spot_img
Home Blog Page 1381

ମା ତାରାତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣା ପରେ ଆଜି ହେବ ମହାସ୍ନାନ

ବ୍ରହ୍ମପୁର: ଗଂଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣା ପରେ ଆଜି ହେବ ମହାସ୍ନାନ। ପ୍ରଥମେ ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହେବେ ସେବାୟତ ପରିବାର। ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଧରିବେ ସେବାୟତ ମାନେ ।

୧୦୮ ଗରାରେ ପାଣି ଧରି ୯୯୯ ପାହାଚ ଚଢ଼ି ସେବାୟତ ମାନେ ମା’ଙ୍କ ମନ୍ଦିର ଉପରକୁ ଯିବେ। ମନ୍ଦିର ଉପରେ ମା’ଙ୍କୁ ପ୍ରଥମେ ମହାସ୍ନାନ କରାଯିବ। ଏହାପରେ ଶ୍ରୀ ସୁପ୍ତ, ଦେବୀ ସୁପ୍ତ ସହ ବାତ୍ରୀ ସୁପ୍ତ ଭଳି ଏହି ତିନୋଟି ସୁପ୍ତକୁ ୧୦୮ଥର ପଠନ କରାଯିବ। ଏହାପରେ ମା’ଙ୍କ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ମାଁ ତାରାତାରିଣୀ ।‌ ଗତ ୬ ତାରିଖରେ ମା’ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୂପା ଅଳଙ୍କାରକୁ ଚୋରି କରି ନେଇଥିଲେ। ମା’ଙ୍କୁ ଚୋର ମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ଏଭଳି ମହାସ୍ନାନ କରାଯିବ।

 

ମାତ୍ର ୩୫ ବର୍ଷ ବୟସରେ ଆଖି ବୁଜିଲେ ଅଭିନେତା ନୀତିନ

ମୁମ୍ବାଇ: ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା ନୀତିନ ଚୌହାନଙ୍କ ପରଲୋକ  । ରିଆଲିଟି ଶୋ ଦାଦାଗିରି ୨ ର ବିଜେତା ନୀତିନ ମାତ୍ର ୩୫ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି  ।

ଉତ୍ତର ପ୍ରଦେଶ ଆଲିଗଡର ନିତିନ ଦାଦାଗିରି ୨ ରିଆଲିଟି ଶୋ ଜିତିବା ପରେ ଲୋକପ୍ରିୟ ହୋଇଥିଲେ  । ଏମଟିଭି ସ୍ପିଲଟ୍ସଭିଲା, ଜିନ୍ଦେଗୀ ଡଟ୍‌ କମ୍‌, କ୍ରାଇମ ପେଟ୍ରୋଲ ଓ ଫ୍ରେଣ୍ଡସ ଭଳି ଟିଭି ଶୋ’ରେ ସେ ନଜର ଆସିଛନ୍ତି ।

ନିତିନଙ୍କ ଶେଷ ସୋ ତେରା ୟାର ହୁଁ ମେର ସହ ଅଭିନେତା ତାଙ୍କ ମୃତ୍ୟୁ ଖବର ପ୍ରକାଶ କରିଛନ୍ତି  । ସେ ଆତ୍ମହତ୍ୟା କରିଥିବା ତାଙ୍କ କୋଷ୍ଟାର କହିଛନ୍ତି  । ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ  । ନିତିନଙ୍କ ବାପା ମୁମ୍ବାଇ ଆସୁଛନ୍ତି  । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ  ।

ତହସିଲଦାରଙ୍କ ଦୁର୍ବ୍ୟବହାରରେ ଚେତାଶୂନ୍ୟ RI, ହସ୍ପିଟାଲରେ ଭର୍ତ୍ତି

ଆନନ୍ଦପୁର: RIଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର। ଏମିତି ଗାଳିଗୁଲଜ କଲେ ଯେ ବେହୋସ ହୋଇଗଲେ ମହିଳା। କେନ୍ଦୁଝର ଘସିପୁରା ଅଂଚଳର ଏ ଘଟଣା। ତହସିଲଦାରଙ୍କ ଦୁର୍ବ୍ୟବହାରର ସବୁ ସୀମା ଟପି ଯାଇଛି। ଜଣେ ମହିଳା ରାଜସ୍ବ ନିରୀକ୍ଷକଙ୍କୁ ବିଳମ୍ବିତ ସନ୍ଧ୍ୟାରେ ରେକର୍ଡ ପତ୍ର ଧରି ତହସିଲ କାର୍ଯ୍ୟାଳୟକୁ ଆସିବାକୁ କହିବାରୁ ରାଜସ୍ବ ନିରୀକ୍ଷକ ଜଣକ ସାମାନ୍ୟ ଅମଙ୍ଗ ହୋଇଥିଲେ।

ଏଥିରେ ଉତକ୍ଷିପ୍ତ ହୋଇ ତହସିଲଦାର ଚଢା ସ୍ଵରରେ ମହିଳା ରାଜସ୍ବ ନିରୀକ୍ଷକଙ୍କୁ ଫୋନ୍ ଯୋଗେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଚାକିରୀ ନେଇଯିବାର ଧମକ ଦେଇଥିବା ଅଭିଯୋଗ ହୋଇଛି।

ଫଳରେ ରୋଷେଇ କରୁଥିବା ଅବସ୍ଥାରେ ଫୋନ୍ ଯୋଗେ ତହସିଲଦାରଙ୍କ ଠାରୁ ଏଭଳି ବ୍ୟବହାର ପାଇ ମହିଳା ରାଜସ୍ବ ନିରୀକ୍ଷକ ଜଣକ ଚେତାଶୂନ୍ୟ ହୋଇ ଯାଇଛନ୍ତି। ପରିବାର ଲୋକେ ତାଙ୍କୁ ଆଣି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମହିଳା ଆରଆଇଙ୍କ ସହ ଦୀର୍ଘ ୪ ମାସ ହେବ ତହସିଲଦାର ଜଣକ ଏଭଳି ବ୍ୟବହାର କରୁଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ସ୍ୱାମୀ।

ଦେଶର ଟପ୍ ୧୦ ପ୍ରଦୂଷିତ ସହର ତାଲିକାରେ ଏକ ନମ୍ବର ସ୍ଥାନରେ ଦିଲ୍ଲୀ

ନୂଆଦିଲ୍ଲୀ: ବିଷ ବଳୟରେ ଜାତୀୟ ରାଜଧାନୀ ଦିଲ୍ଲୀ। କିଛି ସ୍ଥାନରେ ବାୟୁର ମାନ ୪୦୦ ପାର କରିଛି। ଦେଶର ଟପ୍ ୧୦ ପ୍ରଦୂଷିତ ସହର ତାଲିକା ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛି ଦିଲ୍ଲୀ। ଗ୍ଯାସ ଚାମ୍ବର ପାଲଟିଛି ଦିଲ୍ଲୀ। ଦିଲ୍ଲୀ ଏନସିଆରରେ ସ୍ଥିତି ବହୁତ ଖରାପ ରହିଛି। ଦିଲ୍ଲୀର ଅନେକ ସ୍ଥାନରେ ଏକ୍ଯୁଆଇ ୪୨୫ ରହିଥିଲା।

ଲଗାତାର ଆନନ୍ଦବିହାର ପ୍ରଦୂଷିତ ଅଂଚଳ ଭାବେ ପରିଗଣିତ ହୋଇଛି। ଏଠାରେ ସବୁଠାରୁ ଅଧିକ ପ୍ରଦୂଷଣ ରହିଛି। ବଜିରପୁରରେ ମଧ୍ୟ ଅଧିକ ପ୍ରଦୂଷଣ ରହିଛି।ଦ୍ଵାରକା, ଅଲୀପୁରରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ସେପଟେ ନଡା ଜାଳିବା ଉପରେ ଅଧିକ କଠୋର ହେଲେ ସରକାର। ନଡ଼ା ଜାଳିଲେ ଦେବାକୁ ହେବ ଡବଲ ଜରିମାନା ।

ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ପ୍ରଦୂଷଣ ପାଇଁ ପଡୋଶୀ ରାଜ୍ୟରେ ନଡ଼ା ଜାଳିବାକୁ ଦାୟୀ କରାଯାଉଛି। ନଡ଼ା ଜାଳୁଥିବା ବ୍ୟକ୍ତିଙ୍କୁ ଦୁଇ ଗୁଣା ଜୋରିମାନା ଦେବାକୁ ନିର୍ଦେଶ ଦିଆଯାଇଛି। ନିୟମ ଅନୁସାରେ ୫ ଏକରରୁ ଅଧିକ ଜମି ଥିବା କୃଷକଙ୍କୁ ୩୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ସେହିପରି ୨ ଏକରରୁ କମ୍ ଜମି ଥିବା କୃଷକଙ୍କୁ ଜରିମାନା ୫ ହଜାର ଟଙ୍କା ଏବଂ ୨ ରୁ ୫ ଏକର ମଧ୍ୟରେ ଜମି ପାଇଁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ।

ଲେବାନନ ରାଜଧାନୀ ବେରୁତ ଉପରେ ଇସ୍ରାଏଲର ଜବରଦସ୍ତ ହମଲା

ବେରୁତ: ଲେବାନନ ରାଜଧାନୀ ବେରୁତ ଉପରେ ଇସ୍ରାଏଲର ଜବରଦସ୍ତ ହମଲା। ଲଗାତର ଦୁଇ ଦିନ ଧରି ଆକ୍ରମଣରେ ଶହେରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଛି। ବେରୁତ ଏୟାରପୋର୍ଟ ଉପରେ ଆକ୍ରମଣ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସେସ। ବେରୁତ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଟାର୍ଗେଟ କରିଛି ଇସ୍ରାଏଲ। ଏହାସହ ବେରୁତର ଭିନ୍ନ ଭିନ୍ନ ସ୍ଥାନକୁ ମଧ୍ୟ ଟାର୍ଗେଟ କରିଛି ଇସ୍ରାଏଲ ସେନା।

ଆକ୍ରମଣରେ ୪୦ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। ଆକ୍ରମଣ ପୁର୍ବରୁ ଇସ୍ରାଏଲ ସେନା ପକ୍ଷରୁ ଆଲର୍ଟ ଜାରି କରାଯାଇଥିଲା। ଏୟାରପୋର୍ଟ ଏବଂ ଏହାର ଆଖପାଖ ଅଂଚଳକୁ ଖାଲି କରିବାକୁ କହିଥିଲା ସେନା। ଆକ୍ରମଣରେ ଆଇଡିଏଫ୍ ହିଜବୁଲ୍ଲାର କମାଣ୍ଡ ସେଣ୍ଟର ଏବଂ ଅସ୍ତ୍ରଶସ୍ତ୍ର ଗୋଦାମକୁ ଛାରଖାନ କରି ଦେଇଥିବା ଦାବି କରିଛି ସେନା।

ଏହା ପୂର୍ବରୁ ଇସ୍ରାଏଲ ବାରଜା ସହର ଉପରେ ଆକ୍ରମଣ କରିଥିଲା। ଏକ ଆପାର୍ଟମେଣ୍ଟ ଉପରେ ହୋଇଥିଲା ହମଲା। ବିଲ୍ଡିଂ ଉପରକୁ ଏୟାର ଷ୍ଟ୍ରାଇକ ହୋଇଥିଲା। ଏଥିରେ ଅତି କମରେ ୩୦ ଜଣଙ୍କ ମୃତ୍ଯୁ ଘଟିଥିଲା। ଆକ୍ରମଣ ପୂର୍ବରୁ ସେନା ପକ୍ଷରୁ କୌଣସି ଚେତାବନୀ ଦିଆଯାଇନଥିଲା। ସେପଟେ ଗାଜା ଉପରେ ମଧ୍ୟ ଇସ୍ରାଏଲ ସେନା ପକ୍ଷରୁ ଜୋରଦାର ହମଲା ଜାରି ରହିଛି।

ଏଠାରେ ପୁଣି ହମାସ ଆତଙ୍କୀ ଶିବିର ଠାବ କରିଛି ଇସ୍ରାଏଲ ସେନା। ଇସ୍ରାଏଲ ହମଲାରେ ଲେବାନନରେ ବର୍ତ୍ତମାନ ସୁଦ୍ଧା ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଲାଣି। ଏମାନଙ୍କ ମଧ୍ୟରେ ଗତ ଦେଢ ମାସ ମଧ୍ୟରେ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ଯୁ ଘଟିଛି। ଦୁଇ ଦେଶ ମଧ୍ୟରେ ସଂଘର୍ଷରୁ ୧୦ ଲକ୍ଷରୁ ଅଧିକ ନାଗରିକ ଲେବାନନ ଛାଡିଛନ୍ତି। ଅଧିକାଂଶ କ୍ଯାମ୍ପରେ ଆଶ୍ରୟ ନେଇଛନ୍ତି। କ୍ଯାମ୍ପରେ ଆଉ ସ୍ଥାନ ନଥିବାରୁ ଲୋକେ ସମୁଦ୍ର କୂଳରେ ଟେଣ୍ଟ ଲଗାଇ ରହିଛନ୍ତି। ସେପଟେ ହିଜବୁଲ୍ଲା ମୁଖ୍ୟ ନଇମ କାସିମ ଇସ୍ରାଏଲ ସହ ଯୁଦ୍ଧ ବିରତି ପାଇଁ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

କଟକରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପୁରୁଷବନ୍ଧୁଙ୍କ ନାଁରେ ଥାନାରେ ମାମଲା

କଟକ: କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ। ଛାତ୍ରୀଙ୍କ ପୁରୁଷବନ୍ଧୁ ଓ ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ କରିବା ସହ ତାଙ୍କୁ ବ୍ଲାକମେଲ କରି ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ ଦଶହରା ସମୟରେ କଟକ ପୁରୀଘାଟ ଥାନା ଅଞ୍ଚଳରେ ଏକ କାଫେରେ ଛାତ୍ରୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଜନ୍ମଦିନ ପାଳନ କରିଥିଲେ। ଏହାପରେ ସେଠାରେ ଛାତ୍ରୀଙ୍କ ଅଜାଣତରେ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ ବୟଫ୍ରେଣ୍ଡ୍। ଆଉ ଏଥିରେ ସହଯୋଗ କରିଥିଲେ କାଫେ ଚଳାଉଥିବା ଭଗତପୁର ଅଞ୍ଚଳର ଯୁବକ।

ଏହି ଭିଡିଓ ରଖି କାଫେ ମାଲିକ ଓ ପୁରୁଷ ବନ୍ଧୁର ସାଙ୍ଗମାନେ ତାଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକିଥିଲେ। ଛାତ୍ରୀ ଜଣକ ସେଠାରେ ପହଞ୍ଚିବା ପରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଛି। ବାଦାମବାଡ଼ି ପୋଲିସ ଘଟଣାର ତଦନ୍ତ କରି ଛାତ୍ରୀଙ୍କ ପୁରୁଷ ବନ୍ଧୁ ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଝାଞ୍ଜିରିମଙ୍ଗଳା ଅଞ୍ଚଳର ୩ ଜଣ, ବାରଙ୍ଗ ଅଞ୍ଚଳର ଜଣେ କାଫେ ମାଲିକ ତଥା ଭଗତପୁର ଅଞ୍ଚଳର ଅଭିଯୁକ୍ତ ସହ ଖୋର୍ଦ୍ଧା ନୟାଗଡ଼ ଅଞ୍ଚଳର ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ବ୍ରହ୍ମପୁରରେ ବୁଲୁଛି ବାଘ, ରାଜପଥ ଅତିକ୍ରମ କରିବା ବେଳର ଭିଡିଓ ଭାଇରାଲ

ବ୍ରହ୍ମପୁର: ଗୋଳନ୍ଥରା ଥାନା ରୋଲାଣ୍ଡ କଲେଜ ନିକଟରେ ଏକ ମହାବଳ ବାଘ ଜାତୀୟ ରାଜପଥ ଅତିକ୍ରମ କରୁଥିବା ଭିଡିଓ ହେଉଛି ଭାଇରାଲ । ଜଣେ ଯାତ୍ରୀ ନିଜ କାର ଯୋଗେ ବ୍ରହ୍ମପୁରରୁ ଇଚ୍ଛାପୁର ଅଭିମୁଖେ ଯାଉଥିବା ବେଳେ ରୋଲାଣ୍ଡ କଲେଜ ନିକଟରେ ମହାବଳ ବାଘ ରାସ୍ତା ପାର ହେଉଥିବା ବେଳେ କାରର କ୍ୟାମେରାରେ ଭିଡିଓ କଏଦ ହୋଇଛି ।

ଭିଡିଓ ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିବା ବେଳେ ଭିଡିଓ ବନ ବିଭାଗ ହାତରେ ମଧ୍ୟ ଲାଗିଛି । ଗତ ୩ ତାରିଖ ରାତିରେ ଏକ ମହାବଳ ବାଘ ଜାତୀୟ ରାଜପଥ ଅତିକ୍ରମ କରୁଥିବା ଭିଡିଓ ମିଳିବା ପରେ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ଏକ ଟିମ ଯାଇ ତଦନ୍ତ କରିଥିଲା । ତଦନ୍ତ ସମୟରେ ବାଘର ପାଦଚିହ୍ନ ମଧ୍ୟ ସେଠାରୁ ଠାବ ହୋଇଛି ।

ତେବେ ବର୍ତ୍ତମାନ ଜାତୀୟ ରାଜପଥ ତଥା ଏହାର ଆଖପାଖରେ ବାଘ ନଥିବା ଜଣାପଡ଼ିଛି । ତେବେ ଭିଡିଓକୁ ନେଇ ଅଧିକ ତଦନ୍ତ ଜାରି ରହିଛି । ସ୍ଥାନୀୟ ଗ୍ରାମବାସୀ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଯଦି ସେମାନେ କେଉଁ ସ୍ଥାନରେ ବାଘ ଦେଖୁଛନ୍ତି ତେବେ ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ମଧ୍ୟ ଦେଇପାରିବେ । ଏହାଛଡ଼ା ବନ ବିଭାଗର ଟିମ୍‌ ଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ ରହିବା ସହିତ ସୁରକ୍ଷିତ ରହିବା ନିମନ୍ତେ ଅପିଲ କରୁଛନ୍ତି ।

ବାରହା ଫାଶରୁ ଉଦ୍ଧାର କଲରାପତରିଆ ବାଘ ଚିକିତ୍ସା ପାଇଁ ଗଲା ନନ୍ଦନକାନନ

ଭୁବନେଶ୍ବର: ଦୀର୍ଘ ୧୦ ଘଣ୍ଟାର ରେସକ୍ଯୁ ଅପରେସନ ପରେ ବାରହା ଫାଶରୁ ମୁକୁଳିଲା କଲରାପତରିଆ । ମୁତୟନ ଥିଲେ ୧୦୦ରୁ ଅଧିକ ବନକର୍ମୀ । ସଫଳ ହୋଇଛି ଢେଙ୍କାନାଳ ମହାବିରୋଡ ଅସନବାହାଳି ଜଙ୍ଗଲରେ ଚାଲିଥିବା ବାଘ ଉଦ୍ଧାର କାର୍ଯ୍ୟ । ଟ୍ରାଙ୍କୁଲାଇଜ କରି ୫ ବର୍ଷର କଲରାପତରିଆକୁ ଉଦ୍ଧାର କରିଛି ରେସକ୍ଯୁ ଟିମ । ଭୁବନେଶ୍ଵର, କେନ୍ଦୁଝର, ଢେଙ୍କାନାଳ ଓ କପିଳାସରୁ ଆସିଥିବା ବନକର୍ମୀଙ୍କୁ ନେଇ ଗଠନ ହୋଇଥିଲା ୩ ରେସକ୍ଯୁ ଟିମ୍ । ବାଘକୁ ଉଦ୍ଧାର ପରେ ଅଧିକ ଚିକିତ୍ସା ଲାଗି ନନ୍ଦନକାନନ ସ୍ଥାନାନ୍ତର କରାଯାଇଛି । ଢେଙ୍କାନାଳ ଓ କେନ୍ଦୁଝର ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି । ଏ ସମସ୍ତ ଉଦ୍ୟମ ପରେ ମଧ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଉଠିଛି ଅନେକ ପ୍ରଶ୍ନ । ସତର୍କତା, ସଚେତନତା ଅଭାବରୁ କେତେବେଳ ବନ୍ୟଜନ୍ତୁ ତ ଆଉ କେତେବେଳେ ବଳି ପଡୁଛି ମଣିଷ ।

ଦୀର୍ଘ ୧୦ ଘଣ୍ଟାର ଅପରେସନ। ରେସକ୍ଯୁରେ ମୁତୟନ ୧୦୦ରୁ ଅଧିକ ବନ କର୍ମଚାରୀ । ଡିଏଫଓ, ରେଞ୍ଜରଙ୍କ ସମେତ ପ୍ରମୁଖ ବନ ଅଧିକାରୀଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ବାରହା ଫାଶରୁ ମୁକୁଳିଲା କଲରାପତରିଆ ବାଘ । ଢେଙ୍କାନାଳ ମହାବିରୋଡ଼ ରେଞ୍ଜ ଅସନବାହାଳି ଅଞ୍ଚଳରେ ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଫସି ଯାଇଥିଲା ବାଘ । ସ୍ଥାନୀୟ ଲୋକେ ଏହାଦେଖି ମହାବିରୋଡ଼ ରେଞ୍ଜକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ରେସକ୍ଯୁ ଟିମ । ଭୁବନେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଅନଗୁଳ ଓ କପିଳାସରୁ ଆସିଥିବା କର୍ମୀଙ୍କୁ ନେଇ ଗଠନ ହୋଇଥିଲା ୩ ରେସକ୍ଯୁ ଟିମ । ପହଞ୍ଚିଥିଲା ସ୍ଵତନ୍ତ୍ର ଟ୍ରାଙ୍କୁଲାଇଜ୍ ଟିମ୍ । ପ୍ରଥମେ ଟ୍ରାଙ୍କୁଲାଇଜ କରି ଧରିବା ପରେ ବାଘକୁ ଫାଶରୁ ମୁକ୍ତ କରାଯାଇଥିଲା । ବାଘଟିର ସ୍ବାସ୍ଥ୍ୟାବସ୍ଥା ଟିକିଏ ଖରାପ ଥିବାରୁ ସାଲାଇନ ଦେଇଥିଲା ଉପସ୍ଥିତ ମେଡିକାଲ ଟିମ । ଅବସ୍ଥା ସାମାନ୍ୟ ହେବା ପରେ ବାଘକୁ ଅଧିକ ଚିକିତ୍ସା ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି ।

ବାଘ ଫସିବା ପରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ୩ ଜିଲ୍ଲା ଢେଙ୍କାନାଳ, ଅନଗୁଳ ଓ କେନ୍ଦୁଝର ସୀମାନ୍ତରେ ହାଇଆଲର୍ଟ ଜାରି କରାଯାଇଛି । ଜଙ୍ଗଲରେ ଶିକାରୀ ଫାଶ ଏବେ ବନ ବିଭାଗର ଚିନ୍ତା ବଢାଇଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ମଧ୍ୟ ଉଠିଛି ପ୍ରଶ୍ନ । କିଛି ଦିନ ତଳେ ଢେଙ୍କାନାଳ ଚିନ୍ତାପୋଖରୀ ନିକଟରେ ରେଳଧାରଣା ପାରି ହେଉଥିବା ବେଳେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟିଥିଲା । କାମାକ୍ଷାନଗର କୋଟ ଗାଁରେ ଜଣେ ଯୁବକ ଦନ୍ତା ହାବୁଡ଼ରେ ପଡି ମୃତ୍ୟୁମୁଖରେ ପଡ଼ିଥିଲେ । ବାଉଁଶପାଳ ନିକଟରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଲୋକଙ୍କ ମୃତ୍ୟୁ ଘଟିଥିଲା । ବାରମ୍ବାର ଏହିପରି ଅଘଟଣ ଘଟୁଥିବା ବେଳେ ବାରହା ଶିକାର ଫାଶରେ ବାଘ ପଡିବା ଘଟଣା ବନ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଫାଶରେ ପଡି କେତେ ବେଳେ ବନ୍ୟଜନ୍ତୁଙ୍କ ଜୀବନ ଯାଉଥିବା ବେଳେ ଆଉ କେତେବେଳେ ବନ ବିଭାଗର ସତର୍କତା ଅଭାବରୁ ଯାଉଛି ମଣିଷର ଜୀବନ । ବନ ବିଭାଗ ଠୋସ୍ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଏଭଳି ଘଟଣା ଘଟିଚାଲିଥିବା ଅଭିଯୋଗ ହେଉଛି ।

ରାଜସ୍ବ ବିଭାଗରୁ ହଟିବ ପୁରୁଣା ଆଇନ, ବଦଳିବ ରିଲିଫ କୋଡ

ଭୁବନେଶ୍ବର: ଓଡ଼ିଶା ରାଜସ୍ୱ ବିଭାଗରୁ ହଟିବ ପୁରୁଣା ଆଇନ୍ । ବଦଳିବ ରିଲିଫ କୋଡ । ରିଲିଫ ଏକ ‘ଦୟା’ ଶବ୍ଦ । ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ଅଧିକାର ମିଳିବ । ରିଲିଫ କୋଡ ଅଧିକାର ଆଇନରେ ପରିଣତ ହେବ । ଜାନୁଆରୀ ପହଲାରୁ ଜନଗଣନା ହେବାର ଆଭାସ ମିଳୁଥିବାରୁ ଯଥାଶୀଘ୍ର ନୂଆ ରାଜସ୍ବ ଗ୍ରାମ ପ୍ରସ୍ତାବ ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

ରାଜସ୍ୱ ସେବାର କାମ କେତେ ଠିକ୍ ଭାବେ ଗରିବ ଲୋକଙ୍କ ପାଖରେ ପହଞ୍ଚିଛି ସେ ନେଇ ଲୋକସେବା ଭବନରେ ସମୀକ୍ଷା କରି ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନକୁ ମିଳିବ ଜମି ପଟ୍ଟା । ଏଣିକି ସ୍କୁଲ, କଲେଜ କର୍ତ୍ତୃପକ୍ଷ ତହସିଲ କାର୍ଯ୍ୟାଳୟ ଦୌଡ଼ିବା ବଦଳରେ ତହସିଲ କର୍ମଚାରୀ ତାଙ୍କ ପାଖକୁ ଯିବେ । ବିଭିନ୍ନ ପ୍ରମାଣ ପତ୍ର କାହିଁକି ବିଳମ୍ବ ହେଉଛି, ତାକୁ ସରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତିଦ୍ବନ୍ଦ୍ବି ନଥିବା ମାମଲା କାହିଁକି ବିଳମ୍ବ ହେଉଛି ? ପେଣ୍ଡିଙ୍ଗ କେସ ଯେମିତି ରହିବ ନାହିଁ, ତାହା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୩୧ ସୁଦ୍ଧା ଚୂଡାନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ରହିଛି । ଲୋକଙ୍କୁ ସେବା ଯୋଗାଇବାରେ କୌଣସି ବାହାନାକୁ ବରଦାସ୍ତ କରାଯିବ ନାହିଁ । ଯଦି କୌଣସି ସମସ୍ୟା ହେଉଛି, ତେବେ ସେ ନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ଅଧିକାରୀଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ରାଜସ୍ୱ ଆଇନ ସଂଶୋଧନ କରାଯାଇ ସରଳୀକରଣ ପାଇଁ ନିଷ୍ପତ୍ତି ହୋଇଛି । ଯେଉଁ ଆଇନ ଗୁଡିକର ପ୍ରାସଙ୍ଗିକତା ନାହିଁ ସେଗୁଡିକ ରଦ୍ଦ ହେବ । ଯେଉଁଠି ସଂଶୋଧନ ଆବଶ୍ୟକତା ଅଛି, ସେହି ଆଇନ ସଂଶୋଧନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ଲାପ୍ରୋସ୍କୋପିକ୍ ସର୍ଜନ ଡାକ୍ତର ଶ୍ରୀଜୟ ପଟ୍ଟନାୟକ ଓଡ଼ିଶାକୁ ଆଣିଲେ ରୋବଟ୍ ଚିକିତ୍ସା

କଟକ: ଅପରେସନ ଥିଏଟରରେ ରୋବୋଟ । ଡାକ୍ତର ନୁହେଁ, ରୋବୋଟ୍ କରୁଛନ୍ତି ଅସ୍ତ୍ରୋପଚାର । ଆଜି ପର୍ଯ୍ୟନ୍ତ ଡାକ୍ତର ଓ ସହଯୋଗୀ ସିଧାସଳଖ ଯୋଡ଼ି ହେଉଥିଲେ । ଏହି ପକ୍ରିୟାରେ ଏବେ ଏହି କାମ କରିଦେଖାଉଛି ମଣିଷ ତିଆରି ରୋବଟ୍ । ଡାକ୍ତରଙ୍କ ନିର୍ଦ୍ଦେଶରେ ରୋବଟ୍ କରୁଛି ସର୍ଜରୀ । ରୋବଟ୍ ମାଧ୍ୟମରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରିଛନ୍ତି ଜଣାଶୁଣା ଲାପ୍ରୋସ୍କୋପିକ୍ ସର୍ଜନ ଡାକ୍ତର ଶ୍ରୀଜୟ ପଟ୍ଟନାୟକ ।

୩ଟି ରୋବଟ୍ ଡାକ୍ତରଙ୍କ ଇସାରାରେ କରୁଛନ୍ତି ହାର୍ନିଆ ଅପରେସନ । ଜଣେ କ୍ୟାମେରା ପରିଚାଳନା କରୁଛି ତ ଆଉ ୨ ଜଣ ଶରୀର ଅଣ୍ଡକୋଷରେ ଥିବା ହାର୍ନିଆ ଉପରରେ ଜାଲି ପକାଇ ସିଲାଇ କରୁଛନ୍ତି । ଡାକ୍ତର ଓଟିରେ ବସି ଦୁଇଟି ବଟମ ମାଧ୍ୟମରେ ସଂଚାଳନ କରୁଛନ୍ତି ସବୁ କିଛି । ଯେଉଁ ସର୍ଜରୀ ୫ରୁ ୬ଘଣ୍ଟା ସମୟ ନେବା କଥା ତାହା ୧ ଘଣ୍ଟା ମଧ୍ୟରେ ରୋବଟ୍ କରି ଦେଖାଉଛି । ଏହି ସର୍ଜରୀରେ ନା ରକ୍ତ ଶ୍ରାବ ହେବ ନା ଯନ୍ତ୍ରଣା । ରୋଗୀ ସର୍ଜରୀର ଦିନେ ଦୁଇ ଦିନ ମାଧ୍ୟରେ ଭଲ ହୋଇ ଘରକୁ ଯିବ । ଆଜିର ଦିନରେ ଏ ହେଉଛି ଚିକିତ୍ସା ବିଜ୍ଞାନର ଚମତ୍କାରିତା ବୋଲି କହନ୍ତି ଡାକ୍ତର ।

ବିଶେଷଜ୍ଞଙ୍କ ମତରେ ଶରୀରରେ ଦେଖାଦେଉଥିବା ବିଭିନ୍ନ ପ୍ରକାର କର୍କଟ ରୋଗ, ହାର୍ନିଆ, ଷ୍ଟୋନ ଆଦି ପାଇଁ ଏହି ସର୍ଜରୀ ଏବେ ସହଜ ହୋଇଛି । ଧୀରେ ଧୀରେ ଏହି ପକ୍ରିୟାକୁ ସମସ୍ତେ ଗ୍ରହଣ କରିବା ସହିତ ୨୦୩୦ ବେଳକୁ ଶତକଡା ୯୦ ଭାଗ ସର୍ଜରୀ ରୋବଟ୍ କରିବ ବୋଲି ଡାକ୍ତର ଦାବି କରିଛନ୍ତି । ସେପଟେ ଏହି ସର୍ଜରୀ କରାଉଥିବା ଓ କରାଇ ସାରିଥିବା ଦୁଇ ଜଣ ରୋଗୀଙ୍କ ସମ୍ପର୍କୀୟ ରୋବଟ୍ ସର୍ଜରୀ ସଫଳତାକୁ ନେଇ ବେଶ ଆଶାବାଦୀ । ପୂର୍ବରୁ ସେମାନେ ଏହି ସର୍ଜରୀ ସମ୍ପର୍କରେ ଶୁଣିଥିଲେ । ତେବେ ଯନ୍ତ୍ର ମଣିଷର କରାମତି ଦେଖି ସେମାନେ ଯେତିକି ଆଶ୍ଚର୍ଯ୍ୟ ସେତିକି ଆଶ୍ୱସ୍ତ ବୋଲି କହିଛନ୍ତି ।

ସମୟ ବଦଳିବା ସହିତ ଚିକିତ୍ସା ବିଜ୍ଞାନରେ ଆସିଛି ନୂଆ ପରିବର୍ତ୍ତନ । ମଣିଷ ତିଆରି କରିଥିବା ଯନ୍ତ୍ରରେ ମଣିଷ ପାଉଛି ଚିକିତ୍ସା । ଓଡ଼ିଶାରେ ପ୍ରଥମ କରି ରୋବଟ୍ ମାଧ୍ୟମରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରି ଚର୍ଚ୍ଚାରେ କଟକର ଲାପ୍ରୋସ୍କୋପିକ ସର୍ଜନ ଡାକ୍ତର ଶ୍ରୀଜୟ ପଟ୍ଟନାୟକ ।