spot_img
Home Blog Page 1404

ହେବନି ଅଧିକ ଶୀତ, ଦିଲ୍ଲୀ ଦଶା ଭୋଗିବ ଓଡ଼ିଶା !

ଭୁବନେଶ୍ବର: ବର୍ଷା, ବାତ୍ଯା ସତ୍ତ୍ବେ ଶୀତ ଆସିବନି । ଲା-ନିନା ଆସିବାରେ ବିଳମ୍ବ ଯୋଗୁଁ ଏବର୍ଷ ଓଡ଼ିଶାରେ ଶୀତ କମ୍ ହେବ । ନଭେମ୍ବର, ଡିସେମ୍ବର ଓ ଜାନୁଆରୀ ମାସରେ ତାପମାତ୍ରାରେ ହ୍ରାସ ହେବନି । ହିମାଳୟ ପଟୁ ଓଡ଼ିଶାକୁ କମ ପବନ ବହିବ । ଏପରି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ । ସେପଟେ ଭାରତୀୟ ପାଣିପାଗ ରିପୋର୍ଟ ଅନୁସାରେ ୧୯୫୧ ପରେ ଚଳିତବର୍ଷ ଅକ୍ଟୋବରରେ ଦିଲ୍ଲୀ ସବୁଠୁ ଉତ୍ତପ୍ତ ସହର ସାବ୍ଯସ୍ତ ହୋଇଛି । ଧୀରେ ଧୀରେ ଦିଲ୍ଲୀ ଦଶା ଓଡ଼ିଶା ଭୋଗି ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଶୀତରେ ଥରିବ ମଧ୍ୟ ଭାରତ, ହେଲେ ଓଡ଼ିଶାରେ ହେବନି ଶୀତ । ନଭେମ୍ବର, ଡିସେମ୍ବର ଓ ଜାନୁଆରୀରେ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ । ଫଳରେ ଏହି ସମୟରେ ଶୀତର ପ୍ରକୋପ କମ୍ ଅନୁଭୁତ ହେବ । ଏପରି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ । ଘନ ଘନ ଲଘୁଚାପ ହେଲା, ବାତ୍ୟା ଯୋଗୁଁ ବର୍ଷିଲା । ଆଶା ଥିଲା ଭଲ ଶୀତ ହେବ । କିନ୍ତୁ ରାଜ୍ୟରେ ସେଭଳି କିଛି ଥଣ୍ଡା ଅନୁଭୁତ ହେବନି ।

ଶୀତ ନହେବାର ୩ଟି କାରଣ

୩ଟି କାରଣ ଯୋଗୁଁ ଓଡ଼ିଶାରେ ଶୀତର ପ୍ରକୋପ ଚଳିତବର୍ଷ ଦେଖିବାକୁ ମିଳିବନି । ସାଧାରଣତଃ ଜୁଲାଇ ପରେ ଲା-ନିନା ଆସିଥାଏ । କିନ୍ତୁ ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ପରେ ବି ଲା-ନିନା ଆସିନାହିଁ । ଆଶା କରାଯାଉଛି ନଭେମ୍ବରରେ ଆସିପାରେ କିନ୍ତୁ ଶକ୍ତିଶାଳୀ ରହିବନି । ଏହାସହିତ ବହୁତ କମ୍ ସମୟ ପାଇଁ ଓଡ଼ିଶାରେ ରହିବ । ଡିସେମ୍ବର ଓ ଜାନୁଆରୀରେ ବର୍ଷା ହେବା ସମ୍ଭାବନା ରହିଛି । ଫେବ୍ରୁଆରୀ ବେଳକୁ କିଛିଟା ଶୀତ ଅନୁଭୁତ ହେବ । ଏହାସହ ହିମାଳୟ ପଟୁ ଆସୁଥିବା ବାଣିଜ୍ଯିକ ବାୟୁ ବା ଟ୍ରେଡ୍ ଓ୍ବିଣ୍ଡ୍ ପ୍ରବାହିତ ହେବ ଆଶା କମ୍ । ଯାହାଯୋଗୁଁ ତାପମାତ୍ରା କମିବା ପରିବର୍ତ୍ତେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ ଥଣ୍ଡା କମ୍ ହେବା ନେଇ ଆକଳନ କରାଯାଇଛି ।

ଦିଲ୍ଲୀ ଦଶା ଭୋଗିବ ଓଡ଼ିଶା

ସେପଟେ ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ କହୁଛି, ୧୯୫୧ ପରେ ଚଳିତ ଅକ୍ଟୋବରରେ ଦିଲ୍ଲୀ ସବୁଠୁ ଉତ୍ତପ୍ତ ସହର ଭାବେ ଚିହ୍ନଟ ହୋଇଛି । ଏଥର ଓଡ଼ିଶାରେ ମଧ୍ଯ ଅକ୍ଟୋବରରେ ନାହିଁ ନଥିବା ତାତି ଜୀବନକୁ ଅସ୍ତବ୍ଯସ୍ତ କରିଛି । ଦିଲ୍ଲୀ ଦଶା ଓଡ଼ିଶା ଭୋଗିବାକୁ ଯାଉଛି । ଓଡିଶା ଆକାଶରେ ଦିନକୁ ଦିନ ବଢୁଛି ସବୁଜ ଗୃହ ବାଷ୍ପ ପରିମାଣ । ଯାହାଯୋଗୁଁ ଭୂପୃଷ୍ଠର ତାପମାତ୍ରା ନିୟମିତ ଅନ୍ତରରେ ବାୟୁମଣ୍ଡଳକୁ ବିକିରଣ ହେଉନାହିଁ । କଳକାରଖାନା ପ୍ରଦୂଷଣ, ଜୀବାଶ୍ମ ଇନ୍ଧନରେ ଗାଡ଼ି ଚଳାଚଳ ସଂଖ୍ୟା ବଢୁଥିବାରୁ ଏହାର ପ୍ରଭାବ ସମଗ୍ର ଅଞ୍ଚଳରେ ପଡ଼ିବାକୁ ଯାଉଛି । ରାଜଧାନୀ ଭୁବନେଶ୍ବରେ ରାସ୍ତାଘାଟ ସବୁ ଆଡେ କଂକ୍ରିଟ ହେବା ଯୋଗୁଁ ବର୍ଷା ହେଲେ ବି ଭୂତଳକୁ ପାଣି ଯାଉନି । ଏପରିକି ରାସ୍ତା ପାର୍ଶ୍ବରେ ଫେବର ବ୍ଲକ୍ ପଡ଼ିଥିବାରୁ ପାଣି ମାଟି ଭିତରକୁ ପର୍ଯ୍ୟାପ୍ତ ପରିମାଣରେ ଯାଇପାରୁନି । ଏହା ଅତ୍ୟନ୍ତ ବିପଜ୍ଜନକ । ଏଥର ଖାଲି ଓଡ଼ିଶାରେ ଶୀତ କମ୍ ହେବନି ଆନ୍ଧ୍ରପ୍ରଦେଶ, ତାମିଲନାଡୁ ସମେତ ଦକ୍ଷିଣ ଭାରତ ଉପକୂଳ ରାଜ୍ୟଗୁଡ଼ିକ ମଧ୍ୟ ସମାନ ଦଶା ଭୋଗିପାରନ୍ତି ।

ଏଣିକି ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରତିବର୍ଷ ଏକ୍ସଟ୍ରିମ୍ କ୍ଲାଇମେଟ୍ ଦେଖିବାକୁ ମିଳିବ । ପ୍ରତିବର୍ଷ ଅତିବୃଷ୍ଟି, ଅନାବୃଷ୍ଟି, ଘନ ଘନ ଅବପାତ, ବାତ୍ୟା ଦ୍ବାରା ନୂଆ ନୂଆ ଅସ୍ବାଭାବିକ ରେକର୍ଡ ସୃଷ୍ଟି ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବୈଜ୍ଞାନିକ ।

କେନ୍ଦ୍ରର ପୂଜା ଛାଟ: ୧୯ କେଜି ଗ୍ୟାସ ସିଲିଣ୍ଡର ଦର ଏକାଥରେ ବଢ଼ିଲା ୬୨ ଟଙ୍କା

ଭୁବନେଶ୍ବର: ପୂଜା ସିଜନରେ ଗ୍ରାହକଙ୍କୁ କୋରଡା ମାଡ । ଦରବୃଦ୍ଧି ସମସ୍ଯା ଭିତରେ ରୁନ୍ଧି ହେଉଥିବା ଲୋକଙ୍କ ଉପରେ କେନ୍ଦ୍ର ସରକାରଙ୍କ ଆଉ ଏକ ଛାଟ । ବଢାଇଲେ କମର୍ସିଆଲ ଗ୍ଯାସ ଦର । ୧୯ କେଜି ସିଲିଣ୍ଡରରେ ୬୨ ଟଙ୍କା ବଢାଇଛନ୍ତି ସରକାର । ସେହିପରି ଫ୍ରିଟ୍ରେଡ ୫ କେଜି ଗ୍ଯାସ ଦର ବି ବଢିଛି ୧୫ ଟଙ୍କା । ଏହାକୁ ନେଇ ସାଧାରଣ ଜନତାଙ୍କ ମଧ୍ଯରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା ।

ଦୀପାବଳି ସରୁସରୁ ୧୯ କିଲୋ ବ୍ଯାବସାୟିକ ଗ୍ୟାସ ସିଲିଣ୍ଡର ଦର ୬୨ ଟଙ୍କା ବଢାଇଲେ କେନ୍ଦ୍ର ସରକାର । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ପ୍ରତିଦିନ ବଢି ବଢି ଚାଲିଥିବା ବେଳେ ଏବେ କମର୍ସିଆଲ ଗ୍ୟାସ ଦର ବଢାଇଛନ୍ତି ସରକାର । ଗତ ସେପ୍ଟେମ୍ବର ୧ ରେ ଗ୍ଯାସ ଦର ବଢିଥିଲା ୩୯ ଟଙ୍କା । ସେହିପରି ୧ ଅକ୍ଟୋବରରେ ବଢିଥିଲା ୪୮ ଟଙ୍କା ୫୦ ପାଇସା । ଏହାକୁ ନେଇ ବଢିଛି ଅସନ୍ତୋଷ । ଛୋଟ ହୋଟେଲ, ବ୍ଯବସାୟୀ ଓ ରେଷ୍ଟୁରାଣ୍ଟ ଖାଦ୍ଯ ପ୍ରସ୍ତୁତ କରୁଥିବା ଏହାର ପ୍ରଭାବ ସିଧା ଲୋକଙ୍କ ଉପରେ ହିଁ ପଡିବ । ଏଥିସହ ୫ କିଲୋ ଫ୍ରିଟ୍ରେଡ଼ ଗ୍ୟାସ ଦର ମଧ୍ୟ ୧୫ ଟଙ୍କା ବୃଦ୍ଧି କରାଯାଇଛି । ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ସମେତ ହୋଟେଲ, ରେଷ୍ଟୁରାଣ୍ଟ ବ୍ୟବସାୟୀ ସମାଲୋଚନା କରିଛନ୍ତି ।

ଗ୍ୟାସ ଦର ବୃଦ୍ଧିକୁ ନେଇ ରାଜ୍ୟ ଗ୍ୟାସ ଡିଲର ସଂଘ ଅସନ୍ତୋଷ ବ୍ୟକ୍ତ କରିଛି । ଏହାଦ୍ୱାରା ତୃଣମୂଳ ସ୍ତରର ଲୋକମାନେ ହିଁ ହଇରାଣ ହେବା ସହ କଳାବଜାରୀ ବଢିବ ବୋଲି ସଂଘ କହିଛି । କମର୍ସିଆଲ ଗ୍ୟାସ କିଣିବା କମିବ ବୋଲି ମଧ୍ୟ କୁହାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାଧାରଣ ଜନତା ଦାୟୀ କରିଛନ୍ତି । ସରକାର ଲୋକଙ୍କ ସହ ବିଶ୍ୱାସଘାତ କରିଛନ୍ତି ଯାହାକି ପରୋକ୍ଷରେ ସାଧାରଣ ଲୋକଙ୍କୁ ଲୁଟିବା ପାଇଁ ଏକ ବ୍ୟବସ୍ଥା ବୋଲି କହିଛି ନାଗରିକ ସୁରକ୍ଷା ମଞ୍ଚ । ଆଗାମୀ ଦିନରେ ଏହାର ତୀବ୍ର ବିରୋଧ କରାଯିବ । ଯେତେ ସରକାର ଓଡ଼ିଶାରେ ଆସିଛନ୍ତି ଏହା ସବୁଠୁ ଖରାପ ସରକାର ବୋଲି କହିଛି ମଞ୍ଚ । ଏବେ ଡବଲ ଇଞ୍ଜିନ ସରକାରରେ ଡବଲ ବିକାଶ ନା ଡବଲ ଦୁର୍ନୀତି ହେଉଛି ବୋଲି ପ୍ରଶ୍ନ କରିଛି ନାଗରିକ ସୁରକ୍ଷା ମଞ୍ଚ ।

ଦୁଇ ଦଶନ୍ଧି ପରେ ଫେରିଲା ଆମ୍ବ ଟାକୁଆ, ନେଲା ଦୁଇ ଜୀବନ; ଗରିବଙ୍କୁ ମନ୍ତ୍ରୀଙ୍କ ଉପହାସ

ଭୁବନେଶ୍ବର: ସ୍ତବ୍ଧ ଓଡ଼ିଶା । ଦୁଇ ଦଶନ୍ଧି ପରେ କନ୍ଧମାଳକୁ ଫେରିଲା ଆମ୍ବ ଟାକୁଆ କଳଙ୍କ । ଆମ୍ବ ଟାକୁଆ କୋଇଲି ଜାଉ ଖାଇ ୨ ମହିଳାଙ୍କର ମୃତ୍ଯୁ ହୋଇଥିବାବେଳେ ୬ ଜଣ ଜୀବନ ସହ ସଂଘର୍ଷ କରୁଛନ୍ତି । ବଡ଼କଥା ହେଲା ମୃତକଙ୍କ ପରିବାରକୁ ଗତ ୩ ମାସ ହେଲା ମିଳିନାହିଁ ଚାଉଳ । ଏନେଇ ଖୋଦ୍ ବ୍ଲକ ଚେୟାରମ୍ଯାନ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଚିନ୍ତା କରିବା ବଦଳରେ ଗରିବକୁ ଉପହାସ କରିଛନ୍ତି ସ୍ବାସ୍ଥ୍ଯମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏପଟେ କେଉଁ ପରିସ୍ଥିତିରେ ସେମାନେ ଆମ୍ବ ଟାକୁଆ ଜାଉ ଖାଇଲେ ସେନେଇ ବିଭାଗୀୟ ତଦନ୍ତ ଜାରି ରହିଛି ।

ଲେଉଟିଲା ଭୋକ । ଫେରିଲା କଳଙ୍କ । କନ୍ଧମାଳକୁ ଆମ୍ବଟାକୁଆ କୋଇଲି ରିଟର୍ଣ୍ଣସ । କୋଇଲି ଜାଉ ନେଇଗଲା ଦୁଇ ଜୀବନ ।  ଦିନେ ଯେଉଁ ଭୋକର ଭୁଗୋଳ ପାଇଁ ଓଡ଼ିଶା ସାରା ବିଶ୍ବରେ ନିନ୍ଦିତ ହୋଇଥିଲା ଦୁଇ ଦଶନ୍ଧି ପରେ ସେଇ ଅପଦଶା କଡ଼ ଲେଉଟାଇଛି । ଏଥର ଓଡ଼ିଶାକୁ ଦୁର୍ନାମ ଆଣିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ମାଣ୍ଡିପଙ୍କା ଗାଁ । ଏହି ଗାଁରେ ଆମ୍ବ ଟାକୁଆ କୋଇଲି ଜାଉ ଖାଇ ଦୁଇ ମହିଳାଙ୍କ ମୃତ୍ଯୁ ହୋଇଥିବାବେଳେ ୬ ଗୁରୁତର ବ୍ରହ୍ମପୁର ଏମକେସିଜିରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି । ଦୁଇ ମୃତକ ହେଲେ ୩୦ ବର୍ଷୀୟା ଦିବ୍ଯାଙ୍ଗ ଯୁବତୀ ରୁନି ମାଝୀ ଓ ୨୮ ବର୍ଷୀୟା ରନିତା ପାଟମାଝୀ । ଗତ ୨୩ ତାରିଖରେ ୨୦ ପରିବାରର ୩୦ରୁ ଅଧିକ ଲୋକ ଜାଉ କରି ଖାଇଥିଲେ ଆମ୍ବ ଟାକୁଆ । ବଳିପଡ଼ିଥିବା ଟାକୁଆ କୋଇଲିରେ ପୁଣିଥରେ ୨୯ ତାରିଖରେ ଜାଉ କରି ଖାଇବା ପରେ ଏଭଳି ଦଶା ଘଟିଛି ।

ଏପଟେ ସମ୍ବେଦଳନଶୀଳ ଘଟଣାକୁ ଅତି ହାଲୁକା ଭାବେ ନେଇଛନ୍ତି ସ୍ବାସ୍ଥ୍ଯ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିବା ବଦଳରେ ତାତ୍ସଲ୍ଯ କରିବାକୁ ପଛାଇ ନାହାନ୍ତି । ଅନ୍ଯନ୍ତ ବେପରୁଆ ଭାବେ କହିଛନ୍ତି, କନ୍ଧମାଳରେ ଆମ୍ବ ଟାକୁଆ କୋଇଲି ଖାଇବା ସେମାନଙ୍କ ଅଭ୍ୟାସ ।

ଆମ୍ବ ଟାକୁଆ ଜାଉ ମୃତ୍ଯୁ ପ୍ରସଙ୍ଗ ଯେତିକି ଚିନ୍ତାଜନକ ତା’ଠୁ ଅଧିକ ଚିନ୍ତାଜନକ ଖୋଦ ସ୍ବାସ୍ଥ୍ଯମନ୍ତ୍ରୀଙ୍କ ଏଭଳି ବିତଣ୍ଡା ମନ୍ତବ୍ଯ । ସିଧାସଳଖ ଭାବେ ଉପାନ୍ତ ଅଞ୍ଚଳର ଗରିବଙ୍କୁ ଉପହାସ କରିଛନ୍ତି ମନ୍ତ୍ରୀ । ପ୍ରଶ୍ନ ଉଠୁଛି, ଲୋକେ ଆମ୍ବ ଟାକୁଆ ଖାଇ ମରୁଥିବା ବେଳେ ମନ୍ତ୍ରୀଙ୍କ ବେପରୁଆ ବୟାନ କେତେ ଯୁକ୍ତିଯୁକ୍ତ ? ଦୀର୍ଘ ବର୍ଷ ପରେ ଆମ୍ବ ଟାକୁଆ ଖାଇ ମୃତ୍ଯୁ ଅଭିଯୋଗ ଯୋଜନା ପ୍ରତି ପ୍ରଶ୍ନ ଉଠାଉନାହିଁ କି ? ଏପଟେ ଘଟଣାରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ଦାରିଙ୍ଗବାଡ଼ି ବ୍ଲକ ଅଧ୍ଯକ୍ଷ ସୁଶାନ୍ତ କୁମାର ପ୍ରଧାନ । ସୁଶାନ୍ତ କହିଛନ୍ତି, ମୃତକଙ୍କ ପରିବାରକୁ ୩ ମାସ ହେଲା ରାସନ ମିଳିନି । କନ୍ଧମାଳରେ ସବୁ ଜାଗାରେ ନେଟୱର୍କ ନଥିବାରୁ ଇ-କେୱାଇସି ହୋଇପାରୁନି । ଫଳରେ ହିତାଧିକାରୀ ଚାଉଳ ନପାଇ ହନ୍ତସନ୍ତ ହେଉଛନ୍ତି । ଯାହାକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ ।

ଘଟଣାର ବିଭାଗୀୟ ତଦନ୍ତ ଚାଲିଛି । ସ୍ବାସ୍ଥ୍ଯ ନିର୍ଦ୍ଦେଶକ ଓ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନ ବି ତଦନ୍ତ କରୁଛନ୍ତି । କେଉଁ ପରିସ୍ଥିତିରେ ଆମ୍ବ ଟାକୁଆ ଖାଇଲେ ଲୋକେ ସେ ନେଇ ବିଡିଓ ଜିଲ୍ଲାପାଳଙ୍କୁ ପ୍ରାଥମିକ ରିପୋର୍ଟ ଦେଇଛନ୍ତି । ମୃତକଙ୍କ ଶବ ବ୍ଯବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପ୍ରଶାସନ । ରିପୋର୍ଟ ଆସିଲେ ସେମାନଙ୍କ ମୃତ୍ଯୁର ସ୍ପଷ୍ଟ କାରଣ ଜଣାପଡ଼ିବ । ତେବେ ଦୀର୍ଘ ବର୍ଷ ପରେ ଓଡ଼ିଶାରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ଯୁ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ଆସୁନି ଯୋଜନା, ବିଜେପି ସରକାର ଉପରେ ବର୍ଷିଲେ ଗ୍ରାମବାସୀ

କାଶୀନଗର: ଗଜପତି ଜିଲ୍ଲା କାଶୀନଗର ବ୍ଲକ ସୀତାପୁର ପଞ୍ଚାୟତ । ଗ୍ରାମସଭାରେ କାଠଗଡ଼ାରେ ବିଜେପି ସରକାର । ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ପଞ୍ଚାୟତକୁ ଯୋଜନା ଆସୁ ନଥିବା ଅଭିଯୋଗ । ମୋହନ ସରକାର ଉପରେ ବର୍ଷିଲେ ଗ୍ରାମବାସୀ । ଅସନ୍ତୋଷ ଜାହିରି କରିବା ସହ ସରକାରୀ ପରିଚାଳନା ଉପରେ ଉଠାଇଲେ ପ୍ରଶ୍ନ ।

ବିଜେପି ସରକାରଙ୍କ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର । ଗଜପତି ଜିଲ୍ଲା କାଶୀନଗର ବ୍ଲକ ସୀତାପୁର ପଞ୍ଚାୟତରେ ବସିଥିଲା ଗ୍ରାମସଭା । ବିଭିନ୍ନ ବିକାଶମୂଳକ କାର୍ଯ୍ଯର ତଦାରଖ କରିଥିଲେ ଲୋକେ । ହେଲେ ବିଜେପି ସରକାର ଗଠନର ୪ ମାସ ପରେ ବି ପଞ୍ଚାୟତକୁ କୌଣସି ଯୋଜନା ଆସିନାହିଁ । ନିର୍ବାଚନୀ ଇସ୍ତାହାର ସମୟରେ ବୟସ୍କ ବ୍ଯକ୍ତିଙ୍କୁ ୩ ହଜାର ଟଙ୍କା ଭତ୍ତା ସାଙ୍ଗକୁ ୩ ଶହ ୟୁନିଟ୍ ମାଗଣା ବିଜୁଳି, ଧାନ କୁଇଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା ସାଙ୍ଗକୁ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ସେହିପରି ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଦୁଇଟି କିସ୍ତିରେ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ବି ଏପର୍ଯ୍ଯନ୍ତ କୌଣସି ଯୋଜନା କାର୍ଯ୍ଯକାରୀ ହୋଇ ନଥିବା ନେଇ ଗ୍ରାମସଭାରେ ଆଲୋଚନା ହୋଇଥିଲା । ପଞ୍ଚାୟତ ଅଧିକାରୀ ଲୋକଙ୍କୁ ସ୍ପଷ୍ଟୀକରଣ ଦେବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।

ଏପଟେ ବିଜେପିର ନେତା ଓ କର୍ମୀ ରାଜ୍ୟ ସରକାରଙ୍କ ବହୁ ବିକାଶମୂଳକ ଯୋଜନା ଆସୁଛି ବୋଲି ଗୁଜବ ସୃଷ୍ଟି କରୁଛନ୍ତି । ଗ୍ରାମସଭାରେ ସରପଞ୍ଚ ଓ ୱାର୍ଡ ସଭ୍ଯ ଲୋକଙ୍କୁ ବିଜେପିର ମିଛ ନାଟକ ବିରୋଧରେ ସଚେତନ କରିଥିଲେ । ଏହାକୁ ନେଇ ସାଧାରଣ ଲୋକଙ୍କ ସହ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ଅନ୍ଯପକ୍ଷରେ ବର୍ତ୍ତମାନ ସମୟରେ ସବୁ ଜିନିଷର ଦର ବୃଦ୍ଧି ହେଉଥିବା ବେଳେ ଆବାସ ଯୋଜନାରେ ଅନୁଦାନ ବୃଦ୍ଧି ପରିବର୍ତ୍ତେ କମାଇବା ପରିତାପ ବଷିୟ ବୋଲି କହିଛନ୍ତି ଲୋକ ପ୍ରତିନିଧି ।

ରାଜନୈତିକ ଦୃଷ୍ଟିକୋଣରୁ ଏହି ପଞ୍ଚାୟତର ବିକାଶ ଅନେକ ଗୁରୁତ୍ବ ବହନ କରୁଛି । ତେବେ ବିଜେପି ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଦୀଗପହଣ୍ଡିରେ ପୁଣି ବୋମାମାଡ଼, ୪ ଦିନରେ ୩ ସ୍ଥାନରେ ୬ଟି ବୋମାମାଡ଼

ଦିଗପହଣ୍ଡି: ଦିପାବଳୀରେ ସମସ୍ତେ ବାଣ ଫୁଟାଇବା ପରେ ଘରେ ଖାଇପିଇ ଶୋଇଥିଲେ । ଦିଗପହଣ୍ଡି କେନାଲ ସାହିର ରାଜେନ୍ଦ୍ର ସେଠୀଙ୍କ ପରିବାର ମଧ୍ୟ ଦିପାବଳୀ ପାଳନ କରିବା ପରେ ଘରେ ଥିଲେ । ହେଲେ ବିଳମ୍ବିତ ରାତିରେ ଘର ଉପରେ ପଡ଼ିଲା ବୋମା । ଯାହାକୁ ନେଇ ପୂରା ପରିବାରରେ କୋକୁଆ ଭୟ ଖେଳିଯାଇଛି । ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ କିଏ ବୋମା ପକାଇଛି ତାହା ମଧ୍ୟ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ଦିନକୁ ଦିନ ଅଶାନ୍ତ ହୋଇଯାଉଛି ଦିଗପହଣ୍ଡି । ଗତ ୪ଦିନ ଭିତରେ ୩ଟି ସ୍ଥାନରେ ୬ଟି ବୋମାମାଡ଼ ହୋଇଛି । ଗତ ୨୬ ତାରିଖ ରାତିରେ ୨ ଜଣ ଯୁବକ ବୁଲେଟରେ ଆସି ବସଷ୍ଟାଣ୍ଡ ନିକଟରେ ୨ଟି ବୋମାମାଡ଼ କରି ଫେରାର ହୋଇଯାଇଥିଲେ । ପଦ୍ମନାଭପୁର ରାସ୍ତାରେ ମଧ୍ୟ ଜଣଙ୍କୁ ଟାର୍ଗେଟ କରି ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା l ୨୮ ତାରିଖରେ ନୂଆ ମୌଳା ଭଣଜାରେ ବିଳମ୍ବିତ ରାତିରେ ଘର ସମ୍ମୁଖରେ ଥିବା ଏକ କାରକୁ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଥିଲେ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।

ପୋଲିସର ନୀରବତା ଯୋଗୁଁ ୪ ଦିନ ଭିତରେ ୩ଟି ସ୍ଥାନରେ ୬ଟି ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ବାଇକରେ ଆସି ଦୁର୍ବୃତ୍ତମାନେ ବୋମା ପକାଇ ଚାଲିଯାଉଥିବା ଭିଡିଓ ରହିଥିଲେ ମଧ୍ୟ ଦିଗପହଣ୍ଡି ପୋଲିସ ଏଯାଏଁ କାହାକୁ ଗିରଫ କରିପାରିନି । ଅପରାଧୀମାନେ ଖୁଲମଖୁଲା ପୋଲିସକୁ ଚ୍ୟାଲେଞ୍ଜ ଦେଉଥିବା ବେଳେ ପୋଲିସ ହାତବାନ୍ଧି ବସିଥିବା ଅଭିଯୋଗ ହେଉଛି ।

ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଜିଏସଟି ଚଢ଼ାଉକୁ ଦାୟୀ କଲେ ପରିବାର ଲୋକେ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରର ନ୍ୟୁ ବାସବି ଜୁଏଲାରୀ ମାଲିକ ପି. ହରପ୍ରସାଦ ରାଓଙ୍କ ସନ୍ଦେହଜନକ ମୃତ୍ୟୁ । ଜିଏସଟି ଚଢ଼ାଉ ତାଙ୍କ ମୃତ୍ୟୁର କାରଣ ବୋଲି ହରପ୍ରସାଦଙ୍କ ଭାଇ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ଜୁଏଲାରୀ ଦୋକାନରେ ଜିଏସଟି ରେଡ୍ ପରେ ହରପ୍ରସାଦଙ୍କ ସନ୍ଦେହଜନକ ମୃତ୍ଯୁ ଘଟିଛି । ଗତକାଲି ରାତିରେ ଦୀପାବଳି ପାଳନ କରି ହରପ୍ରସାଦ ଶୋଇଥିବାବେଳେ ଆଜି ସକାଳୁ ଆଉ ଉଠି ନଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ହରପ୍ରସାଦଙ୍କ ଭାଇ ପି.ରାଜେଶଙ୍କ ଅଭିଯୋଗ ଅନୁସାରେ, ଗତ ମଙ୍ଗଳବାର ଦିନ ଧନତେରାସରେ ସିଟି ଜିଏସଟି ବିଭାଗ ତାଙ୍କ ଦୋକାନରେ ଚଢାଉ କରିଥିଲା । ସେବେଠୁ ହରପ୍ରସାଦ ଭୟଭୀତ ହୋଇ ଚାପଗ୍ରସ୍ତ ଥିଲେ । ପାର୍ବଣ ଦିନ ୬ରୁ ୭ଘଣ୍ଟା ଧରି ରେଡ୍ ସହ ଘର ସିଜ କରି ସର୍ଚ୍ଚ ଅପରେସନ ଫଳରେ ସେ ଭାଙ୍ଗି ପଡ଼ିଥିଲେ । ପୂର୍ବରୁ ମଧ୍ଯ ବାରମ୍ବାର ଏଭଳି ଚଢାଉ ହୋଇଥିଲା । ଏଣୁ ଲୋକଲଜ୍ଜାକୁ ସହି ନପାରି ସେ ଚିନ୍ତାଗ୍ରସ୍ତ ଥିଲେ । ଜୟପୁର ଚାମ୍ବର ଅଫ କମର୍ସ ମଧ୍ଯ ଜିଏସଟି ବିଭାଗର ଏଭଳି ଚଢାଉକୁ ସମାଲୋଚନା କରିଛି ।

ଦୀପାବଳିରେ ଭାରତ ଆସିଲେ ୩ ଆଫ୍ରିକୀୟ ହାତୀ, ‘ବନତାରା’ ପାଲଟିଲା ନୂଆ ଠିକଣା

ଜାମନଗର: ଜୀବନ ସହ ସଂଘର୍ଷ କରୁଥିବା ୩ ଆଫ୍ରିକୀୟ ହାତୀଙ୍କୁ ଦୀପାବଳୀ ଅବସରରେ ଟ୍ୟୁନିସିଆରୁ ଉଦ୍ଧାର କରାଯାଇଛି । ଆଉ ଏହି ଉଦ୍ଧାର କାର୍ଯ୍ୟ କରିଛି ଅନନ୍ତ ମୁକେଶ ଅମ୍ବାନୀଙ୍କ ବନ୍ୟଜନ୍ତୁ ଉଦ୍ଧାର କେନ୍ଦ୍ର ‘ବନତାରା’ । ଟ୍ୟୁନିସିଆରୁ ଉଦ୍ଧାର କରାଯିବା ପରେ ହାତୀ ୩ଟିକୁ ଭାରତର ଜାମନଗର ସ୍ଥିତ ବନତାରାକୁ ଅଣାଯାଇଛି । ଏହି ୨୮ରୁ ୨୯ ବର୍ଷ ବୟସ୍କ ଆଫ୍ରିକୀୟ ହାତୀ ମଧ୍ୟରେ ଦୁଇଟି ମାଈ ଓ ଗୋଟିଏ ପୁରୁଷ ହାତୀ ଅଛନ୍ତି ।

ବନତାରା ହେଉଛି ଅନନ୍ତ ମୁକେଶ ଅମ୍ବାନୀଙ୍କ ସ୍ୱପ୍ନର ପ୍ରକଳ୍ପ । ଟ୍ୟୁନିସିଆର ଏକ ଘରୋଇ ପ୍ରାଣୀ ଉଦ୍ୟାନ, ଯାହା ଖରାପ ଆର୍ଥିକ ଅବସ୍ଥା ହେତୁ ହାତୀମାନଙ୍କ ଖାଇବା, ଗୃହ ଓ ଚିକିତ୍ସା ଆବଶ୍ୟକତା ପୂରଣ କରିବାରେ ଅସମର୍ଥ ଥିଲା । ଚିଡିଆଖାନା ପକ୍ଷରୁ ଏନେଇ ବନତାରା ସହିତ ଯୋଗାଯୋଗ କରାଯାଇଥିଲା । ଜାତୀୟ ତଥା ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ଏକ ଚାର୍ଟାର୍ଡ ​​କାର୍ଗୋ ବିମାନରେ ହାତୀମାନଙ୍କୁ ଭାରତ ଅଣାଯାଇଛି । ବନତାରା ବର୍ତ୍ତମାନ ଏହି ଆଫ୍ରିକୀୟ ହାତୀମାନଙ୍କ ନୂତନ ଘର ହେବ ।

ସୂଚନାଯୋଗ୍ୟ, ଖର୍ଚ୍ଚ କମ କରିବା ପାଇଁ ଟ୍ୟୁନିସିଆର ପ୍ରାଣୀ ଉଦ୍ୟାନ ଫ୍ରିଗୁୟା ପାର୍କ ସମସ୍ତ ୩ଟି ଆଫ୍ରିକୀୟ ହାତୀଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା । ଅଚତମ୍, କାନି ଏବଂ ମୀନା ନାମକ ଏହି ହାତୀମାନଙ୍କୁ ଜଙ୍ଗଲକୁ ଫେରାଇ ନେବା ସମ୍ଭବ ନଥିବାରୁ ଏଭଳି ପରିସ୍ଥିତିରେ ସେମାନେ ଏପରି ଏକ ସ୍ଥାନ ଖୋଜୁଥିଲେ ଯେଉଁଠାରେ ସେମାନଙ୍କ ଭଲ ଭାବେ ଯତ୍ନ ନିଆଯାଇପାରିବ । ବହୁ ଅନୁସନ୍ଧାନ ପରେ ସେମାନଙ୍କୁ ଅଚତମ, କାନି ଏବଂ ମୀନାଙ୍କ ପାଇଁ ବନତାରାରେ ଏକ ନୂତନ ଘର ମିଳିଲା ।

ବନତାରାରେ ଆଫ୍ରିକୀୟ ହାତୀମାନଙ୍କର ଡାକ୍ତରୀ ପରୀକ୍ଷାରୁ ଜଣାପଡିଛି ଯେ ଅଚତମ୍, କାନି ଏବଂ ମୀନା ଅନେକ ରୋଗରେ ପୀଡିତ ଅଛନ୍ତି । ସେମାନଙ୍କୁ ଶାରୀରିକ ଓ ମାନସିକ ସହାୟତା ଆବଶ୍ୟକ । କେତେକ କ୍ଷେତ୍ରରେ ଅସ୍ତ୍ରୋପଚାର ମଧ୍ୟ ଆବଶ୍ୟକ ହୋଇପାରେ । ବନତାରାର ପ୍ରାଣୀ ଚିକିତ୍ସକ ଦିନରାତି ସେମାନଙ୍କ ଉପରେ ନଜର ରଖିଛନ୍ତି । ବନତାରା ପକ୍ଷରୁ ଦେଶୀ ଉଦ୍ଭିଦ, ମାଟି ପୋଖରୀ ଓ ଖାଦ୍ୟ ସମୃଦ୍ଧ ବୃହତ ଏନକ୍ଲୋଜର ଗୁଡିକ ସୁଚିନ୍ତିତ ଭାବରେ ଡିଜାଇନ୍ କରାଯାଇଛି । ବନତାରାରେ ସେମାନଙ୍କର ନୂତନ ଘର ଅଚତମ୍, କାନି ଓ ମୀନାଙ୍କୁ ଏଭଳି ଏକ ପରିବେଶ ପ୍ରଦାନ କରିବ ଯାହା ସେମାନଙ୍କ ବନ୍ୟ ବାସସ୍ଥାନ ସଦୃଶ ହୋଇଛି ।

ଗୁଗଲ ଉପରେ ରୁଷିଆ ଲଗାଇଲା ୨ ଡେସିଲିୟନ ଜରିମାନା, ବିଶ୍ବ ଅର୍ଥନୀତିଠାରୁ କାହିଁ କେତେ ଗୁଣ ଅଧିକ

ମସ୍କୋ: ଦୁଇ ବର୍ଷରୁ ଅଧିକ ହୋଇଗଲା ଚାଲିଛି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଆଉ ଏହାରି ଭିତରେ ରୁଷିଆର ସରକାରୀ ଚ୍ୟାନେଲକୁ ବ୍ଲକ କରି ଦେଇଛି ୟୁଟ୍ୟୁବ । ରୁଷିଆ ସରକାରୀ ଚ୍ୟାନେଲକୁ ଆପଣ ୟୁଟ୍ୟୁବରେ ଦେଖିପାରୁନାହାନ୍ତି । ଯେଉଁଥିପାଇଁ ୟୁ-ଟ୍ୟୁବରର ମୂଳ କମ୍ପାନୀ ଗୁଗଲ ଉପରେ ଜରିମାନା ଲଗାଇଛି ରୁଷିଆ । ଶହେ କି ଦୁଇ ଶହ କି ଲକ୍ଷେ ଡଲାର ନୁହେଁ ୨ ଡେସିଲିୟନ ଡଲାର ଜରିମାନା ଲଗାଇଛି ଗୁଗଲ ।

ଏବେ ଭାବୁଥିବେ ମିଲିୟନ, ଟ୍ରିଲିୟନ କଥା ଶୁଣିଛନ୍ତି । ଏହି ଡେସିଲିୟନର ମୂଲ୍ୟ କେତେ । ଆଜ୍ଞା ଡେସିଲିୟନର ମୂଲ୍ୟ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଆପଣଙ୍କ ମୁଣ୍ଡ ଚକ୍କର କାଟିବ । କାରଣ ଡେସିଲିୟନରେ ଆପଣ ଜିରୋ ଗଣି ଗଣି ହାଲିଆ ହୋଇଯିବେ । ଆଜ୍ଞା ହଁ ବହୁ ଲୋକ ଡିସିଲିୟନ ଶବ୍ଦ ପ୍ରଥମ ଥର ପାଇଁ ଶୁଣିଥିବେ । କାରଣ, ସାରା ବିଶ୍ବର ଅର୍ଥନୀତି ମିଶିଲେ ବି ୧ ଡେସିଲିୟନ ହେବ ନାହିଁ ।

ଆପଣଙ୍କୁ କହି ରଖୁଛୁ, ୧ ଡେସିଲିୟନ ମାନେ ହେଲେ ୧ରେ ୩୪ଟି ଶୂନ । ଗୁଗଲକୁ ରୁଷିଆ ଫାଇନ କରିଛି ୨ ଡେସିଲିୟନ । ମାନେ ୨ରେ ଲାଗିବ ୩୪ଟି ଶୂନ। ଗୁରୁତ୍ବପୂର୍ଣ୍ଣ କଥା ହେଲେ ଗୁଗଲ କ’ଣ, କୌଣସି ଦେଶ ପାଖରେ ଏତେ ଅର୍ଥ ନାହିଁ । ଏପରିକି ଆମେରିକା ପାଖରେ ବି ଏତେ ଅର୍ଥ ନାହିଁ । ଆମେରିକା କ’ଣ, ସାରା ବିଶ୍ଵର ସବୁ ଦେଶର ଅର୍ଥକୁ ଯଦି ମିଶାଣ କରାଯାଏ, ୨ ଡେସିଲିୟନ ହେବନି । ସାରା ବିଶ୍ଵର ଅର୍ଥନୀତିର କାହିଁ କେତେ ଗୁଣ ହେଉଛି ଡେସିଲିୟନ ।

ରୁଷିଆର ନିୟମ ଭାଙ୍ଗିବା ଅଭିଯୋଗରେ ସେଠାକାର ଏକ କୋର୍ଟ ଗୁଗଲକୁ ଏତେ ଅର୍ଥ ଜରିମାନା କରିଛି । ରୁଷିଆର କୋର୍ଟ ଏହା ବି କହିଛନ୍ତି, ଯଦି ଗୁଗଲ ଏହି ଅର୍ଥ ୯ ମାସ ଭିତରେ ନ ଦେବ, ଜରିମାନାର ପରିମାଣ ପ୍ରତିଦିନ ୨ ଗୁଣା ହେବ । କୋର୍ଟ କ’ଣ ବିଚାର କରି ଏତେ ଅର୍ଥ ଜରିମାନା ଲଗାଇଛନ୍ତି, ଏହା ପଛରେ ଲଜିକ୍ କ’ଣ ଅଛି ତାହା ବୁଝି ହେଉନାହିଁ । ସାରା ବିଶ୍ବର ଅର୍ଥନୀତି ମିଶିଲେ ବି ଏତିକି ହେଉ ନଥିବା ବେଳେ ଗୁଗଲ କେଉଁଠୁ ଆଣିବ । ତେବେ ରୁଷିଆର କୋର୍ଟଙ୍କ ଏହି ଜରିମାନା ଏବେ ପୃଥିବୀରେ ଚହଳ ପକାଇଛି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଭାରତୀୟ-ଆମେରିକୀୟଙ୍କ ପ୍ରଥମ ପସନ୍ଦ କମଲା ହାରିସ

ଓ୍ବାସିଂଟନ: ନଭେମ୍ବର ୫ ତାରିଖରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶର ଶକ୍ତିଶାଳୀ ପ୍ରତିନିଧି ପାଇଁ ହେବାକୁ ଯାଉଛି ନିର୍ବାଚନ । ଆମେରିକାରେ ନଭେମ୍ବର ୫ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କ ମଧ୍ଯରେ ଦେଖିବାକୁ ମିଳୁଛି କାଣ୍ଟା କାଣ୍ଟି ଟକ୍କର । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରମୁଖ ଭୂମିକା ନେଉଥିବା ଭାରତୀୟ-ଆମେରିକୀୟଙ୍କୁ ନେଇ ଏବେ ସାରା ବିଶ୍ବରରେ ଚର୍ଚ୍ଚା । କାରଣ ଭାରତୀୟ-ଆମେରିକୀୟଙ୍କ ସମର୍ଥନ ବିନା ମହାଶକ୍ତିଶାଳୀ ଦେଶର ଶକ୍ତିଶାଳୀ ନେତା ହେବା ପ୍ରାୟତଃ ଅସମ୍ଭବ ।

ସୂଚନାଯୋଗ୍ୟ, ଆମେରିକାର ଜନସଂଖ୍ଯା ପ୍ରାୟ ୩୫ କୋଟି ହୋଇଥିବାବେଳେ ଭୋଟରଙ୍କ ସଂଖ୍ଯା ୧୬ କୋଟି ୮୩ ଲକ୍ଷ । ଦେଶରେ ଭାରତୀୟ ଆମେରିକୀୟଙ୍କ ସଂଖ୍ଯା ୫୨ ଲକ୍ଷ ହୋଇଥିବାବେଳେ ଭୋଟରଙ୍କ ସଂଖ୍ଯା ୨୬ ଲକ୍ଷ । ୨୦୧୦ରୁ ୨୦୨୦ ମଧ୍ଯରେ ଭାରତୀୟ-ଆମେରୀକୀୟଙ୍କ ସଂଖ୍ଯା ୫୦ ପ୍ରତିଶତ ବୃଦ୍ଧି ପାଇଥିଲା । ଇତିହାସ ଦେଖିବାକୁ ଗଲେ ଅଧିକାଂଶ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀଙ୍କୁ ଭୋଟ ଦେଇଆସିଛନ୍ତି ଭାରତୀୟ-ଆମେରିକୀୟ । ଆଉ କମଲା ହାରିସ୍ ଭାରତୀୟ ଆମେରିକରୟ ହୋଇଥିବାରୁ ଏହି ବର୍ଗର ଭୋଟରଙ୍କ ସମର୍ଥନ ଅଧିକ ରହୁଛି । କମଳା ହାରିସଙ୍କ ପୈତୃକ ତାମିଲନାଡୁ ହୋଇଥିବାବେଳେ ଦୀର୍ଘ ଦିନ ତଳୁ ତାଙ୍କ ପରିବାର ଆମେରିକାର ବାସ କରୁଛନ୍ତି । ପୂର୍ବରୁ ହୋଇଥିବା ସର୍ଭେରେ କମଳାଙ୍କୁ ଅଧିକ ଭାରତୀୟ-ଆମେରିକୀୟ ସମର୍ଥନ କରୁଥିବା ଜଣାଯାଇଛି ।

ସେପଟେ ଏହି ବର୍ଗର ଭୋଟ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ରିପବ୍ଲିକାନ ଦଳ ବି ଏହାର ଅର୍ଥନୀତି, ସାମାଜିକ ପ୍ରସଙ୍ଗ, ଭାରତ-ଆମେରିକା ଦ୍ବିପାକ୍ଷିକ ନୀତିକୁ ସେମାନଙ୍କ ସ୍ବାର୍ଥକୁ ପ୍ରଭାବିତ କରିବା ପରି ପରିଚାଳିତ କରିଆସିଛି ।

ବାଣଫୁଟା ପ୍ରଦୂଷଣକୁ ନିୟମନ୍ତ୍ର କରି ଦେଲା ବର୍ଷା

ଭୁବନେଶ୍ବର:ଗତକାଲି ଦୀପାବଳିରେ ବାଣ ଫିଟିବା ଯୋଗୁଁ ବଢ଼ଇ ଯାଇଥିଲା ପ୍ରଦୂଷଣ । ବିଗିଡ଼ି ଯାଇଥିଲା ବାୟୁର ମାନ । ହେଲେ ଆଜି ହୋଇଥିବା ବର୍ଷା ସ୍ଥିତିକୁ ନିୟନ୍ତ୍ରଣ କରିପାରିଛି । ଏଭଳି କହିଛନ୍ତି ରାଜ୍ଯ ପ୍ରଦୂଷଣ ବୋର୍ଡର ସଦସ୍ଯ ସଚିବ କେ. ମୁରୁଗେସନ ।

ସେ କହିଛନ୍ତି, ଗତକାଲି ବାଣ ଫୁଟା ଯୋଗୁଁ ଭୁବନେଶ୍ୱରରେ ବାୟୁ ମାନ-ଏକ୍ଯୁ ଖରାପ ହୋଇଥିଲା । ବୁଧବାର ସକାଳେ ଏହା ୬୦-୭୦ ଏକ୍ଯୁ ଥିଲା । ଯାହା ସନ୍ତୋଷଜନକ ଥିଲା । ସନ୍ଧ୍ୟାରେ ଏହା ବଢ଼ି ଶହେ ଏକ୍ଯୁ ହୋଇଯାଇଥିଲା । ସନ୍ଧ୍ୟାରେ ବାଣ ଫୁଟାରୁ ଏହା ବଢ଼ି ୨୩୦-୨୪୦ ଏକ୍ଯୁ ହୋଇଯାଇଥିଲା । ଆଜି ସକାଳେ ଭୁବନେଶ୍ୱରରେ ବର୍ଷା ହେବାରୁ ଏହା ୧୩୩ ଏକ୍ଯୁକୁ ଖସି ଆସିଥିଲା, ଏହା ଆହୁରି କମିଯିବ ।

ସେପଟେ ବାଲେଶ୍ୱର, ରାଉରକେଲା, ତାଳଚେର ଶହେ ଏକ୍ଯୁ ଉପରେ ଥିଲା । ବାଲେଶ୍ୱର ଓ ରାଉରକେଲାରେ ବାୟୁ ମାନ ବର୍ତ୍ତମାନ ୧୩୦-୧୪୦ ଏକ୍ଯୁ ପାଖରେ ଅଛି । ହେଲେ ତାଳଚେରରେ ଏହା ଢେର ଅଧିକ ୨୫୬ ଏକ୍ଯୁ ଅଛି । ଦିନେ ଦୁଇ ଦିନରେ ଏହା କମିଯିବ ।

ଉତ୍ତର ଭାରତରେ ବାୟୁ ମାନକ ୩ ଶହ ଏକ୍ଯୁ ହୋଇଥିଲା । ଗାଙ୍ଗେୟ ଅଞ୍ଚଳରେ ସ୍ଥିତି ଖରାପ ହେବାରୁ ତାହାର ପ୍ରଭାବ ପଶ୍ଚିମବଙ୍ଗ, ରାଉରକେଲା, ବାଲେଶ୍ୱରରେ ପଡୁଛି । କଟକ ଭଲ ସ୍ଥିତିରେ ଅଛି । ଗତକାଲି ତାଳଚେର ଓ ଭୁବନେଶ୍ୱରରେ ମାତ୍ରା ଅଧିକ ଥିଲା ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବାଣଫୁଟା ଗାଇଡଲାଇନ ଜାରି କରାଯାଇଥିଲା । ହେଲେ ଲୋକେ ନ ମାନିଲେ କ’ଣ କରାଯାଇ ପାରିବ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ମୁରୁଗେସନ । ବାଣ ଫୁଟିଲେ ଯଦି ପବନ ବହିବ, ପ୍ରଦୂଷଣ ସ୍ତର କମିଯାଏ । ଦକ୍ଷିଣ ଭାରତର ମଦୁରାଇରେ ପବନ ହୁଏ । ତେଣୁ ବାଣ ଫୁଟାରୁ ପ୍ରଦୂଷଣର ମାତ୍ରା କମ ଥାଏ । ନଭେମ୍ବର ୩ ତାରିଖ ଯାଏଁ ବାୟୁ ସ୍ଥିତି ସମୀକ୍ଷା କରି କେନ୍ଦ୍ରକୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ମୁରୁଗେସନ ।