spot_img
Home Blog Page 1393

ଲଜ୍ଜାଜନକ ପରାଜୟ ପରେ କାଠଗଡ଼ାରେ ଗମ୍ଭୀର,ବୋର୍ଡ ଗମ୍ଭୀରଙ୍କୁ ପଚାରିବ ‘ଗମ୍ଭୀର’ ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ ଏବେ ସବୁଠି ଚର୍ଚ୍ଚାର ବିଷୟ । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ହାରିବା ପରେ ଏବେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗମ୍ଭୀରଙ୍କ ପାଇଁ ଗମ୍ଭୀର ପ୍ରଶ୍ନମାନ ବିସିସିଆଇ ପକ୍ଷରୁ ରଖାଯାଇଥିବା କୁହାଯାଉଛି । ତେବେ ଦୀର୍ଘ ୨୪ ବର୍ଷପରେ ଘରୋଇ ମାଟିରେ ଭାରତ କ୍ଲିନସୁଇପ ହୋଇଛି । ଏପରି ଏକ ଅଲୋଡ଼ା ରେକର୍ଡ ଏବେ ସମାଲୋଚକମାନେ ଟିମ ଇଣ୍ଡିଆ ଆଗରେ ଛିଡ଼ା କରିଛନ୍ତି । ଶେଷଥର ଲାଗି ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ୨ ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିପ ସୁଇପ ହୋଇଥିଲା ।

ପ୍ରଥମେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଆଉ ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ପରେ ଭାରତୀୟ ଦଳ ପ୍ରଦର୍ଶନକୁ ନେଇ ଗମ୍ଭୀରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗମ୍ଭୀର ନିଷ୍ପତ୍ତିକୁ ନେଇ ମଧ୍ୟ ସମାଲୋଚନା କରାଯାଉଛି । ମହମ୍ମଦ ସିରାଜଙ୍କୁ ନାଇଟ ଓ୍ବାଚର ଭାବେ ଆଗରେ ଛାଡ଼ିବା ଏବଂ ସର୍ଫରାଜଙ୍କ ବ୍ୟାଟିଂ ଅର୍ଡର ବଦଳ କରିବା ପାଇଁ ମଧ୍ୟ ବିଭିନ୍ନ ସମାଲୋଚନା କରାଯାଉଛି । ରବି ଶାସ୍ତ୍ରୀ ଏବଂ ରାହୁଲ ଦ୍ରାବିଡଙ୍କୁ ଯେଉଁ ସୁବିଧା ମିଳିନଥିଲା ଗମ୍ଭୀର ସେହି ସୁବିଧା ଦିଆଯାଇଥିଲା । ମାତ୍ର ସେ ଏହାର ଫାଇଦା ଉଠାଇ ପାରିନାହାନ୍ତି । ଚୟନକମିଟି ବୈଠକରେ ହେଡ କୋଚଙ୍କୁ କେବେ ମଧ୍ୟ ସଦସ୍ୟ ରଖାଯାଇନଥାଏ । ମାତ୍ର ଗମ୍ଭୀରଙ୍କୁ ଏହି ସୁଯୋଗ ମିଳିଛି । ସେପଟେ ଘରୋଇ ମାଟିରେ ଭାରତୀୟ ଏଭଳି ପ୍ରଦର୍ଶନ କରିଥିବାବେଳେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଏଣୁ ଏହି ସିରିଜରେ ଦଳରେ ପ୍ରଦର୍ଶନ କିଭଳି ରହିବ ତାକୁ ନେଇ ସବୁଠି ଚର୍ଚ୍ଚା ହେଉଥିବାବେଳେ ପ୍ଲେଇଙ୍ଗ ୧୧ କଣ ରହିବ ତାହା ଚର୍ଚ୍ଚାର ବିଷୟ ।

ସରକାରଙ୍କ ଡ୍ଯାମେଜ କଣ୍ଟ୍ରୋଲ ଅପଚେଷ୍ଟାକୁ ବିଜେଡିର ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ଦାରିଙ୍ଗବାଡ଼ି ମାଣ୍ଡିପଙ୍କା ଗାଁ ଟାକୁଆ ଟ୍ରାଜେଡିରେ ସରକାରଙ୍କ ଡ୍ଯାମେଜ କଣ୍ଟ୍ରୋଲ ଅପଚେଷ୍ଟାକୁ ଜୋରଦାର ସମାଲୋଚନା କରିଛି ବିଜେଡି । ଏହି ଘଟଣାରେ ଏଯାଏଁ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ମୁହଁ ଖୋଲିନାହାଁନ୍ତି । କିନ୍ତୁ ଅନ୍ଯ ମନ୍ତ୍ରୀମାନେ ଏଥିରେ ଟ୍ବିଷ୍ଟ ପରେ ଟ୍ବିଷ୍ଟ ଦେଇ ହାଲୁକା କରିବାରେ ବ୍ଯସ୍ତ । ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅପପୁଷ୍ଟି ହୋଇନି ବୋଲି ବୟାନ ଅତ୍ଯନ୍ତ ଦୁର୍ଭାଗ୍ଯଜନକ । ସେହିପରି ଆମ୍ବ ଟାକୁଆ ଜାଉ ଖାଇବା ସେହି ଅଞ୍ଚଳର ପାରମ୍ପରିକ ଖାଦ୍ଯ ବୋଲି କହିବା ଆହୁରି ଦୁର୍ଭାଗ୍ଯଜନକ ବୋଲି କହିଛି ବିଜେଡି । ଏଥିପାଇଁ ଓଡ଼ିଶା ଲଜ୍ଜିତ ଓ ଦୁଃଖିତ । ନିଜ ଆଚରଣ ଓ ଉଚ୍ଚାରଣ ପାଇଁ ତୁରନ୍ତ ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦଳ ଦାବି କରିଛି । ସବୁଠାରୁ ବିବାଦୀୟ ବିବୃତି ଗତକାଲି ମନ୍ତ୍ରୀ ଦେଇଥିଲେ । ମାଣ୍ଡିପଙ୍କା ଗାଁର ଏହି ସବୁ ପରିବାର ପାଖରେ ପ୍ରଚୁର ପରିମାଣର ଖାଦ୍ୟ ସାମଗ୍ରୀ ଥିଲା ।

ଏହାକୁ ଯେତେ କଡା ଭାଷାରେ ଗାଳି କଲେ ବି କମ ହେବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ସଂଜୟ ଦାସ ବର୍ମା । ଘଟଣାକୁ ୬ ଦିନ ବିତିଲାଣି । କନ୍ଧମାଳ ଜିଲ୍ଲାପାଳ ଘଟଣା ସ୍ଥଳକୁ ଯାଇନାହାଁନ୍ତି  । ତୁରନ୍ତ ଯାଆନ୍ତୁ ବୋଲି ବିଜେଡି କହିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଉତ୍ତମ ଚିକିତ୍ସା ଦିଆଯାଉ । କେନ୍ଦ୍ର ସରକାର ଯେଉଁ ଖାଦ୍ୟ କୋଟା ରିଲିଜ କରିଛନ୍ତି, ସେଥିରେ ଖାଦ୍ୟ ସୁରକ୍ଷା ନିୟମରେ ଏକାସାଙ୍ଗେ ତିନି ମାସର ଚାଉଳ ୨୫ ଦିନରେ ବାଣ୍ଟିବାର ନିୟମ ରହିଛି । ତାହା ସରକାର ପାଳନ କରିନାହାଁନ୍ତି, ତୁରନ୍ତ ପାଳନ କରନ୍ତୁ ବୋଲି ଦାବି କରିଛି ବିଜେଡି । ଏପରି ଏକ ସମ୍ବେଦନଶୀଳ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି ।

ଘରେ ଘରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାକୁ ନିୟମ ରହିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ରେ ସଂସଦରେ ଆସିଲା । ବାଦ ପଡିଥିବା ୨୫ ଲକ୍ଷ ଲୋକଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କଲେ । ହିତାଧିକାରୀ ଚୟନରୁ ଖାଦ୍ୟ ବଣ୍ଟନ ଯାଏଁ ରାଜ୍ୟ ସରକାରଙ୍କ ଦାୟିତ୍ୱ । ରାଜ୍ୟ ସରକାର ଏହାର କାର୍ଯ୍ୟକାରିତା ପାଇଁ ଉତ୍ତରଦାୟୀ । ମାଣ୍ଡିପଙ୍କା ଗାଁରେ ରାସନ ବଣ୍ଟା ହୋଇନି । ଯେଉଁ ଆଠ ପରିବାର ପୀଡିତ ଅଛନ୍ତି, ସେମାନେ ଖାଦ୍ୟ ସୁରକ୍ଷା ଆଇନରୁ ବଂଚିତ ହୋଇଛନ୍ତି । ଗତ ସେପ୍ଟେମ୍ବର ୨୮ ତାରିଖରେ ଖାଦ୍ୟ ବଣ୍ଟନ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରର ବଣ୍ଟନ ୨୫ ଦିନରେ ସାରିବାକୁ ନିର୍ଦ୍ଦେଶ ଦିଆଗଲା । ହେଲେ ସରକାରୀ ଅର୍ଡର କାର୍ଯ୍ୟକାରୀ ହୋଇନି । ଗଣମାଧ୍ୟମ ଓ ରାଜନୈତିକ ଦଳ ଆଗକୁ ଆସିବାରୁ, ବଣ୍ଟନ ପାଇଁ ପଦକ୍ଷେପ ନିଆଗଲା ବୋଲି କହିଛି ବିଜେଡି ।

କାନାଡ଼ା ବ୍ରମ୍ପଟନର ଏକ ମନ୍ଦିରରେ ଆକ୍ରମଣ, ଭାରତୀୟ ଦୂତାବାସର କ୍ୟାମ୍ପ ଚାଲିଥିବା ବେଳେ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: କାନାଡ଼ାର ବ୍ରମ୍ପଟନରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ସେଠାରେ ଭାରତୀୟ ଦୂତାବାସ ପକ୍ଷରୁ ଏକ ଶିବିର ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଛି। ଲୋକଙ୍କ ସୁବିଧା ପାଇଁ ଦୂତାବାସ ପକ୍ଷରୁ ଏହି ମନ୍ଦିରରେ ଏକ କ୍ୟାମ୍ପ କରାଯାଇ ଭିସା-ପାସପୋର୍ଟ ଓ ଜୀବନ ପ୍ରମାଣପତ୍ର ସଂପର୍କିତ କାମ କରାଯାଉଥିଲା। ଏହି ସମୟରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଏହା ପଛରେ ଖଲିସ୍ତାନୀଙ୍କ ହାତ ଥିବା ଅଭିଯୋଗ ହୋଇଛି। ଭାରତର ବୈଦେଶିକ ମନ୍ତ୍ରାଳୟ ତରଫରୁ ଏହାକୁ କଡ଼ା ନିନ୍ଦା କରାଯାଇଛି। ଉପଯୁକ୍ତ ସୁରକ୍ଷା ପାଇଁ ଆଗରୁ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଯାଇଥିଲା। ତା ସତ୍ତ୍ଵେ ଏହି ଆକ୍ରମଣ ହେବା ଉଦବେଗଜନକ ବୋଲି ଭାରତ ପକ୍ଷରୁ କୁହାଯାଇଛି।

ଭାରତ ଓ କାନାଡ଼ା ମଧ୍ୟରେ କୂଟନୀତିସ୍ତରରେ ଉତ୍ତେଜନା ଚାଲିଥିବା ବେଳେ ଏହି ଆକ୍ରମଣ ଘଟଣା ଆହୁରି ସଂକଟ ସୃଷ୍ଟି କରିପାରେ। ସେପଟେ କାନାଡ଼ାର ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ନାଗରିକ ନିଜ ନିଜ ଧର୍ମ ପାଳନ କରିବାର ଅଧିକାର ଅଛି। ଏଥିରେ କେହି ବାଧା ଦେଇପାରିବେ ନାହିଁ। ମନ୍ଦିରରେ ଯେଉଁ ଆକ୍ରମଣ ହୋଇଛି, ତାହା ଗ୍ରହଣୀୟ ନୁହେଁ। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜଷ୍ଟିିନ ଟ୍ରୁଡୁ ।

ମେଘନାଦ ପାଚେରୀ ଫାଟ ହୋଇ ପାଣି ଝରିବା ପ୍ରସଙ୍ଗ, ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସଆଇ

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀ ଫାଟ ହୋଇ ପାଣି ଝରିବା ପ୍ରସଙ୍ଗ। ମେଘନାଦ ପାଚେରୀର ପୂର୍ବ, ପଶ୍ଚିମ ଓ ଉତ୍ତର କୋଣରୁ ଝରୁଛି ପାଣି । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସଆଇ । ପ୍ରାଚୀନ କୀର୍ତ୍ତୀରାଜି ମେଘନାଦ ପାଚେରୀର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଏହାସହ ଶ୍ରୀମନ୍ଦିର ଭିତରର ବିଭିନ୍ନ ଜାଗାର ଦୁର୍ବଳ ଡ୍ରେନେଜ୍ ବ୍ୟବସ୍ଥା, ହାତଧୁଆ ପାଣି ଏବଂ ପାଣି ପାଇପକୁ ଶୀଘ୍ର ମରାମତି କରିବାକୁ ମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇ।

ଟ୍ରେନ ଦୁର୍ଘଟଣାରେ ସାଥୀ ଦନ୍ତା ହାତୀର ମୃତ୍ୟୁ ପରେ ଝୁରୁଛି ଆଉ ଏକ ଦନ୍ତା ହାତୀ

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚିନ୍ତା ପୋଖୋରୀ ଟ୍ରେନ ଦୁର୍ଘଟଣାରେ ସାଥୀ ଦନ୍ତା ହାତୀର ମୃତ୍ୟୁ ପରେ ଝୁରୁଛି ଆଉ ଏକ ଦନ୍ତା ହାତୀ। ଗତକାଲି ଟ୍ରେନ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦନ୍ତା ହାତୀ ପାଖରେ ରାତି ତମାମ ଜଗି ରହିଥିଲା ସାଥୀ ଦନ୍ତା ହାତୀ। ଏପରିକି ବନ ବିଭାଗ ଘଉଡ଼ାଇବା ପରେ ମଧ୍ୟ ଯାଇନଥିଲା। ତେବେ ସକାଳ ୭ଟା ପରେ ଦନ୍ତା ହାତୀଟି ଘଟଣାସ୍ଥଳରୁ ଚାଲିଯାଇଥିଲା।

ପୂର୍ବରୁ ଦନ୍ତା ହାତୀଟି ଅଞ୍ଚଳରେ ପୁରା ଆତଙ୍କ ଖେଳାଇଥିଲା । ଏହି ଦୁଇ ଦନ୍ତା ହାତୀ ଏକାଠି ଗୋଟିଏ ଦଳରେ ବୁଲନ୍ତି । ତେବେ ଦୁର୍ଘଟଣାରେ ହାତୀର ମୃତ୍ୟୁ ପରେ ଉତ୍ପାତ କରୁଥିବା ଦନ୍ତାଟି ତାର ସାଙ୍ଗକୁ ଖୋଜି ବୁଲୁଥିବା କଥା ଆଲୋଚନା ହେଉଛି ।

ଗଛ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପଣ୍ଡାକୁଦିଆରେ ୧୬୩ ଧାରା ଜାରି

ଭୁବନେଶ୍ଵର: ରାଜଧାନୀରେ ଗଛ କଟାକୁ ନେଇ ମହାଭାରତ । ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଅନ୍ତର୍ଗତ ପଣ୍ଡାକୁଦିଆ ଗାଁରେ ଗୋଷ୍ଠୀ ସଂଘର୍ଷ । ଗାଁ ଦାଣ୍ଡ ମଣ୍ଡପରେ ଥିବା ଗଛ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗଛ କାଟିଥିବା ଶେଖ୍ ହାଇଦରକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ପରିସ୍ଥିତି ଏବେବି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ପଣ୍ଡାକୁଦିଆରେ ୧୬୩ ଧାରା ଜାରି ହୋଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଗାଁରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଆମ୍ବ ଟାକୁଆ ଟ୍ରାଜେଡି ପ୍ରସଙ୍ଗ; ପୁଣି ଗରିବୀକୁ ଉପହାସ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଆମ୍ବ ଟାକୁଆ ଟ୍ରାଜେଡି ପ୍ରସଙ୍ଗରେ ପୁଣି ଗରିବୀକୁ ଉପହାସ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଭାଗର ଅପାରଗତାକୁ ସ୍ବୀକାର କରିବା ବଦଳରେ ମିଛ କହି ଚାଲିଛନ୍ତି ଯୋଗାଣ ମନ୍ତ୍ରୀ । ପୁଣିଥରେ କହିଛନ୍ତି, ଅଘଟଣ ଖାଦ୍ୟ ଅଭାବ ଜନିତ ନୁହେଁ। ମନ୍ତ୍ରୀଙ୍କ କହିବା ଅନୁସାରେ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ଥିଲା । ଆମ୍ବ ଟାକୁଆ ଖାଇବା ସେମାନଙ୍କ ଅଭ୍ୟାସ । ଯେତେ ବୁଝାଇଲେ ବି ସେମାନେ ଶୁଣୁନାହାନ୍ତି କହି ତାତ୍ସଲ୍ଯ କରିଛନ୍ତି ମନ୍ତ୍ରୀ । ବେଶି ଦିନ ରହିଯିବାରୁ ଆମ୍ବ ଟାକୁଆ ବିଷ ହେଇଯାଇଥିବାରୁ ଏପରି ଦୁଃଖଦ ଘଟଣା ଘଟିଥିବା ମନ୍ତ୍ରୀ କହିଛନ୍ତି । ହେଲେ ଗାଁ ଲୋକଙ୍କ କହିବା ଅନୁସାରେ ସେମାନଙ୍କୁ ୩ମାସ ହେଲା ଚାଉଳ ମିଳିନଥିଲା । ଯେଉଁଥିପାଇଁ ଭୋକ ବିକଳରେ ସେମାନେ ଆମ୍ବଟାକୁଆ ଜାଉ ଖାଇବାକୁ ବାଧ୍ଯ ହୋଇଛନ୍ତି । ମନ୍ତ୍ରୀଙ୍କ ଚାଉଳ ମିଛ ସରକାରୀ ପ୍ରେସରିଲିଜରୁ ବି ଧରାପଡ଼ିଛି । ଏବେ ପୁଣି ନିଜ ଦୋଷ ଘୋଡ଼େଇବାକୁ ଲୋକଙ୍କୁ ଦୋଷ ଠେଲିଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ ଏଭଳି ଦାୟିତ୍ବହୀନ ମନ୍ତବ୍ଯକୁ ସବୁଠି ସମାଲୋଚନା କରାଯାଉଛି ।

ଇରାନ ବିଶ୍ୱବିଦ୍ୟାଳୟରେ ହିଜାବ ବିରୋଧରେ ଅର୍ଦ୍ଧନଗ୍ନ ହୋଇ ପ୍ରତିବାଦ କରିଥିବା ଛାତ୍ରୀଙ୍କର କ’ଣ ହେଲା ?

ନନ୍ଦିଘୋଷ ବ୍ୟୁରୋ: ଇରାନର ଏକ ବିଶ୍ୱବିଦ୍ୟାଳୟରେ ଯୁବତୀ ଅର୍ଦ୍ଧନଗ୍ନ ହେବା ଘଟଣା । ସୋସିଆଲ ମିଡିଆରେ ଯୁବତୀଙ୍କୁ ସମର୍ଥନ କରି ୟୁଜର୍ସ ଦାବି କରିଛନ୍ତି ଯେ, ଯୁବତୀ ଜଣଙ୍କ ହିଜାବକୁ ଦୃଢ ବିରୋଧ କରି ସର୍ବସାଧାରଣରେ ଅନ୍ତଃବସ୍ତ୍ରରେ ପ୍ରତିବାଦ କରିଥିଲେ। ଠିକ୍ ସେହିପରି ସମର୍ଥନ କରିଥିଲେ ଯେପରି ଦୁଇ ବର୍ଷ ପୂର୍ବେ ପୋଲିସ୍ ହେପାଜତରେ ମୃତ୍ୟୁବରଣ କରିଥିବା ମହସା ଅମିନୀଙ୍କୁ। ମହସା ହିଜାବ୍ ସଠିକ୍ ଭାବରେ ନ ପିନ୍ଧିବା’ କାରଣରୁ ତାଙ୍କୁ ଗିରଫ କରାଯାଇଥିଲା।

ଇରାନ ପରି ଦେଶରେ, ଯେଉଁଠାରେ ହିଜାବକୁ ଠିକ୍ ଭାବରେ ନ ପିନ୍ଧିଲେ ଜେଲ ହୋଇଯାଏ, ଏଭଳି ଘଟଣା ଘଟିବା ଏକ ଆଶ୍ଚର୍ଯ୍ୟଜନକ। ଏଭଳି ପରିସ୍ଥିତିରେ, ଏହି ବିରୋଧ ପରେ ଯୁବତୀଙ୍କ ସହ କ’ଣ ଘଟିଛି ଏବଂ ବର୍ତ୍ତମାନ ସେ କେଉଁଠାରେ ଅଛନ୍ତି ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି । ଏକ ରିପୋର୍ଟ ଅନୁଯାୟୀ, ଯୁବତୀ ହିଜାବ ନ ପିନ୍ଧି ବିଶ୍ୱବିଦ୍ୟାଳୟକୁ ପ୍ରବେଶ କରିବାରୁ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇଥିଲେ ଏହା ପରେ ମହିଳା ଜଣକଙ୍କ ନିଜର ପୋଷାକ କାଢି ଦେଇଥିଲେ।

ଏହି ଘଟଣା ତେହେରାନର ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଘଟିଛି। ସୂଚନା ଅନୁଯାୟୀ, ଘଟଣା ପରେ ମହିଳାଙ୍କୁ ପ୍ରଥମେ ପୋଲିସ ଷ୍ଟେସନକୁ ନିଆଯାଇଥିଲା ଏବଂ ପରେ ତାଙ୍କୁ ପାଗଳ ଖାନାକୁ ପଠାଯାଇଥିଲା। ଯୁବତୀ ଜଣଙ୍କ ମାନସିକ ରୋଗରେ ପୀଡିତ ଥିବା ବିଶ୍ୱବିଦ୍ୟାଳୟର ମୁଖପାତ୍ର କହିଛନ୍ତି ।

ଭୁଶୁଡିଲା ସେୟାର ମାର୍କେଟ୍, ୧୧୦୦ରୁ ଅଧିକ ପଏଣ୍ଟ ଖସିଲା ସେନସେକ୍ସ

ନୂଆଦିଲ୍ଲୀ: ଭୁଶୁଡିଲା ସେୟାର ଭାରତୀୟ ସେୟାର ମାର୍କେଟ। ସେନସେକ୍ସ ୧୧୦୦ ପଏଣ୍ଟରୁ ଅଧିକ ଖସିଥିବା ବେଳେ ନିଫ୍ଟି ଖସିଛି ୪୦୦ ପଏଣ୍ଟ। ଆଜି ସକାଳେ ମାର୍କେଟ ଖୋଲୁ ଖୋଲୁ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା। ମାର୍କେଟରୁ ବିଦେଶୀ ନିବେଶକାରୀମାନେ ପୁଞ୍ଜି ପ୍ରତ୍ୟାହାର କରି ନେଉଥିବାରୁ ମାର୍କେଟ କ୍ରାସ୍ କରିଥିବା କୁହାଯାଉଛି। କେବଳ ଅକ୍ଟୋବରରେ ବିଦେଶୀ ନିବେଶକାରୀ ୧ ଲକ୍ଷ ୧୩ ହଜାର ୮୫୮ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ଆଗକୁ ମାର୍କେଟର ସ୍ଥିତି କଣ ହେବ, ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ତା ସହିତ ହାଇ ଭ୍ୟାଲୁଏସନ୍ ଓ ରିଟର୍ଣ୍ଣ କମ୍ ହେବାର ଆଶଙ୍କା ଦେଖା ଦେଇଛି। ଏହି କାରଣରୁ ବିଦେଶୀ ନିବେଶକାରୀ ନିଜର ପୁଂଜି ପ୍ରତ୍ୟାହାର କରିନେଇଥିବା କୁହାଯାଉଛି। ଏଥିପାଇଁ କିଛି ଦିନ ଭିତରେ ସର୍ବୋଚ୍ଚସ୍ତରରୁ ୮ ପ୍ରତିଶତ ଖସିଛି ମାର୍କେଟ। ଆଗକୁ ମଧ୍ୟ ପ୍ରମୁଖ କମ୍ପାନିଗୁଡ଼ିକ ଭଲ ଲାଭ କରିନପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେଣୁ ଭାରତର ମାର୍କେଟରୁ ବିଦେଶୀ ନିବେଶକାରୀ ନିଜର ଅର୍ଥ କାଢ଼ି ନେଉଛନ୍ତି।

ତାସହିତ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ବି ଅନିଶ୍ଚିତତା ଅଛି। କିଏ ଜିତିବ, କହି ହେଉନାହିଁ। ଟ୍ରମ୍ପ ଜିତିଲେ କିଛି ଦିନ ମାର୍କେଟ ଉପରକୁ ଉଠିପାରେ, ତା ପରେ ଖସିବ। ସେହିପରି କମଳା ହାରିସ୍ ଜିତିଲେ ମାର୍କେଟରେ ଏହାର ଭଲ ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି। ଏସବୁର କାରଣରରୁ ଭାରତୀୟ ମାର୍କେଟ କ୍ରାସ୍ ହୋଇଛି ।

ପୁଣି ଓଡ଼ିଶାର ଶିଳ୍ପ ସ୍ବପ୍ନକୁ ବଡ଼ ଝଟକା; ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲିଯିବ ନିପ୍ପନ ଷ୍ଟିଲ୍

ଭୁବନେଶ୍ୱର: ପୁଣି ଓଡ଼ିଶାର ଶିଳ୍ପ ସ୍ବପ୍ନକୁ ବଡ଼ ଝଟକା। ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲିଯିବ ନିପ୍ପନ ଷ୍ଟିଲ୍। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା। ପ୍ରତାପ କହିଛନ୍ତି, ବିଜେପି ସରକାର ଆସିବା ପରେ ସବୁ ଆଶା ଭାଙ୍ଗିଯାଉଛି। ପ୍ରଥମେ JSW ଇଭି ପ୍ରକଳ୍ପକୁ ଓଡ଼ିଶାରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିଦିଆଗଲା। ଆଉ ଏବେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲକୁ ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତର କରାଯାଉଛି । ଯାହାକି ଓଡ଼ିଶା ତଥା କେନ୍ଦ୍ରାପଡ଼ାରେ ବଡ଼ ପ୍ରକଳ୍ପର ସମ୍ଭାବନାକୁ ପ୍ରଭାବିତ କରିପାରେ । ଏହା କେନ୍ଦ୍ରାପଡାର ଲୋକଙ୍କ ପାଇଁ ଚାକିରି ଏବଂ ଓଡ଼ିଶାର ଆର୍ଥିକ ଆଗ୍ରଗତି ପାଇଁ ଏକ ବଡ଼ କ୍ଷତି ।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୨୫ ବର୍ଷରେ ଓଡ଼ିଶା ଜଣେ ଶକ୍ତିଶାଳୀ ଔଦ୍ୟୋଗିକ ରାଜ୍ୟ ହୋଇପାରିଛି । କେନ୍ଦ୍ରାପଡାକୁ ନିପ୍ପନ ଷ୍ଟିଲ କାରଖାନା ପ୍ରକଳ୍ପ ଆସିଥିଲେ ଏଠାର ଆର୍ଥିକ ଉନ୍ନତି ଓ ହଜାର ହଜାର ଚାକିରି ସୃଜନର ସମ୍ଭାବନା ଥିଲା । ନବୀନ ନିଜେ ନିପ୍ପନ କାରଖାନାକୁ ଯାଇ ନିବେଶ ପାଇଁ ପକ୍କା ପ୍ରତିଶୃତି ଆଣିଥିଲେ । ହେଲେ ବିଜେପି ସରକାର ଆସିବା ପରେ ସବୁ ଆଶା ଭାଙ୍ଗିଯାଇଛି । ଏହି କି ପ୍ରକାର ଓଡ଼ିଆ ଅସ୍ମିତା ଯାହାକୁ ବିଜେପି ପ୍ରତିଜ୍ଞା କରିଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ।