spot_img
Home Blog Page 1359

ଆଜିଠୁ ଗହୀରମଥା,ଭିତରକନିକାରେ ଡଲଫିନ ଗଣନା ଆରମ୍ଭ, ୩ଦିନ ଧରି ଚାଲିବ

କେନ୍ଦ୍ରାପଡା : ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକାରେ ଆରମ୍ଭ ହେଲା ଡଲଫିନ ଗଣନା । ଆଜିଠୁ ୩ ଦିନ ଧରି ଚାଲିବ ଏହି ଗଣନା କାର୍ଯ୍ୟ । ଗଣନା କାର୍ଯ୍ୟରେ ୯ଟି ଟିମ୍ ସାମିଲ୍ ଅଛନ୍ତି । ପ୍ରତି ଟିମରେ ୪ରୁ ୫ଜଣ ଗଣନାକାରୀ ସାମିଲ୍ ଅଛନ୍ତି । ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ଏବଂ ଭିତରକନିକା ମଧ୍ୟରେ ଥିବା ନଦୀ ନାଳ ମାନଙ୍କରେ ଡଲଫିନ ଗଣନା କରାଯାଉଛି ।

ଗଣନା କାର୍ଯ୍ୟରେ ବାଇନାକୁଲାର , ଜିପିଏସ , କ୍ୟାମେରା, ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀର ବ୍ୟବହାର କରାଯାଉଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି କ୍ରମେ ୨୦୧୫ ରୁ ଗହୀରମଥା ଓ ଭିତରକନିକା ଅଞ୍ଚଳରେ ଡଲଫିନ ଗଣନା କରାଯାଉଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଅଧିକ ଡଲଫିନ ଗଣନା କରାଯିବା ନେଇ ସୂଚନା ମିଳିଛି ।

ଘନ କୁହୁଡିରୁ ଏବେ ମିଳିବନି ନିସ୍ତାର, ଦୁଇଦିନ ପର୍ଯ୍ୟନ୍ତ ଆକ୍ତାମାକ୍ତା କରିବ କୁହୁଡି

ଭୁବନେଶ୍ବର : ଘନ କୁହୁଡିରୁ ଏବେ ମିଳିବନି ନିସ୍ତାର । କାଲି ପର୍ଯ୍ୟନ୍ତ ଆକ୍ତାମାକ୍ତା କରିବ କୁହୁଡି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୮ ତାରିଖରେ ବି ଘନ କୁହୁଡି ନେଇ କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ରହିବ ଭିଜିବିଲିଟି । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି ।

ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ କୁହୁଡି ମାତ୍ରା ବୃଦ୍ଧି ପାଉଛି । ସେପଟେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି ।

ପୁଣି ସନ୍ଦେହ ବଢ଼ାଇଲା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ଆକ୍ରମଣ ପଛରେ ଏକାଧିକ ବ୍ୟକ୍ତି ..

ମୁମ୍ବାଇ : ପୁଣି ସନ୍ଦେହ ବଢ଼ାଇଲା ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା । ଆକ୍ରମଣ ପଛରେ ଜଣେ ନୁହନ୍ତି,ଏକାଧିକ ବ୍ୟକ୍ତି ଜଡ଼ିତ ବୋଲି ଆଶଙ୍କା ଘନୀଭୂତ ହୋଇଛି । ଏହି ଘଟଣାରେ ୩୦ ବର୍ଷ ବୟସ୍କ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଗିରଫ ହୋଇଥିବା ସତ୍ତ୍ବେ ଆକ୍ରମଣ ଘଟଣା ଅଧିକ ବିବାଦ ଆଡକୁ ଯାଇଛି । ଶରିଫୁଲକୁ ରିମାଣ୍ଡରେ ନେବା ଲାଗି ପୋଲିସ କରିଥିବା ଆବେଦନରେ ଏହି ତଥ୍ୟ ଦର୍ଶାଯାଇଛି। ଜାନୁଆରୀ ୧୬ରେ ହୋଇଥିବା ଆକ୍ରମଣ ଘଟଣା ବେଳେ ପିନ୍ଧିଥିବା ପୋଷାକଗୁଡିକୁ ଫରେନସିକ ପରୀକ୍ଷା ଲାଗି ହସ୍ତାନ୍ତର କରିବା ଲାଗି ସୈଫ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି ପୋଲିସ । ସେପଟେ ତଦନ୍ତ ପ୍ରକ୍ରିୟାରେ ଶରିଫୁଲ୍ ସହଯୋଗ କରୁ ନଥିବା ସୂଚନା ମିଳିଛି । ତେଣେ ଅଭିଯୁକ୍ତକୁ ଏକ ସିମ୍ କାର୍ଡ ଦେଇଥିବା ଖୁକମଣି ଜାହାଙ୍ଗୀର ଶେଖକୁ ପୋଲିସ ଖୋଜୁଛି  ।

ସେପଟେ ଆହତ ହେବା ପରେ ପରେ ସୈଫଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ବୀମା ମଞ୍ଜୁରୀକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ବୀମା ନିୟାମକ ଆଇଆରଡିଏଆଇ ନିକଟରେ ହୋଇଛି ଅଭିଯୋଗ। ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ୩୬ ଲକ୍ଷ ଟଙ୍କାର କ୍ୟାସଲେସ୍ ଆବେଦନ କରାଯାଇଥିଲା । ସେଥିରେ ୨୫ ଲକ୍ଷ ଟଙ୍କା ହୋଇଥିଲା ମଞ୍ଜୁର। ତୁରନ୍ତ ବୀମା ପ୍ରଦାନକୁ ବିରୋଧ କରି ଆସୋସିଏସନ ଅଫ ମେଡିକାଲ କନସଲଟାଣ୍ଟ୍ସ ପକ୍ଷରୁ IRDAI ନିକଟରେ ଅଭିଯୋଗ କରାଯାଇଛି ।

ଏଭଳି ପରିସ୍ଥିତିରେ ମହମ୍ମଦ ଶରିଫୁଲ ସୈଫଙ୍କ ଆକ୍ରମଣକାରୀ ବୋଲି କିପରି ସାମ୍ନାକୁ ଆସିଲା ?

-ମୁମ୍ବାଇ ପୋଲିସ ସୈଫଙ୍କ ଘରୁ ୨୦୦ରୁ ଅଧିକ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଥିଲା। ସେଥିମଧ୍ୟରୁ ଦୁଇ ଡଜନରୁ ଅଧିକ ଫିଙ୍ଗର ପ୍ରିଣ୍ଟ ମେଳ ଖାଉ ନାହିଁ ।

-ଦ୍ୱିତୀୟତଃ  ଅଭିଯୁକ୍ତର ଚେହେରା ସମସ୍ତଙ୍କୁ ଦ୍ବନ୍ଦରେ ପକାଇଛି । କିନ୍ତୁ ମୁମ୍ବାଇ ପୋଲିସ କହିଛି ଯେ ଯେଉଁ ଦିନ ସୈଫଙ୍କୁ ଆକ୍ରମଣ କରାଯାଇଥିଲା ଏହା ପରେ ତାଙ୍କ ପରି ଦେଖାଯାଉଥିବା ଏକ ଡଜନରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଥିଲା । କିନ୍ତୁ ସେଦିନ ରାତିରେ ସୈଫଙ୍କ ଘରେ କିମ୍ବା ଆଖପାଖରେ ସେମାନଙ୍କ ମଧ୍ୟରୁ କାହାର ମୋବାଇଲ ଲୋକେଶନ ମିଳିନଥିବା ବେଳେ କେବଳ ଧରାଯାଇଥିବା ଆକ୍ରମଣକାରୀଙ୍କ ଲୋକେଶନ ମ୍ୟାଚ ହୋଇଥିଲା ।

-ମୁମ୍ବାଇ ପୋଲିସ କହିଛି ଯେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଅନେକ ପ୍ରମାଣ ସଂଗ୍ରହ କରିଛି ଯାହା ଏହି ମାମଲାକୁ ସ୍ପଷ୍ଟ କରୁଛି । ଏବଂ ଗିରଫହୋଇଥିବା  ଅଭିଯୁକ୍ତ ସୈଫଙ୍କ ଆକ୍ରମଣକାରୀ ବୋଲି ପ୍ରମାଣ ହୋଇଛି ।

-ସୈଫଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ରିକଗନାଇଜ ଟେଷ୍ଟ ବ୍ୟତୀତ ବର୍ତ୍ତମାନ ତାଙ୍କ ଫୁଟ ପ୍ରିଣ୍ଟ ମଧ୍ୟ ମେଳ ହେବ। ଘଟଣା ଦିନ ଅଭିଯୁକ୍ତ ସୈଫଙ୍କ ଘରେ ପ୍ରବେଶ କଲାବେଳେ ସେ ଖାଲି ପାଦରେ ପ୍ରବେଶ କରିଥିଲେ, ପାଦ ଛାପ ମଧ୍ୟ ନିଆଯାଇଥିଲା । ଅପରାଧ କରିବା ପରେ ସେ ପିନ୍ଧିଥିବା ଜୋତା ମଧ୍ୟ ଉଦ୍ଧାର କରାଯିବ ।

-ଅଭିଯୁକ୍ତ  ତଦନ୍ତରେ ସହଯୋଗ କରୁନାହିଁ ବୋଲି କୋର୍ଟରେ ମୁମ୍ବାଇ ପୋଲିସ କହିଛି । ତାଙ୍କୁ ବାଂଲାଦେଶରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିବାରେ କିଏ ସାହାଯ୍ୟ କରିଛି ସେନେଇ ମୁହଁ ଖୋଲୁନାହିଁ ।

-ଏଥି ସହିତ ମୁମ୍ବାଇ ପୋଲିସ ଶରିଫୁଲଙ୍କ ବୟାନକୁ ଗ୍ରହଣ କରୁନାହିଁ ଯେ ସେ ଏକାକୀ ଏଭଳି ବଡ ଘଟଣା ଯୋଜନା କରିଥିଲା । ପୋଲିସ ସନ୍ଦେହ କରୁଛି ଯେ ଅନ୍ୟ ସହଯୋଗୀଙ୍କ ସାହାଯ୍ୟରେ ସେ ଏଭଳି କାଣ୍ଡ ଘଟାଇଛନ୍ତି । ଏହି ଅପରାଧରେ ତାଙ୍କର ଅନ୍ୟ ସହଯୋଗୀ କିଏ ବୋଲି ପୋଲିସ ଜାଣିବାକୁ ଚେଷ୍ଟା କରୁଛି ।

-ଏହି ମାମଲାରେ ଅନ୍ତର୍ନିହିତ ବ୍ୟକ୍ତିଙ୍କ ଭୂମିକା ମଧ୍ୟ ପୋଲିସ ଅନୁସନ୍ଧାନ କରୁଛି। ସୈଫଙ୍କ ଘର ଭିତରେ ପାହାଚ କେଉଁଠାରେ ଅଛି, ସିଡ଼ି କେଉଁଠାରେ ଅଛି, ଘରକୁ ସିଡ଼ି କେତେ ଦୂର ଯାଏ ଏବଂ ବାଥରୁମରୁ ପୁଅ ଜେହଙ୍କ ଶୋଇବା ଘରକୁ କେଉଁ ରାସ୍ତା ଯାଏ … ଅଭିଯୁକ୍ତ ଶରିଫୁଲ ଏସବୁ କିପରି ଜାଣିଲେ ? ଏହି ମାମଲାରେ ସୈଫଙ୍କ କୌଣସି କର୍ମଚାରୀଙ୍କୁ ପୋଲିସ କ୍ଲିନ୍ ଚିଟ୍ ଦେଇନାହିଁ  ।

 

DNA ଟେଷ୍ଟ କରିଥିଲି ଭାରତୀୟ ବାହାରିଲି ! ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ବଡ଼ ଖୁଲାସା ..

ନନ୍ଦିଘୋଷ ବ୍ୟୁରୋ: ଗତକାଲି ଭାରତ ୭୬ତମ ଗଣତନ୍ତ୍ର ଦିବସକୁ ବଡ ଧୁମଧାମରେ ପାଳନ କରିଛି । ଗଣତନ୍ତ୍ରର ଏହି ବିଶେଷ ଅବସରରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋ ସାମିଲ ହୋଇଥିଲେ । ତେବେ ଶନିବାର ଆୟୋଜିତ ଏକ ପାର୍ଟୀରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋ କହିଛନ୍ତି ଯେ ତାଙ୍କର ଡିଏନ୍ଏ ଭାରତୀୟ ଅଟେ। ଯେତେବେଳେ ବି ସେ ଭାରତୀୟ ସଙ୍ଗୀତ ଶୁଣନ୍ତି, ସେତେବେଳେ ସେ ଖୁସି ହୋଇ ନାଚିବା ଆରମ୍ଭ କରନ୍ତି  ।

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ଦ୍ବାରା ଶନିବାର ଆୟୋଜିତ ଏକ ଭୋଜିରେ ପ୍ରଭୋ ସୁବିଆଣ୍ଟୋ କହିଛନ୍ତି, “କିଛି ସପ୍ତାହ ପୂର୍ବରୁ ମୁଁ ମୋର ଜେନେଟିକ୍ ସିକ୍ୱେନ୍ସିଂ ଟେଷ୍ଟ ଏବଂ ଡିଏନ୍ଏ ପରୀକ୍ଷା କରିଥିଲି ଏବଂ ସେମାନେ ମୋତେ କହିଥିଲେ ଯେ ମୋର DNA ଭାରତୀୟ ଅଟେ । କାରଣ ସମସ୍ତେ ଜାଣନ୍ତି ଯେ ଯେତେବେଳେ ମୁଁ ଭାରତୀୟ ସଙ୍ଗୀତ ଶୁଣେ, ମୁଁ ନାଚିବା ଆରମ୍ଭ କରେ। ”

‘ଭାରତ ଏବଂ ଇଣ୍ଡୋନେସିଆର ଏକ ପ୍ରାଚୀନ ଇତିହାସ ଅଛି’

ଭୋଜି ସମୟରେ ଇଣ୍ଡୋନେସିଆର ରାଷ୍ଟ୍ରପତି କହିଛନ୍ତି, “ଭାରତ ଏବଂ ଇଣ୍ଡୋନେସିଆର ଏକ ପ୍ରାଚୀନ ଇତିହାସ ଅଛି  । ଆମ ମଧ୍ୟରେ ସଭ୍ୟତା ସମ୍ପର୍କ ଅଛି  । ଆଜି ବି ଆମ ଭାଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସଂସ୍କୃତରୁ ଆସିଛି । ଅନେକ ଇଣ୍ଡୋନେସିଆର ନାମ ପ୍ରକୃତରେ ସଂସ୍କୃତରୁ ଆସିଛି । ପ୍ରାଚୀନ ଭାରତୀୟ ସଭ୍ୟତାର ପ୍ରଭାବ ଆମ ଉପରେ ବେଶ ପ୍ରଭାବ ପକାଇଛି । ମୁଁ ଭାବୁଛି ଏହା ମଧ୍ୟ ଆମର ଜେନେଟିକ୍ସର ଏକ ଅଂଶ । ”

‘ଅଳ୍ପ ସମୟ ପାଇଁ ଆସିଛି କିନ୍ତୁ ବହୁତ କିଛି ଶିଖିଲି’

ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋ ଆହୁରି କହିଛନ୍ତି, “ମୁଁ ଭାରତ ଆସିଥିବାରୁ ଗର୍ବିତ’’। ମୁଁ ତୁମକୁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ମୁଁ ଜଣେ ବୃତ୍ତିଗତ ରାଜନେତା ନୁହେଁ | ମୁଁ ମଧ୍ୟ ଜଣେ ଭଲ କୂଟନୀତିଜ୍ଞ ନୁହେଁ। ମୁଁ ଯାହା କହୁଛି, ହୃଦୟରୁ କହୁଛି  । ମୁଁ ବହୁତ ଦିନ ଧରି ଏଠାକୁ ଆସିନାହିଁ, କିନ୍ତୁ ଅଳ୍ପ ସମୟ ମଧ୍ୟରେ ମୁଁ ବହୁତ କିଛି ଶିଖିଲି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ, କାର୍ଯ୍ୟକ୍ରମ ଏବଂ ଦାରିଦ୍ର୍ୟ ଦୂରିକରଣ ପ୍ରଚେଷ୍ଟା ମୋତେ ଅନୁପ୍ରାଣୀତ କରିଛି । ଏହା ଆମ ପାଇଁ ପ୍ରେରଣାଦାୟକ । ଆମେ ଭଲ ଉଦାହରଣ ଅନୁସରଣ କରିବା ଉଚିତ୍। ”

ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସପକ୍ଷବାଦୀଙ୍କ ହଙ୍ଗାମା

ନନ୍ଦିଘୋଷ ବ୍ୟୁରୋ: ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସପକ୍ଷବାଦୀଙ୍କ ହଙ୍ଗାମା। ପ୍ରତିବାଦରେ ଭାରତୀୟ ସମୁଦାୟ ଏହା ବିରୋଧରେ କରିଛନ୍ତି ପ୍ରତିବାଦ। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତୀୟ ଦୂତାବାସ ବାହାରେ ଭାରତୀୟ ସମୁଦାୟ ଉପସ୍ଥିତ ଥିଲେ। ମାତ୍ର ସେତେବେଳେ କେତେକ ଖଲିସ୍ତାନୀ ସପକ୍ଷବାଦୀ ହଙ୍ଗାମା କରିଥିଲେ। ଏହି ଘଟଣାକୁ ନେଇ ଦୂତାବାସ ଆଗରେ ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା ।

ଭାରତୀୟମାନେ ଅଭିଯୋଗ କରିଛନ୍ତି ଖଲିସ୍ତାନୀ ସମର୍ଥକମାନେ ଭାରତର ଜାତୀୟ ପତାକାକୁ ଅସମ୍ମାନ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟିହୋଇଥିଲା । ପୂର୍ବରୁ ବ୍ରିଟେନର ବିଭିନ୍ନ ସିନେମା ହଲରେ କଙ୍ଗନା ରାଣାୱତ ଅଭିନୀତ ଏମର୍ଜେନ୍ସି ଫିଲ୍ମର ପ୍ରଦର୍ଶନକୁ ବିରୋଧ କରି ଖଲିସ୍ତାନ ସମର୍ଥକମାନେ ପ୍ରତିବାଦ କରିଥିଲେ । ଗତମାସରେ ଖଲିସ୍ତାନୀବାଦୀ ନେତା ଗୁରପତୱନ୍ତ ସିଂ ପନୁ ବ୍ରିଟେନରେ ଭାରତ ବିରୋଧୀ ଅଭିଯାନର ନାରା ଦେଇଥିଲେ ।

ଦିଲ୍ଲୀ ବିଧାନସଭା ନିର୍ବାଚନ : ପ୍ରଚାର ପାଇଁ ହାତରେ ମାତ୍ର ୭ ଦିନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର । ପ୍ରଚାରକୁ ଆଉ ମାତ୍ର ହାତରେ ୭ ଦିନ । ଆସନ୍ତା ୩ ତାରିଖରେ ସରିବ ପ୍ରଚାର । ଏଥିଲାଗି ସମସ୍ତ ଦଳର ପ୍ରାର୍ଥୀ ଜୋରସୋର ପ୍ରଚାରରେ ଲାଗି ପଡିଛନ୍ତି । ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ଗତକାଲି ଜୋରଦାର ପ୍ରଚାର କରିଥିଲେ । ପ୍ରଚାର ଅବସରରେ କେନ୍ଦ୍ରର ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି କେଜରିୱାଲ । ଯଦି ବିଦ୍ୟୁତ ବିଲ ଅଧିକ ଦେବାକୁ ଦିଲ୍ଲୀବାସୀ ଚାହୁଁଛନ୍ତି ତେବେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ବୋଲି କହିଛନ୍ତି କେଜରିୱାଲ ।

ଆପ ନେତା ସଂଜୟ ସିଂହ ମଧ୍ୟ କେନ୍ଦ୍ରର ବିଜେପିକୁ କଡ଼ା ଭାବେ ସମାଲୋଚନା କରିଛନ୍ତି। ଆମ ଆଦମୀ ପାର୍ଟି ଏକ ହୋଇ ଦିଲ୍ଲୀବାସୀଙ୍କ ପାଇଁ କାମ କରିବ ବୋଲି କହିଛନ୍ତି ସଂଜୟ ସିଂହ। ଦିଲ୍ଲୀରେ ବିଜେପି ଆସିଲେ ବିଜୁଳି, ପାଣି, ଶିକ୍ଷା, ଚିକିତ୍ସା ଓ ମହିଳାଙ୍କ ମାଗଣା ବସ ସେବା ଯାତ୍ରା ବନ୍ଦ କରି ଦେବେ ବୋଲି କହିଛନ୍ତି ସଂଜୟ ସିଂହ । ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଗଠନ ଲାଗି ଦିଲ୍ଲୀବାସୀ ପୁରା ପ୍ରସ୍ତୁତ ଅଛନ୍ତି ବୋଲି କହିଛମନ୍ତି ସଂଜୟ ସିଂହ।

ବିବାହ ପାଇଁ ଅସ୍ଵୀକାର ମାନେ ନୁହଁ ଆତ୍ମହତ୍ୟା ଲାଗି ଉସୁକାଇବା : ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ: ମହିଳା ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ବିବାହ ପାଇଁ ଅସ୍ଵୀକାର କରିବା ମାନେ ନୁହଁ ଆତ୍ମହତ୍ୟା ଲାଗି ଉସୁକାଇବା। ଜଣେ ଯୁବତୀଙ୍କ ଆତ୍ମହତ୍ୟା ମାମଲାରେ ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମୃତ ଯୁବତୀଙ୍କ ପକ୍ଷରୁ ହୋଇଥିବା ମାମଲାର ଶୁଣାଣି କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ବଡ଼ ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ବିବାହ ପାଇଁ ମନା କରିବା ଅର୍ଥ ନୁହେଁ ମହିଳାଙ୍କୁ ମରିବା ଲାଗି ପ୍ରବର୍ତ୍ତାଇବା । ସୁପ୍ରିମକୋର୍ଟ ଜଷ୍ଟିସ ବିଭି ନାଗରତ୍ନ ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଣିଛନ୍ତି ।

ଜଣେ ମହିଳାଙ୍କୁ ନେଇ ଏଭଳି ଅଭିଯୋଗ ଆଣିଥିଲେ ଯୁବତୀଙ୍କ ପରିବାର । ମହିଳାଙ୍କ ପୁଅଙ୍କୁ ଯୁବତୀ ଜଣକ ପ୍ରେମ କରୁଥିଲେ। ତେବେ ମହିଳାଙ୍କ ପୁଅ ବିବାହ ଲାଗି ମନା କରିଥିଲେ। ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିଲେ । ଯୁବତୀ ଜଣଙ୍କ ମହିଳାଙ୍କ ଉପରେ ଯୁବତୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିବା ଏବଂ ବିବାହକୁ ବିରୋଧ କରିବା ସହ ଯୁବତୀଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇବା ଅଭିଯୋଗ ଆଣି ମାମଲା କରିଥିଲେ ଯୁବତୀଙ୍କ ପରିବାର । ମହିଳା ପରିବାର ପକ୍ଷରୁ ଏହି ଅଭିଯୋଗ ହୋଇଥିଲା। ତେବେ ଯୁବତୀଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇବା ଭଳି କୌଣସି ଯୁବକ କିମ୍ବା ତାଙ୍କ ମାଆଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ନଥିଲା । କୋର୍ଟ ମହିଳାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଖାରଜ କରି ଦେଇଥିଲେ।

ହରିରାଜପୁର ଗଣ୍ଡଗୋଳ : ସିସିଟିଭିରେ କଏଦ ହେଲା ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ସିସିଟିଭି ଫୁଟେଜରେ କଏଦ ହେଲା ବୋମା ମାଡ଼ ଦୃଶ୍ୟ । ସିସି ଟିଭି ଫୁଟେଜରେ କଏଦ ହେଲା ଡେଲାଙ୍ଗ ହରିରାଜପୁର ଗଣ୍ଡଗୋଳର ଦୃଶ୍ୟ । ସମୟ ପ୍ରାୟ ୧୦ଟା ୨୫ ମିନିଟ ସମୟରେ ଯୁବକ ଜଣକ ହାତରେ ବୋମା ମାଡ଼ କରିଥିବା ଭିଜୁଆଲ ସ୍ପଷ୍ଟ ବାରି ହୋଇ ପଡିଛି । ସୂଚନା ଥାଉକି ଜମି ଜୁମା ବିବାଦକୁ କେନ୍ଦ୍ର କରି ଉକ୍ତ ଗ୍ରାମର ଦୁଇ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା ବେଳେ ଆଜି ଉଗ୍ର ରୂପ ଧାରଣ କରିଛି । ବୋମା ମାଡ଼ରେ କାହାର ମୃତ୍ୟୁ ହୋଇ ନଥିବା ବେଳେ ବୋମା ମାଡ଼ ଯୋଗୁଁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଁଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିବା ବେଳେ ସାଇଣ୍ଟି ପିକ ଟିମ ଘଟଣା ସ୍ଥଳ ପହଁଚି ଅନୁଧ୍ୟାନ କରିଛନ୍ତି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଉଭୟ ପକ୍ଷରୁ ଦୁଇ ଜଣକୁ ଥାନାରେ ଅଟକ ରଖିଛି।

ଟ୍ରକର ସ୍ୱତନ୍ତ୍ର ଚାମ୍ବରରେ ବାହାର ରାଜ୍ୟକୁ ଚାଲାଣ କରୁଥିଲେ ଗଞ୍ଜେଇ, ବନ୍ଧାହେଲେ..

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜେଇ ଚାଲାଣର ନୂଆ ତରିକା  । ଟ୍ରକର ସ୍ୱତନ୍ତ୍ର ଚାମ୍ବରରେ ବାହାର ରାଜ୍ୟକୁ ଚଲାଣ ହେଉଥିବା ୨୭୩ କିଲୋ  ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବୈପାରୀଗୁଡା ଥାନା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆଜି ସକାଳେ ବୈପାରୀଗୁଡା ଥାନା ଅନ୍ତର୍ଗତ 326 ନମ୍ବର ଜାତୀୟ ରାଜପଥ ମାଲକାନଗିରି ରାସ୍ତା କୁରୁଲୁଗାଡ଼ ଛକରେ ପୋଲିସ ପେଟ୍ରୋଲିଙ୍ଗ ଚାଲିଥିଲା ।ସେହି ସମୟରେ ବୈପାରୀଗୁଡା ଅଭିମୁଖେ ଆସୁଥିବା ଏକ ଟ୍ରକକୁ ଅଟକାଇ ଯାଞ୍ଚ କରାଯାଇଥିଲା l ଟ୍ରକର ତଳ ଭାଗରେ ସ୍ୱତନ୍ତ୍ର ଚାମ୍ବର ଏବଂ ଡ୍ରାଇଭର ସିଟ୍ ଭିତରେ ଗଂଜେଇ ଚୋରା ଚଲାଣ କରାଯାଉଥିଲା  । ଗାଡି ଯାଞ୍ଚ ବେଳେ ୨୭୩ କିଲୋ ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।  ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ ଫିରୋଜାବାଦ ଅଂଚଳର ଦୀପକ କୁମାର ଏବଂ ମାନଦୀପ କୁମାର ।

ଗାଧୋଇବାବେଳେ ବୁଡ଼ି ଗଲେ ଛାତ୍ର

ନନ୍ଦିଘୋଷ ବ୍ୟୁରୋ: ଭୀମକୁଣ୍ଡରେ ଅଘଟଣ । ଗାଧୋଇବାବେଳେ ବୁଡ଼ି ଛାତ୍ର ନିଖୋଜ । ନିଖୋଜ ଛାତ୍ର ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦାର ଡିପ୍ଲୋମା ଛାତ୍ର ବିଶ୍ବଜିତ ଦାସ । ସେ ଡିପ୍ଲୋମା ପଢୁଥିବା ବେଳେ ଜ୍ୟୋତି ମୋଟର୍ସ ରେ ଅସ୍ଥାୟୀ ଭାବେ କାମ କରୁଥିଲେ । ଭୁବନେଶ୍ୱର ଜ୍ୟୋତି ମୋଟର୍ସରୁ ୧୫-୧୭ ଜଣ ଏକ ଟ୍ରାଭେଲର୍ ଯୋଗେ ପିକନିକ ପାଇଁ ଭୀମକୁଣ୍ଡ ଆସିଥିଲେ । ସ୍ୱାତୀଘାଟ ଏବଂ ସାନ କୁଣ୍ଡ ମଝିରେ ଗାଧୋଉଥିବାବେଳେ ହଠାତ ବିଶ୍ବଜିତଙ୍କ ଗୋଡ଼ ଖସିଯାଇଥିଲା । ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ଯ ତାଙ୍କର ପତ୍ତା ମିଳନାହିଁ । ଆସନ୍ତାକାଲି ଓଡ୍ରାଫ ଟିମ ଆସି ଖୋଜାଖୋଜି କରିବେ ବୋଲି ସୂଚନା ଦେଇଛନ୍ତି ଠାକୁରମୁଣ୍ଡା ଥାନା ଏଏସଆଇ ରତ୍ନାକର ବାରିକ ।