spot_img
Home Blog Page 1363

ଡବଲ ଇଞ୍ଜିନ ସରକାରଙ୍କ ଡବଲ ଧୋକା, ପୂର୍ବତଟ ରେଳପଥ ଜୋନରୁ ଅଲଗା କଲେ ଓ୍ବାଲଟିୟର ଡିଭିଜନ୍

ନନ୍ଦିଘୋଷ ବ୍ୟୁରୋ : ରେଳ ବିକାଶରେ ଓଡ଼ିଶାକୁ ବେଖାତିର । ଦୀର୍ଘଦିନରୁ ଷଡ଼ଯନ୍ତ୍ର କରୁଥିଲା କେନ୍ଦ୍ର । କିନ୍ତୁ ବିଜେଡିର ବିରୋଧ ଯୋଗୁ ସମ୍ଭବ ହୋଇ ପାରୁନଥିଲା । ଏବେ ଡବଲ ଇଞ୍ଜିନ୍ ସରକାର କ୍ଷମତାକୁ ଆସିବା ପରେ ନୂଆବର୍ଷ ପୂର୍ବରୁ ଓଡ଼ିଶାକୁ କେନ୍ଦ୍ର ଦେଇଛି ବୈମାତୃକ ଭେଟି ।  ୱାଲଟିୟର ଡିଭିଜନ୍କୁ ପୂର୍ବତଟ ରେଳପଥ ଜୋନରୁ ଅଲଗା କରିଛନ୍ତି କେନ୍ଦ୍ର ସରକାର । ନୂଆ କରି ଗଠନ ହେବ ଦକ୍ଷିଣତଟ ରେଳ ଜୋନ୍ । ସଂକୁଚିତ କଲେ ପୂର୍ବତଟ ରେଳବାଇ ଜୋନର ପରିସୀମା । ଏବେ ରେଳ ରାଜସ୍ବ ବି କାଟିଲା କେନ୍ଦ୍ର । ଖୋଦ ରେଳବାଇର ପୂର୍ବତନ ଅଧିକାରୀ ଏ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି । କୌଣସି ରାଜ୍ୟର ପରିସୀମାକୁ ଦେଖି ରେଳ ଜୋନ ଗଠନ ହୁଏନାହିଁ । ଆନ୍ଧ୍ର ପ୍ରଦେଶ ସ୍ବତନ୍ତ୍ର ରାଜ୍ୟ ହେଲେ ବି ସେଠାରେ ଆଗରୁ ଓ୍ବାଲଟିୟର ଡିଭିଜନ୍ ରହିଛି । ନୂଆ ରେଳ ଜୋନ କରିବାର ଆବଶ୍ୟକତା ନାହିଁ । କେନ୍ଦ୍ର ସରକାର ଏପରି କରି ଓଡ଼ିଶା ପ୍ରତି ଚରମ ଅନ୍ୟାୟ କରିଛନ୍ତି । ୨୦୦୩ରେ ପୂର୍ବତଟ ରେଳପଥ ଜୋନ୍ ଓଡ଼ିଶାରେ ପ୍ରତିଷ୍ଠା ହୋଇଥିଲା । ଯେଉଁଥିରେ ୱାଲଟିୟର ଡିଭିଜନ୍ ସାମିଲ ଥିଲା । ଯଦି ଓଡ଼ିଶାରୁ ୱାଲଟିୟର ଡିଭିଜନ୍ ଅଲଗା କଲେ ତାହେଲେ ଦକ୍ଷିଣ-ପୂର୍ବ ରେଳପଥ ଜୋନ ଅଧୀନରେ ଥିବା ଚକ୍ରଧରପୁର ରେଳମଣ୍ଡଳରେ ଥିବା ଓଡ଼ିଶାର ୪ଟି ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ପୂର୍ବତଟ ରେଳପଥ ଜୋନ୍ରେ ସାମିଲ କରାଯାଉ । ଓଡ଼ିଶାରୁ ଅଲଗା ୱାଲଟିୟର ଡିଭିଜନ ଅଲଗା ହେଲେ ବାର୍ଷିକ ପ୍ରାୟ ୧୦ ହଜାର କୋଟିରୁ ଅଧିକ ରେଳ ରାଜସ୍ବ ହରାଇବ ରାଜ୍ୟ । କେନ୍ଦ୍ରର ଏପରି ନିଷ୍ପତ୍ତି ଓଡିଶାର ବିକାଶ ପାଇଁ ନା ଓଡ଼ିଶାକୁ କାଙ୍ଗାଳ କରିବା ପାଇଁ ତାକୁ ନେଇ ପ୍ରଶ୍ନ ଉଠିଛି ।

କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଏପରି ଚରମ ଅଣଦେଖା ନେଇ ବର୍ଷିଛନ୍ତି ବିରୋଧୀ । ଅଭିଯୋଗ ହୋଇଛି, ବିକାଶ ନାଁରେ ଓଡ଼ିଶା ପାଇଲା ଧୋକା ।  ରାଜନୈତିକ ଫାଇଦା ପାଇଁ କେନ୍ଦ୍ର ସରକାର ଓଡ଼ିଶାର ପୂର୍ବତଟ ରେଳପଥ ଜୋନ୍ରୁ ଓ୍ବାଲଟିୟର ଡିଭିଜନକୁ ଅଲଗା କଲେ । ଆନ୍ଧ୍ରକୁ ତୁଷ୍ଟ କଲେ ତିଷ୍ଠି ରହିବ କେନ୍ଦ୍ର ସରକାର । ଓଡିଶା ପ୍ରତି କେନ୍ଦ୍ରର ଏପରି ଅବହେଳା ଜାଣି ବି ବିତଣ୍ଡା ଯୁକ୍ତି ବାଢୁଛି ବିଜେପି । ରେଳବାଇର ପରିଚାଳନା ଦୃଷ୍ଟିରୁ ଓଡ଼ିଶା ରେଳରାଜସ୍ବ ସଂଗ୍ରହ ଗେଟ୍ ଓ୍ବେ ଭାବେ କାମ କରୁଥିଲା । କୌଣସି ଅନ୍ୟରାଜ୍ୟର ଡିଭିଜନ୍ ଇଷ୍ଟକୋଷ୍ଟ ରେଳବାଇ ଅଧୀନରେ ନଥିଲା ।  ନୂଆ କରି ଜୋନ୍ ହେଲେ ଓଡ଼ିଶାର ରାୟଗଡ଼ା, କୋରାପୁଟ, ଗୁଣୁପୁର, ବ୍ରହ୍ମପୁର ଜଙ୍କସନ୍ ଆଦି ଆନ୍ଧ୍ର ପ୍ରଦେଶ ଦକ୍ଷିଣତଟ ରେଳ ଜୋନ୍ ଅଧୀନକୁ ଯିବ । ବଡ଼ ଶିଳ୍ପ ଚାଲିଯାଇଥିଲା । ଏବେ ରେଳ ରାଜସ୍ବ ବି କାଟିଲେ । ରେଳ ସାନ୍ଦ୍ରତା ଦୃଷ୍ଟିରୁ ଓଡ଼ିଶା ଦୁର୍ବଳ ସ୍ଥିତିରେ ଅଛି । ରେଳ ବଜେଟ୍ରେ ଓଡ଼ିଶାକୁ ଗୁରୁତ୍ବ ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଛନ୍ତି । ଏବେ ନିଜର ରାଜନୈତିକ ଫାଇଦା ପାଇଁ ଓଡ଼ିଶାକୁ ବଳି ପକାଇବାକୁ ପଛାଇନଥିବା ସବୁ ମହଲରେ ଚର୍ଚ୍ଚା ହେଉଛି ।

ବିଧାନସଭାରେ ଅତିରିକ୍ତ ବଜେଟ ଆଗତ, ୭ ବିଭାଗ ପାଇଁ ବ୍ୟୟ ବରାତ ଶୂନ

ଭୁବନେଶ୍ବର : ବିଧାନସଭାରେ ଅତିରିକ୍ତ ବଜେଟ ଆଗତ। ମୋଟ ୧୨ ହଜାର୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥ ବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିରେ ପ୍ରାଶାସନିକ ବ୍ୟୟ ଲାଗି  ୧୬୮୫ କୋଟି ବ୍ୟୟବରାଦ ହୋଇଛି। କାର୍ଯ୍ୟକ୍ରମ ବ୍ୟୟ ଲାଗି ୧୦ ହଜାର ୧୫୫କୋଟି ବ୍ୟୟବରାଦ ହୋଇଛି। ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୨୦ କୋଟି। ରାଜ୍ୟ ବଜେଟରୁ ସ୍ଥାନାନ୍ତର ଲାଗି ୧୯୬ କୋଟି। ଏହିପରି ଭାବେ ମୋଟ ୧୨ ହଜାର ୧୫୬ କୋଟିର ବ୍ୟୟବରାଦ କରାଯାଇଛି। ଭୁବନେଶ୍ଵରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଲାଗି ୧୨୫ କୋଟି କରାଯାଇଛି। ସେହିପରି ଧରତୀ ଅବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଲାଗି ୯୨, କୋଟି, CAPF ମୁତୟନ ଲାଗି ୨୯୯ କୋଟି, ପୋଲିସ ଥାନା ଓ ଫାଣ୍ଡିରେ ସିସିଟିଭି ସ୍ଥାପନ ପାଇଁ ୫୧ କୋଟି, ୨୨ ITI ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି ୧୩୦ କୋଟି, ଶ୍ରୀମନ୍ଦିର ପରିକ୍ରମା ବିକାଶ ଲାଗି ୨୬ କୋଟି, ରତ୍ନଭଣ୍ଡାର ଲାଗି ୫ କୋଟି, ଅଗ୍ନିସେବା ଆଧୁନିକୀକରଣ ଓ ସମ୍ପ୍ରସାରଣ ଲାଗି ୬୦ କୋଟି ବ୍ୟବସ୍ଥା କରାଯାଇଛି। ଅତିରିକ୍ତ ବଜେଟରେ ଏହି ସବୁ ବ୍ୟବସ୍ଥା ନୂତନ ଭାବେ ବ୍ୟୟବରାଦ କରାଯାଇଛି। ମଧୁବାବୁ ପେନସନ ଯୋଜନା ପାଇଁ ୩୩୮ କୋଟି। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି। ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି, ଜାତୀୟ ସ୍ଵାସ୍ଥ୍ୟ ମିଶନରେ ରାଜ୍ୟର ଭାଗ ବାବଦରେ ୧୦୫୬ କୋଟି,  ସମଗ୍ର ଶିକ୍ଷା ସହାୟତା ପାଇଁ ୫୦୨ କୋଟି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଲାଗି ୨୭୦ କୋଟି, ସହରାଞ୍ଚଳରେ ଜଳଯୋଗାଣ ଲାଗି ୨୨୦ କୋଟି ବ୍ୟୟବରାଦ କରାଯାଇନାହିଁ। ଅତିରିକ୍ତ ବଜେଟରେ ୭ ବିଭାଗ ପାଇଁ କୌଣସି ବ୍ୟୟ ବରାଦ କରାଯାଇନାହିଁ। ସେହି ବିଭାଗ ଗୁଡ଼ିକ ହେଲା, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ, ଇସ୍ପାତ ଓ ଖଣି, ବିଜ୍ଞାନ ଓ ବୈଷୟିକ ଶିକ୍ଷା, ସଂସଦୀୟ ବ୍ୟାପାର, ସରକାରୀ ଉଦ୍ୟୋଗ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ  ଟଙ୍କାଟିଏ ବି ଅନୁଦାନ ମିଳିନାହିଁ।

ସମ୍ବିଧାନ ମୁଖବନ୍ଧରୁ ଧର୍ମ ନିରପେକ୍ଷ ଓ ସମାଜବାଦ ଶବ୍ଦ ବାଦ ଦେବାକୁ ନେଇ ବିଧାନସଭା ହୁଲସ୍ତୁଲ

ଭୁବନେଶ୍ବର : ବିଧାନସଭାରେ ସମ୍ବିଧାନ ଅବମାନନା ତାତି। ସମ୍ବିଧାନ ପୁସ୍ତକ ଧରି ଶାସକ ଦଳ ଉପରେ ବର୍ଷିଲା ବିଜେଡି। ମୁଖବନ୍ଧରେ ଧର୍ମ ନିରପେକ୍ଷ ଓ ସମାଜବାଦ ଶବ୍ଦକୁ ସାମିଲ ଦାବି। ସମ୍ବିଧାନ ଦିବସରେ ଶାସକ ବିଜେପି କରିଛି ସମ୍ବିଧାନର ଅବମାନନା। ବିଧାନସଭାରେ ଥିବା ସମ୍ବିଧାନ ମୁଖବନ୍ଧରେ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦ ନରହିବା ନେଇ ପ୍ରଶ୍ନକାଳରୁ ଶୂନ୍ୟକାଳ ଯାଏ ଲାଗି ରହିଥିଲା ହଂଗାମା। ଜୋରଦାର ପ୍ରତିବାଦ କରିଥିଲା ବିଜେଡ଼ି।ଯାହାକୁ ନେଇ ହୁଲସ୍ତୁଲ ହୋଇଥଲା ଗୃହ। ବରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହାକୁ ନେଇ  ତୀବ୍ର ବିରୋଧ କରିଥିଲେ। ଶୀତ ଅଧିବେଶନର ପ୍ରଥମ ଦିନ, ହେଲେ ଧର୍ମ ନିରପେକ୍ଷ ଓ ସମାଜବାଦ ଭଳି ଦୁଇ ଶବ୍ଦ ନାହିଁ ବୋଲି କହିଥିଲେ। ସମ୍ବିଧାନ ଦିବସରେ ସମ୍ବିଧାନକୁ ରାଜ୍ୟ ସରକାର ହତାଦର କରିଛନ୍ତି ବୋଲି କହିଛି ବିଜେଡ଼ି। କାରଣ ସୁପ୍ରିମକୋର୍ଟ ବି ନିଷ୍ପତ୍ତି ଶୁଣାଇଛନ୍ତି ଯେ, ସମ୍ବିଧାନରୁ ଏହି ଦୁଇ ଶବ୍ଦ ବାଦ ପଡ଼ିବନି। ତୁରନ୍ତ ବିଜେପି ଏହାକୁ ପ୍ରତ୍ୟାହାର କରୁl ବିଧାନସଭାରେ ସମ୍ବିଧାନକୁ ଏପରି ଅବମାନନା କେବେ ଗ୍ରହଣ କରାଯିବ ନାହିଁ ବୋଲି ରୋକଠୋକ ଶୁଣାଇଛି ବିଜେଡ଼ି ।

ସମ୍ବିଧାନ ଦିବସରେ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦକୁ ବାଦ ଦିଆଯିବା ନେଇ ଡବଲ ଇଂଜିନ  ସରକାରକୁ କଡ଼ା ସମାଲୋଚନା କରିଛି କଂଗ୍ରେସ।ଦଳ ଅଭିଯୋଗ କରିଛି, ଏ ଷଡଯନ୍ତ୍ର କେନ୍ଦ୍ର ସରକାର କରିଥିଲେ। ଯେଉଁଥି ପାଇଁ ବିଜେପି ଆଜି ବି ଧର୍ମନିରପେକ୍ଷ କଥା କହିପାରୁନି। ଏ ସରକାର ଧର୍ମନିରପେକ୍ଷ, ସମାଜବାଦକୁ ମାନୁନାହାନ୍ତି। ଏହାକୁ ସଂଶୋଧନ କରନ୍ତୁ ସରକାର। ସେମାନେ ଏହାକୁ ମାନିବାକୁ ବାଧ୍ୟ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ସେପଟେ ବିଜେପି ନିଜର ଦୋଷ ଲୁଚାଇବା ଯାଇ ବିତଣ୍ଡା ଯୁକ୍ତି ବାଢିଛି।  ପବିତ୍ର ସମ୍ବିଧାନ ଦିବସରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ବିଜେଡି ଓ କଂଗ୍ରେସ ଉଦ୍ୟମ କରୁଛନ୍ତି ବୋଲି ବିଜେପି ପାଲଟା ଅଭିଯୋଗ କରିଛି। ଯାହାର ଜବାବ ଦେଇଛି ବିଜେଡ଼ି । ଧର୍ମନିରପେକ୍ଷ ଓ ସମାଜବାଦ, ଏ ଦୁଇ ଶବ୍ଦ ଭାରତୀୟ ସମ୍ବିଧାନର ମୂଳମନ୍ତ୍ର। ହେଲେ ଓଡ଼ିଶା ବିଧାନସଭାରେ ଥିବା ସମ୍ବିଧାନ ବହିରେ ଏ ଦୁଇ ଶବ୍ଦ ନାହିଁ। ୧୯୭୬ରେ ଏ ଦୁଇ ଶବ୍ଦ ଯୋଡ଼ା ଯାଇଥିଲା ପୂର୍ବରୁ  ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇ ଏ ୨ ଶବ୍ଦ ବାଦ ଦିଆଯାଇପାରିବ ନାହିଁ ବୋଲି ରାୟ ଦେଇଛନ୍ତି।

ଆମ୍ବ ଟାକୁଆ ମୃତ୍ୟୁକୁ ନେଇ ବିଧାନସଭା ହୁଲସ୍ତୁଲ, ହଟ୍ଟଗୋଳ ଓ ନାରାବାଜିରେ କମ୍ପିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ବର : ଆମ୍ବ ଟାକୁଆ ମୃତ୍ୟୁକୁ ନେଇ ଉଠିଲା ପଡ଼ିଲା ବିଧାନସଭା । ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ ଓ ନାରାବାଜିରେ କମ୍ପିଲା ଶୀତକାଳୀନ ଅଧିବେଶନ। ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ଅନାହାର ମୃତ୍ୟୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ। ଗରିବଙ୍କୁ ଚାଉଳ ଯୋଗାଇବାରେ ବିଫଳ ହୋଇଛନ୍ତି ମୋହନ ସରକାର। ଯେଉଁଥିପାଇଁ ଭୋକ ବିକଳରେ ବିଷାକ୍ତ ଆମ୍ବ ଟାକୁଆ ଖାଇ ୩ ଜଣ ଆଦିବାସୀଙ୍କର ମୃତ୍ୟୁ ହେଲା। ତେଣୁ ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦଳ ଦାବି କରିଛି। ଖାଲି ସେତିକି ନୁହେଁ ଏତେବଡ଼ ଘଟଣା ଘଟିଥିଲେ ବି ମାଣ୍ଡିପଙ୍କା ଗାଁକୁ ମୁଖ୍ୟମନ୍ତ୍ରୀ କି ତାଙ୍କ ମନ୍ତ୍ରୀ ଗଲେନି ବୋଲି ପ୍ରଶ୍ନ କରି ଶାସକ ଦଳକୁ ଘେରିଛି କଂଗ୍ରେସ। ଅନ୍ୟପଟେ ୨୦୨୪ ମସିହାରେ ଆମ୍ବ ଟାକୁଆ ଖାଇ ଆଦିବାସୀଙ୍କ ମୃତ୍ୟୁ ହେବାକୁ ନେଇ ବର୍ଷିଛି ବିଜେଡି । ରାଜ୍ୟ ସରକାର ଗରିବ ଲୋକଙ୍କ ରାସନ ବନ୍ଦ କଲେ। ତେଣୁ ବିଜେପି ସରକାର କେବଳ ଘୋଷଣାବାଜିର ସରକାର କହି ସମାଲୋଚନା କରିଛି ବିଜେଡି।

ଆମ୍ବ ଟାକୁଆ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ବିଫଳତା ପଦାରେ ପଡ଼ିବା ପରେ ଏବେ ମାପିଚୁପି ବୟାନ ଦେଉଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ତାଙ୍କ କହିବା କଥା, ଯଦି କିଛି ତୃଟି ଥାଏ, ସରକାର ତାକୁ ସୁଧାର କରିବେ। ହେଲେ ଆମ୍ବ ଟାକୁଆ ଜାଉ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କହି ପୁଣି ଥରେ ଜନଜାତିଙ୍କୁ ଅପମାନିତ କରିଛନ୍ତି ବିଜେପି ନେତା। ଶାସକ ଦଳର ଏଭଳି ଯୁକ୍ତିକୁ କଡ଼ା ଭାଷାରେ ସମାଲୋଚନା କରିଛି କଂଗ୍ରେସ। ବିଜେପି ସରକାର ଆସିବା ପରେ ରାଜ୍ୟକୁ ଫେରିଛି ଅନାହାର ମୃତ୍ୟୁ। ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ନେଇ  ବିଧାନସଭାରେ ଶାସକ ଦଳକୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ଯାହାକୁ ନେଇ ଏବେ ଅଠାକାଠିରେ ପଡ଼ିଛି ବିଜେପି।

ସୁନ୍ଦରଗଡ଼ରେ ତୀବ୍ର ହେଉଛି ଅସନ୍ତୋଷ : ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ସବୁ ମହଲରେ ନିନ୍ଦା

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ତୀବ୍ର ହେଉଛି ଅସନ୍ତୋଷ। କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ ପରେ ଆଜି କଡ଼ା ଭାଷାରେ ନିନ୍ଦା କରିଛି ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ। ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପ୍ରତ୍ୟାହାର ନହେଲେ ଆନ୍ଦୋଳନ କରିବାକୁ ଧମକ। ସୁନ୍ଦରଗଡକୁ କାହିଁକି ଉତ୍ତର ଓଡିଶା ବିକାଶ ପରିଷଦରେ ସାମିଲ କରାଯିବ । ଭୌଗୋଳିକ ଓ ସାଂସ୍କତିକ ଦୃଷ୍ଟିରୁ ସୁନ୍ଦରଗଡ଼ବାସୀ ପଶ୍ଚିମ ଓଡ଼ିଶା ସହ ଅଛନ୍ତି ଓ ରହିବେ । କେଉଁ ସ୍ବାର୍ଥରେ ପଶ୍ଚିମ ଓଡିଶାର ଏହି ଖଣି ଖାଦାନ ଓ ଶିଳ୍ପ ବହୁଳ ଜିଲ୍ଲାକୁ ଉତ୍ତର ଓଡିଶାରେ ସାମିଲ କରାଯାଉଛି । ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ, ଜୋର ଧରିବାରେ ଆନ୍ଦୋଳନ ଓ ପ୍ରତିବାଦ । ଗତକାଲି ଜିଲ୍ଲା କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିବା ବେଳେ, ଆଜି ପଶ୍ଚିମ ଓଡିଶା ଯୁବ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନର ଚେତାବନୀ ଦେଇଛି ଯୁବ ମଞ୍ଚ । ପଶ୍ଚିମ ଓଡ଼ିଶାକୁ ଭାଗ କରି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ଓ ମହାନଦୀ ବିବାଦ ଭଳି ପ୍ରସଙ୍ଗକୁ ଦୁର୍ବଳ କରିବାକୁ ଏହା ରାଜ୍ୟ ସରକାରଙ୍କ ଏକ ସୁଚିନ୍ତିତ ଚାଲ ବୋଲି ଅଭିଯୋଗ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପଶ୍ଚିମ ଓଡ଼ିଶାର ବିଧାୟକ।

ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାକୁ ଭାଗ କରିବାକୁ ଘୋଷଣା କଲେ। ଆଉ ଆଜି ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏଥିରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି । ସେ କହିଛନ୍ତି, ଚୁଡାନ୍ତ ନିଷ୍ପତ୍ତି ହୋଇନି । ଲୋକଙ୍କ ମତାମତ ଆଧାରରେ ନିଆଯିବ ନିଷ୍ପତ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ହେଉଛି। ହେଲେ ହଠାତ କେଉଁ ଉଦ୍ଦେଶ୍ୟ ରଖି ପଶ୍ଚିମ ଓଡିଶାକୁ ଭାଗ କରୁଛି ବିଜେପି । ତାକୁ ନେଇ ସୁନ୍ଦରଗଡ ସମେତ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଅସନ୍ତୋଷର ନିଆଁ ତେଜୁଛି ।

କଟକ-ଭୁବନେଶ୍ବରରେ ବାଙ୍ଗଲାଦେଶୀ ଦେହଜୀବୀ : ଆଉ ଜଣେ ଦଲାଲ ଗିରଫ

କଟକ : କଟକ-ଭୁବନେଶ୍ବରରେ ବାଙ୍ଗଲାଦେଶୀ ନାବାଳିକା ଓ ଯୁବତୀଙ୍କୁ ଆଣି ଅନୈତିକ ଦେହ ବେପାରରେ ଲଗାଯିବା ଘଟଣା ପଦାକୁ ଆସିବା ପରେ ଆକ୍ସନ ମୋଡରେ ପୋଲିସ । କଟକରେ CWC ଆଗରରେ ଉଦ୍ଧାର ନାବାଳିକା ଦେଇଥିବା ବୟାନକୁ ଆଧାର କରି ବିଭିନ୍ନ ସ୍ଥାନରେ ଚଢାଉ କରି ଜାରି ରଖିଛି । ମାମଲାରେ ଆଜି ଆଉ ଜଣଙ୍କୁ ଗିରଫ କରିଛି ପୋଲିସ । ନାବାଳିକାଙ୍କ ବୟାନକୁ ଭିତ୍ତିକରି ଭୁବନେଶ୍ଵରରୁ ଅବଦୁଲ ସୟଦ୍ ଉଲ୍ଲା ସୁଲେମାନଙ୍କୁ ଗିରଫ କରିଛି ପୋଲିସ । ଏବେବି କିଛି ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି ପୋଲିସ । ନାବାଳିକାଙ୍କ ପରିବାର ସହ ପୋଲିସର ଯୋଗାଯୋଗ ହୋଇଛି । ନାବାଳିକାଙ୍କ ସଂପର୍କରେ ତଥ୍ଯ ପ୍ରମାଣ ସମ୍ବଳିତ କାଗଜ ପତ୍ର ମାଗିଛି ପୋଲିସ । ନ୍ୟାୟିକ ପ୍ରକ୍ରିୟା ପରେ  ନାବାଳିକାଙ୍କୁ ଘରକୁ ପଠାଇବା ପାଇଁ ଉଦ୍ୟମ କରାଯିବ ବୋଲି ସୂଚନା ମିଳିଛି । ଗତକାଲି ମାମଲାରେ ସଦର ଗୋପାଳପୁରରୁ ଦମ୍ପତି ପ୍ରକାଶ ଚୌଧୁରୀ ଓ ଜସ୍ମିନ ଚୌଧୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ମଧୂପାଟଣା ପୋଲିସ । ନାବାଳିକଙ୍କ ସ୍ବାସ୍ଥ୍ଯ ପରୀକ୍ଷା ସହ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ ହୋଇଥିଲା । ଗତ ୧୦ ତାରିଖରୁ ନାବାଳିକା CWC ପାଖରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ନ୍ୟାୟିକ ପ୍ରକ୍ରିୟା ପରେ ନାବାଳିକାଙ୍କ ବାଂଲାଦେଶ ପଠାଇବା ପାଇଁ ହାଇ କମିଶନଙ୍କ ସହ ଯୋଗାଯୋଗ କରାଯିବ ବୋଲି କହିଛନ୍ତି CWC ଅଧ୍ଯକ୍ଷ । ବାଂଲାଦେଶରୁ ଯୁବତୀଙ୍କୁ ଆଣି ଲକ୍ଷ ଲକ୍ଷ ଟଙ୍କା ଦେଇ ଟୁଇନସିଟିରେ ରଖି ଅନୈତିକ କାମରେ ନିୟୋଜିତ କରୁଛନ୍ତି ଦଲାଲ । ସେମାନଙ୍କ ଖୋଜି ବାହାର କରିବା ସହ ଦଲାଲଙ୍କୁ ଗିରଫ କରିବାକୁ ପୋଲିସର ସ୍ପେଶାଲ ଟିମ୍ ଛାନଭିନ୍ନ ଜାରି ରଖିଛି ।

ବୁର୍ଲା ଭୀମସାରରୁ ନବଜାତ ଶିଶୁ ଚୋରି !

ସମ୍ବଲପୁର : ବୁର୍ଲା ଭୀମସାରରୁ ନବଜାତ ଶିଶୁ ଚୋରି ! ୩ ଦିନର ନବଜାତ ଶିଶୁକୁ ଚୋରି କରି ନିଆଯାଇଥିବା ଅଭିଯୋଗ ହୋଇଛି । ଛତିଶଗଡରୁ ଆସି ଭୀମସାର ମହିଳା ଓ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିଲେ ମହିଳା । ରବିବାର ଦିନ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ତେବେ ଭଉଣୀଙ୍କ ସହ ସମ୍ପର୍କ ବଢାଇ ଜଣେ ମହିଳା ତାଙ୍କ ନିକଟରୁ ବାରମ୍ବାର ଆସୁଥିଲେ । ସେହି ମହିଳା ହିଁ ତାଙ୍କ ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ଶିଶୁର ମାଆ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଭୀମସାର ଅଧିକାରୀ ଓ ପୋଲିସ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ସିସିଟିଭିରେ ମହିଳାଙ୍କୁ ଚିହ୍ନଟ କରିଛନ୍ତି ଶିଶୁର ମାଆ ।

ଶୀତର ଆଗମନ ସହ କୋରାପୁଟରେ ଅଳସୀ ଫୁଲର ସମ୍ଭାର

ଜୟପୁର : ଫେରିଛି ବର୍ଷା, ଆସିଛି ଶୀତ । ସକାଳରେ କୁହୁଡ଼ିର ପତଳା ଚାଦରରେ ଘୋଡାଇ ହୋଇ ରହିଛି ପ୍ରକୃତି । ଆଉ କୋରାପୁଟର ସବୁଜିମା ପରିପୂର୍ଣ୍ଣ ଏହି ଶୋଭାକୁ ଆହୁରି ଦ୍ବିଗୁଣିତ କରିଛି ଅଳସୀ ଫୁଲ । ଜଙ୍ଗର ପାହାଡ଼ ଘେରା ଅଙ୍କାବଙ୍କା ରାସ୍ତାରେ ଦୁଇ କଡ଼ରେ ବିଛାଇ ଦେଇଛି ହଳଦୀ ରଙ୍ଗ । ସୂର୍ଯ୍ୟଙ୍କ ପହିଲି କିରଣ ସାଙ୍ଗକୁ କାକର ବୁନ୍ଦା ପଡ଼ି ଶୋଭାକୁ ଅଧିକ ଆକର୍ଷଣୀୟ କରୁଛି । କୋରାପୁଟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ବର୍ଷସାରା ଏଠାକୁ ପର୍ଯ୍ୟଟକକୁ ଆକୃଷ୍ଟ କରିଥାଏ । କିନ୍ତୁ ଶୀତ ଦିନ ଆସିଲେ କୋରାପୁଟ ହୋଇଥାଏ ଅଧିକ ସୌନ୍ଦର୍ଯ୍ୟମୟ । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ କିଛି ଲେଖିବାକୁ କବି ଓ ଲେଖକଙ୍କୁ ପ୍ରେରଣା ଦେଇଥାଏ । ଅଳସୀ ଫୁଲର ସମ୍ଭାର କବି ଓ ପର୍ଯ୍ଯଟକଙ୍କୁ ମତୁଆଲା କରେ ।

ଅଳସୀ ଚାଷକୁ ବେଶ ଗୁରୁତ୍ୱ ଦିଅନ୍ତି କୋରାପୁଟ ଜିଲ୍ଲାର ଚାଷୀ । ଏହି ଚାଷ ଅକ୍ଟୋବର ମାସରୁ ଆରମ୍ଭ ହୋଇ ଡିସେମ୍ବର ମାସର ମଧ୍ୟ ଆଡ଼କୁଅମଳ ହୋଇଥାଏ । ଏଥିରୁ ତେଲବାହାରୁଥିବାରୁ  ଭଲ ମୂଲ୍ୟରେ ବିକ୍ରି ହୋଇଥାଏ । ତେଣୁ ପାହାଡ଼ି ଅଞ୍ଚଳରେ ଏହାକୁ ଚାଷ କରିବାକୁ ଚାଷୀ ଆଗ୍ରହ ପ୍ରକାଶ କରିଥାନ୍ତି । ଶୀତ ଋତୁରେ କୋରାପୁଟ ଜିଲ୍ଲାକୁ ଦେଶ ବିଦେଶର ପର୍ଯ୍ୟଟକ ଆସୁଥିବା ବେଳେ ରାସ୍ତା କଡରେ ଥିବା ଅଳସୀ ଫୁଲକୁ ଦେଖି ବିଭୋର ହୋଇ କିଏ ତୋ ସେଲ୍ଫି ଉଠାଇ ବାରେ ବ୍ୟସ୍ତ କିଏ ଏହାର ସୌନ୍ଦର୍ଯ୍ଯକୁ ନିଜର କ୍ଯାମେରାରେ କଏଦ କରି ରଖନ୍ତି ।

ବାଲିଯାତ୍ରା ସାରି ଦାୟିତ୍ବ ଭୁଲିଗଲା ପ୍ରଶାସନ, ମେଳା ସରିବା ପରେ ପଡ଼ିଆରେ ପଡ଼ି ରହିଛି କୁଢକୁଢ ଅଳିଆ

କଟକ: କେଉଁଠି କାଗଜପତ୍ର ସାଙ୍ଗକୁ ପ୍ଲାଷ୍ଟିକ ଅଳିଆ ତ କେଉଁଠି ଗଦା ହୋଇ ରହିଛି ପଚସଢା ଖାଦ୍ଯ ସାମଗ୍ରୀ । ବାଲିଯାତ୍ରା ସରିବା ପରେ ଇଏ ହେଉଛି ମହାନଦୀ ପଠାର ଦୃଶ୍ଯ । ୯ ଦିନ ଧରି ମହାନଦୀ ପଠାରେ ଉପର ଓ ତଳ ପଡ଼ିଆରେ ଚାଲିଥିଲା ଐତିହାସିକ ବାଲିଯାତ୍ରା । ଶନିବାର ଠାରୁ ଏହା ଉଦଯାପିତ ହୋଇଛି । ହେଲେ ୩ ଦିନ ବିତିଥିଲେ ସୁଦ୍ଧା ପଡ଼ିଆକୁ ସଫେଇ ଉପରେ ଧ୍ଯାନ ଦେଇନି ପ୍ରଶାସନ । ଫଳରେ ଅଳିଆ ଆବର୍ଜନା ପଡ଼ି ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ସକାଳୁ ସକାଳୁ ମର୍ଣ୍ଣିଂୱାକରେ ଆସୁଥିବା ଲୋକେ ଓ ସ୍ଥାନୀୟ ଅଧିବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତୁରନ୍ତ ଏହାକୁ ସଫା କରିବାକୁ ଲୋକେ ଦାବି କରିଛନ୍ତି ।

କଥା ହେଉଛି ବାଲିଯାତ୍ରା ପାଇଁ ଦେଢ ମାସ ଆଗରୁ ଯେଉଁ ପ୍ରସ୍ତୁତି ପ୍ରଶାସନ ଓ ସିଏମସି କରନ୍ତି ସେଥିରେ ପୂର୍ବ ପ୍ରସ୍ତୁତି, ମେଳାର ସଫଳ ଆୟୋଜନ ସହ ମେଳା ପରବର୍ତ୍ତି ସଫେଇ ଓ ପରିବେଶ ରକ୍ଷା କଥା ସ୍ଥିର ହୋଇ ଥାଏ । ହେଲେ ଏବେ ମେଳା ଭଲରେ ସରିଲା ବୋଲି ଶାନ୍ତିରେ ବସି ଯାଇଛି ପ୍ରଶାସନ । ଯେଉଁମାନେ ସଫେଇ ଦାୟିତ୍ବ ନେଇଛନ୍ତି ସେମାନେ ନିଜ ଦାୟିତ୍ବରେ ହେଳା କରିଛନ୍ତି । ଏକ ଘରୋଇ ସଂସ୍ଥା ସଫେଇ ଦାୟିତ୍ବ ନେଇଛି । ତେବେ କାମ କାହିଁକି ଆରମ୍ଭ ହୋଇନି ସେନେଇ ଅନୁଧ୍ଯାନ କରାଯିବ ବୋଲି କହିଛନ୍ତି ମେୟର ।

ସମ୍ବଲପୁର ଜିଲ୍ଲାରେ ମଣ୍ଡିରୁ ଉଠିପାରୁନି ଧାନ, ମାନ ନିର୍ଦ୍ଧାରଣକୁ ନେଇ ବଢୁଛି ଅସନ୍ତୋଷ

ସମ୍ବଲପୁର : ଧାନକିଣା ଆରମ୍ଭରୁ ଅବ୍ଯବସ୍ଥା । ମାନ ନିର୍ଦ୍ଧାରଣକୁ ନେଇ ଅସନ୍ତୋଷ ଚାଷୀ । କଟନୀ ଛଟନୀ ଭୟରେ ମିଲକୁ ଧାନ ନେବାକୁ ଚାଷୀ ନାରାଜ । ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ଯଳୟ ଆଗରେ ଧାରଣା । ସମ୍ବଲପୁରରେ ମଣ୍ଡିରୁ ଉଠିପାରୁନି ଧାନ । ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିଲେ ସୁଦ୍ଧା ଚାଉଁରପୁର ମଣ୍ଡିରୁ ଉଠିପାରୁନି ଧାନ । ହେଲେ ମିଲକୁ ଧାନ ନେବା ପାଇଁ ପରୋକ୍ଷରେ ଯୋଗାଣ ବିଭାଗ ଓ ସମବାୟ ବିଭାଗ କହୁଥିବାବେଳେ ଚାଷୀ ନିଜ ଜିଦରେ ଅଟଳ ।  ନିୟମ ହିସାବରେ ୧୭ ପ୍ରତିଶତ ତଳକୁ ମର୍ସଚାଇଜ୍ ଧାନ ଏଫଏକକ୍ଯୁ ଧାନ । ଚାଷୀ ଆଣିଥିବା ଧାନରେ ୧୨ ପ୍ରତିଶତ ମର୍ସରାଇଜ ରହିଛି । ହେଲେ ସମାନ ଧାନ ସିଧା ମିଲକୁ ଗଲେ ଏଫଏକ୍ଯୁ ନାହିଁ କହି ମିଲର୍ସ କଟନୀ ଛଟନୀ କରିବ । ଫଳରେ  ମଣ୍ଡିରୁ ଯୋଗାଣ ବିଭାଗ ହିସାବ ନିକାଶ କରି ନିଜେ ମିଲ ପଠାଉ ବୋଲି ଅଡି ବସିଛି ଚାଷୀ ।

ସବୁଠାରୁ ବଡ଼କଥା ହେଲା ଚଳିତ ବର୍ଷ କଟଣୀ କରାଯିବ ନାହିଁ ବୋଲି କହିଥିଲେ ସରକାର । କିନ୍ତୁ ଆରମ୍ଭରୁ କଟନୀ ଆରମ୍ଭ ହୋଇଛି । ପୂର୍ବରୁ ଶହେ କିଲୋ ପିଛା କିଛି ମାତ୍ରାରେ କଟା ଯାଉଥିଲା । କିନ୍ତୁ ଏବେ ତାହା ବସ୍ତା ପ୍ରତି କଟୁ ଥିବାରୁ ଚିନ୍ତାରେ ଜିଲ୍ଲାର ଚାଷୀ । ତେଣୁ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେଣି ବିଭିନ୍ନ କୃଷକ ସଂଗଠନ l ଆଗକୁ ଚାଷୀଙ୍କ ସମସ୍ୟାର ସମାଧାନ ନହେଲେ ରାଜ ରାସ୍ତାକୁ ଚାଷୀ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l ଯଦି ମିଲକୁ ଧାନ ସିଧାସଳଖ ନିଆଯିବ ତାହେଲେ ବହୁ ପରିମାଣରେ କଟନୀ ଛଟନୀ କରାଯିବ । ସେହି ଭୟରେ ଶୀତ କାକରରେ ରାତି ତମାମ ନିଜର ଫସଲ ଜଗିଛନ୍ତି ଚାଷୀ ।