କେନ୍ଦୁଝର : ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ଶେଖରଲାଲ ସାହୁ । ଅନୈତିକ ଉପାୟରେ ଠୁଳ ହୋଇଥିବା ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। କେନ୍ଦୁଝର ସହରର ଅଜନ୍ତା ହୋଟେଲ୍ ସମ୍ମୁଖରୁ କିରାଣି ଶେଖରଲାଲଙ୍କ ଗାଡିରୁ ଏହି ଟଙ୍କା ଜବତ କରିଛି ଭିଜିଲାନ୍ସ। ସେ ଏତେ ଟଙ୍କା କେଉଁଠୁ ଆଣିଲେ, ତାର ସଠିକ୍ ସୂଚନା ଦେଇ ପାରୁ ନାହାନ୍ତି ଶେଖରଲାଲ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସମ୍ବନ୍ଧରେ ମଧ୍ୟ ଅନ୍ୟ ଠିକଣାରେ ଯାଞ୍ଚ କରୁଛି ଭିଜିଲାନ୍ସ।
ଆଜି ଆମେରିକାରେ ଆରପାର ଲଢେଇ, ରାଷ୍ଟ୍ରପତି ନିର୍ବାଚନରେ ମୁହାଁ ମୁହିଁ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପ
ଓ୍ୱାଶିଂଟନ : ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଡେମୋକ୍ରାଟ କମଳା ହାରିସ ଓ ରିପବ୍ଲିକାନ ପାର୍ଟିର ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର। ତେବେ ସୁଇଂ ରାଜ୍ୟଗୁଡ଼ିକରେ ଟ୍ରମ୍ପଙ୍କ ପଲ୍ଲା ଭାରି ଥିବା ଜଣାପଡ଼ିଛି। ପେନସିଲଭାନିଆ, ମିଚିଗାନ, ଫ୍ଲୋରିଡ଼ା ପରି ରାଜ୍ୟରେ ଟ୍ରମ୍ପଙ୍କ ପ୍ରତି ଅଧିକ ଜନସମର୍ଥନ ଥିବା ଜଣାପଡ଼ିଛି। ଭୋଟ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ କୋଟି ଭୋଟର୍ ନିଜର ମତଦାନ ସାବ୍ୟସ୍ତ କଲେଣି। ଇଲେକ୍ଟୋରାଲ କଲେଜ ସଂଖ୍ୟା ୫୩୮ ହୋଇଥିବାବେଳେ ମ୍ୟାଜିକ ନମ୍ଵର ହେଉଛି ୨୭୦। ଆମେରିକାର ନିର୍ବାଚନ ଉପରେ ରହିଛି ସାରା ବିଶ୍ଵର ନଜର । କାରଣ ଯିଏ ଜିତିବ, ସେହି ଅନୁସାରେ ଆମେରିକାର ଶାସନ ଓ ନୀତି ପ୍ରସ୍ତୁତ ହେବ। ଏବଂ ତାର ପ୍ରଭାବ ସାରା ବିଶ୍ଵରେ ପଡ଼ିବ। ତେଣୁ ସମସ୍ତେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଉତ୍କଣ୍ଠାର ସହିତ ଅନେଇ ରହିଛନ୍ତି।
ସ୍ୱାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ନିର୍ମମ ହତ୍ଯା
ଲମତାପୁଟ : ସ୍ୱାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ନିର୍ମମ ହତ୍ଯା। ଘଟଣା ଘଟିଛି ନନ୍ଦପୁର ଥାନା କୁମାର ଗାନ୍ଧଣା ଗ୍ରାମ ପଞ୍ଚାୟତ ହାରିଆମୁଣ୍ଡା ଗ୍ରାମରେ । ସୋମବାର ସକାଳୁ ସୁଭଦ୍ରା ଯୋଜନାରେ ଆଧାର ଅପଡେଟ କରିବାକୁ ସ୍ବାମୀ ମହେନ୍ଦ୍ର ଖରା ଓ ସ୍ତ୍ରୀ ସାବି ଖରା ଆଧାର କେନ୍ଦ୍ରକୁ ଆସିଥିଲେ । ଆଧାର କେନ୍ଦ୍ରରେ କାମ ସାରି ବାଇକରେ ଘରକୁ ଫେରୁଥୁବା ସମୟରେ ରାସ୍ତାକଡ଼ରେ ପାଞ୍ଚ ଜଣ ଯୁବକ ଆଗରୁ ଛିଡା ହୋଇ ରହିଥିଲେ। ଦୁର୍ବୃତ୍ତମାନେ ସ୍ବାମୀ-ସ୍ତ୍ରୀଙ୍କୁ ଅକସ୍ମାତ ଠେଙ୍ଗାରେ ପିଟିଥିଲେ। ଠେଙ୍ଗା ଆଘାତରେ ସ୍ୱାମୀ ମହେନ୍ଦ୍ର ଖରା ଗାଡ଼ିରୁ ଅଚେତ ହୋଇ ଯାଇଥିଲେ। ଉଭୟେ ଗାଡିରୁ ପଡିଯିବା ପରେ ସ୍ବାମୀଙ୍କୁ ଟେକିନେଇ ଦୁର୍ବୃତ୍ତମାନେ ଏକ ଗଛରେ ବାନ୍ଧିଦେଇଥିଲେ। ପରେ ସ୍ତ୍ରୀଙ୍କ ସୁନା ଗହଣା ଲୁଟି ନିର୍ମମ ଭାବେ ହତ୍ୟା କରିଥିଲେ ।
କିଛି ଘଣ୍ଟା ପରେ ସ୍ୱାମୀ ମହେନ୍ଦ୍ରଙ୍କ ଚେତା ଆସିବା ପରେ ସ୍ୱାମୀ ସେ ପାଟି କରିଥିଲେ । ପାଟି ଶୁଣି ଜଣେ ବାଟୋଇ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ମହେନ୍ଦ୍ର ଗାଁକୁ ଯାଇ ସମସ୍ତ ବିଷୟ କହିବା ପରେ ଗ୍ରାମବାସୀ ଆସି ସାବିଙ୍କୁ ଖୋଜାଖୋଜି କରିଥିଲେ। ଏକ ଲଟାବୁଦାରେ ସାବିଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ନନ୍ଦପୁର ପୋଲିସ ନିକଟରେ ଖବର ପହଞ୍ଚିବା ପରେ ଥାନା ଅଧିକାରୀ ପାଣ୍ଡଵ ଶବର, ସହକାରୀ ଥାନା ଅଧିକାରୀ ମମତା କୁମାରୀ ପଣ୍ଡା, ଏଏସଆଇ ଗୁପ୍ତେଶ୍ୱର ଗୌଡ଼ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଆହତ ମହେନ୍ଦ୍ରଙ୍କ ଚିକିତ୍ସା ଚାଲିଛି।
ଭୁବନେଶ୍ଵର ପରେ ବ୍ରହ୍ମପୁର ପିନ୍ଧିବେ ବଡ଼ି କ୍ୟାମେରା ପୋଲିସ
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ପରେ ବ୍ରହ୍ମପୁର ପିନ୍ଧିବେ ବଡ଼ି କ୍ୟାମେରା । ବ୍ରହ୍ମପୁର ପୋଲିସକୁ ୫ଟି କ୍ୟାମେରା ମିଳିଥିବା ବେଳେ ଆଜି ଏହାକୁ ସହରର ଟ୍ରାଫିକ କନେଷ୍ଟବଳ ମାନଙ୍କୁ ପ୍ରଦାନ କରିଛନ୍ତି ଏସପି । ଏହି କ୍ୟାମେରା ଦ୍ଵାରା ଟ୍ରାଫିକ କନେଷ୍ଟବଳମାନେ କିଭଳି ନିଜର ଦାୟିତ୍ଵ ତୁଲାଉଛନ୍ତି ତାହା ଜଣାପଡ଼ିବ । ଏହି କ୍ୟାମେରା ସାମ୍ନାରେ ରହିଥିବା ୧୨୦ ଡିଗ୍ରୀ ଦୂରତା ମଧ୍ୟରେ ଭିଡିଓ ରେକର୍ଡ କରିପାରିବ । ଏକାଥରକେ କ୍ୟାମେରା ମଧ୍ୟରେ ୬ ଘଣ୍ଟା ଧରି ଭିଡିଓ ରେକର୍ଡ ହୋଇ ରହିପାରିବ । କ୍ୟାମେରାକୁ ଲଗାଇ ଟ୍ରାଫିକ ପୋଲିସ କର୍ମଚାରୀମାନେ ଆଜି ଗୋପାଳପୁର ଛକ ସହିତ ସହରର ୪ଟି ସ୍ଥାନରେ ଡ୍ଯୁଟି କରିଛନ୍ତି । ଆଗାମୀ ଦିନରେ ସହରର ସମସ୍ତ ଟ୍ରାଫିକ ପୋଲିସ କର୍ମଚାରୀମାନଙ୍କ ନିମନ୍ତେ କ୍ୟାମେରା ଅଣାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।
ଆମ୍ବ ଟାକୁଆ ଖାଇ ୨ ମହିଳାଙ୍କ ମୃତ୍ୟୁ ଘଟଣା: ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ
ନନ୍ଦିଘୋଷ ବ୍ୟୁରୋ: ଆମ୍ବ ଟାକୁଆ ଖାଇ ୨ ଆଦିବାସୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ।ଏଭଳି ଏକ ସ୍ପର୍ଶକାତର ଘଟଣାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମିଛ କହୁଛନ୍ତି ବୋଲି କହିଛନ୍ତି ମାନସ ମଙ୍ଗରାଜ। ପିଡିଏସ ଚାଉଳ ନପାଇ ଆମ୍ବ ଟାକୁଆ ଖାଉଥିଲେ ଆଦିବାସୀ। ରାଜ୍ୟ ମନ୍ତ୍ରୀମାନେ କିନ୍ତୁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ମନ୍ତ୍ରୀମାନେ ଦେଉଛନ୍ତି ମିଛ ଓ ଗୋଳମାଳିଆ ବିବୃତି। ଏହି ଘଟଣାରେ ଆଜି ଜଣେ ମନ୍ତ୍ରୀ ଆଦିବାସୀଙ୍କ ଖାଦ୍ୟାଭ୍ୟାସକୁ ଉପହାସ କରିଛନ୍ତି। ସରକାର ଏହି ଘଟଣାରେ ସତକୁ ଗ୍ରହଣ କରିବା ଉଚିତ। ଭବିଷ୍ୟତରେ ଏଭଳି ଘଟଣା ନଘଟିବା ନେଇ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ମାନସ ମଙ୍ଗରାଜ।
ଗୋଟିଏ ଦିନରେ ମାର୍କେଟରୁ ୬ ଲକ୍ଷ କୋଟି ଗୋଲ୍
ନନ୍ଦିଘୋଷ ବ୍ୟୁରୋ: ମାର୍କେଟରୁ ଆଜି ଗୋଟିଏ ଦିନରେ ୬ ଲକ୍ଷ କୋଟି ଟଙ୍କା ଗୋଲ୍। ଏତେ ଟଙ୍କା ହରାଇଛନ୍ତି ନିବେଶକ। ସେନସେକ୍ସ ୯୪୧ ପଏଣ୍ଟ ଓ ନିଫଟି ୩ ଶହ ପଏଣ୍ଟରୁ ଅଧିକ ଖସିବାରୁ ଏହି କ୍ଷତି ହୋଇଛି। ଗୋଟିଏ ସମୟରେ ତ ସେନସେକ୍ସ ୧୪ ଶହ ପଏଣ୍ଟରୁ ଅଧିକ ଓ ନିଫଟି ୪ ଶହ ପଏଣ୍ଟରୁ ଅଧିକ ଖସିଥିଲା। ପରେ ଅଳ୍ପ ଭରଣା ହୋଇଛି। ଦ୍ଵିତୀୟ କ୍ଵାଟରରେ କମ୍ପାନିଗୁଡ଼ିକର ଲାଭ ଆଶାଜନକ ନ ହେବାରୁ ବିଦେଶୀ ନିବେଶକାରୀ ଭାରତର ମାର୍କେଟରୁ ପୁଂଜି କାଢ଼ି ନେବା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏଇ ଅକ୍ଟୋବର ମାସରେ ଭାରତୀୟ ମାର୍କେଟରୁ ପ୍ରାୟ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି ବିଦେଶୀ ନିବେଶକ। ଆଗକୁ ହୁଏତ ଭଲ ରିଟର୍ଣ୍ଣ ନ ମିଳିପାରେ, ସେଇ ଆଶଙ୍କା କରି ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ସେମାନେ। ଏହା ସହିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଅନିଶ୍ଚିତତା, ଆସନ୍ତା ୭ ତାରିଖରେ ଫେଡରାଲ ରିଜର୍ଭର ପଲିସି ରେଟ୍ ଆସିବାର ଅଛି। ପେଟ୍ରୋଲିୟମ ଦାମ ମଧ୍ୟ ଅଧିକ ରହିଥିବାରୁ ଏହାର ପ୍ରଭାବ ପଡ଼ିଥିବା କୁହାଯାଉଛି।
ହୁ ହୁ ହୋଇ ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦର
ନନ୍ଦିଘୋଷ ବ୍ୟୁରୋ: ଦରଦାମ ନିୟନ୍ତ୍ରଣ ପାଇଁ ଉଦ୍ୟମ ନାହିଁ, ବରଂ ଯେଉଁମାନେ ଉଦ୍ୟମ କରୁଛନ୍ତି ତାଙ୍କୁ ନିନ୍ଦିତ କରିବା ସହ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ଓଡ଼ିଶାର ବିଜେପି ସରକାର ଏଭଳି କରୁଥିବା ରାଜ୍ୟ ବ୍ୟବସାୟୀ ସଂଘ ଅଭିଯୋଗ କରିଛି । ଏହା ବିରୋଧରେ କଠୋର ନିଷ୍ପତ୍ତି ନେବାକୁ ଯାଉଛି ସଂଘ । ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ରାଜ୍ୟରେ ଦୋକାନ ବଜାର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେବାକୁ ସଂଘ ଚେତାବନୀ ଦେଇଛି । ଏଥିପାଇଁ ଜୟପୁରରେ ହେବାକୁ ଥିବା ସଂଘର ବୈଠକରେ ନିଷ୍ପତ୍ତି ନିଆଯିବ । ସେପଟେ ଦାରିଙ୍ଗବାଡି ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଯେପରି ହାଲୁକା ମନ୍ତବ୍ୟ ଦେଇଛନ୍ତି ଏ ପ୍ରସଙ୍ଗରେ ମଧ୍ୟ ଯୋଗାଣ ମନ୍ତ୍ରୀ ଅତ୍ୟନ୍ତ ହାଲକା ଭାବେ ମନ୍ତବ୍ୟ ଦେଇଛନ୍ତି।
ଦୀର୍ଘ ୪ ମାସରୁ ଅଧିକ ସମୟ ଧରି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି । ଦରଦାମ ନିୟନ୍ତ୍ରଣ କରିବାକୁ ସରକାରଙ୍କ ଆଗ୍ରହ ନାହିଁ କି ଇଛା ବି ନାହିଁ । ଯାହାର ଫଳ ସ୍ଵରୂପ ସନ୍ତୁଳି ହେଉଛନ୍ତି ସାଧାରଣ ଗ୍ରାହକ । ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ବ୍ୟବସାୟୀ ସଂଘ ଲଗାତର ବିଭିନ୍ନ ପ୍ରସ୍ତାବ ଦେଇଆସୁଛି । ସେସବୁ ଗ୍ରହଣ ନକରି ଓଲଟା ନିଜ ଦୋଷକୁ ଲୁଚାଇବାକୁ ରାଜ୍ୟର ବ୍ୟବସାୟୀଙ୍କ ମୁଣ୍ଡରେ ସରକାର ଅଠା ବୋଳୁଛନ୍ତି । ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରି ଜୟପୁରରେ ରାଜ୍ୟ ବ୍ୟବସାୟୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ରାଜ୍ୟର ୫ହଜାର ବ୍ୟବସାୟୀ ଯୋଗଦେବେ । ବୈଠକରେ ସରକାରଙ୍କ ବିରୋଧରେ କଠୋର ନିଷ୍ପତ୍ତି ନିଆଯିବ ବୋଲି କହିଛି କହିଛି ରାଜ୍ୟ ବ୍ୟବସାୟୀ ସଂଘ। । ସରକାରଙ୍କୁ ସମ୍ପୂର୍ଣ୍ଣ ଅସହଯୋଗ କରାଯିବ । ସାମୁହିକ ଭାବେ ନିଜର ଲାଇସେନ୍ସ ଫେରାଇବେ, ସରକାରଙ୍କ କୌଣସି ରାଜସ୍ୱ କଲେକ୍ସନ କରିବେ ନାହିଁ । ଆଇନଗତ ଢଙ୍ଗରେ ସରକାରଙ୍କ ବିରୋଧରେ ସବୁ ଚରମ ପଦକ୍ଷେପ ନିଆଯିବ ବୋଲି କହିଛି ସଂଘ ।
ସରକାର ଚାଷର ଅଭିବୃଦ୍ଧି କରିବେନି, ଲୋକଙ୍କ କଷ୍ଟଲବ୍ଧ ଅର୍ଥକୁ ନିଜ ଦଳ ଓ ବ୍ୟକ୍ତିଗତ ହିସାବରେ ଖର୍ଚ୍ଚ କରିବେ, ଉତ୍ପାଦନ ନବଢ଼ାଇ ବ୍ୟବସାୟୀଙ୍କୁ ଦୋଷ ଦେବେ । କର୍ପୋରେଟ ହାଉସର ସ୍ୱାର୍ଥ ପାଇଁ ସରକାର କାମ କରୁଥିବା ବେଳେ ସରକାରଙ୍କ ବିରୋଧରେ ଆର ପାର୍ ଲଢେଇ ଚେତାବନୀ ଦେଇଛି ସଂଘ । ବଞ୍ଚିବୁ ନହେଲେ ମରିବୁ ବୋଲି କହିଛି ବ୍ୟବସାୟୀ ସଂଘ । ବ୍ୟବସାୟୀଙ୍କ ଚେତାବନୀ ପରେ ମଧ୍ୟ ଅତି ହାଲୁକା ଢଙ୍ଗରେ ମନ୍ତବ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ । ଦରଦାମ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ହେଉଛି । ଉତ୍ପାଦନ କମ ହେଉଥିବାରୁ ଦର ବଢୁଛି । ବ୍ୟବସାୟୀ ମହାସଂଘ ସହ ଆମେ ଲଗାତର କଥା ହେଉଛୁ । ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିବୁ ବୋଲି କହିଛନ୍ତି ମନ୍ତ୍ରୀ ।
ଦରଦାମ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ ହୋଇଛନ୍ତି । ଏହାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ କରିବାର ଚରମ ନିଷ୍ପତ୍ତି ଖୁବ ଶୀଘ୍ର ନିଆଯାଇ ପାରେ ବୋଲି ଚେତାବନୀ ଦେଇଛି ରାଜ୍ୟ ବ୍ୟବସାୟୀ ସଂଘ।
ଟାକୁଆ ଟ୍ରାଜେଡି: ଏସସିବିରେ ଦୁଇ ଗୁରୁତରଙ୍କୁ ଭେଟିଲା ବିଜେଡି ଟିମ୍
ନନ୍ଦିଘୋଷ ବ୍ୟୁରୋ: ଆମ୍ବଟାକୁଆ ଜାଉ ଖାଇ କନ୍ଧମାଳ ଦାରିଙ୍ଗବାଡ଼ିର ୨ ଗୁରୁତର ମହିଳାଙ୍କୁ କଟକ ଏସସିବିରେ ଭେଟିଛନ୍ତି ବିଜେଡି ପ୍ରତିନିଧି ଦଳ । ବିଧାୟକ ଦେବୀ ତ୍ରିପାଠୀ, ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ପ୍ରଶାନ୍ତ ବେହେରା ଓ ବିଧାୟକ ସୌଭିକ ବିଶ୍ଵାଳଙ୍କ ସହ ଅନ୍ୟ ବିଜେଡି ନେତା ବଡ଼ ମେଡିକାଲ ନୂଆ ମେଡିସିନ ବିଭାଗ ଆଇସିୟୁକୁ ଯାଇ ଅସୁସ୍ଥଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତରୀ ଟିମ୍ ସହ ଆଲୋଚନା କରିଛନ୍ତି ବିଜେଡି ନେତା। ଏହି ଘଟଣା ବାସ୍ତବିକ ଏକ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି ବିଧାୟକ ବ୍ୟୋମକେଶ ରାୟ । ରାଜ୍ୟର ବିଜେପି ସରକାର ସଚେତନତା ସୃଷ୍ଟି କରିବାରେ ବିଫଳ ହୋଇଛି। ଏଥିସହିତ ଘଟଣା ନଜରକୁ ଆସିବା କ୍ଷଣି ଏକ ଟାସ୍କଫୋର୍ସ ଗଠନ କରି ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହାର ମୁକାବିଲା ନ କରି ହାଲୁକା ମନ୍ତବ୍ୟ ଦେଉଛନ୍ତି ବିଜେପି ନେତା । ତୁରନ୍ତ ଅସୁସ୍ଥଙ୍କୁ ମାଗଣା ଚିକିତ୍ସା ସହ ମୃତକଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛି ବିଜେଡି।.
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଜବ ନୀତି
ନନ୍ଦିଘୋଷ ବ୍ୟୁରୋ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଜବ ନୀତି । ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ରହୁନି କି ସମନ୍ବୟ ? ଏଣିକି ଯୁକ୍ତ ଦୁଇ ପରୀକ୍ଷା ନିୟନ୍ତ୍ରକ ଓ ପରୀକ୍ଷା ଉପ-ନିୟନ୍ତ୍ରକ ପଦବିରେ ନିଯୁକ୍ତି ପାଇଛନ୍ତି ବିଇଓ ଓ ଡିଇଓରୁ ପଦୋନ୍ନତି ପାଇଥିବା ଅଧିକାରୀ । ଏ ନେଇ ଗତ ୨ ତାରିଖରେ ବିଭାଗ ପକ୍ଷରୁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛି ସରକାରୀ କଲେଜ୍ ଶିକ୍ଷକ ସଂଘ । ସଂଘ ଅଭିଯୋଗ କରିଛି, ଏ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଅଲଗା ହୋଇନି । ପରୀକ୍ଷା ନିୟନ୍ତ୍ରକ ଭାବେ ଏ ପର୍ଯ୍ୟନ୍ତ କଲେଜ୍ ଶାଖାର ଅଧିକାରୀ ନିଯୁକ୍ତି ପାଇ ଆସୁଥିଲେ । କିନ୍ତୁ ଏବେ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ଅସଙ୍ଗତି ରହିଛି । ବିଦ୍ୟାଳୟ ସ୍ତରୀୟ ଅଧିକାରୀଙ୍କ ଅଧୀନରେ କଲେଜ୍ ରିଡର, ପ୍ରାଧ୍ୟାପକ କିପରି କାମ କରିବେ ବୋଲି ପ୍ରଶ୍ନ ଉଠାଇଛି । ଯୁକ୍ତ ଦୁଇ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ବରେ ଥିବା ଅଧିକାରୀଙ୍କ କହିବା କଥା, ଏ ନିଷ୍ପତ୍ତି ସରକାରଙ୍କର । ଏଥିରେ କାହାର କିଛି କହିବାର ନାହିଁ । ଆଗକୁ ଯୁକ୍ତ ଦୁଇ ପରୀକ୍ଷା । ଏବେଠୁ ପ୍ରଶ୍ନପତ୍ର ପ୍ରସ୍ତୁତି ପକ୍ରିୟା ଆରମ୍ଭ ହେଲାଣି । କଲେଜ୍ ଶିକ୍ଷକ ସଂଘର ଦାବି ଅନୁଯାୟୀ ଯଦି ସରକାର ନିଷ୍ପତ୍ତିରେ ପରିବର୍ତ୍ତନ ନ କରନ୍ତି, ତାହେଲେ ସରକାରୀ କଲେଜ୍ ସମେତ ଘରୋଇ କଲେଜ୍ ଶିକ୍ଷକମାନେ ପରୀକ୍ଷା ପରିଚାଳନାଠୁ ଆରମ୍ଭ କରି ଖାତା ଦେଖା ପର୍ଯ୍ୟନ୍ତ ସହଯୋଗ କରିବେ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି ।
କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିନି ୮ ମାସର ଦରମା
ନନ୍ଦିଘୋଷ ବ୍ୟୁରୋ: ତାତିଲେ ମହିଳା । ୩୦ ଜିଲ୍ଲାର ୬ଟି ସପୋର୍ଟ ଷ୍ଟାଫଙ୍କ ବକେୟା ୮ ମାସର ପାରିଶ୍ରମିକ ପାଇଁ ରାଜ୍ୟ ଜୀବିକା ମିଶନ ଅଫିସ ସମ୍ମୁଖରେ ହଙ୍ଗାମା । ୮ ମାସ ଧରି ଖଟାଇ ଦରମା ଦେଉ ନଥିବା ଅଭିଯୋଗରେ ସାରା ଓଡ଼ିଶାରୁ କମ୍ଯୁନିଟି ସପୋର୍ଟ ଷ୍ଟାଫ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ଯ ମିଶନ ଶକ୍ତି ବିଭାଗ ଅଫିସ ଆଗରେ ଧାରଣା ଦେବା ସହ ତୁରନ୍ତ ଦରମା ଦେବାକୁ ହାତ ଯୋଡ଼ି ଗୁହାରି କରିଛନ୍ତି ।
ପେଟରେ ଭୋକ ଆଖିରେ ଲୁହ । କେବେ ମିଳିବ ପାରିଶ୍ରମିକ ? ବିନା ଦରମାରେ ଖଟିଲେଣି ୮ ମାସ । ବିଗିଡିବାରେ ଲାଗିଛି ପରିବାର ସ୍ଥିତି । ମୁଣ୍ଡଫଟା ଖରାରେ ଧାରଣାରେ ବସି କାନ୍ଦି କାନ୍ଦି ମାଗିଲେ ଦରମା । ହେଲେ ଦୁଃଖ ଶୁଣିବା ପାଇଁ କାହା ନିକଟରେ ନାହିଁ ସମୟ । ମାସେ କି ଦୁଇମାସ ନୁହେଁ, ୮ ମାସ ଧରି ୩୦ ଜିଲ୍ଲାର ୬ ଟି ସପୋର୍ଟ ଷ୍ଟାଫଙ୍କୁ ମିଳିନି ଦରମା । ସରକାର ଯେତେବେଳେ ନାରୀକୁ ସମ୍ମାନ ଦେବା କଥା କହୁଛନ୍ତି । ହେଲେ ଆଜି ସେମାନଙ୍କୁ ଅବହେଳା କରାଯାଇଛି । ତେଣୁ ହାତଯୋଡ଼ି ରାଜ୍ଯ ମିଶନ ଶକ୍ତି ବିଭାଗ ଅଫିସ ଆଗରେ ଧାରଣା ଦେଇଛନ୍ତି ଶହ ଶହ ମହିଳା । କାନ୍ଦି କାନ୍ଦି ପଚାରୁଛନ୍ତି, କେବେ ମିଳିବ ପାରିଶ୍ରମିକ ।
ରାଜ୍ଯର ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ ଏମବିକେ, ସିଆରପି, କୃଷି ମିତ୍ର, ବ୍ୟାଙ୍କ୍ ମିତ୍ର, ପ୍ରାଣୀ ମିତ୍ର, ଏଲଏସପି କର୍ମୀ ଆଜି ଦରମା ନପାଇ ଅନାଟନ ଭିତରେ ଗତି କରୁଛନ୍ତି । ନବୀନ ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଆରମ୍ଭ କରିଥିଲେ ଯୋଜନା । ସରାକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଏହି ମହିଳା ସହୋଯୋଗ କରୁଛନ୍ତି । ରାଜ୍ଯ ସରକାର ଏଥିପାଇଁ ତାଙ୍କୁ ପାରିଶ୍ରମିକ ଦେଇ ଆସୁଥିଲେ ।
ହେଲେ ସରକାର ବଦଳିବା ପରେ ୮ ମାସ ହେଲା ସେମାନେ ଦରମା ପାଇ ନାହାନ୍ତି । ତଥାପି କାର୍ଯ୍ଯରେ କେବେ ଅବହେଳା କରି ନାହାନ୍ତି । କିନ୍ତୁ ଦରମା ମିଳୁ ନଥିବାରୁ ସାରା ରାଜ୍ୟରେ ୭୦ ହଜାରରୁ ଅଧିକ ମହିଳାଙ୍କ ପରିବାର ଆଜି ଦୁର୍ଦ୍ଦିନରେ । ବିଭାଗୀୟ ଅଧିକାରୀଙ୍କ ଠାରୁ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ପରେ ମଧ୍ଯ ମିଳୁନି ଉତ୍ତର । ତେଣୁ ଦରମା ନମିଳିବା ପର୍ଯ୍ୟନ୍ତ ଧାରଣା ଦେବା ସହିତ ଆଗାମୀ ଦିନରେ ବଡ଼ ଆକାରର ଆନ୍ଦୋଳନ କରିବାକୁ ଦେଇଛନ୍ତି ଚେତାବନୀ ।

