ନନ୍ଦିଘାେଷ ବ୍ୟୁରୋ: ପଶ୍ଚିମବଙ୍ଗ ଉତ୍ତର ୨୪ ପରଗଣା ଜିଳ୍ଲା ସ୍ଥିତ ଇକୋ ପାର୍କ ନିକଟରେ ଥିବା ଏକ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ପ୍ରାୟ ୨୦୦ ଘର ପୋଡି ପାଉଁଶ ହୋଇଯାଇଛି । ଗତକାଲି ରାତିରେ ବସ୍ତିରେ ହଠାତ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ପ୍ରାୟ ୨୦୦ ଘରକୁ ନିଆଁ ମାଡିଯାଇଥିଲା । ଲୋକମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପ୍ରଥମେ ୯ଟି ପରେ ୭ଟି ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଗ୍ୟାସ ସିଲିଣ୍ଡରରୁ ନିଆଁ ବ୍ୟାପିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ମନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଗ୍ନି ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହା ସହ କ୍ଷୟକ୍ଷତିର ଆକଳନକରି ଲୋକମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ।
ୟୁରୋପୀୟ ରାଷ୍ଟ୍ରସଙ୍ଘକୁ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଚେତାବନୀ
ନନ୍ଦିଘୋଷ ବ୍ୟୁରୋ: ୟୁରୋପୀୟ ରାଷ୍ଟ୍ରସଙ୍ଘକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚେତାବନୀ। ଆମେରିକା ପକ୍ଷରୁ ଚାଲିଥିବା ଶାନ୍ତି ପ୍ରକ୍ରିୟାକୁ ସମର୍ଥନ ନକଲେ ୟୁକ୍ରେନର ଆହୁରି ଅଧିକ ଅଞ୍ଚଳକୁ ରୁଷ ଅକ୍ତିଆର କରିବ ବୋଲି ଧମକ ଦେଇଛନ୍ତି ପୁଟିନ। ଆମେରିକା ପକ୍ଷରୁ ଜାରି ରହିଥିବା ଶାନ୍ତି ପ୍ରକ୍ରିୟାକୁ କିବ ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ନ ମାନିଲେ ଏହି ପଦକ୍ଷେପ ନିଆଯିବାକୁ ଧମକେ ଦେଇଛନ୍ତି ପୁଟିନ। ୟୁରୋପୀୟ ରାଷ୍ଟ୍ରସମୂହରେ ବୁଲଗେରିଆ, ଫ୍ରାନ୍ସ, ହଙ୍ଗେରୀ, ପୋଲାଣ୍ଡ, ସ୍ପେନ ବେଲଜିୟମ ସମେତ ୩୧ ରାଷ୍ଟ୍ର ସଦସ୍ୟ ଅଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟର ବାର୍ଷିକ ବୈଠକରେ ପୁଟିନ କହିଛନ୍ତି- ଐତିହାସିକ ଭାବେ ନିରୂପିତ ଥିବା ନିଜର ଭୂଖଣ୍ଡର ମୁକ୍ତି ଲାଗି ରୁଷ ପ୍ରସ୍ତୁତ ରହିଛି ଏବଂ କୂଟନୀତି ବା ସାମରିକ ବଳ ଜରିଆରେ ଏହି ଭୂଖଣ୍ଡକୁ ଅଧିକାର କରିବା ଲାଗି ରୁଷ ପଛଘୁଞ୍ଚା ଦେବ ନାହିଁ। ଯୁଦ୍ଧର ଅବସାନ ଲାଗି ରୁଷ, ୟୁକ୍ରେନ ଓ ୟୁରୋପୀୟ ରାଷ୍ଟ୍ରସଂଘ ନେତାଙ୍କ ସହ ଆମେରିକା ଭିନ୍ନ ଭିନ୍ନ ସମୟରେ ଆଲୋଚନା କରିଥିବାବେଳେ ଶାନ୍ତି ଫେରିପାରିନାହିଁ। କ୍ରିମିଆକୁ ରୁଷ ୨୦୧୪ରେ ସମ୍ପୂର୍ଣ୍ଣ ଅକ୍ତିଆର କରିଥିବାବେଳେ ଦୋନବାସ, ଖେରସନ, ଜାପୋରଜିଆର ବହୁ ଅଞ୍ଚଳରେ ରୁଷ ଆଧିପତ୍ୟ ବିସ୍ତାର କରିଛି।
ଫିଲ୍ମ ଷ୍ଟାଇଲରେ ମାଫିଆଙ୍କ ସହ ଏକ୍ସାଇଜ୍ ଟିମର ଫାଇଟ୍
ଫିଲ୍ମ ଷ୍ଟାଇଲରେ ମାଫିଆଙ୍କ ସହ ଏକ୍ସାଇଜ୍ ଟିମର ଫାଇଟ୍ । କାଚ ଭାଙ୍ଗିବା ପରେ ମିଳିଲା କନ୍ଧମାଳର ଗଞ୍ଜେଇ । ଛାତ୍ରଙ୍କୁ ଢାଲ କରି ଚାଲିଥିଲା ନିଶା ସିଣ୍ଡିକେଟ । ଜଙ୍ଗଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ଅବକାରୀ ବିଭାଗ । ଭୁବନେଶ୍ୱରରେ ବଢୁଛି ଗଞ୍ଜେଇର କ୍ରେଜ । ମୋହରା ପାଲଟୁଛନ୍ତି କଲେଜ ପଢୁଆ ଛାତ୍ର । ନିଶା କାରବାରରେ ବ୍ୟବହାର ହେଉଛି ଦାମୀ ଗାଡ଼ି। ଭଲ କରି ନଜର ପକାନ୍ତୁ ଏହି ହୋଣ୍ଡା ସିଟି ଓ ହ୍ୟୁଣ୍ଡାଇ କ୍ରେଟା ଗାଡି ଉପରେ । ଅରଖ ନୂଆ ଦିଶୁଥିବା ଏହି ଗାଡ଼ିରେ ରାତିରେ କନ୍ଧମାଳରୁ ବାଲିଅନ୍ତା ହୀରାପୁରରୁ ଆସୁଥିଲା ନୀଳ ଜହର । ବିଶ୍ୱସ୍ତ ସୁତରୁ ଖବର ପାଇ ଗୋଡ଼ାଇଥିଲା ଅବକାରୀ ଟିମ । ଦୀର୍ଘ ସମୟର ଚକାପଞ୍ଝା ପରେ ମଧ୍ୟ ଗାଡି ନଅଟକିବାରୁ ବାଧ୍ୟ ହୋଇ କାଚ ଭାଙ୍ଗିଥିଲା ଟିମ । ୪ ଜଣଙ୍କୁ କାବୁ କରାଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ପରେ ଜଣାପଡିଥିଲା । ଆଗକୁ ନୂଆବର୍ଷ ଥିବାରୁ ମାଫିଆଙ୍କ ଟାର୍ଗେଟରେ ଭୁବନେଶ୍ୱର ଥିବା କହିଛନ୍ତି ଅବକାରୀ ସୁପରିନଟେଣ୍ଡେଣ୍ଟ ।
କେବଳ ଏହି ଘଟଣା ନୁହେଁ ଦିନକ ତଳେ ଖୋର୍ଦ୍ଧା ପିତାପଲି ଠାରେ ଏକ ମାରୁତି ଗାଡିରେ ପନିପରିବା ଆସୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ପରିବା ତଳେ ଭର୍ତ୍ତି ହୋଇଥିଲା ଗଞ୍ଜେଇ । ବାହାରକୁ ଗନ୍ଧ ନଯିବା ପାଇଁ ଗଞ୍ଜେଇ ଉପରେ କିଛି ଶୁଖୁଆ ରଖାଯାଇଥିଲା। ସେହି କେସରେ ଅବକାରୀ ବିଭାଗ ଦୁଇଟି ଗାଡି ସମେତ ଦୁଇ ହଜାର ଲିଟର ଦେଶୀ ମଦ ଜବତ କରିଥିଲା । ୪ କରିତକର୍ମା ଙ୍କୁ ଗିରଫ କରାଯାଇଥିଲା । ନିତିଦିନ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ନିଶା ବେପାରୀଙ୍କ ସମ୍ପର୍କରେ ଜଣାଇଲେ ତାଙ୍କ ନାମ ଗୋପନ ରଖାଯାଉଛି । ବସ୍ତି ମାନଙ୍କରେ ମଧ୍ୟରେ ସ୍ପେଶାଲ ଡ୍ରାଇଭ ଚାଲୁଥିବା କହିଛନ୍ତି ସୁପରିନଟେଣ୍ଡେଣ୍ଟ ।
ମରୁଭୂମି ପାଲଟିଯିବ କି ଚାନ୍ଦିପୁର ବେଳାଭୂମି ! ୫ କିଲୋମିଟର ଦୂରକୁ ଘୁଞ୍ଚି ଯାଇଛି ସମୁଦ୍ର
ଦିନେ ଏହି କୂଳକୁ ପିଟୁଥିଲା ସୁଉଚ୍ଚ ଲହଡ଼ି । ଆଉ ଏହି ଉତ୍ତାଳ ତରଙ୍ଗରେ ଖେଳି ମଜା ଉଠାଉଥିଲେ ପର୍ଯ୍ୟଟକ । ସମସ୍ତଙ୍କ ପ୍ରିୟ ଥିଲା ବାଲେଶ୍ବର ଚାନ୍ଦିପୁର ବେଳାଭୂମି । ହେଲେ ଏବେ ବେଳାଭୂମି ପାଲଟିଯାଇଛି ବାଲିଚର । ୫ କିଲୋମିଟର ଦୂରକୁ ଘୁଞ୍ଚି ଯାଇଛି ସମୁଦ୍ର । ନା ପର୍ଯ୍ୟଟକଙ୍କ ଭିଡ଼ ଜମୁଛି, ନା ବ୍ୟବସାୟୀଙ୍କ ବ୍ୟବସାୟ ଜମୁଛି । ଜଳ ବାୟୁର ପରିବର୍ତ୍ତନ ସହିତ ମନୁଷ୍ୟକୃତ ତ୍ରୁଟି ପାଇଁ ଚମକୁଥିବା ଚାନ୍ଦିପୁର ଆଜି ଖାଁ ଖାଁ । ୨୦୧୮ ରେ ଆସିଥିବା ୟାସ ବାତ୍ୟା ପରଠୁ ଧୀରେ ଧୀରେ ସମୁଦ୍ର କୂଳ ଛାଡ଼ି ଦୂରକୁ ଦୂରକ ଯାଉଥିବା କହିଛନ୍ତି ଲୋକେ ।
ବଙ୍ଗୋପସାଗର କୂଳରେ ୩ କିଲୋମିଟର ଲମ୍ବ ଓ ୫ କିଲୋମିଟର ଓସାରର ରହିଛି ବିସ୍ତୃତ ବେଳାଭୂମି । ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ଼ ଲାଗିରହିଥିବା ବେଳେ ଚଳିତ ବର୍ଷ କିନ୍ତୁ ଖାଁ ଖାଁ । ଏତେ ପରେ ବି ନିରାଶ କରିନି ଚାନ୍ଦିପୁର । କୁଳରୁ ୫ କିଲୋମିଟର ପଛକୁ ପାଣି ଫେରିଯିବା ଫଳରେ ଦୃଶ୍ୟମାନ ହେଉଛି ପ୍ରକୃତିର ଏକ ନିଆରା ଦୃଶ୍ୟ । ଯାହା ପର୍ଯ୍ୟଟକଙ୍କ ପାଇ ଏକ ନୂଆ ଅନୁଭବ ନୂଆ ଅନୁଭୂତି ଆଣୁଛି । ବୁଢ଼ାବଳଙ୍ଗ ନଦୀର ପାଣି ସହ ମାଟି ଓ ବାଲି ଯୋଗୁଁ ମଧ୍ୟ କିଛି ସ୍ଥାନ ପୋତିହୋଇ ଘାସ ଗଛ ଉଠିବା ଆରମ୍ଭ କରିଛି । ପ୍ରକୃତିର ଏପରି ସ୍ଥିତିକୁ ନେଇ ଭୂତତ୍ତ୍ବ ବିଜ୍ଞାନୀ କାରଣ ଖୋଜୁଥିବାବେଳେ ଏକ ଅଜଣା ଆତଙ୍କରେ ଆତଙ୍କିତ ହୋଇ ପଡ଼ିଛନ୍ତି ଅଞ୍ଚଳବାସୀ ।
ନିଘୋଡ଼ ନିଦ୍ରାରେ ପ୍ରଶାସନ: ପାରାଦୀପ ବନ୍ଦରକୁ ଆସୁଥିବା ଖଣିଜ ଦ୍ରବ୍ୟ ହେଉଛି ଲୁଟ୍
ପାରାଦୀପ ବନ୍ଦରକୁ ଆସୁଥିବା ଖଣିଜ ଦ୍ରବ୍ୟ ହେଉଛି ବାଟମାରଣା । ଅଧା ବାଟରେ ଖଣିଜ ସଂପଦକୁ କରାଯାଉଛି ଲୁଟ୍ । ବନ୍ଦରର ନିଷିଦ୍ଧାଞ୍ଚଳକୁ ଆସୁଛି ବାଲି ଓ ପାଉଁଶ ମିଶା ଲାମକୋକ୍ । ନିଘୋଡ଼ ନିଦ୍ରାରେ ପ୍ରଶାସନ । ଯାଜପୁରରୁ ଲାମକୋକ୍ ବା ‘ଉଚ୍ଚ ମାନର କୋଇଲା’ ଜଳପଥ ଦେଇ ହାଜିରା ପ୍ଲାଣ୍ଟକୁ ପଠାଯାଉଛି । ଟ୍ରକରେ କୋଇଲା ପରିବହନ ସମୟରେ ଟ୍ରକ ମାଲିକ ସେଥିରେ ଘୋଟାଲା କରୁଛନ୍ତି । ଟ୍ରକକୁ ଅଧାବାଟରେ ରଖି ଉଚ୍ଚ ମାନର କୋଇଲାରୁ ପାଖାପାଖି ୩୦ ରୁ ୫୦ କ୍ଵିଣ୍ଟାଲ କାଢ଼ି ସେଥିରେ ସମାନ ଓଜନର ମାଟି, ବାଲି ଓ ପାଉଁଶ ଭର୍ତ୍ତି କରିବା ସହିତ ପାଣି ମାରି ତାହାକୁ ବନ୍ଦର ନିଷିଦ୍ଧାଞ୍ଚଳରେ ଖାଲି କରୁଛନ୍ତି । ଗତ ସୋମବାର ଦିନ ୧୩ଟି ଟ୍ରକରୁ ଖଣିଜ ଦ୍ରବ୍ୟ ଲୁଟ୍ କରାଯାଉଥିବା ବେଳେ ରେଡ ହ୍ୟାଣ୍ଡ ଧରିଛି ରପ୍ତାନିକାରୀ ସଂସ୍ଥା ।
ପାରାଦୀପ ବନ୍ଦରକୁ ଆସୁଥିବା ଆଇରନ, ଲାଇମଷ୍ଟୋନ, କ୍ରୋମାଇଟ ଭଳି ମୂଲ୍ୟବାନ ଖଣିଜ ପଦାର୍ଥ ଚୋରି ହେଉଛି । ଗତ ୫ ମାସ ତଳେ ୬ ଟି ମାଟି ମିଶା କ୍ରୋମାଇଟ ଟ୍ରକ ଜବତ କରାଯାଇଥିଲା । ମାତ୍ର ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ । ଫଳରେ ଚୋରା କାରବାରରେ ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିମାନେ ଅନାୟସରେ ଖସିଯାଉଛନ୍ତି । ଅନ୍ୟପଟେ ଖଣିଜ ସଂପଦ ଚୋରି ରାକେଟ ପାରାଦୀପ ଠାରୁ ଆରମ୍ଭ କରି ଯାଜପୁର, କଟକ, ମଙ୍ଗୁଳି, ଚଣ୍ଡିଖୋଲ ପର୍ଯ୍ୟନ୍ତ ଲମ୍ବିଛି । ବାହାର ରାଜ୍ୟର ଗାଡି ମାଲିକ ଏହି ଘଟଣାରେ ସଂପୃକ୍ତ ରହୁଛନ୍ତି । କିନ୍ତୁ ଏହାକୁ ରୋକିବାକୁ ପୋଲିସ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି କହିଛନ୍ତି ଟ୍ରକ ମାଲିକ ସଂଘ ସଭାପତି । ନିକଟରେ ୧୩ଟି ଟ୍ରକକୁ ପୋଲିସ ଜବତ କରିବା ସହ ଡ୍ରାଇଭର ମାନଙ୍କୁ ପଚରାଉଚରା କରିଛି । ଘଟଣାରେ ସମ୍ପୃକ୍ତ ଡ୍ରାଇଭର ଓ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ଶ୍ରଦ୍ଧାଳୁଙ୍କ ଆଶା ଓ ଭରସା କାଞ୍ଜିପାଣି: ବିଭିନ୍ନ ପେଟ ରୋଗରୁ କରୁଛି ସୁସ୍ଥ
ଶ୍ରଦ୍ଧାଳୁଙ୍କ ଆଶା ଓ ଭରସା କାଞ୍ଜିପାଣି । ବିଭିନ୍ନ ପେଟ ରୋଗରୁ କରୁଛି ସୁସ୍ଥ । କେନ୍ଦ୍ରାପଡ଼ା ଚକ୍ରୋଡା ପଞ୍ଚାୟତ କନ୍ତିଆ ମଠରେ ଥିବା ମହାପୁରୁଷ ମଧୁଦାସଙ୍କ ପୀଠରେ ରହିଛି ଅଦ୍ଭୁତ କାଞ୍ଜିପାଣି ସେବନ ବିଧି । ବିଭିନ୍ନ ପେଟରୋଗରୁ ମୁକ୍ତି ପାଇବା ପାଇଁ ଏଠାକୁ ଧାଇଁ ଆସନ୍ତି । ଦୁଇଶହ ବର୍ଷରୁ ଅଧିକ ପୁରୁଣା ଲୋକଶୃତି ଅନୁସାରେ ମହାପୁରୁଷ ମଧୁଦାସ ଦିନେ ପଖାଳ ଖାଉଥିବା ସମୟରେ ଜନୈକ ଭକ୍ତ ପେଟ ବ୍ୟାଧି ସମସ୍ୟା ନେଇ ତାଙ୍କ ପାଖକୁ ଆସିଥିଲେ । ବାବା ମଧୁଦାସ ଖାଇସାରିବା ପରେ ବଳକା ତୋରାଣିରୁ ତାଙ୍କୁ କିଛି ପିଇବାକୁ ଦେଇଥିଲେ । ସଙ୍ଗେସଙ୍ଗେ ଭକ୍ତ ଜଣଙ୍କର ପେଟବ୍ୟାଧି ଭଲ ହୋଇଯାଇଥିଲା । ସେବେଠାରୁ ମଠରେ ଉକ୍ତ ତୋରାଣିକୁ ଏକ ମାଟିପାତ୍ରରେ ରଖାଯାଇ ସେଥିରେ ପ୍ରତ୍ୟେକ ଦିନ ମଠରେ ରନ୍ଧାଯାଉଥିବା ଭାତର ପେଜକୁ ମିଶାଯାଇଥାଏ । ସେସବୁକୁ ପେଟ ରୋଗରେ ପୀଡିତ ଭକ୍ତଙ୍କୁ ପାନ କରିବାକୁ ଦିଆଯାଏ ।
ଗୁପ୍ତକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ଏହି ପୀଠରେ ମହାପୁରୁଷ ମଧୁଦାସଙ୍କ ସମେତ ସାତ ପିଢି ଧରି ମଠରେ ରହୁଥିବା ମହାପୁରୁଷ ମାନେ ପୂଜା ପାଆନ୍ତି । ମଠ ପରିସରରେ ୧୩ ଟି କେଳିକଦମ୍ବ ଗଛ ସଦାସର୍ବଦା ରହିଥାଏ । କେବଳ ସେତିକି ନୁହେଁ ଏଠାରେ ସାତ ମୁଣ୍ଡିଆ ଦେଉଳ ରହିଥିବା ବେଳେ ପଶ୍ଚିମା ହନୁମାନ ମୂର୍ତ୍ତି ରହିଛି । ପୁରାଣ ପ୍ରସିଦ୍ଧ ଏହି ସ୍ଥାନକୁ ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଭୋଜିଭାତ ପାଇଁ ପ୍ରକୃଷ୍ଟ ସ୍ଥାନ ରହିଥିଲେ ମଧ୍ୟ ଏଠାରେ ପାନୀୟ ଜଳର ଘୋର ଅଭାବ । ଏଠାକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଅନ୍ୟପଟେ ପୀଠର ଉନ୍ନତିକରଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ । ସନ୍ଥ ଅରକ୍ଷିତ ଦାସଙ୍କ ଶିଷ୍ୟ ମଧୁ ଦାସଙ୍କ ପୀଠର ଉନ୍ନତିକରଣ କରିବାକୁ ସାଧାରଣରେ ଦାବି ହୋଇଛି ।
ଅବ୍ୟବସ୍ଥାରେ ସଢୁଛନ୍ତି ଅନ୍ତେବାସୀ: ଶୀତରେ ଥରି ଥରି ଶ୍ରେଣୀ ଗୃହରେ ରାତ୍ରିଯାପନ କରୁଛନ୍ତି କୋମଳମତି ଛାତ୍ର
ଅବ୍ୟବସ୍ଥାରେ ସଢୁଛନ୍ତି ଅନ୍ତେବାସୀ । ଶୀତରେ ଥରି ଥରି ଶ୍ରେଣୀ ଗୃହରେ ରାତ୍ରିଯାପନ କରୁଛନ୍ତି ୪୦ କୋମଳମତି ଛାତ୍ର । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ବିକଳ ଚିତ୍ର । ବିଦ୍ୟାଳୟଟି ବହୁ ପୁରାତନ ହୋଇଥିଲେ ସୁଦ୍ଧା ଭିତ୍ତିଭୂମିର ବିକାଶ ହୋଇପାରିନାହିଁ । ବିଦ୍ୟାଳୟରେ ୧୯୮୯ ମସିହାରୁ ପରିଚାଳିତ ହୋଇଆସୁଛି ମଙ୍ଗଳ ବିଭାଗର ୪୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରାବାସ । ଦୂର ଦୂରାନ୍ତରୁ ଆସି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ଆଦିବାସୀ ଛାତ୍ରମାନଙ୍କ ପାଇଁ ଏଠାରେ ରହିବା ଖାଇବାର ବ୍ୟବସ୍ଥା ରହିବା କଥା । ହେଲେ ଏଠାରେ ନା ଅଛି ଛାତ୍ରାବାସ ନା ରହିଛି ଆନୁସଙ୍ଗିକ ବ୍ୟବସ୍ଥା । ଫଳରେ ଯେଉଁ ଶ୍ରେଣୀରେ ପାଠପଢୁଛନ୍ତି ସେଇଠି ଖାଲି ଚଟାଣରେ ରାତି ବିତାଉଛନ୍ତି ପିଲା । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।
ଶ୍ରେଣୀଗୃହର ଝରକା କବାଟ ବି ଭଲ ନାହିଁ । ବର୍ଷବର୍ଷ ଧରି ପିଲା ଖରା ବର୍ଷା ଶୀତ କାକରରେ ତଳେ ଶୋଉଛନ୍ତି । ଖାଲି ସେତିକି ନୁହେଁ ପିଲାଙ୍କ ପାଇଁ ଗାଧୁଆ ଘର, ଶୌଚାଳୟ, ରୋଷେଇ ଘର ନଥିବାରୁ ଅନ୍ତେବାସୀଙ୍କ ପରିଚାଳନାରେ ବହୁ ଅସୁବିଧା ଉପୁଜୁଛି । ସୂଚନା ପ୍ରକାରେ ୪୦ ଜଣ ଅନ୍ତେବାସୀଙ୍କ ପାଇଁ ୨୦ ଟି ଖଟ ଶେଯ ମିଳିଛି । ଯାହା ଗୋଦାମ ଘରେ ଖତ ଖାଉଛି । ଏଥିସହ ଟିଭି, ଓ୍ବାସିଂ ମେସିନ, ଗ୍ରାଇଣ୍ଡର ଆଦି ସାମଗ୍ରୀ ଅବ୍ୟବହୃତ ହୋଇ ଗୋଦାମରେ ପଡ଼ି ରହିଛି । ଗୋଦାମ ହିଁ ଛାତ୍ରାବାସ ଅଧ୍ୟକ୍ଷଙ୍କ ରହଣି ସ୍ଥାନ ପାଲଟିଛି । ଅନ୍ୟପଟେ ଛାତ୍ରାବାସ ନିର୍ମାଣ ପାଇଁ ଅନୁଦାନ ଆସିଲେ କାମ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ଅନ୍ତେବାସୀଙ୍କ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ପ୍ରଶାସନର ଅବହେଳାରୁ ତାହା ଲକ୍ଷ୍ୟ ଭ୍ରଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଏଠି ପ୍ରଶ୍ନ ଉଠୁଛି- କେତେ ଦିନ ଏଭଳି ଅବହେଳାର ଶିକାର ହେଉଛି ଅନ୍ତେବାସୀ ? କେବେ ସେମାନଙ୍କ ସମସ୍ୟା ଦୂର ହେଉଛି ? ତାକୁ ହିଁ ଅପେକ୍ଷା ।
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଲାଗି ଅଲଗା ଘର ପ୍ରସଙ୍ଗରେ ବର୍ଷିଛି ବିଜେଡି
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଲାଗି ଅଲଗା ଘର ପ୍ରସଙ୍ଗରେ ବର୍ଷିଛି ବିଜେଡି । କୌଣସି ମୁଖ୍ୟମନ୍ତ୍ରୀ ଦ୍ବିତୀୟ ଘର ନେଇ ନଥିବାବେଳେ ମୁଖ୍ୟମନ୍ତ୍ରୀଙ୍କର କଣ ଆବଶ୍ୟକ ପଡିଲା ବୋଲି ପ୍ରଶ୍ନ କରିଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେଇଥାଏ ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ ବଦଳରେ ସେହି ଘରେ ମୁତୟନ ହେବେ ଓଡ଼ିଶା ପୋଲିସ । ୨୬ରୁ ଅଧିକ କନଷ୍ଟେବଳ, ବୁଲେଟ ପ୍ରୁଫ ଗାଡି ରହିବ । ଓଡ଼ିଶା ତହବିଲରୁ କରଦାତାଙ୍କ ଟଙ୍କା ଦିଆଯିବ । ଭାଷା ଭିତ୍ତିରେ ଓଡ଼ିଶା ଗଠନ ପରଠାରୁ ଏହା କେବେ ଘଟି ନଥିଲା ବୋଲି ବିଜେଡି କହିଛି । ବିଜେପିରେ ସବୁକିଛି ଠିକ୍ ଠାକ୍ ଚାଲିନି । ଓଡ଼ିଶା ପୋଲିସକୁ ନେଇ ସେଠାରେ କଣ ଲୁଚାଇବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ? ଅଶୋକା ହୋଟେଲରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରୁମ ଅଛି । ତେଣୁ ବିଜେପିରେ ସବୁ କିଛି ଠିକ ନାହିଁ । ପତିଆରା ଜାହିର ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି କଟାକ୍ଷ କରିଛି ବିଜେଡି । ଲୋକସେବା ଭବନ ପଛରେ ଥିବା ଗୋଟେ ଘରକୁ ଚାରି ହଜାର ଟଙ୍କାର ପ୍ଲେଟ ଖାଦ୍ୟ ଦିଆଯାଉଛି । ଏହାର କଣ ଆବଶ୍ୟକ ଅଛି ? ଏହାର ତଦନ୍ତ ଲାଗି ବିଜେଡି ଦାବି କରିଛି । ସେହିପରି ଆର୍ସେଲର-ମିତ୍ତଲ ଆସିଲେ ଭଲ । ହେଲେ ଶାସକ ଦଳର କିଏ ସେ ଲୋକ ଯିଏ କେନ୍ଦୁଝରର ଏହି ପ୍ରକଳ୍ପ ଅଞ୍ଚଳ ପାଖରେ ଜମି କିଣିଲେ ? ଜୟସ୍ବାଲ କିଏ ? ସେ କେମିତି ସୁପର ମୁଖ୍ୟମନ୍ତ୍ରୀ ହେଲା ? ଏହାର ଉତ୍ତର ଦାବି କରିଛି ବିଜେଡି ।
ନୂଆପଡ଼ାର ବିଜେଡି ନେତା ଓ କର୍ମୀଙ୍କୁ ଟିପ୍ସ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ବିଜେପି ସରକାରକୁ ଡରନି । ବିଜେଡିକୁ ଆହୁରି ସୁଦୃଢ କର । ଲୋକଙ୍କ ସେବା କର । ନୂଆପଡ଼ାର ବିଜେଡି ନେତା ଓ କର୍ମୀଙ୍କୁ ଭେଟିବା ଅବସରେ ଏହି ଟିପ୍ସ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ତଥା ନୂଆପଡ଼ାର ବିଧାୟିକା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ନୂଆପଡ଼ା ନୂଆପଡ଼ାର ସ୍ଥାନୀୟ ବିଜେଡି ନେତା ଓ କର୍ମୀଙ୍କୁ ଭେଟି ବିଜେଡି ସଭାପତି ନବୀନ ପଟ୍ଟନାୟକ ଖୁସି ହୋଇଛନ୍ତି । ନୂଆପଡ଼ା ଉପନିର୍ବାଚନ ନେଇ ନବୀନଙ୍କ ସହ ବିସ୍ତୃତ ଆଲୋଚନା ହେଲା । ନେତା ଓ କର୍ମୀଙ୍କ ଉତ୍ସାହ ଦେଖି ନବୀନ ନିଜର ଖୁସି ଜାହିର କରିଥିବାବେଳେ କର୍ମୀ ମଧ୍ୟ ଖୁସି ଜାହିର କରିଛନ୍ତି । ଏହି ଅବସରରେ ଦଳକୁ ଆହୁରି ସୁଦୃଢ କରିବାକୁ ନବୀନ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି । ଉପନିର୍ବାଚନରେ ବୁଥ ରିଗିଂର ଜବାବ ଦିଆଯିବ । ୪୧ଟି ବୁଥରେ ୯୦ ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି । ଲୋକଙ୍କ ଲାଇନ ନ ଥିବା ବେଳେ ଏତେ ଭୋଟିଂ କିପରି ହୋଇଥିଲା । ଲୋକଙ୍କୁ ଡରାଇ ଧମକାଇ ଭୋଟ ହାସଲ କରାଯାଇଛି । ବିଭିନ୍ନ ସଂସ୍ଥାଙ୍କୁ ଲଗାଇ ଲୋକଙ୍କୁ ଧମକାଇଥିଲା ବିଜେପି । ବିଜେଡି ନେତାଙ୍କ ଘରେ ରେଡ କରାଇଥିଲା ବିଜେପି ନିର୍ବାଚନ ଜିତିଛି ବୋଲି ଆରୋପ ଲଗାଇଛନ୍ତି ସ୍ନେହାଙ୍ଗିନୀ । ଲୋକଙ୍କୁ ଡରାଇ ଧମକାଇ ନିର୍ବାଚନ ଜିତିଛି ବିଜେପି । ଏହାର ଜବାବ ଆଗାମୀ ଦିନରେ ଦିଆଯିବ । ନୂଆପଡ଼ାବାସୀଙ୍କ ହୃଦୟରେ ନବୀନ ଅଛନ୍ତି । ଧାନ ବିକିବାକୁ ଚାଷୀଙ୍କୁ ଟୋକନ ମିଳିନାହିଁ । କଟନୀ ଛଟନୀ କରାଯାଉଛି । ଚାଷୀ ଅଭାବୀ ବିକ୍ରିର ଶିକାର ହେଲାଣି ବୋଲି ଅଭିଯୋଗ କରିଛନ୍ତି ସ୍ନେହାଙ୍ଗିନୀ ।
ଭୁବନେଶ୍ବର ଏୟାରପୋର୍ଟ ଥାନା ଘେରାଉ କଲେ ଶହ ଶହ ଅଟୋ ଡ୍ରାଇଭର
ଭୁବନେଶ୍ବର ଏୟାରପୋର୍ଟ ଥାନା ଘେରାଉ କଲେ ଶହଶହ ଅଟୋ ଡ୍ରାଇଭର । ଏୟାରପୋର୍ଟ ଛକରେ ହୋଇଥିବା ଏକ ଗଣ୍ଡଗୋଳ ପରେ ଥାନା ଘେରାଉ । ଅଟୋ ଡ୍ରାଇଭରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନ ବଢିବ ବୋଲି ଚେତାବନୀ ଦେଲା ଅନଲାଇନ ଅଟୋ ଆସୋସିଏସନ।

