spot_img
Home Blog Page 1274

ଆଜି ବସିବ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଆଜି ବସିବ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ଛତିଶାନିଯୋଗ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରାଯିବ ।

ଆସନ୍ତା ୧୬ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଶ୍ରୀଜିଉଙ୍କ ପହିଲିଭୋଗ ନୀତିନିର୍ଘଣ୍ଟ ଉପରେ ବୈଠକରେ ଆଲୋଚନା ହେବ । ଏହା ସହ ଆସନ୍ତାବର୍ଷ ଜାନୁୟାରୀ ୧୩ ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ଦେବାଭିଷେକ ପୂର୍ଣ୍ଣିମା ନୀତିନିର୍ଘଣ୍ଟ ଉପରେ ମଧ୍ୟ ଆଲୋଚନା ହେବ ।

ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ନୀତିନିର୍ଘଣ୍ଟ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ। ଏହାସହ ରତ୍ନଭଣ୍ଡାର ମରାମତି ନେଇ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯିବା ସହ କେତେ ସମୟ ଏଏସଆଇ ରତ୍ନଭଣ୍ଡାର ମରାମତି କରିବେ ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବ ।

ଓଡ଼ିଶାର ଏମଏସଏମଇ ଶିଳ୍ପକୁ ୪୭୯ କୋଟି ୮ ଲକ୍ଷ ଟଙ୍କାର ରିହାତି ପ୍ରଦାନ କରାଯାଇଛି

ଭୁବନେଶ୍ବର: ଗତ ଚାରି ବର୍ଷରେ ଓଡିଶାରେ ୧୭ ଲକ୍ଷରୁ ଅଧିକ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ ଉଦ୍ୟମ ପୋର୍ଟାଲରେ ପଞ୍ଜିକୃତ ହୋଇଛି । ଏହି ସବୁ ଏମଏସଏମଇ ଦ୍ବାରା ୮୧ ଲକ୍ଷ ୬୩ ହଜାର ୧୮ଜଣଙ୍କୁ ମିଳିଛି ନିଯୁକ୍ତି ସୁଯୋଗ । ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନରେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଶୋଭା କରନ୍ଦଲାଜେ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ଓଡିଶାର କେତେ ଏମଏସଏମଇ ଶିଳ୍ପ ସହାୟତା ହୋଇଛନ୍ତି ଓ ରାଜ୍ୟର ଏମଏସଏମଇ ଶିଳ୍ପକୁ ଆର୍ଥିକ ଓ ବୈଷୟିକ ସହାୟତା ଦେବାକୁ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ବୋଲି ମାନସ ମଙ୍ଗରାଜ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ୨୦୨୦ ଜୁଲାଇ ୭ ତାରିଖରେ ଉଦ୍ୟମ ପୋର୍ଟାଲ ଆରମ୍ଭ ହେବା ଦିନରୁ ଏବେ ପର୍ଯ୍ୟନ୍ତ ଓଡିଶାର ୧୭ ଲକ୍ଷ ୬୭ ହଜାର ୬୫୯ଟି ଏମଏସଏମଇ ଶିଳ୍ପ ପଞ୍ଜିକରଣ କରିଛନ୍ତି । ଏହିସବୁ ଶିଳ୍ପ ସଂସ୍ଥାରେ ୮୧ ଲକ୍ଷ ୬୩ ହଜାର ୧୮ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିଛି । ପ୍ରଧାନମନ୍ତ୍ରୀ ନିଯୁକ୍ତି ଯୋଜନାରେ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟର ୧୭ ହଜାର ୪୫ଟି ଏମଏସଏମଇ ଶିଳ୍ପକୁ ୪୭୯ କୋଟି ୮ ଲକ୍ଷ ଟଙ୍କାର ରିହାତି ପ୍ରଦାନ କରାଯାଇଛି । ଏହିସବୁ ଶିଳ୍ପ ସଂସ୍ଥାରେ ୧ ଲକ୍ଷ ୩୬ ହଜାର ୩୬୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି ।

ଏହି ଯୋଜନାରେ ଗ୍ରାମାଞ୍ଚଳରେ ଶିଳ୍ପ ପାଇଁ ୨୫ ପ୍ରତିଶତ ଓ ସହରାଞ୍ଚଳରେ ୧୫ ପ୍ରତିଶତ ରିହାତି ଦିଆଯାଉଛି । ସେହିଭଳି ଏମଏସଏମଇ ଶିଳ୍ପକୁ କ୍ରେଡିଟ ଗ୍ୟାରେଣ୍ଟି ଯୋଜନାରେ ଗତ ୫ ବର୍ଷରେ ୧ ଲକ୍ଷ ୭୦ ହଜାର ୭୧୬ଜଣଙ୍କୁ ୧୩ ହଜାର ୪୩୬ କୋଟି ଟଙ୍କାର କ୍ରେଡିଟ ଗ୍ୟାରେଣ୍ଟି ଦିଆଯାଇଛି । ଏଥିସହ ଗତ ୨୦୨୩ ସେପ୍ଟେମ୍ବର ୧୭ ତାରିଖରୁ ଚଳିତବର୍ଷ ଡିସେମ୍ବର ୪ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାରେ ୯୦ ହଜାର ୬୯୩ କଳାକାର ପଞ୍ଜିକୃତ ହୋଇଛନ୍ତି । ଏମଏସଏମଇ ଗୁଡିକୁ ଆର୍ଥିକ ଓ ବୈଷୟିକ ସହାୟତା ବଢାଇବାକୁ କେନ୍ଦ୍ର ସରକାର ଏଭିତରେ ବିଭିନ୍ନ ଯୋଜନା ଆରମ୍ଭ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଦେଶରେ ଭୂତଳ କୋଇଲା ଖନନ ଉତ୍ସାହଜନକ ନୁହେଁ

ଭୁବନେଶ୍ବର: ଦେଶରେ ଭୂତଳ କୋଇଲା ଖନନ ଉତ୍ସାହଜନକ ନୁହେଁ । ୨୦୨୩-୨୪ ଆର୍ଥିକ ବର୍ଷରେ ମାତ୍ର ୩.୪୪ ପ୍ରତିଶତ କୋଇଲା ଖଣିରେ ଭୂତଳ କୋଇାଲା ଖନନ ହୋଇଛି । ଏବେ ଭୂତଳ କୋଇଲା ଖନନ ପ୍ରକ୍ରିୟାରେ ମାତ୍ର ୩୪.୩୩ ମେଟ୍ରିକ ଟନ କୋଇଲା ଉତ୍ପାଦନ ହେଉଥିବା ବେଳେ ୨୦୩୦ ସୁଦ୍ଧା ଏହି ପ୍ରକ୍ରିୟାରେ ୧୦୦ ମେଟ୍ରିକ ଟନ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ ରେଡ୍ଡୀ ।

ପରିବେଶ ପ୍ରଦୂଷଣକୁ ରୋକିବାକୁ ଚାଇନାରେ ୯୮ ପ୍ରତିଶତ ଖଣିରେ ଭୂତଳ ଖନନ ପ୍ରକ୍ରିୟାରେ କୋଇଲା ଉତ୍ପାଦନ କରାଯାଉଛି । ଭାରତରେ ସେହିଭଳି ଭୂତଳ କୋଇଲା ଉତ୍ପାଦନକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରୁଛନ୍ତି କି ନାହିଁ ସେ ନେଇ ପ୍ରଶ୍ନ କରିଥିଲେ ମାନସ ମଙ୍ଗରାଜ । ଏଥିସହ କେନ୍ଦ୍ର ସରକାର ଓପନ-କାଷ୍ଟ ମାଇନିଂ ଦ୍ବାରା ବାୟୁମଣ୍ଡଳ ଉପରେ ପଡୁଥିବା ପ୍ରଭାବର ଆକଳନ କରିଛନ୍ତି କି ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ । ଓପନ କାଷ୍ଟ ମାଇନିଂ ଦ୍ବାରା ବାୟୁମଣ୍ଡଳ, ଜଳ ଉତ୍ସଗୁଡିକ ପ୍ରଭାବିତ ହେବା ସହ ଶବ୍ଦ ପ୍ରଦୂଷଣ ମଧ୍ୟ ହେଉଛି । ଏହାକୁ ନିୟନ୍ତ୍ରିତ କରିବାକୁ କୋଇଲା କମ୍ପାନୀଗୁଡିକୁ କେନ୍ଦ୍ର ଜଙ୍ଗଲ ପରିବେଶ ନିୟମାବଳୀକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ କହିଛନ୍ତି ।

ରାଉରକେଲା ବନ ବିଭାଗର ଅଭିନବ ଉଦ୍ୟମ, ହାତୀଙ୍କୁ ଜଗୁଛି AI କ୍ୟାମେରା

ରାଉରକେଲା: ହାତୀଙ୍କ ସୁରକ୍ଷା ଦେଉଛି AI କ୍ଯାମେରା । ବନ ବିଭାଗ ପକ୍ଷରୁ ୪ଟି ସ୍ଥାନରେ କ୍ଯାମେରା ଲାଗିବା ପରେ ହାତୀଙ୍କ ଗତିବିଧି ଉପରେ ନଜର ରଖିବାରେ ହେଉଛି ସହାୟକ । ଫଳରେ ହାତୀ ମଣିଷ ଲଢେଇରେ ବ୍ରେକ ଲାଗିଥିବାବେଳେ ବଞ୍ଚି ଯାଉଛି ଧନଜୀବନ । ହାତୀ, ଟ୍ରେନ ଲାଇନ ପାର ହେବା ବେଳେ ରେଳବାଇକୁ ସୂଚନା ଦିଆଯାଉଥିବା କହିଛନ୍ତି ଡିଏଫଓ ।

ହାତୀଙ୍କଗତିବିଧି ଉପରେ ନଜର ରଖିବା ସହ ସୁରକ୍ଷା ଦେଉଛି AI କ୍ୟାମେରା । ଲାଇନ ପାରବେଳେ ମିଳୁଛି ସୂଚନା । ସତର୍କ ହେଉଛନ୍ତି ରେଳ କର୍ତ୍ତୃପକ୍ଷ । ହାତୀ ମଣିଷ ଲଢେଇ ରୋକିବା ସହ ଟ୍ରେନ ଦୁର୍ଘଟଣାରେ ହାତୀ ମୃତ୍ୟୁ ରୋକିବା ପାଇଁ ରାଉରକେଲା ବନ ବିଭାଗ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ଉଦ୍ଯମ । ରାଜ୍ୟରେ ପ୍ରଥମ କରି ୪ଟି ସ୍ଥାନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI କ୍ୟାମେରା ଲଗାଯାଇଛି । ବିଶେଷକରି ଅଧିକ ସଂଖ୍ୟକ ହାତୀ ଚଳାଚଳ କରୁଥିବା ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟାର ଡଲାକୁଦର, ଚାନ୍ଦୋପୋଷ, ମହିପାଣି ଓ ସୋନାଖାନ ନିକଟରେ ୧୨୦ ଫୁଟ ଉଚ୍ଚତାର ଟାୱାର ନିର୍ମାଣ କରାଯାଇ କ୍ୟାମେରା ଲଗାଯାଇଛି । ଏହାଦ୍ବାର ୫ କିଲୋମିଟର ଦୂର, ୩୬୦ ଡିଗ୍ରୀର ଦୃଶ୍ୟ ରେକର୍ଡ ହୋଇପାରୁଛି । ହାତୀପଲ ରେଲୱେ ଟ୍ରାକ ପାଖକୁ ଆସିଲେ ତୁରନ୍ତ ଟ୍ରେନ ଚଳାଚଳ ବନ୍ଦ କରାଯାଇ ପାରୁଛି ବୋଲି କହିଛନ୍ତି ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀ ।

ହାତୀପଲଙ୍କ ଉପରେ ନଜର ରଖିବାକୁ ଡିଏଫଓଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ହାତୀଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇ ଲୋକଙ୍କ ଧନଜୀବନ ସୁରକ୍ଷା କରିବାରେ ସହାୟକ ହେଉଛି । ଏହାଦ୍ବାରା ଖାଲି ହାତୀପଲ ନୁହେଁ, ଅନ୍ୟ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ମଧ୍ଯ ନଜର ରଖାଯାଉଥିବା କହିଛନ୍ତି ଡିଏଫଓ । ରାଉରକେଲା ବନଖଣ୍ଡରେ ସଫଳତା ପରେ ଆସନ୍ତା ଦିନରେ ରାଜ୍ୟର ଅନ୍ୟ ଡିଭିଜନରେ କ୍ୟାମେରା ଲଗାଇବାକୁ ଯୋଜନା କରିଛି ବନ ବିଭାଗ ।

ପିପୁଲ୍ସ ଫ୍ରେଣ୍ଡଲି ହୋଇପାରୁନି ଓଡ଼ିଶା ପୋଲିସ: ୧୫ରୁ ୮ ହଜାର ମାମଲା କେବଳ ପୋଲିସ ବିରୋଧରେ

ଭୁବନେଶ୍ବର: ପିପୁଲ୍ସ ଫ୍ରେଣ୍ଡଲି ହୋଇପାରୁନି ପୋଲିସ୍ । ରାଜ୍ୟ ମାନବାଧିକାର କମିଶନରେ ପଡିରହିଥିବା ୧୫ ହଜାର ମାମଲା ମଧ୍ୟରୁ ୮ ହଜାର ମାମଲା କେବଳ ପୋଲିସ ବିରୋଧରେ ବୋଲି ଜଣାପଡିଛି । ୨୦୨୦ ମସିହାରେ ରୁଜୁ ୨ ହଜାର ୯୧୦ଟି ମାମଲା ମଧ୍ୟରୁ ପୋଲିସ ବିରୋଧରେ ୭ ଶହରୁ ଊର୍ଦ୍ଧ୍ବ ମାମଲା ଥିବା ଜଣାପଡିଛି । ସେହିପରି ୨୦୨୧ ଓ ୨୦୨୨ ରେ ମଧ୍ୟ ପୋଲିସ ବିରୋଧରେ ଅଭିଯୋଗର ଫର୍ଦ୍ଦ ବଢିଛି । ଆସନ୍ତାକାଲି ମାନବାଧିକାର ଦିବସ ଥିବା ବେଳେ ଦେଖନ୍ତୁ ଏହି ରିପୋର୍ଟ ।

ଟୁଇନ ସିଟି ଭୁବନେଶ୍ବର ଓ କଟକରେ ୮ ବର୍ଷରେ ୯୯ ଅଭିଯୋଗ । ୭୪ ଇନ୍ସପେକ୍ଟରଙ୍କ ନାଁରେ ପିଟିସନ୍ । ମାନବାଧିକାର ଦିବସ ପୂର୍ବରୁ ବଢିଛି ଚିନ୍ତା । କିଛିଦିନ ତଳେ ଭରତପୁର ଥାନା ପାଇଁ ସାରା ଦେଶରେ ବଦନାମର ବୋଝ ମୁଣ୍ଡାଇଥିଲା କମିଶନରେଟ ପୋଲିସ । ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବିଳମ୍ବିତ ରାତିରେ ଫେରୁଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ରୋଡ଼ ରୋମିଓ । ଏ ନେଇ ସେ ଥାନାକୁ ଯାଇଥିବା ବେଳେ, ଅଭିଯୋଗ ମୁତାବକ ତାଙ୍କୁ ଥାନାଧିକାରୀ ଦେଇଥିଲେ ଯୌନ ନିର୍ଯାତନା । ପ୍ରବଳ ତୁମ୍ବିତୋଫାନ ପରେ ବର୍ତ୍ତମାନ କମିଶନ ଦ୍ୱାରା ଏହି ଘଟଣା ବିଚରାଧୀନ ରହିଛି । OHRCରେ ନ୍ୟାୟ ଅପେକ୍ଷାରେ ୧୫ ହଜାର ମାମଲା ଗଡୁଥିବା ବେଳେ ସେଥିମଧ୍ୟରୁ ୮ ହଜାର ମାମଲା କେବଳ ପୋଲିସ ବିରୋଧରେ । ୧୩ଟି ହାଜତ ମୃତ୍ୟୁ ଓ ଏନକାଉଣ୍ଟର ମାମଲାରେ ମୃତକଙ୍କ ପରିବାରକୁ ୨୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ଦିଆଯାଇଛି । ସେହିପରି ଅଭିଯୁକ୍ତଙ୍କୁ ଅମାନୁଷିକ ଭାବେ ଦଣ୍ଡ ଦେବା ଓ ପରିବାର ଲୋକଙ୍କୁ ମାନସିକ ଅତ୍ୟାଚାର କରିବା ଘଟଣାରେ ୧୭ ଶହ କେସ ବିଚାରାଧୀନ ରହିଛି ।

କମିଶନରେଟ ପୋଲିସରେ ମଧ୍ୟ ସମଦଶା ଦେଖିବାକୁ ମିଳିଛି । ବିଗତ ୮ ବର୍ଷ ମଧ୍ୟରେ ପୋଲିସ ବିପକ୍ଷରେ ଆସିଛି ୯୦ ଅଭିଯୋଗ । ତଦନ୍ତ ନହୋଇ ଏଯାଏଁ ପଡି ରହିଛି ୩୯ ମାମଲା । ସେହିପରି ଟୁଇନ ସିଟିର ୭୪ ଜଣ ଇନ୍ସପେକ୍ଟରଙ୍କ ବିରୋଧରେ ପିଟିସନ ପଡିଛି । ବାରମ୍ବାର ପୋଲିସ ଡିଜି ଲୋକଙ୍କ ସହ ସୁସମ୍ପର୍କ ରଖିବା ପାଇଁ ଥାନାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତଳିଆ କର୍ମଚାରୀଙ୍କ ବ୍ୟବହାର ଲୋକଙ୍କୁ ଅତିଷ୍ଠ କରୁଥିବା ଦେଖାଯାଇଛି । ଏଣୁ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ଓ ଅଭିଯୁକ୍ତଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ହେଲେ ପୋଲିସ ତାର କାର୍ଯ୍ୟଶୈଳୀ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା ଆବଶ୍ଯକ ବୋଲି କହିଛନ୍ତି ମାନବାଧିକାର କାର୍ମୀ ।

ରାଜ୍ୟରେ ଅସୁରକ୍ଷିତ ମହିଳା: ଗୁରୁତର ସହ ନେଲେ ଜାତୀୟ ମହିଳା କମିସନ, ନିଜ ଆଡୁ ଦାଏର କରିବେ ମାମଲା

ଭୁବନେଶ୍ବର: ରାଜ୍ୟରେ ପୂର୍ବର ବିଜେଡି ସରକାରର ଫୋକସରେ ଥିଲେ ମହିଳା । ହେଲେ ଏବେର ସରକାରରେ ସେମାନ ଦିଶାହୀନ । ଗୁରୁତ୍ବ ହରାଉଥିବାରୁ ଭାଙ୍ଗୁଛି ମାଆଙ୍କ ମନୋବଳ । ବର୍ତ୍ତମାନର ବିଜେପି ସରକାର ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀ । ଅନ୍ୟପଟେ ରାଜ୍ୟରେ ଦୈନିକ ଆସୁଛି ମାଳ ମାଳ ନିର୍ଯାତନା ଓ ଦୁଷ୍କର୍ମ ଅଭିଯୋଗ । ଯାହାକୁ ଗୁରୁତର ସହ ନେଇଛନ୍ତି ଜାତୀୟ ମହିଳା କମିସନ । ଶୋଷଣ ମାମଲାରେ ନିଜ ଆଡୁ ମାମଲା ଦାୟର କରିବେ ବୋଲି କହିଛନ୍ତି ଜାତୀୟ ମହିଳା କମିସନ ।

ରାଜ୍ଯରେ ଅସୁରକ୍ଷିତ ହୋଇପଡିଛନ୍ତି ମହିଳା । ଦୈନିକ ମହିଳା ନିର୍ଯାତନା ଓ ଦୁଷ୍କର୍ମ ଅଭିଯୋଗ । ମହିଳାଙ୍କ ବିରୋଧରେ ଆସୁଥିବା ଏମିତି ମାଳ ମାଳ ଅଭିଯୋଗକୁ ବେଶ ଗୁରୁତର ସହ ନେଇଛନ୍ତି ଜାତୀୟ ମହିଳା କମିସନ । ଏନେଇ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି କମିଶନ ସଦସ୍ଯା ଡକ୍ଟର ଅର୍ଚ୍ଚନା ମଜୁମଦାର । ଖାଲି ସେତିକି ନୁହେଁ, ଓଡ଼ିଶାରେ ମହିଳାଙ୍କ ବିରୋଧରେ ହେଉଥିବା ଶୋଷଣ ମାମଲାରେ କମିସନ ନିଜ ଆଡୁ ମାମଲା ଦାଏର କରି ଦୋଷୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବେ ବୋଲି କହିଛନ୍ତି ଜାତୀୟ ମହିଳା କମିସନ ।

ମାଆଙ୍କ ପାଇଁ କାମ କରୁଥିଲା ବିଜେଡି ସରକାର । ଏସଏଚଜିରୁ ଏସଏମଇ, ସଶକ୍ତ ହୋଇଥିଲେ ୭୦ ଲକ୍ଷ ମହିଳା । ହେଲେ ଏବେ ଭାଙ୍ଗୁଛି ମହିଳାଙ୍କ ମନୋବଳ । ବର୍ତ୍ତମାନର ବିଜେପି ସରକାର ବିରୋଧରେ ବିଷୋଦଗାର । ଏଭଳି ପୁଳା ପୁଳା ଅଭିଯୋଗ କରିଛନ୍ତି ସ୍ବୟଂ ସହାୟିକା କର୍ମକର୍ତ୍ତା ସସ୍ମିତା ମଙ୍ଗରାଜ । ପୂର୍ବରୁ ଏସଏଚଜିଙ୍କୁ ଯେଉଁଭଳି ସରକାରୀ ସ୍ବୀକୃତି ମିଳୁଥିଲା, ବିଜେପି ସରକାର ଆସିବା ପରେ ଆଉ ମିଳୁନି ସେଭଳି ସ୍ବୀକୃତି । ବର୍ତ୍ତମାନ ସେମାନେ ନିଜର ପୂରୁଣା ସଫଳତା କଥାକୁ ଝୁରି ହେଉଛନ୍ତି । ଭୁବନେଶ୍ବରରେ ଆୟୋଜିତ ଇଣ୍ଡିଆନ କାଉନସିଲ ଫର ଏଗ୍ରିକଲଚର ରିସର୍ଚ୍ଚ ବା ଆଇସିଏଆର ତାଲିମ ଶିବିରରେ ଜାତୀୟ ମହିଳା କମିଶନ ସଦସ୍ଯାଙ୍କ ଆଗରେ ଏହିଭଳି ଅନେକ ଅଭିଯୋଗ କରିଛନ୍ତି ଏସଏଚଜି କର୍ମକର୍ତ୍ତା ।

ମହିଳାମାନେ ରାଜ୍ଯରେ କିଭଳି ସାମାଜିକ, ରାଜନୈତିକ ଓ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିବେ, ସେଥିପାଇଁ ଯଥେଷ୍ଟ ପଦକ୍ଷେପ ନେଇଥିଲେ ପୂର୍ବର ନବୀନ ସରକାର । ହେଲେ ଏବେ ସେଭଳି କିଛି ଦେଖିବାକୁ ମିଳିନାହିଁ ।

ଓଡ଼ିଶାକୁ ଶ୍ରୀହୀନ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର: ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନ ବାଦ ଦେବା ନେଇ ତେଜୁଛି ପ୍ରତିବାଦ

ଭୁବନେଶ୍ବର: ଇଷ୍ଟକୋଷ୍ଟ ରେଲଓ୍ବେ ଜୋନରୁ ଓ୍ବାଲଟିୟର ଡିଭିଜନକୁ ବାଦ୍ ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ତେଜିବାରେ ଲାଗିଛି । ବିଜେଡି ଏହାର ତୀବ୍ର ନିନ୍ଦା କରିବା ପରେ କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଓଡ଼ିଶା ପ୍ରତି ପ୍ରତାରଣା ବୋଲି କହିଛି । ଆନ୍ଧ୍ରକୁ ରାଜନୈତିକ ବାଧ୍ୟବାଧକତାରେ ଖୁସି କରିବାକୁ ଓଡ଼ିଶାକୁ ଅଣଦେଖା କରିବା ପ୍ରସଙ୍ଗରେ ଓଡ଼ିଶା ଅସ୍ମିତା ପରିଷଦର ଆନ୍ଦୋଳନ ଚେତାବନୀ ପରେ ଶ୍ରମିକ ସଙ୍ଗଠନ ଆଇଏନଟିୟୁସି ଓଡ଼ିଶାକୁ ଶ୍ରୀହୀନ କରିବାକୁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଛି । ରାଜ୍ୟ ଭିତ୍ତିକ ରେଳଓ୍ବେ ଜୋନ୍ ଯଦି ଆନ୍ଧ୍ର ପାଇଁ ସମ୍ଭବ ହୋଇପାରୁଛି, ତା’ହାଲେ ଓଡ଼ିଶାର ସମଗ୍ର ଅଞ୍ଚଳକୁ ଗୋଟିଏ ଜୋନରେ ରଖିବାକୁ ଦାବି ଘନେଇଛି ।

ଇଷ୍ଟକୋଷ୍ଟ ରେଳବାଇ ଜରିଆରେ ଓଡ଼ିଶାକୁ ଖଣ୍ଡ ବିଖଣ୍ଡିତ କରିବାକୁ ଚାଲିଛି ଉଦ୍ୟମ । ପୂର୍ବତଟ ରେଳବାଇ ଜୋନରେ ଥିବା ସମ୍ବଲପୁର, ଖୋର୍ଦ୍ଧା ଓ ଓ୍ବାଲଟିୟର ଡିଭିଜନ୍ ମଧ୍ୟରୁ ଦକ୍ଷିଣ ତଟ ରେଳବାଇ ଜୋନରେ ଓ୍ବାଲଟିୟର ଡିଭିଜନର ମିଶ୍ରଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସାରା ଓଡ଼ିଶାରେ ଏହାର ତୀବ୍ର ପ୍ରତିବାଦ ଦେଖା ଦେଇଛି । ସୁନ୍ଦରଗଡ଼, ଝାରୁସୁଗୁଡ଼ା ଅଞ୍ଚଳ ଦକ୍ଷିଣ ପୂର୍ବ ଜୋନ୍ ଅଧୀନରେ ଥିବା ବେଳେ ବାଲେଶ୍ବର, ମୟୂରଭଞ୍ଜ ଅଞ୍ଚଳ ଦକ୍ଷିଣ ପୂର୍ବାଞ୍ଚଳ ଅଧୀନରେ ରହିଛି । ଯାହାର ମୁଖ୍ୟାଳୟ ଅନ୍ୟ ରାଜ୍ୟରେ । ଭୁବନେଶ୍ବରରେ ଥିବା ଇଷ୍ଟକୋଷ୍ଟ ରେଲଓ୍ବ ଜୋନରୁ ଓ୍ବାଲଟିୟରକୁ ବାଦ୍ ଦେଲେ ଏହାର ରାଜସ୍ବ ପ୍ରଭାବିତ ହେବା ସହ ନିଯୁକ୍ତି ବି କମିବ । ରାଜସ୍ବ ଅନୁସାରେ ଅନୁଦାନ ମିଳିଲେ ଓଡ଼ିଶା ହିଁ କ୍ଷତି ସହିବ । ଏଥିପାଇଁ ବିଧିବଦ୍ଧ ଷଡ଼ଯନ୍ତ୍ର କରାଯାଇଛି ବୋଲି ଆଇଏନଟିୟୁସି ରାଷ୍ଟ୍ରୀୟ ସମ୍ପାଦକ ମାନସ ଚୌଧୁରୀ ଅଭିଯୋଗ କରିଥିବା ବେଳେ ଏହାର ଉତ୍ତର ରେଳ ମନ୍ତ୍ରାଳୟ ରଖିବାକୁ ଦାବି କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଏପରି ମନୋମୁଖୀ ନିଷ୍ପତ୍ତି ବିରୋଧରେ ବିଜେଡି ସ୍ବର ଉଠାଇଥିବା ବେଳେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶା ପ୍ରତି ବାରମ୍ବାର ବୈମାତୃକ ମନୋଭାବ ଦେଖାଉଛି କେନ୍ଦ୍ର । ଯେତେବେଳେ ଓଡ଼ିଶାରୁ ୨୦ ସାଂସଦ ସହ ଖୋଦ ରେଳମନ୍ତ୍ରୀ ବି ଓଡ଼ିଶାରୁ ତା’ହାଲେ ଓଡ଼ିଶା ପ୍ରତି ଏଭଳି ଷଡ଼ଯନ୍ତ୍ର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀକାନ୍ତ । ସବୁ ରାଜନୈତିକ ଦଳ ଏକାଠି କେନ୍ଦ୍ର ସରକାର ବିରୋଧରେ ସ୍ବର ଉଠାଇବା ଦରକାର ବୋଲି ଶ୍ରୀକାନ୍ତ ଆହ୍ବାନ ଦେଇଛନ୍ତି । ୨୦୧୩ରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ବେଳେ ମନମୋହନ ସରକାର ଏଭଳି ପ୍ରତିଶ୍ରତି ଦେବା ସହ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ସେତେବେଳେ ଶ୍ରୀକାନ୍ତ ଜେନା କାହିଁକି ଚୁପ୍ ଥିଲେ ବୋଲି ଓଡ଼ିଶା ଅସ୍ମିତା ପରିଷଦର ଆବାହକ ରବୀନ୍ଦ୍ର ନାଥ ବେହେରା ପ୍ରଶ୍ନ କରିବା ସହ କେନ୍ଦ୍ରର ଏଭଳି ଏକପାଖିଆ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ରାଜନୈତିକ ବାଧ୍ୟବାଧକତା ଯୋଗୁଁ ଆନ୍ଧ୍ରକୁ ରାଜ୍ୟ ଭିତ୍ତିକ ଜୋନର ପ୍ରତିଶ୍ରୁତି ପୂରଣ କରିବାକୁ ଓ୍ବାଲଟିୟରକୁ ବିଶାଖାପାଟଣାକୁ ନେଇଯାଇଥିବା ବେଳେ ଓଡ଼ିଶାର ସୁନ୍ଦରଗଡ଼, ଝାରୁସୁଗୁଡ଼ା, ବାଲେଶ୍ବର, ମୟୂରଭଞ୍ଜ ଯାହା ଅନ୍ୟ ଜୋନରେ ଅଛି, ସେସବୁକୁ ଇଷ୍ଟକୋଷ୍ଟ ଜୋନ୍ ଅଧୀନକୁ ଅଣାଯିବାକୁ ଦାବି ଜୋରଦାର ହେଉଛି ।

ଉପରାଷ୍ଟ୍ରପତିଙ୍କୁ ଭେଟି ଓଡ଼ିଶା ସ୍ବାର୍ଥ ପ୍ରସଙ୍ଗରେ ଆଲୋଚନା କଲେ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କୁ ସାକ୍ଷାତ କଲେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ରାଜ୍ୟସଭାରେ ଆସୁଥିବା ଓଡ଼ିଶାର ସ୍ଵାର୍ଥ ପ୍ରସଙ୍ଗରେ ଆଲୋଚନା କରିଥିଲେ । କିପରି ଓଡ଼ିଶା ଲାଭବାନ ହେବ ସେ ନେଇ ସବିଶେଷ ଆଲୋଚନା କରିଥିଲେ ।

ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କ ସହ ଏହା ଏକ ଔପଚାରିକ ସାକ୍ଷାତ ଥିଲା ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ । ଉପରାଷ୍ଟ୍ରପତିଙ୍କ ମତାମତ ଦୃଷ୍ଟିକୋଣ ସବୁବେଳେ ତାଙ୍କୁ ପ୍ରେରଣା ଦେଇଆସିଛି ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କୁ ମାନସ ମଙ୍ଗରାଜଙ୍କ ସହ ବିଜେଡିର ଅନ୍ୟ ରାଜ୍ୟସଭା ସାଂସଦ ସୁଲତା ଦେଓ, ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ ଏବଂ ନିରଂଜନ ବିଶି ସାକ୍ଷାତ କରିଥିଲେ ।

୯ ମାସ ହେଲା ମିଳିନି ଦରମା, ଭୁବନେଶ୍ଵରରେ ଗର୍ଜିଲେ ମିଶନଶକ୍ତି ମାଆ

ଭୁବନେଶ୍ବର: ରାଜରାସ୍ତାରେ ସରକାରଙ୍କ ବିରୋଧରେ ଗର୍ଜନ କଲେ ହଜାର ହଜାର ଜିପିଏଲଏଫ କର୍ମୀ । ସରକାର ବଦଳିବା ପରେ ମିଶନ ଶକ୍ତି ପ୍ରତି ବଦଳିଯାଇଛି ସରକାରଙ୍କ ଆଭିମୁଖ୍ୟ । ମାସ ମାସ ଧରି ଦରମା ପାଇନାହାଁନ୍ତି । ଦରମା ସହ ଅନ୍ୟାନ୍ୟ ୯ଟି ଦାବିକୁ ନେଇ ଭୁବନେଶ୍ବରେ ସରକାରଙ୍କୁ ନିଜ ଶକ୍ତି ଦେଖାଇବା ସହ ଚେତାବନୀ ମଧ୍ୟ ଦେଇଛନ୍ତି । ବିଜୁ ଶ୍ରମିକ ସାମୁଖ୍ୟ ସହ ଅନୁବନ୍ଧିତ ଜିପିଏଲଫ ମିଶନଶକ୍ତି କର୍ମୀ ସଂଘ ଆଜି ବିଧାନସଭା ଘେରାଉ କରିଛି । ଏମବିକେ, ବ୍ୟାଙ୍କ୍ ମିତ୍ର, ଏଲଏସପି, ସିଆରପି, କୃଷି ମିତ୍ର ଓ ପ୍ରାଣୀ ମିତ୍ରଙ୍କୁ କୌଣସି କାରଣ ନଥାଇ ନୂଆ ସରକାର ଆସିବା ଦିନରୁ ଦରମା ମିଳିନି ।

ଗାନ୍ଧୀମାର୍ଗରେ ମାଆଙ୍କ ରଣ ହୁଙ୍କାର, ବିଧାନସଭାରେ ବିଧାୟକଙ୍କ ଗର୍ଜନ । ମିଶନଶକ୍ତି ଭାଙ୍ଗିବାକୁ ସରକାରୀ ଦଳ ଚକ୍ରାନ୍ତ କରୁଥିବା ଗନ୍ଧ ବାରିଲା ବିଜେଡି । ସୁଭଦ୍ରା ନାଁରେ ସ୍ବାବଲମ୍ବୀ ନାରା ଦେଇ ମିଶନଶକ୍ତି ମାଆଙ୍କୁ ଦେଉ ନାହାନ୍ତି ଦରମା । ମାଷ୍ଟର କ୍ଯାଣ୍ଟିନ ଛକରୁ ମୁଖ୍ଯମନ୍ତ୍ରୀ ବାସଭବନ ପର୍ଯ୍ଯନ୍ତ ମହିଳାଙ୍କ ବିଶାଳ ସମାବେଶ । ସମାବେଶରେ ନବୀନ ବାବୁଙ୍କୁ ମନେ ପକାଇ କାନ୍ଦିଲେ ମାଆ ।

୯ ମାସ ହେଲା ଦରମା ଦେଇ ନାହାନ୍ତି ନୂଆ ସରକାର । ଡବଲ ଇଞ୍ଜିନ ସରକାରର ଡବଲ ଧୋକା । ଦରମା ନଦେଇ ଦର ବୃଦ୍ଧି କରି ଚାଲିଛନ୍ତି । ୧୦ ଦଫା ଦାବି ନେଇ ରାଜରାସ୍ତାରେ ହଜାର ହଜାର ମିଶନଶକ୍ତି ମାଆ । ରାଜ୍ଯ ସରକାର ଓ ମିଶନଶକ୍ତି ବିଭାଗର ଅବିଚାର ବିରୋଧରେ ଗର୍ଜିଥିଲେ । ଜଣେ ମହିଳା ଉପ ମୁଖ୍ଯମନ୍ତ୍ରୀ ହୋଇ ମହିଳାମାନଙ୍କ ଦୁଃଖ ଶୁଣୁନାହନ୍ତି । ଓଡିଶା ପ୍ରଗତି ପଥରେ ଏମବିକେ, ବ୍ୟାଙ୍କ୍ ମିତ୍ର, ଏଲଏସପି, ସିଆରପି, କୃଷି ମିତ୍ର ଓ ପ୍ରାଣୀ ମିତ୍ରଙ୍କ ବଡ ଦାୟିତ୍ବ । ଦରମା ପାଇଁ ଧାରଣାକୁ ଛୋଟ ପିଲାକୁ ଧରି ଧାଇଁ ଆସିଛନ୍ତି । ପୂର୍ବ ନିଷ୍ପତ୍ତି ମୁତାବକ ଶତ ପ୍ରତିଶତ ବ୍ୟୟ ବରାଦ ରାଜ୍ୟ ସରକାର ବହନ କରି ମିଶନ ଶକ୍ତିରେ କାର୍ଯ୍ୟରତ ୬ଟି କ୍ୟାଡରର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ଆଗକୁ ବଢିବା ପାଇଁ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଜିପିଏଲଏଫ୍ କମ୍ୟୁନିଟି କ୍ୟାଡରଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ୫ ବର୍ଷିଆ ପଲିସିରେ ଥିବା ୭୫ ଓ ୫୦ ପ୍ରତିଶତକୁ ଉଚ୍ଛେଦ କରି ଶତପ୍ରତିଶତ ପାରିଶ୍ରମିକ ପ୍ରଦାନ, କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ବକେୟା ପାରିଶ୍ରମିକ ପ୍ରଦାନ ଦାବି କରିଛନ୍ତି ।

ମିଶନଶକ୍ତି ମାଆମାନଙ୍କ ଆନ୍ଦୋଳନକୁ ନେଇ ବିଧାନସଭା ବାହାରେ ଓ ଭିତରେ ବି ତାତି ଦେଖିବାକୁ ମିଳିଥିଲା । ଗୃହରେ ବିଜେଡି ତୁମ୍ବିତୋଫାନ କରିଥିଲା । ଧାରଣାସ୍ଥଳରେ ପହଁଚି ମାଆମାନଙ୍କୁ ଭେଟି ନୈତିକ ସମର୍ଥନ ଦେଇଛି ବିଜେଡି । ଲୋକଙ୍କ ସରକାର ଲୋକଙ୍କ ପାଖକୁ ଯିବା କଥା, ସରକାରଙ୍କ ପାଖକୁ ଲୋକେ ଆସୁଛନ୍ତି । ଏ କି ସରକାର ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ମହିଳାଙ୍କୁ ରୋଜଗାର ଓ ସ୍ବାବଲମ୍ବୀ କରିବା କଥା କହି ସରକାରକୁ ଆସିଲେ, ଆଉ ଏବେ ସେମାନଙ୍କ ସ୍ବପ୍ନଙ୍କୁ ଭାଙ୍ଗି ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ନବୀନ ସରକାରରେ ମିଶନଶକ୍ତି ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇଥିବା ବେଳେ ବିଜେପି ସରକାର ଏମାନଙ୍କୁ ହତାଦର କରିବା ଯୋଗୁଁ ଗାଁ ଗଣ୍ଡାରେ ମାଆମାନେ ସରକାରଙ୍କ ବିରୋଧରେ ତେଜିଲେଣି ।

ମଣ୍ଡି ସମସ୍ୟାକୁ ନେଇ ବିଜେଡିର ଉଦବେଗ, ମୁଲତବି ଆଲୋଚନା ବେଳେ ବର୍ଷିଲା ଦଳ

ଭୁବନେଶ୍ବର: ଏଫସିଆଇ ଚୁକ୍ତି ଅନୁସାରେ ଧାନ କିଣାଯାଉନି । ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ଏଥର ବମ୍ପର କ୍ରପ ଆସିବ l ତେଣୁ ରାଜ୍ୟ ସରକାର ଚାଷୀଙ୍କ ସବୁ ଧାନ କିଣନ୍ତୁ । ସାରା ରାଜ୍ଯରେ ଧାନ ମଣ୍ଡି ସମସ୍ଯା ଦେଖାଦେଇଛି । ଆଜି ବିଧାନସଭାରେ ଏ ନେଇ ଏକ ମୁଲତବି ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଗୃହରେ ଉଦବେଗ ପ୍ରକାଶ କରିଛି ବିଜେଡି ।

ବରିଷ୍ଠ ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି, ଗୋଚର ଓ ପଟ୍ଟା ଥିବା ଜମିର ଧାନ ସରକାର କିଣନ୍ତୁ । ସେହିପରି ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି । ଘରେ ନପଶୁଣୁ ମୁଣ୍ଡରେ ସରକାରଙ୍କ ଚାଳ ବାଜିଲାଣି । ଚାଷୀଙ୍କୁ ଉପହାସ କରନ୍ତୁନି ସରକାର । ସମସ୍ତେ ଜାଣନ୍ତି ବିଜେପି ଭାରତୀୟ ଜୁମୁଲା ପାର୍ଟି । କେତେ ଧାନ ମଣ୍ଡିକୁ ଆସୁଛି, କେତେ ସରକାର କିଣିଛନ୍ତି ତା’ର ଉତ୍ତର ରଖିବାକୁ ଦାବି କରିଛନ୍ତି ରଣେନ୍ଦ୍ର । ମିଲରଙ୍କ ପକେଟରେ ଏବେ ସରକାର ଅଛନ୍ତି । ଚାଷୀଙ୍କୁ ସଚେତନ କରିବା ପରିବର୍ତ୍ତେ ସରକାର ଭୟଭୀତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରଣେନ୍ଦ୍ର ।