ଭୁବନେଶ୍ୱର: ଆନ୍ଧ୍ରକୁ ଘାରିଛି ପୋଲାଭରମ ନିଶା। ନିଜ ସ୍ବାର୍ଥ ପାଇଁ ସବୁ ନିୟମକୁ ଦେଇଛି ଜଳାଞ୍ଜଳି। ପ୍ରଥମେ ବେଆଇନ ଭାବେ ପ୍ରକଳ୍ପ ଡିଜାଇନକୁ କରାଗଲା ପରିବର୍ତ୍ତନ। ଏବେ ତୁରନ୍ତ କାମ ସାରିବାକୁ ଅଣ୍ଟା ଭିଡିଛନ୍ତି ଚନ୍ଦ୍ରବାବୁ ନାଇଡୁ ସରକାର। ପ୍ରକଳ୍ପ ହେଲେ ବିପଦ ବଢ଼ିବା ସହ ବୁଡିଯିବ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ। ଭିଟାମାଟି ହରାଇବେ ହଜାର ହଜାର ପରିବାର। ଏତେ ସବୁ ପରେ ବି ରାଜ୍ୟର ବିଜେପି ସରକାରର ଏଥିପ୍ରତି ଟିକେ ବି ଚିନ୍ତା ନାହିଁ। ଯାହାକୁ ନେଇ ରାଜନୈତିକ ମହଲ ଠାରୁ ଆରମ୍ଭ କରି ଜନ ସଂଗଠନ ଓ ବିଶେଷଜ୍ଞଙ୍କ ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷ।
ଦୀପାବଳି ପାଇଁ ପୁରୀରେ ସ୍ବତନ୍ତ୍ର ଗାଇଡଲାଇନ୍
ପୁରୀ: ଶ୍ରୀକ୍ଷେତ୍ରରେ ଚଳିତବର୍ଷ ଦୀପାବଳି ପାଳନ ନେଇ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ଆଲୋକର ପର୍ବକୁ ଆଲୋକରେ ପାଳିବାକୁ ପରାମର୍ଶ ଦିଆଯାଇଛି। ପ୍ରଦୂଷଣ ମୁକ୍ତ ସବୁଜ ବାଣ ବ୍ଯବହାର ପାଇଁ ପ୍ରଶାସନର ପ୍ରସ୍ତାବ । ରାତି ୧୦ଟା ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯିବ l ପ୍ରଦୂଷଣ ମୁକ୍ତ ସବୁଜ ବାଣ ବ୍ଯବହାର ସହ ପାରମ୍ପରିକ ଦୀପାବଳି ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ଅନ୍ୟପକ୍ଷରେ ପୁରୀ ତାଳବଣିଆ ପଡିଆ ଠାରେ ସ୍ୱତ୍ୱନ୍ତ୍ର ଅନୁମତି ପ୍ରାପ୍ତ ବାଣ ଦୋକାନ ଖୋଲିବାକୁ ଦିଆଯିବ ଅନୁମତି । ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଦୀପାବଳି ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି l
ଧାର୍ମିକ ଓ ପାରମ୍ପରିକ ଅନୁସାରେ ଅମାବାସ୍ୟାରେ ମାଟି ଦୀପରେ ଦୀପଦାନ କରି ଦୀପାବଳି ଉତ୍ସବ ପାଳନ କରାଯାଏ । ଶ୍ରୀକ୍ଷେତ୍ରରେ ଚଳିତବର୍ଷ ନରେନ୍ଦ୍ର କୋଣରେ ଘଟିଥିବା ବାଣ ଅଘଟଣ ଲୋକଙ୍କ ମନରୁ ଲିଭିନାହିଁ । ତେଣୁ ଚଳିତ ବର୍ଷ ବାଣ ନଫୁଟାଇ ଦୀପଦାନ କରି ଦୀପାବଳି ପାଳନ କରିବାକୁ ଶ୍ରୀକ୍ଷେତ୍ରବାସୀଙ୍କୁ ଅନୁରୋଧ ନିବେଦନ କରିଛନ୍ତି କୁମ୍ଭକାର । ଅନ୍ୟପଟେ ଏପରି ଅଘଟଣ ପରେ ପୁରୀରେ ବାଣ ବିକ୍ରି ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବାରୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ ।
ଧନତେରାସରେ ସୁନା ଦୋକାନରେ ଚାଲିଛି ଅଫର ବର୍ଷା
ଭୁବନେଶ୍ୱର: ଆସନ୍ତାକାଲି ଧନ୍ବନ୍ତରି ତ୍ରୟୋଦଶୀ ବା ଧନତେରସ୍। ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ରହିଛି ବିଶ୍ବାସ। ଏଥିପାଇଁ ସୁନା ଦୋକାନରେ ଚାଲିଛି ଅଫରର ବର୍ଷା । ଗ୍ରାକଙ୍କୁ ଆକୃଷ୍ଟ କରିବାକୁ କିଏ ମେକିଂ ଚାର୍ଜରେ ଛାଡ଼ କରିଥିବାବେଳେ ଆଉ କିଏ ଦେଉଛି ବିଭିନ୍ନ ଲୋଭନୀୟ ସ୍କିମ। ଗହଣା ଦୋକାନରେ ଲାଗିଛି ଗ୍ରାହାକଙ୍କ ଭିଡ। ନୂଆ ନୂଆ କଲେକ୍ସନ୍ ସାଙ୍ଗକୁ ସୁନ୍ଦର ଡିଜାଇନ ଲୋକଙ୍କୁ ଆକୃଷ୍ଟ କରିଛି ।
ଚଢା ଦର ସତ୍ତ୍ବେ ଧନତେରସରେ ସୁନା କିଣିବା ପାଇଁ ଲୋକଙ୍କ ମଧ୍ଯରେ ଆଗ୍ରହ ପ୍ରକାଶ ପାଇଛି। ବାଲେଶ୍ବର ବଜାରରେ ସୁନାର ଦର୍ ୧୦ ଗ୍ରାମ୍କୁ ୭୩ ହଜାର ୫୦୦ ଟଙ୍କାରୁ ୭୩ ହଜାର ୯୫୦ ଟଙ୍କା ରହିଛି । ଏହାସହ ଗୋଟିଏ ଗ୍ରାମ୍ ସୁନା କିଣିଲେ ସୁନା ଦର ଉପରେ ୧୦୧ ଟଙ୍କା ରିହାତି ସାଙ୍ଗକୁ ମେକିଂ ଚାର୍ଜରେ ୨୦ରୁ ୨୫ ପ୍ରତିଶତ ଛାଡ଼ ଦେଉଛନ୍ତି ବ୍ଯବସାୟୀ ।
ସେହିପରି ହୀରାରେ ମଧ୍ୟ ଆସିଛି ଭଳିକି ଭଳି ଅଫର୍ । ପୁରୁଣା ସୁନା ବଦଳାଇଲେ ପୂର୍ବରୁ ଓଜନରେ କମ୍ ମିଳୁଥିବା ବେଳେ, ଧନତେରାସ ପାଇଁ ଶହ ପ୍ରତିଶତ ବଦଳ ମୂଲ୍ୟ ଘୋଷଣା କରିଛନ୍ତି ଦେକାନୀ । କ୍ରେଡ଼ିଟ୍ କାର୍ଡ଼ର ସୁନା କିଣାରେ କ୍ୟାସ୍ବେକ୍ ଅଫର୍ ସାଙ୍ଗକୁ ନୁଆ ନୂଆ ଡିଜାଇନ୍ ଓ କଲେକ୍ସନ୍ ଗ୍ରାହକଙ୍କ ମନକୁ ଛୁଉଁଛି ।
ଦୀପାବଳି ପୂର୍ବରୁ ଖରାପ ହେଲାଣି ବାୟୁ ଗୁଣାତ୍ମକ ମାନ, ବିଷ ବଳୟରେ ଓଡିଶାର ୮ ସହର !
ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଖରାପ ହେଲାଣି ବାୟୁ ଗୁଣାତ୍ମକ ମାନ। ଦିଲ୍ଲୀ ପରେ ଓଡ଼ିଶାର ସହରାଞ୍ଚଳ, ଶିଳ୍ପାଞ୍ଚଳ ବାୟୁର ମାନ ଦିନକୁ ଦିନ ଖରାପ ହେବାକୁ ବସିଲାଣି । ରାଜ୍ୟ ସରକାର ଚେଇଁ ଶୋଇଲା ଭଳି ଲାଗୁଛି । ଦୀପାବଳି ଆସିଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେବଳ ଖବରକାଗଜରେ ଔପଚାରିକ ବିଜ୍ଞାପନ ଦେଇ କାମ ସାରି ଦେଉଛି । କେବଳ କାଗଜ କଲମରେ ଚାଲିଛି ପରିବେଶ ସଂରକ୍ଷଣ ଅଧିନିୟମ ୧୯୮୬ର ବ୍ୟବସ୍ଥା । ଫଳରେ ଦିଲ୍ଲୀ ପରେ ରାଜ୍ୟର ଦ୍ବୈତ ନଗରୀ ଭୁବନେଶ୍ବର-କଟକ, ଶିଳ୍ପାଞ୍ଚଳ ରାଉରକେଲା, ଝାରସୁଗୁଡ଼ା, ତାଳଚେର, ପାରାଦୀପ, ଅନୁଗୁଳ ଓ କଳିଙ୍ଗନଗର ଧୀରେ ଧୀରେ ବିଷ ବଳୟ ଭିତରକୁ ଠେଲି ହୋଇଯାଉଛି । ଖୋଦ ରାଜଧାନୀରେ ଆଉ ଏୟାର କ୍ବାଲିଟି ଇଣ୍ଡେକ୍ସ୍ ନେଇ ଏଲ୍ଇଡି କାମ କରୁନି । ଏପରିକି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଫିସରେ ଆଗରୁ ଥିବା ଏଲ୍ଇଡିର ଦେଖା ନାହିଁ । ବାଣ ଫୁଟିଲେ ଶବ୍ଦ ଓ ବାୟୁ ପ୍ରଦୂଷଣ କେବଳ ମଣିଷ ନୁହେଁ ଜୀବଜନ୍ତୁଙ୍କ ଜୀବନ ପାଇଁ ବି ବିପଜ୍ଜନକ । ହେଲେ ମାନୁଛି କିଏ ? ବିଶେଷଜ୍ଞଙ୍କ ମତରେ ଏକ୍ୟୁଆଇକୁ ୬ଟି ବର୍ଗରେ ବିଭକ୍ତ କରାଯାଇଛି । ଶୂନରୁ ୫୦ ସବୁଜ ବର୍ଗ, ୫୧ରୁ ୧୦୦ ହଳଦିଆ, ୧୦୧ରୁ ୧୫୦ ନାରଙ୍ଗୀ । ଏଭଳି ଅବସ୍ଥାରେ ଛୋଟ ପିଲାଙ୍କ ଶ୍ବାସକ୍ରିୟାରେ କଷ୍ଟ ହୋଇଥାଏ । ୧୫୧ରୁ ୨୦୦ ଲାଲ୍ । ଯାହାକି ସମସ୍ତଙ୍କ ପାଇଁ ଅସ୍ବାସ୍ଥ୍ୟକର । ୨୦୧ରୁ ୩୦୦ ବାଇଗଣି ରଙ୍ଗ ଯୋଗୁ ଅତ୍ଯନ୍ତ ଅସ୍ବାସ୍ଥ୍ୟକର । ୩୦୧ରୁ ଅଧିକ ହେଲେ ବାଦାମୀ ରଙ୍ଗ ବର୍ଗରେ ଗଣାଯାଏ । ବାଦାମୀ ବର୍ଗ ଅଞ୍ଚଳରେ ଥିବା ବାୟୁ ଜୀବନ ପାଇଁ ବିଷ ।
ଜଳବାୟୁ ପରିବର୍ତ୍ତନ ଏବେ ବଡ଼ ଚାଲେଞ୍ଜ । ବାୟୁ ପ୍ରଦୂଷଣ ଓ ସବୁଜଗୃହ ବାଷ୍ପ ବଢୁଥିବାରୁ ଓଡ଼ିଶା ଫି’ ବର୍ଷ ବାତ୍ୟା ଦେଖୁଛି । ତଥାପି ଏନ୍ଫୋର୍ସମେଣ୍ଟ୍ ଏଜେନ୍ସିମାନେ ନିହାଲ ହୋଇ ବସିଛନ୍ତି । ସହରାଞ୍ଚଳରେ ବେପରୁଆ ଭାବେ କୋଠାବାଡ଼ି ନିର୍ମାଣ ଓ ଭଙ୍ଗାଭଙ୍ଗି ଯୋଗୁଁ ପ୍ରଦୂଷଣ ବଢୁଛି । ସହରାଞ୍ଚଳରେ ଥିବା ବୃକ୍ଷ ଓ ଲତାଦିର ପତ୍ରରେ ଧୂଳିର ମୋଟ ଆସ୍ତରଣ ପଡୁଛି । ତାକୁ ପାଣି ପକାଇ ସଫା କରାଯାଉନି । ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ିଗୁଡ଼ିକ ଉପରେ ଯେପରି ଅଙ୍କୁଶ ଲାଗିବା କଥା ସେପରି ହେଉନାହିଁ । କେବଳ ପର୍ବପର୍ବାଣୀ କିମ୍ବା ସ୍ବତନ୍ତ୍ର ଦିବସରେ ପ୍ରଚାର ପାଇଁ କର୍ତ୍ତୃପକ୍ଷ କିଛିଟା କରିଦେଇ ଚୁପ ବସିପଡ଼ୁଛନ୍ତି । ବର୍ଷତମାମ ରାସ୍ତାଘାଟ ଖୋଳା ଚାଲିଛି । ଭୁବନେଶ୍ବରର ସବୁ ଗଳି କନ୍ଦି ରାସ୍ତାକୁ ଫେବର୍ ବ୍ଲକ୍ ପକାଇ ଚଟାଣ କରିଦିଆଯାଉଛି । ଏହାଯୋଗୁ ଭୂତଳ ଜଳ ରିଚାର୍ଜ ହୋଇପାରିବନି । କୁହାଯାଉଛି ସବୁଜ ବାଣ ପ୍ରଦୂଷଣ ସୃଷ୍ଟି କରେନି । କିନ୍ତୁ ସେଥିରେ ଶବ୍ଦ ପ୍ରଦୂଷଣର ମାତ୍ରା ରହିଛି । ପରମ୍ପରା ନାଁରେ କେବଳ ପରିବେଶକୁ ଧ୍ବଂସ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ପରିବେଶବିତ୍ ।
ଏକ ଅନୁଧ୍ୟାନରୁ ଜଣାପଡ଼ିଛି ବାୟୁ ପ୍ରଦୂଷଣରେ ବିଶ୍ବରେ ପ୍ରତିବର୍ଷ ୮୧ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟୁଛି । ସେଥିରୁ ଭାରତରେ ପ୍ରାଣ ହରାଉଛନ୍ତି ୨୧ ଲକ୍ଷ ଲୋକ । ଆଗୁଆ ପଦକ୍ଷେପ ନ ନେଲେ ଓଡ଼ିଶା ଯେ ଦିନେ ଦିଲ୍ଲୀ ସ୍ଥିତିକୁ ଆସିଯିବ ସେଥିରେ ସନ୍ଦେହ ନାହିଁ।
ଆଶାୟୀଙ୍କ ଅଭିନବ ପ୍ରତିବାଦ; ଗଛ ତଳେ ପାଠ ପଢ଼ିଲେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଆଶାୟୀ
ଭୁବନେଶ୍ୱର: ଗାନ୍ଧୀମାର୍ଗ ପାଲଟିଲା ଚାଟଶାଳୀ। ଗଛ ତଳେ ପାଠପଢା। ଅଭିନବ ଢ଼ଙ୍ଗରେ ପାଠ ପଢିଲେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଆଶାୟୀ। ଆଣ୍ଠେଇ କାନଧରି ଆଶାୟୀଙ୍କ ପ୍ରତିବାଦ। ହିନ୍ଦୀ ଓ ସଂସ୍କୃତରେ ବିଏଡ କରିନଥିବା ଶିକ୍ଷକ ସ୍କୁଲରେ ପାଠ ପଢାଇବାକୁ ବିରୋଧ କରି ଏଭଳି ନିଆରା ଧାରଣା ଦେଇଛନ୍ତି ଆଶାୟୀ। ୨୦୧୪ରୁ ହିନ୍ଦୀ ଓ ସଂସ୍କୃତରେ ବିଏଡ କରିଥିବା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ରହିଛନ୍ତି। କିନ୍ତୁ ଏହା ସତ୍ତ୍ୱେ କଳା, ବିଜ୍ଞାନ ବିଭାଗର ପିଲାଙ୍କୁ ଆଣି ସଂସ୍କୃତ ହିନ୍ଦୀ ବିଭାଗରେ ଭର୍ତ୍ତି କରାଯାଉଛି। ଏହାର ବିରୋଧ କରି ପ୍ରତିବାଦ କରିଛନ୍ତି ଆଶାୟୀ। କିଏ ଆଣ୍ଠୁ ମାଡି ବସିଛି ତ ଆଉ କିଏ କାନ ଧରି ପ୍ରତିବାଦ କରିଛନ୍ତି। ଓଡ଼ିଆ ଅସ୍ମିତା କଥା କହୁଥିବା ସରକାରର ଅଣଓଡ଼ିଆ ବାବୁମାନେ ଏସି ଚାମ୍ବରରର ଏଭଳି ନୀତି ପ୍ରଣୟନ କରୁଛନ୍ତି।
ମୁଖ୍ୟମନ୍ତ୍ରୀ ଜଣେ ଶିକ୍ଷକ ଥିଲେ, ଅନ୍ୟ ଜଣେ ଶିକ୍ଷକର ଦୁଃଖ ବୁଝିବା ଦରକାର ବୋଲି କହିଛନ୍ତି ଆଶାୟୀ। କଳା, ବିଜ୍ଞାନ ସ୍ପେଶାଲ ପିଲା କେମିତି ହିନ୍ଦୀ ଓ ସଂସ୍କୃତ ପଢ଼ାଇବ ବୋଲି ପ୍ରଶ୍ନ କରିଛନ୍ତି ଆଶାୟୀ।
ଆକ୍ସନ ମୋଡରେ BeMC ; ଖଲ୍ଲିକୋଟ କଲେଜ ନିକଟରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ
ବ୍ରହ୍ମପୁର: ଆକ୍ସନ ମୋଡରେ ବ୍ରହ୍ମପୁର ମହାନଗର ନିଗମ । ବ୍ରହ୍ମପୁର ସହରର ମଧ୍ଯ ଭାଗରେ ଥିବା ଖଲ୍ଲିକୋଟ କଲେଜର ମୁଖ୍ଯ ରାସ୍ତାରେ ବେଆଇନ ଭାବେ ଦୀର୍ଘବର୍ଷ ଧରି ରହିଆସିଥିବା ଉଠା ଦୋକାନ ଗୁଡିକକୁ ଉଚ୍ଛେଦ କରାଯାଇଛି । ସହରର ଏହା ମୁଖ୍ଯ ରାସ୍ତା ହୋଇଥିବା ବେଳେ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି । ହେଲେ କିଛି ବ୍ୟବସାୟୀ ବେଆଇନ ଭାବେ ଦୋକାନ ସବୁ ନିର୍ମାଣ କରିଥିଲେ। ଫଳରେ ବହୁ ସମୟ ଧରି ଟ୍ରାଫିକ ସମସ୍ୟା ଲାଗି ରହୁଥିଲା । ଏହାକୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ସୋମବାର ମହାନଗର ନିଗମ କମିଶନର ପୋଲିସ ଓ ନିଜ କର୍ମଚାରୀମାନଙ୍କୁ ନେଇ ଜେସିବି ସାହାଯ୍ଯରେ ଉଚ୍ଛେଦ କରିଥିଲେ ।
ଶିମିଳିପାଳକୁ ଆସିଲା ନୂଆ ଅତିଥି ଯମୁନା
ମୟୂରଭଞ୍ଜ: ଶିମିଳିପାଳକୁ ଆସିଲା ନୂଆ ଅତିଥି । ମହାରାଷ୍ଟ୍ର ତାଡୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିଛି ଏକ ଅଢେଇ ବର୍ଷର ବାଘୁଣୀ ଯମୁନା । ଶିମିଳିପାଳ ଅଭୟାରଣ୍ୟରେ ଯମୁନାକୁ ଛଡାଯାଇଛି । ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି। ଯଶିପୁର କାଳିଆଣୀ ତନଖି ଫାଟକ ଦେଇ ପ୍ରବେଶ କରି ବାଘୁଣୀ ଯମୁନାକୁ ଜଙ୍ଗଲରେ ଛଡ଼ାଯାଇଛି ।
ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ନିମନ୍ତେ ଅଣାଯାଇଥିବା ବାଘୁଣୀକୁ ନେଇ ବୁଦ୍ଧିଜୀବୀ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।
ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ ମୁକୁଟ ପିନ୍ଧିଲେ ରାଚେଲ ଗୁପ୍ତା
ନନ୍ଦିଘୋଷ ବ୍ୟୁରୋ: ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ ମୁକୁଟ ପିନ୍ଧିଲେ ରାଚେଲ ଗୁପ୍ତା । ପ୍ରଥମ ଭାରତୀୟ ଭାବେ ରଚିଲେ ଇତିହାସ । MGI ହଲ୍ରେ ଫିନାଲେ ସମୟରେ ପେରୁର ଲୁସିୟାନା ଫଷ୍ଟର ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ବିଦେଶରେ ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ଟାଇଟଲ୍ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ରାଚେଲ । ଶୁକ୍ରବାର ଥାଇଲାଣ୍ଡର ବ୍ୟାଙ୍କକ୍ରେ ଆୟୋଜିତ ହୋଇଥିଲା ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ୭୦ରୁ ଅଧିକ ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ସବୁ ସୁନ୍ଦରୀଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ରାଚେଲ । ଫିଲିପିନ୍ସର କ୍ରିଷ୍ଟିନ୍ ଜୁଲିଆନ୍ ଓପିଆଜା ଫାର୍ଷ୍ଟ ରନର-ଅପ୍ ରହିଥିଲେ ।
ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତା ବିଶ୍ୱର ଅଗ୍ରଣୀ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମଧ୍ୟରୁ ଅନ୍ୟତମ । ସାରା ବିଶ୍ୱରେ ଏହାର ୫ ନିୟୁତରୁ ଅଧିକ ଫଲୋଅର୍ସ ଅଛନ୍ତି ।
ରାଚେଲ କିଏ ?
ପଞ୍ଜାବ ଜଳନ୍ଧରର ବାସିନ୍ଦା ହେଉଛନ୍ତି ରାଚେଲ ଗୁପ୍ତା । ରାଚେଲଙ୍କ ଉଚ୍ଚତା ପ୍ରାୟ ୫ ଫୁଟ ୧୦ ଇଞ୍ଚ ହୋଇଥିବା ବେଳେ ବୟସ ୨୦ ବର୍ଷ । ମଡେଲିଂ ଓ ଅଭିନୟ କ୍ଷେତ୍ରରେ ସେ କ୍ୟାରିୟର କରୁଛନ୍ତି । ହିନ୍ଦୀ, ଇଂରାଜୀ ଓ ପଞ୍ଜାବୀ ଭାଷାରେ ତାଙ୍କର ଦକ୍ଷତା ରହିଛି । ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ ୨୦୨୪ ଟାଇଟଲ୍ ଜିତିବା ପୂର୍ବରୁ ମିସ୍ ଗ୍ରାଣ୍ଡ ଇଣ୍ଡିଆ ୨୦୨୪ର ମୁକୁଟ ଜିତିଥିଲେ । ରାଚେଲ ପୂର୍ବରୁ ପ୍ୟାରିସରେ ସୁପର ଟ୍ୟାଲେଣ୍ଟ ଅଫ୍ ୱାର୍ଲ୍ଡ ପୁରସ୍କାର ଜିତିଥିଲେ ।
ରାଚେଲ ସୋସିଆଲ ମିଡିଆରେ ମଧ୍ୟ ବେଶ ସକ୍ରିୟ । ଇନଷ୍ଟାରେ ୧ ମିଲିୟନରୁ ଅଧିକ ଫୋଲର୍ସ ରେଚଲ ଗୁପ୍ତାଙ୍କର ରହିଛି ।
ଜରାଜୀର୍ଣ୍ଣ ଅବସ୍ଥାରେ ରାୟଗଡାର ପ୍ରେମପାହାଡ
ରାୟଗଡା: ଜରାଜୀର୍ଣ୍ଣ ଅବସ୍ଥାରେ ରାୟଗଡାର ପର୍ଯ୍ଯଟନ ସ୍ଥଳୀ ପ୍ରେମପାହାଡ । ରକ୍ଷଣାବେକ୍ଷଣା ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରେମପାହାଡ। କେଉଁଠି ଚେୟାର ଭାଙ୍ଗି ପଡିଛି ତ ଆଉ କେଉଁଠି ସୁରକ୍ଷା ପାଚେରୀରେ କଳଙ୍କି ଲାଗି ଭାଙ୍ଗିବାକୁ ବସିଲାଣି । ଯୁଆଡେ ଦେଖିଲେ ସବୁଠି କୁଢକୁଢ ଅଳିଆ ପଡିଛି। ପୂର୍ବତନ ରାଜ୍ଯ ସରକାରଙ୍କ ଉଦ୍ଯମରେ କୋଟିକୋଟି ଟଙ୍କା ଅନୁଦାନରେ ଲଣ୍ଡା ପାହାଡର ସୌନ୍ଦର୍ଯ୍ଯକରଣ ହୋଇ ପ୍ରେମ ପାହାଡ ନାମରେ ପରିଣତ ହୋଇଥିଲା । ଏଠାରେ ରହିଛି ପ୍ରଭୁ ମହାକାଳେଶ୍ୱର, ଗଣେଶ, ହନୁମାନଙ୍କ ମନ୍ଦିର । ଏଥିସହିତ ବ୍ୟାୟାମ କରିବା ପାଇଁ ପାହାଡ଼ ଚାରି ପାଖରେ ପାଖାପାଖି ଏକ କିଲୋମିଟର ଦୂରତା ବିଶିଷ୍ଠ ସୁନ୍ଦର ଚଲାପଥ ରହିଛି। ତା ସହିତ ରହିଛି ବିଭିନ୍ନ ଶାରୀରିକ ବ୍ୟାୟାମ ଉପକରଣ। ଏଠାରେ ପ୍ରତ୍ଯେକ ଦିନ ହଜାର ହଜାର ଲୋକଙ୍କ ଭିଡ ଲାଗେ । ହେଲେ ଏହି ପର୍ଯ୍ଯଟନସ୍ଥଳୀଟି ରକ୍ଷଣାବେକ୍ଷଣା ଅଭାବରୁ ସତ୍ତା ହରାଇବାକୁ ବସିଥିବାରୁ ଏହାର ପୁନଃରୁଦ୍ଧାର ପାଇଁ ଦାବି କରିଛନ୍ତି ଲୋକେ ।
ପ୍ରେମ ପାହାଡରେ ସୁରକ୍ଷା ବ୍ଯବସ୍ଥା ନଥିବାରୁ ଅନେକ ଅସାମାଜିକ ବ୍ଯକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ଅଭିଯୋଗ ହୋଇଛି । ତେଣୁ ପର୍ଯ୍ଯଟନସ୍ଥଳୀରେ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରିବାକୁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ । ଅପରପକ୍ଷେ ଏହି ପର୍ଯ୍ଯଟନସ୍ଥଳୀର ରକ୍ଷାବେକ୍ଷଣା ପାଇଁ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ବିଧାୟକ ଆପଲସ୍ୱାମୀ କାଡ୍ରାକା।

