ପୁରୀ: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ । ବେହେରଣ ଦ୍ୱାର ନିକଟରେ ରକ୍ତ ଛିଟା ପଡ଼ିଥିବା ଦେଖିବା ପରେ ବଡ଼ ମହାସ୍ନାନ କରାଯାଇଛି । ଅବକାଶ ପୂଜା ପରେ ମଇଲମ, ରୋଷହୋମ ହୋଇ ମହାପ୍ରଭୁଙ୍କ ବେଶ ହେବା ସମୟରେ ସେବାୟତ ଦେଖିବାକୁ ପାଇଥିଲେ ରକ୍ତ ଛିଟା । କେଉଁ କାରଣ ଯୋଗୁଁ ରକ୍ତ ଛିଟା ପଡ଼ିଥିଲା ସେନେଇ ସେବାୟତଙ୍କ ଦୃଷ୍ଟି ଆକର୍ଷଣ ହେବାରୁ ଦର୍ଶନ ବନ୍ଦ କରାଯାଇ ମହାସ୍ନାନ ଜାରି ରହିଛି । ମହାସ୍ନାନ ପରେ ଚୂନ ପାଣି ପଡି ଗୋପାଳ ବଲ୍ଲଭ ନୀତି ଅନୁଷ୍ଠିତ ହେବ l
ଆଜି ଆମେରିକାରୁ ଭାରତ ଫେରିବେ ଆଉ ୧୧୯ ଭାରତୀୟ
ନୂଆଦିଲ୍ଲୀ: ଦ୍ବିତୀୟ ପର୍ଯ୍ୟାୟରେ ଆଜି ଆମେରିକାରୁ ଭାରତ ଫେରିବେ ଆଉ ୧୧୯ ଭାରତୀୟ । ପଞ୍ଜାବ ଅମୃତସରରେ ପହଞ୍ଚିବ ଆମେରିକୀୟ ବିମାନ ସି-17 ଗ୍ଲୋବମାଷ୍ଟର । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଭାରତ ଆସିଥିଲେ ୧୦୪ ଭାରତୀୟ । ଆମେରିକାରେ ବେଆଇନ ଭାବେ ବାସ କରିଥିବା ଲୋକଙ୍କୁ ନିଜ ନିଜ ଦେଶକୁ ଫେରାଇଦିଆଯିବା ପ୍ରକ୍ରିୟା ଜାରି ରହିଥିବାବେଳେ ଭାରତକୁ ବହୁ ସଂଖ୍ୟକ ନାଗରିକ ଫେରିବା ସମ୍ଭାବନା ରହିଛି । ଫେରିବାକୁ ଥିବା ଲୋକଙ୍କ ମଧ୍ୟରେ ସର୍ବାଧିକ ୬୭ ଜଣ ଅଛନ୍ତି ପଞ୍ଜାବର । ହରିୟାଣାର ୩୩, ଗୁଜରାଟର ୮ ଜଣ, ଉତ୍ତରପ୍ରଦେଶର ୩ଜଣ, ରାଜସ୍ଥାନର ୨ ଜଣ, ମହାରାଷ୍ଟ୍ରର ୨ ଜଣ, ହିମାଚଳ ପ୍ରଦେଶ ଓ ଜାମ୍ମୁ ଓ କାଶ୍ମୀରର ୨ ଜଣ ଭାରତ ଫେରିେବ । ଦୟନୀୟ ଅବସ୍ଥାରେ ଭାରତୀୟମାନଙ୍କୁ ପଠାଇ ଦିଆଯାଉଥିବା ଘଟଣାକୁ ନେଇ ଦେଶରେ ବିବାଦ ଲାଗିରହିଛି । ଏହି ବିଷୟ ସଂସଦରେ ବି ଉଠିଛି । ପର୍ଯ୍ୟାୟକ୍ରମେ ଆମେରିକାରେ ବାସ କରୁଥିବା ବେଆଇନ ଭାରତୀୟଙ୍କୁ ଫେରାଇ ଅଣାଯିବ ବୋଲି ସୂଚନା ମିଳିଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ନିଯୁକ୍ତି ହେବେ ପର୍ଯ୍ୟବେକ୍ଷକ: ହାଇକମାଣ୍ଡଙ୍କ ନିକଟକୁ ପଠାଯିବ ନାମ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ଶାନଦାର ବିଜୟ ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ସସପେନ୍ସ ଜାରି ରହିଛି । ମୁଖ୍ୟମନ୍ତ୍ରୀ କାହାକୁ କରାଯିବ, କେଉଁ ଫର୍ମୂଲା ଆପ୍ଲାଏ ହେବ ତାହାକୁ ତଜର୍ମା କରୁଛନ୍ତି ହାଇକମାଣ୍ଡ । ଦୀର୍ଘବର୍ଷ ପରେ ଦିଲ୍ଲୀରେ ପଦ୍ମ ଫୁଟିଥିବାରୁ ଏଥର ବିଜେପି ସରପ୍ରାଇଜ୍ ଦେଇପାରେ ବୋଲି କୁହାଯାଉଛି । ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ସମୟରେ ବିଜେପି ସର୍ବଦା ସଭିଙ୍କୁ ଚକିତ କଲା ଭଳି ପଦେକ୍ଷପ ଗ୍ରହଣ କରିଥାଏ । ତେଣୁ ଏଥର ରାଷ୍ଟ୍ରୀୟ ରାଜଧାନୀରେ ଅନୁରୂପ କିଛି ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ବିଶାରଦମାନେ ଅନୁମାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ରେସରେ ଏକାଧିକ ଚେହେରା ରହିଥିଲେ ହେଁ ଦଳ କେଉଁ ଗୋଟି ଚାଳନା କରୁଛି, ତା’ ଉପରେ ସଭିଙ୍କ ନଜର ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନାମକୁ ନେଇ ବିଜେପି ଅନ୍ତିମ ରୂପ ଦେବାକୁ ଯାଉଛି । ଏଥିପାଇଁ ନବନିର୍ବାଚିତ ବିଧାୟକଙ୍କ ସହିତ ଆଲୋଚନା ପାଇଁ ଦଳ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରିବ । ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ପ୍ରତିନିଧିତ୍ବ କରିବେ ପର୍ଯ୍ୟବେକ୍ଷକ । ଦଳର ୪୮ ଜଣ ବିଧାୟକ ଓ ହାଇକମାଣ୍ଡଙ୍କ ମଧ୍ୟରେ ମଧ୍ୟସ୍ଥତା କରିବେ ପର୍ଯ୍ୟବେକ୍ଷକ । ବିଧାୟକଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ନାମ ହାଇକମାଣ୍ଡଙ୍କ ନିକଟକୁ ପଠାଇବେ ପର୍ଯ୍ୟବେକ୍ଷକ ବୋଲି କହିଛନ୍ତି ଦିଲ୍ଲୀ ଭାଜପା ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା । ଖୁବଶୀଘ୍ର ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଜାରି ରହିଥିବା ସସପେନ୍ସ ଉପରୁ ହଟିବ ପରଦା । ସୂଚନାଯୋଗ୍ୟ ଯେ, ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ କ୍ଷମତାକୁ ଫେରିଛି । ବିଧାନସଭାର ମୋଟ ୭୦ଟି ଆସନ ମଧ୍ୟରୁ ବିଜେପି ୪୮ଟି ଆସନରେ ଜିତିଥିବା ବେଳେ ଆମ ଆଦମୀ ପାର୍ଟି (ଆପ)କୁ ୨୨ଟି ମିଳିଥିଲା । ଏଥର ଦିଲ୍ଲୀରେ ଆପର ଗଡ଼ ଚୁରମାର ହୋଇଯାଇଥିବା ବେଳେ କଂଗ୍ରେସ ଖାତା ଖୋଲିପାରିନଥିଲା ।
କୋଟାରେ ବିଷାକ୍ତ ଗ୍ୟାସ ଲିକ୍, ୧୬ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ
କୋଟା: କୋଟାରୁ ଆସିଲା ପୁଣି ଅଭାବନୀୟ ଘଟଣା । ଏଥର ଛାତ୍ର ଆତ୍ମହତ୍ୟା ନୁହେଁ । ବିଷାକ୍ତ ଗ୍ୟାସ ଲିକ୍ ହୋଇଛି । ଫଳରେ ୧୬ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଜେଇଇ ପ୍ରସ୍ତୁତିର ହବ୍ କୋଟାର ସିମଲିଆ ଅଞ୍ଚଳର ଏକ କେମିକାଲ ପ୍ଲାଣ୍ଟରୁ ଏହି ଗ୍ୟାସ୍ ନିର୍ଗତ ହୋଇଥିଲା । ଚମ୍ବଲ ଫର୍ଟିଲାଇଜର୍ସ ଆଣ୍ଡ କେମିକାଲ ଲିମିଟେଡ୍ ପ୍ଲାଣ୍ଟରୁ ନିର୍ଗତ ହୋଇଥିଲା ଆମେନିଆ ଗ୍ୟାସ୍ । ଏହାର ପାଖରେ ଏକ ସ୍କୁଲ ଥିଲା । ତେଣୁ ଅନେକ ପିଲା ଅସୁସ୍ଥ ହୋଇ ପଡ଼ିଥିଲେ ।
ଏପରିକି ସ୍କୁଲର ଦୁଇ ଜଣ କର୍ମଚାରୀ ଓ ପାଖ ଅଞ୍ଚଳର ଜଣେ ବ୍ୟକ୍ତି ମଧ୍ୟ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେତେକଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କୋଟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ଗାଁ ଲୋକେ କହିଛନ୍ତି, ଦିନ ପ୍ରାୟ ୧୧ଟାରେ ଗ୍ୟାସ୍ ଲିକ୍ ହୋଇଥିଲା । ପରେ ପରେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିଲେ ପିଲାମାନେ । କେତେକ ଛାତ୍ରଛାତ୍ରୀ ଅଚେତ ହୋଇ ପଡ଼ିଥିଲେ । ସେହି ଫ୍ୟାକଟ୍ରିରେ ୟୁରିଆ ସାର ପ୍ରସ୍ତୁତ ହୁଏ । ସ୍କୁଲକୁ ଯାଇ ଜିଲ୍ଲାପାଳ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।
ମଣିପୁରରେ ରାଷ୍ଟ୍ରପତି ଶାସନକୁ ବିରୋଧ, ବଡ଼ ଧରଣର ବିକ୍ଷୋଭ
ଇମ୍ଫାଲ: ମଣିପୁରରୁ ରାଷ୍ଟ୍ରପତି ଶାସନକୁ ବିରୋଧ । ରାଷ୍ଟ୍ରପତି ଶାସନ ହଟାଇବା ଦାବିରେ ବଡ଼ ଧରଣର ଆନ୍ଦୋଳନ । ହଜାର ହଜାର ମଣିପୁରବାସୀ କରିଛନ୍ତି ବିକ୍ଷୋଭ । ମଣିପୁରର ଇମ୍ଫାଲ ପୂର୍ବ ଜିଲ୍ଲା ଅନ୍ତର୍ଗତ ନୋଙ୍ଗପୋକ ସେଞ୍ଜବାନ ଅଞ୍ଚଳରେ ବିକ୍ଷୋଭ କରାଯାଇଛି ।
ମୁଖ୍ଯମନ୍ତ୍ରୀ ପଦରେ ଏନ. ବୀରେନ ସିଂଙ୍କୁ ପୁଣି ଅବସ୍ଥାପିତ କରିବାକୁ ସେମାନେ ଦାବି କରିଛନ୍ତି । ଗତ ୯ ତାରିଖରେ ବିଧାନସଭା ଅଧିବେଶନ ପୂର୍ବରୁ ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବୀରେନ । ଗତ ୧୩ ତାରିଖରେ ରାଜ୍ଯରେ ଜାରି ହୋଇଥିଲା ରାଷ୍ଟ୍ରପତି ଶାସନ । ବୀରେନଙ୍କ ଇସ୍ତଫା ପରେ ସାରା ମଣିପୁରରେ ଅସନ୍ତୋଷ ତୀବ୍ର ହୋଇଥିଲା । ବୀରେନଙ୍କ ଇସ୍ତଫା ଓ ରାଷ୍ଟ୍ରପତି ଶାସନ ଜାରି ପରେ ସାରା ରାଜ୍ଯରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ମଣିପୁର ହିଂସାରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ୬୦ ହଜାରରୁ ଅଧିକ ଲୋକ ବାସଚ୍ୟୁତ ହେଲେଣି ।
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ନୂଆ ସଭାପତି
କଟକ: ଓସିଏର ନୂଆ ସଭାପତି ଭାବେ ନିର୍ବାଚିତ ହେଲେ ପଙ୍କଜ ଲୋଚନ ମହାନ୍ତି । ଖାଲି ପଡ଼ିଥିବା ସଭାପତି ପଦ ପାଇଁ ସେ ଏକାକୀ ନାମାଙ୍କନ ଦାଖଲ କରିଥିଲେ । ତାହା ଭ୍ୟାଲିଡ୍ ବି ରହିଥିଲା । ଆଉ କେହି ନାମାଙ୍କନ ଦାଖଲ କରି ନଥିବାରୁ ପଙ୍କଜ ଓସିଏର ସଭାପତି ହେବା ନିଶ୍ଚିତ ।
କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି । ଆଗରୁ ସେ ଓସିଏର ଉପସଭାପତି ଥିଲେ । ଏହି ପଦରୁ ଇସ୍ତଫା ଦେଇ ସେ ନୂଆ ପଦ ଗ୍ରହଣ କରିବେ । ଆସନ୍ତା ଫେବୃଆରୀ ୨୩ ରେ ତାଙ୍କୁ ଏ ସଂପର୍କିତ ସାର୍ଟିଫିକେଟ ଦିଆଯିବ ।

