spot_img
Home Blog Page 1316

ଶ୍ବଶୁର ଘର ସାମ୍ନାରେ ଯୌତୁକ ସାମଗ୍ରୀ ଜାଳିଲା ଜ୍ବାଇଁ

ନୟାଗଡ଼ : ଶ୍ବଶୁର ଘର ସାମ୍ନାରେ ଯୌତୁକ ସାମଗ୍ରୀ ଜାଳିଲା ଜ୍ବାଇଁ । ଦଶପଲ୍ଲା ଥାନା ନେଳିଗୁଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ମମତା ନାଏକ ୧୫ବର୍ଷ ତଳେ ବୁରୁସାହି ଗାଁର ବିଜୟ ନାୟକଙ୍କୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ।କିନ୍ତୁ ଶ୍ବଶୁର ଘର ଲୋକେ ବିବାହ ସମୟ ରେ ଜ୍ୱାଇଁକୁ ବାଇକ ଦେବା ପାଇଁ କହିଥିଲେ। କିନ୍ତୁ ଅସୁବିଧା ହେତୁ ଗାଡି ନ ଦେବାରୁ ଗତକିଛି ଦିନ ହେବ ସ୍ବାମୀ , ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଯାଉଥିଲା। ତେବେ ଏହି ଘଟଣାକୁ ନେଇ ମମତା ତାଙ୍କ ବାପଘର ନେଳିଗୁଡ଼ାକୁ ଚାଲିଯାଇଥିଲେ। ଆଜି ବିଜୟ ଫୋନ ଯୋଗେ ସ୍ତ୍ରୀ ଓ ଝିଅକୁ ଆସିବା ପାଇଁ କହିଥିଲେ। ଏଥିରେ ସ୍ତ୍ରୀ ରାଜି ନ ହେବାରୁ ଗାଳିଗୁଲଜ କରିବା ସହିତ ଯୌତୁକରେ ମିଳିଥିବା ସିନ୍ଦୁକ ସହିତ ସମସ୍ତ ଆସବାପତ୍ର ନେଇ ଶ୍ବଶୁର ଘର ସାମ୍ନାରେ ଏହାକୁ ଜାଳି ଦେଇଥିବା ଜଣାପଡ଼ିଛି ।ଖବର ପାଇ ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଂଚି ତଦନ୍ତ ଜାରି ରଖିଛି।

ଆଜି ଶେଷ ହେବ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ,ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନେଇ ଛିଡୁନି ଅଙ୍କ

ପୁଣେ : ଆଜି ଶେଷ ହେଉଛି ମହାରାଷ୍ଟ୍ର ବିଧାନସଭା ଅଧିବେଶନ କାର୍ଯ୍ୟକାଳ। ହେଲେ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନେଇ ଛିଡୁନି ଅଙ୍କ। ବିଜେପିର ଦେବେନ୍ଦ୍ର ଫଡନବିସ ହେବେ ନା ଶିବସେନାର ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ, ଏ ଯାଏଁ ଘୋଷଣା ହୋଇପାରିନି। ତେବେ ବିଧାନସଭା ଅଧିବେଶନ କାର୍ଯ୍ୟକାଳ ଶେଷ ପୂର୍ବରୁ ସରକାର ଗଠନ ହେବା ନିୟମ ରହିଛି।

ଯଦି ଆଜି ସୁଦ୍ଧା ସରକାର ଗଠନ ନହୁଏ ତେବେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ପଡିବ। ଏଭଳି ସ୍ଥିତିରେ ବିଜେପି ଏବଂ ମହାୟୁତି ମେଣ୍ଟରୁ ମୁଖ୍ୟମନ୍ତ୍ରୀ କିଏ ହେବ ନାଁ ଘୋଷଣା କରିବାକୁ ପଡିବ। ବିଜେପିର ଏକାକୀ ୧୩୨ ଆସନ ହାତେଇଥିବାବେଳେ ମହାୟୁତି ମେଣ୍ଟ ୨୩୦ ଆସନ ଜିତିଛି। ସେଥିରେ ଏକନାଥ ସିନ୍ଦେଙ୍କ ଶିବସେନାର ୫୭ ଆସନ ରହିଛି। ଏନସିପିର ଅଜିତ ପାୱାର ୪୧ ଆସନ ଜିତିଛନ୍ତି। ବିଜେପି ଅଧିକ ଆସନ ଜିତିଥିବାରୁ ମୁଖ୍ୟମନ୍ତ୍ରୀ ରେସରେ ସବୁଠାରୁ ଆଗରେ ରହିଛନ୍ତି।

ତେବେ ଦିଲ୍ଲୀ ହାଇକମାଣ୍ଡ ଅନ୍ତିମ ନିଷ୍ପତ୍ତି ନେବ। ବିହାର ମଡେଲରେ ଗଠନ ହୋଇପାରେ ମହାରାଷ୍ଟ୍ରରେ ସରକାର। ମୁଖ୍ୟମନ୍ତ୍ରୀଙ୍କ ସହ ରହିପାରନ୍ତି ଦୁଇ ଜଣ ମୁଖ୍ୟମନ୍ତ୍ରୀ। ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ହେଲେ ଏକନାଥ ସିନ୍ଦେ ଓ ଏନସିପିର ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଗତ ନିର୍ବାଚନ ତୁଳନାରେ ଏମଭିଏ ୨୫ ଆସନ ହରାଇଛି। ୨୮୮ ଆସନ ଲାଗି ମ୍ଯାଜିକ ନମ୍ବର ହେଉଛି ୧୪୫। ବିଜେପି ଏକାକୀ ୧୩୨ ଆସନ ପାଇଥିବାରୁ ମେଣ୍ଟ ସହଯୋଗୀଙ୍କ ଗୁରୁତ୍ବ ବି ହ୍ରାସ ପାଇଛି ।

ଆଜିଠୁ ଆରମ୍ଭ ବିଧାନସଭା ଶୀତକାଳୀନ ଅଧିବେଶନ, ହୁଲୁସ୍ତୁଲୁ ହେବ ଗୃହ

ଭୁବନେଶ୍ୱର :  ଆଜିଠୁ ଶୀତ ଅଧିବେଶନ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିଛି। ଦିନ ୧୧ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବ । ବିଧାନସଭା କାର୍ଯ୍ୟସୂଚି ଅନୁସାରେ ପ୍ରଥମେ ଗୃହରେ ଦିବ୍ୟଗତଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯିବ  । ଗୃହର ନେତା ମୁଖ୍ୟମନ୍ତ୍ରୀ ଆଗତ କରିବେ । ପରେ ପଞ୍ଚୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗର ପ୍ରଶ୍ନକାଳ ରହିଛି ।

ଅପରାହ୍ନରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବ । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଅତିରିକ୍ତ ବଜେଟ ଆଗତ କରିବେ । ଅନ୍ୟପଟେ ଶୀତକାଳିନ ଅଧିବେଶନ ପାଇଁ ବିଜେଡି , ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରିଛନ୍ତି । ଦୁଇ ବିରୋଧୀ ଶୀତ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛନ୍ତି। ଶାସକ ବିଜେପି ବିରୋଧୀଙ୍କୁ ମୁକାବିଲା କରିବା ପାଇଁ କାଉଁଣ୍ଟର ରଣନୀତି ପ୍ରସ୍ତୁତ କରିଛି । ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ସୋମବାର ବାଚସ୍ପତି ସର୍ବଦଳୀୟ ବୈଠକ କରି ସବୁ ଦଳର ସହଯୋଗ ଲୋଡିଥିଲେ।

ପଦାରେ ପଡିଲା ପ୍ରଶାସନର ବିଫଳତା, ବାତ୍ୟା ଦାନାକୁ ନେଇ କେନ୍ଦ୍ରୀୟ ଟିମ ଆଗରେ ପ୍ରଶାସନିକ ବିଫଳତା ବଖାଣିଲେ ବାଂଶଡା ପଞ୍ଚାୟତବାସୀ

ନନ୍ଦିଘୋଷ ବ୍ୟୁରୋ: ପଦାରେ ପଡିଲା ପ୍ରଶାସନର ବିଫଳତା । ବାତ୍ୟା ଦାନାକୁ ନେଇ କେନ୍ଦ୍ରୀୟ ଟିମ ଆଗରେ ପ୍ରଶାସନିକ ବିଫଳତା ବଖାଣିଲେ ବାଂଶଡା ପଞ୍ଚାୟତବାସୀ । ବାତ୍ୟା ପରିଚାଳନାରେ ପ୍ରଶାସନ ଫେଲ ମାରିଥିବାରୁ କେନ୍ଦ୍ରୀୟ ଟିମ ଆଗରେ ଅସନ୍ତୋଷ ପ୍ରକାଶ କଲେ ଚାନ୍ଦବାଲି ବ୍ଲକର ବାଂଶଡା ପଞ୍ଚାୟତର କ୍ଷତିଗ୍ରସ୍ତ । ପାଟିତୁଣ୍ଡ ଯୋଗୁଁ ଅଧାରୁ ବୈଠକ ସ୍ଥଳ ଛାଡି ଫେରିଲେ କେନ୍ଦ୍ରୀୟ ଟିମ । ଆଜି ବାତ୍ୟା ଦାନାର  କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ପ୍ରତିନିଧି ଦଳ ଚାନ୍ଦବାଲି ବ୍ଳକର ଧାମରା ଅଞ୍ଚଳରେ ପହଞ୍ଚି ବିଭିନ୍ନ ପଞ୍ଚାୟତ ବୁଲିଥିଲେ । ସନ୍ଧ୍ୟା ସମୟରେ ବାଂଶଡା ପଞ୍ଚାୟତ ଛେଡାକ ଗ୍ରାମର ଧାନଖଣି ସାହିରେ ପହଞ୍ଚିଥିଲେ । ସେଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ  କେନ୍ଦ୍ରୀୟ ଟିମରେ ଦୁଇ ଅଧିକାରୀଙ୍କ ସମେତ ଭଦ୍ରକ ଜିଲ୍ଲାପାଳ, ଚାନ୍ଦବାଲି ବିଡିଓ, ତହସିଲଦାର ପ୍ରମୁଖ ପହଞ୍ଚି ଲୋକଙ୍କୁ ସମସ୍ଯା ସମ୍ପର୍କରେ ପଚାରିଥିଲେ । ରିଲିଫ ପରିଚାଳନାରେ ତ୍ରୁଟି , ସ୍ଥାନାନ୍ତରରେ ଅବ୍ୟବସ୍ଥା, ବାତ୍ୟା ପରେ କଚ୍ଚାଘର ଭାଙ୍ଗିଥିବା ହିତାଧିକାରୀଙ୍କୁ ଜରି ପାଲ ଦେବାରେ ଅନ୍ତରପାନ୍ତର ଆଦି ବିଷୟରେ ଅଭିଯୋଗ କରିଥିଲେ ଗ୍ରାମବାସୀ ।.

ଦେବଦୂତ ସାଜିଲେ ୧୦୮ ଆମ୍ଵୁଲାନ୍ସ କର୍ମଚାରୀ

ନନ୍ଦିଘୋଷ ବ୍ୟୁରୋ: ଦେବଦୂତ ସାଜିଲେ ୧୦୮ ଆମ୍ଵୁଲାନ୍ସ କର୍ମଚାରୀ l ମାନବିକତା ଦେଖାଇ ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିନେଇ ମେଡିକାଲରେ ଭର୍ତ୍ତି କରିଛନ୍ତି l ବଣଜଙ୍ଗଲ, ଓ ନଦୀନାଳ ପାର କରି ରୋଗୀଙ୍କୁ ମେଡିକାଲ ପର୍ଯ୍ୟନ୍ତ ନେଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର କାନ୍ତୋଲ ପଞ୍ଚାୟତର ଏକୁଲରେ ଗାଁରେ l ଦୁଲଣି ଦେହୁରୀଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କ ପୁଅ ଅଭୟ ଦେହୁରୀ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ l କଙ୍କଡାହାଡ଼ ବ୍ଲକ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଏକୁଲ ଗାଁରେ ପହଞ୍ଚିଥିଲେ l ଗାଁକୁ ରାସ୍ତା ଅବସ୍ଥା ସୋଚନୀୟ ଥିବାରୁ ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଅଟକିଥିଲା ଆମ୍ଵୁଲାନ୍ସ ।  ୧୦୮ ଆମ୍ବୁଲାନ୍ସ ର କର୍ମଚାରୀ ଲିପୁନ କୁମାର ଦାଶ, ଗାଡ଼ି ଚାଳକ ଶାନ୍ତନୁ କୁମାର ଦେହୁରୀ ଓ ଆଟେଣ୍ଟାଣ୍ଡ ଉତ୍ତମ ପାତ୍ର ଷ୍ଟ୍ରେଚର ମାଧ୍ୟମରେ ବଣଜଙ୍ଗଲ ଓ ନଦୀନାଳ ପାର କରି ରୋଗୀଙ୍କୁ ପ୍ରାୟ ୨ କିଲୋମିଟର ବୋହି କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଛନ୍ତି l ୧୦୮ କର୍ମଚାରୀଙ୍କ ଏହି ମହନୀୟ କାର୍ଯ୍ୟ ସକାଶେ ଗୁରୁତର ରୋଗୀଙ୍କ ଚିକିତ୍ସା ହୋଇପାରିଲା ।

ବିଜେପିକୁ ଭୋଟ ନଦେବାରୁ ଗାଁରୁ ବାସନ୍ଦ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ବିଜେପିକୁ ଭୋଟ ନଦେବାରୁ ଗାଁରୁ ବାସନ୍ଦ ଅଭିଯୋଗ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ପାଳଶ୍ରୀ ଗାଁରେ ୪ ପରିବାରର ୨୦ରୁ ଉର୍ଦ୍ଧ୍ବ ସଦସ୍ୟଙ୍କୁ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଗତ ପଞ୍ଚାୟତ ନିର୍ବାଚନ ସମୟରେ ଗାଁର କିଛି ମୁଷ୍ଟିମୟ ବ୍ୟକ୍ତି ସେହି ଗାଁର ମନମୋହନ ପ୍ରଧାନଙ୍କ ସମେତ ଗାଁର ଅନ୍ୟ ୩ ପରିବାରକୁ ବିଜେପି ଦଳକୁ ଭୋଟ ଦେବା ନେଇ ଚାପ ପକାଇବା ସହ ବିଭିନ୍ନ ଧମକ ଚମକ୍ ଦେଇ ଆସୁଥିଲେ । କିନ୍ତୁ ସମସ୍ତେ ସେମାନଙ୍କ କଥାକୁ ଖାତିର ନକରି ନିଜ ପସନ୍ଦର ଦଳକୁ ଭୋଟ ଦେଇଥିଲେ । ପରେ ସେହି ଗାଁର କିଛି ଲୋକ ମିଶି ମନମୋହନଙ୍କ ସମେତ ଅନ୍ୟ ୩ ପରିବାରକୁ ଗାଁରୁ ବାସନ୍ଦ କରି ନିଆଁ, ପାଣି, ମନ୍ଦିର ବନ୍ଦ କରିବା ସହିତ ଘରକୁ ଅତ୍ୟାବଶ୍ୟକ ସାମଗ୍ରୀ ନେବା ପାଇଁ ବିରୋଧ କରିଆସୁଥିବା ଅଭିଯୋଗ ହୋଇଛି । ଏନେଇ ମନମୋହନ ଦୀର୍ଘ ଦିନ ତଳେ ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ମନମୋହନ ଅନ୍ୟ ପୀଡିତଙ୍କ ସହ ନିମାପଡ଼ା ତହସିଲ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଧାରଣା ସ୍ଥଳକୁ ତହସିଲଦାର ଆସିବା ପରେ ତାଙ୍କ ଗୋଡ଼ତଳେ ପଡ଼ି ତାଙ୍କୁ ନ୍ୟାୟ ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ତହସିଲଦାର ଅଭିଯୋଗ ଗ୍ରହଣ କରିଥିବା ବେଳେ ଏହାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସେପଟେ ନ୍ୟାୟ ନମିଳିଲେ ତହସିଲ ସମ୍ମୁଖରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ମନମୋହନ।

 

ଅଳିଆ ପାଲଟିଲାଣି ସୋସିଆଲ ମିଡିଆ, ବହୁଳ ଅପବ୍ଯବହାର ନେଇ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ସୋସିଆଲ ମିଡିଆର ବହୁଳ ଅପବ୍ୟବହାର ହେଉଛି । ଏହି କଥା କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ । କୋର୍ଟରେ ବିଚାରାଧୀନ ମାମଲାରେ ବିଚାରପତିଙ୍କ ଉପରେ ଟିକା ଟିପ୍ପଣୀ କରି ଚାପ ପ୍ରୟୋଗ କରିବାର ଅପଚେଷ୍ଟା କରାଯାଉଛି । ବାକ୍ ସ୍ବାଧୀନତାର ଦ୍ବାହି ଦେଇ ସମାଜର କିଛି ପ୍ରେସର ଗୃପ ଲୋକଙ୍କ ମନରେ ନ୍ୟାୟାଳୟ ପ୍ରତି ୨୦ ସେକେଣ୍ଡ ଭିତରେ ଏକ ଭୁଲ ଧାରଣା ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି । ଏଥିରେ କୋର୍ଟ ପ୍ରଭାବିତ ହେବା ଉଚିତ ନୁହଁ । ପୂର୍ବତନ ବିଚାରପତିଙ୍କ ମତ ସହିତ ଏକମତ ହୋଇଛନ୍ତି ଆଇନଜୀବୀ । ସରକାର ସୋସିଆଲ ମିଡିଆ କଣ୍ଟେଣ୍ଟ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ମତ ପ୍ରକାଶ ପାଇଛି ।

ଅଳିଆ ପାଲଟିଲାଣି ସୋସିଆଲ ମିଡିଆ । ୟୁ ଟ୍ୟୁବ୍ ହେଉ କି ଅନ୍ୟ ପ୍ଲାଟଫର୍ମ । ପ୍ରତି ପ୍ରସଙ୍ଗରେ ଦିଆଯାଉଛି ନିର୍ଦ୍ଦେଶ ଶୁଣାଯାଉଛି ନିଷ୍ପତ୍ତି । ୨୦ ସେକେଣ୍ଡରେ ବିଭ୍ରାନ୍ତ ହେଉଛନ୍ତି ଲୋକ । ଏପରିକି କୋର୍ଟରେ ବିଚାରାଧୀନ ମାମଲା ଉପରେ ସୋସିଆଲ ମିଡିଆରେ ଟିକା ଟିପ୍ପଣୀ ବଡ଼ ଚାଲେଞ୍ଜ ସୃଷ୍ଟି କଲାଣି । ସୁପ୍ରିମ୍କୋର୍ଟରୁ ନିକଟରେ ଅବସର ନେଇଥିବା ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଏପରି ମତ ଏବେ ନୂଆ ବିତର୍କ ସୃଷ୍ଟି କରିଛି । ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଏପରି ଟିପ୍ପଣୀକୁ ଆଇନଜୀବୀ ମହଲ ସ୍ବାଗତ କରିଛି । କୌଣସି ମାମଲାରେ ଅନୁସନ୍ଧାନ ଚାଲିଥିବାବେଳେ ଗଣମାଧ୍ୟମ ହେଉକି ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ଆଲୋଚନା ହେଉଛି । ନିୟମ ଅଛି କୌଣସି ମାମଲା କୋର୍ଟକୁ ଗଲା ପରେ ତା ଉପରେ କୋର୍ଟ ବାହାରେ କୌଣସି ଟିପ୍ପଣୀ ଦେବା କଥା ନୁହଁ । କିନ୍ତୁ ବାକ୍ ସ୍ବାଧୀନତାର ବ୍ୟାପକ ଅପବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ସାମାଜିକ ଗଣମାଧ୍ୟମରେ ବିଚାରପତିଙ୍କ ସମ୍ପର୍କରେ ମଧ୍ୟ ଟିକା ଟିପ୍ପଣୀ ଦେବାକୁ କିଛି ବ୍ୟକ୍ତି ଭୁଲୁନାହାନ୍ତି । ଜଷ୍ଟିସ୍ ଚନ୍ଦ୍ରଚୂଡ଼ ତାଙ୍କର ଦୀର୍ଘ ଅନୁଭୁତିରୁ ଏପରି କହିଛନ୍ତି । କିଛି ବ୍ୟକ୍ତି ଚାପ ପ୍ରୟୋଗ କଲାଭଳି ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ଲୋକଙ୍କ ମନରେ ନ୍ୟାୟାଳୟ ପ୍ରତି ଭୁଲ ଧାରଣା ସୃଷ୍ଟି କରିବାକୁ ହୀନ ଉଦ୍ୟମ କରୁଛନ୍ତି ।

ଗଣତନ୍ତ୍ରରେ ବ୍ୟକ୍ତିଗତ ଅଭିବ୍ୟକ୍ତି ପ୍ରକାଶ କରିବାର ଅଧିକାର ସମସ୍ତଙ୍କର ରହିଛି । କିନ୍ତୁ ତାହା ଲକ୍ଷ୍ମଣରେଖା ଭିତରେ ରହିବା ଆବଶ୍ୟକ । ଯେହେତୁ ସୋସିଆଲ୍ ମିଡିଆ ଉପରେ ଅଙ୍କୁଶ ଲଗାଇବାକୁ କିଛି ଏସ୍ଓପି ଲାଗୁ ହେଉନି । ଏହାର ଫାଇଦା ଉଠାଉଛନ୍ତି କିଛି ଗୋଷ୍ଠୀ । ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଅନୁଶୀଳନ ଏବେ ନୂଆ ବିତର୍କ ସୃଷ୍ଟି କରିଛି । ବାକ୍ ସ୍ବାଧୀନତା କେତେ ପର୍ଯ୍ୟନ୍ତ କାହାକୁ ମିଳିବା ଦରକାର । ତା ଉପରେ ବିସ୍ତୃତ ତର୍ଜମା ହେବା ଦରକାର । ଖାଲି ସେତିକି ନୁହେଁ, ଅପରାଧର ଶିକାର ହୋଇଥିବା ପୀଡ଼ିତାର ମନୋବଳ ମଧ୍ୟ ମିଡିଆ ଟ୍ରାଏଲର ଶିକାର ହେଉଛି । କୋର୍ଟରେ ବୟାନ ରଖିବା ବେଳେ ମଧ୍ୟ ତାଳମେଳ ରହୁନି । ବୟାନ ବଦଳୁଥିବାରୁ ଅଭିଯୁକ୍ତ ମଧ୍ୟ ଅନେକ ମାମଲାରେ ଦଣ୍ଡିତ ହୋଇପାରୁନି । ଏବେ ସମୟ ଆସିଛି ସୋସିଆଲ ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସ୍ବତନ୍ତ୍ର ଆଇନ ଆଣିବା ଦରକାର ।ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଭାଷାରେ ନୀତି ନିର୍ଦ୍ଧାରଣ କରିବା ବ୍ୟବସ୍ଥାପିକା ସଭାର କାର୍ଯ୍ୟ । କିନ୍ତୁ ପାରିତ ହୋଇଥିବା ଆଇନଟି ସମ୍ବିଧାନ ସମ୍ମତ କି ନାହିଁ ତାକୁ ତର୍ଜମା କରିବା ଅଧିକାର ବିଚାରାଳୟର ରହିଛି ।

ଏହିସବୁ ଅଭିଜ୍ଞ ଖେଳାଳିଙ୍କୁ କିଣିବାକୁ ମନ ବଳାଇଲେନି ଫ୍ରାଞ୍ଚାଇଜ୍

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଆଇପିଏଲ ନିଲାମୀ । ଖେଳାଳିଙ୍କ ଉପରେ ହେଉଛି ଟଙ୍କା ବର୍ଷା । କିନ୍ତୁ ଏମିତି କିଛି ଅଭିଜ୍ଞ ଖେଳାଳି ରହିଛନ୍ତି ଯେଉଁମାନଙ୍କୁ କିଣିବାକୁ କୌଣସି ଫ୍ରାଞ୍ଚାଇଜ୍ ମନ ବଳାଇନାହାନ୍ତି । ବହୁ ଅଭିଜ୍ଞ ଖେଳାଳି ଏଥରକ ଅଲୋଡ଼ା ହୋଇଛନ୍ତି । ଯେଉଁମାନେ ପୂର୍ବରୁ ଆଇପିଏଲରେ ଅନେକ ରେକର୍ଡ କରିଥିଲେ ସୁଦ୍ଧା ଏଥରକ ଅଲୋଡ଼ା ହୋଇଛନ୍ତି । ତେବେ ଆସନ୍ତୁ ଏହି ଖେଳାଳିଙ୍କ ସମ୍ପର୍କରେ ଜାଣିବା । ରବିବାର କିଛି ଖେଳାଳି ଅନସୋଲ୍ଡ ରହିଥିବାବେଳେ ସୋମବାର ବହୁ ଆଗ ଧାଡ଼ିର ଆନ୍ତର୍ଜାତୀୟ କ୍ରିକେଟର ଅଭିଜ୍ଞତା ରଖିଥିବା ଖେଳାଳି ମଧ୍ୟ ଅଲୋଡ଼ା ହୋଇଛନ୍ତି । ଏହି ତାଲିକାରେ ରହିଛନ୍ତି ଆଜିଙ୍କ୍ୟା ରାହାଣେ , ମୟଙ୍କ ଅଗ୍ରଓ୍ବାଲ, ପୃଥୀ ଶ, ସାର୍ଦ୍ଧୁଲ ଠାକୁର, କେନ୍ ଓ୍ବିଲିୟମସନ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଉମେଶ ଯାଦବ, ନବୀନ ଉଲହକ, ମୁସ୍ତାଫିଜର ରହିମ, ଉମରାନ ମଲ୍ଲିକ, ମୋଇନ୍ ଅଲ୍ଲୀ, ବେନ୍ ଡକେଟ୍, ସାଇ ହୋପ, କେ.ଏସ ଭରତ ପ୍ରମୁଖ ।

ଆନ୍ଦୋଳନ ସ୍ଥଳକୁ କଣ ପାଇଁ ଯାଉଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ?

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଗଣ୍ଡଗୋଳ ଘଟଣାକୁ ନେଇ ପୋଲିସ ଡିଜିଙ୍କୁ ଭେଟିଛି ବିଜେଡି ପ୍ରତିନିଧି ଦଳ। ଗଣ୍ଡଗୋଳ କରିଥିବା ବିଜେପି କର୍ମୀଙ୍କୁ ଛାଡ଼ି ବିଜେଡି କର୍ମୀଙ୍କୁ ଗିରଫ କରୁଛି ପୋଲିସ। ପୋଲିସ ସାଜିଛି ଶାସକ ଦଳର ହାତବାରିସି। ଏଭଳି ଅଭିଯୋଗ ନେଇ ପୋଲିସ ଡିଜିଙ୍କୁ ଫେରାଦ ହୋଇଛି ବିଜେଡି। ମନ୍ଥର ଗତିରେ ଚାଲିଥିବା ବିରଜା ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦାବିରେ ଯାଜପୁରରେ କିଛି ଲୋକ ଧାରଣା ଦେଇଥିଲେ। କିନ୍ତୁ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ କଣ ପାଇଁ ଏହି ଆନ୍ଦୋଳନ ସ୍ଥଳକୁ ଯାଇଥିଲେ। ବିଧାୟକଙ୍କ ସାଙ୍ଗରେ କିଛି ଲୋକ ଠେଙ୍ଗା ବାଡି ନେଇ ଯାଜପୁରରେ ଗଣ୍ଡଗୋଳ କରିଥିଲେ। ହେଲେ ପୋଲିସ ସେମାନଙ୍କୁ ଗିରଫ ନକରି ୧୯ ଜଣ ବିଜେଡି କର୍ମୀଙ୍କୁ ବେଆଇନ ଭାବେ ଗିରଫ କଲା। ଯାହାକୁ ନିନ୍ଦା କରିଛି ବିଜେଡି। ଯଦି ଦମ ଅଛି ତେବେ ଠେଙ୍ଗା ନେଇ ଯାଇଥିବା ବିଧାୟକଙ୍କ ସମର୍ଥକଙ୍କୁ ପୋଲିସ ଗିରଫ କରୁ ବୋଲି ପ୍ରଶ୍ନ କରିଛି ବିଜେଡି। ହେଲେ ସରକାରଙ୍କ ଚାପରେ ପୋଲିସ ପୂରା ଚେପା ବୋଲି କହିଛି ଦଳ। ସେହିପରି ରାଜ୍ୟରେ ଆଇନ ଶୃଙ୍ଖଳା ବିଗୁଡୁ ଥିବା ବେଳେ, ପୋଲିସର ଦମନଲୀଳା ଚାଲିଛି। ଗତ ୫ ମାସରେ ୧୨୫୬ ଜଣ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି। ଛିନ୍ତାଇରେ ଭୁବନେଶ୍ୱର ଓ ଡକାୟତିରେ ସମ୍ବଲପୁର ଏକ ନମ୍ବର ବୋଲି କହି ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ବିଜେଡି।

ବେଆଇନ ଗଞ୍ଜେଇ ଚାଷ କରୁଥିଲେ ସାବଧାନ!

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜେଇ ଚାଷ କରୁଥିଲେ ସାଵଧାନ । ନିଶା ମାଫିଆଙ୍କ ଜମି ଉପରେ ଉଡୁଛି ଡ୍ରୋନ । ନଷ୍ଟ ହେଉଛି ଶହ ଶହ ଏକର ଚାଷ । ମାସକ ମଧ୍ୟରେ ୨୩ ଶହ ୭୫ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ବେଳେ ୨୮ ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଗଲାଣି । ଆଗାମୀ ଦିନରେ ମଧ୍ଯ ଏହି ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛନତି ଡିଜିପି ।

ଗଞ୍ଜେଇ ଚାଷ ଓ ଚାଷୀଙ୍କ ବିରୋଧରେ ପୋଲିସର ମିଶନ ଦମନ । ଡ୍ରୋନ ସାହାଯ୍ୟରେ ଚିହ୍ନଟ ପରେ କଟାଯାଉଛି ଗଞ୍ଜେଇ ଗଛ । ନିଶା ମାଫିଆଙ୍କ ବିରୋଧରେ ଖୁରାନିଆଙ୍କ ଜିରୋ ଟଲରାନ୍ସ । ଆନ୍ତଃ ରାଜ୍ୟଚାଲାଣ ରୋକିବାକୁ ଏସପି ମାନଙ୍କୁ ଟାସ୍କ ଦେଲେ ଡିଜିପି । ଡ୍ରୋନ ଦ୍ୱାରା କରାଯିବ ଗଞ୍ଜେଇ ଚାଷ ନଷ୍ଟ । ରାଜ୍ୟରୁ ଗଞ୍ଜେଇ ଚାଷକୁ ମୂଳପୋଛ କରିବା ଲକ୍ଷ୍ଯରେ ଓଡିଶା ପୋଲିସ । ୨୦୨୬ ସୁଦ୍ଧା ରାଜ୍ୟରେ ବେଆଇନ ନିଶା କାରବାର ବନ୍ଦ କରିବାକୁ ଟାର୍ଗେଟ ରଖିଥିବା ବେଳେ ଏବେ ପ୍ରତ୍ୟେକ ଦିନ ଏକର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି । ରାଜ୍ୟ ପୋଲିସ୍, ଅବକାରୀ ବିଭାଗ, ରାଜସ୍ଵ ବିଭାଗ ପକ୍ଷରୁ ମିଳିତ ଭାବେ ଗଞ୍ଜେଇ ନଷ୍ଟ କରିବା ନେଇ ଗଠନ କରାଯାଇଛି ଯୁଗ୍ମ ଟାସ୍କଫୋର୍ସ । ରାଜ୍ୟର ୯ ଟି ଜିଲ୍ଲାରେ ବହୁଳ ମାତ୍ରାରେ ଗଞ୍ଜେଇ ଚାଷ କରାଯାଉଥିବା ରିପୋର୍ଟ କହୁଛି ।

ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ନବରଙ୍ଗପୁର ଓ ମୟୁରଭଞ୍ଜ ଜିଲ୍ଲାରେ ବହୁଳ ପରିମାଣରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ରାଜ୍ଯ ପୋଲିସ ଜାଣିବାକୁ ପାଇଛି । ତେଣୁ ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । ଡ୍ରୋନ ସହ ସାଟେଲାଇଟ ଚିତ୍ର ସାହାଯ୍ୟରେ ଅଭିଯାନ ଆରମ୍ଭ କରିଛି ଓଡିଶା ପୋଲିସ ।

ନଭେମ୍ବର ୧ ତାରିଖରୁ ଆଜି ଭିତରେ ୨୩ ଶହ ୭୫ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ବେଳେ ୨୮ ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ୫୪ ଟି NDPS ମାମଲାରେ ୫୩ ଶହ କେଜି ଗଞ୍ଜେଇ ଜବତ କରାଯାଇଛି । ବାହାରକୁ ଗଞ୍ଜେଇ ଚାଲାଣ ବେଳେ ୨୦ ଟି ଗାଡି ସହ ୧୫ ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି । ଏପର୍ଯ୍ୟନ୍ତ ୮୦ ଜଣ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଓଡିଶା ଗଞ୍ଜେଇର ରାଜ୍ୟ ବାହାରେ ଚାହିଦା ଥିବାରୁ ପୂର୍ବ ଦିନ ମାନଙ୍କରେ ବିପୁଳ ନିଳଜହର ବାହାରକୁ ଚାଲାଣ ହେଉଥିଲା । ଏହି କାରବାରରେ ଜିରୋ ଟଲରାନ୍ସ ନୀତି ଆପଣାଇବାକୁ ବିଭିନ୍ନ ଜିଲ୍ଲାର SP ଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ମାଓବାଦୀ ଓ ନକ୍ସଲ ମୁଖ୍ୟତଃ ଗଞ୍ଜେଇ କାରବାର ଉପରେ ନିର୍ଭରଶୀଳ । ତେଣୁ ନୀଳଜହରର ବିନାଶ ହେଲେ ଏହି ଆତଙ୍କୀ କାର୍ଯ୍ୟକଳାପ ମଧ୍ୟ କମିପାରିବ ବୋଲି ବରିଷ୍ଠ ଅଫିସର ମାନଙ୍କୁ ସୂଚନା ଦେଇଛନ୍ତି ଡିଜିପି ।