ନନ୍ଦିଘୋଷ ବ୍ୟୁରୋ: କଟକ ଏସସିବି ମେଡିକାଲ କଲେଜରେ ରାଗିଂ ଅଭିଯୋଗ । ଏମବିବିଏସ୍ ପ୍ରଥମ ବର୍ଷ ଛାତ୍ର ଆଣିଲେ ଗୁରୁତର ଅଭିଯୋଗ । ଫାଇନାଲ ଇୟର ଛାତ୍ରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଛାତ୍ର । ଅଭିଯୋଗକୁ ଗ୍ରହଣ କରି ଏସସିବି ଆଣ୍ଟି ରାଗିଙ୍ଗ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ଅଭିଯୋଗ ଆଣିଥିବା ଛାତ୍ର ଦେଇଥିବା ତଥ୍ୟ ଆଧାରରେ ଯାଞ୍ଚ ଆରମ୍ଭ କରିଛି କମିଟି । ଖୁବ୍ ଶୀଘ୍ର ଏହି ଘଟଣାର ସମାଧାନ କରାଯିବ ବୋଲି କହିଛନ୍ତି ପ୍ରଫେସର ଜୟନ୍ତ କୁମାର ପଣ୍ଡା ।
ଚରଣାମୃତ ଭାବି ପିଇଲେ AC ପାଣି !
ନନ୍ଦିଘୋଷ ବ୍ୟୁରୋ: ଏସିରୁ ବାହାରୁଥିବା ପାଣିକୁ ଚରଣାମୃତ ଭାବି ଗ୍ରହଣ କରୁଛନ୍ତି ଭକ୍ତ । ଶ୍ରଦ୍ଧାଳୁଙ୍କ ମନରେ ଭ୍ରମ ରହିଛି କି ଏହା ହେଉଛି ଚରଣାମୃତ । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟି ବୃନ୍ଦାବନର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରର । ଯାହାକୁ ନେଇ ମନ୍ଦିରର ପୂଜକଙ୍କୁ ଏସମ୍ପର୍କରେ ପଚରାଯାଇଥିଲା । ଯେଉଁଥିରେ ସେ ସମସ୍ତ ଦ୍ବନ୍ଦ ଦୂର କରିଛନ୍ତି । ସେ କହିଛନ୍ତି କି, ଏହା ଚରଣାମୃତ ନୁହେଁ । ଏହା ହେଉଛି ଏସିରୁ ବାହାରୁଥିବା ପାଣି । ସେବାୟତ କହିଛନ୍ତି କି, ବାଙ୍କେ ବିହାରୀଙ୍କ ସ୍ନାନ ଜଳ ଯାହାକୁ ଆମେ ଚରଣାମୃତ ଭାବେ ଜାଣୁ । ତେବେ ଏହା ମିଳିବା ଏତେ ସହଜ ନୁହେଁ । କିମ୍ବା ନାଳ ମଧ୍ୟରେ ବାହାରକୁ ଛଡ଼ା ଯାଇନଥାଏ । ତେବେ ଏହାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ପ୍ରଦାନ କରାଯାଏ । ତେବେ ବିହାରୀଙ୍କ ଚରଣାମୃତକୁ ଶ୍ରଦ୍ଧାଳୁମାନେ ପାଇବା ପାଇଁ ବ୍ୟାକୁଳ ହୋଇଥାନ୍ତି । ପୂଜକମାନେ ମନ୍ଦିରରେ ଏହାକୁ ଦେଉଥିବାବେଳେ ଏହା ପ୍ରଦାନ କରାଯାଏ ।
ଶିକ୍ଷକ ସ୍ନେହରେ ବନ୍ଧା ମୟୂର
ନନ୍ଦିଘୋଷ ବ୍ୟୁରୋ: ଶିକ୍ଷକଙ୍କ ସ୍ନେହରେ ବନ୍ଧା ମୟୂର । ସାଧାରଣ ଭାବେ ମଣିଷଙ୍କୁ ପାଖରୁ ଦେଖିଲେ ମୟୂରମାନେ ଦୂରକୁ ଚାଲିଯାଆନ୍ତି । ହେଲେ ଗୋକୁଳମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ଯାଳୟରେ ଦେଖିବାକୁ ମିଳିଛି ତାର ବ୍ଯତିକ୍ରମ । ଶିକ୍ଷକ ରବୀନ୍ଦ୍ରଙ୍କ ସ୍ନେହରେ ବନ୍ଧା ପଡିଯାଇଛି ମୟୂର। ପ୍ରତିଦିନ ବିଦ୍ଯାଳୟରେ ପ୍ରାର୍ଥନା ଆରମ୍ଭରୁ ମଧ୍ଯାହ୍ନ ଘଣ୍ଟି ବାଜିବା ଯାଏଁ ରବୀନ୍ଦ୍ରଙ୍କ ସାଥିରେ ଥାଏ ମୟୂର।
ଶିକ୍ଷକଙ୍କ ସ୍ନେହରେ ବନ୍ଧା ମୟୂର । ସାଧାରଣତଃ ମୟୂର ଦେଖିବାକୁ ଯେତିକି ସୁନ୍ଦର ତାର ମନ ମଧ୍ଯ ସେତିକି ସୁନ୍ଦର । ସାଧାରଣ ଭାବେ ମଣିଷଙ୍କୁ ପାଖରୁ ଦେଖିଲେ ମୟୂରମାନେ ଦୂରକୁ ଚାଲିଯାଆନ୍ତି । ହେଲେ ଗୋକୁଳମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ଯାଳୟରେ ଦେଖିବାକୁ ମିଳିଛି ତାର ବ୍ଯତିକ୍ରମ । ଗୋକୁଳମୁଣ୍ଡା ବିଦ୍ଯାଳୟର ଶିକ୍ଷକ ରବୀନ୍ଦ୍ରଙ୍କ ସ୍ନେହରେ ବନ୍ଧା ପଡିଯାଇଛି ମୟୂର । ପ୍ରତିଦିନ ମୟୂରଟି ବିନା ଡରରେ, ବିନା ସଙ୍କୋଚରେ ବିଦ୍ଯାଳୟକୁ ଆସି ଶିକ୍ଷକ ରବୀନ୍ଦ୍ରଙ୍କୁ ଖୋଜେ । ପ୍ରାର୍ଥନା ସମୟରୁ ଆରମ୍ଭ କରି ମଧ୍ଯାହ୍ନ ଭୋଜନ ଘଣ୍ଟି ବାଜିବା ପର୍ଯ୍ଯନ୍ତ ବିଦ୍ଯାଳୟରେ ରୁହେ ମୟୂର । ଛାତ୍ରଛାତ୍ରୀଙ୍କୁ ଭୟ ନକରି ବିଦ୍ଯାଳୟରେ ବିଚରଣ କରେ ମୟୂର ।
ମୟୂରଟି ବିଦ୍ଯାଳୟ ଘଣ୍ଟି ବାଜିବା ମାତ୍ରେ ସ୍କୁଲକୁ ଆସି ପିଲାଙ୍କ ସହ ମିଶି ପାଠ ପଢୁଥିବାରୁ ପିଲାଙ୍କ ମଧ୍ଯରେ ଆନନ୍ଦ ଖେଳିଯାଏ । ସ୍କୁଲର ଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀ ମାନେ ମୟୂରକୁ କିଛି ଖାଇବାକୁ ଦେଲା ପରେ ମୟୂରଟି ବିଦ୍ଯାଳୟରୁ ପଳାଏ । ତେବେ ମୟୂରଟି କେଉଁଠୁ ଆସୁଛି ତାହା ଏବେବି ଜଣାପଡିନାହିଁ ।
ଟିଟିଲାଗଡ ରାଜ କନୱାର ପାର୍କରେ ପଡିରହିଛି ଲକ୍ଷାଧିକ ଟଙ୍କାର ଜିମ୍ ସାମଗ୍ରୀ
ନନ୍ଦିଘୋଷ ବ୍ୟୁରୋ: ଖୋଲା ଆକାଶ ତଳେ ପଡିରହିଛି ଲକ୍ଷାଧିକ ଟଙ୍କାର ଜିମ୍ ସାମଗ୍ରୀ । ରକ୍ଷଣାବେକ୍ଷଣା ଅଭାବରୁ ଖତ ହେବାକୁ ବସିଲାଣି ଜିମ୍ ସାମଗ୍ରୀ । ଲୋକଙ୍କ ହିତ ପାଇଁ ଟିଟିଲାଗଡ ପୌରପରିଷଦ ତରଫରୁ କିଣାଯାଇଥିଲା ଲକ୍ଷାଧିକ ଟଙ୍କାର ବାୟାମ୍ ସାମଗ୍ରୀ । ହେଲେ ଦୀର୍ଘଦିନ ହେଲା କାମରେ ନଲାଗି ପାର୍କ ଭିତରେ ପଡିରହିଛି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଖୋଲା ଆକାଶ ତଳେ ପଡିରହିଛି ଲକ୍ଷାଧିକ ଟଙ୍କାର ଜିମ୍ ସାମଗ୍ରୀ । ରକ୍ଷଣାବେକ୍ଷଣା ଅଭାବରୁ ଖତ ହେବାକୁ ବସିଲାଣି ଜିମ୍ ସାମଗ୍ରୀ । ଏ ହେଉଛି ଟିଟିଲାଗଡ ସହରର ମଧ୍ଯଭାଗରେ ଥିବା ରାଜ କନୱାର ପାର୍କର ଦୃଶ୍ଯ । ଏହି ପାର୍କରେ ସହରର ସମସ୍ତ ଲୋକ ଆରାମରେ ବସିବା ପାଇଁ ବ୍ଯାୟାମ କରିବା ପାଇଁ ଆସିଥାନ୍ତି । ହେଲେ ଗତ କିଛି ମାସ ହେଲା ପାର୍କର ମଧ୍ଯ ଭାଗରେ ଲକ୍ଷାଧିକ ଟଙ୍କାର ବ୍ୟାୟାମ ସାମଗ୍ରୀ ପଡିରହିଛି । ଗୋଟିଏ ପଟେ ବ୍ୟାୟାମ ସାମଗ୍ରୀ ପାର୍କ ଭିତରେ ପଡିରହିଥିବାରୁ ପାର୍କର ସୌନ୍ଦର୍ଯ୍ଯତା ନଷ୍ଟ ହେଉଛି । ଅନ୍ଯପକ୍ଷରେ ଏହି ସବୁ ଜିନିଷ ପାର୍କ ଭିତରେ ପଡିରହିଥିବାରୁ ଜିନିଷ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି । ଲୋକଙ୍କ ହିତ ପାଇଁ ଟିଟିଲାଗଡ ପୌରପରିଷଦ ତରଫରୁ ଲକ୍ଷାଧିକ ଟଙ୍କାର ବ୍ୟାୟାମ ସାମଗ୍ରୀ କିଣା ହୋଇଥିଲା । କିନ୍ତୁ ଏହାର ବ୍ଯବହାର ହୋଇପାରୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି ।
ସେପଟେ ଟିଟିଲାଗଡ କନୱାର ପାର୍କରେ ପଡ଼ି ରହିଥିବା ସାମଗ୍ରୀ କିଏ କିଣିଲା ଓ କେଉଁ ଉଦେଶ୍ୟରେ କିଣିଛି ଓ ଏହାର ମୂଲ୍ୟ କେତେ ଏହି ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ସୂଚନା ଅଧିକାର କର୍ମୀ ଈଶ୍ବର ଜୈନ ଟିଟିଲାଗଡ ମ୍ଯୁନିସପାଲଟିକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ତଥ୍ୟ ଅନୁସାରେ ଏହି ବ୍ୟାୟମ ସାମଗ୍ରୀ ମହାରାଷ୍ଟ୍ର ନାଗପୁରର ଉଜ୍ଵଳା ସ୍ପୋର୍ଟସ ନାମକ ସଂସ୍ଥା ୨୦୨୩ ମସିହାରେ ଯୋଗାଇଛି । ଯାହାର ମୂଲ୍ଯ ୬୭ ଲକ୍ଷ ଟଙ୍କାରୁ ଅଧିକ । ତେବେ ଏତେ ଟଙ୍କାର ସାମଗ୍ରୀ କିଣା ହୋଇ ବ୍ୟବହାର ନହୋଇ ଖୋଲା ଆକାଶ ତଳେ କାହିଁକି ପଡିଛି ବୋଲି ସ୍ଥାନୀୟ ଲୋକେ ଓ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ଟିଟିଲାଗଡ ମୁନସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ ।
୭ ବର୍ଷ ହେଲା ନିରାଶ୍ରୟ ବୃଦ୍ଧାଙ୍କୁ ମିଳୁନି ଭତ୍ତା କି ରାସନ
ନନ୍ଦିଘୋଷ ବ୍ୟୁରୋ: ଅକାରଣରେ ଅସହାୟ ବୃଦ୍ଧାଙ୍କ କାଟିଦେଇଥିଲେ ଭତ୍ତା ସହ ଅନ୍ତୋଦୟ ଯୋଜନାର ୩୫ କିଲୋ ଚାଉଳ । ଖବର ପ୍ରଘଟ ହେବା ତରବରିଆ ଭାବେ ପ୍ରଦାନ କଲେ ୫ ହଜାର ଟଙ୍କା। ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ବୃଦ୍ଧାଙ୍କ ଉପରେ ଲଦିଦେଲେ ସମସ୍ତ ଦୋଷ । ତେବେ ପ୍ରଶ୍ନ ଉଠୁଛି- କାହିଁକି ବନ୍ଦ ହେଲା ନିରାଶ୍ରୟ ବୃଦ୍ଧାଙ୍କ ଚାଉଳ ଓ ଭତ୍ତା ?
ଅସହାୟ ବୃଦ୍ଧାଙ୍କ ଭତ୍ତା କଟିବା ପଛରେ ସତ କଣ ? କାହିଁକି ବୃଦ୍ଧାଙ୍କୁ ମିଳିନିଥିଲା ୭ ବର୍ଷ ହେଲା ବାର୍ଦ୍ଧକ୍ଯ ଭତ୍ତା ? ଖାଲି ସେତିକି ନୁହେଁ ବୃଦ୍ଧାଙ୍କୁ ମିଳୁନଥିଲା ଅନ୍ତଦୋୟ ଯୋଜନାରେ ଚାଉଳ। ରାୟଗଡା ପୌରପରିଷଦ ଅଧିନସ୍ଥ ୪ ନମ୍ବର ଓାର୍ଡର ତୁଳସା ଝଡିଆ । ବୟସ ୮୦ ଟପିଲାଣି । ଚର୍ମ ଧୁଡୁ ଧୁଡୁ ଚେହେରାକୁ ଅଣ୍ଟା ନଇଗଲାଣି । ଗୋଟିଏ ପଟେ ଚାଲିବା କଷ୍ଟକର ହୋଇପଡିଥିବା ବେଳେ ଏବେ କାନକୁ ଆଉ ଶୁଭୁନାହିଁ ।
ପରିବାର କହିଲେ ସାଥିରେ ଏବେ କେହି ନାହାଁନ୍ତି । ପରିଣତ ବୟସରେ ଅସହାୟ ପାଲଟିଯାଇଛନ୍ତି ତୁଳସା । ଠିକ ଏହି ସମୟରେ ଅନ୍ତୋଦୟ ଯୋଜନାରେ ମିଳୁଥିବା ୩୫କିଲୋ ଚାଉଳ ସହ ବାର୍ଦ୍ଧକ୍ଯ ଭତ୍ତା ଦୀର୍ଘ ୭ ବର୍ଷ ହେବ ବନ୍ଦ ହୋଇଯାଇଛି । ଭାତ ଗଣ୍ଡେ ପାଇଁ ପର ଉପରେ ନିର୍ଭର କରି ଚଳୁଛନ୍ତି ତୁଳସା। କେବଳ ସେତିକି ନୁହେଁ ତାଙ୍କର ନିଜର ଘର ନଥିବାରୁ ବୃଦ୍ଧା ଜଣଙ୍କ ଏବେ ନିଜ ପୁତୁରା ପାଖରେ ଆଶ୍ରୟ ନେଇଛନ୍ତି । ପୁତୁରାର ଏକ ଛୋଟିଆ ଦୋକାନ ରହିଛି ସେଥିରୁ ଯାହା ମିଳେ ସେଥିରେ ନିଜ ସ୍ତ୍ରୀ, ତିନି ପିଲାଙ୍କ ସହିତ ଏହି ବୃଦ୍ଧାଙ୍କୁ ନେଇ ଚଳିବା କଷ୍ଟକର ହୋଇପଡୁଛି ବୋଲି କହିଛନ୍ତି ବୃଦ୍ଧାଙ୍କ ପୁତୁରା ବୋହୂ।
ଅସହାୟ ତୁଳସାଙ୍କ ଏହି ଦୁର୍ଦ୍ଦଶା ସଂପର୍କରେ ସଫେଇ ଦେଇଛନ୍ତି ଦାୟିତ୍ୱରେ ଥିବା କର୍ମଚାରୀ । ଅସହାୟ ତୁଳସାଙ୍କ ଫିଙ୍ଗର ପ୍ରିଣ୍ଟ ନେଉନଥିବାରୁ, ଆଧାର କାର୍ଡ ନଥିବାରୁ ଭତ୍ତା ଓ ଚାଉଳ କଟିଯାଇଥିବା ନେଇ ପ୍ରକାଶ କରିଛନ୍ତି । ଏଥସହିତ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ୫ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯାଇଥିବା କହିଛନ୍ତି। ଅପରପକ୍ଷେ ଅସହାୟ ତୁଳସା ୩ ବର୍ଷରୁ ଅଧିକ ଦିନ ଧରି ଉପସ୍ଥିତ ନଥିବାରୁ ଭତ୍ତା ଓ ଚାଉଳ କଟି ଯାଇଥିଲେ । ବର୍ତ୍ତମାନ ୫ ମାସର ଭତ୍ତା ପ୍ରଦାନ କରାଯାଇଛି। ଏବଂ ଖୁବ୍ ଶୀଘ୍ର ଚାଉଳ ପ୍ରଦାନ କରାଯିବ ବୋଲି ପୌରପରିଷଦ କାର୍ଯ୍ଯନିର୍ବାହୀ ଅଧିକାରୀ କହିଛନ୍ତି । ସେପଟେ ଅଧିକାରୀଙ୍କ କଥାକୁ ଖଣ୍ଡନ କରିବା ସହ ସେ ମିଛ କହୁଥିବା ନେଇ କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଦୀର୍ଘ ୭ ବର୍ଷରୁ ଉର୍ଦ୍ଧ ସମୟ ସରକାରୀ ସୁବିଧା ପାଇବାରୁ ବଂଚିତ ରହିଥିବା ତୁଳସା ଯଦି ୫ ମାସର ୫ ହଜାର ଟଙ୍କା ପାଉଛନ୍ତି ତେବେ ୭ ବର୍ଷର ସମସ୍ତ କାହିଁକି ପାଇବେନି ବୋଲି ବରିଷ୍ଠ ଆଇନଜୀବୀ ପ୍ରଶ୍ନ କରିଛନ୍ତି । କାହିଁକି ନିରାଶ୍ରୟ ବୃଦ୍ଧାଙ୍କ ଚାଉଳ ଓ ଭତ୍ତା ବନ୍ଦ ହେଲା । ବୃଦ୍ଧା ଜଣଙ୍କ କେତେବେଳେ ଅନାହାରରେ ତ କେତେବେଳେ ଅର୍ଦ୍ଧାହାରରେ ଚଳୁଛନ୍ତି । ତୁରନ୍ତ ବୃଦ୍ଧାଙ୍କୁ ଚାଉଳ ଓ ଭତ୍ତା ଯୋଗାଇଦେବାକୁ ଦାବି ହୋଇଛି ।
ଧାନ ଅମଳ ବେଳେ ଚାଷୀଙ୍କୁ ଘାରିଛି ଚକଡା ପୋକ ଚିନ୍ତା
ନନ୍ଦିଘୋଷ ବ୍ୟୁରୋ: ଧାନ ଅମଳ ବେଳେ ଚାଷୀଙ୍କୁ ଘାରିଛି ଚକଡା ପୋକ ଚିନ୍ତା । ରାତିକ ଭିତରେ ମାଡ଼ି ଯାଉଛି ଏକର ଏକର ଚାଷ ଜମି । କାମ କରୁନି କୀଟ ନାଶକ ଔଷଧ । ଚିନ୍ତାରେ କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ଚାଷୀ । ସେପଟେ ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ଯାନ କରିଛନ୍ତି କୃଷି ବିଭାଗ ଅଧିକାରୀ ।
ବାତ୍ଯା ଦାନା ପ୍ରଭାବରେ ବିଲରେ ଧାନ ଚାଷ ନଷ୍ଟ ହୋଇଯାଇଥିଲା । ଏବେ ଯେଉଁଧାନ ଟିକକ ଭଲ ଥିଲା ତାକୁ ଘାରିଲାଣି ରୋକପୋକ ଚିନ୍ତା । ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକରେ । ଦଣ୍ଡପାଟ ଅଞ୍ଚଳର ବେହେରା, ବାଙ୍କି ମୁଣ୍ଡା, ଦଳ ସର୍ଗୀ ସମେତ ଆଖପାଖ ଅଞ୍ଚଳର ଗାଁ ଗୁଡ଼ିକରେ ଚାଷୀଙ୍କ ନିଦ ହଜେଇ ଦେଇଛି ଚକଡା ପୋକ । ଏଠାରେ ୫ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଥିଲା । ଏବେ ପାଖାପାଖି ଶହେ ହେକ୍ଟର ଜମିରେ ଚକଡା ପୋକ ବା ବିପିଏଚ ରୋଗ ବ୍ଯାପିବା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି ।
ଅନ୍ଯପକ୍ଷରେ ଧାନ ଅମଳ ବେଳକୁ ଚକଡା ପୋକ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । ରାତି ଭିତରେ ମାଡ଼ି ଯାଉଛି ଏକର ଏକର ଚାଷ ଜମି । ଯେତେ ଔଷଧ ସିଞ୍ଚନ କଲେ ବି ରୋଗପୋକ ନିୟନ୍ତ୍ରଣ ହେଉନଥିବା ଚାଷୀ କହିଛନ୍ତି । ଧାର ଉଧାର କରି ଚାଷୀ ଜମିରେ ସୁନାର ଫସଲ ଫଳାଇଥିଲେ ହେଲେ ଅମଳ ବେଳକୁ ଚାଷ ନଷ୍ଟ ହେବାକୁ ବସିବାରୁ ଚିନ୍ତାରେ ଚାଷୀ । ସେପଟେ ଖବର ପାଇଁ କୃଷି ବିଭାଗ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ଜମିରେ ଔଷଧ ସିଞ୍ଚନ କରିବାକୁ ପରାମର୍ଶ ଦେଇଛନ୍ତି ।
ସମୁଦ୍ର ନିକଟରେ ବିରାଟକାୟ ଅଜଣା ଲୁହାବସ୍ତୁ ଠାବ
ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ଓଡ଼ିଶା ସୀମାନ୍ତ ଭୋଗରାଇ ଉଦୟପୁର ସମୁଦ୍ର ନିକଟରେ ଠାବ ହେଲା ଏକ ବିରାଟକାୟ ଅଜଣା ଲୁହା ବସ୍ତୁ । ଦେଖିବା ପାଇଁ ଲୋକେ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଗତ ବାତ୍ୟା ଦାନା ପ୍ରଭାବରେ ସମୁଦ୍ରରେ ବଡ଼ ବଡ଼ ଜୁଆର ଉପକୂଳ ଆଡକୁ ମାଡି ଆସିଥିଲା । ଜୁଆରରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଉଦୟପୁର ସମୁଦ୍ର ନିକଟରେ ଏକ ଅଜଣା ବିରାଟକାୟ ଲୁହା ବସ୍ତୁ ଭାସି ଆସିଥିବା ଲୋକେ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ବୋର୍ଟ ସାହାଯ୍ୟରେ ଉକ୍ତ ବସ୍ତୁ ନିକଟକୁ ଯାଇ ଦେଖିଥିଲେ । ବସ୍ତୁଟି ଲୁହା ହୋଇଥିବା ବେଳେ ତାହା ନାଲି ରଙ୍ଗର ରହିଥିଲା । ଯେଉଁଥିରେ B.I.W.T.A ବୋଲି ଲେଖାଯାଇଛି । ତେବେ କିଛି ମତ୍ସ୍ୟଜୀବୀ ମଝି ସମୁଦ୍ରରେ ଜାହାଜକୁ ମାର୍ଗ ଦର୍ଶାଉଥିବା ବୟାଁ କହିଛନ୍ତି । ଏହା ପ୍ରଥମେ ଉଦୟପୁର ସମୁଦ୍ରରେ ଲାଗିବାପରେ ଏବେ ଧୀରେ ଧୀରେ ଭାସି ଯାଇ ଦୀଘା ସମୁଦ୍ରକୂଳ ନିକଟରେ ପହଞ୍ଚିଛି । ତେବେ ସେଥିରେ ଲାଗିଥିବା କିଛି ମୂଲ୍ୟବାନ ଜିନିଷ କେହି ବାହାର କରିନେଇଥିବା ଜଣାପଡିଛି ।
ଅଦିନିଆ ରଥଯାତ୍ରା ଜିଦରେ ଅଟଳ ଇସ୍କନ, ନଭେମ୍ବର ୯ରେ ହଷ୍ଟନରେ କରିବ ରଥଯାତ୍ରା
ନନ୍ଦିଘୋଷ ବ୍ୟୁରୋ: ଇସ୍କନର ମନମାନି । ଗଜପତି ମହାରାଜଙ୍କ ଅନୁରୋଧ ପରେ ମଧ୍ୟ ଆସନ୍ତା ନଭେମ୍ବର ୯ ତାରିଖରେ ଆମେରିକାର ହଷ୍ଟନରେ ରଥଯାତ୍ରାର ଆୟୋଜନ କରୁଛି ଇସ୍କନ । ଯଦିଓ ଇସ୍କନ ପକ୍ଷରୁ ସ୍ନାନଯାତ୍ରାକୁ ବନ୍ଦ କରାଯାଇଛି, ରଥଯାତ୍ରାକୁ କିନ୍ତୁ ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ଆୟୋଜନ କରାଯାଉଛି । ଇସ୍କନର ଏଭଳି ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକୁ ସମାଲୋଚନା କରିଛନ୍ତି ସେଠାରେ ରହୁଥିବା ଓଡିଆ ଓ ଭାରତୀୟମାନେ । ସେମାନେ ମଧ୍ୟ ଇସ୍କନ ସୋସାଇଟିକୁ ଏଭଳି ସଂସ୍କୃତି ବିରୋଧୀ କାର୍ଯ୍ୟ ନକରିବାକୁ ଅପିଲ କରିଛନ୍ତି । ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ସେମାନେ। ବିଦେଶରେ ଇସ୍କନ ପକ୍ଷରୁ ଆୟୋଜିତ ହେଉଥିବା ରଥଯାତ୍ରାକୁ ନେଇ ଇସ୍କନ ସୋସାଇଟି ସହ ଗଜପତି ମହାରାଜଙ୍କ ବୈଠକ ହୋଇଥିଲା । ଅଦିନିଆ ରଥଯାତ୍ରା ନ କରିବାକୁ ଇସ୍କନ ପ୍ରତିଶୃତି ଦେଇଥିଲା। ଏହାକୁ ଉଲ୍ଲଂଘନ କରି ପୁଣି ଥରେ ବିଦେଶରେ ଅଦିନିଆ ରଥଯାତ୍ରା କରାଯାଉଛି।
ବାତ୍ୟା ଦାନାରେ ଅଧିକ ପ୍ରଭାବିତ ହୋଇଛି ୧୪ ଜିଲ୍ଲା, ପ୍ରାଥମିକ ଆକଳନ ଅନୁଯାୟୀ ୬୦୦ କୋଟିର କ୍ଷୟକ୍ଷତି
ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଦାନାରେ ଅଧିକ ପ୍ରଭାବିତ ହୋଇଛି ୧୪ ଜିଲ୍ଲା । ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କଟକ, ଗଞ୍ଜାମ, ଜଗତସିଂହପୁର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ପରି ଜିଲ୍ଲା ପ୍ରଭାବିତ ହୋଇଥିବା ରିପୋର୍ଟ ପ୍ରଦାନ କରାଯାଇଛି । ପ୍ରାଥମିକ ଆକଳନ ଅନୁଯାୟୀ ସମସ୍ତ ଜିଲ୍ଲାରେ ୬୦୦ କୋଟିର କ୍ଷୟକ୍ଷତି ହୋଇଥିବା ଜଣା ପଡିଛି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ବ୍ୟାପକ କ୍ଷତି ହୋଇଛି । ୧୪ ଜିଲ୍ଲାର ୧୬୬ ବ୍ଲକରୁ ୧୩୧ଟି ବ୍ଲକ କ୍ଷତି ସହିଛନ୍ତି । ୧୧ ହଜାର ୬୩୭ ଗାଁ ବନ୍ୟା ଓ ବାତ୍ୟାରେ ପ୍ରଭାବିତ ହୋଇଛି । ସମୁଦାୟ ୪୧ ଲକ୍ଷ ୪୩୫୭ ଲୋକ ପ୍ରଭାବିତ ହୋଇଛନ୍ତି । ୧୬ ହଜାର ୪୧୭ଟି ଘର କ୍ଷତିଗ୍ରସ୍ତ ହୋଇଛି। ୪୦୦୦ ପାଖାପାଖି କୁକଡ଼ା କ୍ଷତି ହୋଇଛି। ୭୧ ଗୃହପାଳିତ ପଶୁ ମୃତ୍ୟୁବରଣ କରିଛନ୍ତି । ନଭେମ୍ବର ଦୁଇ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ସମସ୍ତ ବିଭାଗକୁ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର । ତେବେ ଶିଶୁ ଖାଦ୍ୟ, ରିଲିଫ ସେଣ୍ଟର, ରନ୍ଧା ଖାଦ୍ୟ, ଫସଲ ଓ ଘର ଭଙ୍ଗା ନେଇ ପ୍ରଥମ ରିପୋର୍ଟ ପ୍ରଦାନ କରାଯାଇଛି। ଦ୍ଵିତୀୟରେ ରାଜ୍ୟ ସରକାରଙ୍କ ବିଭାଗୀୟ ରିପୋର୍ଟ ପ୍ରଦାନ କରାଯାଇଛି । ପଞ୍ଚାୟତିରାଜ ବ୍ୟତିତ ଅନ୍ୟ ସବୁ ବିଭାଗ ରିପୋର୍ଟ ଦେଇଛନ୍ତି। ରିପୋର୍ଟକୁ ତର୍ଜମା କରାଯାଇ ଆଜି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ହେବ କ୍ଷୟକ୍ଷତିର ହିସାବ। ଆସନ୍ତାକାଲି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯିବ। ରିପୋର୍ଟ ଦିଆଯିବା ପରେ କେନ୍ଦ୍ରୀୟ ଟିମ ଆସି କ୍ଷୟକ୍ଷତିର ଅନୁଧ୍ୟାନ କରିବ ।
ଲଜ୍ଜାଜନକ ପରାଜୟ ପରେ କାଠଗଡ଼ାରେ ଗମ୍ଭୀର,ବୋର୍ଡ ଗମ୍ଭୀରଙ୍କୁ ପଚାରିବ ‘ଗମ୍ଭୀର’ ପ୍ରଶ୍ନ
ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ ଏବେ ସବୁଠି ଚର୍ଚ୍ଚାର ବିଷୟ । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ହାରିବା ପରେ ଏବେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗମ୍ଭୀରଙ୍କ ପାଇଁ ଗମ୍ଭୀର ପ୍ରଶ୍ନମାନ ବିସିସିଆଇ ପକ୍ଷରୁ ରଖାଯାଇଥିବା କୁହାଯାଉଛି । ତେବେ ଦୀର୍ଘ ୨୪ ବର୍ଷପରେ ଘରୋଇ ମାଟିରେ ଭାରତ କ୍ଲିନସୁଇପ ହୋଇଛି । ଏପରି ଏକ ଅଲୋଡ଼ା ରେକର୍ଡ ଏବେ ସମାଲୋଚକମାନେ ଟିମ ଇଣ୍ଡିଆ ଆଗରେ ଛିଡ଼ା କରିଛନ୍ତି । ଶେଷଥର ଲାଗି ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ୨ ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିପ ସୁଇପ ହୋଇଥିଲା ।
ପ୍ରଥମେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଆଉ ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ପରେ ଭାରତୀୟ ଦଳ ପ୍ରଦର୍ଶନକୁ ନେଇ ଗମ୍ଭୀରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗମ୍ଭୀର ନିଷ୍ପତ୍ତିକୁ ନେଇ ମଧ୍ୟ ସମାଲୋଚନା କରାଯାଉଛି । ମହମ୍ମଦ ସିରାଜଙ୍କୁ ନାଇଟ ଓ୍ବାଚର ଭାବେ ଆଗରେ ଛାଡ଼ିବା ଏବଂ ସର୍ଫରାଜଙ୍କ ବ୍ୟାଟିଂ ଅର୍ଡର ବଦଳ କରିବା ପାଇଁ ମଧ୍ୟ ବିଭିନ୍ନ ସମାଲୋଚନା କରାଯାଉଛି । ରବି ଶାସ୍ତ୍ରୀ ଏବଂ ରାହୁଲ ଦ୍ରାବିଡଙ୍କୁ ଯେଉଁ ସୁବିଧା ମିଳିନଥିଲା ଗମ୍ଭୀର ସେହି ସୁବିଧା ଦିଆଯାଇଥିଲା । ମାତ୍ର ସେ ଏହାର ଫାଇଦା ଉଠାଇ ପାରିନାହାନ୍ତି । ଚୟନକମିଟି ବୈଠକରେ ହେଡ କୋଚଙ୍କୁ କେବେ ମଧ୍ୟ ସଦସ୍ୟ ରଖାଯାଇନଥାଏ । ମାତ୍ର ଗମ୍ଭୀରଙ୍କୁ ଏହି ସୁଯୋଗ ମିଳିଛି । ସେପଟେ ଘରୋଇ ମାଟିରେ ଭାରତୀୟ ଏଭଳି ପ୍ରଦର୍ଶନ କରିଥିବାବେଳେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଏଣୁ ଏହି ସିରିଜରେ ଦଳରେ ପ୍ରଦର୍ଶନ କିଭଳି ରହିବ ତାକୁ ନେଇ ସବୁଠି ଚର୍ଚ୍ଚା ହେଉଥିବାବେଳେ ପ୍ଲେଇଙ୍ଗ ୧୧ କଣ ରହିବ ତାହା ଚର୍ଚ୍ଚାର ବିଷୟ ।

