ ସରିଥିଲା ମହାରାଷ୍ଟ୍ର, ହରିୟାଣା, ଜମ୍ମୁ ଓ କାଶ୍ମୀର ନିର୍ବାଚନ। ଗତ ୨୦୨୩ରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲଙ୍ଗାନାରେ ନିର୍ବାଚନ ସରିଥିଲା। ଆସନ୍ତା ୨୦୨୫ ପ୍ରଥମ ଭାଗରେ ହେବ ଦିଲ୍ଲୀ ଓ ବିହାର ନିର୍ବାଚନ। ୨୦୨୬ରେ ହେବ ତାମିଲନାଡୁ ଓ ପଶ୍ଚିମବଙ୍ଗ ନିର୍ବାଚନ।

ତେବେ ବଡ଼କଥା ହେଉଛି ସମ୍ବିଧାନ ସଂଶୋଧନ ବିନା ଏବଂ ସମସ୍ତ ରାଜ୍ୟ ଏହି ସଂଶୋଧନକୁ ଗ୍ରହଣ କରିବା ଆବଶ୍ଯକ ରହିଛି। କେନ୍ଦ୍ରର ଏହି ପ୍ରସ୍ତାବକୁ ବିଭିନ୍ନ ରାଜନୈତିକ ଦଳର ସରକାରଙ୍କ ମଞ୍ଜୁରୀ ଆବଶ୍ଯକ ରହିଛି। ସମ୍ବିଧାନର ଯେଉଁ ସବୁ ଧାରାର ସଂଶୋଧନ ଆବଶ୍ଯକ ତାହା ହେଲା ସଂସଦର କାର୍ଯ୍ୟକାଳ ସଂକ୍ରାନ୍ତ ଧାରା ୮୩, ରାଷ୍ଟ୍ରପତିଙ୍କ ଦ୍ବାରା ସଂସଦ ଭଙ୍ଗ ସଂକ୍ରାନ୍ତ ଧାରା ୮୫, ରାଜ୍ୟ ବିଧାନସଭା ଅବଧି ସଂକ୍ରାନ୍ତ ଧାରା ୧୭୨, ରାଜ୍ୟ ବିଧାନସଭା ଭଙ୍ଗ ସଂକ୍ରାନ୍ତ ଧାର ୧୭୪ ଏବଂ ରାଷ୍ଟ୍ରପତି ଶାସନ ଜାରି ସଂକ୍ରାନ୍ତ ଧାରା ୩୫୬। ଏହି ସବୁ ସଂଶୋଧନୀ ବିଲ୍ ପାସ୍ କରିବାରେ ବିଫଳ ହେଲେ ଭାରତର ସଂଘୀୟ ବ୍ୟବସ୍ଥା ଉଲ୍ଲଂଘନ ବିପଦ ରହିଛି ବୋଲି ଚେତାବନୀ ଦେଇଛନ୍ତି ଆଇନ ବିଶେଷଜ୍ଞ।

ଆଜିଠୁ ଆରମ୍ଭ ହେଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଆଜିଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ।  କିଛି ସମୟ ପରେ ଏଏସଆଇର ଟିମ୍ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି କରିବ ଏଏସଆଇ । ମରାମତି ସମୟରେ ଯେଭଳି ଭକ୍ତଙ୍କ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନ ହେବ, ତାର ବ୍ୟବସ୍ଥା କରାଯାଇଛି। ମରାମତି ସମୟରେ ଭକ୍ତମାନେ ବାହାର କାଠ ନିକଟରେ ରହି ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ l ଏଏସଆଇ ଦ୍ୱିତୀୟ ଭୋଗମଣ୍ଡପ ପରେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରାୟ ୫ ଘଣ୍ଟା ମରାମତି କରିବ । ସଂଧ୍ୟା ୬ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରିବ ଏଏସଆଇ। ପ୍ରଥମେ ଲୁହା ଭାରା ବନ୍ଧା ଯିବା ପରେ କାନ୍ଥରେ ଚୂନ  ଲଗାଯିବ । ଏହା ପରେ ପୁରୁଣା ଲୁହା ବିମ୍ ଓ ପଥର‌ ମରାମତି କାର୍ଯ୍ୟ କରାଯିବ। ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ମରାମତି କରାଯିବ। ଆଗାମୀ ୫ ଶହ ବର୍ଷକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର ମରାମତି କରିବାକୁ କହିଛନ୍ତି ସେବାୟତ। ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କଲେ ତାହା ଦୀର୍ଘସ୍ଥାୟୀ ହେବ ବୋଲି କହିଛନ୍ତି ସେବାୟତ  ।

ଉଦ୍ଧାର ହେଲା ନିଖୋଜ ପ୍ରଫେସରଙ୍କ ଗଳିତ ଶବ

କଟକ : କଟକ ଶିଖରପୁର ଛକରୁ ନିଖୋଜ ହୋଇଯାଇଥିବା ପ୍ରଫେସର ବୈଷ୍ଣବ ଚରଣ ସିଂହଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଯୋବ୍ରା ଆନିକଟ ୩୯ ନମ୍ବର ଗେଟରୁ ମିଳିଛି ମୃତଦେହ । ଜଗତପୁର ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ମିଳିତ ଭାବରେ ଶବକୁ ଉଦ୍ଧାର କରି ଏସସିବି ମେଡିକାଲ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।  ପ୍ରଫେସର ସିଂହ କେମେଷ୍ଟ୍ରି ବିଭାଗରେ ଦୀର୍ଘ ବର୍ଷ ଧରି ଅଧ୍ୟାପକ ଭାବରେ କାର୍ଯ୍ୟ କରି ଅବସର ନେଇଥିଲେ । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ କାହିଁକି ଏପରି ପଦକ୍ଷେପ ନେଲେ ତାହା ଜଣାପଡ଼ିନାହିଁ ।

ଉପରାଷ୍ଟ୍ରପତିଙ୍କ ସହିତ ବିଜେଡି ସାଂସଦଙ୍କ ସାକ୍ଷାତକାର ପ୍ରସଙ୍ଗ : ସ୍ପଷ୍ଟୀକରଣ ଦେଲେ ସାଂସଦ,କହିଲେ ବିଜେଡିରେ ଅଛୁ ଓ ରହିବୁ

ନୂଆଦିଲ୍ଲୀ: ଆମେ ନବୀନଙ୍କ ସହିତ ଅଛୁ । ବିଜେଡ଼ିରେ ଅଛୁ ଓ ରହିବୁ । ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକଥାକୁ ଦୋହରାଇଛନ୍ତି ବିଜେଡିର ୭ ରାଜ୍ୟସଭା ସାଂସଦ । କିଛିଦିନ ତଳେ ବିଜେଡି ରାଜ୍ୟସଭା ସାଂସଦଙ୍କର ଉପ-ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତକାରର ଫଟୋ ସୋସିଆଲ ମିଡିଆକୁ ଆସିବା ପରେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ କିଛି ବିଜେଡି ସାଂସଦ ବିଜେପିରେ ଯୋଗ ଦେଉଛନ୍ତି ବୋଲି ଖବର ପ୍ରସାରଣ କରିଥିଲା । ଯାହାକୁ ନେଇ ନୂଆଦିଲ୍ଲୀର ବର୍ଷିଛନ୍ତି ବିଜେଡି ସାଂସଦ । ସାମ୍ବାଦିକ ସମ୍ମିଳନୀରେ ଦଳ ପ୍ରତି ବିଶ୍ୱାସ ବ୍ୟକ୍ତ କରି ୭ ସାଂସଦ ସେମାନେ ବିଜେଡିରେ ଅଛନ୍ତି ଓ ରହିବେ ବୋଲି କହିଛନ୍ତି । ଏହା ସହିତ ନବୀନ ପଟ୍ଟନାୟକ ସେମାନଙ୍କ ନେତା ଓ ନେତାଙ୍କ ପଛରେ ସେମାନେ ଅଛନ୍ତି ବୋଲି କହିଛନ୍ତି । ସାଂସଦ ମାନସ ମଙ୍ଗରାଜ ବିଭ୍ରାନ୍ତିକର ଖବର ପ୍ରସାରଣରୁ ନିବୃତ ରହିବା ପାଇଁ ଗଣମାଧ୍ୟମକୁ ଅନୁରୋଧ କରିବା ସହିତ କହିଛନ୍ତି ଯେ, କେବଳ ଟିଆରପି ପାଇଁ ଏଭଳି କରିବା ଦୁଃଖଦାୟକ ।

ଅନ୍ୟପକ୍ଷରେ ସାଂସଦ ନିରଞ୍ଜନ ବିଶି ଏଭଳି ଖବର ପ୍ରସାରଣ କରିଥିବା ଗଣମାଧ୍ୟମ ବିରୋଧରେ ହଜାରେ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିବେ ବୋଲି କହିଛନ୍ତି । ସେପଟେ ନିରଂଜନ ବିଶି କହିଲେ, ମୁଁ ତ କାହାକୁ କହିନାହିଁ, ସେ କେମିତି ଜାଣିଲେ। ଏକ କୋଟି ଟଙ୍କାର ମାନହାନୀ ମୋକଦ୍ଦମା କରିବି ବୋଲି ଚେତାଇ ଦେଇଛନ୍ତି ନିରଂଜନ ବିଶି। ଶୁଭାଶିଷ ଖୁଣ୍ଟିଆ ବି କହିଛନ୍ତି, ବିଭ୍ରାନ୍ତକର ଖବର ଦିଆଯାଉଛି। ଏପରି ନ କରି ସଠିକ୍ ଖବର ଦିଅନ୍ତୁ କହିଲେ ଶୁଭାଶିଷ ଖୁଣ୍ଟିଆ। କୌଣସି ବିଜେଡି ସାଂସଦ ଦଳ ଛାଡ଼ିବାର ନାହିଁ ବୋଲି ସମସ୍ତେ ଆଜି ଏହା ସ୍ପଷ୍ଟ କରିଛନ୍ତି। ଏବଂ ମିଛ ମନଗଢ଼ା ଖବର ପ୍ରସାରଣ ନ କରିବାକୁ କହିଛନ୍ତି।

ସାଂସଦ ମାନସ ମଙ୍ଗରାଜ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ରାଜ୍ୟସଭା ଅଧ୍ୟକ୍ଷ ଭାବେ ଉପ-ରାଷ୍ଟ୍ରପତିଙ୍କୁ ସବୁ ଦଳର ସାଂସଦ ସାକ୍ଷାତ କରନ୍ତି । ଓଡ଼ିଶାର ବିକାଶ ବାବଦରେ ଆଲୋଚନା ପାଇଁ ଆମେ ଉପ-ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲୁ । ତାକୁ ନେଇ କେବଳ ଟିଆରପି ପାଇଁ ଯେଉଁଭଳି ବିଭ୍ରାନ୍ତିକର ଖବର ପ୍ରସାରଣ କରାଯାଇଛି ତାହା ନିନ୍ଦନୀୟ । ସାମ୍ବାଦିକ ମାନେ ନିଜର ଲକ୍ଷ୍ମଣରେଖା ବାବଦରେ ଅବଗତ ରହିବା ଆବଶ୍ୟକ । ସାଂସଦ ଭାବରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସାକ୍ଷାତ କରିବାର ଅଧିକାର ଆମର ମଧ୍ୟ ରହିଛି । ସାକ୍ଷାତକାରର ଫଟୋକୁ ନେଇ ଭୁଲ ଖବର ପ୍ରସାରଣ କରିବା ଠିକ ନୁହେଁ ।

ସେହିଭଳି ସାଂସଦ ସୁଲତା ଦେଓ ମଧ୍ୟ ମିଥ୍ୟା ଖବର ପ୍ରସାରଣକୁ ନିନ୍ଦା କରିବା ସହିତ ଦଳର ସମସ୍ତ ସାଂସଦ ନବୀନ ପଟ୍ଟନାୟକଙ୍କ ସହିତ ଅଛନ୍ତି ଓ ରହିବେ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନ ଆମ ଧୃବତାରା । ଅନ୍ୟପକ୍ଷରେ ସାଂସଦ ନିରଞ୍ଜନ ବିଶି ମିଥ୍ୟା ଖବର ପ୍ରସାରଣକୁ ନିନ୍ଦା କରି ଏହା ବିରୋଧରେ ସେ ମାନହାନୀ ମକଦ୍ଦମା କରିବେ ବୋଲି କହିଛନ୍ତି । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଯେଉଁଭଳି ଭାବେ ମିଥ୍ୟା ଓ କପୋଳକଳ୍ପିତ ଖବର ପ୍ରସାରଣ କରିଛି ତାହା ବିରୋଧରେ ସେ ଏକ ହଜାର କୋଟି ଟଙ୍କାର ମାନହାନୀ ମକଦ୍ଦମା କରିବେ ବୋଲି କହିଛନ୍ତି ।

ଏହାକୁ ନେଇ ସାଂସଦ ଦେବାଶିଷ ସାମନ୍ତରାୟ ସେମାନଙ୍କୁ କଡ଼ା ନିନ୍ଦା କରିବା ସହିତ କହିଛନ୍ତି ଆମେ ତୃଣମୂଳସ୍ତରରୁ ରାଜନୀତି କରିଆସିଛୁ । ଆମେ ବିଜେଡି ଛାଡି କଦାପି ଯିବୁ ନାହିଁ ।
ଇଲେକ୍ଟ୍ରୋନିକ ଓ ପ୍ରିଣ୍ଟ ମିଡିଆରେ ଅପପ୍ରଚାର ଚାଲିଛି  । ସାଂସଦଙ୍କ ଅଧିକାର ରହିଛି ଗୃହର ଅଧ୍ଯକ୍ଷଙ୍କୁ ଭେଟିବା ଲାଗି ତେଣୁ ଫଟୋକୁ ନେଇ ଚାଲିଥିବା ଆଲୋଚନା ଦୁର୍ଭାଗ୍ଯଜନକ ଅଟେ ।
ଆମେ ଆମ ନେତାଙ୍କୁ ଛାଡି କୁଆଡ଼େ ଯିବାର ନାହିଁ ।

ଆମ୍ଭେ ନବୀନବାବୁଙ୍କ ସହ ରହିଛୁ ଓ ରହିବୁ ବୋଲି ଦୃଢ ଜବାବ ଦେଲେ ସାଂସଦ ମୁନ୍ନା ଖାଁ । ଆମ ୭ଜଣ ସାଂସଦଙ୍କ ନାମରେ ଅପପ୍ରଚାର ଚାଲିଛି । ୩୪-୩୫ ବର୍ଷ ଧରି ବିଜୁ ପରିବାର ସହ ଆମେ ଅଛୁ । ନବୀନ ବାବୁଙ୍କୁ ଛାଡ଼ି ଚାଲିଯିବାର ପ୍ରଶ୍ନ ଉଠୁନି ।

ଏଭଳି ଅପପ୍ରଚାର ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ସାଂସଦ ସସ୍ମିତ ପାତ୍ର । କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଚାହୁଁନାହାନ୍ତି ଦିଲ୍ଲୀରେ ରାଜ୍ଯର ସ୍ବର ଉଠୁ । ଅନେକ ପ୍ରସଙ୍ଗ ରାଜ୍ଯସଭାରେ ଉଠାଯାଉଛି । ଯାହା ରାଜ୍ଯ ବିଜେପି ସରକାରକୁ ବାଧୁଛି । ଏକପାଖିଆ ଭାବେ ଖବର ପ୍ରସାରଣ କରାଯାଉଛି ।  ଜନସ୍ବାର୍ଥ ଗୋଷ୍ଠୀ ଦ୍ବାରା କେହି ପରିଚାଳିତ ହୁଅନ୍ତୁ ନାହିଁ
ଯଦି ସତ୍ ସାହସ ଅଛି ତଥ୍ଯ ପ୍ରମାଣ ସାମନାକୁ ଆଣନ୍ତୁ ।

ଗ୍ୟାଙ୍ଗଷ୍ଟର ଓ ସାଇବର ଠକ ଅପରାଧ କରିବା ପାଇଁ କାହିଁକି ଏହି ଆପକୁ ପସନ୍ଦ କରନ୍ତି ?

ନନ୍ଦିଘୋଷ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଏବଂ ସାଇବର ଠକମାନେ ବ୍ୟବହାର କରୁଥିବା ମୋବାଇଲ୍ ଆପ୍ କ’ଣ? ଏମିତି ଅନେକ ଲୋକ ଥିବେ ଯେଉଁମାନେ ଏହି ପ୍ରଶ୍ନର ଉତ୍ତର ଜାଣିନଥିବେ ବାସ୍ତବରେ ଗତ କିଛି ବର୍ଷ ମଧ୍ୟରେ ଗ୍ୟାଙ୍ଗଷ୍ଟରମାନେ କଥାବାର୍ତ୍ତା ପାଇଁ ବ୍ୟବହାର କରୁଥିବା ମୋବାଇଲ୍ ଆପ୍ ବିଷୟରେ ପୁଲିସ ଜାଣିବାକୁ ପାଇଛି।ଦିଲ୍ଲୀ-ଏନସିଆର ଏବଂ ଅନ୍ୟାନ୍ୟ ସ୍ଥାନରେ ସକ୍ରିୟ ଥିବା ଲରେନ୍ସ ବିଷ୍ଣୋଇ ଗୋଷ୍ଠୀ ଏବଂ ଅନ୍ୟ ଗ୍ୟାଙ୍ଗଷ୍ଟର ଏବଂ ସେମାନଙ୍କ ସହଯୋଗୀମାନେ ପରସ୍ପର ସହ ଯୋଗାଯୋଗ କରିବା ପାଇଁ ଆର୍ମେନିଆର ଆପ୍ ଜାଙ୍ଗି ବ୍ୟବହାର କରୁଥିବା ଜଣାପଡିଛି। କିଛି ମାସ ତଳେ ଦିଲ୍ଲୀ ପୁଲିସ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଇର ଦୁଇ ଜଣ ସୁଟରଙ୍କୁ ଗିରଫ କରିଥିଲା ଏବଂ ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ ସେ ଜାଙ୍ଗି ଆପରେ ଚାଟିଂ କରୁଥିଲେ।

ଗ୍ୟାଙ୍ଗଷ୍ଟରମାନେ ଜାଙ୍ଗିଙ୍କୁ କାହିଁକି ପସନ୍ଦ କରନ୍ତି ?

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଆପର ଅନଟ୍ରେସେବୁଲ ନେଟୱାର୍କ(ଧରାପଡୁନଥିବା ନେଟୱର୍କ) କାରଣରୁ ଗ୍ୟାଙ୍ଗଷ୍ଟରମାନଙ୍କୁ ଟ୍ରାକ୍ କରିବା ଏବଂ ସେମାନଙ୍କ ରହସ୍ୟ ଠାବ କରିବା କଷ୍ଟକର ହୋଇପଡ଼ୁଛି। ଏହି ଆପକୁ ଗ୍ୟାଙ୍ଗଷ୍ଟରମାନେ ପସନ୍ଦ କରୁଛନ୍ତି କାରଣ ଏହି ଆପ୍ ଆପଣଙ୍କୁ ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ନ ନେଇ ଆପ୍ ବ୍ୟବହାର କରିବାକୁ ଅନୁମତି ଦେଇଥାଏ । ଏହି ଆପ୍ ବ୍ୟବହାର କରିବା ପାଇଁ ଆପ୍, ବ୍ୟବହାରକାରୀଙ୍କୁ ନିଜର ଏକ ୧୦ ଅଙ୍କ ବିଶିଷ୍ଟ ନମ୍ବର ଦେଇଥାଏ, ଯାହାଦ୍ୱାରା ଅପରାଧୀମାନେ ନିଜ ମୋବାଇଲ ନମ୍ବର ପ୍ରକାଶ ନକରି ନିଜ ସହଯୋଗୀଙ୍କ ସହ ଯୋଗାଯୋଗ କରିପାରିବେ । ଏହି ଆପ୍ ବ୍ୟବହାରକାରୀଙ୍କ ସ୍କ୍ରିନରେ କେବଳ ଜେନେରେଟେଡ୍ ନମ୍ବର ଦେଖାଯାଇଥାଏ। କଂପାନିର ସାଇଟରେ ଥିବା ସୂଚନା ଅନୁଯାୟୀ, ଆପ୍ ବ୍ୟବହାର କରିବା ପାଇଁ ୟୁଜରଙ୍କ ନିଜ ନମ୍ବର ନିଆଯାଇନଥାଏ, ଯାହାଦ୍ୱାରା ୟୁଜରଙ୍କୁ କେହି ମନିଟର କରିପାରିବେ ନାହିଁ ଏବଂ ୟୁଜର୍ସ ଆକାଉଣ୍ଟ ହ୍ୟାକିଂରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ ।

ଜାଙ୍ଗି କିପରି କାମ କରେ ?

ସାଇବର ସେଲ୍ ଅଧିକାରୀ କହିଛନ୍ତି ଯେ ଏହି ମୋବାଇଲ୍ ଆପ୍ ରେ ମେସେଜ୍ ପଠାଯିବା ମାତ୍ରେ ସେହି ମେସେଜ୍ ଆପ୍ ର ସର୍ଭର ଜରିଆରେ ଟାର୍ଗେଟ୍ ରେ ପହଞ୍ଚିଯାଇଥାଏ। ମେସେଜ ଡେଲିଭର ହେବା ମାତ୍ରେ ଆପଣଙ୍କ ସିକ୍ରେଟ୍ ମେସେଜ ଆପେ ଆପେ ଆପର ସର୍ଭରରୁ ଡିଲିଟ୍ ହୋଇଯାଏ, ଯେଉଁଥିପାଇଁ ମେସେଜକୁ ଟ୍ରାକ୍ କରାଯାଇପାରିବ ନାହିଁ । ଏହି ଏନକ୍ରିପସନ୍ କାରଣରୁ କେବଳ ମେସେଜର ପ୍ରେରକ ଏବଂ ରିସିଭର ମେସେଜ, ଅଡିଓ ଏବଂ ଭିଡିଓ କଲ୍ ଆକସେସ୍ କରିପାରିବେ।

ସ୍କାମର୍ମାନେ ମଧ୍ୟ ବ୍ୟବହାର କରନ୍ତି :

ଗ୍ୟାଙ୍ଗଷ୍ଟରଙ୍କ ବ୍ୟତୀତ ଅନଲାଇନ ସ୍କାମରମାନେ ମଧ୍ୟ ଏହି ଆପକୁ ବହୁଳ ଭାବେ ବ୍ୟବହାର କରୁଛନ୍ତି । ଗତବର୍ଷ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାର ସୁପାରିସ କ୍ରମେ କେନ୍ଦ୍ର ସରକାର ଜାଙ୍ଗି ସମେତ ୧୪ଟି ମୋବାଇଲ ୍ ମେସେଜିଂ ଆପ୍କୁ ନିଷିଦ୍ଧ କରିଥିଲେ, ଯାହାକୁ ଆତଙ୍କବାଦୀ ସଙ୍ଗଠନମାନେ ଯୋଗାଯୋଗ ପାଇଁ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା।

ମାର୍କେଟରେ ପୁଷ୍ପା ଭାଇର ରାଜ୍ ,୧୨ ଦିନରେ ୧୪ଶହ କୋଟି ଆୟ

ନନ୍ଦିଘୋଷ ବ୍ୟୁରୋ: ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ରିଲିଜ ହେବାର ୧୨ ଦିନ ବିତିଗଲାଣି । କିନ୍ତୁ ‘ପୁଷ୍ପା ଭାଇ’କୁ ନେଇ ପ୍ରଥମ ଦିନରେ ଯେଉଁ ଚର୍ଚ୍ଚା ହୋଇଥିଲା ତାହା ଏବେବି ରହିଛି। ପୁଷ୍ପା ଓ ତା’ ମଣ୍ଡଳି ଏପରି ଝଡ଼ ସୃଷ୍ଟି କରିଛନ୍ତି ଯେ ସେହି ଝଡ଼ ମାଡ଼ରେ ଗୋଟିଏ ପରେ ଗୋଟିଏ ଦୁର୍ଗ ଭୁଷୁଡ଼ିବାରେ ଲାଗିଛି । । ଏବେ ଅଲ୍ଲୁ ଅର୍ଜୁନଙ୍କ ଆଗରେ ଏବେ ଦୁଇଟି ବଡ଼ ସିନେମା ରହିଛି, ଯାହାର ରେକର୍ଡ୍ ତାଙ୍କୁ ଭାଙ୍ଗିବାକୁ ପଡ଼ିବ। ପ୍ରଥମଟି- ପ୍ରଭାସଙ୍କ ‘ବାହୁବଳୀ-୨’ ଏବଂ ଦ୍ୱିତୀୟ- ଆମୀର ଖାନଙ୍କ ‘ଦଙ୍ଗଲ’। ଅଲ୍ଲୁ ଅର୍ଜୁନ ଦ୍ୱିତୀୟ ସୋମବାର ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଦୁଇଟି ରେକର୍ଡ ଭାଙ୍ଗିବା ପାଇଁ ଫିଲ୍ମକୁ କେତେ ଆୟ କରିବାକୁ ପଡ଼ିବ ତାହା ଜାଣିବା ପୂର୍ବରୁ , ପ୍ରଥମେ ଜାଣନ୍ତୁ ଦ୍ୱାଦଶ ଦିନର କଲେକ୍ସନ ।

ଦ୍ୱାଦଶ ଦିନରେ ‘ପୁଷ୍ପା-୨’ କେତେ ରୋଜଗାର କରିଥିଲା ?

ସେକନିଲ୍କ ରିପୋର୍ଟ ଅନୁଯାୟୀ, ‘ପୁଷ୍ପା-୨’ ଦ୍ୱାଦଶ ଦିନରେ ଭାରତରୁ ମୋଟ ୨୭.୭୫ କୋଟି ଟଙ୍କାର ବ୍ୟବସାୟ କରିଛି। ସେଥିମଧ୍ୟରୁ ହିନ୍ଦୀରେ ୨୧ କୋଟି, ତେଲୁଗୁରେ ୫.୪୫ କୋଟି ଏବଂ ତାମିଲରେ ୧ କୋଟି ଆଦାୟ ହୋଇଛି। କନ୍ନଡ ଓ ମାଲାୟାଲମରେ ୦.୧୫ କୋଟି ଟଙ୍କା ଓ ମାଲାୟାଲମରେ ୦.୧୫ କୋଟି ଟଙ୍କା ଆୟ ହୋଇଛି। ଏହା ହେଉଛି ଭାରତରେ ପୁଷ୍ପାର ଶୁଦ୍ଧ କାରବାର । ଏହାକୁ ମିଶାଇ ‘ପୁଷ୍ପା-୨’ ୧୨ ଦିନରେ ଭାରତରୁ ମୋଟ ୯୨୯.୮୫ କୋଟି ଆୟ କରିଛି। ଏହା ସହ ଫିଲ୍ମ ମଧ୍ୟ ୧୦୦୦ କୋଟି ଛୁଇଁବାକୁ ଯାଉଛି ।

ଭାରତରେ କେଉଁ ଭାଷାରୁ କେତେ ଆୟ ?

ହିନ୍ଦି-୫୭୩.୧ କୋଟି
ତେଲୁଗୁ-୨୮୭.୦୫କୋଟି
ତାମିଲ-୪୯.୪ କୋଟି
କନ୍ନଡ଼-୬.୭ କୋଟି
ମାଲାୟଲମ-୧୩.୬ କୋଟି
ମୋଟ-୯୨୯.୮୫ କୋଟି

‘ପୁଷ୍ପା-୨’ର ପରବର୍ତ୍ତୀ ଟାର୍ଗେଟ କିଏ?

ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା-୨’ ୧୨ ଦିନରେ ‘ଜବାନ’ ଓ ‘କେଜିଏଫ-୨’ ଭଳି ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିଛି। ଏବେ ସେହି ଦୁଇଟି ସିନେମାର ପାଳି ଆସିଛି, ଯାହା ଉପରେ ‘ପୁଷ୍ପା-୨’ର ନଜର ରହିଛି। ତେଣୁ ଫିଲ୍ମଟି ଏହି ସଫଳତାକୁ ଅତି ସହଜରେ ଅତିକ୍ରମ କରିବ ବୋଲି ନିର୍ମାତା ଆଶା ରଖିଛନ୍ତି। ଭାରତୀୟ ସିନେମାର ସର୍ବାଧିକ ରୋଜଗାର କରୁଥିବା ଫିଲ୍ମ ହେବାକୁ ହେଲେ ‘ପୁଷ୍ପା-୨’କୁ ୨୦୭୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିବାକୁ ପଡ଼ିବ। ବାସ୍ତବରେ ଏହା ହେଉଛି ଆମୀର ଖାନଙ୍କ ‘ଦଙ୍ଗଲ’ର ସର୍ବକାଳୀନ ସଂଗ୍ରହ। କିନ୍ତୁ ଏହା ପୂର୍ବରୁ ‘ବାହୁବଳୀ-୨’କୁ ପଛରେ ପକାଇବାକୁ ପଡ଼ିବ। ଚଳଚ୍ଚିତ୍ରଟି ମୋଟ ୧୭୮୮.୦୬ କୋଟି ଆୟ କରିଥିଲା । ‘ପୁଷ୍ପା-୨’ ବିଶ୍ୱବ୍ୟାପୀ ୧୪୦୯ କୋଟି ଟଙ୍କା ଆୟ କରିଛି। ଏବେ ଏହାର ପରବର୍ତ୍ତୀ ଟାର୍ଗେଟ ହେଉଛି ‘ଦଙ୍ଗଲ’ ଓ ‘ବାହୁବଳୀ-୨’।

ଅମୃତସରର ଇସଲାମାବାଦ ଥାନା ନିକଟରେ ବିସ୍ଫୋରଣ,ମାଫିଆ ଲିଙ୍କ୍ ସନ୍ଦେହ

ଅମୃତସର: ଅମୃତସରର ଇସଲାମାବାଦ ଥାନା ନିକଟରେ ଆଜି ଭୋର୍ ସମୟରେ ଭୟଙ୍କର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ରାତି ପ୍ରାୟ ୩ଟା ବେଳେ ଏହି ବିସ୍ଫୋରଣର ଶବ୍ଦରେ ସ୍ଥାନୀୟ ଅଂଚଳ ଥରି ଉଠିଥିଲା । ଭୟଭୀତ ଲୋକ ଘର ବାହାରୁ ଚାଲି ଆସିଥିଲେ । ତେବେ ଥାନାରେ କୌଣସି ବିସ୍ଫୋରଣ ହୋଇନଥିବା ପରେ ଜଣା ପଡି଼ଥିଲା । ଏହି ବିସ୍ଫୋରଣ ପାଇଁ ଗ୍ୟାଙ୍ଗଷ୍ଟର ଜୀବନ ଫୌଜି ନିଜକୁ ଦାୟୀ କରିଛି। ଭୋର ପ୍ରାୟ ୩ଟା ରେ ଏହି ବିସ୍ଫୋରଣ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ଘର ଭିତରେ ଥିବା କାନ୍ଥ ଥରି ଉଠିବା ସହିତ ଫଟୋ ତଳକୁ ଖସି ପଡ଼ିଥିଲା ।

ସୋସିଆଲ ମିଡିଆରେ ଭାଇରାଲ ହେଲା ଗ୍ୟାଙ୍ଗଷ୍ଟରର ପୋଷ୍ଟ : 

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ପୋଷ୍ଟରେ ଗ୍ୟାଙ୍ଗଷ୍ଟର ଜୀବନ ଫୌଜି ଇସଲାମାବାଦ ପୋଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ୧୯୮୪ ମସିହାରୁ ସରକାର ସହ ମିଶି ସେମାନେ ଶିଖ୍ ଓ ସେମାନଙ୍କ ପରିବାରବର୍ଗ ସହିତ କ’ଣ କରିଛନ୍ତି ତାହା ପୁଲିସକୁ ଜଣାଇବା ପାଇଁ ଆଜି ମୁଁ ଅମୃତସରର ଇସଲାମାବାଦ ପୁଲିସ ଷ୍ଟେସନ ଉପରକୁ ଗ୍ରେନେଡ୍ ଫିଙ୍ଗାଇଥିଲି ଓ ଏହାର ଉତ୍ତରଦାୟିତ୍ୱ ମୁଁ ନେଉଛି ବୋଲି ସେ ପୋଷ୍ଟରେ ଦାବି କରିଛି । । ଆଗକୁ ଯଦି ସରକାର ଓ ପୋଲିସ ଏପରି କରିବା ଯାରି ରଖନ୍ତି ତେବେ ତାହାର ଉତ୍ତର ଦିଆଯିବ ବୋଲି ଫୌଜି ପୋଷ୍ଟରେ ଉଲ୍ଲେଖ କରିଛି। ଏହା ପୂର୍ବରୁ ବୁଧବାର ରାତି ପ୍ରାୟ ୧୦ଟା ବେଳେ ଅମୃତସରର ମଜିଥା ଥାନା ଭିତରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଥାନାର ଝରକା ଭାଙ୍ଗି ଯାଇଥିଲା। ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଥାନା ଫାଟକ ନିକଟରେ ଥିବା ଏକ ଖୋଲା ସ୍ଥାନରେ ଏହି ବିସ୍ଫୋରଣ ଘଟିଛି। ଏହି ଘଟଣା ପରେ ଥାନାର ଗେଟ୍ ବନ୍ଦ କରି ଦିଆଯାଇଥିଲା।

କ’ଣ କହିଲେ ଅମୃତସର ପୋଲିସ କମିଶନର ?

ଅମୃତସର ପୋଲିସ କମିଶନର ଗୁରପ୍ରୀତ ସିଂ ଭୁଲର ମଧ୍ୟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, “ଥାନା ଭିତରେ କୌଣସି ବିସ୍ଫୋରଣ ହୋଇନାହିଁ, କିନ୍ତୁ ଆମେ ତଦନ୍ତ କରୁଛୁ। ଆଜି ସକାଳେ ନିଶ୍ଚିତ ଭାବେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ଆମେ ନିକଟରେ ୟୁଏପିଏ ଅଧୀନରେ ୧୦ ଜଣଙ୍କୁ ଗିରଫ କରି ଏକ ମଡ୍ୟୁଲର ପର୍ଦ୍ଦାଫାସ କରିଛୁ ଯାହା ଏପରି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା । ନିରାଶ ହୋଇ ନିଜର ଉପସ୍ଥିତି ଜାହିର କରିବା ପାଇଁ ଏହି ଲୋକମାନେ ଏଭଳି ଘଟଣା ଘଟାଇଥିବା ଜଣାପଡିଛି । ଖୁବ୍ ଶୀଘ୍ର ବାକି ଲୋକଙ୍କୁ ମଧ୍ୟ ଗିରଫ କରାଯିବ।

ପଞ୍ଜାବ ପୁଲିସକୁ ସତର୍କ କଲା ଏନଆଇଏ :

ସେପଟେ ପଞ୍ଜାବକୁ ଆତଙ୍କିତ କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ପଞ୍ଜାବ ପୋଲିସକୁ ଏକ ରିପୋର୍ଟ ପ୍ରଦାନ କରିଛି । ପ୍ରଥମ ଟାର୍ଗେଟ ପଞ୍ଜାବର ପୋଲିସ ଷ୍ଟେସନଗୁଡିକ ହେବ କାରଣ ଅତୀତରେ ପଞ୍ଜାବର ପାଖାପାଖି ୫ଟି ପୋଲିସ ଷ୍ଟେସନ ଉପରେ ଗ୍ରେନେଡ ଏବଂ ଆଇଇଡି ଆକ୍ରମଣ ହୋଇଛି । ଏଭଳି ଆଶଙ୍କା ପରେ ଏନଆଇଏ ପଞ୍ଜାବ ଉପରେ ନଜର ରଖିଥିଲା । ଏକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଖଲିସ୍ତାନୀ ଆତଙ୍କବାଦୀମାନେ ୧୯୮୪ରେ ବ୍ୟବହୃତ ଡେଡ୍ ଡ୍ରପ୍ ମଡେଲ୍ ଭଳି ଆକ୍ରମଣ କରୁଛନ୍ତି, ଯାହା ପରେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିମାନେ ସତର୍କ ଅଛନ୍ତି।

ସାରା ରାଜ୍ୟରେ ଶୀତ ଲହରୀ ଜାରି, ୨୪ ଘଣ୍ଟା ପାଇଁ ୪ ଜିଲାକୁ ୱେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ପ୍ରବଳ ଜାଡ। କୋଲ୍ଡ ଓ୍ବେଭ୍ ପାଇଁ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଏବଂ ଜଗତସିଂହପୁରକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ହାଡଭଙ୍ଗା ଜାଡ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ। ଶୀତ ଲହରୀ ସହ ଘନ କୁହୁଡି ଆକ୍ତାମାକ୍ତା କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଶୀତ ଲହରୀ ପାଇଁ ୪ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ଘନ କୁହୁଡି ପାଇଁ କନ୍ଧମାଳ ଏବଂ କୋରାପୁଟକୁ ସତର୍କତା ଜାରି କରାଯାଇଛି।

ଏହି ଦୁଇ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିବାର ସମ୍ଭାବନା ରହିଛି। ଶୀତ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୧୦ ଡିଗ୍ରୀ ତଳକୁ ଖସି ଆସିବ। ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ। ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ପରଠାରୁ ରାଜ୍ୟରେ ମେଘୁଆ ପାଗ ସହ କିଛି ସ୍ଥାନରେ ବର୍ଷା ନେଇ ଆକଳନ କରାଯାଇଛି।

୨୨ ତାରିଖ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଲଘୁଚାପ ତାମିଲନାଡୁ ମୁହାଁ ହେଇଥିବା ବେଳେ ଓଡ଼ିଶା ଉପରେ ତାହାର ସିଧାପ୍ରଭାବ ନାହିଁ। କିନ୍ତୁ କୋହଲା ପାଗ ସହ ବାୟୁ ଚଳାଚଳ ଉପରେ ପ୍ରଭାବ ପକାଇବ। ବିଶେଷ କରି ସମୁଦ୍ରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରିବ। ପ୍ରଭାବରେ ୧୮ ତାରିଖ ଠାରୁ ରାଜ୍ୟରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ।