spot_img
Home Blog Page 1344

ଘରକୁ ଫେରୁଥିବା ବେଳେ ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ବସ୍ତା:  ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଇନ୍ଦିରା ଛକରେ ଦୁର୍ଘଟଣା । କୌଣସି ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ଯୁ ଘଟିଛି । ମୃତକ ଜଣକ ହେଲେ ଅମର୍ଦ୍ଦା ରୋଡ ଅଞ୍ଚଳର କାହ୍ନୁ ପ୍ରଧାନ ।

ଗତକାଲି ବିଳମ୍ବିତ ରାତିରେ କାହ୍ନୁ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ଯାନ କାହ୍ନୁଙ୍କ ମୃତଦେହ ଦେଖିବାକୁ ପାଇଥିଲା । ଏହାପରେ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ

ମାର୍ଶାଘାଇ: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଟିକପଙ୍ଗା ଛକ ନିକଟରେ ଦୁର୍ଘଟଣା । ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଯଦୁପୁର ଗାଁର ମନୋରଞ୍ଜନ ରାଉତ ଏବଂ ସାନଗାଁର ରମେଶ ବେହେରା ।

ପାରାଦୀପରୁ ମାଛ ଧରା କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଖବରପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦ୍ବୟ ଜବତ କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମୃତ ରମେଶ ମାଛଧରା ବୋଟର ଡ୍ରାଇଭର ଭାବେ କାମ କରୁଥିଲେ । ସେହିପରି ମନୋରଞ୍ଜନ ଜଣେ ମତ୍ସ୍ୟଜୀବୀ ଥିଲେ ।

ମାଛ ବ୍ୟବସାୟୀଙ୍କ ଉପରେ ଚଢ଼ିଗଲା ଟ୍ରକ

ପାରାଦୀପ: ଛାଡ଼ଖାଇରେ ମାଛ ବ୍ୟବସାୟୀଙ୍କ ଉପରେ ଚଢ଼ିଗଲା ଟ୍ରକ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣା ପରାଦୀପ ଅଠରବାଙ୍କିରେ ଘଟିଛି । ମୃତକ ମାଛ ବ୍ୟବସାୟୀ ଜଣକ ହେଲେ ବାଲିଝରା ବସ୍ତିର ମହେନ୍ଦ୍ର ଜେନା ।

ସୂଚନା ଅନୁସାରେ, ଆଜି ଛାଡଖାଇ ଥିବାରୁ ମହେନ୍ଦ୍ର ବାଲିପ୍ଲଟରୁ ମାଛ କିଣି ବ୍ୟବସାୟ କରିବା ପାଇଁ ବାଲିଝରା କଲୋନୀକୁ ଯାଉଥିଲେ । ଆଠରବାଙ୍କି ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଅଠରବାଙ୍କିଠାରେ ରାସ୍ତାରୋକ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଉତ୍ତ୍ୟକ୍ତ ଲୋକେ ଦାବି କରିଛନ୍ତି । ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି ।

ପ୍ରଥମ ଲଙ୍ଗରେଞ୍ଜ ହାଇପରସୋନିକ ମିଜାଇଲ ପରୀକ୍ଷା କଲା ଭାରତ, ପାକିସ୍ତାନ ଓ ଚୀନର ଉଡ଼ିଲା ହୋସ୍

ନୂଆଦିଲ୍ଲୀ: ଭାରତ ତାର ପ୍ରଥମ ଲଙ୍ଗ ରେଞ୍ଜ ହାଇପର ସୋନିକ ମିଜାଇଲର ସଫଳ ପରୀକ୍ଷଣ କରିଛି । ଗତକାଲି ଓଡ଼ିଶାର ଏପିଜେ ଅବଦୁଲ କଲାମ ଦୀପରେ ଏହାର ପରୀକ୍ଷା କରାଯାଇଥିଲା । ଯାହା ସଫଳ ହୋଇଛି । ଡିଆରଡିଓ ପକ୍ଷରୁ କରାଯାଇଥିବା ଏହି ମିଜାଇଲ ଭାରତର ତିନି ସେନା ବ୍ୟବହାର କରିପାରିବେ । ୧୫୦୦ କିମିରୁ ଅଧିକ ରେଞ୍ଜର ଏହି ମିଜାଇଲ ନା କେବଳ ସ୍ଥିର, ଚଳନ୍ତା ଲକ୍ଷ୍ୟକୁ ବି ଧ୍ବଂସ କରିବାକୁ ସକ୍ଷମ । ଆଉ ସବୁଠାରୁ ବଡ଼ କଥା ହେଲା, ଏହା ଭିନ୍ନ ଭିନ୍ନ ପେଲୋଡ ନେଇ ଲଞ୍ଚ ହୋଇପାରିବ ।

ମିଜାଇଲର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସେ କହିଛନ୍ତି, ଏହା ଭାରତ ପାଇଁ ଏକ ଐତିହାସିକ ଉପଲବ୍ଧି । ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ରାଜନାଥ ଲେଖିଛନ୍ତି, ଭାରତ ଓଡ଼ିଶା ଉପକୂଳରେ ଥିବା ଏପିଜେ ଆବଦୁଲ କଲାମ ଦୀପରୁ ଲଙ୍ଗ ରେଞ୍ଜ ହାଇପରସୋନିକ ମିଜାଇଲର ସଫଳ ପରୀକ୍ଷଣ କରି ଏକ ବଡ ଉପଲବ୍ଧି ହାସଲ କରିଛି । ଏହି ପରୀକ୍ଷଣ ଭାରତକୁ କିଛି ନିର୍ଦ୍ଦିଷ୍ଟ ଦେଶଙ୍କ ସମୂହରେ ସାମିଲ କରିଦେଇଛି, ଯେଉଁମାନଙ୍କ ପାଖରେ ଏପରି ଉନ୍ନତିମାନର ଟେକ୍ନୋଲଜି ରହିଛି । ଏଥିପାଇଁ ଡିଆରଡିଓ, ଭାରତୀୟ ସେନା ଓ ଏହାକୁ ବିକଶିତ କରିବାରେ ସମ୍ପୃକ୍ତ ଉଦ୍ୟୋଗଙ୍କୁ ଶୁଭେଚ୍ଛା ଜଣାଉଛି ।

ଏକାଧିକ ଡୋମେନରେ ମୁତୟନ ବିଭିନ୍ନ ରେଞ୍ଜ ସିଷ୍ଟମ ଦ୍ବାରା ଏହାକୁ ପରୀକ୍ଷଣ କରାଯାଇଥିଲା । ଡାଉନ ରେଞ୍ଜ ସିପ୍ ଷ୍ଟେସନରୁ ମିଳିଥିବା ଡାଟାକୁ ଆଧାର କରି ମିଜାଇଲ ସଠିକ ଲକ୍ଷ୍ୟ ଭେଦ କରିଥିଲା । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିଜାଇଲକୁ ହାଇଦ୍ରାବାଦ ସ୍ଥିତ ଡଃ. ଏପିଜେ ଅବଦୁଲ କଲାମ ମିଜାଇଲ କମ୍ପ୍ଲେକ୍ସ ସହ ଅନ୍ୟ ଲ୍ୟାବରେ ଡେଭଲପ୍ କରାଯାଇଛି ।

ସୂଚନାଯୋଗ୍ୟ, ଏହି ମିଜାଇଲ ପରୀକ୍ଷଣ ଭାରତର ତିନି ସେନାର ଶକ୍ତିକୁ ଆହୁରି ବଢ଼ାଇ ଦେବ । ଏହାକୁ ସେନାରେ ସାମିଲ କରାଯିବା ପରେ ଆକାଶ ସୀମା ଦେଇ ଶତ୍ରୁ ପକ୍ଷଙ୍କ କୌଣସି ଅସ୍ତ୍ର ଦେଶକୁ କ୍ଷତି ପହଞ୍ଚାଇ ପାରିବ ନାହିଁ । ଏହାସହ ଏହା ଦୂରରେ ଥିବା ଶତ୍ରୁ ପକ୍ଷଙ୍କ ଠିକଣାକୁ ମଧ୍ୟ ଆଖି ପିଛୁଳାକେ ଧ୍ବଂସ କରିବାରେ ସକ୍ଷମ । ଭାରତର ଏପରି ପରୀକ୍ଷଣରେ ଦୁଇ ପଡ଼ୋଶୀ ଚୀନ ଓ ପାକିସ୍ତାନର ଚିନ୍ତା ବଢ଼ାଇ ଦେଇଛି । ମାତ୍ର କିଛି ସେକେଣ୍ଡରେ ଏହା ଇସଲାମାବାଦ ସହ ବେଞ୍ଜିଂ ଉପରେ ବୋମା ବର୍ଷା କରିବାକୁ ସକ୍ଷମ ।

ବାଲିଯାତ୍ରା ଉପର ପଡ଼ିଆରେ ଖାଇବା ଷ୍ଟଲରେ ଚଢ଼ାଉ

କଟକ: ଚାଲିଛି ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା । ଜମୁଛି ଲୋକଙ୍କ ଭିଡ଼ । ଆଉ ଲାଗିଛି କିଣା ବିକାର ମେଳା । ଏହାରି ଭିତରେ ବାଲିଯାତ୍ରାରେ ଯେମିତି ବାସି କିମ୍ବା ଅପମିଶ୍ରିତ ଖାଦ୍ୟ ଲୋକଙ୍କୁ ବିକ୍ରି କରା ନଯାଏ ସେଥିପ୍ରତି ସତର୍କ ଦୃଷ୍ଟି ରହିଛି ସିଏମସି । ସିଏମସିର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସକାଳୁ ବାଲିଯାତ୍ରର ଉପର ପଡ଼ିଆରେ ଚଢ଼ାଉ କରାଯାଇଛି ।

ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉପର ପଡ଼ିଆରେ ଖୋଲିଥିବା ଖାଦ୍ୟ ଷ୍ଟଲରେ ଏହି ଚଢ଼ାଉ କରାଯାଇଛି । ଦୋକାନୀମାନେ ଲୋକଙ୍କୁ ଠିକ ମାନର ଖାଦ୍ୟ ବିକ୍ରି କରୁଛନ୍ତି କି ବାସି ଓ ଅପମିଶ୍ରିତ ଖାଦ୍ୟ ଦେଉଛନ୍ତି ତାହାର ଯାଞ୍ଚ କରୁଛନ୍ତି ଅଧିକାରୀମାନେ । ଏହାସହ ମେଳାରେ ବାସି ଖାଦ୍ୟ ବିକ୍ରି ନକରିବାକୁ ବ୍ୟବସାୟୀମାନଙ୍କୁ ସଚେତନ କରୁଛି ବିଭାଗ ।

‘ସ୍ବର୍ଗଦ୍ବାରରେ ବିକ୍ରି ହେଉଥିବା ଘିଅ ପ୍ୟାକେଜିଙ୍ଗରେ ନାହିଁ ଉତ୍ପାଦନ ଓ ଏକ୍ସପାଏରୀ ଡେଟ୍’

ପୁରୀ: ଶ୍ରୀମନ୍ଦିର ଓ ଏହା ସହ ସଂପୃକ୍ତ ଅନୁଷ୍ଠାନରେ ବ୍ୟବହାର ହେଉଥିବା ଘିଅର ମାନକୁ ନେଇ ବାରମ୍ବାର ପ୍ରଶ୍ନ ଉଠିବାରେ ଲାଗିଛି । ସ୍ବର୍ଗଦ୍ବାରରେ ବିକ୍ରି ହେଉଥିବା ଘିଅର ମାନକୁ ନେଇ ଆମ୍ ଆଦମୀ ପାର୍ଟି ପ୍ରଶ୍ନ ଉଠାଇଛି । ଘିଅ କେଜି ପିଛା ୭୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପ୍ୟାକେଜିଙ୍ଗ ଉପରେ ଉତ୍ପାଦନ ଓ ଏକ୍ସପାଏରୀ ଦିନ ଲେଖା ନଥିବା ଅଭିଯୋଗ କରିଛି ଆପ୍ ।

ଏଭଳିକି ଘିଅ ଉପରେ ଏଫଏସଏସଏଆଇ  ମାନ୍ୟତା ଲେଖାଥିଲେ ମଧ୍ୟ ଏହି ଘିଅ ବାସ୍ତବରେ ଏଫଏସଏସଏଆଇ  ଦ୍ୱାରା ମାନ୍ୟତା ପ୍ରାପ୍ତ କି ନୁହେଁ, ସେନେଇ ପ୍ରଶ୍ନ ଉଠାଇଛି ଦଳ ।

ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ସ୍ବର୍ଗଦ୍ବାରକୁ ଘିଅ ଯୋଗାଇବା ପାଇଁ ଯେଉଁ ସଂସ୍ଥା ଟେଣ୍ଡର ନେଇଛି ତା’ ନାଁରେ ପୂର୍ବରୁ ଦୁର୍ନୀତି ଆରୋପ ଲାଗିଛି । ଘିଅ ଯୋଗାଣ ଗୋପ ଅଞ୍ଚଳର ମିଶନ ଶକ୍ତିକୁ ମିଳିଥିବାରୁ ଏଥିରେ ଏକ ବଡ଼ ଧରଣର ଜାଲିଆତି ହୋଇଥିବା ସନ୍ଦେହ କରାଯାଉଛି । ତେଣୁ ଘିଅର ଶୁଦ୍ଧତା ଯାଞ୍ଚ ସହ ମାନ ପରୀକ୍ଷା କରିବା ଦଳ ଦାବି କରିଛନ୍ତି । ଏହାସହ ୭ ଦିନ ମଧ୍ୟରେ ସ୍ପଷ୍ଟୀକରଣ ନଦେଲେ ଦଳ ପକ୍ଷରୁ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ବିଲରେ କାମ କରିବା ବେଳେ ଭାଲୁ ଆକ୍ରମଣରେ ଦୁଇ ଆହତ

କରଞ୍ଜିଆ: ବିଲରେ କାମ କରିବା ବେଳେ ଭାଲୁ କଲା ଆକ୍ରମଣ । ଫଳରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ଖଣ୍ଡବନ୍ଧ ପଞ୍ଚାୟତର ପୁରୁଣା ପାଣି ବୁରୁଡି ସାହିର କାରନା ମାରାଣ୍ତି ଚାଷ ଜମିରେ କାମ କରୁଥିଲେ । ଏହି ସମୟରେ ଗୋଟିଏ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ପାଖ ଜମିରେ କାମ କରୁଥିବା ରାଇପଦା ଗାଁର ରମାକାନ୍ତ ଦେହୁରୀ ଏହା ଦେଖି ପାଟି କରିବାକୁ ଲାଗିଥିଲେ । ଭାଲୁଟି କାରନାଙ୍କୁ ଛାଡି ରମାକାନ୍ତଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

ଆଖପାଖରେ ଥିବା ଲୋକେ ଉଭୟଙ୍କ ପାଟି ଶୁଣି ଦୌଡ଼ି ଆସିବାରୁ ଭାଲୁଟି ପଳାଇଥିଲେ । ଉପସ୍ଥିତ ଲୋକଙ୍କ ସହାୟତାରେ ପରିବାର ଲୋକେ ଉଭୟଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ରାଜଧାନୀରେ ଦୁଇ ବାର୍ ସିଲ୍ କଲା ଅବକାରୀ ବିଭାଗ

ଭୁବନେଶ୍ବର: ନିୟମ ଉଲ୍ଲଂଘନ ବାର୍ ମାଲିକଙ୍କୁ ପଡ଼ିଲା ଭାରି । ରାଜଧାନୀରେ ସିଲ୍ ହେଲା ଦୁଇଟି ବାର୍ । ଆମ୍ବିଆନ୍ସ ଓ ବାର୍ବୀ ବାର୍ ଉପରେ ଚଢ଼ାଉ କରି ସିଲ୍ କରିଛି ଅବକାରୀ ବିଭାଗ ।

ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଳା ବାଟ ଦେଇ ଚାଲିଥିଲା ବାର । ଏପରିକି ବିନା ଅନୁମତିରେ ମହିଳାଙ୍କୁ ନିୟୋଜିତ କରାଯାଉଥିବା ଅବକାରୀ ବିଭାଗ ଖବର ପାଇଥିଲା । ଏହାକୁ ଆଧାର କରି ବିଭାଗୀୟ ଅଧିକାରୀମାନେ ଗତ ରାତିରେ ଦୁଇ ବାର ଉପରେ ହଠାତ ଚଢ଼ାଉ କରିଥିଲେ ।

ଆଗାମୀ ଦିନରେ ଏଭଳି ଅଭିଯାନ ଜାରି ରହିବ । ଯିଏ ବି ଆଇନ ଉଲ୍ଲଂଘନ କରିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ସୁପରିଟେଣ୍ଡେଣ୍ଟ କହିଛନ୍ତି ।

ଘରେ ଏକୁଟିଆ ଥିବା ବେଳେ ଫ୍ୟାନରେ ଝୁଲି ପଡ଼ିଲେ ନାବାଳକ

ସମ୍ବଲପୁର: ସମ୍ବଲପୁର ସହରର ସାଖିପଡାରେ ନାବାଳକଙ୍କ ମୃତ୍ୟୁ । ଫ୍ୟାନରେ ଝୁଲି ନାବାଳକ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ନାବାଳକଙ୍କ ପରିବାର ସାଖିପଡ଼ାରେ ଭଡା ଘରେ ରହୁଥିଲେ । ଘରେ କେହି ନଥିବା ବେଳେ ନାବାଳକ ଜଣକ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କେଉଁ କାରଣରୁ ନାବାଳକ ଜଣକ ଏଭଳି ଆତ୍ମହତ୍ୟା କରିଛନ୍ତି ତାହା ସ୍ପାଷ୍ଟ ହୋଇନି ।

ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏପ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଛାଡ଼ଖାଇ ପାଇଁ ଆମିଷ ବଜାରରେ ଲାଗିଛି ଲୋକଙ୍କ ଭିଡ଼

ଭୁବନେଶ୍ବର: ସରିଲା କାର୍ତ୍ତିକ ମାସ । ଏହାସହ ପଞ୍ଚୁକ ମଧ୍ୟ ଶେଷ ହୋଇଛି । ଆଉ ଆଜି ହେଉଛି ଛାଡ଼ ଖାଇ । ରାଜ୍ୟର ବିଭିନ୍ନ ଆମିଷ ବଜାରରେ ଲାଗିଛି ଲୋକଙ୍କ ଗହଳି । ଦୀର୍ଘଦିନ ପରେ ଘରକୁ ଆମିଷ ଟିକେ ନେବାକୁ ଲୋକେ ଦୋକାନ ଆଗରେ ଭିଡ଼ ଜମାଇଛନ୍ତି ।

ମାଛ, ମାଂସ ଦୋକାନ ଆଗରେ ଲୋକଙ୍କ ଗହଳି ପ୍ରବଳ ହୋଇଛି । ସକାଳୁ ସକାଳୁ ଲୋକେ ଦୋକାନ ଆଗରେ ଛିଡ଼ା ହୋଇଛନ୍ତି । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ସବୁ ସ୍ଥାନରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ଦୀର୍ଘ ଦିନର କାର୍ତ୍ତିକ ବ୍ରତ ପାଳନ ପରେ ଲୋକମାନେ ଛାଡଖାଇ ପାଳନ କରୁଛନ୍ତି । ଏଥର ଛାଡଖାଇରେ ଶନିବାର ତଥା ସଂକ୍ରାନ୍ତି ପଡିଥିଲା । ଫଳରେ ଲୋକେ ଆମିଷ ଖାଇ ନଥିଲେ । ଆଜି ରବିବାର ଥିବାରୁ ଛାଡଖାଇ ପାଳନ କରୁଛନ୍ତି ।

ସେପଟେ ଛାଡ଼ଖାଇକୁ ନେଇ ଦର ମଧ୍ୟ ବଢ଼ିଯାଇଛି । ସାଧାରଣ ଦିନଠାରୁ ଅଧିକ ମୂଲ୍ୟରେ ମାଛ ଓ ମାଂସ ବିକ୍ରି ହେଉଛି । ତଥାପି ଲୋକେ ଆମିଷ କିଣିବାକୁ ଭିଡ଼ ଜମାଇଛନ୍ତି ।