spot_img
Home Blog Page 1410

ଆଜି ଦୀପାବଳି ଅମାବାସ୍ୟା, ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ପକାଇବେ ଶ୍ରଦ୍ଧାଳୁ

ପୁରୀ: ଆଜି ପବିତ୍ର ଦୀପାବଳି ଅମାବାସ୍ୟା । ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ବା ବଡ଼ବଡୁଆଙ୍କୁ ଡାକିବେ ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଗା ଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିବେ ଦର୍ଶନାର୍ଥୀ ।

ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଆଜି ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ବିଧି ରହିଛି । କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକନ୍ତି ଶ୍ରଦ୍ଧାଳୁ । ଆଜି ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିବାର ପରମ୍ପରା ରହିଛି । ବିଧି ମୁତାବକ ଫଳ, ଫୁଲ, ଚନ୍ଦନ ଆଦି ଦ୍ରବ୍ୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଦାନ କରିଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ତରଫରୁ କଡା ସୁରକ୍ଷା ଏବଂ ବ୍ୟାରିକେଡ କରାଯାଇଛି । ଜଗା ଦର୍ଶନ ସହ ପୟାଶ୍ରାଦ୍ଧ ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ।

ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଦ୍ବନ୍ଦ୍ୱରେ ଲୋକେ

ନନ୍ଦିଘୋଷ ବ୍ୟୁରୋ: ଚଳିତବର୍ଷ ପାଞ୍ଜି ଓ କ୍ୟାଲେଣ୍ଡରରେ ଅନେକ ଗୁରୁତର ତ୍ରୁଟି ଓ ଦ୍ଵନ୍ଦ ରହିଛି। ଓଡିଶାରୁ ପ୍ରକାଶ ଏକାଧିକ ପାଞ୍ଜି ଗଣନା ମଧ୍ୟରେ ତାଳମେଳ ରହୁନାହିଁ। ଏହାଦ୍ୱାରା ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଲୋକେ ଦ୍ବନ୍ଦ୍ୱରେ ରହୁଛନ୍ତି। ମୁକ୍ତିମଣ୍ଡପ ପଣ୍ଡିତ ସଭା ମଧ୍ୟରୁ ସ୍ୱୀକୃତି ପ୍ରାପ୍ତ ପାଞ୍ଜି ଗଣନାରେ ମଧ୍ୟ ତ୍ରୁଟି ରହୁଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଭୁଲ ଓ ତ୍ରୁଟିବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପାଞ୍ଜି ସମୀକ୍ଷା ବୈଠକ ବସିଥାଏ । ଏହା ସତ୍ତ୍ୱେ ପାଞ୍ଜି ଗଣନାରେ ତ୍ରୁଟି ଓ ଦ୍ବନ୍ଦ୍ୱ ରହୁଥିବାରୁ ନିର୍ଭୁଲ ଓ ତ୍ରୁଟି ବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପୂଜାପଣ୍ଡ, ନିଯୋଗ ପକ୍ଷରୁ ଦାବି କରାଯାଇଛି। ସେପଟେ ପଞ୍ଜିକାରେ ତ୍ରୁଟି ରହିବା ଯୋଗୁଁ ସାଧାରଣ ଲୋକ ଦ୍ୱନ୍ଦରେ ରହିବା ପ୍ରସଙ୍ଗରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି।  ଜଗତଗୁରୁ କହିଛନ୍ତି ପାଞ୍ଜି ତ୍ରୁଟି ଆଜିର ସମସ୍ୟା ନୁହେଁ, କେତେବର୍ଷ ଧରି ଏହି ସମସ୍ୟା ଜାରି ରହିଛି l କିଛି ପଞ୍ଜିକାରମାନେ ସେମାନଙ୍କ ବ୍ୟବସାୟକୁ ଦୃଷ୍ଟିରେ ରଖି ଏଭଳି ତ୍ରୁଟି କରୁଛନ୍ତି l ଏ ନେଇ ମୋ ସହ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରୁନାହାନ୍ତି। ଆଲୋଚନା କଲେ ମୁଁ ଏହା ଉପରେ ନିଜର ମତ ରଖିବି।

 

 

ବାଣ ଫୁଟାଇ ଦୀପାବଳି ଉତ୍ସବ ପାଳନ କଲେ ଯବାନ

ନନ୍ଦିଘୋଷ ବ୍ୟୁରୋ: ସାରା ଦେଶରେ ଦୀପାବଳିର ମାହୋଲ ଜାରି ରହିଥିବାବେଳେ ଦେଶ ଲାଗି ଲଢୁଥିବା ଯବାନ ସୀମାରେ ପାଳନ କରିଛନ୍ତି ଆଲୋକର ପର୍ବ। ଜାମ୍ମୁ ଓ କାଶ୍ମୀରର ଅଖନୋର ସେକ୍ଟର ଅନ୍ତର୍ଗତ ନିୟନ୍ତ୍ରଣ ରେଖାରେ ଯବାନ ବାଣ ଫୁଟାଇବା ସହ ନାଚଗୀତରେ କରିଛନ୍ତି ସେଲିବ୍ରେସନ। ସମସ୍ତଙ୍କ ମନରେ ବିରାଜିତ ଥିଲା ଖୁସି। ପ୍ରତି କ୍ଷଣରେ ଜୀବନ ସହ ସଂଘର୍ଷ କରୁଥିବା ଯବାନମାନେ କିଛି କ୍ଷଣ ଆଲୋକର ପର୍ବରେ ନିଜକୁ ସାମିଲ କରି ହୋଇଛନ୍ତି ଉତ୍ସାହିତ। ଯବାନମାନେ ବିପଜ୍ଜନକ ସ୍ଥାନରେ ରହି ଏହି ସେଲିବ୍ରେସନ କରିଥିବାବେଳେ କିଛି ଯବାନ ସୀମାରେ ଥିବା ତାର ଜାଲି ନିକଟରେ ଠିଆ ହୋଇ ଖୁସି ପାଳନ କରିଥିଲେ।  ସେପଟେ ଅଯୋଧ୍ଯା ରାମ ମନ୍ଦିରରେ ବି ପାଳନ ହେଉଛି ଆଲୋକର ପର୍ବ ଦୀପାବଳି। ହଜାର ହଜାର ଦୀପ ଲଗାଇ ଶ୍ରଦ୍ଧାଳୁ ପାଳନ କରିଛନ୍ତି ପର୍ବ। ଏହା ସହ ଆଲୋକମାଳାରେ ସଜ୍ଜିତ ହୋଇଛି ଅଯୋଧ୍ଯା। ସହସ୍ରାଧିକ ଭକ୍ତ ଏହି ଉତ୍ସବ ପାଳନ କରିଛନ୍ତି। ସେହିପରି ଗୁଜରାଟ ଅକ୍ଷରଧାମ ମନ୍ଦିରରେ ବି ପାଳନ ହୋଇଛି ଦୀପାବଳି। ଆଲୋକମାଳାରେ ସୁସଜ୍ଜିତ ହୋଇଛି ମନ୍ଦିର।

ଦୀପାବଳି ପୂର୍ବରୁ ଆଲର୍ଟ, ରାଜ୍ଯରେ ବଢିପାରେ ପ୍ରଦୂଷଣର ମାତ୍ରା

ନନ୍ଦିଘୋଷ ବ୍ୟୁରୋ: ଦୀପାବଳି ଯୋଗୁଁ ବିଷ ବଳୟକୁ ଠେଲି ହୋଇଯିବ ରାଜ୍ୟର ବିଭିନ୍ନ ସହର । ବେଆଇନ ବାଣ ଫୁଟାଇବାରୁ ବଢିବ ପ୍ରଦୂଷଣ । ଏଥିରେ ବାଲେଶ୍ବରକୁ ରହିଛି ସର୍ବାଧିକ ବିପଦ । ବର୍ତ୍ତମାନ ଏୟାର କ୍ବାଲିଟି ଇଣ୍ଡକ୍ସରେ ଏହା ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ରହିଛି । ଏଥି ପାଇଁ କେବଳ ଗ୍ରୀନ ବାଣି ଫୁଟାଇବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶନାମା ଜାରି କରିଛି । ନିୟମ ଖିଲାଫ୍ କଲେ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ କାର୍ଯ୍ୟାନୁଷ୍ଠାନର କ୍ଷମତା ଦିଆଯାଇଛି ।

ବାଲେଶ୍ବରର ଏୟାର କ୍ବାଲିଟି ଇଣ୍ଡେକ୍ସ ବା ଏକ୍ଯୁଆଇ ୧୧୭। ଅନୁଗୁଳରେ ୧୦୩ ଓ ତାଳଚେରରେ ୯୬। ଦୀପାବଳି ପୂର୍ବରୁ ଏପରି ଚିତ୍ର ଆଦୌ ସନ୍ତୋଷଜନକ ନୁହେଁ । ବାଲେଶ୍ବର ବାୟୁମଣ୍ଡଳରେ ବେଆଇନ ବାଣ ପ୍ରଦୂଷଣ ମାତ୍ରା ଢେର ବଢାଇବ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆନୁସାରେ ଏକ୍ଯୁଆଇ ଶୂନରୁ ୫୦ ରହିଲେ ଭଲ, ୫୧ରୁ ୧୦୦ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ରହିଲେ ମଧ୍ଯମ, ୨୦୧ରୁ ୩୦୦ ରହିଲେ ଖରାପ, ୩୦୧ରୁ ୪୦୦ ରହିଲେ ଅତି ଖରାପ ଓ ୪୦୧ରୁ ୫୦୦ ରହିଲେ ଗୁରୁତର। ଏପରି ସ୍ଥିତିରେ ମଧ୍ୟମ ଧରଣର ବିପଦ ତାଲିକାରେ ବାଲେଶ୍ବର ଓ ଅନୁଗୁଳ ରହିଛି । ଆତସବାଜି ବ୍ୟବହାର ଯୋଗୁ ବିଷାକ୍ତ ଗ୍ୟାସ, ଧୂଳିକଣା ସୃଷ୍ଟି ହେବା ସହ ଶବ୍ଦ ଯୋଗୁଁ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ । ବାଲେଶ୍ବର ସହର ପିକ୍ ପଏଣ୍ଟରେ ରହିବା ପରିବେଶବିତଙ୍କୁ ଚିନ୍ତାରେ ପକାଇଛି। ମୁକୁଳା ଫୁଟପାଥ୍, ଖୋଲାରେ କୋଠାବାଡି ନିର୍ମାଣ, ଯାନବାହନ ସଂଖ୍ୟା ବୃଦ୍ଧି, ରେଳ ଷ୍ଟେସନର ମାଲଗୋଦାମ, କଳକାରଖାନାର ଧୂଆଁ ସହରର ପ୍ରଦୂଷଣ ମାତ୍ରା ବୃଦ୍ଧି ହେବାର ମୂଖ୍ଯ କାରଣ ପାଲଟିଛି। ଫୁଟପାଥରେ ପେଭର ବ୍ଲକ୍ ପକାଇବା, ପାଲ କିମ୍ବା କଭର କରି କୋଠାବାଡି ନିର୍ମାଣ କରିବା, ଇଲେକ୍ଟ୍ରିକ୍ ଗାଡି ବ୍ୟବହାର ପ୍ରଭୃତି ଜରିଆରେ ହ୍ରାସ ପାଇଥାଏ ପ୍ରଦୂଷଣ। ଜନସଚେତନତାକୁ ଗୁରୁତ୍ବ ଦେଇଛନ୍ତି ପରିବେଶବିତ।

ଶୀତ ଆରମ୍ଭ ସହ ଦୀପାବଳିରୁ ହିଁ ବଢିଥାଏ ପ୍ରଦୂଷଣ। ଏଥିଲାଗି ବାଣ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି ମାର୍ଗଦର୍ଶିକା ପ୍ରସ୍ତୁତ କରିଛି। ଦୀପାବଳିରେ ରାତି ୭ରୁ ୯ ଯାଏ ବାଣ ଫୁଟାଯାଇ ପାରିବ । ସବୁଜ ବାଣ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ବାଣର ଉତ୍ପାଦନ ଓ ବିକ୍ରୟ ଉପରେ ନିଷେଧାଦେଶ ହୋଇଛି । ଏହି ବାଣକୁ ପେସା ନାମକ ସଂସ୍ଥା ଯାଞ୍ଚ କରିବ । ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଉପରେ ନିଷେଧାଦେଶ ଜାରି ହୋଇଛି।  ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାରରୁ ବିରତ ରହିବା ପାଇଁ ମାର୍ଗଦର୍ଶିକାର ଉଲ୍ଲେଖ ରହିଛି। ଏହାଛଡ଼ା ବଗିଚା ଓ ପାର୍କ ପରି ସର୍ବସାଧାରଣ ସ୍ଥାନ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳର ୧୦୦ ମିଟର ପରିସୀମାରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ଉଲଂଘନକାରୀଙ୍କ ବିରୋଧରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପ-ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିଯୋଗ କରିହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ୧୦ ବର୍ଷରୁ କମ୍ ପିଲାଙ୍କୁ ବାଣଠାରୁ ଦୂରରେ ରଖିବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରର ଓ କଟକରେ ସ୍ଥିତି ସେତେଟା ଭୟାବହ ନୁହେଁ । ରାଜ୍ୟରେ ୨୦୨୨ ଅପେକ୍ଷା ୨୦୨୩ରେ ପ୍ରଦୂଷଣ କମିଛି । ଦୀପାବଳୀ ପରେ ଏକ୍ଯୁଆଇ ପରୀକ୍ଷଣ କରି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ରିପୋର୍ଟ ପଠାଯିବ ।

ଏମକେସିଜି ମେଡିକାଲ କଲେଜରେ ରାଗିଂ ଘଟଣା : ୫ ଛାତ୍ରଙ୍କୁ ୬ ମାସ ପର୍ଯ୍ୟନ୍ତ କ୍ୟାମ୍ପସ ବ୍ୟାନ୍

ନନ୍ଦିଘୋଷ ବ୍ୟୁରୋ: ଏମକେସିଜି ମେଡିକାଲ କଲେଜରେ ରାଗିଂ ଘଟଣା । ରାଗିଂ କରିଥିବା ୫ ଜଣ ଚତୁର୍ଥ ବର୍ଷର ଛାତ୍ରଙ୍କୁ ୬ ମାସ ପର୍ଯ୍ୟନ୍ତ କଲେଜ କ୍ୟାମ୍ପସ ବ୍ଯାନ କରାଯାଇଛି । ୫ ଜଣ ଚତୁର୍ଥ ବର୍ଷର ଛାତ୍ରମାନେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେଇଥିଲେ । ଦୁଇ ଘଣ୍ଟା ଧରି ଆଣ୍ଟି ରାଗିଂ କମିଟିର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ପୋଲିସରେ ମଧ୍ୟ ଲିଖିତ ଅଭିଯୋଗ ଦିଆଯିବ । ଲିଖିତ ଅଭିଯୋଗ ପ୍ରକାରେ ତଦନ୍ତ କରି ପୋଲିସ ମଧ୍ୟ ୫ ଜଣ ଛାତ୍ରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ । ରାଗିଂ ହୋଇଥିବା ନେଇ ଜଣେ ଦ୍ବିତୀୟ ବର୍ଷର ଛାତ୍ର ଓ ତାଙ୍କ ଅଭିଭାବକ ଗତ ଦୁଇ ଦିନ ପୂର୍ବରୁ ମେଡିକାଲ ଡିନକୁ ଲିଖିତ ଅଭିଯୋଗ ଦେଇଥିଲେ । ଆଉ ଦୁଇ ଜଣ ମଧ୍ୟ ଏନଏମସି ନିକଟରେ ରାଗିଂ ହୋଇଥିବା ଅଭିଯୋଗ କରିଥିଲେ ।  ଏନଏମସି ନିକଟରେ ହୋଇଥିବା ଅଭିଯୋଗର ମଧ୍ୟ ତଦନ୍ତ କରାଯାଇ ଖୁବଶୀଘ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଡିନ ଡା ସୁଚିତ୍ରା ଦାସ ସୂଚନା  ଦେଇଛନ୍ତି ।

 

 

କିଏ ହେବେ ରାଜ୍ୟ ବିଜେପିର ପରବର୍ତ୍ତୀ ସଭାପତି ?

ନନ୍ଦିଘୋଷ ବ୍ୟୁରୋ: କିଏ ହେବେ ରାଜ୍ୟ ବିଜେପିର ପରବର୍ତ୍ତୀ ସଭାପତି ? ମନମୋହନ ରିପିଟ୍ ନା ନୂଆ ମୁହଁ। ଏହାକୁ ଦ୍ବନ୍ଦ୍ବରେ ଅଛନ୍ତି ବିଜେପି ନେତା ଓ କର୍ମୀ। ଆରମ୍ଭ ହୋଇଛି ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପର୍ବ। ବୁଥ୍, ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ସ୍ତରର କର୍ମକର୍ତ୍ତା ନିର୍ବାଚନ ପାଇଁ ରାଜ୍ୟ କାର୍ଯ୍ୟାଳୟରେ ଚାଲିଛି କର୍ମଶାଳା। ସରକାର ଗଠନ ପରେ ଚଳଚଞ୍ଚଳ ହୋଇଛି ବିଜେପି ଶିବିର। ନୂଆ ରାଜ୍ୟ ପଦାଧିକାରୀଙ୍କୁ ନେଇ ଦଳୀୟ ମହଲରେ ବଢ଼ିଛି ଉତ୍ସାହ। ମନ୍ତ୍ରିମଣ୍ଡଳରେ ୬ ମନ୍ତ୍ରୀଙ୍କୁ ଦଳ ସାମିଲ କରିପାରିନଥିବା ବେଳେ, ନୂଆ ସରକାରରେ ନିଗମ ନିଯୁକ୍ତି ବି ହୋଇପାରିନାହିଁ । ଏସବୁ ପଦବୀ ପୂରଣ ପାଇଁ ଦଳ ପକ୍ଷରୁ କିଛି ଆଭାସ ମିଳୁନାହିଁ। ଏପରି ସ୍ଥିତିରେ ପରବର୍ତ୍ତି କମିଟି ଉପରେ ରହିଛି ସମସ୍ତଙ୍କ ନଜର।

ସରକାର ଗଠନ ପରେ ବି ଶାସକ ଦଳରେ ଥମୁନି ଦ୍ବନ୍ଦ୍ବ। ବହୁ ଗୋଷ୍ଠୀରେ ବିଭକ୍ତ ରାଜ୍ୟ ବିଜେପିକୁ ଘାରିଛି ସଙ୍ଗଠନ ଚିନ୍ତା । କାହାର ରହିବ ପଲ୍ଲା ଭାରି, ଚାଲିଛି ଅଙ୍କକଷା । ସରକାରରେ ୬ ମନ୍ତ୍ରୀ ଖାଲି ପଡ଼ିବାକୁ ନେଇ ବ୍ୟାକଫୁଟରେ ଅଛି ରାଜ୍ୟ ବିଜେପି । ସରକାର ଗଠନକୁ ୫ ମାସ ବିତିଲାଣି। ହେଲେ ଏଯାଏ ହୋଇପାରୁନି ନିଗମ ନିଯୁକ୍ତି। ଏଭଳି ସ୍ଥିତିରେ ଦଳରେ ଆରମ୍ଭ ହୋଇଛି ସାଙ୍ଗଠନିକ ନିର୍ବାଚନ ପର୍ବ । ସଙ୍ଗଠନକୁ ନିଜ ଅକ୍ତିଆରରେ ରଖିବାକୁ ଦଳର ବିଭିନ୍ନ ଗୋଷ୍ଠୀ ଭିତରେ ଚାଲିଛି ଛକାପଞ୍ଝା । ପ୍ରାଥମିକ ସଦସ୍ୟ ପରେ ଏବେ ବୁଥ କମିଟି ପାଇଁ ହେବ ନିର୍ବାଚନ । ଏହାପରେ ମଣ୍ଡଳସ୍ତରୀୟ ଓ ଜିଲ୍ଲାସ୍ତରୀୟ ପରେ ରାଜ୍ୟସ୍ତରୀୟ ନିର୍ବାଚନ ହେବ । ପ୍ରଶ୍ନ ଉଠୁଛି କିଏ ସମ୍ଭାଳିବେ ରାଜ୍ୟ ବିଜେପିର ମଙ୍ଗ। ମନମୋହନ ରିପିଟ୍ ନା ସାମ୍ନାକୁ ଆସିବେ ନୂଆ ମୁହଁ। ମନମୋହନ ସାମଲ ପୁଣି ଥରେ ରାଜ୍ୟ ବିଜେପିର ମୁଖିଆ ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ, ଟକ୍କର ଦେବାକୁ ପ୍ରତିଦ୍ବନ୍ଦୀ ବି ତୟାର ହେଉଛନ୍ତି। ନଭେମ୍ବର ୧୫ ଯାଏଁ ସକ୍ରିୟ ସଦସ୍ୟ ଅଭିଯାନ ଚାଲିବ । ଆଉ ଏବେ ଯାଏଁ ଅନଲାଇନରେ ୫୦ ଲକ୍ଷ ସଦସ୍ୟ ହୋଇଛନ୍ତି ବୋଲି କହିଛି ଦଳ।

ମନ୍ତ୍ରୀ ପଦ ଖାଲି, ନିଗମ ପଦବୀ ବି ଖାଲି। ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ପଦବୀ ପାଇଁ ବିଳମ୍ବ ହେଉଛି ନିର୍ବାଚନ। ରାଜ୍ୟସଭା ପାଇଁ ଦଳ କାହାକୁ ବାଛିବ, ତାହା ବି ସ୍ଥିର ହୋଇପାରୁନି। ନୂଆ କମିଟିର ନିର୍ଦ୍ଦେଶ ଅନୁସାରେ ପଦବୀ ପାଇଁ ଚୟନ ହେବେ ନେତା। ତେଣୁ ନୂଆ କମିଟି ଉପରେ ଦଳର ନେତା ଓ କର୍ମୀଙ୍କ ନଜର ରହିଛି । ବିଜେପିରେ ଏବେ ଅନେକ ଗୋଷ୍ଠୀ ନିଜର ଦବଦବା ଦେଖାଇବାକୁ ଉଦ୍ୟମ କରୁଛନ୍ତି। ତେଣୁ କାହାର ପଲ୍ଲା ଭରି ରହିବ, ସାଙ୍ଗଠନିକ ନିର୍ବାଚନରେ ତାହା ସ୍ପଷ୍ଟ ହେବ। ବିଜୟ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କ୍ରେଡିଟ ଯାଉଥିବାରୁ ଦଳ ତାଙ୍କୁ ପୁଣି ଥରେ ସଙ୍ଗଠନ ଦାୟିତ୍ବ ଦେବା କଥା ଚିନ୍ତା କରୁଛି ବୋଲି ନିକଟତମ ମହଲରୁ ସୂଚନା ମିଳୁଛି । ହେଲେ ଦଳ ଭିତରେ ମନମୋହନ ଏକମାତ୍ର ପସନ୍ଦ ହୋଇନଥିବାରୁ କିଛି ପ୍ରତିଦ୍ବନ୍ଦୀ ବି ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଜାନୁଆରୀ ସୁଦ୍ଧା ପ୍ରକ୍ରିୟା ସରିବାକୁ ଲକ୍ଷ୍ୟ ରଖିଛି ବିଜେପି।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାଙ୍ଗଠନିକ ନିର୍ବାଚନ କର୍ମଶାଳାରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କିଛି ମନ୍ତ୍ରୀ, ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତି। ହେଲେ ଅନେକ ସାଂସଦ, ମନ୍ତ୍ରୀ, ବିଧାୟକ ଅନୁପସ୍ଥିତ ଥିବାରୁ ଦଳ ଭିତରେ ଆଲୋଚନାର ଖୋରାକ ଯୋଗାଇଛି ।

ନୟାଗଡ ନିର୍ବାଚନ ମଣ୍ଡଳୀ ଓଡଗାଁରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ନୟାଗଡ ନିର୍ବାଚନ ମଣ୍ଡଳୀ ଓଡଗାଁରେ ବିଜେଡିର ବିଶାଳ ଜନସଂପର୍କ ପଦଯାତ୍ରା । ନୟାଗଡ଼ ବିଧାୟକ ଅରୁଣ ସାହୁ ନେତୃତ୍ୱରେ ଅନୁଷ୍ଠିତ ହୋଇଛି ବିଶାଳ ପଦଯାତ୍ରା। ଜନ ସମ୍ପର୍କ ପଦଯାତ୍ରାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଭାପୁର ବ୍ଲକ ଉପାଦଧ୍ୟ ବେଣୁଧର ପ୍ରଧାନ, ଓଡଗାଁ ବ୍ଲକ ଲୋକନାଥ ସାହୁଙ୍କ ସମେତ ୮ ହଜାରରୁ ଅଧିକ ଜନ ପ୍ରତିନିଧି ଯୋଗ ଦେଇଥିଲୋ। ପଦଯାତ୍ରାରେ ବିଜେଡି ସରକାରଙ୍କ ବିକାଶ ସମ୍ପର୍କରେ ଆଲୋଚନା ସହ ବିଜେପି ମିଛ ପ୍ରତିଶୃତି ଦେଇ ଭୋଟ ହାତେଇବା ସମ୍ପର୍କରେ ଜନସାଧାରଣଙ୍କ ଅବଗତ କରାଯାଇଥିଲା। ୨୦ ବର୍ଷର ଉଜୁଡା ଓଡିଶାକୁ ନବୀନ ପଟ୍ଟନାୟକ ସୁନାର ଓଡିଶା ଭାବେ ଗଠନ କରିଥିଲୋ। ଭତ୍ତାଠାରୁ ଆରମ୍ଭ କରି ବିଦ୍ୟୁତ, ଓଡିଆ ଅସ୍ମିତା, ସୁଭଦ୍ରା ଯୋଜନା, ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା, ଦରଦାମ ବୃଦ୍ଧି ଆଦି ସମସ୍ତ କ୍ଷେତ୍ରରେ ଏ ସରକାର ମିଛ ପ୍ରତିଶୃତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଥିବା କହିଛନ୍ତି ବିଧାୟକ ଅରୁଣ ସାହୁ ।

ଯାତ୍ରାରେ ଅଶ୍ଲୀଳ ନୃତ୍ୟ, ଏମିତି କହିଲେ ଆଇନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଯାତ୍ରାରେ ହେଉଥିବା ଅଶ୍ଲୀଳ ନୃତ୍ୟକୁ ନେଇ ସରକାରଙ୍କ ତର୍ଜମା। ଯାତ୍ରାରେ  ଅଶ୍ଳୀଳ ନାଚକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। କହିଛନ୍ତି, ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ। ଯାତ୍ରା ମାଲିକ ଏ  ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଯେମିତି ଅଶ୍ଲୀଳତା ରହିବ ନାହିଁ। ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି। ବାର ଡାନ୍ସ ବି ଓଡ଼ିଆ ସଂସ୍କୃତି ବିରୋଧୀ। ସେଥିପାଇଁ ନିୟମ ଆସିଛି। ବାରରେ କେବଳ ସଂଗୀତ ପରିବେଷଣ ହୋଇପାରିବ। ଏ ଘଟଣାରେ ଚିନ୍ତା କରି ଖୁବଶୀଘ୍ର ନିଷ୍ପତ୍ତି ନିଅନ୍ତୁ ବୋଲି ଯାତ୍ରା ମାଲିକଙ୍କୁ ଅନୁରୋଧ କରିଛନ୍ତି ଆଇନମନ୍ତ୍ରୀ।

କମିଛି ମାଟି ଦୀପର ଚାହିଦା, ବେପାର ଖାଉଛି LED ଦୀପ

ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ଆଲୋକର ପର୍ବ ଦୀପାବଳି। ଉତ୍ସବ ମୁଖର ପୁରପଲ୍ଲୀ।  ମାଟି ଦୀପକୁ ପଛରେ ପକାଇ ଦେଇଛି ଏଲଇଡି ଲାଇଟ୍ । କୋଣାର୍କରେ ଏଲଇଡି ଲାଇଟ୍ କିଣିବାକୁ ଦୋକାନରେ ଭିଡ ଜମିଛି। ସେପଟେ କେନ୍ଦୁଝର ଘଟଗାଁ ହଳଧରପୁର ଗାଁର କାରିଗର ଦୀପ ତିଆରି କରିବାରେ ବ୍ଯସ୍ତ। ପ୍ରତି ବର୍ଷ ଦୀପ ବେପାର ଭଲ ହୁଏ। ଏବର୍ଷ କିନ୍ତୁ ଏଲଇଡି ଲାଇଟ ପାଇଁ ବ୍ଯବସାୟ ମାନ୍ଦା ଅଛି।

ଆସୁଛି ଆଲୋକର ପର୍ବ ଦୀପାବଳି। ଉତ୍ସବ ମୁଖର ପୁରପଲ୍ଲୀ। ଦୀପରେ ସଜେଇ ହେବ ଘର ଅଗଣା । ଭଳିକି ଭଳି ରଙ୍ଗୀନ ଲାଇଟିରେ ଝଲସିବ ରାସ୍ତା ଘାଟ । ମାଟି ଦୀପକୁ ପଛରେ ପକାଇ ଦେଇଛି LED ଦୀପ । ଆଉ ତା ସାଙ୍ଗକୁ ଆଖି ଝଲସିଲା ଭଳି ମାଳ ମାଳ ଫ୍ୟାନ୍ସୀ ଲାଇଟି। ପୁରୀ ଜିଲ୍ଲା କାକଟପୁର, ଅସ୍ତରଙ୍ଗରେ ଗରମ ହେଲାଣି ଫ୍ୟାନ୍ସୀ ଲାଇଟ୍ ମାର୍କେଟ। ଯାକ ଜକମରେ ଆଲୋକର ପର୍ବ ପାଳିବାକୁ ବଜାରରେ ଭିଡ଼ ଲଗାଇଲେଣି ଲୋକ। ଆଧୁନିକ ଯୁଗରେ ମାଟି ଦୀପର ଚାହିଦା ଦିନକୁ ଦିନ କମିବାରେ ଲାଗିଥିବା ବେଳେ ଲୋକେ ଏବେ ଏଲଇଡି ଲାଇଟ କିଣିବାକୁ ବେସି ପସନ୍ଦ କରୁଛନ୍ତି । ୩୦ଟଙ୍କାରୁ ଆରମ୍ଭ କରି ୪୫୦୦ ଟଙ୍କାରେ ଲାଇଟ୍ ବିକ୍ରି ହେଉଛି।

ଦୀପାବଳି ପାଇଁ କେନ୍ଦୁଝର ଘଟଗାଁ ହଳଧରପୁର ଗାଁର କାରିଗର ଦୀପ ତିଆରି କରିବାରେ ବ୍ଯସ୍ତ। ପ୍ରତି ବର୍ଷ ଦୀପ ବେପାର କରି ପ୍ରତ୍ୟେକ କାରିଗର ୩୦ ରୁ ୪୦ ହଜାର ଟଙ୍କା ରୋଜଗାର କରନ୍ତି। କିନ୍ତୁ ଚଳିତ ବର୍ଷ ବାତ୍ଯା ଦାନା ପାଇଁ ଦୀପ ତିଆରି ବାଧାପ୍ରାପ୍ତ ହୋଇଛି। ଯେଉଁଥିପାଇଁ ୧୦ ହଜାର ଟଙ୍କାର ବେପାର ହେବା କଷ୍ଟକର ବୋଲି କହିଛନ୍ତି କାରିଗର। ଅନ୍ୟପକ୍ଷରେ ଚାଇନା ସାମଗ୍ରୀର ଆଦୃତି ବଢିବାରୁ ମାଟି ଦୀପର ଚାହିଦା କମିଥିବା ଲାଗିଛି।

ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁରେ ଦୀପ ତିଆରି କରୁଛନ୍ତି କୁମ୍ଭାର ପରିବାର।  ଦୀପାବଳିରେ ଆଜିକାଲି ପ୍ଲାଷ୍ଟିକ ଦୀପ ଓ ଲିଚୁ ଲାଇଟ୍ ବ୍ୟବହାର ବୃଦ୍ଧି ପାଇଛି। ଧୀରେ ଧରେ ମାଟି ଦୀପର ଚାହିଦା କମୁଛି। ତଥାପି କାଶୀପୁର ବ୍ଲକରେ ରହୁଥିବା ହାତ ଗଣତି କୁମ୍ଭାର ପରିବାର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ଦୀପ ତିଆରି କରୁଛନ୍ତି। କିନ୍ତୁ ପରିଶ୍ରମ ଅଧିକ ହେଉଥିବା ବେଳେ ସେହି ଅନୁଯାୟୀ ଅର୍ଥ ମିଳୁନଥିବା ଅଭିଯୋଗ କରିଛନ୍ତି କୁମ୍ଭାର ପରିବାର।

ବାତ୍ୟା ପ୍ରଭାବ : ୬ଦିନ ହେବ ଅନ୍ଧାରରେ ବିତୁଛି ଜୀବନ

ନନ୍ଦିଘୋଷ ବ୍ୟୁରୋ: ୬ଦିନ ହେବ ଅନ୍ଧାରରେ ବିତୁଛି ଜୀବନ। ବାସୁଦେବପୁରରେ ଦାନାର ଗଭୀର ପ୍ରଭାବ ଦେଖିବାକୁ ମିଳିଛି। ବାତ୍ଯା ପବନରେ ବଡ ବଡ ଗଛ ପଡି ବିଦ୍ଯୁତ ସେବା ଠପ ହୋଇଯାଇଥିବା ବେଳେ ଡିବିରି ଆଲୁଅରେ ହେଉଛି ନିତ୍ଯାକାର୍ଯ୍ୟ। ଡିବିରି ଆଲୁଅରେ ରୋଷେଇ ଆଉ ପାଠ ପଢା ହେଉଛି। ଚାରିଆଡେ ପାଣି ଥିବାରୁ ବାଉଁଶ ଭେଳା ସାହାଯ୍ୟରେ ଯିବା ଆସିବା କରୁଛନ୍ତି ଲୋକେ।

ଚାଲିଗଲା ବାତ୍ୟା ଦାନା ହେଲେ ଦେଇଗଲା ଅସରନ୍ତି ଦୁଃଖ। ବାତ୍ଯା ପରେ ଅନ୍ଧାରରେ କଟୁଛି ଜୀବନ। ବାତ୍ଯାକୁ ୬ ଦିନ ବିତିଯାଇଥିଲେ ବି ଭଦ୍ରକ ବାସୁଦେବପୁରରେ ସ୍ବାଭାବିକ ହୋଇପାରିନି ଜୀବନ। ଘର ଆଖ ପାଖ ଯେଉଁଆଡେ ଦିଖିବ ଖାଲି ପାଣି ହିଁ ପାଣି। ବାଉଁଶ  ଭେଳା ସାହାଯ୍ୟରେ ଯିବା ଆସିବା କରୁଛନ୍ତି ଲୋକେ। ବାତ୍ଯା ଦାନା ପ୍ରଭାବରେ ବଡ ବଡ ଗଛ ଭାଙ୍ଗିଯାଇଥିବା ବେଳେ ବିଦ୍ଯୁତ ସେବା ଠପ ହୋଇଯାଇଛି। କଳା ଅନ୍ଧକାର ସହ ଯେମିତି ଲଢେଇ କରୁଛନ୍ତି ବାସୁଦେବପୁର ବାସୀ।  ଦୀପ ଓ  ମହମବତୀ  ସାହାରାରେ କଟୁଛି ରାତି।

ବାସୁଦେବପୁର ପୌରପାଳିକା  ରାଧାକାନ୍ତପୁରରେ ବିଦ୍ୟୁତ  ନଥିବାରୁ  ଡିବିର  ମିଞ୍ଜି ମିଞ୍ଜି ଆଲୋକରେ ପଢୁଛନ୍ତି ପିଲା। ରାତି ଅନ୍ଧକାରରେ ସେଇ ଡିବିରି ଆଲୋକରେ ହେଉଛି ରୋଷେଇ। ୬ ଦିନ ଧରି ଅନ୍ଧାରରେ ଦିନ କାଟି ଅତିଷ୍ଟ ହୋଇଗଲେଣି ଲୋକେ। ବାତ୍ୟା ପରେ ବନ୍ୟା ଦୁର୍ଦ୍ଦଶାକୁ ଆହୁରି ବଢେଇ ଦେଇଛି। ପ୍ରଶାସନ ପକ୍ଷରୁ ତତ୍ପରତାର ଅଭାବ ବୋଲି ଅଭିଯୋଗ କରିଛନ୍ତି ଲୋକେ।