ଭୁବନେଶ୍ବର : ରାଜ୍ୟସଭା ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ଆସନ୍ତା ୨୦ ଡିସେମ୍ଵରରେ ହେବ ଉପନିର୍ବାଚନ । ଓଡ଼ିଶା ସମେତ ୪ଟି ରାଜ୍ୟରେ ହେବ ରାଜ୍ଯସଭା ଉପନିର୍ବାଚନ। ସୁଜିତ କୁମାରଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ଉପନିର୍ବାଚନ ନେଇ ଆସନ୍ତା ୩ ଡିସେମ୍ବରରେ ପ୍ରକାଶ ପାଇବ ବିଜ୍ଞପ୍ତି। ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ଡିସେମ୍ବର ୧୦ । ଆସନ୍ତା ୧୧ ଡିିସେମ୍ବରରେ ହେବ ନାମାଙ୍କନ ଯାଞ୍ଚ। ୨୦ ତାରିଖରେ ହେବ ନିର୍ବାଚନ। ବର୍ଷେ ୪ ମାସ ପାଇଁ ରହିବ ଅବଧି। ୨୦୨୬ ଏପ୍ରିଲ ୨ ଯାଏ ପଦରେ ରହିବେ ନୂଆ ସାଂସଦ।
ପଦାରେ ପଡିଲା ରାଜସ୍ଥାନ ଉଦୟପୁର ରାଜବଂଶର ପାରିବାରିକ କଳି
ରାଜସ୍ଥାନ : ରାଜସ୍ଥାନ ଉଦୟପୁର ରାଜପରିବାରରେ ତୀବ୍ର ବିବାଦ । ମେବାରର ୭୭ତମ ମହାରାଣା ଭାବେ ବିଜେପି ବିଧାୟକ ବିଶ୍ବରାଜ ସିଂ ମେବାରଙ୍କୁ ଅଧିଷ୍ଠିତ କରାଯିବା ପରେ ତୀବ୍ର ହୋଇଛି ବିବାଦ । ବିଶ୍ବରାଜଙ୍କୁ ତାଙ୍କ ପୁତୁରା ଡକ୍ଟର ଲକ୍ଷ୍ଯରାଜ ସିଂ ମେବାର ପ୍ରବେଶ ଅନୁମତି ନଦେବାରୁ ରାଜପ୍ରାସାଦ ଗେଟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ବର୍ତ୍ତମାନ ରାଜପ୍ରାସାଦକୁ ଲକ୍ଷ୍ଯରାଜ ଓ ଦାଦା ଶ୍ରୀଜୀ ଅରବିନ୍ଦ ସିଂ ମେବାରଙ୍କ ଦ୍ବାରା ଗଠିତ ଟ୍ରଷ୍ଟ ପରିଚାଳନା କରୁଛି । ବିଧାୟକଙ୍କ ସମର୍ଥକମାନେ ଟେକାପଥର ମାଡ କରିଥିବାବେଳେ ପ୍ରତିପକ୍ଷ ବି ଜବାବ ଦେଇଥିଲେ । ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ଏପରିକି ସାରା ରାତି ଏପରି ଚାଲିଥିଲା । ସମାଧାନ ଲାଗି ଜିଲ୍ଲା ପ୍ରଶାସନ ଉଦ୍ଯମ ଆରମ୍ଭ କରିଛି । ମହେନ୍ଦ୍ର ସିଂ ମେବାରଙ୍କ ମୃତ୍ଯୁର ୧୨ ଦିନ ପରେ ଐତିହାସିକ ରାଜପ୍ରାସାଦରେ ମେବାର ରାଜବଂଶର ପାରମ୍ପରିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ ବିଶ୍ବରାଜଙ୍କୁ ଉତ୍ତରାଧିକାରୀ ଘୋଷଣା କରାଯାଇଥିଲା । ବିଶ୍ବରାଜ ନାଥଦ୍ବାରାର ବିଜେପି ବିଧାୟକ ଥିବାବେଳେ ପତ୍ନୀ ମହିମା କୁମାରୀ ସାଂସଦ ଅଛନ୍ତି ।
ପରମ୍ପରା ଅନୁସାରେ ରାଜପରିବାରର ଜଣେ ବୟସ୍କ ସଦସ୍ଯ ତାଙ୍କ ଆଙ୍ଗୁଠି କାଟି ସେହି ରକ୍ତରେ ବିଧାୟକଙ୍କ କପାଳରେ ରାଜତିଳକ ମାରିଥିଲେ । ଅଷ୍ଟମ ଶତାବ୍ଦୀରୁ ଏହି ପରମ୍ପରା ଚାଲିଆସିଛି । ରାଜତିଳକ ସରିବା ପରେ ରାଜପ୍ରାସାଦ ଭିତରେ ଥିବା ଧୂମିମାତା ମନ୍ଦିର ଓ ଉଦୟପୁରଠାରୁ ୫୦ କିଲୋମିଟର ଦୂରରେ ଥିବା ଏକଲିଙ୍ଗ ଶିବ ମନ୍ଦିରକୁ ଆଶୀର୍ବାଦ ନେବା ଲାଗି ଚାହିଁଥିଲେ ବିଶ୍ବରାଜ । ମାତ୍ର ପ୍ରାସାଦ ଓ ମନ୍ଦିର ଏହି ଟ୍ରଷ୍ଟ ଦ୍ବାରା ପରିଚାଳିତ ଥିବାରୁ ଏଥିଲାଗି ଅନୁମତି ଦିଆଯାଇ ନଥିଲା । ଫଳରେ ରାଜପ୍ରାସାଦ ଗେଟରେ ତୁମୁଳକାଣ୍ଡ ସୃଷ୍ଟି ହୋଇଥିଲା । ପୋଲିସ ବ୍ଯାରିକେଡ ଭାଙ୍ଗି ବିଶ୍ବରାଜଙ୍କ ସମର୍ଥକ ପ୍ରାସାଦ ଭିତରେ ପ୍ରବେଶ ଲାଗି ଉଦ୍ଯମ କରିଥିଲେ । ପ୍ରାସାଦ, ମନ୍ଦିର, ଦୁର୍ଗଗୁଡିକ ବର୍ତ୍ତମାନ ବିଶ୍ବରାଜଙ୍କ ପୁତୁରା ଓ ଦାଦାଙ୍କ ଦ୍ବାରା ପରିଚାଳିତ ହେଉଛି । ୧୯୮୪ରେ ତତକାଳୀନ ରାଜା ଭଗବତ ସିଂ ସାନପୁଅ ଅରବିନ୍ଦଙ୍କୁ ଟ୍ରଷ୍ଟର ନିର୍ଦ୍ଦେଶକ କରିବାରୁ ବଡପୁଅ ମହେନ୍ଦ୍ର ସିଂ ବିଦ୍ରୋହ କରିଥିଲେ । ଗତ ୨୪ ତାରିଖରେ ମ୍ଯାନେଜିଂ କମିଟି ପକ୍ଷରୁ ଏକ ନୋଟିସ ଜାରି ହୋଇଥିଲା । ବିଶ୍ବରାଜ ସିଂ ଏହି ଟ୍ରଷ୍ଟର ଜଣେ ସଦସ୍ଯ ନୁହନ୍ତି ଏବଂ ଅଣସ୍ବୀକୃତପ୍ରାପ୍ତ ବ୍ଯକ୍ତିଙ୍କୁ ରାଜପ୍ରାସାଦରେ ପ୍ରବେଶ କରାଇଦିଆଯିବ ନାହିଁ ବୋଲି ନୋଟିସ ଜାରି ହୋଇଥିଲା । ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସ ବ୍ଯାରିକେଡ ନିର୍ମାଣ କରିଥିଲା ।
ପିଟିଆଇର ବିଶାଳ ବିକ୍ଷୋଭ : ଇମରାନ ଖାଁଙ୍କୁ ମୁକୁଳାଇବା ଲାଗି ଦାବି
ଇସଲାମବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କୁ ମୁକୁଳାଇବା ଲାଗି ଜୋର ଧରିଲା ଆନ୍ଦୋଳନ। ତେଜିଲା ଇମରାନ ଖାଁ ନେତୃତ୍ବାଧୀନ ପାକିସ୍ତାନ ତେହରିକ-ଇ-ଇନସାଫର ଆନ୍ଦୋଳନ। ଇସଲାମାବାଦରେ ହୋଇଥିବା ଆନ୍ଦୋଳନରେ ୧୨୦ରୁ ଅଧିକ କର୍ମୀ ଆହତ ହୋଇଥିବାବେଳେ ୫ ଜଣ ପ୍ରାଣ ହରାଇଛନ୍ତି। ବିଭିନ୍ନ ସ୍ଥାନରେ ପୋଲିସ ସହ ପିଟିଆଇ କର୍ମୀଙ୍କ ଧସ୍ତାଧସ୍ତି ହୋଇଛି।
ସେପଟେ ପିଟିଆଇ ନେତାଙ୍କ ସହ ସରକାର ଆଲୋଚନା କରୁଥିବା ସୂଚନା ଦେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଅସିଫ। ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ଆହ୍ବାନ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ମୋହସିନ ନାକବି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ଇସଲାମାବାଦରେ ବ୍ଯାପକ ପୋଲିସ ମୁତୟନ କରାଯାଇଛି। ଟେଲିଫୋନ ସେବାକୁ ଆଶିଂକ ଭାବେ ବାତିଲ କରାଯାଇଛି। ସହରରେ ମେଟ୍ରୋ ଓ ରେଳ ସେବା ବାତିଲ କରାଯାଇଛି।
ଆନ୍ଦୋଳନକାରୀମାନେ ଇସଲାମାବାଦ ଅଭିମୁଖେ ଅଭିଯାନ ଜାରି ରଖିଥିବାବେଳେ ପୋଲିସ ପକ୍ଷରୁ ସେମାନଙ୍କୁ ଅଟକା ଯାଇଛି। ଏହି ଆନ୍ଦୋଳନର ନେତୃତ୍ବ ନେଉଛନ୍ତି ଇମ୍ରାନଙ୍କ ପତ୍ନୀ ବୁସରା ବିବି ବେଗମ। ସେପଟେ ବେଲାରୁଷର ୮୦ଜଣିଆ ପ୍ରତିନିଧି ଇସଲାମାବାଦ ଆସିଥିବାବେଳେ ଏହି ଆନ୍ଦୋଳନ ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିଛି।
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୧୬ ବର୍ଷ
ମୁମ୍ବାଇ : ମୁମ୍ବାଇ ଆତଙ୍କବାଦୀ ହମଲାର ଆଜି ଷୋଡ଼ଶତମ ବାର୍ଷିକୀ। ୨୬/୧୧ ଆକ୍ରମଣର ବର୍ଷପୂର୍ତ୍ତି ଅବସରରେ ମୁମ୍ବାଇରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ୨୦୦୮ ନଭେମ୍ବର ୨୬ରେ ତାଜ ହୋଟେଲ, ଛତ୍ରପତି ଟର୍ମିନସ, ଲିଓପାର୍ଡ କେଫ, ମୁମ୍ବାଇ ଛବାଦ ହାଉସ, ନରିମାନ ହାଉସ, କାମା ହସ୍ପିଟାଲ, ମେଟ୍ରୋ ସିନେମା ଆଦି ସ୍ଥାନରେ ଲସ୍କର-ଇ-ତଏବା ସଂଗଠନ ହମଲା କରିଥିଲା। ଏଥିରେ ୧୬୬ ଲୋକଙ୍କ ମୃତ୍ଯୁ ହୋଇଥିବାବେଳେ ସେମାନଙ୍କ ମଧ୍ଯରେ ଥିଲେ ୨୦ ଜଣ ନିରାପତ୍ତା ରକ୍ଷୀ, ୨୬ ବିଦେଶୀ। ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ପାକିସ୍ତାନରୁ ଆତଙ୍କବାଦୀମାନେ ଆସି ଅନାୟାସରେ ଆର୍ଥିକ ରାଜଧାନୀରେ ଖେଳିଥିଲେ ରକ୍ତର ହୋରି। ଘଟଣାରେ ଆତଙ୍କବାଦୀଙ୍କ ସହ ମୁକାବିଲା କରୁଥିବାବେଳେ ପ୍ରାଣ ହରାଇଥିଲେ ମେଜର ସନ୍ଦୀପ ଉନ୍ନିକ୍ରିଷ୍ଣନ। ଏହା ସହ ୧୯୮୨ ବ୍ଯାଚର ଆଇପିଏସ ଅଧିକାରୀ ତଥା ଆଣ୍ଟି ଟେରରିଷ୍ଟ ସ୍କ୍ବାଡ ମୁଖ୍ଯ ହେମନ୍ତ କେରକାରେଙ୍କ ବି ମୃତ୍ଯୁ ଘଟିଥିଲା।
ଭାରତର ଏହି ପଡ଼ୋଶୀ ଦେଶରେ ସୁନା ହେଲା ୧୬ ହଜାର ଟଙ୍କା ଶସ୍ତା
ନୂଆଦିଲ୍ଲୀ : ଭାରତର ପଡୋଶୀ ଦେଶ ନେପାଳରେ ହ୍ରାସ ପାଇଛି ସୁନାଦର । ସୁନା ମୂଲ୍ୟ ହ୍ରାସ ପାଇ ୧୫,୯୦୦ ଟଙ୍କା ହୋଇଛି । ଭାରତର ଆଭିମୁଖ୍ୟକୁ ନଜରରେ ରଖି ନେପାଳ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି । ଏହାପୂର୍ବରୁ ଜୁଲାଇରେ ଉପସ୍ଥାପିତ ବଜେଟରେ ଭାରତ ସରକାର ମଧ୍ୟ ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କକୁ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରିଥିଲେ, ଯେଉଁ କାରଣରୁ ସୁନା ମୂଲ୍ୟ ପ୍ରାୟ ୬ ହଜାର ଟଙ୍କା ଶସ୍ତା ହୋଇଛି। ଭାରତକୁ ଦେଖି ନେପାଳ ସରକାର ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି, ଯେଉଁ କାରଣରୁ ସେଠାରେ ସୁନା ମୂଲ୍ୟ ଭରି ପିଛା ପ୍ରାୟ ୧୬ ହଜାର ଟଙ୍କା ହ୍ରାସ ପାଇଛି।
ବାସ୍ତବରେ ନେପାଳ ସରକାର ସୁନା ଉପରେ ସୀମା ଶୁଳ୍କ ୫୦ ପ୍ରତିଶତ ହ୍ରାସ କରିଛନ୍ତି। ସୀମା ଶୁଳ୍କକୁ ଅଧା କରିବା ନିଷ୍ପତ୍ତି ପରେ ସୁନାର ମୂଲ୍ୟରେ ଭରି ପିଛା ୧୫,୯୦୦ ଟଙ୍କା (୧୧.୬୬୪ ଗ୍ରାମ) ହ୍ରାସ ଘଟିଛି। ଫେଡେରେସନ୍ ଅଫ୍ ନେପାଳ ଗୋଲ୍ଡ ଏବଂ ସିଲଭର ଡିଲର ଆସୋସିଏସନ୍ ଅନୁଯାୟୀ ସୋମବାର ଦିନ ହଲମାର୍କ ସୁନା ଭରି ପିଛା ୧,୫୧,୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହା ରବିବାର ଦିନ ଭରି ପିଛା ୧,୬୭,୨୦୦ ଟଙ୍କା ଥିଲା।
ଆମଦାନୀ ଶୁଳ୍କରେ କେତେ ହ୍ରାସ ?
ନେପାଳ ସରକାର ସୁନା ଆମଦାନୀ ଉପରେ ସୀମା ଶୁଳ୍କକୁ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରିଛନ୍ତି । ଅଧିକାରୀମାନଙ୍କ ମତରେ, ସୋମବାର ଠାରୁ କାର୍ଯ୍ୟକାରୀ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ ଭାରତ ସୁନା ଓ ରୂପା ଉପରେ ସୀମା ଶୁଳ୍କକୁ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରିଥିଲା। ଅପରପକ୍ଷେ, ନେପାଳ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟରେ ସୁନା ଉପରେ ସୀମା ଶୁଳ୍କକୁ ୫ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରିଛି।
ଚୋରା ଚାଲାଣ ବନ୍ଦ ପାଇଁ ପଦକ୍ଷେପ:
ଭାରତ ଆମଦାନୀ ଶୁଳ୍କ ହ୍ରାସ କରିବା ପରେ ନେପାଳରେ ସୁନା ମହଙ୍ଗା ହେଲା ଏବଂ ଭାରତରେ ଶସ୍ତା ହେଲା, ଯେଉଁଥିପାଇଁ ସୁନା ଚୋରା ଚାଲାଣ ବୃଦ୍ଧି ପାଇଲା। ମହାସଂଘ ଅନୁଯାୟୀ, ସୀମାର ନିୟୋଜିତ ଥିବା କିଛି ଅଫିସରଙ୍କ ମନମାନି କାରଣରୁ ବେଆଇନ ବାଣିଜ୍ୟ କାରବାର ବଢିଯାଇଥିଲା। ଏହିପରି ଚୋରା କାରୋବାରକୁ ବନ୍ଦ କରିବାକୁ ଫେଡେରେଶନ ପରାମର୍ଶ ଦେଇଛି, ଯେ ସୁନା ଉପରେ ସୀମା ଶୁଳ୍କ ୮ ପ୍ରତିଶତକୁ ବୃଦ୍ଧି କରାଯାଉ। ଏହାକୁ ୧୦ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ଅନୁମତି ଦେଇଛନ୍ତି ।
ଭାରତ ଏବଂ ନେପାଳରେ ସୁନା ହାର କେତେ?
ନେପାଳରେ ସୁନା ଶସ୍ତା ହେବା ପରେ ଏହାର ମୂଲ୍ୟ ଭାରତ ତୁଳନାରେ ହ୍ରାସ ପାଇଛି। କିନ୍ତୁ ଭାରତରେ ୧୦ ଗ୍ରାମ ସୁନା ହାର ପ୍ରାୟ ୭୯,୫୯୫ ଟଙ୍କା ରହିଛି ଥିବା ବେଳେ ନେପାଳରେ ଭାରତୀୟ ମୂଲ୍ୟ ଅନୁଯାୟୀ ୧୦ ଗ୍ରାମ ସୁନାର ମୂଲ୍ୟ ପ୍ରାୟ ୮୦ ହଜାର ୯୩୦ ଟଙ୍କା ହେବ । ନେପାଳରେ ଭାରତୀୟ ମୂଲ୍ୟ ଅନୁଯାୟୀ ସୁନା ଦର ଭରି ପିଛା ୧,୫୧,୩୦୦ ଟଙ୍କା (94,366 ଭାରତୀୟ ଟଙ୍କା) ଅଟେ । ଅର୍ଥାତ୍ ବର୍ତ୍ତମାନ ସୁଦ୍ଧା ନେପାଳରେ ଭାରତ ତୁଳନାରେ ସୁନା ମୂଲ୍ୟ ଅଧିକ ରହିଛି।
ଦିଲ୍ଲୀ ପୋଲିସକୁ ସୁପ୍ରିମକେର୍ଟଙ୍କ ଭର୍ତ୍ସନା : ବଳବତ୍ତର ରହିବ ଜିଆର୍ଏପି-୪
ନୂଆଦିଲ୍ଲୀ : ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ବି ଉତ୍କଟ ରହିଥିବାରୁ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ ପ୍ଲାନ୍ର ଚତୁର୍ଥ ପର୍ଯ୍ୟାୟ (ଜିଆର୍ଏପି-୪) ବଳବତ୍ତର ରହିବ ବୋଲି ସୁପ୍ରିକୋର୍ଟ କହିଛନ୍ତି। ସେହି ଅନୁଯାୟୀ ଦିଲ୍ଲୀ ଭିତରେ, ବାହାର ଟ୍ରକ୍ ଓ ଅନ୍ୟାନ୍ୟ ଗାଡ଼ି ପ୍ରବେଶ ଏବଂ ନିର୍ମାଣ କାର୍ଯ୍ୟ ଉପରେ କଟକଣା କଡ଼ାକଡ଼ି ରହିବ। ତେବେ କଟକଣା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା ଦିଲ୍ଲୀ ପୋଲିସକୁ ଜଷ୍ଟିସ୍ ଏ.ଏସ୍. ଓକା ଏବଂ ଏ.ଜି. ମସିହଙ୍କ ଖଣ୍ଡପୀଠ ଭର୍ତ୍ସନା କରିଛନ୍ତି।
ସପ୍ତାହରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୪୫୦ ଟପିବା ପରେ ଜିଆର୍ଏପି-୪ ଲାଗୁ ହୋଇଥିଲା। ଅଦାଲତଙ୍କ ବିନା ଅନୁମୋଦନରେ ଏହାକୁ କୋହଳ ନ କରିବାକୁ ସର୍ବୋଚ୍ଚ ଅଦାଲତ ପୂର୍ବରୁ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ହେବ। ଗତ ସପ୍ତାହ ତୁଳନାରେ ଦିଲ୍ଲୀର ଏକ୍ୟୁଆଇରେ ସାମାନ୍ୟ ଉନ୍ନତି ହୋଇଛି। ତେଣୁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳର ଅନ୍ୟ ସହରଗୁଡ଼ିକରେ ସ୍କୁଲ୍ ଖୋଲିବା ସମ୍ପର୍କରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ବିଚାର କରିପାରିବ ବୋଲି ଅଦାଲତ କହିଛନ୍ତି।
ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା କଟକଣାର ତଦାରଖ ନିମନ୍ତେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ୧୩ କମିଶନରଙ୍କ ପକ୍ଷରୁ ଆଇନଜୀବୀ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ, ଯାନବାହନ ଚଳାଚଳ ଯାଞ୍ଚ ହେଉଥିଲେ ମଧ୍ୟ ତାହା କେତେ ପ୍ରଭାବୀ ସ୍ପଷ୍ଟ ହୋଇନାହିଁ। ଅନେକ ଚେକ୍ପଏଣ୍ଟରେ ବ୍ୟାରିକେଡିଂ କରାଯାଇ ନ ଥିବାରୁ ଟ୍ରକ୍ଗୁଡ଼ିକୁ ଅଟକାଇବା ପାଇଁ ପୋଲିସ କର୍ମଚାରୀମାନେ ରାସ୍ତା ମଝିକୁ ଚାଲିଯାଉଛନ୍ତି। ଚେକ୍ ପଏଣ୍ଟରେ ବିଭିନ୍ନ ସ୍ତରରେ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଥିବା ଦିଲ୍ଲୀ ସରକାରଙ୍କ ଓକିଲ କହିଥିଲେ। ୨୩ଟି ଚେକ୍ପୋଷ୍ଟ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯାଇଥିବାବେଳେ ଅନ୍ୟଗୁଡ଼ିକ ପାଇଁ କାହିଁକି ଦିଆଯାଇ ନାହିଁ ବୋଲି ଖଣ୍ଡପୀଠ ସିଏକ୍ୟୁଏମ୍ ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ।

