spot_img
Home Blog Page 1373

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ଆଇଏଏସ ସ୍ତରରେ ହୋଇଛି ଅଦଳବଦଳ ।। ଦେଓରଞ୍ଜନ ସିଂଙ୍କୁ ଓଏଫଡିସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ ଅଛନ୍ତି ଦେଓରଞ୍ଜନ ସିଂ । ବିଶାଳ ଦେବଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ସେହିପରି ସଞ୍ଜୟ ସିଂଙ୍କୁ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ତାଙ୍କୁ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଭାସ୍କରଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଗିରିଶ୍ ଏସ.ଏନ. । ସେ ପଞ୍ଚାୟତିରାଜ ବିଭାଗର କମିଶନର ଭାବେ ଅବସ୍ଥାପିତ ହୋଇଛନ୍ତି । ଗୁହା ପୁନମ ତାପସ କୁମାର ବୟନ ହସ୍ତତନ୍ତ ହସ୍ତଶିଳ୍ପ ବିଭାଗ କମିଶନର ହୋଇଛନ୍ତି । ଗୁହା ପୁନମଙ୍କୁ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଆମ୍ବ ଟାକୁଆ ଟ୍ରାଜେଡି: ମୋହନଙ୍କୁ ବିଜୟଙ୍କ ପ୍ରଶ୍ନ, ମାଣ୍ଡିପଙ୍କା ଗାଁକୁ କାହିଁକି ଯାଇନ ?

କନ୍ଧମାଳ: ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳା ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଆଜି ବିଜୟ ମହାପାତ୍ର ଏବଂ ପୂର୍ବତନ ବିଧାୟକ ସାଲୁଗା ପ୍ରଧାନ ମାଣ୍ଡିପଙ୍କା ଗାଁରେ ପହଁଚି ଲୋକଙ୍କ ଅଭିଯୋଗ ଶୁଣିବା ସହ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସରକାର ଉପରେ ବର୍ଷିଛନ୍ତି ।

ବିଜୟ କହିଛନ୍ତି, ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ଭୁବନେଶ୍ବରରେ ବସି ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି । ବାସ୍ତବ ଚିତ୍ର ହେଉଛି ଏହି ଗାଁର ଲୋକେ ଚାଉଳ ପାଇ ନଥିଲେ । ଅଭାବ ଓ ପେଟ ବିକଳରେ ସେମାନେ ଆମ୍ବ ଟାକୁଆ ଜାଉ ଖାଇଥିଲେ । ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ ଗତ ୨ ତାରିଖରେ ସରକାର ଲୋକଙ୍କୁ ଚାଉଳ ଦେଇଛନ୍ତି । ଖାଲି ଆରଡିସି ତଦନ୍ତ କରିଦେଲେ ସମସ୍ୟାର ସମାଧାନ ହୋଇଯିବନାହିଁ ।

ଆଦିବାସୀଙ୍କ ପ୍ରତିନିଧିତ୍ବ କରୁଥିବା ମୁଖ୍ୟମନ୍ତ୍ରୀ ଏଯାଏଁ କାହିଁକି ମାଣ୍ଡିପଙ୍କା ଆସିନାହାନ୍ତି ବୋଲି ବିଜୟ ପ୍ରଶ୍ନ କରିଛନ୍ତି । ଆଗକୁ ସେ କହିଛନ୍ତି, ଏଠାରେ ଖାଦ୍ୟାଭାବ ସହ ପାନୀୟ ଜଳର ସୁବିଧା ନାହିଁ । ଏହି ଗାଁରୁ ଏବେ ସବୁ ପୁରୁଷ ଦାଦନ ଖଟିବାକୁ ଚାଲିଯାଇଛନ୍ତି । ସରକାର ଦାୟିତ୍ବହୀନ ଓ ହାଲୁକା ମନ୍ତବ୍ୟ ଦେବା ପରିବର୍ତ୍ତେ ଗାଁର ସମସ୍ୟା ସମାଧାନ କରନ୍ତୁ ।

ସେହିଭଳି ସାଲୁଗା ପ୍ରଧାନ ମଧ୍ୟ ସରାକରଙ୍କ ଖାମଖିଆଲ ନୀତିକୁ ସମାଲୋଚନା କରିଛନ୍ତି ।

ଆମ୍ବ ଟାକୁଆ ମୃତ୍ୟୁ: ଖାଦ୍ୟ ସୁରକ୍ଷା ଆଇନର ଖୋଲା ଉଲ୍ଲଂଘନ, ଫୌଜଦାରୀ ମାମଲା ରୁଜୁ ଦାବି

ଭୁବନେଶ୍ବର: ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା ଏକ ଅପରାଧିକ ଦିଗ ଆଡ଼େ ସଙ୍କେତ ଦେଲାଣି । ଗରିବ ଆଦିବାସୀଙ୍କୁ ଚାଉଳ ନ ଦିଆଯାଇ ଖୋଲାଖୋଲି ଭାବେ ଖାଦ୍ୟ ସୁରକ୍ଷା ଆଇନର ଉଲ୍ଲଂଘନ କରାଯାଇଛି, ଯାହା ଆଇନଗତ ଅପରାଧ । ଏଥିରେ ଫୌଜଦାରୀ ମାମଲା ରୁଜୁ ହୋଇ ତଦନ୍ତ ହେବା ନେଇ ରାଜନୈତିକ ଓ ବୁଦ୍ଧିଜୀବୀ ମହଲରୁ ଦାବି ଜୋର ଧରିଲାଣି । ସରକାରଙ୍କ ବିରୋଧରେ ମାମଲା ରୁଜୁ କରି ଆଇନର ଆଶ୍ରୟ ନେବାକୁ ସଜବାଜ ହେଲେଣି ବିରୋଧୀ ।

ଖାଦ୍ୟ ସୁରକ୍ଷା ଆଇନର ମୂଳ ଉଦ୍ଦେଶ୍ୟ ଫେଲ । ରାଜ୍ଯ ସରକାର ଆଇନକୁ ଖିଲାଫ କରିଚାଲିଥିବା ନେଇ ଅଭିଯୋଗ । ଚାଉଳ ନ ପାଇବାରୁ ମାଣ୍ଡିପଙ୍କାର ୨ ଆଦିବାସୀ ଆମ୍ବ ଟାକୁଆ ଖାଇ ଆଖି ବୁଜିଲେ। ୬ ଜଣ ରହିଛନ୍ତି ଚିକିତ୍ସାଧୀନ । ଚାଉଳ ମିଳିଥିବା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ମିଛ କହିଲେ । ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୪୦ ଲକ୍ଷ ଲୋକଙ୍କୁ ଚାଉଳ ନ ମିଳିଥିବା ମାନିଲେ । ଖାଦ୍ୟ ସୁରକ୍ଷା ଆଇନର ଉଲ୍ଲଂଘନ ହୋଇଥିବାବେଳେ ଜୀବନ ଯାଇଥିବା କାରଣରୁ ଫୌଜଦାରୀ ମାମଲା ରୁଜୁ ହେବାର ନିୟମ ରହିଛି ।

ଚାଉଳ ଦେବାରେ ଅବହେଳା କରିଥିବା ରିଟେଲର ଓ ସରକାରୀ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି ତଦନ୍ତ ଦାବି କରିଛନ୍ତି ବୁଦ୍ଧିଜୀବୀ । ଆସନ୍ତା ୧୩ରେ ବାମ ଦଳ ଓ ଫରଓ୍ବାର୍ଡ ବ୍ଲକ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ । ସଂରକ୍ଷିତ ଅଞ୍ଚଳର ଦାୟିତ୍ବ ରାଜ୍ୟପାଳଙ୍କ ହୋଇଥିବାରୁ ତାଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯିବ । ସେପଟେ କଂଗ୍ରେସ ବି ଆଇନର ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଛି ।

ଖାଦ୍ୟ ଅଭାବରୁ ଆଦିବାସୀଙ୍କ ଜୀବନ ଯାଇଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୦ ମସିହାରେ ନବୀନ ଶାସନ ଭାର ସମ୍ଭାଳିବା ପରେ ସମସ୍ତଙ୍କ ପାଇଁ ଖାଦ୍ୟ ପ୍ରଦାନକୁ ନିଶ୍ଚିତ କରିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷାର ବାଦ ପଡ଼ିଥିବା ୨୫ ଲକ୍ଷ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷାରେ ସାମିଲ କରିଥିଲେ ନବୀନ । ଯେଉଁଥି ପାଇଁ କେନ୍ଦ୍ର ସରକାର ଓ ଅନ୍ତର୍ଜାତୀୟ ସ୍ତରରେ ଜାତିସଂଘ ବି ଏହାକୁ ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଖାଦ୍ୟ ସୁରକ୍ଷାରେ ଏକ ନମ୍ବର ରାଜ୍ୟରେ ଏଭଳି ଅଭାବନୀୟ ଘଟଣା ଘଟୁଛି ବୋଲି ସୋସିଆଲ ମିଡ଼ିଆ ଏକ୍ସରେ ନବୀନ ପୋଷ୍ଟ କରିଥିଲେ । ସେ କହିଛନ୍ତି, ଆମ୍ବ ଟାକୁଆ ଖାଇ କନ୍ଧମାଳର ଦୁଇ ଆଦିବାସୀ ମହିଳା ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦ କଥା । ଏପରି ଘଟଣା ଦୁଇ ଦଶନ୍ଧି ତଳେ ଦେଖିବାକୁ ମିଳୁଥିଲା । ଏକ ନମ୍ବର ରାଜ୍ୟ ଭାବେ କେନ୍ଦ୍ର ସରକାରଙ୍କଠାରୁ ସମ୍ମାନିତ ହେବାରୁ ଆସି ଆଜି ଏପରି ସ୍ଥିତିରେ ପହଞ୍ଚିବା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ । କ୍ଷମତାକୁ ଆସି ସରକାର ରାଜ୍ୟକୁ ପୁଣି ଭୋକର ଅନ୍ଧାର ଗଳିକୁ ଠେଲି ଦେଇଥିବା ବିଜେଡି ଅଭିଯୋଗ କରିଛି ।

ଆରଡିସି ସ୍ତରୀୟ ତଦନ୍ତ କଥା କୁହାଯାଏ ହେଲେ ରିପୋର୍ଟ ପ୍ରକାଶ ପାଏ ନାହିଁ । ଆମ୍ବ ଟାକୁଆ ଜାଉ ଖାଇ ମରିବା ଘଟଣା ଭୁଶୁଡ଼ିଥିବା ଖାଦ୍ୟ ବଣ୍ଟନ ବ୍ୟବସ୍ଥା ଓ ଖାଦ୍ୟ ସୁରକ୍ଷା ନିମୟ ଉଲ୍ଲଂଘନର ବଡ଼ ଉଦାହରଣ ।

ସରକାର ବଦଳିବା ପରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ବାୟୁ ସ୍ବାସ୍ଥ୍ୟସେବା ଯୋଜନା

ନବରଙ୍ଗପୁର: ଉପାନ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବାକୁ ବାୟୁ ସ୍ଵାସ୍ଥ୍ଯସେବା ଯୋଜନା ଆରମ୍ଭ କରିଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମାଲକାନଗିରି, କଳାହାଣ୍ଡି, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଥିଲା ଏହି ସେବା । ଉପକୃତ ହେଉଥିଲେ ଉପାନ୍ତ ଅଞ୍ଚଳ ଲୋକେ । ହେଲେ ସରକାର ବଦଳିବା ପରେ ଏବେ ଅନିଶ୍ଚିତତା ଘେରକୁ ଠେଲି ହୋଇଯାଇଛି ବାୟୁ ସ୍ଵାସ୍ଥ୍ଯସେବା ଯୋଜନା ।

ଲୋକଙ୍କ ପାଇଁ ସଞ୍ଜିବନୀ ପାଲଟିଥିଲା ମୁଖ୍ଯମନ୍ତ୍ରୀ ବାୟୁ ସ୍ଵାସ୍ଥ୍ଯସେବା । ଉପକୃତ ହେଉଥିଲେ ଉପାନ୍ତ ଅଞ୍ଚଳ ଲୋକେ । ପ୍ରଥମ କରି ମାଲକାନଗିରି ଜିଲ୍ଲାରୁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁରରେ ମଧ୍ୟ ଏହି ସ୍ବାସ୍ଥ୍ୟସେବା ଆରମ୍ଭ ହୋଇଥିଲା । ପ୍ରତ୍ଯେକ ୩ରୁ ୪ ମାସ ବ୍ଯବଧାନରେ ଲୋକଙ୍କୁ ଯୋଗାଇ ଦିଆଯାଉଥିଲା ବାୟୁ ସ୍ଵାସ୍ଥ୍ଯସେବା । ଏହି ଯୋଜନାରେ ରାଜ୍ଯ ତଥା ରାଜ୍ଯ ବାହାରର ବଛାବଛା ସ୍ପେଶାଲିଷ୍ଟ ଓ ସୁପର ସ୍ପେଶାଲିଷ୍ଟ ଡାକ୍ତର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଆସୁଥିଲେ । ଚାରିଦିନ ଧରି ଚାଲିଥାଏ ଏହି କ୍ଯାମ୍ପ । ଏଥିରେ ରୋଗୀଙ୍କୁ ଚିକିତ୍ସା କରିବା ସହ ଅସ୍ତ୍ରୋପଚାର ମଧ୍ଯ କରିଥାନ୍ତି ଡାକ୍ତର । ନବରଙ୍ଗପୁର ଜିଲ୍ଲାରେ ଏହି ସେବା ଚାରିଥର ଯୋଗାଇ ଦିଆଯାଇଥିଲା । ଏହି ଅଭିନବ ସ୍ଵାସ୍ଥ୍ଯସେବା ଜରିଆରେ ଉପକୃତ ହୋଇଥିଲେ ହଜାର ହଜାର ଲୋକେ ।

ହେଲେ ସରକାର ବଦଳିବା ପରେ ଏବେ ଅନିଶ୍ଚିତତା ଘେରକୁ ଚାଲିଯାଇଛି ମୁଖ୍ଯମନ୍ତ୍ରୀ ବାୟୁ ସ୍ଵାସ୍ଥ୍ଯ ସେବା । ବର୍ତ୍ତମାନ ବିଜେପି ସରକାର ଆସିବାକୁ ୧୨୦ ଦିନ ବିତିଗଲାଣି । ହେଲେ ଏପର୍ଯ୍ଯନ୍ତ ନବରଙ୍ଗପୁର ଜିଲ୍ଲାରେ ବାୟୁ ସ୍ଵାସ୍ଥ୍ଯସେବା ଲୋକଙ୍କୁ ଯୋଗାଇ ଦିଆଯାଇନାହିଁ । ଫଳରେ ଗରିବ ଓ ଦୁରାରୋଗ୍ଯରେ ପୀଡ଼ିତ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତି ସ୍ଥିତିରେ ବାୟୁ ସ୍ଵାସ୍ଥ୍ଯସେବାକୁ ଜାରି ରଖିବାକୁ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ଡାବୁଗାଁ ବିଧାୟକ କହିଛନ୍ତି ଆଦିବାସୀ ଅଞ୍ଚଳରେ ଏହିଭଳି ଯୁଗାନ୍ତକାରୀ ସ୍ୱାସ୍ଥ୍ୟସେବା ଜାରି ରହିବା ଆବଶ୍ୟକ।  ଅନ୍ୟପଟେ ଏହି ସ୍ଵାସ୍ଥ୍ଯସେବା ସମ୍ବନ୍ଧରେ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ଆସିନାହିଁ ବୋଲି ଚିକିତ୍ସା ଅଧିକାରୀ କହିଛନ୍ତି ।

ଉପାନ୍ତ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟସେବାରେ ଏକ ନୂତନ ଅଧ୍ୟାୟ ଲେଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ଯାହା ଏବେ ବିଜେପି ସରକାର ଅମଳରେ ଅନିଶ୍ଚିତ ଘେରକୁ ଠେଲି ହୋଇଯାଇଛି ।

ଯାତ୍ରା ଟିକେଟ କାଟିବାକୁ ଆସି ପୋଲିସଠୁ ଲାଠି ମାଡ଼ ଖାଇଲେ ଦର୍ଶକ, ଭାଇରାଲ ହେଉଛି ଭିଡିଓ

ଚାନ୍ଦବାଲି: ଯାତ୍ରା ଦେଖିବାକୁ ମନ ଥିଲା । ସେଥିପାଇଁ ଟିକେଟ୍ କାଟିବାକୁ ଆସିଥିଲେ । ହେଲେ ଟିକେଟ କାଟିବେ କ’ଣ ବାଜିଲା ପୋଲିସର ଲାଠି ମାଡ଼ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚାନ୍ଦବାଲି ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ, ଚାନ୍ଦବାଲି ସହରରେ ଶ୍ରୀକୃଷ୍ଣ ପୂଜା କମିଟି ତରଫରୁ ସୂର୍ଯ୍ୟ ମନ୍ଦିର ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛି । ଟିକେଟ କାଟିବାକୁ ରାତିରୁ କାଉଣ୍ଟର ଆଗରେ ଲାଗୁଛି ଲମ୍ବା ଲାଇନ । ଆଜି ସକାଳେ ଟିକେଟ କାଉଣ୍ଟର ଖୋଲିବା ପରେ କାଉଣ୍ଟର ଆଗରେ ଭିଡ଼ ଲାଗିଥିଲା । ଏପରିକି ଟିକେଟ କାଟିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । ଦର୍ଶକଙ୍କ ଭିଡକୁ ନିୟନ୍ତ୍ରଣ କରିବାକୁ ସେଠାରେ ଚାନ୍ଦବାଲି ପୋଲିସର ଜଣେ କର୍ମଚାରୀ ପହଞ୍ଚି ଥିଲେ । ହେଲେ ପୋଲିସ ବାବୁ ଜଣଙ୍କ ୟୁନିଫର୍ମରେ ନଆସି ସାଧା ପୋଷାକରେ ଆସିଥିବାରୁ ତାଙ୍କ କଥା କେହି ଶୁଣି ନଥିଲେ । ଯାହାକୁ ନେଇ ପୋଲିସ ବାବୁଙ୍କ ରାଗ ପଞ୍ଚମ ହୋଇଯାଇଥିଲା ଓ ସେ ଦର୍ଶକଙ୍କ ଉପରେ ଲାଠିଚାର୍ଜ କରି ଦେଇଥିଲେ ।

ଜଣେ ଦର୍ଶକଙ୍କ ଗାଲକୁ ଶକ୍ତ ଚାପୁଡ଼ା ମାରିବା ସହ ଅନ୍ୟ ଜଣଙ୍କୁ ପିଟି ଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି । ପୋଲିସ ବାବୁଙ୍କ ଏପରି କାମକୁ ସବୁ ମହଲରୁ ନିନ୍ଦା କରାଯାଉଛି । ତେବେ ଏନେଇ ଚନ୍ଦବାଲି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଯୌତୁକ ପାଇଁ ପତ୍ନୀଙ୍କ ଯୌନାଙ୍ଗରେ ଲୁହା ଚେଙ୍କ ଦେବାକୁ ସ୍ବାମୀର ଉଦ୍ୟମ

ତାଳଚେର: ଯୌତୁକ ଲୋଭି ରାକ୍ଷସ ଯେ କେତେ ତଳକୁ ଖସିଯିବ ତାହା ତାଳଚେର ଅଞ୍ଚଳରେ ଦେଖିବାକୁ ମିଳିଛି । ଦୁଇଟି ଛୁଆର ବାପା ହେବା ପରେ ବି ଯୌତୁକ ଲୋଭରେ ମାଆ ସହ ମିଶି ପତ୍ନୀଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ମହିଳାଙ୍କ ଯୌନାଙ୍ଗରେ ଲୁହା ଚେଙ୍କ ଦେବାକୁ ଉଦ୍ୟମ କରି ଫେରାର ହୋଇଯାଇଛି ସ୍ବାମୀ । ଘଟଣା ଘଟିଛି ତାଳଚେର କୋଲୀୟାରି ଥାନା ଏକଡାଳ ଗାଁରେ ।

ଅଭିଯୋଗ ଅନୁସାରେ, ଏକଡାଳ ଗାଁର ପ୍ରେମାନନ୍ଦ ନାଏକ ରେଙ୍ଗାଳି ବଜ୍ରକୋଟ ଅଞ୍ଚଳରର ମିତା (ଛଦ୍ମନାମ)ଙ୍କୁ ୨୦୧୮ ମସିହାରେ ବିବାହ କରିଥିଲେ । ଯୌତୁକ ବାବଦକୁ ମିତାଙ୍କ ପରିବାର ଲୋକେ ୪ ଲକ୍ଷ ଟଙ୍କାର ଘରକରଣା ଜିନିଷ, ୨ ଲକ୍ଷ ନଗଦ ଟଙ୍କା, ସାଢେ ୪ ଭରି ସୁନା ଦେଇଥିଲେ । ବିବାହ ପରେ ତାଳଚେର ଜଗନ୍ନାଥ ମାଇନ୍ସରେ ଚାକିରି କରୁଥିବା ପ୍ରେମାନନ୍ଦ ସେଣ୍ଟ୍ରାଲ କଲୋନୀରେ ଥିବା ଏମସିଏଲ କ୍ୱାର୍ଟର୍ସରେ ପତ୍ନୀଙ୍କ ସହ ରହୁଥିଲେ । ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ବିବାହର କିଛି ବର୍ଷ ପରେ ପ୍ରେମାନନ୍ଦ ଯୌତୁକ ବାବଦକୁ ଗୋଟିଏ କାର ଦାବି କରିଥିଲେ । ତେବେ ମିତାଙ୍କ ପରିବାର କାର ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ । ଯଦି କାର ନଦେବ ତେବେ ୫ ଲକ୍ଷ ଟଙ୍କା କ୍ୟାସ ଆଣିବାକୁ ମିତାଙ୍କୁ ବାଧ୍ୟ କରିଥିଲେ ପ୍ରେମାନନ୍ଦ ।

ମିତାଙ୍କ ପରିବାର ଲୋକେ ଏତେ ଟଙ୍କା ଦେଇ ନ ପାରିଥିବାରୁ ପ୍ରେମାନନ୍ଦ ଓ ତାଙ୍କ ମାଆ ରୂପବତୀ ନାଏକ ତାଙ୍କ ଉପରେ ଅକଥନୀୟ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ । ଏପରିକି କରେଣ୍ଟ ଦେବା ଭଳି ସଙ୍ଗୀନ ଅଭିଯୋଗ ମିତାଙ୍କ ମାଆ କରିଥିଲେ । ଏନେଇ ପୂର୍ବରୁ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଉପସ୍ଥିତିରେ ଏଥିରୁ ନିବୃତ୍ତ ରହିବେ ବୋଲି ପ୍ରେମାନନ୍ଦ ଲିଖିତ ସହମତି ଦେଇ ମିତାଙ୍କୁ ସାଙ୍ଗରେ ନେଇଥିଲେ ।

ହେଲେ ଗତ ୪ ତାରିଖ ସକାଳ ପ୍ରାୟ ସାଢେ ୬ଟା ସମୟରେ ସେଣ୍ଟ୍ରାଲ କଲୋନୀ କ୍ୱାର୍ଟର୍ସରେ ମିତାଙ୍କ ହାତଗୋଡ ବାନ୍ଧି ପ୍ରେମାନନ୍ଦ ଲୁହା ରଡ଼ରେ ମାଡ଼ ମାରିବା ସହ ଶରୀରର ବିଭିନ୍ନ ସ୍ଥାନକୁ ଛୁରିରେ ଆକ୍ରମଣ କରିଥିଲେ । ଅଥୟ ମାଡ଼ ଓ ଛୁରି ଆଘାତରେ ଅତ୍ୟଧିକ ରକ୍ତସ୍ରାବ ହୋଇ ମିତା ଚେତାଶୂନ୍ୟ ହୋଇଯାଇଥିଲେ । ପରେ ତାଙ୍କ ମୁହଁରେ ପାଣି ପକାଇ ହୋସକୁ ଆଣିବା ସହ ପୁଣି ଥରେ ମାଡ଼ ମାରିଥିଲେ । ଏପରିକି ତାଙ୍କ ଯୌନାଙ୍ଗରେ ଲୁହା ରଡରେ ଚେଙ୍କ ଦେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ମିତା ଚେତାଶୂନ୍ୟ ହୋଇଯିବାରୁ ମରିଯାଇଥିବା ଭାବି ପୁଅ ସହ ତାଙ୍କୁ ଘରେ ବନ୍ଦ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଖବର ପାଇ କୋଲୀୟାରି ପୋଲିସ ଘଟଣା ସ୍ଥଳରେ ପହଁଚି ମିତାଙ୍କୁ ଉଦ୍ଧାର କରି ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏନେଇ ମିତାଙ୍କ ମାଆ କୋଲୀୟାରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାସହ ଫେରାର ପ୍ରେମାନନ୍ଦକୁ ଖୋଜୁଛି ।

ମରୁଭୂମିରେ ବରଫ ଚାଦର, ପ୍ରକୃତିର ଚମତ୍କାର ନା କୌଣସି ବିପଦ ସଙ୍କେତ ?

ନୂଆଦିଲ୍ଲୀ: ମରୁଭୂମିରେ ବରଫ ବର୍ଷା । କଥାଟି ଶୁଣିଲେ ସହଜେ ବିଶ୍ବାସ କରି ହେବନି । ଯେଉଁଠାରେ କେବଳ ବାଲି ହଁ ବାଲି, ସେଠାରେ ପୁଣି ବରଫପାତ । ମରୁଭୂମିରେ ବରଫ ବର୍ଷା ତ ସ୍ବପ୍ନ । ସାଉଦୀ ଆରବର ମରୁଭୂମିରେ ହୋଇଛି ଏହି ବରଫ ବର୍ଷା ।

ସାଉଦି ଆରବ ନାଁ ଶୁଣିଲେ ମନରେ ଆସିଥାଏ ଅସହ୍ୟ ଗରମ ସାଙ୍ଗକୁ ଅସରନ୍ତି ମରୁଭୂମି । ମରୁଭୂମିର ଗରମ ବାଲି ସମସ୍ତଙ୍କୁ ଅତିଷ୍ଠ କରିଥାଏ । କିନ୍ତୁ ଏଥର ସାଉଦୀ ଆରବର ମରୁଭୂମିରେ ଏଭଳି କିଛି ଘଟିଛି ଯାହା ଆପଣ କେବେ କଳ୍ପନା କରି ନଥିବେ । ଆଜ୍ଞା ହଁ, କିଛିଦିନ ତଳେ ସାଉଦୀ ଆରବରେ ପ୍ରବଳ ବର୍ଷା ହୋଇଛି । କେବଳ ସେତିକି ନୁହେଁ, ମରୁଭୂମିରେ ବର୍ଷା ସହ କୁଆପଥର ମାଡ଼ ହେବା ସହ ତୁଷାରପାତ ହୋଇଛି । ଆଉ ଦେଖୁ ଦେଖୁ ସାଉଦୀ ଆଣବର ମରୁଭୂମି ବରଫ ଚାଦରରେ ଢେଙ୍କି ହୋଇଯାଇଥିଲା । ଏତେ ମାତ୍ରାରେ ତୁଷାରପାତ ହୋଇଥିଲା ଯେ ନାଲି ବାଲି ଧଳା ଚାଦର ଭଳି ଦୃଶ୍ୟମାନ ହେଲା । ଏଭଳି ଏକ ଦୃଶ୍ୟ ସେଠାକାର ଲୋକଙ୍କ ପାଇଁ ଅଦ୍ଭୁତ ଓ ନିଆରା ଥିଲା ।

କୁହାଯାଉଛି ଏଭଳି ତୁଷାରପାତ ପରେ କିଛି ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିଲା । ଲୋକଙ୍କ କହିବା ଅନୁଯାୟୀ ପ୍ରଥମ ଥର ପାଇଁ ଏ ପ୍ରକାର ପାଣିପାଗ ଦେଖାଦେଇଛି । ଯାହାକୁ ନେଇ ସାଧାରଣରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି ।

ତୁଷାରପାତ ପଛର କାରଣ କ’ଣ ?

ମରୁଭୂମିରେ ଏପରି ତୁଷାରପାତକୁ  ଲୋକେ ପ୍ରକୃତିର ଚମତ୍କାର ମାନୁଛନ୍ତି । ଅନ୍ୟପକ୍ଷରେ କିନ୍ତୁ ୟୁଏଇର ପାଣିପାଗ ବିଶେଷଜ୍ଞ ଏଭଳି ଘଟଣା କୌଣସି ବିପଦର ସଂକେତ ବୋଲି ଅନୁମାନ କରିଛନ୍ତି ।

ସାଉଦୀ ଆରବ ପାଣିପାଗ କେନ୍ଦ୍ର ଅନୁଯାୟୀ, କିଛି ଦିନ ହେବ ଆରବ ସାଗରରୁ ଓମାନ ପର୍ଯ୍ୟନ୍ତ ଏକ ନିମ୍ନଚାପ ପ୍ରଣାଳୀ ବ୍ୟାପିଛି । ଯାହାଫଳରେ ଆର୍ଦ୍ରତା ଭରା ପବନ ସେହି ଅଞ୍ଚଳକୁ ଆସି ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ କରାଇଛି । ୟୁଏଇ ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ଦିନରେ ଅଲ-ଜୋଫ ଓ ଆଖପାଖ ଅଞ୍ଚଳରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ସାଉଦୀ ଆରବର ପାଣିପାଗ ଗତ କିଛି ଦିନ ହେବ ଖରାପ ଥିଲା । ଯାହାକି ସାଧାରଣ ଦିନଠାରୁ ସଂପୂର୍ଣ୍ଣ ଭିନ୍ନ । ୩୦ ଅକ୍ଟୋବର ଅଲ-ଜୋଫରେ ପ୍ରବଳ ବର୍ଷା ସହ କୁଆପଥର ମାଡ ହୋଇଥିଲା । ଆଉ କିଛି ଦିନ ପରେ ପ୍ରବଳ ତୁଷାରପାତ ହୋଇଛି ।

ଶ୍ରୀମନ୍ଦିରରେ ବଙ୍ଗୀୟ ଭକ୍ତଙ୍କ ଉତ୍ପାତ, ଜେଟିପିଙ୍କୁ କଲେ ଆହତ

ପୁରୀ: ବଡ଼ ଦେଉଳରେ ବଙ୍ଗୀୟ ଭକ୍ତଙ୍କ ଉତ୍ପାତ । ୫ ଜଣ ବଙ୍ଗୀୟ ଭକ୍ତଙ୍କ ଟଣା ଓଟରା ଓ ଆକ୍ରମଣରେ ଶ୍ରୀମନ୍ଦିର ଜେଟିପି ଆହତ । ଏ ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ପରେ କିଛି ବଙ୍ଗୀୟ ଭକ୍ତଙ୍କୁ ଅଟକ ରଖି ପଚାରଉଚରା କରୁଛି ପୋଲିସ ।

ଆଜି ସକାଳେ ଶ୍ରୀମନ୍ଦିର ଘଣ୍ଟି ଦ୍ୱାରରେ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ଦାଇତ୍ୱରେ ଥିଲେ ଜେଟିପି ଗୁପ୍ତେଶ୍ୱର ରାଉତରାୟ । ଏହି ସମୟରେ କିଛି ବଙ୍ଗୀୟ ଭକ୍ତ ପ୍ରସ୍ଥାନ ବାଟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଘଣ୍ଟି ଦ୍ୱାର ନିକଟରେ ଡ୍ୟୁଟିରେ ଥିବା ଗୁପ୍ତେଶ୍ୱର ଏପରି କରିବାକୁ ବାରଣ କରିଥିଲେ । ଯାହାକୁ ନେଇ ବଙ୍ଗୀୟ ଭକ୍ତମାନେ ଉତକ୍ଷିପ୍ତ ହୋଇ ଗୁପ୍ତେଶ୍ୱରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ସମ୍ପୂର୍ଣ୍ଣ ରୀତିନୀତିରେ ‘କାର’ର ଶେଷକୃତ୍ୟ ସମ୍ପନ୍ନ

ଗୁଜରାଟ: ଆପଣ ମଣିଷଙ୍କ ଶେଷକୃତ୍ୟ ହେଉଥିବା ଦେଖିଛନ୍ତି । କିଛି ସ୍ଥାନରେ ଲୋକେ ସେମାନଙ୍କୁ ପାଳିତ ପଶୁପକ୍ଷୀଙ୍କ ମଧ୍ୟ ଶେଷକୃତ୍ୟ କରୁଥିବା ଦେଖିଥିବେ । ହେଲେ କେବେ କାରର ଶେଷକୃତ୍ୟ ହେବା କଥା ଶୁଣିଛନ୍ତି କି ଦେଖିଛନ୍ତି କି ? ଶୁଣିଲେ, ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ଘଟଣା ସତ । କାରକୁ ଦିଆଯାଇଛି ସମାଧି, ତାହା ପୁଣି ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ।

ଏମିତି ଘଟଣା ଗୁଜରାଟରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଗୁଜରାଟର ଏକ ପରିବାର ସେମାନଙ୍କ ଅତି ପ୍ରିୟ ଓ୍ବାଗନର କାରକୁ ସମାଧି ଦେଇଛନ୍ତି ।

ତଥ୍ୟ ଅନୁସାରେ, ଗୁଜରାଟର ଆମରେଲିର ସଞ୍ଜୟ ପୋଲରା ଓ ତାଙ୍କ ପରିବାର ନିକଟରେ ଏକ ୧୨ ବର୍ଷ ପୁରୁଣା ୱାଗନର କାର ଥିଲା । କାର୍ ସହିତ ସେମାନଙ୍କର ରହିଥିଲା ଅପୂର୍ବ ସମ୍ପର୍କ । କାରଟିକୁ ନିଜର କ୍ଷେତରେ ସମାଧି ଦେବା ଲାଗି ସେମାନେ ଚିନ୍ତା କରିଥିଲେ । ଏଥି ଶେଷକୃତ୍ୟ କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ ପ୍ରାୟ ୧୫ ଶହ ଲୋକ । ଆଉ ଏଥିପାଇଁ ଖର୍ଚ୍ଚ ହୋଇଥିଲା ପ୍ରାୟ ୪ ଲକ୍ଷ ଟଙ୍କା ।

ଧାର୍ମିକ ରୀତିନୀତି ଅନୁସାରେ ହୋଇଥିଲା ଶେଷକୃତ୍ୟ । ପ୍ରାୟ ୧୫ ଫୁଟ ଗଭୀର ଗାତରେ ଫୁଲରେ ସଜ୍ଜିତ କାରକୁ ସମାଧି ଦିଆଯାଇଥିଲା । ଉତ୍ତମ ଭବିଷ୍ଯତ କାମନା କରି ସଞ୍ଜୟ ଓ ତାଙ୍କ ପରିବାର ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ସୁରଟରେ ସଞ୍ଜୟଙ୍କ ଏକ ନିର୍ମାଣ ଉଦ୍ଯୋଗ ରହିଛି। ସେ କହିଛନ୍ତି, ଏହି କାର ତାଙ୍କ ଲାଗି ଲକି ସାବ୍ଯସ୍ତ ହୋଇଥିଲା । ତେଣୁ କାରକୁ ନ ବିକି ସେମାନେ ତାହାକୁ ସମାଧି ଦେଲେ ।

ମଶାଣିରେ ହାଇଡ୍ରାମା: ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ଅଧାପୋଡ଼ା ଶବ ଜବତ କଲା ପୋଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ସତ୍ୟନଗର ମଶାଣିରେ ଚାଲିଥିଲା ଶବଦାହ । ହଠାତ ପହଞ୍ଚିଲା ପୋଲିସ । ଅଧାରୁ ବନ୍ଦ ହେଲା ଶବଦାହ । ଅଧାପୋଡ଼ା ଶବକୁ ଜବତ କଲା ପୋଲିସ । ଆଜି ଏମିତି କିଛି ଘଟଣା ସତ୍ୟନଗରର ଓ ଏହାର ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ ପୂର୍ବତନ ବ୍ରହ୍ମଗିରି ବିଧାୟକ ଅଜୟ କୁମାର ଜେନାଙ୍କ ଧର୍ମପତ୍ନୀ ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା । ତେବେ ଏନେଇ ବିଧାୟକ ଓ ତାଙ୍କ ପରିବାର କାହାକୁ କିଛି ଜଣାଇ ନଥିଲେ । ଏପରିକି ଶବ ବ୍ୟବଚ୍ଛେଦ ମଧ୍ୟ ନକରାଇ ସତ୍ୟନଗର ମଶାଣିରେ ଶବଦାହ କରୁଥିଲେ । ଖବର ପାଇ ସମ୍ପର୍କୀୟ ଓ ପୋଲିସ ସତ୍ୟନଗର ମଶାଣିରେ ପହଞ୍ଚି ଅର୍ଦ୍ଧଦଗ୍ଧ ଶବକୁ ଜବତ କରିଛି ।

ମୃତଦେହ ଉଦ୍ଧାର ପରେ ବ୍ଯବଚ୍ଛେଦ ପାଇଁ ଖାରବେଳନଗର ଥାନା ପୋଲିସ ଉପସ୍ଥିତିରେ କ୍ଯାପିଟାଲ ହସ୍ପିଟାଲକୁ ନିଆଯାଇଛି । ପରିବାର ସଦସ୍ଯଙ୍କଠାରୁ କିଛି ଡକ୍ଯୁମେଣ୍ଟ ମାଗିବା ସହ ଯାଞ୍ଚ କରିଛି ପୋଲିସ୍ । ସେପଟେ ଜମିବାଡ଼ି ବିବାଦକୁ ନେଇ ତରବରିଆ ଭାବରେ ଶବଦାହ କରାଯାଉଥିଲା ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।