spot_img
Home Blog Page 1459

ଇଡି ସ୍କାନରରେ ଆପ ନେତା ସଞ୍ଜୟ ଅରୋଡା

ନୂଆଦିଲ୍ଲୀ: ଇଡି ସ୍କାନରରେ ଆପ ନେତା ବା ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋଡା । ଏହି ରେଡ ପରେ ରାଗରେ ଜରଜର ଆମ ଆଦମୀ ପାର୍ଟୀ । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହିତ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ମିଛ ମାମଲା ରୁଜୁ କରୁଥିବା ଆରୋପ ଲଗାଇଛନ୍ତି । ଆମ ଆଦମୀ ପାର୍ଟୀ ଅନୁସାରେ ଆପ ନେତା ସଂଜୀବ ଅରୋଡାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ କରାଯାଇଛି ।ଏହି ରେଡ ଲୁଧିଆନା ଏବଂ ଗୁରୁଗ୍ରାମରେ କରାଯାଇଛି । ଏହି ପରିପ୍ରେକ୍ଷୀରେ ସେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ଏବଂ କେନ୍ଦ୍ର ଯାଞ୍ଚ ବିଭାଗ ଦୁର୍ନୀତିଗ୍ରସ୍ତ ହେଇ ମିଛ ମାମଲା ରୁଜୁ କରୁଥିବାର ଆରୋପ ଲଗାଇଛନ୍ତି ।

ନା ଆମେ ଡରିବୁ, ନା ବିକ୍ରିହେବୁ

ଦିଲ୍ଲୀର ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି କି ‘ ଆଜି ପୁଣି ମୋଦୀଜୀ ନିଜ ଶୁଆ ଶାରୀକୁ ଖୋଲା ଛାଡିଦେଇଛନ୍ତି’ । ଆଜି ସକାଳୁ ଇଡି ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋଡାଙ୍କ ଘରେ ରେଡ କରିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ଇଡି କେଜ୍ରିଓ୍ବାଲଙ୍କ ଘର, ମୋ ଘର,ସଂଜୟ ସିଂଙ୍କ ଏବଂ ସତ୍ୟନ୍ଦ୍ର ଜୈନଙ୍କ ଘରେ ରେଡ କରିସାରିଲେଣି ।, ଯାଂଚରେ କେଉଁଠାରୁ କିଛି ମଧ୍ୟ ମିଳିନଥିଲା କିନ୍ତୁ ମୋଦିଙ୍କ ଏଜେନ୍ସି ପୁରା ମନଧ୍ୟାନ ଦେଇ ଗୋଟିଏ ପରେ ଗୋଟିଏ ନକଲି ମାମଲା ତିଆରି କରିବାରେ ଲାଗିଛନ୍ତି  । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ଯେ ଆମ ଆଦମୀ ପାର୍ଟୀକୁ ଭାଙ୍ଗିବାକୁ ଏମାନେ କିଛି ବି କରିପାରିବେ କିନ୍ତୁ ଚେଷ୍ଟା ଯେତେ କରନ୍ତୁ ନାଁ ନାହିଁ  ଆମ ଆଦମୀ ପାର୍ଟୀ ନା ଦୁର୍ବଳ ହେବ, ନା ବିକ୍ରି ହେବ ନା ଡରିବ …

ସଚ୍ଚୋଟ ଲୋକଙ୍କ ସାହସ ଭାଙ୍ଗିପାରିବେ ନାହିଁ

ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ କହିଛନ୍ତି, ‘ ପୁଣି ନୂଆ ସକାଳ, ପୁଣି ନୂଆ ରେଡ୍’ । ଇଡି ସାଂସଦ ସଞ୍ଜୀବ ଅରୋଡାଙ୍କ ଘରେ ଇଡି ପହଞ୍ଚିଛି। ମୋଦିଜୀଙ୍କର ନକଲି କେସ୍ ତିଆରି ମେସିନ୍ ୨୪ଘଣ୍ଟା ଆମ୍ ଆଦମୀ ପାର୍ଟି ପଛରେ ପଡିରହୁଛି | ମିଥ୍ୟା ମାମଲା ଦାଖଲ ବନ୍ଦ କରିବାକୁ ସୁପ୍ରିମକୋର୍ଟ ମଧ୍ୟ ସେମାନଙ୍କୁ ଅନେକ ଥର ଗାଳି ଦେଇସାରିଲେଣି, ତଥାପି ଇଡି ଏହା ବୁଝିପାରୁନାହିଁ। ଏହି ଏଜେନ୍ସିଗୁଡିକ କୋର୍ଟକୁ ମାନନ୍ତି ନାହିଁ, ସେମାନେ କେବଳ ସେମାନଙ୍କର ମାଲିକମାନଙ୍କୁ ମାନନ୍ତି | ସେ କହିଛନ୍ତି, ଆମ୍ ଆଦମୀ ପାର୍ଟି ନେତାଙ୍କ ସାହସ ସାମ୍ନାରେ ମୋଦୀଜୀଙ୍କର ଅହଂକାର ସମ୍ପୂର୍ଣ୍ଣ ବିଫଳ । ମୋଦୀ ଜୀ, ଆପଣ ନକଲି ମାମଲା ଏବଂ ରେଡ କରି  ଗୋଟେ ସଚ୍ଚୋଟ ପାର୍ଟୀର ମନୋବଳ ଭାଙ୍ଗି ପାରିବେ ନାହିଁ |

ସଞ୍ଜୀବ ଆରୋରା କିଏ?

ସଞ୍ଜୀବ ଆରୋରା ଆମ୍ ଆଦମୀ ପାର୍ଟିର ଜଣେ ରାଜ୍ୟସଭା ସାଂସଦ ତଥା ଜଣେ ବ୍ୟବସାୟୀ। ସେ ବିନା ବିଧାନସଭା ନିର୍ବାଚନରେ ​​ନିର୍ବାଚିତ ହୋଇଥିଲେ। ପଞ୍ଜାବରୁ ରାଜ୍ୟସଭା ସାଂସଦ ଭାବରେ ତାଙ୍କର କାର୍ଯ୍ୟକାଳ ୧୦ଅପ୍ରେଲ ୨୦୨୨ରୁ ଆରମ୍ଭ ହୋଇଥିଲା । ଆପ ସାଂସଦ ରପ୍ତାନି ବ୍ୟବସାୟ କରନ୍ତି | ସେ ଗତ ତିନି ଦଶନ୍ଧି ଧରି ରିତେଶ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚଳାଉଛନ୍ତି। ତାଙ୍କ କମ୍ପାନୀ ମୁଖ୍ୟତଃ ଆମେରିକାକୁ ଜିନିଷ ରପ୍ତାନି କରେ | ଏହି କାରଣରୁ ସେ ଭର୍ଜିନିଆରେ ମଧ୍ୟ ତାଙ୍କ କମ୍ପାନୀର ଏକ କାର୍ଯ୍ୟାଳୟ ଖୋଲିଛନ୍ତି। ୨୦୦୬ରେ ତାଙ୍କ କମ୍ପାନୀର ନାମ ରିତେଶ ପ୍ରପର୍ଟିଜ୍ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RPIL) ରେ ପରିବର୍ତ୍ତନ କରିଛନ୍ତି |

ଫଳ ବୋଝେଇ ଟ୍ରକରୁ ୮ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ଭୁବନେଶ୍ବର: ଫଳ ଗାଡ଼ିରେ ଗଞ୍ଜେଇ ଚାଲାଣ । ଫଳ ବୋଝେଇ ଟ୍ରକରୁ ଜବତ ହେଲା ୮ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ । ଗାଡ଼ିଟି ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ବର ଆସୁଥିଲା । ଏଥିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ରାଜସ୍ବ ନିର୍ଦ୍ଦେଶାଳୟ ଗୁଇନ୍ଦା ବା DRI ଟିମ୍ ଅଟକାଇବା ପାଇଁ ଚେଷ୍ଟା କରିଥିଲା । ହେଲେ ଟ୍ରକଟି ଆନ୍ଧ୍ର-ଓଡ଼ିଶା ବର୍ଡର କ୍ରୀଷ୍ଣାଭରମ୍ ଟୋଲ ଗେଟକୁ ଧକ୍କା ଦେଇ ଆଗକୁ ବଢିଥିଲା । ଏହି ଟ୍ରକକୁ ଏକ କାର ଏସ୍କକର୍ଟ କରି ଆଣୁଥିବା ଦେଖାଯାଇଥିଲା । ସେମାନଙ୍କ ପିଛା କରି DRI ଟିମ୍ ଉଭୟ ଟ୍ରକ ଓ କାରକୁ ଅଟକାଇଥିଲା ।

ଫଳ ବୋଝେଇ ଟ୍ରେରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଥିଲା । ଯାଞ୍ଚ ବେଳେ ଟ୍ରକରୁ ୮୦୮ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ଯ ୧ କୋଟି ୬୨ ଲକ୍ଷ ଟଙ୍କା ହେବ । ମାମଲାରେ ଟ୍ରକ୍ ଡ୍ରାଇଭର ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ଏହି ଗଞ୍ଜେଇ କେଉଁଠାକୁ ଯାଉଥିଲା ? କିଏ ଏହାର ମାଷ୍ଟରମାଇଣ୍ଡ ? ସେନେଇ ଖୋଳତାଡ଼ ଜାରି ରହିଛି ।

ନାଚୁଛନ୍ତି ପିଲା ନିଘୋଡ ନିଦରେ ସାର୍; ଚାନ୍ଦବାଲିରେ ସାରଙ୍କ ଶୋଇବା ଭିଡିଓ ଭାଇରାଲ୍

ଚାନ୍ଦବାଲି: ନାଚୁଛନ୍ତି ପିଲା, ନିଘୋଡ ନିଦରେ ସାର୍। ଗୀତର ତାଳେ ତାଳେ ନାଚି ପିଲା ମସଗୁଲ। କିନ୍ତୁ କେଖିବାକୁ କେହି ନାହିଁ। ଚାନ୍ଦବାଲି ଗୋପୀନାଥପୁର ବାଲିପଦା ପ୍ରକଳ୍ପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏ ଦୃଶ୍ଯ। ମଧ୍ୟାହ୍ନ ଭୋଜନ ପରେ ପିଲାମାନଙ୍କୁ ନାଚିବାକୁ କହି ସାର ବିଶ୍ରାମ ନେଉଛନ୍ତି। କିଛି ପିଲା ଶ୍ରେଣୀଗୃହରେ ମଜାମସ୍ତି କରୁଥିବାର ଦେଖିବାକୁ ମିଳିଛି। ଯିଏ ଯାହା ବାଟରେ କିନ୍ତୁ ସାରଙ୍କର ଟିକେ ଆଖି ଲାଗିଯାଇଛି । ଖାଇ ସାରି ସେ ନିଦ୍ରାରେ।

ଗାଁର କିଛି ଯୁବକ ସ୍କୁଲର ଭିଡିଓ ସୁଟିଂ କରି ସାମାଜିକ ଗଣମାଧ୍ୟମରେ ସେୟାର କରିବା ପରେ ଶିକ୍ଷା ବ୍ଯବସ୍ଥାର ଏ ବିକଳ ଚିତ୍ର ସାମ୍ନାକୁ ଆସିଛି। ଭିଡିଓ ଦେଖି ଅନେକ ଅଭିଭାବକ ଅସନ୍ତୋଷ ବ୍ଯକ୍ତ କରିଛନ୍ତି। ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ସରକାର କୋଟି କୋଟି ଟଙ୍କା ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସରକାରୀ ବିଦ୍ଯାଳୟର ଏ ସ୍ଥିତି ଦେଖି ଚିନ୍ତାରେ ଅଞ୍ଚଳବାସୀ।

ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ପୂରିଲା ବର୍ଷେ

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ପୂରିଲା ବର୍ଷେ। ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଅଚାନକ ଆକ୍ରମଣ କରିବାକୁ ନେଇ ସାରା ମଧ୍ଯପ୍ରାଚ୍ଯରେ ଜଳିଥିଲା ଅଶାନ୍ତିର ନିଆଁ। ସେହିଦିନ ପରଠାରୁ ବଢିବାରେ ଲାଗିଛି ମଧ୍ଯପ୍ରାଚ୍ଯରେ ଯୁଦ୍ଧର ଘନଘଟା। ଗତ ୨୪ ନଭେମ୍ବରରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ଯରେ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ବି ଏହାକୁ କୌଣସି ପକ୍ଷ ମାନିନଥିଲେ। ଫଳରେ ଗତବର୍ଷ ଡିସେମ୍ବରରେ ଗାଜା ଷ୍ଟ୍ରିପରେ ଆରମ୍ଭ ହୋଇଥିଲା ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ।

ହମାସର ପକ୍ଷ ଇରାନ ନେବାରୁ ରକ୍ତମୁଖା ହୋଇଥିଲା ଇସ୍ରାଏଲ। ଏପରିକି ଗତ ଏପ୍ରିଲରେ ସିରିୟା ଡାମାସ୍କସରେ ଇରାନ ଦୂତାବାସ ଉପରେ ଇସ୍ରାଏଲ କରିଥିଲା ଆକ୍ରମଣ। ଏଥିରେ ଇରାନର ବ୍ରିଗେଡିୟର ଜେନେରା ମହମ୍ମଦ ରେଜା ଜାହିଦଙ୍କ ସମେତ ଇସଲାମିକ ରଭଲ୍ଯୁସନାରୀ ଗାର୍ଡ କର୍ପସ କମାଣ୍ଡରଙ୍କ ମୃତ୍ଯୁ ହୋଇଥିଲା। ପ୍ରତିବାଦରେ ଏପ୍ରିଲରେ ଇସ୍ରାଏଲ ଉପରେ ମିସାଇଲ ଆଟାକ କରିଥିଲା ଇରାନ। ଏପରି ଅଶାନ୍ତ ସ୍ଥିତିରେ ଗତ ଜୁଲାଇ ୩୦ରେ ପ୍ରାଣ ହରାଇଥିଲା ହିଜବୁଲ୍ଲା ନେତା ଫୁଆଦ ଶୁକର। ସେହିପରି ଗତ ୩୧ ଜୁଲାଇରେ ଇସ୍ରାଏଲ ଆକ୍ରମଣରେ ତେହରାନରେ ହମାସ ନେତା ଇସମାଇଲ ହାନିୟେଙ୍କ ମୃତ୍ଯୁ ହୋଇଥିଲା।

ହିଜବୁଲ୍ଲା ଲାଗି ସବୁଠାରୁ ବଡ଼ ଧକ୍କା ଆସିଥିଲା ଗତ ୨୭ ସେପ୍ଟେମ୍ବରରେ। ସେହିଦିନ ବେରୁତରେ ହିଜବୁଲ୍ଲା କମାଣ୍ଡର ହସନ ନସରଲ୍ଲା ନିହତ ହୋଇଥିଲେ। ପୁଣି ଥରେ ଗତ ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ବଡ଼ ଧରଣର ମିସାଇଲ ଆକ୍ରମଣ କରିଥିଲା ଇରାନ। ଇସ୍ରାଏଲକୁ ସାମରିକ ସହଯୋଗ ଲାଗି ଆମେରିକା କରିଥିଲା ଘୋଷଣା। ପରେ ପରେ ଗତ ଅକ୍ଟୋବର ୩ରେ ଇସ୍ରାଏଲ ହମଲାରେ ପ୍ରାଣ ହରାଇଥିଲେ ହିଜବୁଲ୍ଲାର ନୂଆ ଚିଫ୍ ହୋଶେମ ସଫିଦ୍ଦିନ।

ଗତ ଅକ୍ଟୋବର ୪ରେ ଇରାନ ସୁପ୍ରିମଲିଡର ଆୟାତୋଲ୍ଲା ଖୋମେନେଇଙ୍କ ଉଦବୋଧନ ସାରା ବିଶ୍ବରେ ଖେଳାଇଥିଲା ଚମକ। ଇରାନର ସମସ୍ତ ଶତ୍ରୁଙ୍କୁ ନିପାତ କରିବା ଲାଗି ସେ ଦେଇଥିଲେ ଆହ୍ବାନ। ତେବେ ଏହି ନିଆଁ ଭିତରେ ଘିଅ ଢ଼ାଳିଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସେ କହିଥିଲେ ଇରାନର ଆଣବିକ ସ୍ଥଳଗୁଡିକ ଉପରେ ଇସ୍ରାଏଲ ହମଲା କରିବା ହେବ ଠିକ୍। ଆକ୍ରମଣ, ପ୍ରତିଆକ୍ରମଣରେ ମଧ୍ଯପ୍ରାଚ୍ଯରେ ନିହତ ହେଲେଣି ସହସ୍ରାଧିକ ଲୋକ। ବିସ୍ଥାପିତ ହେଲେଣି ୨୦ ଲକ୍ଷରୁ ଅଧିକ ଲୋକ। ଇରାନ, ଇରାକ, ସିରିଆ, ଇସ୍ରାଏଲ, ଲେବାନନ, ୟେମେନ ଆଦି ରାଷ୍ଟ୍ରକୁ ବ୍ଯାପିଲାଣି ନିଆଁ। ଜାତିସଂଘ ବସିଛି ନୀରବ।

କରାଚିରେ ବିସ୍ଫୋରଣ; ଚୀନ ନାଗରିକଙ୍କୁ ଟାର୍ଗେଟ

କରାଚି: ପାକିସ୍ତାନ କରାଚି ବିମାନବନ୍ଦର ନିକଟରେ ବଡ଼ଧରଣର ବିସ୍ଫୋରଣ । ଏଥିରେ ୩ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ କରାଚି ଜିନ୍ନା ବିମାନବନ୍ଦର ନିକଟରେ ବିସ୍ଫୋରଣ ଘଟିଥିଲା । ପ୍ରଚଣ୍ଡ ଶବ୍ଦରେ ପୂରା ଅଞ୍ଚଳ ଥରି ଉଠିଥିଲା । ଟର୍ମିନାଲ ବାହାରେ ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ଶବ୍ଦ ଉତ୍ତର ନାଜିମାବାଦ, କରିମାବାଦ ସମେତ ସହରରେ ବି ଶୁଣିବାକୁ ମିଳିଥିଲା ।

ପାକିସ୍ତାନୀ ଡନ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ବିଳମ୍ବିତ ରାତିରେ ବିମାନବନ୍ଦର ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଶୁଣିବାକୁ ମିଳିଥିଲା ​​ଏବଂ ବିମାନ ବନ୍ଦର ନିକଟରୁ ଧୂଆଁ ବାହାରିବାରେ ଲାଗିଲା ଏବଂ ରାସ୍ତାରେ୍ ଥିବା ଅନ୍ୟ ଗାଡିରେ ମଧ୍ୟ ନିଆଁ ଲାଗିଯାଇଥିଲା । ବିସ୍ଫୋରଣରେ ୨ଚୀନ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ଚୀନ୍ ଦୂତାବାସ କହିଛି ଯେ ପାକିସ୍ତାନରେ ଚାଲୁଥିବା ଅନୁଷ୍ଠାନ ଏବଂ ପ୍ରକଳ୍ପର ନିରାପତ୍ତାକୁ ଦୃଷ୍ଟିରେ ରଖି ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଆମେ ଅନୁରୋଧ କରୁଛୁ।

କିଏ ଏହି ଆକ୍ରମଣ କରିଥିଲା?

ପାକିସ୍ତାନର ବିମାନବନ୍ଦର ବାହାରେ ସବୁଠାରୁ ବଡ ବିସ୍ଫୋରଣ ହୋଇଥିବା ପୋଲିସ ଏବଂ ସରକାର କହିଛନ୍ତି। ଏହି ଘଟଣା ପାଇଁ ବାଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ଦାୟୀ ବୋଲି କହିଛି। ଏହା କରାଚି ବିମାନବନ୍ଦରରୁ ଆସୁଥିବା ଚାଇନାର ଇଞ୍ଜିନିୟର ଏବଂ ନିବେଶକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ବିଏଲ୍ଏ ଦାବି କରିଛି। ଅନ୍ୟପକ୍ଷରେ, ଏହି ଆକ୍ରମଣ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କାରଗୁଡିକରେ ନିଆଁ ଲାଗିଛି ଏବଂ ଘଟଣାସ୍ଥଳରୁ ଧୂଆଁ ବାହାରୁଛି | ସ୍ଥାନୀୟ ଅଧିକାରୀ ଆଜଫର ମହେସର ଗଣମାଧ୍ୟମକୁ କହିଛନ୍ତି ଯେ ଏକ ତେଲ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣର ପ୍ରକୃତ କାରଣ ବିଷୟରେ ଆମେ ଅନୁସନ୍ଧାନ କରୁଛୁ।

BLA କ’ଣ?

ଆଫଗାନିସ୍ତାନ ଏବଂ ଇରାନ ସୀମାବର୍ତ୍ତୀ ପାକିସ୍ତାନର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ବେଲୁଚିସ୍ତାନ ପ୍ରଦେଶର ସ୍ବାଧୀନତା ପାଇଁ BLA ଚାହୁଁଛି। ବିଶେଷକରି ଆରବ ସାଗରରେ ଥିବା ଗ୍ୱାଦାର ବନ୍ଦରର ଚାଇନାର ସ୍ୱାର୍ଥକୁ BLA ନିର୍ଦ୍ଦିଷ୍ଟ ଭାବରେ ଟାର୍ଗେଟ କରିଛି | ସେ ବିଶ୍ୱାସ କରନ୍ତି ଯେ ଏଠାରେ ଥିବା ଲୋକମାନେ ଏହି ପ୍ରକଳ୍ପ ମାଧ୍ୟମରେ ଶୋଷିତ ହେଉଛନ୍ତି ଏବଂ ପାକିସ୍ତାନ ସହିତ ବେଜିଂ ମଧ୍ୟ ଏଥିରେ ଜଡିତ ଅଛି। ଏହି କାରଣରୁ BLA ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଚୀନ୍ ନାଗରିକଙ୍କୁ ଟାର୍ଗେଟ କରିଛି | କରାଚିରେ ବେଜିଂର କନସୁଲେଟ୍ ଉପରେ ବିଏଲ୍ଏ ମଧ୍ୟ ଆକ୍ରମଣ କରିଛି।

ଇସ୍ରାଏଲରେ କମ୍ପନ: ହିଜ୍ଜବୁଲାର ରକେଟ ଆଗରେ ଇସ୍ରାଏଲ ସିଷ୍ଟମ ଫେଲ

ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧର ବାର୍ଷିକୀ ଅବସରରେ ଇସ୍ରାଏଲକୁ ହିଜବୁଲ୍ଲାର ବଡ ଉପହାର । ବେରୁଟରେ ଇସ୍ରାଏଲର ବୋମା ବିସ୍ଫୋରଣ ମଧ୍ୟରେ ହିଜ୍ଜବୁଲା ପୁଣି ଥରେ ଇସ୍ରାଏଲର ପୋର୍ଟ ସିଟି ହାଇଫା ସହରକୁ ଦୋହଲାଇ ଦେଇଛି। ଦକ୍ଷିଣ ଲେବାନନରୁ ଇସ୍ରାଏଲର ପୋର୍ଟ ସିଟି ହାଇଫା ସହର ଉପରେ କ୍ଷେପଣାସ୍ତ୍ର ମାଡ କରାଯାଇଛି । ଆଜି ଯୁଦ୍ଧକୁ ବର୍ଷ ପୁରୁଥିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଛି ।ଇସ୍ରାଏଲ ବାୟୁ ସେନାର ଏହି ରକେଟଗୁଡ଼ିକୁ ଅଟକାଇବାରେ ବିଫଳ ହୋଇଥିବା ବେଳେ ମାତ୍ର ୫ଟି ରକେଟକୁ ନଷ୍ଟ କରିବାରେ ସକ୍ଷମ ହେଇଛି ।

ଏହି ଆକ୍ରମଣରେ ପ୍ରାୟ ୧୦ଜଣ ଆହତ ହୋଇଥିବାବେଳେ ସମଗ୍ର ଅଞ୍ଚଳ ଧ୍ବଂସ ହେଇଯାଇଛି । ତେବେ ଗତ ମାସରେ ବେରୁଟରେ ଇସ୍ରାଏଲ୍ ବିସ୍ଫୋରଣରେ ପ୍ରାଣ ହରାଇଥିବା ହିଜବୁଲ ନେତା ହାସନ ନାସରାଲ୍ଲାଙ୍କୁ ଉତ୍ସର୍ଗ କରି ଏହି ଆକ୍ରମଣ କରାଯାଇଛି ।

ହମାସ ପରି ଇସ୍ରାଏଲର ସୁରକ୍ଷା କର୍ଡନ ଭାଙ୍ଗି ହାଇଫା ଉପରେ କ୍ଷେପଣାସ୍ତ୍ର ମାଡ କରି ଚମକାଇ ଦେଇଛି ହିଜ୍ଜବୁଲା ।ଏହି ଆକ୍ରମଣ ଲେବାନନରେ ଚାଲିଥିବା ଇସ୍ରାଏଲର ଆକ୍ରମଣର ପ୍ରତିଜବାବ ବୋଲି କୁହାଯାଉଛି । ହିଜ୍ଜବୁଲା ନିଜ ପ୍ରତିକ୍ରିୟାରେ କହିଛି ଯେ ସେମାନେ ହାଇଫା ପୋର୍ଟ ନିକଟରେ ଇସ୍ରାଏଲର ସାମରିକ ବେସକୁ ଟାର୍ଗେଟ କରିଛନ୍ତି। ଏହାପୂର୍ବରୁ ହାଇଫାର ଦକ୍ଷିଣରେ ଥିବା ଅନ୍ୟ ସ୍ଥାନରେ ମଧ୍ୟ ଦୁଇଟି ଆକ୍ରମଣ କରାଯାଇଥିଲା।

ଦକ୍ଷିଣ ଲେବାନନର କ୍ଷେପଣାସ୍ତ୍ର ମାଡକୁ ଇସ୍ରାଏଲ ରୋକିବାକୁ ସକ୍ଷମ ହେଇନଥିବା ବେଳେ ସାଇରନ ଯୋଗୁ ବହୁ ଲୋକଙ୍କର ପ୍ରାଣ ବଞ୍ଚିଯାଇଛି । ଲୋକମାନେ ବୋମା ଆଶ୍ରୟସ୍ଥଳକୁ ଦୌଡି ଯିବା ଫଳରେ ଜୀବନ ବଞ୍ଚିଯିବା ସହିତ ମହାବିନାଶ ହେବାରୁ ରକ୍ଷା ପାଇଗଲା ଇସ୍ରାଏଲ । ହିଜବୁଲଙ୍କ ଏହି ଆକ୍ରମଣ ବେରୁଟରେ ଇସ୍ରାଏଲର ବିସ୍ଫୋରଣ ପରେ ହୋଇଥିଲା। ରବିବାରର ବିସ୍ଫୋରଣରେ ଲେବାନନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଉଥିବା ରାସ୍ତାକୁ ଟାର୍ଗେଟ କରିଥିଲା ଏବଂ ଏହା ନିକଟରେ ଥିବା ଅନେକ କୋଠାକୁ ଟାର୍ଗେଟ କରାଯାଇଥିଲା। ଏହା ବ୍ୟତୀତ ଇସ୍ରାଏଲ୍ ଏହି ଆକ୍ରମଣର ପ୍ରତିଜବାବରେ ଲେବାନନ୍ ନ୍ୟୁଜ୍ ଚ୍ୟାନେଲ୍ ଅଲ-ମାନାରର କୋଠାକୁ ଧ୍ବଂସ କରିଦେଇଛି ।

ଭୀମସାରରେ ୨ ଛାତ୍ର ଗୋଷ୍ଠୀ ମଧ୍ଯରେ ସଂଘର୍ଷ, ୩ ଆହତ ସୂଚନା

ସମ୍ବଲପୁର: ବୁର୍ଲା ଭୀମସାରରେ ୨ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ଯରେ ସଂଘର୍ଷ । ୟୁଜି ଛାତ୍ର ବାର୍ଷିକ ଉତ୍ସବରେ ଗଣ୍ଡଗୋଳ ହୋଇଛି । ହାଉସ ସର୍ଜନ ଓ ପିଜି ଛାତ୍ରଙ୍କ ମଧ୍ଯରେ ମାରପିଟ ଲାଗି ତିନି ଜଣ ଆହତ ହୋଇଛନ୍ତି । ଏନେଇ ବୁର୍ଲା ଥାନାରେ ହାଉସ ସର୍ଜନ ଲିଖିତ ଅଭିଯୋଗ କରିଛନ୍ତି । ମାଡ଼ ପ୍ରତିବାଦରେ ହାଉସ ସର୍ଜନ କାର୍ଯ୍ଯବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛନ୍ତି ।

ଗଣ୍ଡଗୋଳ କଥାକୁ ଭୀମରାସ କର୍ତ୍ତୃପକ୍ଷ ସ୍ବୀକାର କରିଥିବାବେଳେ ବିଳମ୍ବିତ ରାତିରେ ଆଲୋଚନା ପରେ ବି ସମାଧାନ ବାହାରିପାରିନି । ପୂର୍ବ ଶତୃତାରୁ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।

ମୁଖ୍ଯମନ୍ତ୍ରୀ ବସ ସେବାକୁ ବିରୋଧ, ଆଜି ସନ୍ଧ୍ଯାରୁ ୨୪ ଘଣ୍ଟିଆ ବସ ଚଳାଚଳ ବନ୍ଦ ଡାକରା

ନନ୍ଦିଘୋଷ ବ୍ୟୁରୋ: ମୁଖ୍ଯମନ୍ତ୍ରୀ ବସ ସେବାକୁ ବିରୋଧ । ବ୍ଲକ ସ୍ତରରେ ଚଳାଚଳକୁ ବିରୋଧ କରି ଆଜି ସନ୍ଧ୍ଯାରୁ ୨୪ ଘଣ୍ଟିଆ ବସ ଚଳାଚଳ ବନ୍ଦ ଡାକରା ଦେଇଛି ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ଘରୋଇ ବସ୍ ମାଲିକ ସଂଘ । ୧୩ ଜିଲ୍ଲାର ପ୍ରାୟ ୨୪ଟି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି । ଟାୟାର ଟୁ ବା ବ୍ଲକଠାରୁ ଜିଲ୍ଲା ମୁଖ୍ଯାଳୟକୁ ବସ ଚଳାଚଳକୁ ବିରୋଧ କରୁଛି ଘରୋଇ ବସ ମାଲିକ ସଂଘ । ଏହାଦ୍ବାରା ସେମାନଙ୍କର କ୍ଷତି ହେଉଥିବାରୁ ଏହି ବସ ଚଳାଚଳ ବନ୍ଦ କରିବାକୁ ଦାବି ହୋଇଛି ।

ଏ ଦିଗରେ ବିଚାର କରି ଦାବିକୁ ମାନିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏପଟେ ଧର୍ମଘଟରୁ ଓହରିଯିବାକୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି ଏନେଇ ଆଜି ଆଲୋଚନା କରାଯିବ । ବ୍ଲକ ସ୍ତରରେ ଚଳାଚଳ କରୁଥିବା ବସର ରୁଟ ପରିବର୍ତନ ପାଇଁ ତର୍ଜମା ଚାଲିଛି । ଆପୋଷ ଆଲୋଚନା କରି ଖୁବଶୀଘ୍ର ରାଜ୍ଯ ସରକାର ନିଷ୍ପତ୍ତି ନେବେ ।

ମାଓ ଦମନ; ଆଜି ଅମିତ ଶାହାଙ୍କ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଦେଶରେ ନକ୍ସଲ ସ୍ଥିତି ନେଇ ଆଜି ସମୀକ୍ଷା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ଯପ୍ରଦେଶର ମୁଖ୍ଯମନ୍ତ୍ରୀ ଯୋଗଦେବେ। ୨୦୧୦ ତୁଳନାରେ ଦେଶରେ ବାମପନ୍ଥୀ ଉଗ୍ରବାଦ ହ୍ରାସ ପାଇଛି। ୨୦୨୩ରେ ବାମପନ୍ଥୀ ଉଗ୍ରବାଦଜନିତ ହିଂସା ଘଟଣା ୭୨ ପ୍ରତିଶତ ହ୍ରାସ ପାଇଥିବାବେଳେ ମୃତ୍ଯୁସଂଖ୍ଯା ୮୬ ପ୍ରତିଶତ ହ୍ରାସ ପାଇଛି। ନକ୍ସଲଙ୍କ ଲଢେଇ ଶେଷ ଅବସ୍ଥାରେ ପହଞ୍ଚିଥିବା କୁହାଯାଇଛି। ବାମପନ୍ଥୀ ଉଗ୍ରବାଦ ପ୍ରଭା

ଏଥିରେ ଜାତୀୟ ନିରାପତ୍ତା ଉପପରାମର୍ଶଦାତାଙ୍କ ସମେତ କେନ୍ଦ୍ର, ରାଜ୍ଯ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବା ସିଏପିଏଫର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ। ଗତବର୍ଷ ଅକ୍ଟୋବର ୬ରେ ବାମପନ୍ଥୀ ଉଗ୍ରବାଦ ଅଧ୍ଯୁଷିତ ରାଜ୍ଯଗୁଡିକର ବି ବୈଠକ ବସିଥିଲା। ଚଳିତବର୍ଷ ଅକ୍ଟୋବର ସୁଦ୍ଧା ୨୦୨ ବାମପନ୍ଥୀ ଉଗ୍ରବାଦୀ କ୍ଯାଡର ନିହତ ହୋଇଥିବାବେଳେ ୭୨୩ଜଣ କ୍ଯାଡର ଆତ୍ମସମର୍ପଣ କରିଛନ୍ତି। ୮୧୨ ଜଣ ହୋଇଛନ୍ତି ଗିରଫ। ଚଳିତ ବର୍ଷ ବି ବାମପନ୍ଥୀ ଉଗ୍ରବାଦୀ ଅଧ୍ଯୁଷିତ ଜିଲ୍ଲା ସଂଖ୍ଯା ୩୮କୁ ଖସିଆସିଛି। ସେହିପରି ବର୍ତ୍ତମାନ ସୁଦ୍ଧା ଏହି ସବୁ ରାଜ୍ଯରେ ୧୪ ହଜାର ୪୦୦ କିଲୋମିଟର ରାସ୍ତା ଓ ୬ ହଜାର ମୋବାଇଲ ଟାୱାର ପ୍ରତିଷ୍ଠା ହୋଇଛି।

ବାଂଲାଦେଶକୁ ହରାଇ ପ୍ରଥମ ଟି-୨୦ ଜିତିଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶ ବିପକ୍ଷ ପ୍ରଥମ ଟି-ଟ୍ବେଣ୍ଟି ଜିତିଲା ଭାରତ । ୪୯ଟି ବଲ ବାକିଥାଇ ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ଯା ୧୬ ବଲରେ ୩୯ ରନର ଦମଦାର ପାଳି ଖେଳିଥିବାବେଳେ କ୍ଯାପଟେନ ସୂର୍ଯ୍ଯକୁମାର ଯାଦବ ୧୪ ବଲରେ ୨୯ ଏବଂ ସଞ୍ଜୁ ସାମସନ ୧୯ ବଲରେ ୨୯ ରନ କରିଥିଲେ । ପଦାର୍ପଣ ମ୍ଯାଚରେ ନୀତିଶ ରେଡ୍ଡୀ ୧୫ ବଲରେ ୧୬ ରନ କରି ଅପରାଜିତ ରହିଛନ୍ତି । ପ୍ରଥମେ ବ୍ଯାଟିଂ କରି ବାଂଲାଦେଶ ୧୨୭ ରନରେ ଅଲଆଉଟ ହୋଇଯାଇଥିଲା । ଗୋଟିଏ ବଲ୍ ବାକି ଥାଇ ଭ୍ରମଣକାରୀ ଦଳ ୧୦ଟି ୱିକେଟ ହରାଇଥିଲା । ମ୍ଯାଚରେ ଆରମ୍ଭରୁ ବାଂଲାଦେଶ ବିପର୍ଯ୍ଯୟ ସାମ୍ମାନ କରିଥିଲା । ଦଳୀୟ ସ୍କୋର ମାତ୍ର ୫ ରନ ଥିବାବେଳେ ପ୍ରଥମ ୱିକେଟ ଯାଇଥିଲା । ମାତ୍ର ୯ ଓଭରରେ ଦଳ ୫୭ ରନ କରି ୫ ୱିକେଟ ହରାଇସାରିଥିଲା । ଶେଷରେ ୧୯.୫ ଓଭରରେ ୧୦ଟି ୱିକେଟ ଯାଇ ବାଂଲାଦେଶ ଅଲଆଉଟ ହୋଇଯାଇଥିଲା । ଅର୍ଶଦୀପ ଓ ବରୁଣ ଚକ୍ରବର୍ତ୍ତୀ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ମୟଂ ଯାଦବ ଓ ୱାସିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ନେଇଛଥିଲେ । ୧୨୮ ରନର ଟାର୍ଗେଟ ଲକ୍ଷ୍ଯ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ । ଆରମ୍ଭରୁ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲା । ଶେଷରେ ୧୧ ଓଭର ୫ଟି ବଲରେ ଭାରତ ବିଜୟ ହାସଲ କରିଥିଲା । ଭାରତ-ବାଂଲାଦେଶ ମଧ୍ଯରେ ୩ଟି ଟି-ଟ୍ବେଣ୍ଟି ମ୍ଯାଚ ଖେଳାଯିବ । ପ୍ରଥମ ମ୍ଯାଚ ଜିତି ଭାରତ ଏବେ ୧-୦ରେ ଆଗୁଆ ରହିଛି ।