spot_img
Home Blog Page 1332

ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା

ଯାଜପୁର : ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଯାଜପୁର ବରୁଆଁ ନିକଟରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । କିଛି ଦୁର୍ବୃତ୍ତ ବିଧାୟକଙ୍କ ଉପରେ ଆକ୍ରମଣ କରିଥିବା ନିଜେ ବିଧାୟକ କହିଛନ୍ତି  । ଏହି ଆକ୍ରମଣ ପଛରେ ଯାଜପୁରର ପୂର୍ବତନ ବିଧାୟକ ପ୍ରବଣ ପ୍ରକାଶ ଦାସଙ୍କ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି  । ତେବେ ଏହାକୁ ଖଣ୍ଡନ କରିଛନ୍ତି ଯାଜପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରବଣ ପ୍ରକାଶ ଦାସ ।   ସେ କହିଛନ୍ତି ଯେ, ବିରଜା ପ୍ରକଳ୍ପକୁ ନେଇ କିଛି ଲୋକ ରାସ୍ତାରୋକ କରିଥିଲେ । ବିଧାୟକ ସେହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି । ବିଜେଡି କେବେ ହିଂସାରେ ବିଶ୍ବାସ କରେନି । ଆନ୍ଦୋଳନ ସମୟରେ କଣ ଘଟିଛି ତାହା ସେ ଜାଣନ୍ତି ନାହିଁ । କିନ୍ତୁ କୌଣସି ଭାବେ ହିଂସାକୁ ପ୍ରଶ୍ରୟ ଦିଆଯିବନି । ଏଭଳି ଖବର ଶୁଣି ସେ ତାଙ୍କ ଭାଇ ଓ ପୋଲିସକୁ ସହଯୋଗ କରିବାକୁ କହିଛନ୍ତି ।

ପ୍ରଶାସନକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି ପ୍ରଣବ ପ୍ରକାଶ । ବିଧାୟକ ଓ ଆନ୍ଦୋଳକାରୀଙ୍କ ଭିତରେ ଉତ୍ତେଜନା ପରେ ବିଧାୟକଙ୍କ ସମର୍ଥକମାନେ ମଧ୍ୟ କିଛି ଭଙ୍ଗାରୁଜା କରିଥିବା ଶୁଣିବାକୁ ମିଳୁଛି । ତେଣୁ ଉଭୟ ପକ୍ଷରୁ କୌଣସି ପ୍ରକାର ହିଂସା ହେବା ଉଚିତ ନୁହେଁ। ବିଜେଡି ସବୁବେଳେ ଆଇନ ଶୃଙ୍ଖଳାକୁ ସମ୍ମାନ ଦେଇ ଆସୁଛି ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ । ଅନ୍ୟପଟେ ଏହି ଘଟଣାକୁ ଗୁରୁତର ସହ ନେଇଛି ପୋଲିସ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯାଜପୁର ଏସପି ୟଶପ୍ରତାପ ଶ୍ରୀମାଲ ।

ପ୍ରଣପ ପ୍ରକାଶ ଦାସଙ୍କ ଭାଇ ତଥା ଯାଜପୁରର ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ ଦାସ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ବିରଜାଙ୍କ ପ୍ରକଳ୍ପକୁ ବନ୍ଦ କରାଯାଉଥିବାରୁ ଯାଜପୁରବାସୀ ଆନ୍ଦୋଳନ କରୁଥିଲେ । ସେହି ସମୟରେ ବିଧାୟକ ସେଠାରେ ପହଞ୍ଚି ଯାଜପୁରବାସୀଙ୍କ ପ୍ରତି ଆକ୍ରୋଶମୂଳକ ମନ୍ତବ୍ୟ ଦେବାରୁ ଆନ୍ଦୋଳନକାରୀ ଉତ୍ତେଜିତ ହୋଇଥିଲେ  । ସେ କହିଛନ୍ତି ଯେ, ସେ ନିଜେ ଏହି ଘଟଣା ପରେ ବିଧାୟକଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ଯଦି ତାଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ମୋର ଭୂମିକା ଅଛି, ତେବେ ମୁଁ ଥାନାରେ ଅଛି ମତେ ଗିରଫ କରାଯାଉ ବୋଲି ସେ କହିଛନ୍ତି  ।

 

ସରିଲା ମହାରାଷ୍ଟ୍ର ଓ ବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ : ଆସିଲା ଏକଜିଟ୍ ପୋଲ

ନନ୍ଦିଘୋଷ ବ୍ୟୁରୋ : ସରିଲା ମହାରାଷ୍ଟ୍ର ମହାସଂଗ୍ରାମ। ଏବେ ଚର୍ଚ୍ଚା କିଏ ଜିିତିବ। କାହାର ହେବ ମହାରାଷ୍ଟ୍ର। ପୁଣି ଥରେ କ୍ଷମତାକୁ ଫେରିବ କି ଏନଡିଏ। ନା ବାଜି ମାରିବ କଂଗ୍ରେସ ନେତୃତ୍ଵାଧୀନ ମହାଅଗାଡ଼ି ମେଣ୍ଟ। କେତେକ ଏକଜିଟ୍ ପୋଲ୍ ଏନଡିଏ ମେଣ୍ଟ ଜିତିବ ବୋଲି କହୁଥିବା ବେଳେ ଆଉ କେତେକ ସଂସ୍ଥା କହୁଛନ୍ତି ମହାଅଗାଡ଼ି ମେଣ୍ଟ ହାସଲ କରିବ କ୍ଷମତା। ଚାଣକ୍ୟ କହୁଛି ଏନଡିଏ ୧୫୨ରୁ ୧୬୦ ସିଟ୍ ପାଇବ। ମହାଅଗାଡ଼ି ପାଇବ ୧୩୦ରୁ ୧୩୮ ସିଟ୍ । ଅନ୍ୟଙ୍କୁ ମିଳିପାରେ ୬ରୁ ୮ଟି ସିଟ୍। ସେହିପରି ଦୈନିକ ଭାସ୍କର ଅନୁସାରେ ଏନଡିଏକୁ ମିଳିବ ୧୨୫ରୁ ୧୪୦ ସିଟ୍। ମହାଅଗାଡ଼ି ମେଣ୍ଟକୁ ମିଳିବ ୧୩୫ରୁ ୧୫୦ ସିଟ। ଇଲେକଟୋରାଲ ଏଜ୍ କହୁଛି ଏନଡିଏକୁ ମିଳିବ ୧୧୮ଟି ସିଟ୍। ମହାଅଗାଡ଼ିକୁ ମିଳିବ ୧୫୦ଟି ସିଟ୍। ସେପଟେ ଲୋକସାହି ମରାଠି କହୁଛି ଏନଡିଏକୁ ମିଳିବ ୧୨୮ରୁ ୧୪୨ ସିଟ୍ । ମହାଅଗାଡ଼ିକୁ ମିଳିବ ୧୨୫ରୁ ୧୪୦ ସିଟ୍ । ମହାରାଷ୍ଟ୍ରରେ ଆଜି ବହୁତ ଉତ୍ସାହର ସହିତ ଲୋକେ ଭୋଟ ଦେଇଥିଲେ। ବିଶେଷ କରି ମୁମ୍ଵାଇର ସେଲିବ୍ରିଟି ମାନେ ବହୁ ସଂଖ୍ୟାରେ ଭୋଟ ଦେଇଛନ୍ତି ।

ସେହିପରି ଝାଡ଼ଖଣ୍ଡରେ ମଧ୍ୟ କଡ଼ା ଟକ୍କର ହେଉଛି। ବୁଥ ବାହୁଡ଼ା ମତ ଅନୁସାରେ କହି ହେଉନାହିଁ କିଏ ଜିତିବ କିଏ ହାରିବ। ଏକ୍ସିସ ମାଇଁ ଇଣ୍ଡିଆ ଅନୁସାରେ ଏନଡିଏକୁ ୧୭ରୁ ୨୭ଟି ସିଟ୍ ମିଳିବ। ଏହି ସଂସ୍ଥାର ସର୍ଭେ ଅନୁସାରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପାଇ ପୁଣି କ୍ଷମତା ଫେରିବ ଇଣ୍ଡିଆ। ଇଣ୍ଡିଆ ମେଣ୍ଟକୁ ୪୯ରୁ ୫୯ ସିଟ୍ ମିଳୁଛି। କିନ୍ତୁ ଚାଣକ୍ୟ ଷ୍ଟ୍ରାଟେଜି କହୁଛି ଏନଡିଏ ୪୫ରୁ ୫୦ଟି ସିଟ୍ ପାଇବ। ଇଣ୍ଡିଆ ପାଇବ ୩୫ରୁ ୩୮ ସିଟ୍। ଇଲେଟୋରାଲ ଏଜ୍ କହୁଛି ଏନଡିଏ ପାଇବ ୩୨ଟି ସିଟ୍। ଇଣ୍ଡିଆ ପାଇବ ୩୮ଟି ସିଟ୍। ଦୈନିକ ଭାସ୍କର କହୁଛି, ଏନଡିଏକୁ ୩୭ରୁ ୪୦ଟି ସିଟ୍ ମିଳିବ। ୩୬ରୁ ୩୯ ସିଟ୍ ପାଇବ ଇଣ୍ଡିଆ। ଏପରି ସ୍ଥିତି ଦେଖିଲେ ଦୁଇ ପକ୍ଷ ମଧ୍ୟରେ କାଁଟେ କା ଟକ୍କର ହେବ।  ପ୍ରକୃତ ରେଜଲ୍ଟ ଆସନ୍ତା ୨୩ ତାରିଖରେ ଜଣାପଡ଼ିବ । ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଗତ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ହୋଇଥିବା ବେଳେ ଆଜି ହୋଇଥିଲା ଦ୍ଵିତୀୟ ପର୍ଯ୍ୟାୟ। ଝାଡ଼ଖଣ୍ଡରେ ଉଭୟ ଫେଜରେ ବମ୍ପର ଭୋଟିଂ ହୋଇଛି।

ଠକେଇ ଟଙ୍କାରେ ଫିଲ୍ମ ନିଶା, ଅନଲାଇନ୍ ଟ୍ରେଡିଂ ଆଳରେ ଚୂନ

ଭୁବନେଶ୍ୱର : ସାଇବର ଠକେଇ ଟଙ୍କାରେ ଫିଲ୍ମ କରିବା ନିଶା । ଅନଲାଇନ୍ ଟ୍ରେଡିଂ ଜରିଆରେ ଠକେଇ କରୁଥିବା ଏକ ସାଇବର ଠକକୁ ତାମିଲନାଡୁରୁ ଗିରଫ କରିଛି କମିଶନରେଟ ପୋଲିସର ସାଇବର ଟିମ୍ । ଗିରଫ ଅଭିଯୁକ୍ତ ହେଲେ ତାମିଲନାଡୁର ଚେନ୍ନାଇରେ ରହୁଥିବା ପ୍ରକାଶ ଏମ୍ । ଏକ ହ୍ୱାଟସପ୍ ଗ୍ରୁପ ଜରିଆରେ ଏହି ଠକେଇ କରାଯାଇଥିଲା । ଏହି ଜରିଆରେ ମେସେଜ୍ ଦେବା ସହ ଅନଲାଇନ୍ ଟ୍ରେଡିଂ କରିବା ନେଇ ସମସ୍ତଙ୍କୁ ଉତ୍ସାହିତ କରାଯାଉଥିଲା । ଯେଉଁଥିରେ ଉତ୍ସାହିତ ହୋଇ ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳର ଜଣେ ମହିଳା ୧୯ ଲକ୍ଷ ୫୦ ହାଜର ଟଙ୍କା ବିନିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଠକେଇର ମାଷ୍ଟରମାଇଣ୍ଡକୁ ତାମିଲନାଡୁରେ ଠାବ କରାଯାଇଥିଲା । ଗିରଫ ଅଭିଯୁକ୍ତ ଆକାଉଣ୍ଟ୍ ରେ ୬୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଥିବା ବେଳେ ତାହାକୁ ଜବତ କରାଯାଇଛି । ଠକେଇ ଟଙ୍କାରେ ଫିଲ୍ମ ନିର୍ମାଣ କରିବା ପାଇଁ ଯୋଜନା କରୁଥିଲା ଠକ । ଯଦି ଆଉ କୌଣସି ଓଡ଼ିଆ ଲୋକେ ଏଭଳି ଠକେଇର ଶିକାର ହୋଇଥାନ୍ତି ତେବେ ଅଭିଯୋଗ କଲେ, ଅଭିଯୋଗ ମୁତାବକ ତଦନ୍ତ କରାଯିବ ବୋଲି କହିଛନ୍ତି ଡିସିପି ।

ବାଘ ମାରି ମାଂସ ଖାଇବା ଘଟଣା : ପିସିସିଏଫ୍ କହିଲେ, ସଭ୍ୟ ସମାଜରେ ଏହାର ନାହିଁ ସ୍ଥାନ

ନୂଆପଡ଼ା : ନୂଆପଡ଼ାରେ କଲରାପତରିଆ ବାଘ ମାରି ମାଂସ ରୋଷେଇ କରି ଖାଇବା ପ୍ରସଙ୍ଗ । ଜନସାଧାରଣଙ୍କୁ ବନ୍ୟପ୍ରାଣୀ ପିସିସିଏଫଙ୍କ ଆହ୍ଵାନ । ବାଘଖିଆଙ୍କୁ ସାମାଜିକ ବାସନ୍ଦ କର । ମହାବଳ ବାଘ ହେଉ କି କଲରାପତରିଆ ଡିଫିକଲ୍ଟ ପରିସ୍ଥିତିରେ ମଣିଷ ଶିକାର କରିଥାନ୍ତି । କିନ୍ତୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳୁଛି ଲୋକେ କଲରାପତରିଆ ବାଘ ମାଂସ ଖାଉଛନ୍ତି । ସଭ୍ୟ ସମାଜରେ ଏହାର କୌଣସି ସ୍ଥାନ ନାହିଁ । ସେମାନେ ସଭ୍ୟ ସମାଜରେ ରହିବାକୁ ଯୋଗ୍ୟ ନୁହନ୍ତି । ଅନୁରୋଧ, ଲୋକମାନେ ଏଭଳି ବ୍ୟକ୍ତିଙ୍କୁ ସାମାଜିକ ବାସନ୍ଦ କରନ୍ତୁ । କଲରାପତରିଆ ବାଘ ଶିକାର କରି ଖାଇବା ପରେ ବନ ବିଭାଗ ଅଧିକାରୀ ତାଙ୍କୁ ଧରିଛନ୍ତି । କାରଣ ବନ ବିଭାଗ ଦ୍ଵାରା ସବୁ ବନ୍ୟଜନ୍ତୁଙ୍କୁ ଟ୍ରାକ କରିବା ସମ୍ଭବ ନୁହେଁ । ଲୋକମାନେ ଏନେଇ ସଚେତନ ହେବା ଜରୁରୀ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

ନ୍ଯାୟ ପାଇଁ ୪୩ ବର୍ଷ ଧରି ସଂଘର୍ଷ; ସୈନିକରୁ ସାଜିଥିଲେ ଦିନ ମଜୁରିଆ 

ଆସିକା : ବର୍ଷେ କି ଦୁଇ ବର୍ଷ ନୁହଁ, ନ୍ଯାୟ ପାଇଁ ଦୀର୍ଘ ୪୩ ବର୍ଷ ଧରି ସଂଘର୍ଷ । ଏହି ସଂଘର୍ଷ କରୁଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ହରିଡାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀ ଗାଁର ବୁଦ୍ଧିମନ୍ତ ବେହେରା । ବୟସ ପାଖାପାଖି ୬୮ ଛୁଇଁଲାଣି । ୧୯୭୫ ମସିହା ଫେବୃଆରୀ ୨୦ରେ ଭାରତୀୟ ସ୍ଥଳ ସେନାର ମିଲେଟାରୀ ଇଂଜିନିୟରିଂ ସର୍ଭିସରେ କ୍ରାପ୍ଟମେନ ଭାବେ ଯୋଗ ଦେଇଥିଲେ ବୁଦ୍ଧିମନ୍ତ । ସ୍ଥଳ ସେନାରେ ପାଞ୍ଚ ବର୍ଷ କାର୍ଯ୍ୟ କରିଥିଲେ ।

ସେ ୧୯୮୧ ମସିହାରେ ପାରିବାରିକ ସମସ୍ୟା ଭିତରେ ବିନା ଦୋଷରେ ଚାରୋଟି ଅପରାଧିକ ମାମଲାରେ ଛନ୍ଦି ହୋଇଯାଇଥିଲେ । ଶେଷରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ସେ  ଆଇନର ଆଶ୍ରୟ ନେଇଥିଲେ  । ଏସବୁ ଭିତରେ ନିର୍ଦ୍ଧାରିତ ସମୟରେ ସେ ନିଜ କାର୍ଯ୍ୟରେ ଯୋଗ ଦେଇପାରିନଥିଲେ । ଫଳରେ ଭାରତୀୟ ସ୍ଥଳ ସେନା ବୁଦ୍ଧିମନ୍ତକୁ ଡ଼ିସେମ୍ବର ୧୯୮୧ ରେ ଚାକିରୀରୁ ବାହାର କରିଥିଲା । ପରେ ସମସ୍ତ ମାମଲାରୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେଇଥିଲେ ମଧ୍ୟ ତାଙ୍କୁ ଆଉ ସେଠାରେ କାର୍ଯ୍ୟକରିବାକୁ ସୁଯୋଗ ମିଳିନଥିଲା

ଅପର ପକ୍ଷରେ ବୁଦ୍ଧିମନ୍ତଙ୍କ ଚାକିରି ଯିବାପରେ ଅସହାୟ ହୋଇପଡିଥିଲା ପୂରା ପରିବାର । ସ୍ତ୍ରୀ ଆଉ ପାଞ୍ଚଟା ପିଲାଙ୍କ ପାଟିରେ ଦାନା ଦେବା ପାଇଁ ସେ ସୈନିକରୁ ସାଜିଥିଲେ ଦିନ ମଜୁରିଆ  । ଦିନ ମଜୁରି ଲାଗି ନିଜର ପରିବାର ପ୍ରତିପୋଷଣ  କଲେ  । ହେଲେ ଏବେ ବୁଦ୍ଧିମନ୍ତ ବୟସର ଅପରାହ୍ନରେ ପହଞ୍ଚି ସାରିଲେଣି ।  କାମ କରିବାକୁ ଦେହରେ ଆଉ ବଳ ନାହିଁ ।  ଦିନେ କାମ କରି ଖାଇଲେ ଆଉ ଦିନେ ଉପବାସ ରହିବାକୁ ପଡୁଛି  । ଏସବୁ ଭିତରେ ବି ନ୍ୟାୟ ପାଇଁ ଆଜି ବି ସଂଘର୍ଷ ଜାରି ରଖିଛନ୍ତି ବୁଦ୍ଧିମନ୍ତ । ଖୁବଶୀଘ୍ର ସମସ୍ତ ପେନସନ ଟଙ୍କା ଦେଇ ତାଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି ଆଇନଜୀବୀ ।

ଘଟଣାରେ ନ୍ଯାୟ ପାଇବା ପାଇଁ ବହୁଥର ଓଡିଶା ଉଚ୍ଚ ନ୍ୟାୟାଳୟ ଠାରୁ ରାଜ୍ୟପାଳ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଜାତୀୟ ମାନବାଧିକାର କମିଶନ, ଏସସିଏସଟି କମିଶନ ଆଗରେ ଗୁହାରି କରିଛନ୍ତି ବୁଦ୍ଧିମନ୍ତ । ହେଲେ ଏପର୍ଯ୍ଯନ୍ତ ତାଙ୍କୁ ନ୍ଯାୟ ମିଳିପାରିନାହିଁ ।

ରାୟଗଡ଼ାରେ ଶିଶୁକନ୍ଯା ବିକ୍ରି ଅଭିଯୋଗ ଘଟଣା : ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲା ଛୁଆ

ରାୟଗଡ଼ା : ରାୟଗଡ଼ାରେ ଶିଶୁକନ୍ଯା ବିକ୍ରି ଅଭିଯୋଗ ଘଟଣା । ଆନ୍ଧ୍ରପ୍ରଦେଶର ମାନ୍ୟମ ଜିଲ୍ଲାର ପେଦାପେଙ୍କି ଗାଁରୁ ବିକ୍ରି ହୋଇଥିବା ଶିଶୁକନ୍ୟାକୁ ଉଦ୍ଧାର କଲା, ରାୟଗଡା ସିଡବ୍ଲୁସି । ଏହାପରେ ଜେକେପୁର ଚାନ୍ଦିଲି ଥାନା ନୂଆପଡ଼ା ସାହିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଶିଶୁ ମଙ୍ଗଳ କମିଟି-ସିଡବ୍ଲ୍ଯୁସି । ରାୟଗଡା ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ଓ ତହସିଲଦାର ପ୍ରିୟଦର୍ଶିନୀ ସ୍ୱାଇଁ ପ୍ରମୁଖ ଶିଶୁକନ୍ୟାର ଘରକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

ଶିଶୁକନ୍ୟାକୁ କିଣିଥିବା ଦମ୍ପତ୍ତିଙ୍କ କହିବା ହେଲା,ଶିଶୁର ଜନ୍ମଦାତାଙ୍କ ସ୍ବୀକୃତି କ୍ରମେ କୋର୍ଟପେପରରେ ଲେଖି ଶିଶୁକନ୍ୟା ସନ୍ତାନକୁ ଗ୍ରହଣ କରିଛନ୍ତି । ଏହାସହିତ କହିଛନ୍ତି, ସରକାରୀ ନିୟମ ସେମାନଙ୍କୁ ଜଣାନାହିଁ । ଯଦି ଶିଶୁକନ୍ୟାର ବାପାମାଆ ପିଲାକୁ ତାଙ୍କୁ ହସ୍ତାନ୍ତର କରିବାକୁ ରାଜି ଅଛନ୍ତି ତେବେ ଯାହା ସରକାରୀ ନିୟମ ରହିଛି ସେ ଅନୁସାରେ କନ୍ଯା ଗ୍ରହଣ କରିବେ ।

ଗରିବୀ ଯୋଗୁଁ ପିଲା ବିକ୍ରି ଅଭିଯୋଗକୁ ସିଡବ୍ଲ୍ଯୁସି ଅସ୍ବୀକାର କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଗତକାଲି ସାମନାକୁ ଆସିବା ପରେ ସାରା ରାଜ୍ଯରେ ହଇଚଇ ସୃଷ୍ଟି ହୋଇଥିଲା । ଗରିବ ଓ ଅସହାୟ ଦମ୍ପତ୍ତି ନିଜର ୯ ଦିନର କନ୍ୟା ସନ୍ତାନକୁ ପଡୋଶୀ ଆନ୍ଧ୍ର ପ୍ରଦେଶର ଜଣେ ନିଃସନ୍ତାନ ବ୍ୟକ୍ତିଙ୍କୁ ୨୦ହଜାର ଟଙ୍କା ବଦଳରେ ଟେକି ଦେଇଥିବା ଅଭିଯୋଗ ହୋଇଥିଲା ।

ନୂଆପଡା ବସ୍ତିର ରାହୁଲ ଧାନବାଡ଼ି ଓ କୁମୁଦ ଗାଣ୍ଠାଙ୍କ ଚଳିତ ମାସ ୩ ତାରିଖରେ ଦ୍ବିତୀୟ କନ୍ୟା ସନ୍ତାନ ଜନ୍ମ ହୋଇଥଲା। ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲାର ପେଦାପେଙ୍କି ଗାଁର ନିଃସନ୍ତାନ କପାଲା ରାଜଶେଖରଙ୍କୁ ବିକ୍ରି କରିଥିବା ଅଭିଯୋଗ ହେବାପରେ ଜିଲ୍ଲାପ୍ରଶାସନ ତଦନ୍ତ ଆରମ୍ଭ କରିଥିଲା । ସେପଟେ ଅସହାୟ ଦମ୍ପତିଙ୍କୁ ଚାଉଳ ମିଳୁ ନଥିଲା ବୋଲି କହିଛନ୍ତି ଶିଶୁର ମା।

ଫେବୃଆରୀ ୧୮ରୁ +୨ ପରୀକ୍ଷା ଆରମ୍ଭ, କେଉଁ ଦିନ କେଉଁ ବିଷୟ ଜାଣନ୍ତୁ…

ଭୁବନେଶ୍ୱର : ଯୁକ୍ତ ୨ ପାଇଁ ଆସିଲା ପରୀକ୍ଷା ସୂଚୀ। ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ମାର୍ଚ୍ଚ ୨୭ରେ ସରିବ ଯୁକ୍ତ ୨ ପରୀକ୍ଷା। ଫେବୃଆରୀ ୧୮ରେ ଓଡ଼ିଆ ବିଷୟରେ ପରୀକ୍ଷା ଦେବେ ବିଜ୍ଞାନ ଛାତ୍ରଛାତ୍ରୀ। ଫେବୃଆରୀ ୧୯ରେ ଓଡ଼ିଆ ବିଷୟରେ ପରୀକ୍ଷା ଦେବେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ। ଫେବୃଆରୀ ୨୦ ତାରିଖରେ ଇତିହାସ, ଆକାଉଣ୍ଟାନ୍ସି ଓ ପଦାର୍ଥ ବିଜ୍ଞାନ ବିଷୟରେ ପରୀକ୍ଷା ଦେବେ ଧନ୍ଦାମୂଳକ ଛାତ୍ରଛାତ୍ରୀ।

୨୨ ଫେବୃଆରୀରେ ଇଂରାଜୀ ବିଷୟରେ ପରୀକ୍ଷା ଦେବେ ବିଜ୍ଞାନ ଛାତ୍ରଛାତ୍ରୀ। ୨୪ ଫେବୃଆରୀରେ ଧନ୍ଦାମୂଳକର ରାଜନୀତି ବିଜ୍ଞାନ, ବିଜନେସ ଷ୍ଟଡିଜ୍ ଓ ରସାୟନିକ ବିଜ୍ଞାନ ପରୀକ୍ଷା ରହିଛି। ୨୫ ଫେବୃଆରୀରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ଇଂରାଜୀ ବିଷୟରେ ପରୀକ୍ଷା ଦେବେ। ସେହିପରି ୨୮ ଫେବୃଆରୀରେ ଫିଜିକ୍ସ ବିଷୟରେ ପରୀକ୍ଷା ଦେବେ ବିଜ୍ଞାନ ଛାତ୍ରଛାତ୍ରୀ ଓ ଗଣିତ ବିଷୟରେ ପରୀକ୍ଷା ଦେବେ ଧନ୍ଦାମୂଳକ ଛାତ୍ରଛାତ୍ରୀ। ମାର୍ଚ୍ଚ ୪ ତାରିଖରେ କଳା ଷ୍ଟ୍ରିମର ଇତିହାସ, ବାଣିଜ୍ୟର ବିଜନେସ ଷ୍ଟଡିଜ ଓ ବିଜ୍ଞାନର ଜିଓଲୋଜି ପରୀକ୍ଷା ରହିଛି। ମାର୍ଚ୍ଚ ୭ ତାରିଖରେ ବିଜ୍ଞାନ ଷ୍ଟ୍ରିମର ରସାୟନିକ ବିଜ୍ଞାନ ଓ ଧନ୍ଦାମୂଳକର ଇଂରାଜୀ ପରୀକ୍ଷା ହେବ। ମାର୍ଚ୍ଚ ୮ ତାରିଖରେ କଳାର ରାଜନୀତି ବିଜ୍ଞାନ, ବାଣିଜ୍ୟର ବିଜନେସ ମ୍ୟାଥମେଟିକ୍ସ ଓ ଷ୍ଟାଟିଟିକ୍ସ ପରୀକ୍ଷା ରହିଛି।

ମାର୍ଚ୍ଚ ୧୦ରେ କଳା, ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀ ଅନ୍ୟାନ୍ୟ ଏମଆଇଏଲ ବିଷୟରେ ପରୀକ୍ଷା ଦେବେ। ମାର୍ଚ୍ଚ ୧୩ରେ କଳା ଓ ବିଜ୍ଞାନ ଛାତ୍ରୀଙ୍କର ଇଲେକ୍ଟିଭ ପରୀକ୍ଷା ରହିଛି। ୧୭ ମାର୍ଚ୍ଚରେ କଳା ଓ ବିଜ୍ଞାନର ଗଣିତ ପରୀକ୍ଷା ହେବ। ସେହିଦିନ ହୋମ ସାଇନ୍ସ ନେଇଥିବା ଛାତ୍ରଛାତ୍ରୀ ବି ପରୀକ୍ଷା ଦେବେ। ମାର୍ଚ୍ଚ ୧୯ରେ ବିଜ୍ଞାନ ଓ କଳା ଛାତ୍ରଛାତ୍ରୀଙ୍କର ଭୂଗୋଳ ପରୀକ୍ଷା ରହିଛି। ମାର୍ଚ୍ଚ ୨୦ରେ ବିଜ୍ଞାନ ଓ କଳା ଛାତ୍ରଛାତ୍ରୀଙ୍କର ଅର୍ଥନୀତି ପରୀକ୍ଷା ଓ ପର୍ସନାଲ ମ୍ୟାନେଜମେଣ୍ଟ ବିଷୟରେ ପରୀକ୍ଷା ଦେବେ କଳା ଛାତ୍ରଛାତ୍ରୀ।

୨୧ ମାର୍ଚ୍ଚରେ କଳା, ବିଜ୍ଞାନ ଓ ବାଣିଜ୍ୟର ଆଇଟି ପରୀକ୍ଷା, ସେହିଦିନ କମ୍ପ୍ୟୁଟର ସାଇନ୍ସ, ବାୟୋଟେକ୍ନୋଲୋଜି ଓ ଇଲେକ୍ଟ୍ରୋନିକ୍ସ ପରୀକ୍ଷା ଦେବେ ବିଜ୍ଞାନ ଛାତ୍ରଛାତ୍ରୀ। ମାର୍ଚ୍ଚ ୨୨ ତାରିଖରେ ଭାରତୀୟ ସଙ୍ଗୀତ, ସାଇକୋଲୋଜି ଓ ଏଜୁକେଶନ ବିଷୟରେ ପରୀକ୍ଷା ଦେବେ କଳାର ଛାତ୍ରଛାତ୍ରୀ। ମାର୍ଚ୍ଚ ୨୪ରେ କଳା ଓ ବିଜ୍ଞାନର ଷ୍ଟାଟିଟିକ୍ସ ପରୀକ୍ଷା ସହ କଳା ଛାତ୍ରଛାତ୍ରୀଙ୍କର ଆନ୍ଥ୍ରୋପୋଲୋଜି ଓ ସୋସିଓଲୋଜି ବିଷୟରେ ପରୀକ୍ଷା ରହିଛି। ମାର୍ଚ୍ଚ ୨୬ରେ ବଟନୀ ଓ ଜୁଲୋଜୀ ପରୀକ୍ଷା ରହିଛି। ମାର୍ଚ୍ଚ ୨୭ରେ କଳାର ଲଜିକ, ବାଣିଜ୍ୟର ଆକାଉଣ୍ଟାନ୍ସି ପରୀକ୍ଷା ରହିଛି। ସମାନ ଦିନରେ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷା ରହିଛି। ଏହା ପୂର୍ବରୁ ଡିସେମ୍ବର ୨୩ରୁ ୩୦ ଯାଏଁ ଚାଲିବ ଇଣ୍ଟରନାଲ ଆସେସମେଣ୍ଟ। ଜାନୁଆରୀ ୨ ରୁ ୧୨ ତାରିଖ ଯାଏଁ ଚାଲିବ ପ୍ରାକ୍ଟିକାଲ ପରୀକ୍ଷା। ସକାଳ ୧୦ରୁ ଦିନ ୧ଟା ଯାଏଁ ଚାଲିବ ପରୀକ୍ଷା। ସିସିଟିଭି ନଜରରେ ରହିବ ପରୀକ୍ଷା କେନ୍ଦ୍ର। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୭ ମୃତ

ଇସଲାମାବାଦ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୭ ମୃତ  । ଆତଙ୍କବାଦୀ ମାନେ ବୁଧବାର ଦିନ ୨ଟା ବେଳେ ଉତ୍ତର- ପଶ୍ଚିମ ଚେକପଏଣ୍ଟରେ ଏକ ଭୟଙ୍କର ବିସ୍ଫୋରଣ କରିଛନ୍ତି । ଯେଉଁଥିରେ  ୧୭ଜଣ ଯବାନ ନିହତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ସୂଚନା ମୁତାବତ ଖାଇବର ପଖତୁନଖ୍ୱା ପ୍ରଦେଶର ବାନୁ ଜିଲ୍ଲାର ମାଲିଖେଲ ଠାରେ ଏହି ବିସ୍ଫୋରଣ ଘଟିଛି । ଏହି ଚେକ୍ ପଏଣ୍ଟରେ ଆତଙ୍କବାଦୀ ଏକ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଏକ ଗାଡି ଏଠାରେ ଛାଡି ଦେଇଥିଲେ । ଯାହା ଫଳରେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା  ।

ଜଣେ ପାକିସ୍ତାନୀ ସେନା ଅଧିକାରୀଙ୍କ ଅନୁଯାୟୀ, ଆତଙ୍କବାଦୀଙ୍କୁ ନିପାତ ପାଇଁ ସେନା କ୍ୟାମ୍ପରେ ଯୋଜନା ଚାଲିଥିବା ବେଳେ ଏପରି ଅଘଟଣ ହୋଇଛି । ଯାହାର ଯବାବ ନିଶ୍ଚୟ ଦିଆଯିବ ଏବଂ ଏହି ହତ୍ୟାକାରୀ ଆତଙ୍କବାଦୀଙ୍କୁ ଖୋଜି ନିପାତ କରାଯିବ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, ସର୍ଚ୍ଚ  ଅପରେସନରେ ୬ ଅତଙ୍କବାଦୀଙ୍କ ଏନକାଉଣ୍ଟର କରାଯାଇଛି । ହେଲେ ଏହି ଆତ୍ମଘାତୀ ଆକ୍ରମଣ ପଛରେ କାହା କାହାର ହାତ ଅଛି ତାହା ନେଇ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ ।

୨୯ରେ ଡିଜିପି ସମ୍ମିଳନୀ, ଓଡ଼ିଶା ପୋଲିସ ତତ୍ପର : ପେଶାଦାର ଅପରାଧୀଙ୍କୁ ହାଜିରା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ୨୯ ତାରିଖରୁ ତିନି ଧରି ଚାଲିବ ଡିଜିପି ସମ୍ମିଳନୀ । ତାପୂର୍ବରୁ ସୁରକ୍ଷା ନେଇ ଓଡ଼ିଶା ପୋଲିସ ତତ୍ପର ହୋଇଉଠିଛି । ପେଶାଦାର ଅପରାଧୀଙ୍କୁ ହାଜିରା ପାଇଁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ସ୍ଥାନୀୟ ଥାନାରେ ହାଜିରା ଦେବା ପାଇଁ ପେଶାଦାର ହାର୍ଡକୋର ଅପରାଧୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ଉପଦେଷ୍ଟା ଯୋଗଦେବେ । ସେହିପରି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ମଧ୍ଯ ସମ୍ମିଳନୀରେ ଯୋଗଦେବେ ।

ଏହା ସହ ବିଭିନ୍ନ ସୁରକ୍ଷା ସଂସ୍ଥାର ମୁଖ୍ଯମାନେ ମଧ୍ଯ ଯୋଗଦେବେ । ଜାତୀୟ ସ୍ତରରେ ଥିବା ସୁରକ୍ଷା ଜନିତ ସମସ୍ୟା ସମ୍ପର୍କରେ ସମ୍ମିଳନୀରେ ଆଲୋଚନା କରାଯିବ । ପ୍ରଥମ ଦିନ ଗୃହମନ୍ତ୍ରୀ ଏହି ସମ୍ମିଳନୀକୁ ଉଦଘାଟନ କରିବେ । ଦ୍ୱିତୀୟ ଦିନ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗଦେବାର ସମ୍ଭାବନା ରହିଛି । ସରକାରଙ୍କ ବିଭିନ୍ନ ଏଜେଣ୍ଡା ସମ୍ପର୍କରେ ଆଲୋଚନା ହେବ । ଏଥିପାଇଁ ଅତିଥି ରହିବା ସ୍ଥାନ, ମିଟିଂ ସ୍ଥାନରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଜିପି ୱାଇ ବି ଖୁରାନିଆ ।

ବଡ଼ ବିପଦ ସୃଷ୍ଟି କରିବାକୁ ଯାଉଛି ଆଣ୍ଟିବାୟୋଟିକ୍ ଔଷଧ

ନନ୍ଦିଘୋଷ ବ୍ୟୁରୋ: ଭବିଷ୍ୟତରେ ବଡ଼ ବିପଦ ସୃଷ୍ଟି କରିବାକୁ ଯାଉଛି ଆଣ୍ଟିବାୟୋଟିକ୍ ଔଷଧ । ମଣିଷ ସହିତ ଗୃହପାଳିତ ପଶୁପକ୍ଷୀ ଓ କୃଷିକ୍ଷେତ୍ରରେ ମଧ୍ୟ ଏହାକୁ ବ୍ୟବହାର କରାଯାଉଛି । ଏହା ମଣିଷ ଶରୀର ଉପରେ ଯେତିକି ପ୍ରଭାବ ପକାଉଛି, ସେତିକି ପଶୁପକ୍ଷୀଙ୍କ ଉପରେ ବିପରୀତ ପ୍ରଭାବ ପକାଉଛି । ଯାହା ଆଗାମୀ ଦିନରେ ବଡ଼ ବିପଦ ଆଣିପାରେ । ବିନା ଡାକ୍ତର ପରାମର୍ଶରେ ଏହି ଔଷଧକୁ ବ୍ୟବାହର କଲେ ଶରୀରକୁ ଘାତକ ହୋଇଥାଏ । ଏହାଦ୍ଵାରା ରୋଗ ପ୍ରତିଶୋଧକ ଶକ୍ତି ହ୍ରାସ ପାଇ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାଏ । ଏ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ଗତ କିଛି ମାସ ପୂର୍ବରୁ ସତର୍କ କରାଇଛି । ଏବେଠାରୁ ସଚେତନ ହେବାର ଆବଶ୍ୟକତା ରହିଛି । ଓୟୁଏଟି ଭୁବନେଶ୍ଵର ପକ୍ଷରୁ ବିଶ୍ଵ ଆଣ୍ଟିମାଇକ୍ରୋବାୟାଲ ରେଜିଷ୍ଟାଂସ ଆୱାରନେଶ ସପ୍ତାହ ପାଳନ ଅବସରରେ ଏହା କହିଛନ୍ତି ଡାକ୍ତର ଦେବାଶିଷ ଦାସ । କାର୍ଯ୍ୟକ୍ରମରେ ବୈଜ୍ଞାନିକ, ଡାକ୍ତରମାନେ ଭାଗନେଇଥିଲେ । ଆଗକୁ କିଭଳି ଗ୍ରାମୀଣ ସ୍ତରରେ ସମସ୍ତେ ସଚେତନ ହୋଇପାରିବେ ସେନେଇ ବିସ୍ତୃତ ଆଲୋଚନା କରାଯାଇଛି।