spot_img
Home Blog Page 1419

କିର୍ମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଭୋଟ ସ୍ଥଗିତ, ଚକ୍ରାନ୍ତ କରି ସ୍ଥଗିତ କରାଯାଇଥିବା ଅଭିଯୋଗ

ଝାରସୁଗୁଡା: ହାରିଯିବା ଭୟରେ କରିଥିଲେ ଚକ୍ରାନ୍ତ। ହାରିଯିବା ଭୟରେ କରାଯାଇଥିବା ଚକ୍ରାନ୍ତ ଶେଷରେ ଫେଲ ମାରିଛି। ଆଜି ଝାରସୁଗୁଡ଼ା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଆସିବା ପୂର୍ବରୁ ଦିବଙ୍ଗତ ବିଜେଡି ନେତା ତଥା ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଛତିଶଗଡ଼ ସରେଇପାଲି ଥାନାରେ ଅଟକ ରଖାଯାଇଛି। ବିଶାଲ ଦାସଙ୍କ ସହ କିର୍ମିରା ବ୍ଲକ କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମଧ୍ୟ ଛତିଶଗଡ଼ ପୋଲିସ ଅଟକ ରଖିଥିବା ଜଣାପଡିଛି ।

ଆଜି ଝାରସୁଗୁଡ଼ା କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟରେ ଯୋଗଦେବାକୁ ଆସୁଥିବା ପିଆରଆଇ ମେମ୍ବର ସମେତ ନବ ଦାସଙ୍କ ପୁଅ ବିଶାଲ ଦାଶଙ୍କୁ ଗତ ରାତି ୧୧ଟାରୁ ଅଟକ ରଖିଛି ଛତିଶଗଡ଼ ପୋଲିସ । ଆଜି ଥିଲା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ। ଏଥିଲାଗି ଗତକାଲି ସୁରକ୍ଷା ପ୍ରଦାନ କରିବାକୁ ଦାବି କରିଥିଲେ ପିଆରଆଇ ମେମ୍ବର। ବିଶାଲ ଦାଶଙ୍କ ହୋଟେଲରେ ପହଞ୍ଚି ଲଇକେରା ଆଇଆଇସି ସେମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।

ଏନେଇ ସମ୍ବଲପୁର ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରି ପିଆରଆଇ ସଦସ୍ୟଙ୍କ ଲାଗି ସୁରକ୍ଷା ମାଗିଥିଲେ ନବ ଦାଶଙ୍କ ପୁଅ ବିଶାଲ । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟିକା ଦୀପାଳି ଦାସ। ଯଦି ଅନାସ୍ଥା ଭୋଟରେ ପିଆରଆଇ ସଦସ୍ୟ ସାମିଲ ହୋଇନପାରନ୍ତି ଏହାର ଦାୟୀ ଓଡ଼ିଶା ସରକାର ହେବେ ବୋଲି କହିଛନ୍ତି ଦୀପାଳି। ଗଣତନ୍ତ୍ରର ଏହା ହତ୍ୟା ବୋଲି କଡ଼ା ସମାଲୋଚନା କରି କହିଛନ୍ତି ।

ଜଳୁଛି ଆମେରିକା କାଲିଫର୍ଣ୍ଣିଆ ଜଙ୍ଗଲ , ପାଉଁଶ ହେଇଗଲାଣି ଅନେକ ତାରକାଙ୍କ ଦାମୀ ବଙ୍ଗଳା

ନନ୍ଦିଘୋଷ ବ୍ୟୁରୋ: ଜଳୁଛି ଆମେରିକା । ଜଙ୍ଗଲ ନିଆଁରେ ଜନବସତି । କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲ୍ସର ଜଙ୍ଗଲରେ ଲାଗିଛି ଭୀଷଣ ନିଆଁ । ନିଆଁ ଏତେ ଭୟଙ୍କର ଯେ ବର୍ଣ୍ଣନା କରିବା ଅସମ୍ଭବ । ବର୍ତ୍ତମାନ ସୁଦ୍ଧା ନିଆଁରେ ଜଳିପୋଡି ପାଉଁଶ ହେଇଗଲାଣି ୨୮ହଜାର ଏକର ଜମି ସମେତ ଅନେକ ତାରକାଙ୍କ ଦାମୀ ବଙ୍ଗଳା । ନିଆଁରେ ପୋଡି ୫ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ।  ଏହି ଅଗ୍ନିକାଣ୍ଡ ଯୋଗୁଁ ୨ଲକ୍ଷରୁ ଅଧିକ ଲୋକ ବାସହରା ହୋଇଛନ୍ତି ।  ପ୍ରବଳ ଅଗ୍ନିକାଣ୍ଡ ଯୋଗୁଁ ପ୍ୟାରିସ୍ ହିଲଟନ୍ ସମେତ ଅନେକ ତାରକାଙ୍କ ବଙ୍ଗଳା ପୋଡି ପାଉଁଶ ହୋଇଯାଇଛି ଏବଂ ନିଆଁରୁ ବର୍ତ୍ତିବା ପାଇଁ ଏକ ଲକ୍ଷରୁ ଅଧିକ ଲୋକ ନିଜ ଘର ଛାଡିଛନ୍ତି । ତେବେ ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ହୁତୁହୁତୁ ହେଇ ଜଳୁଛି ଆମେରିକା । ଲସ୍ ଆଞ୍ଜେଲ୍ସର ଅଧିକାଂଶ ଜଙ୍ଗଲରେ କାୟା ମେଲାଇଛି ନିଆଁ । ନିଆଁ ପ୍ରଥମେ ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ଲାଗିଥିଲା । ଦେଖୁ ଦେଖୁ କାଲିଫର୍ଣ୍ଣିଆର ଜଙ୍ଗଲକୁ ବ୍ୟାପିଗଲା ନିଆଁ । ଲସ୍ ଆଞ୍ଜେଲ୍ସରେ ଥିବା ହଲିଉଡ୍ ସହରକୁ ମଧ୍ୟ ନିଆଁ କବଜା କରି ନେଇଛି । ହଲିଉଡ୍ ତାରକାଙ୍କ ଅଲିଶାନ ବଙ୍ଗଳା ମଧ୍ୟ ନିଆଁରେ ଭସ୍ମୀଭୂତ ହୋଇଛି । ସାଧାରଣ ଲୋକଙ୍କ ଶତାଧିକ ଘର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି । ସ୍ଥିତିକୁ ନଜରରେ ରଖି ଏକ ଲକ୍ଷରୁ ଅଧକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ନିଆଁ ଲିଭାଇବା ପାଇଁ ଜାରି ରହିଛି ଉଦ୍ୟମ । ପ୍ରବଳ ପବନ ବୋହୁଥିବାରୁ ଦ୍ରୁତ ଗତିରେ ନିଆଁ ବ୍ୟାପିବାରେ ଲାଗିଛି । ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ଏକ ହଜାରରୁ ଅଧିକ ଘର ନଷ୍ଟ ହୋଇଯାଇଛି । ନିଆଁକୁ ଆୟତ୍ତ କରିବାକୁ ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି । ସ୍ଥାନୀୟ ପ୍ରଶାସନ ସହ ସେନା ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପାସାଡେନା ନିକଟରେ ଅଲ୍‌ତାଡେନାରେ ପ୍ରାୟ ୨ ହଜାର ଏକର ଜମିରେ ବ୍ୟାପିଛି ନିଆଁ । ଲସ୍ ଏଞ୍ଜଲ୍ସର ଉତ୍ତର-ପଶ୍ଚିମ ସୋନା ଫର୍ଣ୍ଣାଡୋ ଘାଟିର ସିଲମାରେ ମଧ୍ୟ ନିଆଁ ବ୍ୟାପିବାରେ ଲାଗିଛି । ପ୍ରାୟ ୫ଶହ ଏକର ଅଞ୍ଚଳ ନିଆଁର ଆଁ ଭିତରକୁ ଆସିଛି ।

ଲସ୍‌ଏଞ୍ଜେଲ୍ସ ଜଙ୍ଗଲ ନିଆଁ ରେ ହଲିଉଡ୍‌ର ବହୁ ସେଲିବ୍ରିଟିଙ୍କ କୋଠାବାଡ଼ି ଜଳି ଧ୍ୱଂସ ହୋଇଯାଇଛି। ଗୁରୁବାର ବିଲ୍ଲି କ୍ରିଷ୍ଟାଲ, ପ୍ୟାରିସ୍‌ ହିଲ୍‌ଟନ୍‌ ଓ ମେଣ୍ଡି ମୁରିଙ୍କ ସମେତ ଅନେକ ଅଭିନେତ୍ରୀ ଅଭିନେତା ବାସଚ୍ୟୁତ ହୋଇ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଲକ୍ଷାଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାର କ୍ଷୟକ୍ଷତି ୫୨ ରୁ ୫୭ ବିଲିୟନ ଡଲାର ମଧ୍ୟରେ ଆକଳନ କରାଯାଇଛି। ଏହାକୁ କାଲିଫର୍ନିଆ ଇତିହାସରେ ସବୁଠୁ ଭୟଙ୍କର ବିପର୍ଯ୍ୟୟ ବୋଲି କୁହାଯାଉଛି। ସେପଟେ ଭୀଷଣ ଅଗ୍ନିକାଣ୍ଡକୁ ଦେଖି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ବିଦେଶ ଗସ୍ତକୁ ରଦ୍ଦ କରିଛନ୍ତି । ଅନ୍ୟପଟେ ନିବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କାଲିଫର୍ଣ୍ଣିଆ ଗଭର୍ଣ୍ଣରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବକ୍ସ ଖଟରୁ ୩ଜଣଙ୍କ ମୃତଦେହ ଉଦ୍ଧାର, ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ: ଲିଭିଗଲା ଗୋଟିଏ ପରିବାରର ୫ଜଣଙ୍କ ଜୀବନ ଦୀପ । ସ୍ଵାମୀ ସ୍ତ୍ରୀର ଶବ ଖଟରେ ପଡି ରହିଥିବାବେଳେ ଖଟର ବକ୍ସରେ ରହିଛି ୩ ଝିଅଙ୍କ ମୃତଦେହ। ମୃତଦେହ ଗୁଡିକୁ କପଡା ଗୁଡାଇ ପଲିଥିନ ବାନ୍ଧି ରଖାଯାଇଛି । ଏହି ଘଟଣା ପରେ ଉତ୍ତରପ୍ରଦେଶ ମିରଟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି  । ମିରଟ ଲିସାଡି ଥାନା ଅନ୍ତର୍ଗତ ସୋହେଲ ଗାର୍ଡେନ ନିକଟରେ ଥିବା ଏକ ଘର ଭିତରୁ ଏସବୁ ମୃତଦେହକୁ ଉଦ୍ଧାର କରାଯାଇଛି । ପୋଲିସ ଅନୁଯାୟୀ ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ସମେତ ୩ଜଣ ଛୁଆଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ମୃତକଙ୍କ ମଧ୍ୟରୁ ସ୍ବାମି ମୋଇନ ଚିନାଇ, ସ୍ତ୍ରୀ ଆସମା ଏବଂ ତିନି ଝିଅ ଅଫ୍ସା(୮), ଅଜୀଜା(୪) ଏବଂ ଅଦୀବା(୧) ଙ୍କ ମୃତଦେହ ମିଳିଛି ।

ମୃତକଙ୍କ ଭାଇଙ୍କ କହିବାନୁଯାୟୀ ମୋଇନ ଚିନାଇ ମୃତ୍ୟୁ ପୂର୍ବରୁ ତାଙ୍କ ଝିଅର ଦେହ ଖରାପ ଅଛି ଏବଂ ତାଙ୍କୁ ମେଡିକାଲରେ ବେଡ ମିଳୁନଥିବାରୁ ତାଙ୍କୁ ଫୋନ କରିଥିଲେ । ପରେ ତାଙ୍କ ଭାଇ ସେଠାରେ ପହଞ୍ଚିବା ପରେ ତାଙ୍କର ଭେଟ ମିଳିନଥିଲା  । ପରେ ତାଙ୍କୁ ଫୋନ କଲାପରେ ସେ ଉଠାଇନଥିଲେ । ବହୁଥର ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ଯୋଗାଯୋଗ ହୋଇପାରୁନଥିବାରୁ ତାଙ୍କ ଘରକୁ ଆସିବା ପରେ ବାହାରୁ ତାଲା ପଡିଥିବା ଦେଖିବାକୁ ମିଳିଲା । ପରେ ତାଲା ଭାଙ୍ଗି ଭିତରକୁ ପଶିବାକୁ ଚେଷ୍ଟା କରିବା ବେଳେ ଭିତର ପଟୁ କବାଟ ବନ୍ଦ ଥିଲା । ତେଣୁ ସେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିବା ପରେ ସମସ୍ତଙ୍କ ମୃତଦେହ ମିଳିଥିଲା ।

ହତ୍ୟା ପରେ କେହି ମୃତଦେହ ଗୁଡ଼ିକୁ ଏପରି ଖଟ ଭିତରେ ଲୁଚାଇବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । କୌଣସି ଶତ୍ରୁତାରୁ ଏହି ହତ୍ଯାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ । ବେଡ ପାଖରେ ଥିବା ଏକ ଚାଦହରେ ବନ୍ଧା ହୋଇ ମୋଇନର ମୃତଦେହ ରଖାଯାଇଛି। ମୁଣ୍ଡରେ ଗଭୀର ଆଘାତରୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଜବତ କରିବା ସହ ପଡୋଶୀଙ୍କୁ ଜେରା କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ, ଛତିଶଗଡ଼ ସରେଇପାଲି ଥାନାରେ ଅଟକ

ଝାରସୁଗୁଡା: ଦିବଙ୍ଗତ ବିଜେଡି ନେତା ତଥା ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ। ଛତିଶଗଡ଼ ସରେଇପାଲି ଥାନାରେ ବିଶାଲ ଦାସଙ୍କୁ ଅଟକ ରଖିଛି ସେଠାକାର ପୋଲିସ। ବିଶାଲ ଦାସଙ୍କ ସହ କିଛି କିରମିରା ବ୍ଲକ ଅଧିନ କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମଧ୍ୟ ଛତିଶଗଡ଼ ପୋଲିସ ଅଟକାଇଥିବା ଜଣାପଡିଛି। ଆଜି ଝାରସୁଗୁଡ଼ା କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅଛି ଅନାସ୍ଥା ଭୋଟ। ଅନାସ୍ଥା ଭୋଟ ପୂର୍ବରୁ ଛତିଶଗଡ଼ର ସରେଇପାଲି ଥାନାରେ ଅଟକ ଅଛନ୍ତି ଏକାଧିକ ପିଆରଆଇ ସଦସ୍ୟ । ଅନାସ୍ଥା ଭୋଟରେ ଯୋଗଦାନ ଲାଗି ଆସୁଥିବା ପିଆରଆଇ ମେମ୍ବର ସମେତ ନବ ଦାସଙ୍କ ପୁଅ ବିଶାଲ ଦାଶଙ୍କୁ ଗତକାଲି ରାତି ୧୧ଟାରୁ ଅଟକ ରଖିଛି ଛତିଶଗଡ଼ ପୋଲିସ ।

ଆଜି ସକାଳ ୧୦ଟାରେ ଅଛି କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ। ଏଥିଲାଗି ଗତକାଲି ସୁରକ୍ଷା ପ୍ରଦାନ କରିବାକୁ ଦାବି କରିଥିଲେ ପିଆରଆଇ ମେମ୍ବର। ବିଶାଲ ଦାଶଙ୍କ ହୋଟେଲରେ ପହଂଚି ଲଇକେରା ଆଇଆଇସି ସେମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ସମ୍ବଲପୁର ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରି ପିଆରଆଇ ସଦସ୍ୟଙ୍କ ଲାଗି ସୁରକ୍ଷା ମାଗିଥିଲେ ନବ ଦାଶଙ୍କ ପୁଅ ବିଶାଲ ଦାଶ । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟିକା ଦୀପାଳି ଦାଶ। ଯଦି ଅନାସ୍ଥା ଭୋଟରେ ପିଆରଆଇ ସଦସ୍ୟ ସାମିଲ ହୋଇନପାରିନ୍ତି ଏହାର ଦାୟୀ ଓଡ଼ିଶା ସରକାର ହେବେ ବୋଲି କହିଛନ୍ତି ଦୀପାଳି ଦାଶ। ଗଣତନ୍ତ୍ରର ଏହା ହତ୍ଯା ବୋଲି କଡ଼ା ସମାଲୋଚନା କରି କହିଛନ୍ତି।

ଆଜି ପ୍ରବାସୀ ଭାରତୀୟ ସମ୍ମେଳନର ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ବର: ଆଜି ପ୍ରବାସୀ ଭାରତୀୟ ସମ୍ମେଳନର ଉଦଯାପନୀ ଦିବସ । ଯୋଗ ଦେବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସକାଳ ୧୨.୪୫ ରେ ରାଜଭବନରୁ ବାହାରି ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ସାମିଲ ହେବେ । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଅଭିଭାଷଣ ରଖିବେ ରାଷ୍ଟ୍ରପତି। ପରେ ସେଠାରେ ଥିବା ଓଡ଼ିଶା କଳା, ସଂସ୍କୃତି ଓ ଐତିହ୍ୟକୁ ବୁଲି ଦେଖିବେ ।

ପ୍ରବାସୀ ଭାରତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହ ମଧ୍ୟାହ୍ନ ଭୋଜନ କରିବେ। ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି। ପରେ ଅପରାହ୍ନ ୪.୫୫ ରେ ଭୁବନେଶ୍ୱର ଛାଡ଼ିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ବିମାନ ବନ୍ଦରରୁ ରାଜଭବନ ରାସ୍ତାର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯକ୍ରମ ଆୟୋଜନ କରାଯାଇଛି। ରାଜଧାନୀରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।

ବ୍ରିଜ ତଳକୁ ଖସିଲା ବସ୍, ଜଣେ ମୃତ

ନୟାଗଡ: ରାତି ଅଧରେ ବଡ ଦୁର୍ଘଟଣା । ବ୍ରିଜ ତଳକୁ ଖସିଲା ବସ୍, ଜଣେ ମୃତ । ବସରେ ପାଖାପାଖି ୪୦ଯାତ୍ରୀ ଥିଲେ । ନୟାଗଡ଼ ରଣପୁରରେ ବ୍ରିଜ ତଳକୁ ଯାତ୍ରୀବାହୀ ବସଟି ଖସିପଡିଛି । ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଗୋପାଳପୁର ନିକଟ ଖଣ୍ଡିସି ବ୍ରିଜ ନିକଟରେ ଖସି ପଡିଛି ବସ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଅଛନ୍ତି । ୧୯ ଜଣ ଆହତ ହୋଇଛନ୍ତି ।

ନୟାଗଡ଼ରୁ ଇଣ୍ଡିଆନ ନାମକ ଯାତ୍ରୀବାହୀ ବସଟି ଭରସାମ୍ୟ ହରାଇ ବ୍ରିଜକୁ ଧକ୍କା ଦେଇ ପାଣି ଭିତରକୁ ଖସି ପଡିଥିଲା। ବସରେ ଚାଳିଶିରୁ ଅଧିକ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି। ନୟାଗଡ଼ ଗୁଣ୍ଠୁଣିରୁ କାଳିଜାଇ ଅଭିମୁଖେ ଯାତ୍ରା କରୁଥିଲେ। ଘଟଣାସ୍ଥଳରେ ଚାନ୍ଦପୁର ଓ ରଣପୁର ପୋଲିସ ପହଞ୍ଚିଛନ୍ତି। ରଣପୁର ଓ ଟାଙ୍ଗୀ ଦମକଳ ବାହିନୀର ମିଳିତ ଉଦ୍ୟମରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା।

ପୂର୍ବ ନବୀନ ସରକାରଙ୍କ ବାଟ ଅନୁସରଣ କଲେ ମୋହନ ସରକାର

ଭୁବନେଶ୍ଵର: ପୂର୍ବ ନବୀନ ସରକାରଙ୍କ ବାଟ ଅନୁସରଣ କଲେ ମୋହନ ସରକାର । ଏ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା। କପି ରୋକିବାକୁ ଗତ ବର୍ଷ ପରୀକ୍ଷାମୂଳକ ଭାବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସ୍କ୍ବାଡ ଗଠନ କରି ସଫଳତା ପାଇଥିଲେ ନବୀନ ସରକାର। ଚଳିତ ବର୍ଷ ଏହି ଫର୍ମୁଲାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ମାଝୀ ସରକାର। ବଡ଼ ଜିଲ୍ଲାରେ ଦୁଇଟି ଓ ଛୋଟ ଜିଲ୍ଲାରେ ଗୋଟିଏ ଗ୍ରୁପ୍ ରହିବେ। ପରୀକ୍ଷାକୁ ଆଉ ୪୦ ଦିନ ବାକି ଥିବା ବେଳେ ସୁରକ୍ଷା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ହବ୍ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହବ୍ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଥିବାବେଳେ ସେଥିରୁ ୨୦୪ଟି ଯୁକ୍ତ ଦୁଇ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ବୟଂଶାସିତ କଲେଜ, ବିଶ୍ଵବିଦ୍ୟାଳୟ ହୋଇଥିବା ବେଳେ ଗୋଟିଏ ସବ୍-ଟ୍ରେଜେରିକୁ ହବ୍ ଭାବେ ଚିହ୍ନଟ କରାଯାଇଛି। ଏବର୍ଷ ୧୨୬୮ଟି ପରୀକ୍ଷା କେନ୍ଦ୍ର ଓ ୮ଟି ଉପକେନ୍ଦ୍ର କରାଯାଇଛି । ଯାହାକି ଏହି ୨୦୫ଟି ହବ୍ ଅଧୀନରେ ରହିବ । ପୂର୍ବରୁ ଥିବା ରାଜ୍ୟସ୍ତରୀୟ ସ୍କ୍ବାଡ ଭାଙ୍ଗି ଜିଲ୍ଲାସ୍ତରୀୟ କରିବାକୁ ନିଷ୍ପତ୍ତି ହୋଇ ପ୍ରତି ଜିଲ୍ଲାରେ ସ୍କ୍ବାଡ ଗଠନ ହେବ। ଏହାର ସଦସ୍ୟମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଯାଞ୍ଚ କରିବେ। ସ୍କ୍ବାଡରେ ଜିଲ୍ଲା ବାହାର ଅଧ୍ୟାପକମାନେ ହିଁ ସଦସ୍ୟ ରହିବେ। ସେମାନଙ୍କ ଖର୍ଚ୍ଚ ବହନ କରିବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଜିଲ୍ଲାସ୍ତରୀୟ ସ୍କ୍ବାଡ ସହ ପରିଷଦର ଜୋନସ୍ତରୀୟ, ହବ୍ ଅବଜର୍ଭର ଓ ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କୁ ନେଇ ମଧ୍ୟ ସ୍କ୍ବାଡ ଗଠନ କରାଯିବ। ଯେଉଁମାନେ ହବ୍ ସୁପରଭାଇଜର ଦାୟିତ୍ଵରେ ରହିବେ, ସେମାନଙ୍କ ସମ୍ପର୍କୀୟ ପରୀକ୍ଷାର୍ଥୀ ହୋଇ ନ ଥିବା ଆବଶ୍ୟକ ।

ଜିଲ୍ଲାସ୍ତରୀୟ ସ୍କ୍ବାଡ ରହିଲେ, ସବୁ କେନ୍ଦ୍ର ଯାଞ୍ଚ କରିବା ସହଜ ହେବ। ତେବେ ଜିଲ୍ଲାର ଦୂରତା ଦେଖି ଖର୍ଚ୍ଚ ନିର୍ଦ୍ଧାରଣ କରିବାକୁ ଅଧ୍ୟାପକ ମହଲରୁ ପରାମର୍ଶ ଦିଆଯାଇଛି ।

ଯେଉଁଠାରେ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ପରୀକ୍ଷାର ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ ଥିବେ, ସେଭଳି ସ୍ଥଳେ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକଙ୍କୁ ସୁପରଭାଇଜର ଦାୟିତ୍ଵରେ ରଖାଯିବ । ସୁପରଭାଇଜରଙ୍କ ବ୍ୟତୀତ ଡେପୁଟି ସୁପରଭାଇଜର, ଇଏମ୍ଏଚ୍ ସହାୟକ, ଜଣେ ଲେଖାଏ ଅଧିକାରୀ ଓ ନାଇଟ୍ ୱାଚମ୍ୟାନ୍ ହବ୍ ପରିଚାଳନା ଦାୟିତ୍ବରେ ରହିବେ । ହବର ଷ୍ଟ୍ରଙ୍ଗ୍ ରୁମରେ ୨୪ ଘଣ୍ଟିଆ ସିସିଟିଭି ବ୍ୟବସ୍ଥା ସହ ପୋଲିସ ପହରା ବ୍ୟବସ୍ଥା କରାଯିବ।

ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ; ଉତ୍କଳ ମାଟିରୁ ମୋଦିଙ୍କ ବିଶ୍ବ ଶାନ୍ତିର ବାର୍ତ୍ତା

ଭୁବନେଶ୍ଵର: ଭୁବନେଶ୍ଵର ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ନରେନ୍ଦ୍ର ମୋଦି । ଓଡ଼ିଶାରୁ ବିଶ୍ୱକୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି ମୋଦି । ସେ କହିଛନ୍ତି, ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ । ଉତ୍କଳ ମାଟିରୁ ମୋଦିଙ୍କ ବିଶ୍ବ ଶାନ୍ତିର ବାର୍ତ୍ତା । ଭାରତର ସମୃଦ୍ଧ ପ୍ରତିବିମ୍ବ ଓଡ଼ିଶାର ମହାନ ଭୂମି । ମଞ୍ଚରେ ଶାନ୍ତି ଓ ମୈତ୍ରୀର କଥା କହିବା ସହ ଓଡ଼ିଶାର ଐତିହ୍ୟ ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ବିଖ୍ୟାତ କରିବା ଲାଗି ବଡ଼ ପଦକ୍ଷେପ ନେଇଛନ୍ତି ମୋଦି ।  ଭଗବାନ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ପବିତ୍ର ମାଟିରେ ସମସ୍ତ ପ୍ରବାସୀଙ୍କୁ ସ୍ବାଗତ କରିବା ମୋ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ଥିବା ଧଉଳି ସ୍ତୁପ ସାରା ବିଶ୍ଵ ପାଇଁ ଶାନ୍ତିର ପ୍ରତୀକ। ସମ୍ରାଟ ଅଶୋକ ଏଠି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ସମ୍ରାଟ ଅଶୋକ ଓଡ଼ିଶାରୁ ହିଁ ଅହିଂସାର ରାସ୍ତା ଦେଖିଥିଲେ । ତେଣୁ ଭବିଷ୍ୟତ ଯୁଦ୍ଧରେ ନାହିଁ ବୁଦ୍ଧରେ ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ସୁଦୂର ବାଲିରେ ବାଲିଯାତ୍ରାର ଗାଥା କହି କଟକ ଓ ବାଲିଯାତ୍ରାକୁ ବିଶ୍ୱର ନଜରକୁ ଆଣିଥିଲେ ମୋଦି । ୧୯୪୭ ଭାରତ ସ୍ଵାଧୀନତା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଆଗକୁ ଆସୁଛନ୍ତି ପ୍ରବାସୀ ଭାରତୀୟ । ପ୍ରବାସୀ ମାନେ ଅନ୍ୟ ଦେଶ ସହ ଭାରତରେ ମଧ୍ୟ ନିବେଶ କରୁଛନ୍ତି । ଫଳରେ ୨୦୪୭ ସୁଦ୍ଧା ସଫଳତାର ଶୀର୍ଷ ଛୁଇଁବାକୁ ଭାରତ ଲକ୍ଷ୍ୟ ରଖିଥିବା କହିଛନ୍ତି ମୋଦି । ସେପଟେ ବ୍ରାଣ୍ଡ ଓଡିଶାକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ଓ ପ୍ରବାସୀ ସମ୍ମିଳନୀ ଭଳି ଆନ୍ତର୍ଜାତୀକ ଉତ୍ସବ ଓଡ଼ିଶାରେ ଆୟୋଜନ କରିବାର ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଶାରେ ଥିବା ଅପାର ସମ୍ଭାବନା ଓ ସୁଯୋଗରୁ ଫାଇଦା ନେବାକୁ ଇଛା ପ୍ରକାଶ କରିଛନ୍ତି କିଛି ପ୍ରବାସୀ ଭାରତୀୟ। ଡିଜିଟାଲ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ପ୍ରତିଷ୍ଠା କରିବାକୁ ମନ ବଳାଇଛନ୍ତି ଭିଜନ ଡିଜିଟାଲ ଇଣ୍ଡିଆର ଅଧ୍ୟକ୍ଷ ଡ ହରିକୃଷ୍ଣ ମାରାମ।  ସେହିଭଳି ଓଡ଼ିଶାରେ ଥିବା ସୁଯୋଗକୁ ନେଇ ପ୍ରବାସୀ ଭାରତୀୟ ମାନେ ମଧ୍ୟ ସ୍ବାଗତ କରିଛନ୍ତି ।

ପ୍ରବାସୀ ଆସିଲେ ଆସିବ କି ପୁଞ୍ଜି; ଭବ୍ୟ ଆୟୋଜନ ନେଇ ବୟାନବାଜି ଆରମ୍ଭ

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡ଼ିଶାରେ ବିଦେଶୀ ପୁଞ୍ଜି ନିବେଶ ବଢିବ କି ? ତାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ବିଜେଡି କହିଛି, ନବୀନଙ୍କ ଅମଳରେ ଓଡ଼ିଶା ନିବେଶକାରୀଙ୍କ ପ୍ରଥମ ପସନ୍ଦ ପାଲଟିଥିଲା। ବିଦେଶରୁ ପୁଞ୍ଜି ଆସିବା ସହ ଅନେକ କ୍ଷେତ୍ରରେ କାମ ବି ଆରମ୍ଭ ହୋଇଥିଲା । ଓଡ଼ିଶାର କେନ୍ଦ୍ରପଡ଼ାରେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ବିଶ୍ବର ସବୁଠାରୁ ବଡ଼ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ କାମ ଆରମ୍ଭ କରିଦେଇଥିଲା। ଜେଏସଡବ୍ଲ୍ଯୁ ଓଡ଼ିଶାରେ ଇଭି କାରଖାନା କରିବାକୁ ନିଷ୍ପତ୍ତି ନେଇଥିଲା। କହିବାକୁ ଗଲେ ନବୀନଙ୍କ ନେତୃତ୍ବରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକାରୀଙ୍କ ପ୍ରଥମ ପସନ୍ଦ ପାଲଟିଥିଲା । ପ୍ରବାସୀ ଭାରତୀୟ ସମ୍ମିଳନୀ ପରେ ଓଡ଼ିଶାକୁ ଅଧିକ ବିଦେଶରୁ ପୁଞ୍ଜି ଆସିବା ନେଇ ସଭିଏଁ ଆଶା ବାନ୍ଧିଛନ୍ତି । କେତେ ବିଦେଶୀ ପୁଞ୍ଜି ଓଡ଼ିଶାକୁ ଆସୁଛି ତାକୁ ସଭିଁଏ ଚାହିଁ ବସିଛନ୍ତି ବୋଲି ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ଯେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଓଡ଼ିଶାକୁ କେତେ ପୁଞ୍ଜି ଆସିବ ତାହାକୁ ନେଇ ସନ୍ଦେହ ଦେଖାଦେଇଛି ।

ସେପଟେ ପ୍ରବାସୀ ଭାରତୀୟ ସମ୍ମିଳନୀ ପୁଞ୍ଜି ପାଇଁ କରାଯାଇ ନାହିଁ ବୋଲି ବିଜେପି ସଫେଇ ଦେଇଛି। ସମ୍ମିଳନୀ ଓଡ଼ିଶାରେ ହେବା ଓଡ଼ିଶାକୁ ବିଶ୍ବରେ ପରିଚିତ କରିଛି ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ଆଗକୁ କଣ ହେବ ଏବେଠୁ କାହିଁକି ଚିନ୍ତା ବୋଲି ସେ ପ୍ରଶ୍ନ କରିବା ସହିତ ବିକଶିତ ଓଡ଼ିଶା ପାଇଁ ଏହା ବେଶ ସହାୟକ ହେବ ବୋଲି ଯୁକ୍ତି ବାଢିଛନ୍ତି ।

ଓଡ଼ିଶାର ବିକାଶ ପାଇଁ ନିହାତି ଭାବେ ବିଦେଶୀ ପୁଞ୍ଜି ଆବଶ୍ୟକ । ହେଲେ ବିଜେପି ସରକାର ନବୀନଙ୍କ ଯାଦୁ କାଏମ ରଖିପାରିବେ ତ ? ଏହାର ଉତ୍ତର ଆଗାମୀ ଦିନରେ ହିଁ ଜଣାପଡିବ।

ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ହେବେ ସାମିଲ

ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବିଜୁପଟ୍ଟନାୟକ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମ ପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡ଼ିଜି ଯୋଗେଶ ବାହାଦୂର ଖୁରାନିଆ ପ୍ରମୁଖ । ପାରମ୍ପରିକ ବାଦ୍ୟ ଓ ଲୋକ ନୃତ୍ୟ ସହ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଛି । ଆଜି ରାଜଭବନ ରାତ୍ରୀଯାପନ କରିବେ ମହାମହିମ। ଆସନ୍ତା କାଲି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେବେ ରାଷ୍ଟ୍ରପତି । ସକାଳ ୧୨.୪୫ ରେ ରାଜଭବନରୁ ବାହାରି ଜନତା ମଇଦାନରେ ପ୍ରବାସୀ ଭରତୀୟ ଦିବସ ସମ୍ମିଳନୀରେ ସାମିଲ ହେବେ ।

ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଅଭିଭାଷଣ ରଖିବେ ମହାମହିମ ରାଷ୍ଟ୍ରପତି। ପରେ ସେଠାରେ ଥିବା ଓଡ଼ିଶା କଳା, ସଂସ୍କୃତି ଓ ଐତିହ୍ୟକୁ ବୁଲି ଦେଖିବେ । ପ୍ରବାସୀ ଭାରତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହ ମଧ୍ୟାହ୍ନ ଭୋଜନ କରିବେ । ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି । ପରେ ଅପରାହ୍ନ ୪.୫୫ ରେ ଭୁବନେଶ୍ୱର ଛାଡ଼ିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ବିମାନ ବନ୍ଦରରୁ ରାଜଭବନ ରାସ୍ତାର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯକ୍ରମ ଆୟୋଜନ କରାଯାଇଛି ।