spot_img
Home Blog Page 1353

ଓଡ଼ିଶାକୁ ପୁଞ୍ଜିନିବେଶ ଆଣିବାକୁ ମୁଖ୍ୟମନ୍ତ୍ରୀ ବିଦେଶ ଯିବା ସ୍ବାଗତଯୋଗ୍ୟ: ବିଜେଡି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଦେଶ ଗସ୍ତରେ ଯିବେ । ଆଉ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାକୁ ପୁଞ୍ଜି ନିବେଶ ଆଣିବା । ଏଥିପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଯିବେ । ଏହାକୁ ନେଇ ବିଜେଡି ପ୍ରତିକ୍ରିୟା ଦେଇଛି । ବରିଷ୍ଠ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ମୁଖ୍ୟମନ୍ତ୍ରୀ ଯଦି ଓଡ଼ିଶାକୁ ପୁଞ୍ଜିନେବଶ ଆଣିବାକୁ ସିଙ୍ଗାପୁର ଯାଉଛନ୍ତି, ତା’ହେଲେ ସ୍ଵାଗତଯୋଗ୍ୟ ।

ଆଗକୁ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ଉଚିତ୍ । ଯେଉଁ ନିବେଶକାରୀ ଓଡ଼ିଶା ସହିତ ଚୁକ୍ତି କରିଛନ୍ତି ସେମାନଙ୍କ ପାଇଁ ଓଡ଼ିଶାରେ ପୁଞ୍ଜିନିବେଶର ଅନୁକୂଳ ବାତାବରଣ କରିବା ଦରକାର । ପୁଞ୍ଜିନିବେଶ ପାଇଁ ଓଡ଼ିଶା ଉତ୍ତମ ବାତାବରଣ ବୋଲି ରାଜ୍ୟ ସରକାର ଶିଳ୍ପପତିଙ୍କୁ ବିଶ୍ୱାସ ଦେବା ଉଚିତ ।

ପୂର୍ବ ସରକାରରେ ବହୁ ବଡ଼ ବଡ଼ ଅନୁଷ୍ଠାନ ସହିତ ଚୁକ୍ତି କରିଥିଲେ । ଏବେ ସେମାନେ ପଳାଇବାକୁ ବସିଲେଣି । ନିପନ୍ ଷ୍ଟିଲ, ଜେଏସଡ଼ବ୍ଲୁର ଯେହେତୁ ଏମଓୟୁ ହୋଇଛି । ସେମାନେ କେମିତି ଓଡ଼ିଶାରେ ପୁଞ୍ଜିନିବେଶ କରିବେ ସେ ପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ଉଚିତ ବୋଲି କହିଛନ୍ତି ପ୍ରତାପ ।

ପୁଣି ଗଜପତିରେ ବାଘ ଆତଙ୍କ!

ଗଜପତି: ଗଜପତି ଜିଲ୍ଲାରେ ମହାବଳ ବାଘ ଆତଙ୍କ। ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳରେ ଘୁରି ବୁଲୁଛି ମହାବଳ ବାଘ। ଗୁରୁବାର ପର୍ଯ୍ୟନ୍ତ ଘୋଡ଼ାହାଡ଼ ଡ୍ୟାମ, ବାଦପୁର, ଜାନଆମ୍ବ ଓ ପୁରୁଣାପାଣି ଅଞ୍ଚଳରେ ବାଘ ବୁଲୁଥିବା ନେଇ ବନ ବିଭାଗ ସୂଚନା ଦେଇଥିଲା। ଆଜି ଲଖୀରୀ ଅଭୟାରଣ୍ୟ ପାଦଦେଶରେ ଥିବା ଆକିଲି ଫାର୍ମରେ ବାଘ ପାଦଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇ ଚାନ୍ଦିପୁଟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାଦଚିହ୍ନ ଯାଞ୍ଚ କରିଛନ୍ତି।

ଶିମିଳିପାଳକୁ ଆସିଲା ବାଘୁଣୀ ଜିନାତ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ପ୍ରକଳ୍ପକୁ ଆସିଲା ୩ ବର୍ଷ ବୟସର ବାଘୁଣୀ ଜିନାତ। ବାଘୁଣୀ ଜିନାତକୁ ତଡବା ରିଜର୍ଭ ଜଙ୍ଗଲରେ ଟ୍ରାଙ୍କୁଲାଇଜ କରି ଧରାଯାଇଥିଲା। ଏବଂ ଗତକାଲି ସନ୍ଧ୍ୟାରେ ଶିମିଳିପାଳ ଜଙ୍ଗଲରେ ପହଞ୍ଚିବା ପରେ ଆଜି ସକାଳୁ ଏନକ୍ଲୋଜର ଭିତରେ ଛଡାଯାଇଥିଲା। ବାଘୁଣିଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

ଗତ ମାସ ୨୭ ତାରିଖ ଦିନ ଯମୁନାକୁ ଶିମିଳିପାଳ ଅଣାଯାଇଥିଲା। ଆଜି ତା’ର ଆଉ ଏକ ସାଥି ବାଘୁଣୀକୁ ଅଣାଯାଇଛି। ବାଘୁଣି ଜିନାତର ଗତିବିଧି ଉପରେ ସମ୍ପୂର୍ଣ୍ଣ ଭାବରେ ବନବିଭାଗର କର୍ମଚାରୀ ଏଵଂ ଡାକ୍ତରମାନେ ନଜର ରଖୁଥିବା ଶିମିଳିପାଳ ଅଭୟାରଣ୍ୟ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ଆଜି ହେଉଛି ବିର୍ସା ମୁଣ୍ଡାଙ୍କ ଜୟନ୍ତୀ, ବିର୍ମାମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଜେଡି ନେତା

ଭୁବନେଶ୍ଵର: ମହାନ ବିପ୍ଳବୀ ସହିଦ ବିର୍ସା ମୁଣ୍ଡାଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ। ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ବୟ ପରିଷଦ ପକ୍ଷରୁ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ବିଜେଡି ପକ୍ଷରୁ ଭୁବନେଶ୍ଵର ମୈତ୍ରୀ ବିହାରରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବିଜେଡି ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଜେଡି ନେତା ମନ୍ମଥ ରାଉତରାୟ, ସ୍ତମ୍ଭକାର ପ୍ରିୟବ୍ରତ ମାଝି ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମନ୍ମଥ ରାଉତରାୟ, ପ୍ରିୟବ୍ରତ ମାଝି ଓ ସୁଲୋଚନାଙ୍କ ସମେତ ଅନେକ ବିଜେଡି ନେତା ଓ କର୍ମୀ ଆଦିବାସୀ ସଂପ୍ରଦାୟ ମହିଳାଙ୍କ ସହ ଆଦିବାସୀ ନୃତ୍ୟ କରିଥିଲେ। ନଭେମ୍ବର ୧୫ ତାରିଖ ବିର୍ସାମୁଣ୍ଡାଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି।

ବିର୍ସାମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ଆଦିବାସୀଙ୍କୁ ଏକାଠି କରି ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରିଥିଲେ।

‘ଦେଶର ୧୮ ପ୍ରତିଶତ ପିଲା ଲେଖିବା କିମ୍ୱା ପଢିବା ଜାଣନ୍ତି ନାହିଁ’

ନୂଆଦିଲ୍ଲୀ: ଭାରତର ସମ୍ୱିଧାନରେ ସମସ୍ତ ପିଲାଙ୍କର ପାଠ ପଢିବାର ଅଧିକାର ରହିଛି । ପ୍ରତ୍ୟେକ ଶିଶୁଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବା ପ୍ରତ୍ୟେକ ରାଜ୍ୟ ସରକାରଙ୍କ ଦାୟିତ୍ୱ ଅଟେ । କିନ୍ତୁ ଯଦି ପିଲାଟିଏ ନିଜେ ଅଧ୍ୟୟନ କରିବାକୁ ଚାହିଁବ ନାହିଁ ତେବେ ତାର ଏବଂ ଦେଶର ଭବିଷ୍ୟତ କଣ ହେବ । ଏକ ସର୍ଭେରୁ ଜଣାପଡିଛି ଯେ, ଅନେକ ପିଲାମାନେ ନିଜେ ପାଠ ପଢିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ସେଥିପାଇଁ ସେମାନେ ବିଦ୍ୟାଳୟକୁ ଯାଆନ୍ତି ନାହିଁ ।

ଜାତୀୟ ନମୁନା ସର୍ଭେ ରିପୋର୍ଟରୁ ସାମ୍ନାକୁ ଆସିଛି ଯେ, ଭାରତରେ ପ୍ରାୟ ୨ ପ୍ରତିଶତ ପିଲା ଅଛନ୍ତି ଯେଉଁମାନେ କେବେ ସ୍କୁଲ ଯାଇ ନାହାଁନ୍ତି। କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ପ୍ରତ୍ୟେକ ପିଲା ସ୍କୁଲ ଯାଇଛନ୍ତି।

ଏହି ସର୍ଭେରେ ଆଶ୍ଚର୍ଯ୍ୟଜନକ ବିଷୟ ସାମ୍ନାକୁ ଆସିଛି ଯେ, ବିଦ୍ୟାଳୟକୁ ନଯିବା ପାଇଁ ଆର୍ଥିକ ପ୍ରତିବନ୍ଧକ ମୁଖ୍ୟ କାରଣ ନୁହେଁ। ବରଂ ଅଧିକାଂଶ ପିଲା ଏଥିପାଇଁ ବିଦ୍ୟାଳୟକୁ ଯାଆନ୍ତି ନାହିଁ କାରଣ ସେମାନେ ନିଜେ ପାଠ ପଢିବାକୁ ଚାହାଁନ୍ତି ନାହିଁ ।

ଏହି ସର୍ଭେରୁ ଜଣାପଡିଛି ଯେ, ଯେଉଁ ପିଲାମାନେ ବିଦ୍ୟାଳୟକୁ ନଯାଆନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୧୭ ପ୍ରତିଶତ ପିଲା ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ବିଦ୍ୟାଳୟକୁ ଯାଇ ପାରନ୍ତି ନାହିଁ । ଆଉ ପ୍ରାୟ ୨୪ ପ୍ରତିଶତ ପିଲା ପାଠ ପଢିବାକୁ ଇଚ୍ଛା କରନ୍ତି ନାହିଁ । ଏବଂ ଆଉ ୨୧ ପ୍ରତିଶତ ପିଲାଙ୍କ ବାପା ମାଆ ସ୍କୁଲ ପିଲାଙ୍କୁ ପଠାନ୍ତି ନାହିଁ। ଏଥି ସହିତ ୧୩ ପ୍ରତିଶତ ପିଲା କିଛି ଅସୁସ୍ଥତା କିମ୍ବା ଶରୀରର ଅକ୍ଷମତା ଯୋଗୁଁ ବିଦ୍ୟାଳୟକୁ ଯାଇପାରିନଥିଲେ ।

ବିଜେପିକୁ ଅଡୁଆ ଜୟନାରାୟଣ; ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ସମ୍ବଲପୁରର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ବିଜେପିକୁ ଘେରିଛି ବିଜେଡି। ବରିଷ୍ଠ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଉକ୍ତି ଗ୍ରହଣୀୟ ନୁହେଁ। ଏହାକୁ କୁହାଯାଏ କ୍ଷମତାର ଅଂହକାର। ସୁପ୍ରିମକୋର୍ଟ ନିୟମକୁ ପାଳନ କରୁନାହାନ୍ତି ଅର୍ଥ ବିଜେପି ବିଧାୟକମାନେ ଆଇନଠୁ ଉର୍ଦ୍ଧ୍ୱରେ। ଗୃହ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୁହନ୍ତୁ ଆଇନ ସମସ୍ତଙ୍କ ପାଇଁ ସମାନ ନା ତାଙ୍କ କର୍ମକର୍ତ୍ତା ଓ ରାଜ୍ୟପାଳଙ୍କ ପୁଅ ପାଇଁ ଅଲଗା। ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖନ୍ତୁ ବୋଲି କହିଛନ୍ତି ପ୍ରତାପ ଦେବ।

ଆହୁରି ମଧ୍ୟ କହିଛନ୍ତି ଆଗାମୀ ଦିନରେ ଓଡ଼ିଶାରେ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପୋଲିସ ମାନିବା ଦରକାର ନା ନାହିଁ। ପୋଲିସ ଆଇନ ଶୃଙ୍ଖଳା ରୋକିବାରେ ସଫଳ ହେବ ନାହିଁ । ସରକାର ଓ ଆଇନକୁ କେହି ଡରିବେ ନାହିଁ । ମେସେଜ ଯିବ କି ପଣ୍ଡିତଙ୍କ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ | ମୋହନ ବାବୁ କଣ ଆକ୍ସନ ନେବେ, ଓଡ଼ିଶାବାସୀ ତାକୁ ଚାହିଁ ବସିଛନ୍ତି ବୋଲି ପ୍ରତାପ ଦେବ କହିଛନ୍ତି।

ଅନ୍ୟପଟେ ଜୟ ନାରାୟଣ ମିଶ୍ରଙ୍କ ଜାମିନ ଖାରଜ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ଆଇନଶୃଙ୍ଖଳା ନାହିଁ । ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଜୟ ନାରାୟଣ ମିଶ୍ର ମାଡ଼ ମାରିବା ଘଟଣାରେ ହାଇକୋର୍ଟ ଜାମିନ ଆବେଦନ ଖାରଜ କରିଥିଲେ। ଏବେ ସୁପ୍ରିମକୋର୍ଟ ମଧ୍ୟ ଜାମିନ ଖାରଜ କରିଛନ୍ତି । ସରକାର ଆଇନଶୃଙ୍ଖଳା ସ୍ଥିତି ସୁଧାରିବା ପାଇଁ ଚାହୁଁଛନ୍ତି ଯଦି ଗୃହ ବିଭାଗ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ । ଦଳୀୟ ବିଧାୟକ ଭାବେ ପକ୍ଷପାତିତା କରାଗଲେ ସାରା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯିବ। ସରକାର ବିଳମ୍ବ ନକରି ଆଇନଶୃଙ୍ଖଳା ପ୍ରସଙ୍ଗରେ ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା।

ରେଳ ଷ୍ଟେସନ ନିକଟରୁ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡଵିଖଣ୍ଡିତ ମୃତ ଦେହ ଉଦ୍ଧାର

ଭଦ୍ରକ : ଭଦ୍ରକ ଜିଲ୍ଲା କେନ୍ଦୁଆପଦା ରେଳ ଷ୍ଟେସନ ନିକଟରୁ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡଵିଖଣ୍ଡିତ ମୃତ ଦେହ ଉଦ୍ଧାର। ମୃତକ ହେଲେ ସାବରଙ୍ଗ ଥାନା ଅଧୀନ କେଦାରପୁର ପଞ୍ଚାୟତ ଶେରପୁର ଗ୍ରାମର ଲଲାଟେନ୍ଦୁ ବାରିକ। ସେ ୟୁନିଅନ ବ୍ୟାଙ୍କରେ କାର୍ଯ୍ୟରତ ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା କୁହାଯାଉଛି । କାହିଁକି କେଉଁ ପରିସ୍ଥିତିରେ ଲଲାଟେନ୍ଦୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ଏହାର ତଦନ୍ତ ଆରମ୍ଭ କରିଛି ଭଦ୍ରକ ଜିଆରପି ପୋଲିସ। ରେଳ ଧାରଣା ନିକଟରେ ତାଙ୍କର ଓଲା ସ୍କୁଟି ମିଳିଥିଲା, ଯାହାର ନମ୍ଵର ହେଲା OD22W 5796 । ଏହି ଗାଡ଼ି ନମ୍ବରରୁ ମୃତକଙ୍କ ପରିଚୟ ମିଳିଥିଲା।

ସୂଚନା ଅନୁଯାୟୀ, ୨ ଦିନ ପୂର୍ବରୁ ଲଲାଟେନ୍ଦୁ ବ୍ୟାଙ୍କରୁ ଇସ୍ତଫା ଦେଇଥିଲେ। ଲଲାଟେନ୍ଦୁ ବ୍ୟାଙ୍କରେ କାମ କରୁଥିବା ସହିତ ଟ୍ରେଡିଂକରି ଟଙ୍କା ହରାଇଥିବା ସୂଚନା ମିଳିଛି।

ମାଆ ଆଗରେ ପିଲାଙ୍କୁ ଚେଙ୍କ ଦେଲା ମାଆର ପ୍ରେମିକ

ଭୁବନେଶ୍ଵର: ଭୁବନେଶ୍ଵର ମୈତ୍ରୀବିହାର ଥାନା ମହାବୀର ନଗର ବସ୍ତିରେ ଅଭାବନୀୟ ଘଟଣା । ମାଆ ଆଗରେ ପିଲାଙ୍କୁ ଚେଙ୍କ ଦେଲା ମାଆର ପ୍ରେମିକ। ବନ୍ଦ ଘରେ ୨ ପିଲାଙ୍କୁ ୩ ଦିନ ଧରି ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ମାଆ ସହ ପର ପୁରୁଷର ସମ୍ପର୍କକୁ ବିରୋଧ କରୁଥିବାରୁ ଦୁଇ ପିଲାଙ୍କୁ ଗରମ ସଂଢୁଆସିରେ ଚେଙ୍କ ଦେଇଛି ମା’ର ପ୍ରେମିକ।

ଅଭିଯୋଗ ପରେ ମୈତ୍ରୀ ବିହାର ଥାନାରେ ମାଆକୁ ଅଟକ ରଖାଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ପିଲାଙ୍କୁ ଉଦ୍ଧାର କରି ସେମାନଙ୍କ ବୟାନ ରେକର୍ଡ କରିଛି । ମାଆକୁ ଅଟକ ରଖିଥିବା ବେଳେ ପ୍ରେମିକକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ମୈତ୍ରୀ ବିହାର ଥାନା ପୋଲିସ।।

ଚୋରି ବେଳେ ଧରାପଡ଼ିବା ସନିସ୍ତୁକ ମାଡ଼ ଖାଇଲେ ଚୋରହ

ଭଦ୍ରକ: ଭଦ୍ରକ ବାସୁଦେବପୁର ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଚୋରି । ବାରମ୍ବାର ପୋଲିସରେ ଅଭିଯୋଗ କରି ନିରାଶ ହେଉଛନ୍ତି ଗ୍ରାମବାସୀ । କିଛି ମାସ ହେଲା ଅନେକ ଚୋରି ହେଲାଣି। ଦୁର୍ଗା ପୂଜା ପରଠାରୁ ଚୋରି ବଢିଛି। ତେଣୁ ଗ୍ରାମବାସୀ ରାତି ଉଜାଗର ରହି ଜଗୁଛନ୍ତି। ଗତକାଲି ନରସିଂହପୁର ପଞ୍ଚାୟତର ବାଣପୁର ଗ୍ରାମରୁ ଚୋରି କରୁଥିବା ବେଳେ ୪ ଜଣ ଚୋରଙ୍କୁ ଧରିଛନ୍ତି ଗାଁ ଲୋକେ। ସେମାନେ ପ୍ରଫୁଲ୍ଲ ବେହେରାଙ୍କ ଘରର ପାଚେରି ଡେଇଁ ଘରେ ପ୍ରବେଶ କରିଥିଲେ। ପୂର୍ବରୁ ଲୁଚି ରହିଥିବା ଗାଁ ଲୋକେ ସେହି ଚାରି ଚୋରକୁ ଧରିଛନ୍ତି। ସେମାନଙ୍କୁ ନିସ୍ତୁକ ମାଡ଼ ମରାଯିବା ପରେ ପୋଲିସ ଜିମାରେ ଦିଆଯାଇଛି।

ଆଜି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ ବାବା ଆଖଣ୍ଡଳମଣି

ଭଦ୍ରକ: ପବିତ୍ର ପଞ୍ଚକବ୍ରତ ଓ ରାହାସପୂର୍ଣ୍ଣିମା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରାତନ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଆଜି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ ମଣିବାବା। ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚାଲିଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଭୋର ୫ଟାରୁ ସାହଣମେଲା କରାଯାଇଛି। ଭକ୍ତମାନେ ବ୍ଯାରିକେଡରେ ଧାଡିରେ ଯାଇ ବାବାଙ୍କୁ ଦର୍ଶନ କରିବା ପାଇଁ ବ୍ୟବସ୍ଥା ହୋଇଛି।

ଏଥିସହ ରାତ୍ର ୩ଟାରୁ ଶିବଗଙ୍ଗା ପୁଷ୍କରିଣୀରେ ହଜାର ହଜାର ଭକ୍ତ ବୋଇତ ଭସାଇ ବୁଡ ପକାଇଥିଲେ। ଏପରିକି ଧର୍ମର ମାସ କାର୍ତ୍ତିକମାସରେ ମଣିବାବାଙ୍କ ପାଖରେ ଉପାସନା କରିବା ସହ ଘର୍ଷଣଲାଗି କଲେ ବହୁ ପୂଣ୍ଯ ମିଳିଥାଏ। ସେଥିପାଇଁ ପ୍ରତିଦିନ ରାଜ୍ଯ ଓ ରାଜ୍ଯ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ପୀଠରେ ଭିଡ ଲାଗିଛି। ମଣିବାବାଙ୍କ ମନ୍ଦିରରେ ମଧ୍ୟ କାର୍ତ୍ତିକମାସରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।