spot_img
Home Blog Page 1342

ଶ୍ରୀବୈକୁଣ୍ଠ ଧାମ ଆଶ୍ରମରେ ପୋଲିସ ମୁତୟନ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମରେ ପୋଲିସ ମୁତୟନ।ରାତି ଅଧରେ ଆଶ୍ରମକୁ ଜଗିଲେ ପୋଲିସ। ଆଜି ସ୍ଥାନୀୟ ଲୋକେ ଆଶ୍ରମକୁ ଧସେଇ ପଶିବା ସହ ସେଠାରେ ଥିବା ଅନ୍ତେବାସୀଙ୍କୁ ମାରଧର କରିଥିଲେ। ଏହାକୁ ନେଇ ଆଶ୍ରମରେ ପୋଲିସ ମୁତୟନ ହୋଇଛନ୍ତି।ଦିନ ତମାମ ଉତ୍ତେଜନା ପରେ ସାଧାରଣ ଲୋକେ ଜୋରଦାର ବିରୋଧ କରିଥିଲେ। ପରିସ୍ଥିତିକୁ ଦେଖି ପୋଲିସ ଆଶ୍ରମକୁ ଜଗିଛନ୍ତି। ଧର୍ମ ନାମରେ ବେପାର ଚାଲିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ୧୮ ବର୍ଷର ଯୁବକୁ ଭଗବାନ ସଜାଇ ନିରୀହ ଲୋକଙ୍କୁ ଠକୁ ଥିଲେ ଶ୍ରୀବୈକୁଣ୍ଠ ଧାମ ଆଶ୍ରମ ମୁଖ୍ୟ। ଭଗବାନ ଜଗନ୍ନାଥଙ୍କ ରୂପରେ ନାବାଳକ ନାମିଦାମି ଗାଡ଼ି ଚଢ଼ୁଥିବାବେଳେ ଜିମ ସରଞ୍ଜାମ  ରଖି ଅଭ୍ୟାସ କରୁଛନ୍ତି।

ବଢ଼ିଲା ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ଯକ୍ରମ ଅବଧି

ନନ୍ଦିଘୋଷ ବ୍ୟୁରୋ: ବଢ଼ିଲା ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ଯକ୍ରମ ଅବଧି। ରାତି ୧୦ଟା ବଦଳରେ ରାତି ୧୦.୩୦ଟା ଯାଏ ଚାଲିବ କାର୍ଯ୍ୟକ୍ରମ। ଏନେଇ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି ଆଉ ଅଧ ଘଣ୍ଟାଏ ବଢାଇବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି। ହଜାର ହଜାର ଦର୍ଶକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ଗତକାଲି ବାଲିଯାତ୍ରାରେ ବୈଷ୍ଣବ ପାଣି ମଞ୍ଚରେ ଅସୀମା ପଣ୍ଡାଙ୍କ କାର୍ଯ୍ୟକ୍ରମ ଚାଲିଥିଲା। ହେଲେ ରାତି ୧୦ଟା ହୋଇଯିବାରୁ ପୋଲିସ ଆସି ମାଇକ ବନ୍ଦ କରିଦେଇଥିଲା। ଏହା ସହ ମଞ୍ଚ ନିକଟକୁ ଯାଇ କାର୍ଯ୍ଯକ୍ରମକୁ ବନ୍ଦ କରିବା ଲାଗି ପୋଲିସ କହିଥିଲା। ଏହି ଘଟଣାକୁ ନେଇ ସେଠାରେ ହୋହଲ୍ଲା ପରିଲକ୍ଷିତ ହୋଇଥିଲା।

ଓଭରଟେକ ବେଳେ ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ବସ୍, ୩ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ରଣପୁର ଥାନା ଲୋଧାଚୁଆ ଆରଆଇ ଅଫିସ ସାମ୍ନାରେ ମର୍ମନ୍ତୁଦ ଦୁର୍ଘଟଣା। ଯାତ୍ରୀବାହୀ ବସକୁ ବାଇକ ଓଭର ଟେକ କରୁଥିବାରୁ ବିପରୀତ ଦିଗରୁ ଆସୁଥିବା ବାଇକ ସହ ହେଲା ଧକ୍କା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ଯୁ ଘଟିଛି। ସୂଚନା ଅନୁଯାଇ ଚୌଧୁରୀ ନାମକ ଏକ ଯାତ୍ରୀବାହି ଘରୋଇ ବସ ଚାନ୍ଦପୁରରୁ ରାଜ ସୁନାଖେଳା ଅଭିମୁଖେ ଯାଉଥିବା ବେଳେ ଲୋଧାଛୁଆ ଛକଠାରେ ରାଜ ସୁନାଖେଳା ପଟୁ ଯାଉଥିବା ଏକ ବାଇକ ବସକୁ ଓଭର ଟେକ କରିବା ସମୟରେ ବସଟି ବାଇକକୁ ଧକ୍କା ଦେଇଥିଲା।  ଫଳରେ ବାଇକ ଆରୋହୀ ବସ ଚକାତଳେ ପଡି ଯିବାରୁ ବସଟି ୩ ଜଣ ଯୁବକଙ୍କ ଉପର ଚାପି ହୋଇ ଯିବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ଯ ଜଣଙ୍କୁ ନିକଟସ୍ଥ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ଯୁ ଘଟିଥିଲା। ଘଟଣାସ୍ଥଳରେ ରଣପୁର ପୋଲିସ ପହଂଚି ଶବକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି। ମୃତକ ତିନି ଜଣ ହେଲେ ଚାନ୍ଦପୁର ଅଂଚଳର ବିଜୟ ସାହୁ, ରଣପୁର ଅଂଚଳର କାଳିଆ ମହାପାତ୍ର, ସୁନାଖେଳା ଅଂଚଳର ସୁଶାନ୍ତ ରଣା।

ଜାତୀୟ ରାଜଧାନୀ ଦିଲ୍ଲୀରେ ହିଟ ଆଣ୍ଡ ରନ, ଜଣେ ମହିଳା ଦୁଇ ବୃଦ୍ଧଙ୍କୁ ଧକ୍କା ଦେଲା ବେକାବୁ କାର

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ହିଟ ଆଣ୍ଡ ରନ। ଜଣେ ମହିଳାଙ୍କୁ ଧକ୍କା ଦେଇ ଦୁଇ ବୃଦ୍ଧଙ୍କୁ ଧକ୍କା ଦେଲା ବେକାବୁ କାର। ଧକ୍କା ଦେବା ପରେ ଅନେକ ମିଟର ଘୋଷଡ଼ି ନେଇଗଲା କାର। ଦୁର୍ଘଟଣାରେ ମହିଳା ସମେତ ଅନ୍ୟ ଦୁଇ ବୃଦ୍ଧଙ୍କ ମୃତ୍ଯୁ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ  ଉତ୍ତମନଗର ଟର୍ମିନାଲ ନିକଟରେ ଘଟିଥିଲା ଏ ଦୁର୍ଘଟଣା। କାରଟି ଦ୍ରୁତ ଗତିରେ ଯାଉଥିବାରୁ ଘଟିଛି ଏ ଦୁର୍ଘଟଣା। ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ବରିଷ୍ଠ ନାଗରିକ ମଧ୍ୟ ରହିଛନ୍ତି। ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି କାର ମାଲିକ।

’ରାଣ୍ଡୀପୁଅ ଅନନ୍ତା’ ଲେଖାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ମନୋଜ ମିଶ୍ରଙ୍କୁ ସବୁଆଡ଼େ ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ ଆକ୍ଷେପ କରି ଅଭିନେତା ମନୋଜ ମିଶ୍ର ଦେଇଥିବା ମନ୍ତବ୍ୟକୁ ସବୁଆଡ଼େ ନିନ୍ଦା। ବାଲେଶ୍ଵରର ସାହିତ୍ୟିକମାନେ କହିଛନ୍ତି, ଓଡ଼ିଆ ଭାଷା, ସାହିତ୍ୟ ପାଇଁ ଜୀବନବ୍ୟାପି ସଂଗ୍ରାମ କରିଥିବା ବ୍ୟାସକବିଙ୍କୁ ସଠିକ୍‌ ଭାବେ ଜାଣି ନାହାନ୍ତି ମନୋଜ । ଫକୀର ମୋହନଙ୍କର କାଳଜୟୀ ଉପନ୍ୟାସକୁ ନ ପଢି କେଉଁଠୁ ଶୁଣି ସାହିତ୍ୟ ସ୍ରଷ୍ଟାଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବା ଏକ ଅର୍ଦ୍ଧ ପାଗଳର ବିଳାପ। କଲିକତାରୁ ଶଗଡ଼ରେ ପ୍ରିଣ୍ଟଂ ମେସିନ୍‌ ଆଣି ଓଡ଼ିଆ ଭାଷା ଛାପିଥିଲେ ବ୍ୟାସକବି। ତାଙ୍କୁ କପି କହିବା ଅର୍ଥ, ଓଡ଼ିଆ ଭାଷା, ସାହିତ୍ୟ ଓ ଜାତିକୁ ଉପହାସ କରିବା। ତୁରନ୍ତ ଓଡ଼ିଶାବାସୀଙ୍କ ନିକଟରେ ମନୋଜ ନିସର୍ତ୍ତ କ୍ଷମା କରିବାକୁ ଦାବି କରାଯାଇଛି। ସେହିପରି କିଛି ସାହିତ୍ୟିକ କହିଛନ୍ତି, ଓଡ଼ିଆ ସାହିତ୍ୟ ଉପରେ ଏମିତି ବିବାଦୀୟ ବୟାନ ଦେଲେ ଏହାକୁ ଆଇନଗତ ଭାବେ ବିରୋଧ କରାଯିବ। ତାଙ୍କୁ ଓଡ଼ିଆ ଭାଷା ସାହିତ୍ୟର ଶତ୍ରୁ ଭାବେ ବିବେଚନା କରାଯିବ। ରାଣ୍ଡି ପୁଅ ଅନନ୍ତା ଗୋଟିଏ ଓଡ଼ିଆ ରୁଢ଼ି। ତେଣୁ ସିନେମାର ନାମ ପରିବର୍ତ୍ତନ କାହିଁକି ହେବ ବୋଲି ପ୍ରଶ୍ନ କରାଯାଇଛି। ସେ ସମୟର ସ୍ଥିତିକୁ ଅନୁଶୀଳନ କରି ଫକୀର ମୋହନ ଏହା ଲେଖିଥିଲେ। ଫକୀରମୋହନ ସେନାପତିଙ୍କୁ କେହି ଟେକା ଫିଙ୍ଗିଲେ ସେ ଟେକା ତାଙ୍କ ଉପରେ ପଡ଼ିବ ବୋଲି କହିଛନ୍ତି ବିଶିଷ୍ଟ ଲେଖକ। ବିଧାୟକ ଗୌତମ ବୁଦ୍ଧ ଦାସ ମଧ୍ୟ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି। ଯଦି ସପ୍ତାହେ ଭିତରେ ମନୋଜ ମିଶ୍ର ତାଙ୍କର ଏହି ମନ୍ତବ୍ୟ ପାଇଁ କ୍ଷମା ନ ମାଗନ୍ତି, ତେବେ ତାଙ୍କ ବିରୋଧରେ କୋର୍ଟକୁ ଯିବା ସହିତ ଲେଖକମାନେ ପ୍ରତିବାଦ କରିବେ ବୋଲି କହିଛନ୍ତି ଗୌତମ ବୁଦ୍ଧ ଦାସ।

ଫାଇଲ ଯାଉଛି ରକେଟ ବେଗରେ, ଅଟକି ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ..

ନନ୍ଦିଘୋଷ ବ୍ୟୁରୋ: ଦୁର୍ନୀତି ନିବାରଣ ପାଇଁ ସ୍ଲୋଗାନ ହେଉଛି, ହେଲେ ଲୋକାୟୁକ୍ତ ନିଯୁକ୍ତି ହୋଇପାରୁନି। ସମସ୍ତଙ୍କୁ ସୂଚନା ଦେବା କଥା କୁହାଯାଉଛି, କିନ୍ତୁ ରାଜ୍ୟର ମୁଖ୍ୟ ସୂଚନା କମିଶନର ପଦବୀ ଖାଲି। ଓଡ଼ିଆ ଅସ୍ମିତାର ଭାଷଣ ହେଉଛି, ହେଲେ ସଂସ୍କୃତି ବିଭାଗ ଅଧୀନରେ ଥିବା ସାହିତ୍ୟ ଏକାଡ଼େମୀ, ସଙ୍ଗୀତ ଏକାଡ଼େମୀ, ଲଳିତ କଳା ଏକାଡ଼େମୀରେ କେହି ମୁଖିଆ ନାହାନ୍ତି। ଗୁରୁତ୍ବପୂର୍ଣ୍ଣ ପଦବୀ ଖାଲି ପଡ଼ିଥିବାରୁ କାମ ଆଗେଇ ପାରୁନାହିଁ। ପ୍ରାଶାସନିକ ସ୍ଥାଣୁତାର ଅନୁଭବ ହେଲାଣି। ସରକାରଙ୍କ ଏପରି ଆଭିମୁଖ୍ୟକୁ ବିଶେଷଜ୍ଞ ସମାଲୋଚନା କରିଛନ୍ତି।

ନିଷ୍ପତ୍ତି ନେବାରେ ଅହେତୁକ ବିଳମ୍ବ । ଫାଇଲ ଯାଉଛି ରକେଟ ବେଗରେ, ଅଟକି ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ । ପୂରଣ ହୋଇପାରୁନି ସାମ୍ବିଧାନିକ ପଦବୀ। ଘୋଷଣା ଅନେକ, ହେଲେ ବାସ୍ତବତା ବହୁ ପଛରେ। ଦୁର୍ନୀତି ମାମଲାର ତ୍ବରିତ ବିଚାର ପାଇଁ ଥିବା ଲୋକାୟୁକ୍ତ ଏବେ ସମ୍ପୂର୍ଣ୍ଣ ଅଚଳ। ନା ଅଛନ୍ତି ଲୋକପାଳ ନା ସଦସ୍ୟ। ୫୦୦ରୁ ଅଧିକ ମାମଲା ବିଚାର ହୋଇପାରୁନି କି ନୂଆ ମାମଲା ଗ୍ରହଣ ହେଉନାହିଁ। ଲୋକାୟୁକ୍ତ କିଏ ହେବେ, ନିଷ୍ପତ୍ତି ହୋଇପାରୁନାହିଁ। ବସିପାରୁନି ଚୟନ କମିଟି ବୈଠକ। ସେହିପରି ମୁଖ୍ୟ ସୂଚନା କମିଶନରଙ୍କ ପଦ ମଧ୍ୟ ଖାଲି। ସାଧାରଣ ଲୋକଙ୍କୁ ସଶକ୍ତ କରିବା ପାଇଁ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ କରିବାରେ ସୂଚନା କମିଶନରଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। କିନ୍ତୁ ଭାରପ୍ରାପ୍ତରେ ଚାଲିଛି ମୁଖ୍ୟ ପଦବୀ। ସେହିପରି ମାନବିକ ଅଧିକାର କମିଶନରେ ସଚିବ ପଦ ଫାଙ୍କା । ସରକାରଙ୍କ ଇଚ୍ଛା ଅନୁସାରେ ଯିଏ ଚାଲିବ, ସେମିତି ଲୋକଙ୍କୁ ଖୋଜା ଚାଲିଥିବାରୁ ଏହି ସବୁ ପଦବୀ ପୂରଣରେ ବିଳମ୍ବ ହେଉଥାଇପାରେ ବୋଲି ସମାଲୋଚନା କରିଛନ୍ତି ବିଶେଷଜ୍ଞ । ସେମାନେ କହିଛନ୍ତି, ସରକାର ଚଳଚଞ୍ଚଳ ଅଛି ବୋଲି ଖାଲି କଥାରେ ନୁହେଁ କାମରେ କରି ଦେଖାଇବାକୁ ପଡ଼ିବ।

ଓଡ଼ିଆ ଅସ୍ମିତାର ସ୍ଲୋଗାନ ଦିଆଯାଉଛି, ହେଲେ ସଂସ୍କୃତି ବିଭାଗ ଅଧୀନରେ ଥିବା ସବୁ ଏକାଡ଼େମୀରେ କେହି ମୁଖିଆ ନାହାନ୍ତି। ସେହି ସବୁ ଅନୁଷ୍ଠାନ ଏକପ୍ରକାର ଅଚଳ। ଏହା ଉପରେ ସରକାର ଗୁରୁତ୍ବ ଦେଲା ଭଳି ଅନୁଭବ ହେଉନାହିଁ। ପାରିବାରିକ ହିଂସା ବା ନିର୍ଯାତନା ବିରୋଧରେ ମହିଳାଙ୍କୁ ନ୍ୟାୟ  ଦେଉଥିବା ମହିଳା କମିଶନ ବି ଅଚଳ। ଲୋକାୟୁକ୍ତ ପଦବୀ ଖାଲି ପଡ଼ିବା ଉପରେ ଆଇନ ମନ୍ତ୍ରୀ କହିଛନ୍ତି, ଆଗକୁ ରାଜ୍ୟରେ ଲ କମିଶନ ଗଠନ ହେବ। ଲୋକାୟୁକ୍ତଙ୍କ ପରି କ୍ବାସି-ଜୁଡ଼ିସିଆରୀ ବଡ଼ି ଦୁଇ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ।

ରାଜ୍ୟରେ ବିଜେପି ସରକାର ଗଠନକୁ ୫ ମାସରୁ ଅଧିକ ବିତିଲାଣି। ଲୋକାଭିମୁଖୀ ଓ ଦୁର୍ନୀତିମୁକ୍ତ ପ୍ରଶାସନ ପାଇଁ ସ୍ଲୋଗାନ ଦିଆଯାଉଛି ସତ, ହେଲେ ଏହାର କାର୍ଯ୍ୟକାରିତା ସେହି ଅନୁସାରେ ପ୍ରତିଫଳିତ ହେଉନାହିଁ।

ଗଠନ ହୋଇନି ମ୍ଯାନେଜିଂ କମିଟି, ତଥାପି ବାହସ୍ଫୋଟ

ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ପାଇଁ କର୍ପସ ଫଣ୍ଡ । ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଏହା ସତ । ଯାହା କିଛି ପ୍ରଶ୍ନ ଠିଆ କରିଛି । ପୂର୍ବରୁ ତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏ ଦିଗରେ କର୍ପସ ଫଣ୍ଡର ବ୍ୟବସ୍ଥା କରିଥିଲେ । ଏଥରେ ନୂଆ କଣ ବୋଲି ବିଜେଡି ପ୍ରଶ୍ନ କରିଛି । ଅନ୍ୟ ଯୋଜନାର ନାଁ ଓ ରଙ୍ଗ ପରି ମହାପ୍ରଭୁଙ୍କ ନୀତିକାନ୍ତି ବଦଳିବାକୁ ଏହା ସରକାରଙ୍କ ଚକ୍ରାନ୍ତ ବୋଲି ବିଜେଡି ଯୁକ୍ତି ବାଢିଛି । ଏଯାଏ ପୁରୀରେ ପଟ୍ଟା ପାଉନଥିବା ଲୋକଙ୍କ ଆଗ ପଟ୍ଟ ଦେବାକୁ ଦାବି କରିଛି ବିଜେଡି । ସେପଟେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି କଂଗ୍ରେସ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିକୁ ନେଇ ଚାଲିଛି  ରାଜନୀତି। ରାଜ୍ଯ ସରକାରଙ୍କୁ ବିଜେଡିର ଟାର୍ଗେଟ। ଏ ଯାଏ ଶ୍ରୀଜଗନ୍ନାଥଙ୍କ ମ୍ୟାନେଜିଂ କମିଟି ଗଠନ ହୋଇନି । ହେଲେ ମହାପ୍ରଭୁଙ୍କ ଜମିକୁ ଜବରଦଖଲ ମୁକ୍ତ କରିବାକୁ ରାଜ୍ୟ ସରକାର ବାହସ୍ଫୋଟ ମାରୁଛନ୍ତି । ନୀତିକାନ୍ତି ଭଲ ଭାବେ କରିବାକୁ ୮ ହଜାରରୁ ୧୦ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ କରିବା କଥା ଉଠାଇଛନ୍ତି ରାଜ୍ୟ ସରକାର ।

ହେଲେ ନବୀନ ପଟ୍ଟନାୟକ ସରକାର ସମୟରେ ତ କର୍ପସ ଫଣ୍ଡ ହୋଇ କାମ ଠିକ୍ ଚାଲିଥିଲା । ନୀତିକାନ୍ତି ତ ଚାଲିଛି, ବନ୍ଦ ହୋଇନି । ବୋଧେ ନୀତିକାନ୍ତିକୁ ବି ରଙ୍ଗ ଓ ନାଁ ପରି ବଦଳାଇବାକୁ ରାଜ୍ୟ ସରକାର ଚକ୍ରାନ୍ତ କରୁଥିବା ବିଜେଡି କଟାକ୍ଷ କରିଛି । ଏମିତି ବଦଳି ବଦଳି ପାଞ୍ଚ ବର୍ଷ ପଳାଇବ । ହେଲେ କିଛି କାମ କରି ପାରିବେ ନାହିଁ ରାଜ୍ୟ ସରକାର । ମହାପ୍ରଭୁଙ୍କ ଜମି ଜବରଦଖଲ ମୁକ୍ତ କରିବାର ଆବଶ୍ୟକତା ରହିଛି । ହେଲେ ନବୀନଙ୍କ ଯୋଜନାଗୁଡ଼ିକର ଯେପରି ନାଁ ଓ ରଙ୍ଗ ପରିବର୍ତ୍ତନ କରାଗଲା, ମହାପ୍ରଭୁଙ୍କ କ୍ଷେତ୍ରରେ ତାହା ନ କରିବାକୁ ବିଜେଡି ଦାବି କରିଛି ।

ନା ହୋଇ ପାରୁଛି ମ୍ୟାନେଜିଂ କମିଟି ନା ଲୋକଙ୍କ ଜମିଜମା ରେକର୍ଡଭୁକ୍ତ କରିପାରୁଛନ୍ତି ରାଜ୍ୟ ସରକାର । ନିଜ ଭୁଲ ଲୁଚେଇବା ପାଇଁ ବୟାନବାଜି କରୁଥିବା ବିଜେଡି ଅଭିଯୋଗ କରିଛି । କାରଣ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକ ଯାହା କାର୍ଯ୍ୟକ୍ରମ କରିଥିଲେ, ତାକୁ ମଲା ମିରିଗରେ ପାହାର ପକେଇ ବର୍ତ୍ତମାନର ସରକାର ଶିକାର କରିଥିବା କହି ଚାଲିଛନ୍ତି ।

ବର୍ଷ ବର୍ଷ ଧରି ପୁରୀରେ ରହିଥିବା ଲୋକଙ୍କୁ ଆଗ ଜମି ପଟ୍ଟା ଦେବାକୁ ବିଜେଡି ଦାବି କରିଛି । ମହାପ୍ରଭୁଙ୍କ ନୀତିକାନ୍ତି ସ୍ଵୟଂ ମହାପ୍ରଭୁ ହିଁ କରନ୍ତି ।  ଯେଉଁମାନେ କର୍ପସ ଫଣ୍ଡରେ ନୀତିକାନ୍ତି କରାଇବା କଥା କହୁଛନ୍ତି ସେ ସରକାର ଶୀଘ୍ର ଭାଙ୍ଗି ଯିବ ବୋଲି ବିଜେଡି କହିଛି। ସେପଟେ ମହାପ୍ରଭୁଙ୍କ କାର୍ଯ୍ୟକୁ କେବଳ ଆଲୋଚନାରେ ସୀମିତ ନ ରଖି ଅବିଳମ୍ବେ ଆରମ୍ଭ କରିବାକୁ କଂଗ୍ରେସ ଦାବି କରିଛି । ପଟ୍ଟା ପାଇ ନଥିବା ଲୋକଙ୍କୁ ପଟ୍ଟା ଦେବାକୁ ଦାବି କରିଛି ଦଳ।

ଆରାଧ୍ଯ ଦେବତା ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର, ଜମି ଜବରଦଖଲ ଓ ନୀତିକାନ୍ତି ପରି ପ୍ରସଙ୍ଗକୁ ନେଇ ସରକାର ରାଜନୀତି ନ କରି ସୁରୁଖୁରୁରେ କାର୍ଯ୍ୟକ୍ରମ ପରିଚାଳନା କରିବାର ଆବଶ୍ୟକତା ରହିଛି । ସରକାର ଆସୁ ଆସୁ ପ୍ରଥମ ରଥଯାତ୍ରା ଏପରି ହେଲା ଯେ ମହାପ୍ରଭୁ ବଳଭଦ୍ର ମୁହଁ ମାଡ଼ି ରଥରୁ ପଡ଼ିଲେ । ଏତେ ବଡ଼ ବିଭ୍ରାଟକୁ କେବଳ ତଦନ୍ତ ଆଳରେ ସୀମିତ ରଖାଯାଇଛି ।

ମୁକୁଳା ପଡ଼ିଛି ରାଜ୍ୟ ସୀମା, ଧର୍ମଗଡ଼ରେ ସକ୍ରିୟ ପଡ଼େଶୀ ଛତିଶଗଡ଼ର ଧାନ ଦଲାଲ

ନନ୍ଦିଘୋଷ ବ୍ୟୁରୋ: ମୁକୁଳା ପଡ଼ିଛି ସୀମାନ୍ତ ଗେଟ। ଧାନର ଚୋରା ଚାଲାଣ ରୋକିବାରେ ରାଜ୍ୟ ସରକାର ବିଫଳ। ମଣ୍ଡିରେ ଧାନ କିଣା ଆରମ୍ଭ ନହେଉଣୁ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ରେ ସକ୍ରିୟ ହୋଇପଡ଼ିଛନ୍ତି ଛତିଶଗଡ଼ର ଦଲାଲ। ପାଣି ଖଣି ପରେ ଏବେ ଧାନ ଉପରେ ନଜର ପକାଇଛନ୍ତି ସେମାନେ। ମଣ୍ଡି ଆରମ୍ଭ ନ ହେଉଣୁ ଅଣ୍ଡର ରେଟରେ ଛଟିଶଗଡକୁ ଧାନ ଚୋରା ଚାଲାଣ ଆରମ୍ଭ ହୋଇଯାଇଛି। ଧାନ କିଣି ଦଲାଲ ମାଲେମାଲ ହେଉଥିବା ବେଳେ ଚାଷୀ ତା ପରିଶ୍ରମର ଉଚିତ ମୂଲ୍ୟ ପାଉନି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ଆସିଛି ଏଭଳି ଅଭିଯୋଗ ।

ଚାଲିଛି ଧାନ ଅମଳ । କେହି ଧାନ କାଟିବାରେ ବ୍ୟସ୍ତ ତ ଆଉ କେହି ଚାଷୀ, କଟା ଧାନକୁ ଅମଳ କରିବାକୁ ଲାଗି ପଡ଼ିଛନ୍ତି । ବେଙ୍ଗଳା, ଧ୍ରେଶର ସାହାଯ୍ୟରେ ନିଜର କଷ୍ଟଉପାର୍ଜିତ ଫସଲକୁ ଅମଳ କରି ବସ୍ତାରେ ଭର୍ତ୍ତି କରି ରଖୁଛନ୍ତି । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଅଞ୍ଚଳରେ ଚଳିତ ବର୍ଷ ୫୦ ପ୍ରତିଶତ ଧାନ ଅମଳ ସରିଗଲାଣି । କିଛି ଚାଷୀ ଅମଳ ଧାନକୁ ଘରେ ସାଇତି ରଖିଛନ୍ତି ତ ଆଉ କେହି ଚାଷୀଙ୍କ ଧାନ ଜାଗା ଅଭାବରୁ ଖୋଲା ଆକାଶ ତଳେ ପଡ଼ିରହିଛି । ତେବେ ନଭେମ୍ଵର ତୃତୀୟ ସପ୍ତାହ ଶେଷ ହେବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇ ନାହିଁ କି ଚାଷୀଙ୍କୁ ଟୋକନ ମଧ୍ୟ ମିଳିନାହିଁ । ବାଧ୍ୟହୋଇ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନକୁ କମ୍ ଦାମରେ ଦଲାଲ ହାତକୁ ଟେକି ଦେଉଛି l ଛତିଶଗଡର ଦଲାଲମାନେ ଧର୍ମଗଡ଼ ଗାଁରେ ପଶି ଧାନ କ୍ଵିଣ୍ଟାଲ ପିଛା ୨୧ଶହରୁ ୨୨ଶହ କିଣି ଛତିଶଗଡ଼ ନେଇଯାଉଥିବା ଅଭିଯୋଗ ହୋଇଛି ।

ଚଳିତ ଖରିଫ ଋତୁରେ ଧର୍ମଗଡ଼ କୃଷି ଜିଲ୍ଲାର ଗୋଲାମୁଣ୍ଡା, ଧର୍ମଗଡ଼ ଓ କୋକସରା ବ୍ଲକ ଜଳ ସେଚିତ ଓ ଅଣ ଜଳ ସେଚିତରେ ପ୍ରାୟ ୬୦ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି । ବର୍ତ୍ତମାନ ସୁଦ୍ଧା ୫୦ପ୍ରତିଶତ ଧାନ ଅମଳ ଶେଷ ହୋଇଥିବା ବେଳେ ଧାନ ବିକ୍ରି କରିବାକୁ ମଣ୍ଡି ଖୋଲିବାକୁ ଅପେକ୍ଷା କରିଛନ୍ତି ଚାଷୀ । ଚଳିତ ଖରିଫ ଋତୁରେ ଚାଷୀଙ୍କୁ କ୍ଵିଣ୍ଟାଲ ପିଛା ୩୧ଶହ ଦେବାକୁ ଘୋଷଣା ସାଙ୍ଗକୁ ମନ୍ତ୍ରୀ ଓ ବିଜେପି କୃଷକ ମୋର୍ଚ୍ଚା ମଣ୍ଡି ଜଗିବ ବୋଲି ଘୋଷଣା କରିଥିଲେ । ପଡ଼ୋଶୀ ରାଜ୍ୟର ଦଲାଲଙ୍କ ଉପରେ ନଜର ରଖାଯିବ ବୋଲି ସରକାର କହିଥିଲେ ।

ତେବେ ଛଟିଶଗଡର ଦଲାଲ ଧର୍ମଗଡ଼ରେ ପଶି ଧାନ କିପରି କିଣିନେଉଛନ୍ତି । ଚଳିତ ବର୍ଷ ୨୯ ତାରିଖରୁ ଗୋଲାମୁଣ୍ଡା ବ୍ଲକରେ ମଣ୍ଡିଖୋଲି ଧାନ କିଣା ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ । କେଉଁଠି କିଛି ସମସ୍ୟା ହେଲେ ଆପ୍ ମାଧ୍ୟମରେ ଚାଷୀ ତାଙ୍କର ଅଭିଯୋଗ ଜଣାଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ । ମଣ୍ଡି ଆରମ୍ଭ ନ ହେଉଣୁ ଧର୍ମଗଡ଼ରେ ଛତିଶଗଡ଼ ଧାନ ଦଲାଲ ସକ୍ରିୟ ହୋଇପଡ଼ିଛନ୍ତି । ଛଟିଶଗଡକୁ ଧାନ ଚୋରା ଚାଲାଣ ହେବା ମୋହନ ତଥା ଡବଲ ଇଞ୍ଜିନ ସରକାରଙ୍କ ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

 

ବୈକୁଣ୍ଠ ଧାମ ଆଶ୍ରମରେ ଉତ୍ତେଜନା: ଗେଟ ତାଲା ଭାଙ୍ଗି ଆଶ୍ରମ ଭିତରକୁ ପଶିଲେ ଉତ୍ତ୍ୟକ୍ତ ଲୋକେ

ନନ୍ଦିଘୋଷ ବ୍ୟୁରୋ: ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମରେ ଉତ୍ତେଜନା। ଗେଟ ତାଲା ଭାଙ୍ଗି ଆଶ୍ରମ ଭିତରକୁ ପଶିଲେ ଉତ୍ତ୍ୟକ୍ତ ଲୋକେ। ଭିତରେ ପଶିଥିବା ଲୋକଙ୍କୁ କିଛି ଯୁବକ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଜଣାପଡିଛି। ସେପଟେ ବିବାଦ ପରେ ମୁହଁ ଲୁଚାଇ ଖସି ପଳାଇଛନ୍ତି କୁନି ସାରଥୀ। କୁନି କଳକୀଙ୍କ ବାପା କାଶୀନାଥ ମିଶ୍ର। ବିଦେଶରେ ଚାଲିଥିଲା ଅଫିସ। କାନାଡା, ଆୟର୍ଲାଣ୍ଡ, ସିଙ୍ଗାପୁର ଓ ଅଷ୍ଟ୍ରେଲିଆରେ ଚାଲିଥିଲା ଅଫିସ। ସୋସିଆଲ ମିଡିଆରେ କଳକୀ ଅବତାର ନଁରେ ଚାଲିଥିଲା ପ୍ରଚାର। ମାଳିକା ବଚନକୁ ଉଦ୍ଧାର କରି ଚାଲିଥିଲା ପ୍ରଚାର। ଜଗନ୍ନାଥ କଳକୀ ଅବତାର ନେଇଥିବା କରାଯାଉଥିଲା ପ୍ରଚାର। ମାଳିକାରେ କୁହାଯାଇଥିଲା ଯାଜପୁରରେ ଜନ୍ମ ହେବେ। ମା’ ଗର୍ଭରେ ୧୦ ମାସ ପରିବର୍ତ୍ତେ ୧୨ ମାସ ରହିବେ। ଖଣ୍ଡଗିରିରେ ଲୀଳାଖେଳା କରିବେ କୁନି କଳକୀ। କୁନି କଳକୀ ଓ ତାଙ୍କ ବାପା କୋଲକାତାରେ ଥିବା ସନ୍ଦେହ କରାଯାଉଛି। ମାଆଙ୍କ ହାଇ ବ୍ଲଡ ପ୍ରେସର ବାହାନାରେ ଏମାନେ ଫେରାର ହୋଇଯାଇଥିବା କୁହାଯାଉଛି। ଏମିତି ବିଭିନ୍ନ ପ୍ରକାର ପ୍ରହେଳିକା ସୃଷ୍ଟି କରାଯାଉଥିଲା। ଛୋଟ ଶିଶୁକୁ କଳ୍କୀ ଅବତାର କହି ବାବା କରି ପୂଜା କରିବା ପ୍ରସଙ୍ଗ। ନିଜଆଡକୁ ମାମଲା ରୁଜୁ କଲା ଶିଶୁ ଆୟୋଗ। ଘଟଣା ସମ୍ପର୍କରେ କରିଛନ୍ତି ରିପୋର୍ଟ ତଲବ। ଭରତପୁର ଥାନାକୁ ରିପୋର୍ଟ ତଲବ କରିଛନ୍ତି ଶିଶୁ ଆୟୋଗ। ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଘଟଣାର ତଦନ୍ତ କରିବା ପାଇଁ CWCକୁ ମଧ୍ଯ ନିର୍ଦ୍ଦେଶ ଦିଆଯାଇଛି।

 

ସାଲେପୁର ବ୍ଲକ ଏଲମାପୁରରେ ବାଟବଣା ଯୋଜନା

ନନ୍ଦିଘୋଷ ବ୍ୟୁରୋ: ଗମନାଗମନର ସୁବିଧା ପାଇଁ ଗାଁଠାରୁ ସହର ସବୁଠାରେ ପକ୍କା ଓ ପିଚୁ ରାସ୍ତା ନିର୍ମାଣ ହେଉଛି । ଏଥିପାଇଁ  ରାଜକୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିଛି ଅସାଧୁ ଠିକାଦାରଙ୍କ ପାଇଁ ଦିଗହରା ହେଉଛି ଯୋଜନା । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ଵହୀନତା ଯୋଗୁଁ ନିମ୍ନମାନର କାମ କରି ଟଙ୍କା ମାଲେମାଲ ହେଉଛନ୍ତି ଠିକାଦାର ।

ସେପଟେ ପିସି ନେଇ ସରକାରୀ ବାବୁଙ୍କର ମଧ୍ୟ ପକେଟ ଗରମ ହେଉଛି । ଅନେକ ସମୟରେ ରାସ୍ତା ନିର୍ମାଣ ପରେ ବର୍ଷା କି ୨ ବର୍ଷ ମଧ୍ୟ ମଧ୍ୟ ରାସ୍ତା ଯାଉନାହିଁ । ଯାହାପାଇଁ ସାଧାରଣ ଲୋକଙ୍କୁ ସମସ୍ୟା ଭୋଗିବାକୁ ପଡୁଛି । ଦୀର୍ଘ ବର୍ଷର ଦାବି ଓ ଅପେକ୍ଷା ପରେ କଟକ ଜିଲ୍ଲା ସାଲେପୁର ବ୍ଲକ ଏଲମା ପୁର ଓସ୍ତ ଛକଠାରୁ ମହନାପୁର୍ ରାସ୍ତା କାମ ଆରମ୍ଭ ହୋଇଛି । ହେଲେ ନିର୍ମାଣ କାମ ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ୱାରା ହେଉଥିବା ରାସ୍ତା  । ଏଲମା ପୁର ଓସ୍ତ ଛକଠାରୁ ମହନାପୁର୍ କାଳୀ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ  ୨ କିଲୋମିଟର ବ୍ୟାପୀ ରାସ୍ତା ନିର୍ମାଣ ହେଉଛି । ରାସ୍ତା କାମ ନିମ୍ନ ମାନର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ୯ ଇଞ୍ଚ ପରିବର୍ତ୍ତେ ଅଢେଇରୁ ୩ ଇଞ୍ଚ ମଧ୍ୟରେ ମେଟାଲ ବିଛାଯାଇଛି, ତାହା ପୁଣି ନିମ୍ନ ମାନର ମେଟାଲ । ରୋଲିଂ ହୋଇନାହିଁ କି ପାଣି ମଧ୍ୟ ସିଞ୍ଚନ କରାଯାଇନାହିଁ । ଏହା ଉପରେ କଣ୍ଟ୍ରାକ୍ଟର ପିଚୁ ବିଛେଇବାକୁ ଯୋଜନା କରୁଛି ।

ବିଭାଗୀୟ ଅଧିକାରୀ କାମ ବେଳେ ଅନୁପସ୍ଥିତ ରହୁଥିବା ବେଳେ ଠିକାଦାର ମନମୁଖି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ  l ରାସ୍ତାରେ ଖାଲି ନାମକୁ ମାତ୍ର ଡଷ୍ଟ ଓ ଗୋଡ଼ି ଛିଞ୍ଚି ତରବରିଆ ଭାବେ କାମ ହେଉଛି l ଯାହା ଫଳରେ କମ ଦିନରେ ରାସ୍ତା ଖରାପ ହୋଇଯିବ । ସେପଟେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା କାମ ଅତି ନିମ୍ନମାନର ହେଉଥିବା ବେଳେ ରାଜକୋଶ ଅର୍ଥ ହଡ଼ପ ହେଉଥିବା ଗ୍ରାମବାସୀ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏହି ରାସ୍ତା ଦେଇ ପ୍ରତି ଦିନ ସରକାରୀ ଅଧିକାରୀ, ମନ୍ତ୍ରୀ ବିଧାୟକଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଯାତାୟାତ କରିଥାନ୍ତି । ଦୀର୍ଘ  ବର୍ଷ ଧରି ଏହି ରାସ୍ତା ଅତି ଦୟନୀୟ ହୋଇପଡ଼ିଥିଲା । ବାରମ୍ବାର ଦାବି ପରେ  ନୂତନ ରାସ୍ତା ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇଥିଲା । କାମ ମଧ୍ୟ ଆରମ୍ଭ ହେଲା । ହେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତାରରେ କାର୍ଯ୍ୟ ନିମ୍ନ ମାନର ହେଉଛି  l

ରାସ୍ତାଟି କେତେ ଟଙ୍କାର ଅଟକଳ ଫଳକ ନଥିବା ବେଳେ ବିଭାଗୀୟ ଅଧିକାରୀ ମଧ୍ୟ କାର୍ଯ୍ୟସ୍ଥଳକୁ ଆସୁନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ଏ ବାବଦରେ ଆମେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ ସେହି ଚିରା ଚରିତ ଢଙ୍ଗରେ  କ୍ୟାମେରା ସମ୍ମୁଖରେ କାର୍ଯ୍ୟ ଠିକ ଚାଲୁଛି,  ବିଭାଗୀୟ କର୍ମଚାରୀ ମଧ୍ୟ ରହୁଛନ୍ତି ବୋଲି କହିଛନ୍ତି ।

ଗମନାଗମନର ସୁବିଧା ପାଇଁ ରାଜକୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ରାସ୍ତା ନିର୍ମାଣ ହେଉଛି । କିଛି ଅସାଧୁ ଠିକାଦାରଙ୍କ ପାଇଁ ଦିଗହରା ହେଉଛି ଯୋଜନା । ନିମ୍ନ ମାନର କାମ ଯୋଗୁଁ ସାଲେପୁର ବ୍ଲକ ଏଲମା ପୁର ଓସ୍ତ ଛକରୁ ମହନାପୁର୍ କାଳୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ସ୍ଥାୟିତ୍ଵ ନେଇ ଉଠିଛି ପ୍ରଶ୍ନ ।