spot_img
Home Blog Page 1492

ଓମିନିକୁ ଧକ୍କା ଦେଲା ଡମ୍ଫର, ୫ ଗୁରୁତର

ଭଦ୍ରକ: ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଭେଲୋରା ନିକଟରେ ସଡ଼କ ଦୁର୍ଘଟଣା । ଓମିନିକୁ ଡମ୍ଫର ଧକ୍କା ଦେବାରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ଧାମନଗରରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ଓମିନିକୁ ପଛ ପଟୁ ଧକ୍କା ଦେଇଥିଲା ଡମ୍ଫର । ଫଳରେ ଓମିନିଟି ରାସ୍ତାର ପାର୍ଶ୍ଵକୁ ଓଲଟି ପଡ଼ିଥିଲା । ଗାଡିରେ ଥିବା ୫ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ଡମ୍ଫରକୁ ଜବତ କରିଛି ବସ୍ତା ପୋଲିସ ।

କମେଣ୍ଟ ମରାକୁ କେନ୍ଦ୍ର କରି ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ରାଉରକେଲା: ସ୍କୁଲର କିଛି ଛାତ୍ର ଅଶ୍ଳୀଳ କମେଣ୍ଟ ମରିବାକୁ ନେଇ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତ ଛାତ୍ରୀ ଜଣଙ୍କ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଛାତ୍ରୀ ଜଣଙ୍କ ଗତ ୭ ତାରିଖରେ ଆତ୍ମହତ୍ୟା କରିଛନ୍ତି ।

ଅଭିଯୋଗ ଅନୁସାରେ, ଛାତ୍ରୀ ଜଣଙ୍କ ପଢୁଥିବା ହାଇସ୍କୁଲର କିଛି ଛାତ୍ର ଝିଅମାନଙ୍କୁ ଅଶ୍ଳୀଳ କମେଣ୍ଟ ମାରୁଥିଲେ । ଏହାକୁ ନେଇ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ପରିବାର ଲୋକେ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । କମେଣ୍ଟ ମାରିଥିବା ଛାତ୍ରଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।

ଋଣ ସୁଝିବା ପାଇଁ ଭଉଣୀ ଘରେ କଳାକନା ବୁଲାଇ ବନ୍ଧା ହେଲା ଭାଇ

ଭୁବନେଶ୍ବର: ଭଉଣୀ ବିଶ୍ବାସରେ ଭାଇ ଦେଇଥିଲା ବିଷ । ଭଉଣୀ ଘରେ ବୁଲାଇ ଥିଲା କଳାକନା । ଅଭିଯୁକ୍ତଙ୍କୁ ରାଜଧାନୀ ଭୁବନେଶ୍ବରରୁ ଗିରଫ କରିଛି ପୋଲିସ୍ । ବ୍ରହ୍ମପୁର ଖୋଡାସିଂରୁ ଘଟିଛି ଏଭଳି ଘଟଣା ।

ସରଧାବାଲିରେ ରହୁଥିବା ଅଜିତ କୁମାର ପଣ୍ଡାଙ୍କ ବାସଭବନରୁ ଚୋରି କରିଥିଲା ନିଜ ଶଳା ସୌମ୍ୟ ରଞ୍ଜନ ପାଢୀ । ସୌମ୍ୟ ରଞ୍ଜନ ଭୁବନେଶ୍ବରରେ ଏକ ଋଣ ପ୍ରଦାନକାରୀ ସଂସ୍ଥାରେ ଚୋରି ଅଳଙ୍କାର ବନ୍ଧା ପକାଇ ଆଣିଥିବା ଟଙ୍କାରେ ନିଜ ବାକି ସୁଝିଥିଲେ । ତେବେ ଚୋରି ନେଇ ଅଭିଯୋଗ ପରେ ବୌଦନାଥପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସୌମ୍ୟ ଭୁବନେଶ୍ବରରେ ଚୋରି ସୁନାରୁ କିଛି ବନ୍ଧା ପକାଇ ଦେଢ ଲକ୍ଷ ଟଙ୍କା ଆଣିଥିବା ପୋଲିସ ସୂଚନା ପାଇଥିଲା । ପରେ ଭୁବନେଶ୍ବରରେ ଚଢାଉ କରି ସୌମ୍ୟକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ ।

ମ୍ୟ ରଞ୍ଜନଠାରୁ ଦୁଇଟି ସୁନା ଚେନ୍, ହୀରା ଖଚିତ ମଙ୍ଗଳସୁତ୍ର, ଗୋଟିଏ ସୁନା ମୁଦି ଏବଂ ୭୬ ହଜାର ଟଙ୍କା ଜବତ କରିଛି ପୋଲିସ । ଅଜିତଙ୍କ ଘରେ ଶଳା ସୌମ୍ୟ ରଞ୍ଜନ ପାଢୀ ରହିବାକୁ ଆସିଥିବା ବେଳେ ଏଭଳି କାଣ୍ଡ ଭିଆଇଥିଲା । ସେ ନିଜ ଭଉଣୀର ଆଲମାରି ଭାଙ୍ଗି ଗୋଟିଏ ରାଣୀ ହାର, ଦୁଇଟି ସୁନା ଚେନ୍, ହୀରା ଖଚିତ ମଙ୍ଗଳସୁତ୍ର , ଗୋଟିଏ ସୁନା ମୁଦି ଏବଂ ଏକ ଲକ୍ଷ ଟଙ୍କା ଚୋରି କରିଥିଲା । ସେ ଋଣ ସୁଝିବା ପାଇଁ ଏହି ଚୋରି କରିଥିବା ଜଣାପଡିଛି ।

ସେନା ସହ ଗୁଳି ବିନିମୟ, ଜଣେ ଆତଙ୍କବାଦୀ ସଫା

ବାରାମୁଲ୍ଲା: ଜମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟ । ସେନାର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମୃତ । ବାରାମୁଲା ଜିଲ୍ଲା ସୋପୋରରେ ଏହି ଏନକାଉଣ୍ଟର କରିଛି ସେନା । ଗୁଳିବିନିମୟରେ ଜଣେ ଆତଙ୍କୀ ନିହତ ହୋଇଛି।

ସେନା ଓ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ଚାଲିଛି ମିଳିତ ସର୍ଚ୍ଚ ଅପରେସନ। ଗୁଇନ୍ଦା ରିପୋର୍ଟକୁ ନେଇ ସେନା ପକ୍ଷରୁ ଏହି ସର୍ଚ୍ଚ ଅପରେସନ ଜାରି ରହିଛି । ଆଉ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ଅପରେସନକୁ ଜୋରଦାର କରିଛି ସେନା । ରାମପୋରା ସୋପୋର ଅଞ୍ଚଳରେ ମୁହାଁମୁହିଁ ହୋଇଛନ୍ତି ସେନା ଓ ଆତଙ୍କବାଦୀ ।

କିଛି ଦିନ ତଳେ ସୋପୋରରେ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଥିଲା ସେନା । ଆତଙ୍କୀମାନଙ୍କ ଠାରୁ ଆପତ୍ତିଜନକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଥିଲା । ଆତଙ୍କବାଦୀଙ୍କୁ ନିପାତ କରିବାକୁ ସେନା ପକ୍ଷରୁ ଜୋରଦାର ଅଭିଯାନ ଚାଲିଛି। କୁପୱାଡା ଜିଲ୍ଲା କିସ୍ତୱାଡା ଅଂଚଳରେ ଦୁଇ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ ।

ଇସ୍ରାଏଲ-ହମାସ ଯୁଦ୍ଧ: ମଧ୍ୟସ୍ଥତାରୁ ପଛକୁ ହଟିଲା କତର

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଛାରଖାର ହେଉଛି ଗାଜା । ହେଲେ ହମାସ ହାର ମାନିବାକୁ ନାରାଜ । ଆଉ ଇସ୍ରାଏଲ ଛାଡିବାକୁ ନରାଜ । ଏମିତି ସ୍ଥିତିରେ ଉଭୟଙ୍କ ମଧ୍ୟରେ ଅସ୍ତ୍ରବିରତ ପାଇଁ ଚାଲିଥିବା ପ୍ରୟାସ ସଫଳ ହେବା ଭଳି ଲାଗୁନି । ଏମିତି ସ୍ଥିତିରେ ଇସ୍ରାଏଲ ଓ ଗାଜା ମଧ୍ୟରେ ଯୁଦ୍ଧ ବିରତି ନେଇ କତର ଦେଇଥିବା ପ୍ରସ୍ତାବରୁ ପଛକୁ ହଟି ଯାଇଛି ।

ଯେ ପର୍ଯ୍ୟନ୍ତ ଯୁଦ୍ଧ ବିରତି ନେଇ ଦୁଇ ଦେଶ ସହମତି ପ୍ରକାଶ କରିନାହାନ୍ତି ଏଥିରେ ମଧ୍ୟସ୍ଥତା ଜାରି ରଖିବ ନାହିଁ ବୋଲି କତର କହିଛି । ଇସ୍ରାଏଲ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧରେ ଯୁଦ୍ଧବିରତି ଓ ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ କତର ମଧ୍ୟସ୍ଥତା ଭାବେ ଯୋଡ଼ି ହୋଇଥିଲେ। ଇସ୍ରାଏଲ ଓ ହମାସ ଯୁଦ୍ଧ ବିରତି ନେଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୁଝାମଣା ନେଇ ଆଲୋଚନା କରିବାକୁ ମନା କରି ଆସୁଛନ୍ତି । ଯେପର୍ଯ୍ୟନ୍ତ ଉଭୟ ମନା କରୁଥିବେ ସେ ପର୍ଯ୍ୟନ୍ତ କତର ଏଥିରେ ମଧ୍ୟସ୍ଥତା କରିବ ନାହିଁ ବୋଲି କହିଛି ।

କତର ଆମେରିକା ଓ ଇଜିପ୍ଟ ସହ ପଣବନ୍ଦୀଙ୍କ ସମେତ କଏଦୀଙ୍କୁ ମୁକୁଳାଇବା ନେଇ ଆଲୋଚନା କରି ଆସୁଛି । ତେବେ ଏହି ଆଲୋଚନାରେ କୌଣସି ସଫଳ ମିଳିନାହିଁ । କତର ଏହାକୁ ନେଇ ଦୁଇ ପକ୍ଷ ଇସ୍ରାଏଲ ଓ ହମାସ ସହ ଆମେରିକା ପ୍ରଶାସନକୁ ମଧ୍ୟ ମଧ୍ୟସ୍ଥତାରୁ ହଟିବା ନେଇ ସୂଚନା ଦେଇଦେଇଛି । ଯେତେବେଳେ ଉଭୟ ପକ୍ଷ କୌଣସି ବୁଝାମଣା କରିବାକୁ ସହମତି ପ୍ରକାଶ କରିବେ ସେତେବେଳେ ଯାଇ କତର ଏଥିରେ ମଧ୍ୟସ୍ଥତା କରିବାକୁ ସାମିଲ ହେବ ବୋଲି କହିଛି ।

ଆଜି ଆଁଳା ନବମୀ, ଓଡ଼ିଆଣି ବେଶରେ ଦର୍ଶନ ଦେବେ ରାଧାରାଣୀ

ପୁରୀ: ଆଜି ପବିତ୍ର ଅଁଳାନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ।

ରାଧାରାଣୀ ଓଡ଼ିଆଣୀ ବେଶରେ ଓ ଶ୍ରୀକୃଷ୍ଣ ନଟବର ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ବର୍ଷକରେ ଥରେ ଶ୍ରଦ୍ଧାଳୁମାନେ ଏହି ଦର୍ଶନର ସୌଭାଗ୍ୟ ପାଇଥାନ୍ତି l ସୁରକ୍ଷା, ଭିଡ଼ ପରିଚାଳନା ଓ ସମସ୍ତ ଭକ୍ତଙ୍କ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି l

ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ୩ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୧୫ ଜଣ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି ।

ଖଣ୍ଡଗିରି ଫ୍ଲାଏ ଓଭର ଉପରେ ଗ୍ୟାସ ବୋଝେଇ ଟ୍ରକରୁ ଗ୍ୟାସ୍ ଲିକ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରି ଫ୍ଲାଏଓଭର ଉପରେ ଗ୍ୟାସ ବୋଝେଇ ଟ୍ରକରୁ ଗ୍ୟାସ ଲିକ୍ । ଗ୍ୟାସ ଟ୍ୟାଙ୍କରର ଭାଲଭ ଖୋଲିଯିବାରୁ ଗ୍ୟାସ ଲିକ୍ । ସୁରକ୍ଷା ଦୃଷ୍ଟିରୁ ଦୁଇ ପଟ ରାସ୍ତାରେ ଗାଡି ଚଳାଚଳ ବନ୍ଦ ।

ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ । ବରମୁଣ୍ଡାରୁ ଖୋର୍ଦ୍ଧା ଅଭିମୁଖେ ଟ୍ରକଟି ଯାଉଥିବା ବେଳେ ଖଣ୍ଡଗିରି ଫ୍ଲାଏ ଓଭର ଉପରେ ଗ୍ୟାସ ଲିକ ହୋଇଥିଲା ।

ChatGPTକୁ ବଡ ଫାଇଦା: ୧୨୬ କୋଟିରେ ନିଜର ଡୋମେନ ବିକିଲେ ଭାରତୀୟ ମୂଳ ଧର୍ମେଶ ଶାହ

ନୂଆଦିଲ୍ଲୀ: ୧୨୬ କୋଟିରେ ବିକ୍ରି ହେଲା ଡୋମେନ । ଭାରତୀୟ ମୂଳ ଉଦ୍ୟୋଗୀ ଧର୍ମେଶ ଶାହ chat.com ଡୋମେନକୁ ବିକ୍ରି କରିଛନ୍ତି । OpenAI ସିଇଓ ସାମ ଅଲ୍ଟମ୍ୟାନ୍ ଏକ ବଡ ବାଜି ମାରିଥିବା ନେଇ ଇଣ୍ଟରନେଟରେ ଚହଳ ପଡିଛି । chat.com ଡୋମେନକୁ hubspotର ନିର୍ମାତା ଏବଂ ସିଇଓ ତଥା ଭାରତୀୟ ମୂଳ ଧର୍ମେଶ ଶାହଙ୍କ ଠାରୁ କିଣି ନେଇଛନ୍ତି । ୧୫ ମିଲିୟନ ଡଲାରରେ ଏହି ଚୁକ୍ତି ହୋଇଛି । କହିପାରିବା chat dot com ଇଣ୍ଟରନେଟ ଦୁନିଆର ସବୁଠାରୁ ପୁରୁଣା ଡୋମେନ ମଧ୍ୟରୁ ଗୋଟିଏ । ଯାହା ୧୯୯୬ ସେପ୍ଟେମ୍ବରରେ ପ୍ରଥମେ ପଞ୍ଜୀକୃତ ହୋଇଥିଲା । ଗତବର୍ଷ ଧର୍ମେଶ ଶାହ chat dot com ର ଅଧିଗ୍ରହଣ କରାଇଥିଲେ । ଯେଉଁଥିପାଇଁ ୧୫.୫ ମିଲିୟନ ଡଲାର ତାଙ୍କୁ ଖର୍ଚ୍ଚ କରିବାକୁ ପଡିଥିଲା । ଭାରତୀୟ ମୁଦ୍ରା ଅନୁଯାୟୀ ଯାହା ୧୩୦ କୋଟି ହେବ ।

Chat gpt ନିର୍ମାତା open AI ଦୁନିଆର ସବୁଠୁ ପୁରୁଣା ଡୋମେନକୁ ନିଜ ନାଁରେ କରାଇଲେ । ଏଭଳି ଏକ ହାଇ ପ୍ରୋଫାଇଲ ଡୋମେନକୁ Open AI ସିଇଓ ସାମ ଅଲ୍ଟମ୍ୟାନ୍ ହାସଲ କରି ଏକ ବଡ ପଦକ୍ଷେପ ନେଇଛନ୍ତି । ସାମ ଅଲ୍ଟମ୍ୟାନ ଏକ ଟୁଇଟ କରି ଅଧିଗ୍ରହଣ ସମ୍ପର୍କରେ ସୂଚନା ଦେଇଛନ୍ତି ।

ମାର୍ଚ୍ଚରେ ଆସିଥିଲା ଧର୍ମେଶଙ୍କ ପୋଷ୍ଟ

chat dot com କୁ ବିକ୍ରି କରିସାରିଥିବା ନେଇ ଧର୍ମେଶ ମାର୍ଚ୍ଚ ମାସରେ ସ୍ପଷ୍ଟ କରି ସାରିଥିଲେ । ଏଠାରେ କିନ୍ତୁ ସେ ସଂପୂର୍ଣ୍ଣ ତଥ୍ୟର ଖୁଲାସା କରି ନଥିଲେ । ପରେ ସେ ନିଜେ X ପ୍ଲାଟଫର୍ମରେ ଡିଲ ସମ୍ପର୍କରେ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ । ଅନ୍ୟପଟେ Open AI ସିଇଓ ସାମ ଅଲ୍ଟମ୍ୟାନ୍ ମଧ୍ୟ ଡିଲ ବାବଦରେ ଏକ ଛୋଟ ପୋଷ୍ଟ କରିଥିଲେ । ଯେଉଁ ପୋଷ୍ଟରେ କେବଳ chat.com ହିଁ ଲେଖାଥିଲା ।

୧୫ ମିଲିୟନ ଡଲାରଠୁ ଅଧିକ ମୂଲ୍ୟରେ କିଣିଲେ

chat.com ଡୋମେନକୁ ୧୫ ମିଲିୟନ ଡଲାରରୁ ଅଧିକ ମୂଲ୍ୟରେ କିଣିଲା OpenAI । ଏହି ଡିଲ ସହିତ ଶାହାଙ୍କୁ OpenAI ର ସେୟାର ମଧ୍ୟ ପ୍ରାପ୍ତ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । ତଥାପି ଡିଲ ସମ୍ପର୍କରେ ସେ ସଂପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି । ଅଧିଗ୍ରହଣ ପରେ  ଧର୍ମେନ୍ଦ୍ର ଶାହା Xରେ ଏକ ପୋଷ୍ଟ କରି କହିଥିଲେ ଯେ,  chat.com ଏକ ଖାସ ଡୋମେନ । ଯାହା ଯେ କୌଣସି ପ୍ରୋଜେକ୍ଟ ସହ କମ୍ପାନୀକୁ ଆଗକୁ ବଢିବାକୁ ସାହାଯ୍ୟ କରିବ ।

OpenAIର ପ୍ରସ୍ତୁତ ରଣନୀତି

OpenAI ଦ୍ବାରା chat.comର ଅଧିଗ୍ରହଣ କରାଇବା ଥିଲା ତାର ଏକ ରଣନୀତିର ଅଂଶ । ବିଶ୍ବସ୍ତରରେ ନିଜର ପ୍ରୋଜେକ୍ଟକୁ ସହଜରେ ପହଞ୍ଚାଇବା ହେଉଛି ତାର ପ୍ରଥମ ଲକ୍ଷ୍ୟ । ଏଠାରେ କହି ରଖୁଛୁ, ChatGPT ହେଉଛି ବର୍ତ୍ତମାନର ସବୁଠୁ ବେଶୀ ଲୋକପ୍ରିୟତା ହାସଲ କରିଥିବା AI ପ୍ଲାଟଫର୍ମ । ନିକଟରେ କମ୍ପାନୀ GPT Searchର ଆରମ୍ଭ କରିଥିଲା ।

ଭ୍ୟାନିଟି ଡୋମେନ୍ସ କ’ଣ ବୁଝିବେ ?

Vanity domains ଏଭଳି ଧରଣର ଡୋମେନର ନାଁ, ଯାହାକି ସହଜ ଓ ଛୋଟିଆ ଧରଣର ହୋଇଥାଏ । ସାଧାରଣରେ ଏଭଳି ଡୋମେନ୍ସ ସବୁ କିଛି ବ୍ରାଣ୍ଡ, ଫର୍ମ, ଷ୍ଟାର୍ଟଅପ୍ କିମ୍ବା କମ୍ପାନୀର ସୂଚନା ଦେଇଥାଏ । ଏହିସବୁ ଡୋମେନ୍ସର ନାଁ ଗୁଡିକ ଖୁବ ଛୋଟ ଛୋଟ ହୋଇଥାଏ । ଫଳରେ ସହଜରେ ମନେ ରଖିହୁଏ । ଯେପରି  Chat Dot Com, Friend Dot Com କିମ୍ବା Shop Dot Com ।

ଏହିସବୁ ଭ୍ୟାନିଟି ଡୋମେନ୍ସ ଜରୁରୀ କି ?

Chat Dot Com ବିକ୍ରି ହେଲା ପରେ ଭ୍ୟାନିଟି ଡୋମେନ୍ସର ଲୋକପ୍ରିୟତା ବଢିଥିବା ଲକ୍ଷ୍ୟ କରାଯାଉଛି । ଏହା ପୂର୍ବରୁ ମଧ୍ୟ Friend.comକୁ ୧.୮ ମିଲିୟନ ଡଲାରରେ AI ଷ୍ଟାର୍ଟଅପ୍ Friend କିଣିଥିଲା । କହିପାରିବା Chat.com କୁ କିଣିବା OpenAIର ଏକ ପ୍ରକାରର ରଣନୀତି । ନିଜର ୟୁଜର୍ସଙ୍କ ପାଇଁ AIକୁ ଅଧିକ ସହଜ ଓ ସରଳ କରିବା ହିଁ କମ୍ପାନୀ ଲକ୍ଷ୍ୟ ।

ଲଭ୍ ଜିହାଦ ମାମଲାରେ ପୋଲିସ ହାତରେ ସାଂଘାତିକ ତଥ୍ଯ, ହିନ୍ଦୁ ଝିଅଙ୍କୁ ବିବାହ କଲେ ମିଳୁଥିଲା ମୋଟା ଅଙ୍କର ଟଙ୍କା

ଭୁବନେଶ୍ବର: ଲଭ ଜିହାଦ କେସରେ ପୋଲିସ ହାତରେ ସାଙ୍ଘାତିକ ତଥ୍ୟ । ହିନ୍ଦୁ ଝିଅଙ୍କୁ ବିବାହ କଲେ ମିଳୁଥିଲା ମୋଟା ଅଙ୍କର ଟଙ୍କା । ଅଭିଯୁକ୍ତ ମୋବାଇଲରେ ପୁଳା ପୁଳା ଅଶ୍ଳୀଳ ଭିଡିଓ । ଅପଲୋଡ଼ ଭିଡିଓ ଡିଲିଟ ପାଇଁ ଇନଷ୍ଟାଗ୍ରାମକୁ ଚିଠି ଲେଖିଲା କମିଶନରେଟ ପୋଲିସ । ସେପଟେ ରିମାଣ୍ଡରେ ଖୁବଶୀଘ୍ର ଆସିପାରେ ଅଭିଯୁକ୍ତ ସମୀର ।

ହିନ୍ଦୁ ଝିଅଙ୍କୁ ବିବାହ କରିବାରୁ ମୁସଲିମ ସମ୍ପ୍ରଦାୟରୁ ମିଳୁଥିଲା ଟଙ୍କା । ଏକାଧିକ ଯୁବତୀଙ୍କ ସହ ସମ୍ପର୍କରେ ଥିଲା କି ସମୀର ?  ମିଠା ମିଠା କଥା କହି ହିନ୍ଦୁ ଯୁବତୀଙ୍କୁ ପ୍ରେମରେ ଫସାଉଥିଲା କି ?  ଡିଜିଟାଲ ଡିଭାଇସ ଜବତ ପରେ ପୋଲିସ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ହିନ୍ଦୁ ଯୁବତୀଙ୍କୁ ପ୍ରେମ ଫାଶରେ ଫଶାଇ ମୁସଲିମ ଧର୍ମ ଅପଣାଇବାକୁ ବାଧ୍ୟ କରିବା ଅଭିଯୋଗରେ ଗିରଫ ହୋଇଛି ସମୀର ମନସୁର । ମେଡିକାଲ ଯାଞ୍ଚ ପରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ବିହାରର ପୂର୍ବ ଚମ୍ପାରନ ଜିଲ୍ଲାରେ ଜନ୍ମିତ ସମୀର କାଶ୍ମୀରରେ ଇଲେକ୍ଟ୍ରିକ ମେକାନିକ ଭାବେ କାମ କରୁଥିଲା । ୨୦୨୨ରେ ଫ୍ରି ଫାୟାର ଗେମ ଖେଳୁଥିବା ବେଳେ ଜଗତସିଂହପୁର ଜିଲ୍ଲାର ଜଣେ ଉଚ୍ଚ ଶିକ୍ଷିତା ଝିଅଙ୍କ ସହ ପ୍ରେମ କରିବାର ଅଭିନୟ କରିଥିଲା । ଓଡିଶା ଆସି ପୁରୀର ବିଭିନ୍ନ ହୋଟେଲରେ ଶାରିରୀକ ସମ୍ପର୍କ ରଖି ବିବାହର ପ୍ରଲୋଭନ ଦେଖାଇଥିଲା । କିନ୍ତୁ ବଡ଼ କଥା ହେଉଛି ଯୁବକ ଜଣଙ୍କ ମୁସଲିମ ବୋଲି ଜାଣିବା ପରେ ଏହି ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରିଥିଲେ ଯୁବତୀ । ଯେଉଁଥି ପାଇଁ ଜୋର ଜବରଦସ୍ତ ତାଙ୍କୁ କାଶ୍ମୀର ନେଇଯାଉଥିବା ବେଳେ କାବୁ କରିଥିଲା ପୋଲିସ ।

ବଳିଷ୍ଠ ପ୍ରମାଣ ହିସାବରେ ପୋଲିସ ବର୍ତ୍ତମାନ ଡିଜିଟାଲ ଡିଭାଇସକୁ ଗ୍ରହଣ କରିଛି । ସମୀରଙ୍କ ଦୁଇଟି ମୋବାଇଲ ଜବତ ହୋଇଛି । ଯେଉଁ ମୋବାଇଲରୁ ଅନେକ ଅଶ୍ଳୀଳ ଭିଡିଓ ଥିବା ଦେଖିବାକୁ ମିଳିଛି । ତେଣୁ କେବଳ ଜଣେ ଯୁବତୀ ନୁହେଁ, ଏକାଧିକ ଯୁବତୀଙ୍କ ସହ ସେ ଏଭଳି ଘଟାଇଥିବା ପୋଲିସକୁ ସୂଚନା ମିଳିଛି । ଜବତ ମୋବାଇଲକୁ SFSL କୁ ପଠାଯାଇଛି । ଅପଲୋଡ ହୋଇଥିବା ଭିଡିଓକୁ ଡିଲିଟ ପାଇଁ ଇନଷ୍ଟାଗ୍ରାମକୁ ଲେଖାଯାଇଛି । ହିନ୍ଦୁ ଝିଅଙ୍କୁ ବିବାହ କଲେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ମୋଟା ଅଙ୍କର ଅର୍ଥ ମିଳୁଥିବାରୁ ଲୋଭର ବସବର୍ତ୍ତୀ ହୋଇଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ତେଣୁ ଅଧିକ ତଥ୍ୟ ପାଇଁ ଆବଶ୍ୟକ ସ୍ଥଳେ ପୋଲିସ ପରିବାର ସଦସ୍ୟଙ୍କ ସହ କଥା ହେବା ସହ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବ ବୋଲି କହିଛନ୍ତି ଡିସିପି ।

ଯଦି ଆଉ କୌଣସି ଯୁବତୀ ଏଭଳି ଶିକାର ହୋଇଥାନ୍ତି, ତେବେ ତୁରନ୍ତ ନିକଟସ୍ଥ ଥାନାରେ ଏତଲା କଲେ ତାଙ୍କ ନାମ ଓ ଠିକଣା ଗୋପନ ରଖାଯିବ ବୋଲି କହିଛନ୍ତି ଡିସିପି ।

ଆଗକୁ ଆହୁରି ବଢ଼ିବ ଦରଦାମ, ହେବନି ଭଲ ଅମଳ; ସ୍ଥିତି ସମ୍ଭାଳି ପାରିବେ ତ ମୋହନ ସରକାର ?

ଭୁବନେଶ୍ବର: ମହଙ୍ଗା ମାଡରୁ ମିଳିବନି ମୁକ୍ତି । ପୁଣି ଘାଣ୍ଟି ହେବେ ଲୋକେ । ଶୀତ ନାହିଁ, ତାପମାତ୍ରା ବୃଦ୍ଧି ଯୋଗୁଁ ଚଳିତବର୍ଷ କମିବ ଡାଲି, ଆଳୁ, ପିଆଜ ଉତ୍ପାଦନ ସମେତ ରବି ଫସଲ । ଏପରି ଆଗୁଆ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବାରୁ ଆଳୁ, ପିଆଜ ଲଗାଇବାକୁ ପାଗ ଅନୁକୂଳ ହେଉନି । ଖାଲି ସେତିକି ନୁହେଁ, ରବି ଫସଲରେ ଫିମ୍ପି ଲାଗିବା ସହିତ ନାନାଦି ରୋଗପୋକଙ୍କ ପ୍ରାଦୁର୍ଭାବ ଦାଉ ସାଧିବ । ବ୍ୟବସାୟୀ ମହାସଂଘର ଅଭିଯୋଗ ହେଲା, ଏବର ରାଜ୍ୟ ସରକାର ଆଳୁ ଓ ପନିପରିବା ଯୋଗାଣ ନେଇ ଯେପରି ପରିଚାଳନା କଲେ ଅମଳ ନ ହେଲେ ହାତ ଟେକି ଦେବେ ।

କାର୍ତ୍ତିକରେ ବୈଶାଖ ଭ୍ରମ । ଶୀତ ଗାଏବ । ତାପମାତ୍ରା ୩୧ ଡିଗ୍ରୀରୁ ୩୫ ଡିଗ୍ରୀ । ଶୀତ ଅଭାବରୁ ରବି ଫସଲ ସାଂଘାତିକ ପ୍ରଭାବିତ ହେବା ଆଶଂକା । କମିଯିବ ଡାଲି, ଆଳୁ, ପିଆଜ ଉତ୍ପାଦନ । ଆୟତନ କମିବା ସହ କମିବ ଏକର ପିଛା ଅମଳ । ଏପରି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ ।

ଚଳିତବର୍ଷ ଲଘୁଚାପ ଜନିତ ବର୍ଷା ବାତ୍ୟା ହୋଇଥିଲେ ବି ଆବଶ୍ୟକତାଠାରୁ ୪୧ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଅଭାବରୁ ଉତ୍ତାପ କମୁନି । ମାଟି ଶୁଖିଲା ରହୁଛି । ରବି ଫସଲ ପାଇଁ ପାଗ ଅନୁକୂଳ ହେଉନି । ଶୀତ କମ ରହିଲେ ହରଡ଼, ମୁଗ, ବିରି ଛୁଇଁରେ ଦାନା ଭଲ ହେବନି । ଯଦି ବା ହେବ ତା’ହେଲେ ସେଥିରେ ଫିମ୍ପି ସମେତ ନାନାଦି ରୋଗପୋକ ଲାଗି ରହିବ । ଫଳରେ ଯାହା କିଛି ଉତ୍ପାଦନ ହେବ ସେସବୁ ଖରାପ କ୍ବାଲିଟି ରହିବ । ଏହାସହ ଶୀତ ଦିନିଆ ପନିପରିବା ଯଥା, କୋବି, ବିନ୍, ଚିନାବାଦାମ ଫସଲ ବି ପ୍ରଭାବିତ ହେବ । ସାଧାରଣତଃ କାର୍ତ୍ତିକ ମାସରେ ରାତିରେ କାକର ପଡ଼ିଥାଏ । କିନ୍ତୁ ସବୁଜ ଗୃହ ବାଷ୍ପ ଯୋଗୁଁ ବାୟୂମଣ୍ଡଳ ଏତେ ଶୁଷ୍କ ରହିଛି ଯେ, ସେତିକି କାକର ପଡୁନାହିଁ । ଏ ସମୟରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ରହିଥାଏ । କିନ୍ତୁ ଏବେ ସେହି ଅଞ୍ଚଳରେ ତାପମାତ୍ରା ୧୬ରୁ ୧୭ ଡିଗ୍ରୀ ରହିଛି । ବିଡ଼ମ୍ବନାର ବିଷୟ ହେଉଛି, ପାଗ ଅନୁକୂଳ ନଥିବାରୁ ରବି ଫସଲ ଲାଗି ପାରୁନି । ବିଳମ୍ବରେ ଲାଗିଲେ ଅମଳ ମାସ ଫେବ୍ରୁଆରୀ ବେଳକୁ ତାପମାତ୍ରା ବଢିଗଲେ ଫସଲକୁ କାଳ ହେବ ।

ଓଡ଼ିଶାକୁ ବାର୍ଷିକ ୧୪ ଲକ୍ଷ ୩୫ ହଜାର ଟନ୍ ଆଳୁ ଆବଶ୍ୟକ । କିନ୍ତୁ ବାର୍ଷିକ ଉତ୍ପାଦନ ହେଉଛି ମାତ୍ର ୭୦ରୁ ୮୦ ହଜାର ଟନ୍ । ବାକି ଆବଶ୍ୟକ ଆଳୁ ବାହାର ରାଜ୍ୟରୁ ଆମଦାନୀ ହେଉଛି । ସେହିପରି ରାଜ୍ୟରେ ହରଡ଼, ମୁଗ, ମସୁର, ବିରି ମିଶି ବର୍ଷକୁ ଆବଶ୍ୟକ ୯ ଲକ୍ଷ ୨୫  ହଜାର ଟନ୍ ଡାଲି । କିନ୍ତୁ ରାଜ୍ୟରେ ଉତ୍ପାଦନ ହେଉଛି ମାତ୍ର ୮୦ରୁ ୯୦ ହଜାର ଟନ୍ । ଲୋକଙ୍କୁ କିପରି ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ହେବ ତାକୁ ଦେଖିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ବ । ରାଜ୍ୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି, ଏବର ରାଜ୍ୟ ସରକାର ପଶ୍ଚିମବଙ୍ଗ ଆଳୁ ବନ୍ଦ କରିବାରୁ ଯେପରି ଯୋଗାଣ ପରିଚାଳନା କଲେ ତାହା ସମସ୍ତଙ୍କୁ ଜଣା । ଆସନ୍ତାଦିନରେ ଅମଳ କମିବାର ବାହାନା ନେଇ ସିଧା ଜଗନ୍ନାଥଙ୍କ ଭରସାରେ ରାଜ୍ୟବାସୀଙ୍କୁ ଛାଡ଼ିଦେବେ । ରାଜ୍ୟରେ ଏବେ ୪୦ ପ୍ରତିଶତ ଜମି ଚାଷ ଉପଯୋଗୀ ହୋଇ ପଡ଼ିଆ ପଡ଼ିଛି । ପନିପରିବାଠୁ ଆରମ୍ଭ କରି ତୈଳବୀଜ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ଯଦି ସରକାର ବୃଦ୍ଧି ନ କରନ୍ତି କିମ୍ବା ସେ ନେଇ ଆବଶ୍ୟକ ଚାଷୀଙ୍କୁ ପ୍ରୋତ୍ସାହନ ନ ଦିଅନ୍ତି ତା’ହେଲେ ଆଗାମୀ ୧୦ ବର୍ଷରେ ଘୋର ଖାଦ୍ୟ ସଙ୍କଟ ଦେଖାଦେବା ସମ୍ଭାବନା ରହିଛି ।

ଚଳିତବର୍ଷ ହାଡ଼ଭଙ୍ଗା ଶୀତ ହେବନି । ସେପଟେ ଫସଲ କମିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ଏଭଳି ସ୍ଥିତିରେ ସବୁ ମହଲରେ ଦାବି ଉଠିଲାଣି ରାଜ୍ୟ ସରକାର ଯଦି ଏବେଠୁ ଆକସ୍ମିକ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ନ ହୁଅନ୍ତି, ତା’ହେଲେ ନେଡି ଗୁଡ଼ କହୁଣୀକୁ ବୋହିଲା ବେଳକୁ ସମ୍ଭାଳି ପାରିବେ ତ ?