spot_img
Home Blog Page 1389

ସୁପ୍ରିମକୋର୍ଟଙ୍କ ବଡ଼ ରାୟ,ସବୁ ଘରୋଇ ସମ୍ପତିର ଅଧିଗ୍ରହଣ କରିପାରିବେ ନାହିଁ ସରକାର

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୌଣସି ବି ବ୍ୟକ୍ତିଗତ ସମ୍ପତ୍ତିକୁ ଅଧିଗ୍ରହଣ କରିପାରିବେ ନାହିଁ ସରକାର । ସୁପ୍ରିମକୋର୍ଟଙ୍କ ୯ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ପୀଠ ଏଭଳି ଏକ ନିଷ୍ପତ୍ତି ଶୁଣାଇଛନ୍ତି । କୌଣସି ବି ବ୍ୟକ୍ତିଗତ ସମ୍ପତ୍ତିକୁ କବଜା କରିପାରିବେ ନାହିଁ ସରକାର । ସର୍ବୋଚ୍ଚ ଅଦାଲତ ବ୍ୟକ୍ତିଗତ ସମ୍ପତ୍ତି ସହ ଜଡ଼ିତ ୧୬ଟି ଆବେଦନ ଉପରେ ନିଷ୍ପତ୍ତି ଶୁଣାଇଛନ୍ତି, ଯେଉଁଥିରେ ମୁମ୍ବାଇର ସମ୍ପତ୍ତି ମାଲିକମାନଙ୍କର ଆବେଦନ ଅନ୍ତର୍ଭୁକ୍ତ ରହିଛି । ଏହି ମାମଲା ୧୯୮୬ରେ ମହାରାଷ୍ଟ୍ରରେ ହୋଇଥିବା ଆଇନ ସଂଶୋଧନ ସହ ଜଡ଼ିତ । ଏଥିରେ ସରକାରଙ୍କୁ ପ୍ରାଇଭେଟ୍ ବିଲ୍ଡିଂର ମରାମତି ଏବଂ ସୁରକ୍ଷା ପାଇଁ ନିଜ କବଜାକୁ ନେବାର ଅଧିକାର ମିଳିଥିଲା ।

ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ୯ ଜଣିଆ ବିଚାରପତିଙ୍କ ବେଞ୍ଚ ୮-୧ ବହୁମତରେ ଏହି ରାୟ ଶୁଣାଇଛନ୍ତି । ବେଞ୍ଚରେ ପ୍ରଧାନ ବିଚାରପତିଙ୍କ ସହ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମା, ଜଷ୍ଟିସ୍ ମନୋଜ ମିଶ୍ରା, ଜଷ୍ଟିସ୍ ସୁଧାଂଶୁ ଧୁଲିଆ, ଜଷ୍ଟିସ୍ ଋଷିକେଶ ରାୟ, ଜଷ୍ଟିସ୍ ବି ଭି ନାଗରତ୍ନା, ଜଷ୍ଟିସ୍ ଜେ ବି ପାରଦିୱାଲା, ଜଷ୍ଟିସ୍ ରାଜେଶ ବିଣ୍ଡଲ ଓ ଜଷ୍ଟିସ୍ ଏ ଜି ମସୀହ ରହିଛନ୍ତି ।

୯ ଜଣିଆ ଖଣ୍ଡପୀଠରେ ସିଜେଆଇ ବହୁମତରେ ନିଷ୍ପତ୍ତି ଶୁଣାଇ ଜଷ୍ଟିସ୍ କୃଷ୍ଣା ଅୟରଙ୍କ ପୂର୍ବ ରାୟକୁ ଖାରଜ କରିଦେଇଛନ୍ତି, ଯେଉଁଥିରେ କୁହାଯାଇଥିଲା କି, ସମସ୍ତ ବ୍ୟକ୍ତିଗତ ମାଲିକାନାରେ ଥିବା ସମ୍ପତ୍ତିକୁ ରାଜ୍ୟ ଦ୍ୱାରା ଅଧିଗ୍ରହଣ କରାଯାଇପାରିବ ।

ଜଷ୍ଟିସ୍ ଅୟରଙ୍କ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ସହମତ ହୋଇ ନାହାନ୍ତି । ଜଷ୍ଟିସ୍ ଅୟରଙ୍କ ବିଚାରରେ କୌଣସି ବି ବ୍ୟକ୍ତିଗତ ସମ୍ପତ୍ତିକୁ ସମ୍ପ୍ରଦାୟର ସମ୍ପତ୍ତି ଭାବରେ ମଧ୍ୟ ବିବେଚନା କରାଯାଇପାରିବ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ଅର୍ଥବ୍ୟବସ୍ଥାର ଲକ୍ଷ୍ୟ କୌଣସି ନିର୍ଦ୍ଦିଷ୍ଟ ଆର୍ଥିକ ମଡେଲ ଅନୁସରଣ କରିବା ନୁହେଁ, ବରଂ ବିକାଶଶୀଳ ଦେଶ ହିସାବରେ ଆଗାମୀ ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରିବା ।

 

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ସୁଇଙ୍ଗ ଷ୍ଟେଟ ଉପରେ ନିର୍ଭର କରୁଛି କାହାର ହେବ ବିଜୟ

ନନ୍ଦିଘୋଷ ବ୍ୟୁରୋ : ଉଭୟ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ଯରୁ କାହାର ହେବ ବିଜୟ, ଏହା ନିର୍ଭର କରୁଛନ୍ତି ସୁଇଙ୍ଗ ଷ୍ଟେଟ ଉପରେ। ତେବେ ସୁଇଙ୍ଗ ଷ୍ଟେଟ ହେଉଛନ୍ତି ସେହି ରାଜ୍ଯ, ଯେଉଁମାନଙ୍କ ଉପରେ ନିର୍ଭର କରିଥାଏ ପ୍ରାର୍ଥୀଙ୍କ ବିଜୟ ଭବିଷ୍ଯତ। ଶେଷ ମୁହୂର୍ତ୍ତରେ ଏହି ରାଜ୍ଯଗୁଡିକର ଭୋଟ ସାଧାରଣତଃ ଫଳାଫଳକୁ ଓଲଟପାଲଟ କରିଦେଇଥାଏ। ଆମେରିକା ନିର୍ବାଚନରେ ସାଧାରଣତଃ ତିନି ପ୍ରକାର ରାଜ୍ଯ ଥାନ୍ତି। ସେ ଗୁଡିକ ହେଲା ରେଡ ଷ୍ଟେଟ, ବ୍ଲୁ ଷ୍ଟେଟ ଓ ସୁଇଙ୍ଗ ଷ୍ଟେଟ।

୧୯୮୦ରୁ ଯେଉଁ ରାଜ୍ଯରେ ରିପବ୍ଲିକାନ ଦଳ ଜିତିଆସୁଛି ସେଗୁଡିକୁ ରେଡ ଷ୍ଟେଟ କୁହାଯାଏ। ୧୯୯୨ରୁ ଯେଉଁ ରାଜ୍ଯରେ ଡେମୋକ୍ରାଟିକ ଦଳ ବିଜୟୀ ହୋଇଆସୁଛନ୍ତି ସେଗୁଡିକ ହେଲା ବ୍ଲୁ ଷ୍ଟେଟ। ତେବେ ଯେଉଁ ରାଜ୍ଯରେ ସର୍ବଦା ଅନିଶ୍ଚିତତା ଲାଗିରହିଥାଏ ଏବଂ ଶେଷ ମୁହୂର୍ତ୍ତରେ ଫଳାଫଳକୁ ନିର୍ଦ୍ଧାରଣ କରୁଥାଏ ସେଗୁଡିକ ହେଲା ସୁଇଂ ଷ୍ଟେଟ। ଏହି ସୁଇଂ ଷ୍ଟେଟ ମଧ୍ଯରେ ଅଛନ୍ତି ଆରିଜୋନା, ଜର୍ଜିଆ, ମିଚିଗାଁ, ନେଭଦା, ନର୍ଥକାରୋଲିନା, ପେନସିଲଭାନିଆ ଓ ୱିସକୋନସିନ।

ୱିକିପିଡିଆକୁ କେନ୍ଦ୍ର ସରକାରଙ୍କ ନୋଟିସ୍ , ଭୁଲ ତଥ୍ୟ ପ୍ରଦାନ ଓ ପକ୍ଷପାତ ଅଭିଯୋଗ

ନୂଆଦିଲ୍ଲୀ : ୱିକିପିଡିଆକୁ କେନ୍ଦ୍ର ସରକାରଙ୍କ ନୋଟିସ୍। ୱିକିପିଡିଆ ଭୁଲ ତଥ୍ୟ ପ୍ରଦାନ କରୁଥିବା ଓ ପକ୍ଷପାତ କରୁଥିବା ଅଭିଯୋଗ ହୋଇଥିବା କହି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହି ନୋଟିସ୍ ଦେଇଛି। ଏହା ସହିତ ଅଭିଯୋଗ ହୋଇଛି, କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ପାଖରେ ଅଛି ନିୟନ୍ତ୍ରଣ କ୍ଷମତା। ତେଣୁ କାହିଁକି ୱିକିପିଡିଆକୁ ଏକ ପ୍ରକାଶକ ବୋଲି ଗ୍ରହଣ କରାନଯାଇ ବାର୍ତ୍ତାବହ କୁହାଯିବ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ସରକାର।

ୱିକିପିଡିଆ ହେଉଛି ଏକ ଅନଲାଇନ୍ ଏନସାଇକ୍ଲୋପିଡିଆ। ଏଥିରେ ଯେ କେହି ଲେଖି ପାରିବେ, ସଂପାଦନା କରିବେ। ୱିକିପିଡିଆ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏବେ ଏକ ମାମଲା ଚାଲିଛି। ଏହି ମାମଲା ରୁୁଜୁ କରିଛି ଏଏନଆଇ। ଏହି ସଂସ୍ଥା କେନ୍ଦ୍ର ସରକାରଙ୍କ ପ୍ରଚାର କରୁଥିବାର ଜଣେ ବ୍ୟକ୍ତି ୱିକିପିଡିଆରେ ଲେଖିଥିଲେ। ଏହା କିଏ ଲେଖିଛି ବୋଲି ତଥ୍ୟ ମାଗିଥିଲା ଏଏନଆଇ। ତଥ୍ୟ ଦିଆନଯିବାରୁ କୋର୍ଟକୁ ଯାଇଥିଲା ଏଏନଆଇ। ଯେହେତୁ ୱିକିପିଡିଆ ନିଜକୁ କେବଳ ଇଣ୍ଟରମିଡିଆରି ବା ବାର୍ତ୍ତାବହ ବୋଲି କହୁଛି, ତେବେ କିଏ ଲେଖୁଛି, ସଂପାଦନା କରୁଛି, ତାର ନାଁ ପ୍ରକାଶ କରିବାରେ କଣ ଅସୁବିଧା ବୋଲି ପ୍ରଶ୍ନ କରିଥିଲେ ଦିଲ୍ଲୀ ହାଇକୋର୍ଟ। ଏହାରି ଭିତରେ କେନ୍ଦ୍ର ସରକାର ମଧ୍ୟ ୱିକିପିଡିଆକୁ ନୋଟିସ୍ ଜାରି କରିଛନ୍ତି।

ପିସିସି ସଭାପତି ଚୟନ ପ୍ରସଙ୍ଗ : ତାରା କହିଲେ ଭକ୍ତ ଦାସଙ୍କ ନାଁ କରିଛି ସୁପାରିସ

ଭୁବନେଶ୍ୱର : ପିସିସି ସଭାପତି ଚୟନ ପ୍ରସଙ୍ଗରେ ବଡ଼ ବୟାନ ରଖିଛନ୍ତି ବିଦାୟକ ତାରାପ୍ରସାଦ ବାହିନୀପତି । ତାରା କହିଛନ୍ତି ପିସିସି ସଭାପତି ପାଇଁ ସେ ଭକ୍ତ ଦାସଙ୍କ ନାଁ ସୁପାରିସ କରିଛନ୍ତି । ଭକ୍ତ କେବେବି ପିସିସି ସଭାପତି ହୋଇନାହାନ୍ତି । ସେ ଜଣେ ଲଢୁଆ ଲୋକ ହୋଇଥିବାରୁ ତାଙ୍କୁ ପିସିସି ସଭାପତି କରାଗଲେ ଭଲହେବ ବୋଲି ତାରା କହିଥଛନ୍ତି । କିଛି ଲୋକ ମହମ୍ମଦ ମୋକିମ କଥା ବି କମିଟିକୁ ଜଣାଇଛନ୍ତି  । ଏହି ଦୁଇ ଜଣଙ୍କ ମଧ୍ୟରୁ କିଏ ଜଣେ ପିସିସି ସଭାପତି ହେବେ ବୋଲି ତାରା କହିଛନ୍ତି ।

ଅନ୍ଯପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଦୁଇ ଜଣିଆ ଚୟନ କମିଟି ନିକଟରେ ନେତାମାନେ ନିଜ ନିଜ ପସନ୍ଦର ନେତାଙ୍କୁ ପିସିସି ସଭାପତି କରିବାକୁ କହିଛନ୍ତି । ହାଇକମାଣ୍ଡ ଯାହାକୁ ପିସିସି ସଭାପତି କରିବେ ତାକୁ ଆମେ ଗ୍ରହଣ କରିବୁ  । ମୋକିମଙ୍କ କହିବା କଥା, ଦୁଇଟି ରାଜ୍ୟରେ ନିର୍ବାଚନ ଥିବାରୁ ପିସିସି ସଭାପତି ନାଁ ଘୋଷଣା ବିଳମ୍ବ ହୋଇପାରେ  । ମୋକିମ କହିଛନ୍ତି ମୁଁ କଂଗ୍ରେସ ପାଇଁ କାମ କରୁଛି  । ଏବେ ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି ।

ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ; ମନ୍ଦିରକୁ ଯାଇ କ୍ଷମା ମାଗ, ନ ହେଲେ ୫ କୋଟି ଦିଅ

ନୂଆଦିଲ୍ଲୀ : ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ପୁଣି ଥରେ ଧମକ। କୃଷ୍ଣସାର ମୃଗ ଶିକାର କରିଥିବାରୁ ଏକ ମନ୍ଦିରକୁ ଯାଇ କ୍ଷମା ମାଗ ନ ହେଲେ ୫ କୋଟି ଦିଅ। ନଚେତ ହତ୍ୟା କରାଯିବ। ମୁମ୍ଵାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ୟୁନିଟକୁ ଏହି ମେସେଜ ଆସିଥିବା ମୁମ୍ଵାଇ ପୋଲିସ ପକ୍ଷରୁ କୁହାଯାଇଛି। ଯିଏ ପଠାଇଛି, ସେ ନିଜକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ବୋଲି କହିଛି। ଏହି ଧମକ ସତ କି, ପ୍ରକୃତରେ କିଏ ପଠାଇଛି, ତାର ତଦନ୍ତ ଆରମ୍ଭ କରିଛି ମୁମ୍ଵାଇ ପୋଲିସ।

ମୁମ୍ଵାଇର ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ସଲମାନ ଖାନଙ୍କୁ ଏମିତି ବହୁତ ଥର ଧମକ ଆସିଛି। ମୁମ୍ବାଇ ପୋଲିସ ମଧ୍ୟ ସଲମାନ ଖାନଙ୍କ ସୁରକ୍ଷା ବଢ଼ାଇ ଦେଇଛି। ଏମିତି ଧମକ ଦେବା ଅଭିଯୋଗରେ ଅକ୍ଟୋବର ୨୮ ତାରିଖରେ ନୋଏଡ଼ାରୁ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିଲା। ଅକ୍ଟୋବର ୧୨ ତାରିଖରେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୁଅ ଜିଶନ ସିଦ୍ଦିକିଙ୍କ ଅଫିସ ବାହାରେ ତାଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତ। ଲରେନସ ବିଷ୍ଣୋଇ ଗ୍ୟାଙ୍ଗ ଏହି କାଣ୍ଡ କରିଥିବାର ଦାବି କରିଛି। ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ହୋଇଥିବାରୁ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ କୁହାଯାଇଛି। ଏହି ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ମୁମ୍ଵାଇ ପୋଲିସ ୧୫ ଜଣଙ୍କୁ ଗିରଫ କରିଛି।

ଅଦିନିଆ ରଥଯାତ୍ରା ପ୍ରସଙ୍ଗ : ଇସ୍କନକୁ ଗଜପତି ମହାରାଜାଙ୍କ ଚେତାବନୀ

ଶାସ୍ତ୍ର ବିରୋଧୀ ଓ ପରମ୍ପରା ବିରୋଧୀ କାମ କରୁଛନ୍ତି ଇସ୍କନ । ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କରିଛନ୍ତି ପୁରୀ ଗଜପତି ମହାରାଜ । ଇସ୍କନ ରଥଯାତ୍ରା ସନାତନ ଧର୍ମ ଓ ଜଗନ୍ନାଥଙ୍କ ସଂସ୍କୃତିର ଉଲ୍ଲଂଘନ ହେଉଛି କହିଛନ୍ତି ପୁରୀ ଗଜପତି  । ୧୯୮୦ ମସିହାରୁ ଏହାକୁ ବନ୍ଦ କରିବାକୁ ଆମେ ପ୍ରାୟାସ କରିଆସୁଛୁ । ୨୦୦୭ରେ ସେମାନେ ରଥଯାତ୍ରା ଆରମ୍ଭ କରିଥିଲେ । ଶ୍ରୀମନ୍ଦିର ପ୍ରଶାସକ ତାଙ୍କୁ ଚିଠି ଲେଖିଥିଲେ ମଧ୍ୟ ସେମାନେ ତାହାକୁ ମାନିଲେ ନାହିଁ  । ୨୦୦୮ରେ ମଧ୍ୟ ଫେବୃଆରୀ ମାସରେ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଥିଲା  । ହେଲେ ତାହାକୁ ମଧ୍ୟ ଇସ୍କନ ମାନିଲାନାହିଁ । ୨୦୨୧ ପରଠାରୁ ଅତି ବିଚିତ୍ର ଭାବରେ ଭାରତ ବାହାରେ ଅଦିନିଆ ରଥଯାତ୍ରା କରୁଛି ଇସ୍କନ  । ମୁଁ ଇସ୍କନ ସଭାପତି ଓ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ସବୁ କାରଣ ଦର୍ଶାଇ ଚିଠି ଲେଖିଥିଲି, ଚିଠିରେ ଉତ୍ତର ଦେଲେନାହିଁ ବୋଲି କହିଛନ୍ତି ଗଜପତି ମହାରାଜ ।

ଭକ୍ତ ମାନଙ୍କ ଭାବାବେଗ ଅନୁସାରେ ସ୍ନାନ ଯାତ୍ରା ବନ୍ଦ କରିଛନ୍ତି  । ହେଲେ ଏବେ ବି ରଥଯାତ୍ରା ପ୍ରସ୍ତୁତି ଚଳାଇଛନ୍ତି  । ନାଇଜେରିଆରେ ମଧ୍ୟ ସେମାନେ ଅଦିନିଆ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି  । ମାର୍ଚ୍ଚ ମାସରେ ସେମାନେ ବାର୍ଷିକ ସଭା କରିବେ  । ଏ ବିଷୟରେ ଆଲୋଚନା ହେବ  । ଆମେ ପୁଣିଥରେ ଚିଠି ଲେଖିବୁ ବୋଲି କହିଛନ୍ତି ଗଜପତି ମହାରାଜ । ମାର୍ଚ୍ଚରେ ଯଦି ଇସ୍କନ ତାହାର ବାର୍ଷିକ ବୈଠକରେ ଭାରତ ବାହାରେ ରଥଯାତ୍ରା ବନ୍ଦ ନକରେ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ବାଧ୍ୟ ହେବୁ  । କୃଷ୍ଣଙ୍କ ସବୁ ପରମ୍ପରାକୁ ଇସ୍କନ ସବୁବେଳେ ମାନୁଛି  । ହେଲେ ଜଗନ୍ନାଥଙ୍କ ପରମ୍ପରାକୁ କାହିଁକି ସେମାନେ ଉଲ୍ଲଂଘନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗଜପତି ମହାରାଜ । ଇସ୍କନ ପକ୍ଷରୁ ସ୍ନାନଯାତ୍ରାକୁ ବନ୍ଦ କରାଯାଇଛି, ହେଲେ ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ଆସନ୍ତା ନଭେମ୍ବର ୯ ତାରିଖରେ ଆମେରିକାର ହଷ୍ଟନରେ ରଥଯାତ୍ରାର ଆୟୋଜନ କରୁଛି ଇସ୍କନ ।

ଏହି ଖେଳାଳୀଙ୍କ ସହ ଟ୍ରମ୍ପଙ୍କ ପ୍ରେମ ମାସକରେ ପଡ଼ିଯାଇଥିଲା ଥଣ୍ଡା

ନନ୍ଦିଘୋଷ ବ୍ୟୁରୋ: ରଙ୍ଗୀନ ମିଜାଜ ସହିତ ରୋମାଣ୍ଟିକ ବ୍ୟକ୍ତିତ୍ବ । ପ୍ରେମର ସୌଦାଗର, ସୁନ୍ଦରୀଙ୍କ ରସିକ ନାଗର । ଅନ୍ବେଶତ ରାଣୀଙ୍କ ରାଜା ଡୋନାଲ୍ଡ ଟ୍ରମ୍ପ । ସଫଳ ବ୍ୟବସାୟୀ ବିବାଦୀୟ ରାଜନୀତିଜ୍ଞ ।ଆଜ୍ଞା ହଁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ରଙ୍ଗୀନ। ତାଙ୍କ ନାମ ସବୁବେଳେ ସୁନ୍ଦର ମହିଳାଙ୍କ ସହ ଜଡିତ ରହିଆସିଛି। ସେ କେବଳ ତିନିଥର ବିବାହ କରିନାହାଁନ୍ତି, ବରଂ ଅନେକ ଗର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡ ମଧ୍ୟ ସାଜିଛନ୍ତି । ଟ୍ରମ୍ପଙ୍କ ତିନୋଟି ବିବାହରୁ ପାଞ୍ଚଟି ସନ୍ତାନ ଅଛନ୍ତି । ଦିନ ଥିଲା ସେ ଖାଲି ପ୍ରେମରେ ଉବୁଟୁବୁ ହେଉଥିଲେ । ତାଙ୍କ ନାମ ସର୍ବଦା ମହିଳାମାନଙ୍କ ସହ ଯୋଡା ଯାଉଥିଲା । ବଡ ବଡ ମଡେଲଠୁ ଆରମ୍ଭ କରି ଖେଳାଳୀଙ୍କୁ ତାଙ୍କ ପ୍ରେମରେ ପକାଇଛନ୍ତି । ତେବେ  ଆସନ୍ତୁ ଜାଣିବା ୭୮ବର୍ଷୀୟ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରେମ ଜୀବନ ବିଷୟରେ…

ଇଭାନା  ପ୍ରଥମ ପତ୍ନୀ

ଇଭାନା ଟ୍ରମ୍ପଙ୍କର ପ୍ରଥମ ପ୍ରେମ ଥିଲେ କି ନାହିଁ ତାହା ଜଣାନାହିଁ କିନ୍ତୁ ସେ ତାଙ୍କର ପ୍ରଥମ ପତ୍ନୀ ଥିଲେ । ପ୍ରେମ ମାମଲାରେ ଟ୍ରମ୍ପଙ୍କୁ ଟକ୍କର ଦିଅନ୍ତି ତାଙ୍କ ପ୍ରଥମ ପତ୍ନୀ ଇଭାନା । ଟ୍ରମ୍ପଙ୍କ ଭଳି ସେ ମଧ୍ୟ ତିନିଥର ବିବାହ କରିଛନ୍ତି ।  ୧୯୭୬ମସିହାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ଇଭାନା ବିବାହ କରି ସାରିଥିଲେ । ପ୍ରଥମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ସେ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ହୋଇଥିଲେ । କିନ୍ତୁ ବିବାହ ମାତ୍ର ୧୪ ବର୍ଷ ଚାଲିଥିଲା । ପ୍ରେମ ଭ୍ରମର ଟ୍ରମ୍ପ  ୧୯୮୯ରେ ମାର୍ଲା ମାପଲେସ୍ ପ୍ରେମରେ ପଡ଼ିଥିଲେ । ଏହାପରେ ପତି-ପତ୍ନୀଙ୍କ ମଧ୍ୟରେ ତୃତୀୟ ଜଣଙ୍କୁ ନେଇ ଆରମ୍ଭ ହୋଇଥିଲା ପାଲା । ପାଲାର ଅନ୍ତିମ ଅଧ୍ୟାୟ ଥିଲା ୧୯୯୨ରେ ଟ୍ରମ୍ପ-ଇଭାନ ବିବାହ ବିଛେଦ । ୨ ବର୍ଷ ତଳେ ୨୦୨୨ରେ ଇଭାନଙ୍କର ମୃତ୍ୟୁ ହୋଇଛି । ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଇଭାନାଙ୍କୁ ଚେକ୍ ରିପବ୍ଲିକ୍ ପାଇଁ ଆମେରିକୀୟ ରାଷ୍ଚ୍ରଦୂତ କରିବାକୁ ଚାହୁଁଥିଲେ । ଅଫର ପାଇଁ  ଇଭାନା ତାଙ୍କୁ  ଥ୍ୟାଙ୍କ ୟୁ କହି ମନା କରିଦେଇଥିଲେ ।

ମାର୍ଲାଙ୍କ ସହ ବିବାହ ବିଚ୍ଛେଦ

ଇଭାନାଙ୍କ ଠାରୁ ଅଲଗା ହେବା ପରେ ଟ୍ରମ୍ପ ମାର୍ଲା ମାପଲେସଙ୍କୁ୧୯୯୩ରେ ବିବାହ କରିଥିଲେ । ମାର୍ଲାଙ୍କ ପ୍ରେମରେ ଉବୁଟୁବୁ ଟ୍ରମ୍ପଙ୍କ ପ୍ରେମର କିନ୍ତୁ ମାତ୍ର ୬ ବର୍ଷରେ ଇତିଶ୍ରୀ ହୋଇଥିଲା । କାରଣ ମାର୍ଲା ଟ୍ରମ୍ପଙ୍କର ଜଣେ ବଡ଼ିଗାର୍ଡ୍ ସହ ତୁଫାନୀ ପ୍ରେମରେ ମାତିଥିଲେ । ଟ୍ରମ୍ପଙ୍କ ପାଇଁ ଏହା ଅସହନୀୟ ଥିଲା ଓ ୧୯୯୯ରେ ସେ ମାର୍ଲାଙ୍କଠାରୁ ଅଲଗା ହୋଇଯାଇଥିଲେ ।

ଫ୍ୟାସନ ମେଳାରେ ମିଳିଲେ ମେଲାନିଆ

ଦୁଇ ପତ୍ନୀଙ୍କଠାରୁ ଅଲଗା ହୋଇ ଟ୍ରମ୍ପ ବେଶିଦିନ ଏକାକୀ ରହିନଥିଲେ । ନୂଆ ସହସ୍ରାବଦ୍ଦୀ ଆସିବା ସହ ଟ୍ରମ୍ପଙ୍କ ଜୀବନକୁ ଆସିଲେ ମେଲାନିଆ ।  ନ୍ୟୁୟର୍କ ଫେସନ ୱିକରେ ଟ୍ରମ୍ପ-ମେଲାନିଆଙ୍କ ଆଖି ମିଶିଥିଲା । ଆଉ ଟ୍ରମ୍ପଙ୍କୁ ପ୍ରେମରେ ପଡ଼ିବାକୁ ଅଧିକ ସମୟ ଲାଗିନଥିଲା । ୫୨ ବର୍ଷୀୟ ଟ୍ରମ୍ପ ୨୮ ବର୍ଷୀୟା ମେଲାନିଆଙ୍କୁ ହୃଦୟ ଦେଇଦେଲେ । କଥାବାର୍ତ୍ତାର ମାତ୍ର ୫ ମିନିଟ ପରେ ଟ୍ରମ୍ପ,ମେଲାନିଆଙ୍କୁ ପଚାରିଥିଲେ.. ହ୍ୱାଟ୍ ଇଜ୍ ୟୋର ମୋବାଇଲ୍ ନମ୍ବର ? ମାନେ ପ୍ରେମ ଘଣ୍ଟି ବାଜି ସାରିଥିଲା । ତେବେ ପ୍ରେମ ବିବାହର ରୂପ ନେବାକୁ କିଛି ଦିନ ଲାଗିଥିଲା । ଟ୍ରମ୍ପ୍ ମେଲାନିଆଙ୍କୁ ୧.୫ ମିଲିୟନ ଡଲାର ମୂଲ୍ୟର ହିରାମୁଦି ଦେଇ ପ୍ରପୋଜ୍ କରିଥିଲେ । ୨୨ ଜାନୁଆରୀ ୨୦୦୫ରେ ଟ୍ରମ୍ପ୍-ମେଲାନିଆଙ୍କ ବିବାହ ହୋଇଥିଲା । ଟ୍ରମ୍ପଙ୍କୁ ବିବାହ କରିବାର ବର୍ଷକ ପରେ ମେଲାନିଆ ଆମେରିକାର ନାଗରିକତ୍ୱ ପାଇଥିଲେ । ଆଉ କିଛି ବର୍ଷ ପରେ ହ୍ୱାଇଟ୍ ହାଉସ ହୋଇଥିଲା ତାଙ୍କ ଠିକଣା ।

ଗର୍ଲଫ୍ରେଣ୍ଡମାନଙ୍କର ଲମ୍ବା ତାଲିକା

ଟ୍ରମ୍ପଙ୍କ ଅଫିସିଆଲ ତିନି ବିବାହ ବାଦ ବି ଅସ୍ଥାୟୀ ଗର୍ଲଫ୍ରେଣ୍ଡଙ୍କ ଲମ୍ବା ତାଲିକା ମଧ୍ୟ ଅଛି | ମଡେଲ କାଇଲି ବାକ୍ସ,ଆଲିସନ ଜିଆନିନି ତାଙ୍କ ଟେମ୍ପରାରି ଗର୍ଲଫ୍ରେଣ୍ଡ୍ ଥିଲେ । ଏହି ଦୁଇ ଜଣଙ୍କ ପରେ ୨୦୦୧ରେ କାରା ୟଙ୍ଗଙ୍କୁ ମଧ୍ୟ ଟ୍ରମ୍ପ କିଛିଦିନ ଡେଟିଂ କରିଥିଲେ । ତେବେ ଦୁଇ ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ ।  ରୋଏନ୍ ବ୍ରେୱର୍ ଲେନ୍ ନାମକ ଜଣେ ମଡେଲ, ଅଭିନେତ୍ରୀ ଆନ୍ନା ନିକୋଲ ସ୍ମିଥଙ୍କୁ  ମଧ୍ୟ ଟ୍ରମ୍ପ କିଛିଦିନ ଡେଟିଂ କରିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୯୦ ଦଶକର  ପ୍ରସିଦ୍ଧ ଟେନିସ୍ ଖେଳାଳି ଆର୍ଜେଣ୍ଟିନାର ଗାବ୍ରିଏଲା ସାବାଟିନି ମଧ୍ୟ ଟ୍ରମ୍ପଙ୍କ ଗର୍ଲଫ୍ରେଣ୍ଡ ଥିଲେ। ଏହି ବନ୍ଧୁତା ୧୯୮୯ ରେ ଆରମ୍ଭ ହୋଇଥିଲା, କିନ୍ତୁ ଏହାର ଆୟୁ ମାତ୍ର ଏକ ମାସ ଥିଲା  ।

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାକୁ ଘାରିଛି ଭୟ, ୮୪ କୋଟି ଟଙ୍କାର ପୁରସ୍କାର ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିବେ କି କମଳା ହାରିସ ଜିତିବେ ତାହା ତ ସମୟ ହିଁ କହିବ । କିନ୍ତୁ ଏହା ମଧ୍ୟରେ ନିଜ ଦେଶର ରାଷ୍ଟ୍ରପତି ନିର୍ବାଚନରେ ବାହ୍ୟ ରାଷ୍ଟ୍ରର ହସ୍ତକ୍ଷେପକୁ ନେଇ ଗଭୀର ଚିନ୍ତା ଏବଂ ଭୟରେ ଆମେରିକା । କେବଳ ଏତିକି ନୁହେଁ, ଆମେରିକୀୟ ଏଜେନ୍ସିମାନେ ମଧ୍ୟ ବାହ୍ୟ ରାଷ୍ଟ୍ରର ହସ୍ତକ୍ଷେପ ସମ୍ବନ୍ଧରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ୧୦ ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୮୪ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ସମୟରେ ଚାଲିଥିବା ପ୍ରକ୍ରିୟାରେ ବାହ୍ୟ ରାଷ୍ଟ୍ରମାନେ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି ବୋଲି ଆଶଙ୍କା କରୁଛି ଆମେରିକା ।

ଏହି ପ୍ରସଙ୍ଗରେ ଆମେରିକାର ନ୍ୟାୟ ବିଭାଗ ରାଜନୈତିକ ସୁରକ୍ଷା ସେବାକୁ ନେଇ ପୋଷ୍ଟ ଜାରି କରିଛି । ଏଥିରେ ଇରାନର ସାଇବର ଫର୍ମ  ୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ବ୍ୟାଘାତ ସୃଷ୍ଟି କରିଥିବା ନେଇ ସୂଚନା ରହିଛି ।  ଏଥର ବି ପୁର୍ନବାର ଏପରି ସାଇବର ଫର୍ମ ହେବା  ନେଇ ଆଶଙ୍କ ନେଇ ଭୟରେ ଆମେରିକା । ତେବେ ଏସମ୍ପର୍କରେ ଯିଏ ସୂଚନା ଦେବ ତାକୁ ଏହି ପୁରସ୍କାର ରାଶି ଦିଆଯିବା ନେଇ ଆମେରିକା ଘୋଷଣା କରିଛି ।

ଆମେରିକାକୁ ରୁଷ୍ ଏବଂ ଇରାନର ଭୟ

ଆହୁରି ମଧ୍ୟ ଏଥିରେ ଇରାନର ଇସଲାମିକ୍ ବିପ୍ଲବୀ ଗାର୍ଡ ଅଫିସରଙ୍କ ମଧ୍ୟରୁ କିଛି ଲୋକଙ୍କ ଫଟୋ ଜାରି କରି ଆମେରିକା  ଏବଂ ଏମାନେ ୨୦୨୪ ନିର୍ବାଚନରେ ହସ୍ତକ୍ଷେପ ପାଇଁ ପ୍ରୟାସ କରିପାରନ୍ତି ବୋଲି ଲେଖାଯାଇଛି । ଯଦି କାହା ପାଖରେ ଏମାନଙ୍କ ସମ୍ବନ୍ଧରେ କିଛି ତଥ୍ୟ ଅଛି ତେବେ ସେମାନଙ୍କୁ ୧୦ମିଲିୟନ ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା ହୋଇଛି । ସେପଟେ ଆମେରିକା ପ୍ରସାଶନ ଦ୍ୱାରା ରୁଷ୍ ଗଣମାଧ୍ୟମ ସଂଗଠନ ସହ ଜଡିତ କିଛି ଲୋକଙ୍କର ମଧ୍ୟ ଫଟୋ ପ୍ରକାଶ କରାଯାଇଛି ଏବଂ ଏମାନେ ଆମେରିକୀୟ ନିର୍ବାଚନ ବିଷୟରେ ମିଥ୍ୟା ତଥ୍ୟ ପ୍ରଚାର କରୁଥିବା କୁହାଯାଇଛି ।

କାର ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଜଣେ ଗୁରୁତର

ବାଲେଶ୍ୱର : କାର ସ୍କୁଟି ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର। ବାଲେଶ୍ବର ଜିଲ୍ଲା ୫୭ ନମ୍ବର ରାଜ୍ୟ ରାଜପଥ କମର୍ଦା ଥାନା ନିକଟରେ ଘଟିଛି ଦୁର୍ଘଟଣା। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କମର୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ଅଗ୍ନିଶମ କର୍ମଚାରୀ। ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ପଶ୍ଚିମବଙ୍ଗ କଶିଦା ଗାଁର ଅବନ୍ତୀ କୁମାର କର । ଦୁର୍ଘଟଣା ପରେ କାର ଚାଳକ ଫେରାର ହୋଇଯାଇଛି। କାର ଓ ସ୍କୁଟିକୁ ଜବତ କରି ତଦନ୍ତ କରୁଛି ପୋଲିସ୍।

ଓଣ୍ଟାରିଓରେ ଶହ ଶହ ହିନ୍ଦୁଙ୍କ ବିକ୍ଷୋଭ , ପୋଲିସ ଅଧିକାରୀ ସସପେଣ୍ଡ

ନୂଆଦିଲ୍ଲୀ : କାନାଡା ବ୍ରମ୍ପଟନରେ ହିନ୍ଦୁସଭା ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନେଇ ଜୋରଦାର ବିରୋଧ। ଓଣ୍ଟାରିଓରେ ବିକ୍ଷୋଭ କରିଛନ୍ତି ଶହ ଶହ କାନାଡାନିବାସୀ ହିନ୍ଦୁ। ସେପଟେ ବ୍ରମ୍ପଟନର ଏକ ହିନ୍ଦୁ ମନ୍ଦିର ନିକଟରେ ହେଉଥିବା ଖଲିସ୍ତାନୀ ସପକ୍ଷବାଦୀ ଆନ୍ଦୋଳନରେ ସାମିଲ ହୋଇ ସସପେଣ୍ଡ ହୋଇଛନ୍ତି ଜଣେ ପୋଲିସ ଅଧିକାରୀ। ସସପେଣ୍ଡ ହୋଇଥିବା ପୋଲିସ ଅଧିକାରୀ ହେଉଛନ୍ତି ହରିନ୍ଦର ସୋହି। ଏପରିକି ସେ ଖଲିସ୍ତାନୀ ପତାକା ଧରିଥିବା ବି ଦେଖାଯାଇଥିଲା।

ଆନ୍ଦୋଳନକାରୀମାନେ ଭାରତ ବିରୋଧୀ ସ୍ଲୋଗାନ ଦେଉଥିବାବେଳେ ସେଠାରେ ହରିନ୍ଦର ଉପସ୍ଥିତ ଥିଲେ। କମ୍ଯୁନିଟି ସେଫଟି ଆଣ୍ଡ ପଲିସି ଆକ୍ଟ ଅନୁସାରେ ତାଙ୍କୁ ସସପେଣ୍ଡ କରାଯାଇଛି। ହିନ୍ଦୁ ମନ୍ଦିର ବାହାରେ କିପରି ଖଲିସ୍ତାନୀ ସପକ୍ଷବାଦୀ ଆନ୍ଦୋଳନ ଚାଲିଲା ସେନେଇ ତଦନ୍ତ ଜାରି ରଖିଛି ପୋଲିସ। ବ୍ରାମ୍ପଟନରେ ହିନ୍ଦୁ ସଭା ମନ୍ଦିର ଉପରେ ହୋଇଥିବା ଆକ୍ରମଣ ପରେ ପରେ ଅନ୍ଯ ଏକ ମନ୍ଦିରରେ ଏପରି ଏକ ଘଟଣା ପ୍ରଶ୍ନ ସୃଷ୍ଟି କରିଛି। କାନାଡାରେ ହୋଇଥିବା ମନ୍ଦିର ଆକ୍ରମଣ ଘଟଣାକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। କାନାଡାରେ ଧାର୍ମିକ ପୀଠଗୁଡିକର ସୁରକ୍ଷା ଜରୁରୀ ବୋଲି କହିଛନ୍ତି ଭାରତର ବୈଦେଶିକ ବ୍ଯାପାର ବିଭାଗ ମୁଖପାତ୍ର ରଣଧୀର ଜୈସୱାଲ।